Bichitra Biswal

Romance

3  

Bichitra Biswal

Romance

ଏକ ସ୍ଵଚ୍ଛ ଜହ୍ନ ରାତିର ପ୍ରୟାସରେ

ଏକ ସ୍ଵଚ୍ଛ ଜହ୍ନ ରାତିର ପ୍ରୟାସରେ

4 mins
7.4K


ମୋ ପ୍ରେମିକାକୁ ଏକ ସ୍ଵଚ୍ଛ ଜହ୍ନ ରାତି ଲୋଡା ଥିଲା । ଯେଉଁଥିରେ ଏତେ ଟିକେ ବି ବିଜୁଳି ଆଲୁଅର ଅପମିଶ୍ରଣ ନଥିବ ।

ହେଲେ ଆଜିର ତାରିଖରେ ସ୍ଵଚ୍ଛ ଜହ୍ନ ରାତିଟିଏ ମିଳିବ କେଉଁଠୁ! ଚାରିଆଡେ ତ ନିଅନ ଆଲୁଅର ରୋଷଣୀ। ଛାତ ଉପରୁ ବିଜୁଳି ବଲ୍ବର ମେଞ୍ଚାମେଞ୍ଚା ଆଲୁଅ ଛିଟିକି ପଡୁଛି ରାସ୍ତା ଉପରକୁ । ଘର ସବୁ ସଜା ହୋଇଛି ରଙ୍ଗ ବେରଙ୍ଗର ଏଲ.ଇ.ଡି.ରେ । ଏମିତି ପରିସ୍ଥିତିରେ ଜହ୍ନ ଆଲୁଅ ଆଉ ସ୍ଵଚ୍ଛ ହୋଇ ରହିଛି କେଉଁଠି! କ୍ଷୀର ସହିତ ପାଣି ମିଶିବା ପରି ସବୁ ସନ୍ଧ୍ୟାରେ ଜହ୍ନ ଆଲୁଅରେ ମିଶି ଯାଉଛି କୃତ୍ରିମ ଆଲୁଅ । ତିଆରି ହେଉଛି ଏକ ହାଇବ୍ରୀଡ୍ ଜହ୍ନ ରାତି ।

ତଥାପି ବି ମୋ ପ୍ରେମିକାକୁ ଏକ ସ୍ଵଚ୍ଛ ଜହ୍ନ ରାତି ଦରକାର । ସେହି ନିରୋଳା ଚବିଶ କ୍ୟାରେଟ୍ ଜହ୍ନ ରାତିରେ ମନ ଭରି ଭିଜିବୁ ଆମେ ଦୁହେଁ ।

କେଉଁ ପ୍ରେମିକର ବା ସାହସ ଅଛି ପ୍ରେମିକାର ଇଚ୍ଛାକୁ ଅପୁରଣ ରଖି ଶାନ୍ତିରେ ରହିପାରିବ! ମୁଁ ବା ସେଥିରୁ ବାଦ୍ ପଡନ୍ତି କେମିତି!

ଅଗତ୍ୟା ମୋ ପ୍ରେମିକାକୁ ଏକ ସ୍ଵଚ୍ଛ ଜହ୍ନ ରାତି ଭେଟି ଦେଇ ମୋ ପ୍ରେମିକ ପଣିଆର ଟେକ ରଖିବାକୁ ଖୁବ୍ ଜୋରରେ ଲାଗିପଡିଲି ମୁଁ । ମାତ୍ର ଗୋଟିଏ ଦିନ ଭିତରେ ଠାବ କରିନେଲି ମୋ ଛୋଟ ସହରର ତିନୋଟି ଯାକ ଟ୍ରାନ୍ସଫର୍ମରକୁ । କେଉଁଠୁ କିପରି ବିଜୁଳି କଟିବ, ମୋର ଗୋଟେ ଇଲେକ୍ଟ୍ରିସିଆନ ସାଙ୍ଗଠୁ ବୁଝିନେଲି ସବୁ । ତା ପର ଦିନ ରାତିରେ ସାଇକେଲ୍ ଚେନ୍, ଲୁହା ତାର, ପ୍ଳାସ୍ ଆଦି ଧରି ବାହାରି ପଡିଲି ମୋ ଆଡଭେଞ୍ଚରରେ । ଆଜି ପ୍ରତିଦ୍ଵନ୍ଦୀ ଶୂନ୍ୟ କରିବି ଜହ୍ନକୁ । ମୋ ଛୋଟ ସହର ଉପରକୁ ତୋଳି ଆଣିବି ଏକ ସ୍ଵଚ୍ଛ ଜହ୍ନ ରାତି ।

ଅତି ସନ୍ତର୍ପଣରେ ଗୋଟିଏ ଟ୍ରାନ୍ସଫର୍ମରରୁ ବିଜୁଳି କାଟି ଚୁପଚାପ ଆଗେଇଲି ଆଉ ଗୋଟିଏ ଟ୍ରାନ୍ସଫର୍ମର ଆଡକୁ । ମେନ୍ ଲାଇନ୍ ତାର ଉପରକୁ ସାଇକେଲ ଚେନ୍ ପକେଇ କାଟି ଦେଲି ସେ ଟ୍ରାନ୍ସଫର୍ମରର ବିଜୁଳି । ସହରର ଦୁଇ ଭାଗ ହୋଇଯାଇଥିଲା ଅନ୍ଧାର। ଅଧିକ ରୁ ଅଧିକ ଉଜ୍ଜ୍ଵଳ ଦିଶିବାକୁ ଆରମ୍ଭ କରୁଥିଲା ଜହ୍ନ । ଆଉ ଗୋଟିଏ ମାତ୍ର ଟ୍ରାନ୍ସଫର୍ମରରୁ ବିଜୁଳି କାଟିଦେଲେ ମୋ ସହର ଉପରକୁ ଓଲହାଇ ଆସିବ ସ୍ଵଚ୍ଛ ଜହ୍ନ ରାତି । ମୋ ପ୍ରେମିକା ପାଇବ ତା ଈପ୍ସିତ ଉପହାର । ଏକ ସ୍ଵଚ୍ଛ ଜହ୍ନ ରାତି । ମନେମନେ ଉତ୍ତେଜିତ ହୋଇ ଉଠୁଥିଲି ମୁଁ ।

ଲୁଚିଲୁଚି ତୃତୀୟ ଟ୍ରାନ୍ସଫର୍ମର ଆଡକୁ ଆଗେଇବା ବେଳକୁ ହଠାତ୍ ଆଲୁଅରେ ଉଦଭାସିତ ହୋଇଉଠିଲା ସହରର ପଶ୍ଚିମ ପାଖ । ଯାହାର ବିଜୁଳି ମୁଁ କାଟିଦେଇଥିଲି ଏଈ ଟିକିଏ ଆଗରୁ । ବୋଧହୁଏ ବିଜୁଳି ବିଭାଗର କର୍ମଚାରୀମାନେ ମରାମତି କରି ପୁନଶ୍ଚ ଠିକ୍ କରିଦେଲେ ସେପଟ ଲାଇନକୁ ।

ଓଃ.. ହତାଶାରେ ଜଡସଡ ହୋଇଗଲି ମୁଁ । ପୁଣି ଥରେ ଏକ୍ସଟ୍ରା କାମ କରିବାକୁ ପଡିବ । ଯେତେଶୀଘ୍ର ସହରର ସବୁ ବିଜୁଳି ଲାଇନ୍ କାଟିଦେଇ ସ୍ଵଛ ଜହ୍ନ ରାତିକୁ ଉତାରି ଆଣିବାକୁ ମୁଁ ବ୍ୟସ୍ତଥିବା ବେଳେ ବିଜୁଳି ବିଭାଗର କର୍ମଚାରୀ ମାନେ ଭଗାରି ସାଜିଥିଲେ ମୋ ସହ ।

ତୃତୀୟ ଟ୍ରାନ୍ସଫର୍ମରର ବିଜୁଳି କାଟି ସାରିବା ବେଳକୁ ପୁଣି ଥରେ ଆସିଗଲା ଦ୍ଵିତୀୟ ଟ୍ରାନ୍ସଫର୍ମରର ବିଜୁଳି । ଭୀଷଣ ଅସହାୟତାରେ ଥମ୍ ହୋଇ ଠିଆ ହୋଇଗଲି ମୁଁ । ମନେମନେ ବିଜୁଳି ବିଭାଗର କର୍ମଚାରୀ ମାନଙ୍କର ବଂଶ ବୁନିଆଦୀ ଉଝାଳି ଶୋଧୁଥିଲି । ହେଲେ କଣ ବା ଆଉ ଚାରା ଅଛି ! ପୁଣି ଥରେ ପ୍ରଥମ ଟ୍ରାନ୍ସଫର୍ମର ଦିଗରେ ମୁହାଁଇଲି । ଲୁଚିଲୁଚି ସେଥିରୁ ବିଜୁଳି କାଟିବା ବେଳକୁ ବିଦ୍ୟୁତ କର୍ମଚାରୀମାନେ ଠିକ୍ କରିଦେଲେ ତୃତୀୟ ଟ୍ରାନ୍ସଫର୍ମରର ଆଲୋକ ।

ହେ ଭଗବାନ! ଅତି ପ୍ରିୟ ଚକୋଲେଟଟିକୁ ହରେଇଦେଇଥିବା ଛୋଟ ଛୁଆଟିଏ ପରି ଅସହାୟ ହୋଇଯାଇଥିଲା ମୋ ଅବସ୍ଥା। ଏକ ପ୍ରକାର ଲୁଚକାଳି ଖେଳ ଚାଲିଥିଲା ମୋର ଓ ବିଦ୍ୟୁତ କର୍ମଚାରୀଙ୍କ ମଧ୍ୟରେ । ମୁଁ ଗୋଟିଏ ଫେଜର ବିଜୁଳି କାଟିବା ବେଳକୁ ସେ ଆଉ ଗୋଟିଏ ଫେଜର ମରାମତି କରି ବିଜୁଳି ସଂଯୋଗ ଦେଇଦେଉଥିଲେ । ମୁଁ ପୁଣି ସେ ଫେଜ୍ ପାଖରେ ପହଞ୍ଚିବା ବେଳକୁ ସେ ପୂର୍ବ ଫେଜଟିକୁ ମରାମତି କରିଦେଉଥିଲେ । ଯଦିଓ ମୁଁ ଏକଦମ୍ ନାଚାର ଅନୁଭବ କରୁଥିଲି, ତଥାପି ମୁଁ ହାରିବାକୁ ପ୍ରସ୍ତୁତ ନଥିଲି । ମୋ ପ୍ରେମିକାର ମୁହଁ ଫୁଲାକୁ ସହ୍ୟ କରିବାର ଅକ୍ଷମତା ଓ ତା ସହ ସ୍ଵଛ ଜହ୍ନ ରାତିରେ ଭିଜିବାର ଆଶାରେ ମୁଁ ଯେମିତି ବି ହେଉ ଜହ୍ନକୁ ନିଷ୍କଣ୍ଟକ କରିବା ନିଶାରେ ବିଭୋର ଥିଲି ।

ଚାରିଆଡକୁ ଆଖି ଘୁରେଇ ନେଇ ପାଦ ଚିପିଚିପି ମୁଁ ପୁଣିଥରେ ଦ୍ଵିତୀୟ ଟ୍ରାନ୍ସଫର୍ମର ପାଖରେ ପହଞ୍ଚିଲି । ସାଇକେଲ ଚେନଟା ମେନ୍ ଲାଇନ୍ ଉପରକୁ ପକେଇବାକୁ ଉଦ୍ୟତ ହେବା ବେଳକୁ ମୋତେ କାବୁ କରିନେଲେ ଦି ଚାରି ଜଣ ବିଦ୍ୟୁତ ବିଭାଗର କର୍ମଚାରୀ । ସେମାନେ ବୋଧେ ଜଗି ବସିଥିଲେ ବାରମ୍ବାର ବିଜୁଳି କାଟୁଥିବା ଆତତାୟୀକୁ ଧରିବାକୁ । ସେମାନଙ୍କ କବଳରୁ ଖସିବାକୁ ମୋର ଚାରା ନଥିଲା । ମୋତେ ଭିଡିନେଇ ସେମାନେ ଜିମା ଦେଇଦେଲେ ପୁଲିସ ଥାନାରେ । ମୁଁ ଆଉ କରେ କଣ ! ମୁହଁ ଲୁଚେଇ ଠିଆ ହୋଇଥିଲି ଥାନାର ଗୋଟିଏ କୋଣରେ ।

କାହିଁକି ମୁଁ ବାରମ୍ବାର ବିଜୁଳି କାଟୁଥିଲି, ପୁଲିସ୍ ମାନଙ୍କର ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରୁନଥିଲି ମୁଁ ।

-ଶଳା ଚୋରଟା ବେ, ବିଜୁଳି କଟିଗଲେ ଚୋରୀ କରିବ ବୋଲି ଫନ୍ଦି କରୁଥିଲା, ଜଣେ ପୁଲିସ ବାବୁ କହିଲେ । ମୁଁ ଚୁପଚାପ୍ ଠିଆ ହୋଇଥିଲି । ମୋ ପାଟିରେ ଉତ୍ତର ନଥିଲା ।

-ଶଳା ନୁଙ୍ଗୁରାଟା ବେ, ବିଜୁଳି କାଟି କାହା ଘରକୁ ଉଣ୍ଡିବ ବୋଲି ପ୍ଳାନ କରୁଥିଲା, ଜଣେ ପେଟୁଆ ପୋଲିସ ବାବୁ କହିଲେ ଓ ଫେ କରି ହସିଉଠିଲେ । ହସରୋଳରେ ଫାଟି ପଡିଲା ଥାନା ପରିସର । ମୋ ସପକ୍ଷରେ କିଛି ବି ସଫେଇ ଦେଇପାରିଲିନି ମୁଁ । କାହାକୁ ବି କହିପାରିଲିନି ମୋ ପବିତ୍ର ଉଦ୍ଦେଶ୍ୟ ।

କ’ଣଟା ବା ସଫେଇ ଦେଇଥାନ୍ତି ! ଚୁପଚାପ୍ ସହିଗଲି ସବୁ ନିନ୍ଦା ଅପବାଦ । ଦୁଇ ଦିନ ପାଇଁ ଜେଲକୁ ପଠେଇଦେଲେ ମୋତେ ।

ମୁଁ ନିଶ୍ଚିତ ଯେ ଆଉଥରେ ପୁଣି କେବେ ବାହାରିବି ସ୍ଵଛ ଜହ୍ନ ରାତିର ପ୍ରୟାସରେ । ମୋତେ ଜେଲ ପଠାଅ କି ସଜା ଦିଅ, ଯେଯାଏ ମୋ ଭିତରେ ପ୍ରେମ ଅଛି ସେଯାଏ ମୁଁ ଲିଭେଇବି ସହରର ସବୁ ବିଜୁଳିକୁ । ମୋ ସହରକୁ ମୁ ନିଶ୍ଚୟ ଆଣିବି ଏକ ସ୍ଵଛ ଜହ୍ନ ରାତି । ଦମ୍ ଅଚ୍ଛିତ ମୋ ଭିତରର ପ୍ରେମକୁ ଫାଶୀ ଦେଇ ଦେଖ ।


Rate this content
Log in

Similar oriya story from Romance