ଭିଟାମାଟି
ଭିଟାମାଟି
ଦଳ ଦଳ ହୋଇ ଫେରିଥିଲେ ସେଦିନ ଭିଟାମାଟିକୁ । କିଏ ସରକାରଙ୍କ ବସ୍ ରେ, କିଏ ଟ୍ରେନରେ ତ କିଏ ସାଇକେଲରେ ।
ଜରୁଆ ଚାରିଦିନର ଛୁଆକୁ କୋଳରେ ଧରି ମୁନି ଓ ତାର ସ୍ଵାମୀ ମଧ୍ୟ ଫେରୁଥିଲେ । ସିଟ୍ ରେ ଯାଗା ନ ଥିବାରୁ ତଳେ ବସି ଆସିଥିଲେ । କାହାକୁ କହି ନ ଥିଲେ ଛୁଆକୁ ଜର ବୋଲି । କାରଣ ଜର କହିଲେ ତାଙ୍କୁ କେହି ହୁଏତ ନ ଆଣି ପାରନ୍ତି, କରୋନା ଆକ୍ରାନ୍ତ ବୋଲି । ଛୁଆଟି କୋଳରେ ରହି ରହି ମରିଯାଇଥିଲା । ତଥାପି ମଲାଛୁଆ ବୋଲି କାହାକୁ ନ କହି ଦୁଇଜଣ ପହଞ୍ଚିଥିଲେ ତାଙ୍କ ଭିଟାମାଟିରେ । ମାଆବାପାଙ୍କ ପାଖରେ ଅଝଟ ଶିଶୁ ପରି କାନ୍ଦିଥିଲେ ଦୁଇ ଜଣ କଇଁ କଇଁ ହୋଇ ।
ମାଆବାପାଙ୍କ ସ୍ନେହ ପ୍ରେମ ପାଇଁ ଅକାଳରେ ଝରିପଡୁଥିବା ମୁନି ଓ ସମାରୁ ପୁଣି ଲାଗି ପଡ଼ିଥିଲେ ସଂସାର ଗଢ଼ିବାରେ । ନିଜର ଭିଟାମାଟିରେ ଲଗାଇଲେ ବାଇଗଣ, ଟମାଟୋ, କଖାରୁ, ଜହ୍ନି ଇତ୍ୟାଦି ପରିବା । ଦିନସାରା ମୁନି ରୋଷେଇ ସାରି ସେଇ ବାଡ଼ିରେ ଲାଗିଥାଏ, ସମାରୁ ସାଇକେଲରେ ତିରିଶ କିଲୋମିଟର ଦୂରରେ ଥିବା ସହରରେ ପରିବା ବିକି ଆସେ । ଟିକେ କଷ୍ଟ ପଛେ ହେଉ, ଭଲ ଦୁଇ ପଇସା ହୁଏ । ତା ଦେଖାଦେଖି ଗାଁ ରେ ସବୁ ପ୍ରବାସୀ ଚାଷ ରେ ମନ ବଳାଇଥିଲେ । ସବୁଜ ସଵୁଜ ଦିଶୁଥିଲା ଗାଁ ।
ଭିଟାମାଟିରେ ପଖାଳ କଂସାର ସ୍ଵାଦ ନିଆରା । ଏଠି ସେ ସହର ଭଳି କେହି ଆକଟ କରିବାକୁ ନାହିଁ । ଯେ କେହି କିଛି କହନ୍ତି ନିଜର ନିଜର ଭାବି, ସେଥିପାଇଁ ସେ ଆକଟ ଭଲ ଲାଗେ ।
ଏମିତି ଏମିତି ଦୁଇ/ତିନି ମାସ ଗଲା ପରେ ମିନିର ବାନ୍ତି ହେଲା । ଡାକ୍ତର ଶ୍ୱେତପଦ୍ମା କହିଲେ ଶୁଭ ଖବର । ଘରେ ସମସ୍ତେ ଖୁସି । ଈଶ୍ୱର ଚାହିଁଲେ କାଲିକି ଘର ପୁରି ଉଠିବ , କହିଲେ ଶାଶୁ । ଏଥର ମୁନିର ବହୁତ ଯତ୍ନ ନେଉଛି ସମାରୁ । ଆଉ ସେ ଦାଦନ ଖଟିବାକୁ ଯିବନାହିଁ ।
ଭିଟାମାଟିର ସ୍ବାଦ ଆଉ ମହନୀୟତା ପ୍ରକୃତରେ ସେ ଦାଦନ ଖଟିବାକୁ ଯାଇଥିବାରୁ ଜାଣିଛି । ମାଆର ମମତା ଓ ଛୁଆର ଆନ୍ତରିକତା ସେ ବୁଝିଛି ।
କାହାର ସର୍ବନାଶ,କାହାର ପୁଷମାସ ନ୍ୟାୟରେ କରୋନା ଶିଖାଇଛି ପ୍ରେମର ମହତ୍ୱ, ଭିଟାମାଟିର ମୂଲ୍ୟ ଆଉ ଆନ୍ତରିକତା ।