ଭାଲେଣ୍ଟିନ ଡେ’ ସ୍ଵତନ୍ତ୍ର
ଭାଲେଣ୍ଟିନ ଡେ’ ସ୍ଵତନ୍ତ୍ର
(ଏକ)
ଭାଲେଣ୍ଟିନ ଡେ’ର ସକାଳ କାହାପାଇଁ ଗୋଲାପି ହୋଇଥିବ କେଜାଣି, କିନ୍ତୁ ସୁବ୍ରତ ପାଇଁ ଥିଲା ସବୁଦିନ ପରି ଧୁସର, ଯେଉଁଥିରେ କିଛି ବି ନୂଆପଣ ନାହିଁ। ପନ୍ଦର ବର୍ଷ ତଳେ ଭାଲେଣ୍ଟିନ ଡେ’ର ଗୋଲାପି ରଙ୍ଗରେ ବେଶ ରଙ୍ଗାୟିତ ହେଉଥିଲା ସେ। ଚାତକ ପକ୍ଷୀ ପରି ଅପେକ୍ଷା କରି ରହୁଥିଲା ଏହି ଭାଲେଣ୍ଟିନ ଡେ’କୁ। ହେଲେ ଆଜି ସେହି ଦିନ ଅଛି, ସେହି ମଣିଷ ମାନେ ଅଛନ୍ତି, କିନ୍ତୁ ବଦଳି ଯାଇଛି ତା ପାଇଁ ଭାଲେଣ୍ଟିନ ଡେ’ର ପରିଭାଷା। ସମୟର ରେଳ ଗାଡିରେ ବସି ବହୁତ ଆଗକୁ ଧାଇଁ ଆସିଛି ସେ। ପଛରେ ଧୂଆଁ ପରି ଛାଡିଆସିଛି ସେ ଦିନର ଭଲେଣ୍ଟିନ ଡେ’କୁ
(ଦୁଇ)
ପରଷ୍ପର ସହିତ ହସ ଖୁସିରେ କଥା ହୋଇ, ପ୍ରେମ ଗପରେ ମଜ୍ଜି ରହି ଜଙ୍ଗଲରେ ବୁଲି ବୁଲି କନ୍ଦା ଖୋଲୁଥିଲେ ସମ୍ବରୁ ଓ ଫୁଲ। କୁରେଇ ଫୁଲ ତୋଳି ଆଣି ଫୁଲ ମୁଣ୍ଡରେ ଖୋସି ଦେଉଥିଲା ସମ୍ବରୁ ଓ ସମ୍ବରୁ ପାଇଁ ସବୁଠୁ ମିଠା ମିଠା ଆମ୍ବ ବାଛି ଖୋଇ ଦେଉଥିଲା ଫୁଲ। ଜଙ୍ଗଲିଆ ରାସ୍ତାରେ ହଠାତ ଗୋଡ ଖସିଗଲା ଫୁଲର। ତଳେ ପଡି ଖଣ୍ଡିଆ ଖାବରା ହୋଇଗଲା ଓ ଅଳ୍ପ ଟିକେ ମାଡ ବାଜିଲା ତା ଗୋଡରେ। ତିଳେ ମାତ୍ର କାଳ ବିଳମ୍ବ ନକରି ନିଜ ସାଇକେଲରେ ବସେଇ ଫୁଲକୁ ଡାକ୍ତରଖାନା ନେଇଗଲା ସମ୍ବରୁ। ସମସ୍ତେ ଦେଖୁଥିଲେ ସମ୍ବରୁ ଓ ଫୁଲକୁ। ବଜାରରେ ଲୋକମାନେ କଥାହେଉଥିଲେ, ଦେଖରେ, ଭାଲେଣ୍ଟିନ ଡେ’ ଉପଲକ୍ଷେ ହଳେ ପ୍ରେମିକ ପ୍ରେମିକାଙ୍କୁ। ଲୋକମାନଙ୍କ କଥାରୁ କିଛି ବୁଝିପାରୁନଥିଲା ସମ୍ବରୁ। ଭାଲେଣ୍ଟିନ ଡେ’ ପରି ଏମିତି ଗୋଟେ ଦିନ ଅଛି ବୋଲି ସେଦିନ ପ୍ରଥମ ଥର ପାଇଁ ଜାଣିଲା ସମ୍ବରୁ।
(ତିନି)
ଆଜି ଭାଲେଣ୍ଟିନ ଡେ’ରେ ସୀମାକୁ ନିଜ ମନ କଥା ଖୋଲି କହିଦେବା ପାଇଁ ପ୍ରସ୍ତୁତ ହେଉଥିଲା ସମୀର। ସେପଟେ ପ୍ରଣବର ଭାଲେଣ୍ଟିନ ଡେ’ ମେସେଜକୁ ଚାତକ ପକ୍ଷୀ ପରି ଚାହିଁରହିଥିଲା ସୀମା। ସକାଳୁ ସକାଳୁ ସମୀରର ମୋବାଇଲରେ ପ୍ରଥମ ଭାଲେଣ୍ଟିନ ଡେ’ ମେସେଜ ଆସିଲା ଚିନ୍ମୟୀର। ସମୀର ଠିଆ ହୋଇଥିଲା ଭାଲେଣ୍ଟିନ ଡେ’ର ଚାରିଛକରେ।
(ଚାରି)
ନିଜ ପ୍ରେମିକାକୁ ଭାଲେଣ୍ଟିନ ଡେ’ରେ ଗୋଟେ ନିବିଡ ଆଶ୍ଳେଷ ଦେଇପାରୁନଥିଲା ପ୍ରତୀକ। କାରଣ ସମାଜ କହୁଥିଲା ତାର ପ୍ରେମ କାଳେ ପାପ। କାରଣ ସେ ବିବାହିତ।