Kalpana Ray

Others

3  

Kalpana Ray

Others

ଲଣ୍ଠନ

ଲଣ୍ଠନ

3 mins
190



      ଗାଁ ମଝିରେ ମନ୍ଦିମାଆର ଘର । ଛୋଟ ଚାଳିଆଟିଏ । ନୁଆଣିଆଁ । କିନ୍ତୁ ପ୍ରଶସ୍ତ ପିଣ୍ଢା । ପ୍ରତିଦିନ ମନ୍ଦିମାଆ ମାଟିଗୋଵର ଦେଇ ସକାଳୁ ପିଣ୍ଢାକୁ ଲିପେ । ଲିପି ଲିପି ଏଡେ ସୁନ୍ଦର କରିଥାଏ ଯେ ମାର୍ବଲ ତଳେ ପଡିଯିବ । ସୂରୁଯ ଦେଵତା ଆଇଲା ଵେଳକୁ କୁନି କୁନି ପିଲାମାନେ ବସ୍ତାନି ଧରି ମନ୍ଦିମାଆ ପିଣ୍ଢାରେ ହାଜର ହୁଅନ୍ତି । ସେଇଠି ବସେ ଚାଟଶାଳୀ । କିଛି ସମୟ ପିଲାମାନେ ପାଠ ପଢିବା ପରେ ମନ୍ଦିମାଆଠୁ ଚୁଚୁମା ନେଇ ସେମାନେ ଚାଲିଯାନ୍ତି ।


    ମନ୍ଦିମାଆର କାଳେ ପୁଅଟିଏ ଥିଲା । ମଦପାଣି ଖାଇ ବଡ ହଇରାଣ କଲା ଵୁଢୀକୁ । ଵୁଢୀ କୋଉ କମ୍ । ଗାଁ ମୁଣ୍ଡ ଘର ତାକୁ ଛାଡ଼ିକି ଏଠିକି ଚାଲି ଆସିଲା । ନିଜେ ବାଉଁଶ, କାଠି କୁଟା ସଂଗ୍ରହ କରି ମାଟି ଆଣି ଘରଟିକୁ ତିଆରି କରି ରହିଲା ।


     ପିଲାମାନେ ପାଠ ପଢି ଯିବା ପରେ ସେ ତା କାମକୁ ଵାହାରି ଯାଏ । କାଠି ଝାଟି ସଂଗ୍ରହ କରି ବିକେ । ଗାଧୋଇକି ଭାତ ଵସାଏ । ଭାତ ହୋଉ ହୋଉ ନାଥ ଘର ନ ହେଲେ ସାମଲ ଘର କିଛି ନା କିଛି ତୁଣ ତରକାରୀ ଦେଇଯାଆନ୍ତି । ଖାଇ ସାରି ସେ ଝାଟି ସବୁ ଵାଗେଇ ୟା ତା ଘରେ ବିକ୍ରି କରି ଆସେ । କେତେ ଟଙ୍କା ବା ପାଏ ସେଥିରୁ । ଗାଁ ଟୋକାମାନେ ଦିନରେ ତା ପିଣ୍ଢାରେ ଆଡା କରନ୍ତି ।  

   

     ମନ୍ଦିମାଆ ସିନା ଏକା ରହେ। କହିବାକୁ ଗଲେ କେଵେ ଏକା ନ ଥାଏ । ସଞ୍ଜ ନ ହେଉଣୁ ତା ଵ୍ରିଟିଶ୍ ଅମଳର ଲଣ୍ଠନଟିକୁ କନାରେ ପୋଛିପାଛି ସଫା କରେ । ସୂରୁଯ ଦେବତା ତାଙ୍କ ମାଆ କୋଳକୁ ଯିବା ପୂର୍ବରୁ ତା ଲଣ୍ଠନ ଜଳୁଥାଏ । 


     ଦିନ ଅଛି, ଲଣ୍ଠନ କାଇଁ ଲଗୋଉଛୁ କହିଲେ, ଆଉ ଟିକିଏ ଗଲେ ସୂରୁଯ ଯିବେ । ସୂରୁଯ ଯିବା ପୂର୍ବରୁ ଆଲୁଅ ଜଳୁଥିଲେ ସେ ଶାନ୍ତି ମନରେ ଆଶ୍ବସ୍ତ ହୋଇ ଵିଦାୟ ନେଵେ । ସେଇ ତ ଜଳେଇବି ଆଉ ଘଡିଏ ଆଗରୁ ଜଳେଇଦେଲେ ଏମିତି କେତେ ସରିଯିଵ ଯେ ?? ଯେତେ ଯାହା କହିଲେ ନି ସେ ତାର ଯାହା କରିବା କଥା କରେ । ସଞ୍ଜ ଦିଏ, ନାମ ଜପ କରେ । ନାଲି ଚାହା ଟିକିଏ କରି ପିଏ । ପିଣ୍ଢାରେ ଲଣ୍ଠନ ଜଳେଇ ଯିଏ ବସିଥାନ୍ତି ସେମାନଙ୍କୁ ଵି ଦିଏ । ଯେତେ ମନା କଲେ ବି ସେ ଶୁଣେନି । ଚା ଟିକେ ପିଇ ଦେଲେ ମୋର କଣ ସରିଯାଉଛି । ମୁଁ ମରିଗଲେ ତୁମେମାନେ କଣ କାନ୍ଧରେ ନେଵନି । ନବ ନା, ନିଶ୍ଚୟ ନେବ। 


     ମନ୍ଦିମାଆ ଏତେ ପଇସା ଆଣେ କେଉଁଠୁ ? ସେ କଥା କେହି ବୁଝି ପାରନ୍ତିନି । ପଚାରିଲେ କହେ ସେଇ ଦେଵତା ମତେ ଦେଉଛି । ନ ହେଲେ କଣ ମୁଁ କାହାକୁ ମାଗେ ନା ଚୋରି କରେ । 


     ବର୍ଷା ଦିନରେ ଵି ମନ୍ଦିମାଆ ଲଣ୍ଠନରେ ଦେଖି ଶୁଖିଲା କାଠଗୋଛା ଦିଏ । ଏବେ ପଞ୍ଚାୟତରୁ ତାକୁ ଵାର୍ଧକ୍ୟ ଭତ୍ତା, ଚାଉଳ କିରୋସିନି ମିଳୁଛି । ମନ୍ଦିମାଆ କିରୋସିନି ଟିକକ ପାଇ ଭାରି ଖୁସି । ଇଲେକ୍ଟ୍ରିକ୍ ବଲ୍ ଜଳୁଥିଲେ ଵି ସେ ତା ଲଣ୍ଠନ ଜାଳିବା ଭୂଲେନି । କହେ ୟେ ଆଲୁଅକୁ କି ଭରସା । ଜଳୁଚି ଯଦି ଜଳୁଚି, ନ ହେଲେ ନିଭି ଗଲେ ଆମେ ତାର କଣ କରିବା ??


     ଅନ୍ଧାରକୁ ମୋର ଭାରି ଡର । ମୋ ଲଣ୍ଠନଟି ଜଳୁଥିଲେ ମୋର ଭରସା । ବୟସ୍କ ଲୋକଙ୍କର ସନ୍ଧ୍ୟାଠାରୁ ଡେରି ରାତି ପର୍ଯ୍ୟନ୍ତ ମନ୍ଦିମାଆ ପିଣ୍ଢାରେ ତାସ ଖେଳ ଜମେ। ମନ୍ଦିମାଆ କେବେ ଖେଳେ ନାହିଁ । କିନ୍ତୁ ଦିନେ ଯଦି ତାର ଖେଳ ବନ୍ଦ ହୋଇଗଲା, ତାକୁ ଭାରି ଖରାପ ଲାଗେ, ଦୁଃଖୀ ହୋଇଯାଏ ସେଦିନ । ଲୋକମାନେ ତା ପିଣ୍ଢାରେ ଖେଳିବାକୁ ଭଲ ପାଆନ୍ତି, କାରଣ ସଫା ଚଉଡା ପିଣ୍ଢାରେ ମନ୍ଦିମାଆର ଲଣ୍ଠନର ଆକର୍ଷଣ । ଲାଇନ୍ ଗଲେ ବି ଖେଳ ପାଇଁ ଅସୁବିଧା ନ ଥାଏ । 


    ଏମିତି ଏମିତି ଦିନ ଗଡିଚାଲେ । ମନ୍ଦିମାଆକୁ ହୁଏ ଜ୍ଵର, କାଶ, ଥଣ୍ଡା । ଗାଁ ପିଲା ଡାକ୍ତରଖାନାରୁ ଔଷଧ ଆଣି ଦିଅନ୍ତି । ଆଜି ସକାଳୁ ଆଉ ଉଠୁନି ମନ୍ଦିମାଆ । ବିସ୍କୁଟ ଦିଟା ଖାଇ ଶୋଇଛି ।

   

     ସନ୍ଧ୍ୟା ଆଗତପ୍ରାୟ। ମନ୍ଦିମାଆ ଉଠି ଲଣ୍ଠନ ପୋଛିଲା । ରହ, କାହିଁକି ଵ୍ୟସ୍ତ ହେଉଛୁ, ତୁ ଶୋଇଥା । ବୋଉ ଆସୁଛି, ତୋ ଲଣ୍ଠନ ଲଗେଇ ଦେବ, କହିଲା ଟୁଟୁ । ନାଇଁରେ ଵାପ, ଅନ୍ଧାରକୁ ମୋର ଵେଶି ଡର । ନ ଖାଇଲେ ରହିଯିଵି, କିନ୍ତୁ ଅନ୍ଧାରରେ ମୂହୁର୍ତ୍ତଟିଏ ରହିପାରିଵିନି । ମୁଁ ମରିଗଲେ ଏ ଲଣ୍ଠନଟା ମୋ ସାଙ୍ଗରେ ଦେଇ ଦେବ । ସେ ଗୋଟେ ଗୂଢ ରହସ୍ଯରେ ଵାପ । 


     ସକାଳୁ ପିଣ୍ଢା ଲିପା ହୋଇ ନ ଥିବା ଦେଖି ଜଣଙ୍କ ପରେ ଜଣେ ସେଠାରେ ପହଞ୍ଚିଥଲେ । ଦେଖିଲେ ମନ୍ଦିମାଆ, ଶୋଇଛି ଯେ ଶୋଇଛି, ଆଉ କେଵେ ଉଠିବନି ସିଏ, ମାତ୍ର ଲଣ୍ଠନଟିକୁ ଧରିଛି ଯେ ଧରିଛି, ଛଡେଇବା କାଠିକର ପାଠ ହୋଇଥିଲା ।


    ଲୋକମାନେ କଥା ହେଉଥିଲେ ମନ୍ଦିମାଆ ନିଜଠୁ ଅଧିକ ଲଣ୍ଠନକୁ ଭଲ ପାଏ କାହିଁକି ?? 


    ହଁ, ସେଇ କାଳରାତ୍ରୀ, ଯେଉଁଥିରେ ମନ୍ଦିମାଆ ତାର ସର୍ବସ୍ବ ହରାଇଥିଲା । ପୁଅଟିକୁ ନେଇ ଚାଲିଆସିଥିଲା ଏଇ ଗାଁକୁ । ପୁଅଟି ସିନା ଵାଳୁଙ୍ଗା ହୋଇଗଲା । ମନ୍ଦିମାଆର ଗାଁଟି ଯାକର ଛୁଆ ତା ପୁଅଝିଅ ।


    ବୁଢୀର ମୃତ୍ୟୁ ଖବର ଶୁଣି କୋଭିଡ୍ ଵାଲା ଆସି ଟେଷ୍ଟ କରି କହିଲେ ସେ କରୋନା ପଜିଟିଭ୍ । କେହି ଲୋକ ଆସିପାରିଵେନି । ଆମ ଲୋକ ତାକୁ ପୋଡିଵେ। ।ସାଙ୍ଗେ ସାଙ୍ଗେ ଗାଁରେ ପ୍ରଚାର ହୋଇଗଲା । ସମସ୍ତେ ଗାଡି ଆଗରେ ଛିଡା ହେଲେ, ଆମେ ଛାଡିବୁନି, ଜୀବନ ଯାକ ସେ ଆମମାନଙ୍କୁ ସ୍ନେହ ମମତା ଦେଇଛି, ଆମେ ତାକୁ କାନ୍ଧ ଦେବୁ, ମଲେ ମରିବୁ, ସେଥିକୁ ଡର କଣ ?? ଏତେ ଦୃଢତା ଆଗରେ ନୋଇଁଗଲା ସରକାରଙ୍କ ମଥା । ଗାଁର ସମସ୍ତଙ୍କୁ ପିପିଇ କିଟ୍ ଦେଲେ ମାଗଣାରେ ମନ୍ଦିମାଆର ଶଵସତ୍କାର ପାଇଁ । ତା ସହିତ ଯାଇଥିଲା ତାର ପ୍ରିୟ ଲଣ୍ଠନ ପୋଛାପୋଛି ହୋଇ ଜଳୁଥିବା ଅବସ୍ଥାରେ ।



Rate this content
Log in