ଭବିଷ୍ୟତ ବାଣୀ
ଭବିଷ୍ୟତ ବାଣୀ
ବାହାଘରକୁ ଏଗାର ବର୍ଷ ବିତିଯାଇଥାଏ ହେଲେ ଶୂନ୍ୟ କୋଳର କଷ୍ଟ ସବୁବେଳେ ରାଜାଙ୍କୁ ଘାରିଚାଲେ । ରାତି ରାତି ଅନିଦ୍ରା ଭିତରେ ପଲଙ୍କ ହିଁ ଦେଖିଥାଏ ଲୁହର ପୀଡା । କିନ୍ତୁ ସକାଳ ହେବା ପରେ ରାଜାଙ୍କ ବେଶ ପୋଷାକ ଭିତରେ ଚକମକ ହୋଇ ସଜାଇ ହୋଇ ସେ ଏଭଳି ଅଭିନୟ କରନ୍ତି ଯେମିତି କି ସେ ସବୁଠୁ ବଡ ସୁଖୀ ।
ପୂଜା ପାଠ ନାନାଦି ଉପଚାର କଲା ପରେ ଶେଷରେ ଈଶ୍ବରଙ୍କ ଐଶ୍ବର୍ଯ୍ଯ ପ୍ରାପ୍ତ ହେବା ପରି ହଠାତ୍ ଏକଦା ରାଣୀଙ୍କ ଅସୁସ୍ଥତା ବ୍ୟକ୍ତ କରେ ଯେ ସେ ଗର୍ଭବତୀ । ସମସ୍ତ ରାଜମହଲ ତଥା ପୁର ପଲ୍ଲୀ ଖୁସିରେ କମ୍ପି ଉଠେ । ମାସ ପରେ ମାସ ବଢି ବଢି ଚାଲେ । ରାଣୀଙ୍କ ଶରୀରରେ ପରିବର୍ତ୍ତନ ଆସିବାକୁ ଲାଗେ । ରାଜା ଭାରି ଖୁସିରେ ନିଜ ଅଣଦେଖା ଶିଶୁ ସହ କେତେ କଥା ହୋଇ ଯେଉଁ ରାତିକୁ ଦୁଃଖରେ ବିତାଉଥିଲେ ସେ ରାତି ସବୁକୁ ଆନନ୍ଦରେ ବିତାଉଥାନ୍ତି ।
ଦଶମାସ ପୂର୍ଣ୍ଣ ହେବାକୁ ଥାଏ । ହଠାତ୍ ରାତି ଅଧରେ ରାଣୀଙ୍କ ପ୍ରସବ ପୀଡା ଆରମ୍ଭ ହୋଇଯାଏ । ଶୀଘ୍ର ଶୀଘ୍ର ବଇଦ ଡାକି ଔଷଧ ସବୁର ବ୍ୟବସ୍ଥା କରାଯାଏ । ପ୍ରାୟ ଚାରି ପାଞ୍ଚ ଘଣ୍ଟାର ପୀଡା ଦେବା ପରେ କୁଆଁ କୁଆଁ ଡାକରେ ରାଜମହଲ କମ୍ପିଯାଏ । କନ୍ୟା ହେଲା କନ୍ୟା ହେଲା ବୋଲି ଖୁସିର ଲହରୀ ଚାରିଦିଗରେ ନିମିଷକେ ପହଞ୍ଚି ଯାଇଥାଏ ।
ସକାଳୁ ସକାଳୁ କୂଳ ପୁରୋହିତ ପହଞ୍ଚି ଆସି ଆରମ୍ଭ କରିଦିଅନ୍ତି ଭବିଷ୍ୟ ଦେଖିବାକୁ । ପୂର୍ବ ରାତ୍ରି ଅର୍ଥାତ୍ ରାଜକନ୍ୟାଙ୍କ ଜନ୍ମ ରାତ୍ରିଟି ପୂର୍ଣ୍ଣିମୀ ଥିବାରୁ ତାଙ୍କ ଭାଗ୍ୟ ସବୁବେଳେ ଜହ୍ନଙ୍କ ପରି ଚମକପ୍ରଦ ହେବ ହେଲେ । ଆଗକୁ ନ କହି ଅଟକି ଯିବା ପରେ ରାଜାଙ୍କ ମନରେ ଭୟ ପଶିଆସେ । ସେ ପୁରୋହିତଙ୍କୁ ସବୁକିଛି ସଠିକ୍ ଭାବେ ବର୍ଣ୍ଣନା କରିଦେବା ପାଇଁ ଅନୁରୋଧ ମଧ୍ୟ କରନ୍ତି । ବଡ କଷ୍ଟ ଏବଂ ଦୁଃଖରେ ସେ କହନ୍ତି ଯେ ରାଜକନ୍ୟାଙ୍କ ଉପରେ ସର୍ପ ଭୟ ଅଛି । ହୁଏତ ସର୍ପଘାତରେ ସେ ଖୁବ୍ ଅଳ୍ପ ବୟସରେ ବିଦା ନେବେ ସଭିଙ୍କ ଗହଣରୁ ।
ପୁରୋହିତଙ୍କ ମୁଖରୁ ଏଭଳି କଥା ପଦେ ଶୁଣି ଭାରି କଷ୍ଟରେ ଛଟପଟ ହୋଇପଡନ୍ତି । ପୁରୋହିତଙ୍କ କଥାକୁ ମିଥ୍ୟା ପ୍ରମାଣିତ କରିବା ତଥା ଭବିଷ୍ୟତ ବାଣୀକୁ ଭୁଲ ଦର୍ଶାଇବା ପାଇଁ ସେ ରାଜକନ୍ୟାଙ୍କ ନାମରେ ପୂଜା ଅର୍ଚ୍ଚନା କରିବାକୁ ଲାଗନ୍ତି । ତତସହ ପଦାକୁ ଗଲେ କାଳେ କେଉଁଠି ସର୍ପାଘାତ ହେବାର ସମ୍ଭାବନା ହୋଇପାରେ ବୋଲି ତାଙ୍କୁ ରାଜମହଲ ଭିତରେ ହିଁ ସବୁବେଳେ ରଖିଥାନ୍ତି । ଏମିତି କି ରାଜକନ୍ୟା ଧୀରେ ଧୀରେ ବଡ ହେବା ପରେ ମଧ୍ୟ ତାଙ୍କ ପାଇଁ ସମସ୍ତ ଆବଶ୍ୟକତା ଘରକୁ ଆଣିଦିଅନ୍ତି । ପଦାକୁ ପାଦ ଦେବାଠାରୁ ବହୁତ ଧ୍ୟାନର ସହ ବଂଚେଇ ରଖିଥାନ୍ତି ।
ପଞ୍ଚମ ଜନ୍ମଦିନର ଉତ୍ସବ ପାଳନ ଚାଲୁଥାଏ । ସକାଳେ ପୂଜାର୍ଚ୍ଚନା ଏବଂ ସନ୍ଧ୍ୟାରେ ଖୁସିର ଉତ୍ସବ । ସଭିଙ୍କ ସହ ହସି ହସି ଢେର ସାରା ଆର୍ଶିବାଦ ପାଇବାର ଦେଖି ରାଜାଙ୍କୁ ସନ୍ତୁଷ୍ଟ କରୁଥାଏ । ହେଲେ ପୁରୋହିତଙ୍କ ମୁଖରେ ଖୁସିର ଭଙ୍ଗି ପରିବର୍ତ୍ତେ ଉଦାସୀନତା ଦେଖାଯାଏ । ବୋଧହୁଏ ପୁରୋହିତ ଆଗାମୀ ବିପଦ ସଂପର୍କରେ ହିଁ ଚିନ୍ତିତ ଥିଲେ ।
ସତକୁ ସତ ପୁରୋହିତଙ୍କ ଚିନ୍ତା ସତ ହୁଏ । ଜନ୍ମଦିନ ପାଳନ କରି ରାଜକନ୍ୟା ଶୋଇବାକୁ ଯାଅନ୍ତି । କିନ୍ତୁ ହଠାତ୍ ରାତି ଅଧରେ ସେ ଉଠି ପଡି ସାପ ସାପ ବୋଲି ଚିତ୍କାର କରି ଉଠନ୍ତି । ରାଜାଙ୍କ ହୃଦୟର ସ୍ପନ୍ଦନ ବଢିଯାଏ । ସାପ ଆସିଲା କେମିତି ! କେଉଁଠୁ !
ରାଜକନ୍ୟାଙ୍କ ପାଦ ପାଖରେ ଦୁଇଟି ଦାଗ ଦେଖିବାକୁ ମିଳେ । ବଇଦଙ୍କ ମାଧ୍ୟମରେ କେତେ କେତେ ଉପଚାର ଆରମ୍ଭ କରାଯାଏ । ଆଖ ପାଖ ରାଜାଙ୍କ ଠାରୁ ସାହାଯ୍ୟ ମାଗି ବଇଦ ମଧ୍ୟ ଅଣାଯାଏ । ହେଲେ ସକାଳ ହେଉ ହେଉ ସବୁକିଛି ସରିଯାଏ । ରାଜକନ୍ୟାଙ୍କୁ ବଂଚାଇବା ପାଇଁ ସମସ୍ତଙ୍କ ପ୍ରଚେଷ୍ଟା ବିଫଳ ହୁଏ । ପୁଣିଥରେ ରାଜାଙ୍କ କୋଳ ଶୂନ୍ୟ ରହିଯାଏ ।
