ଭାଲେଣ୍ଟାଇନ ଡେ
ଭାଲେଣ୍ଟାଇନ ଡେ


ସେଦିନ ରତ୍ନା ମନେ ମନେ ଖୁବ୍ ବିରକ୍ତ ହେଉଥିଲା ନିରଜ ଙ୍କ ଉପରେ। ନିଜର କର୍ମ ବହୁଳ ଜୀବନରେ କେଇଟା ମୁହୂର୍ତ୍ତ ମଧ୍ୟ ପରିବାର ପାଇଁ ବାହାର କରିପାରନ୍ତିନି ଭାବି ଭାଗ୍ୟ କୁ ବି ନିନ୍ଦା କରିପକାଉଥିଲା। ଘରର ସବୁ କାମ ସାଙ୍ଗରେ ପୁଅର ପାଠ ପଢା ଠାରୁ ଆରମ୍ଭ କରି ,ଶାଶୁ ଶଶୁର ଙ୍କ ଦେଖାଶୁଣା ର ଦାୟିତ୍ୱ ମଧ୍ୟ ତାକୁଇ ତୁଲାଇବାକୁ ପଡେ। ଏସବୁ ଭିତରେ ଯେମିତି ବେଳେ ବେଳେ ଅଣନିଶ୍ଵାସି ହୋଇଯାଏ,ତଥାପି କର୍ତ୍ତବ୍ୟ ରେ ଅବହେଳା କରିପାରେନି! କେବଳ ସାମାନ୍ୟ ଅଭିଯୋଗ ଓ ଅଭିମାନ ରେ ସବୁକିଛି ରହିଯାଏ।
ନିଜକୁ ଯେତେ ବୁଝାଇଲେ ମଧ୍ୟ, ବେଳେ ବେଳେ ସାଙ୍ଗ ସାଥୀ ମାନଙ୍କ ଦୃଶ୍ୟମାନ ଜୀବନଶୈଳୀ ତା' ମନ ଟା କୁ କେମିତି ବ୍ୟସ୍ତ କରି ପକାଏ। ସେଦିନ ସେମିତି ଫାଲ୍ଗୁନୀ ଅଚାନକ ତା'ଘର କୁ ଚାଲିଆସି ନିଜର ହସଖୁସୀ ର ଜୀବନ ବିଷୟରେ ଗପୁ ଗପୁ ତା'କୁ ନିମନ୍ତ୍ରଣ ମଧ୍ୟ କରିଦେଇଥିଲା,ଭାଲେଣ୍ଟାଇନ ଡେ ଦିନ ତା'ଘରକୁ ଯିବାକୁ। ସବୁଥରକ ପରି ସେବର୍ଷ ସେମାନେ ବାହାରକୁ ନ ଯାଇ ,ଘରେ ଛୋଟିଆ ପାର୍ଟି ଟିଏ ରଖିଛନ୍ତି ବୋଲି ଜଣାଇଥିଲା। ରତ୍ନା ଯଦିଓ ଜାଣିଥିଲା, ନିରଜ ଙ୍କ ର ସମୟ କେବେ ହୋଇପାରିବନି,ସେଦିନ ୱାର୍କିଂ ଡେ ଥିବାରୁ, ତଥାପି ସମ୍ମତି ଜଣାଇଦେଇଥିଲା। ଅଳ୍ପ କେତେଜଣ କ୍ଲୋଜ ବାନ୍ଧବୀ ମାନଙ୍କୁ ଡାକି ସନ୍ଧ୍ୟାରେ ସାମାନ୍ୟ ଜଳଯୋଗ ର ଆୟୋଜନ କରିଥିଲା ଫାଲ୍ଗୁନୀ। ପରେ ନିରଜ ଙ୍କ ର ସମ୍ମତି ଟା ମଧ୍ୟ ଖୁବ୍ ସହଜରେ ମିଳିଯାଇଥିଲା,ଯଦିଓ ତା ସାଙ୍ଗରେ ଛୋଟିଆ କ୍ଲଜ ଟିଏ ରହିଥିଲା ଯେ ଯଦି କୌଣସି ଅସୁବିଧା ବଶତଃ ସିଏ ଆସିପାରିବେନି,ତାହେଲେ ପୁଅ କୁ ନେଇ ରତ୍ନା ଯାଇପାରିବ,ଓ କାମ ସାରି ସିଏ ନିଶ୍ଚିତ ତାକୁ ନେଇଆସିବେ।
ବାହାଘର ର ଗୋଟିଏ ଦଶନ୍ଧି କଟି ଯାଇଥିଲେ ମଧ୍ୟ ଭାଲେଣ୍ଟାଇନ୍ ଡେ ରେ କୌଣସି ବର୍ଷ କିଛି ବି ସ୍ପେସିଆଲ କରିପାରେନି ରତ୍ନା, କାରଣ ସେହିଦିନଟି ତା' ଶାଶୁ ଶଶୁର ଙ୍କ ର ବିବାହ ବାର୍ଷିକ ଥାଏ,ଯୋଉଥିପାଇଁ ତା'କୁ ସେମାନଙ୍କ ର ପସନ୍ଦ ନା ପସନ୍ଦ କୁ ଆଖିରେ ରଖି ଦିନଟିକୁ କଟାଇବାକୁ ପଡେ,କାରଣ ବହୁ ବର୍ଷ ପରେ ନିରଜ ସେମାନଙ୍କ କୋଳ କୁ ଆସିଥିବା କଥା ଟା ତା'ମନରେ ସବୁବେଳେ ରହି ଥାଏ। ଯଦିଓ ,ପ୍ରତ୍ୟେକ ବର୍ଷ ସେଇଦିନ ଟିରେ ଶାଶୁ ଶଶୁର ଦୁହେଁ କିଛି ଘଣ୍ଟା ପାଇଁ ବାହାରକୁ ଚାଲି ଯାଆନ୍ତି ,ମନ୍ଦିର ରେ କଟାନ୍ତି ବୋଲି ସବୁଥରକ ଶୁଣେ। ଏତେ ସମୟ ମନ୍ଦିରରେ କ'ଣ କରନ୍ତି ବୋଲି ନିରଜ କେବେ ପ୍ରଶ୍ନ ଉଠନ୍ତି ନି। ତା'ର ମନ ଭିତରେ କିନ୍ତୁ ଅନେକ ପ୍ରଶ୍ନ ଉଙ୍କି ମାରିଲେ ମଧ୍ୟ ସାହସ କରିପାରେନି କେବେ ସେକଥା ଉଠାଇବାକୁ।
ସେଦିନ ବି ସବୁବର୍ଷ ପରି ରତ୍ନା ଶାଶୁ ଶଶୁର ଙ୍କ ରୁଚି ଅନୁଯାୟୀ ସବୁ ରନ୍ଧା ବଢା କରିସାରି ଅତି ଆଗ୍ରହ ରେ ନିରଜ ଙ୍କ ଆସିବା ବାଟକୁ ଅନାଇ ରହିଥିଲା। ପୁଅ ସ୍କୁଲ ରୁ ଆସିଲା ପରେ ,ତିନିଜଣ ଯାକ ଫାଲ୍ଗୁନୀ ର ଘରକୁ ଅଳ୍ପ ସମୟ ପାଇଁ ହେଉ ପଛକେ ,ଯାଇ ବୁଲିଆସିବାର ଇଛା ଟା ପ୍ରବଳଥିଲା,ହେଲେ,ନିରାଶ ହୋଇ ,କେବଳ ପୁଅ କୁ ନେଇ ଚାଲି ଯାଇଥିଲା । ଅନ୍ୟମାନେ ଆସିବା ପୂର୍ବରୁ ପହଞ୍ଚି ଯାଇଥିବାରୁ କଥୋପକଥନ ରେ ଜାଣିବାକୁ ପାଇ ଥିଲା ଯେ, ଫାଲ୍ଗୁନୀ ତା'ଶାଶୁ ଶଶୁର ଙ୍କୁ ତା'ଘର ପାଖରେ ଥିବା ଆନାଥ ଆଶ୍ରମ କୁ ଯିବାର ଦେଖିଥିଲା ବୋଲି। ଯେତିକି ଆଶ୍ଚର୍ଯ୍ୟ ହୋଇଥିଲା, ତା'ଠାରୁ ଅଧିକ କୌତୁହଳି ହୋଇଯାଇଥିଲା,କାରଣ ଅନାଥାଶ୍ରମ କଥା କେବେହେଲେ ସେମାନଙ୍କ ମୁହଁ ରୁ ଶୁଣି ନ ଥିଲା! ତା'ଛଡା ନିରଜ ଯଦି କେବେ କୌଣସି ଅନାଥ ଆଶ୍ରମ ବିଷୟରେ ସାମାନ୍ୟ ଆଲୋଚନା କରନ୍ତି, ଉଭୟ ଶାଶୁ ଶଶୁର ଯେମିତି କଥା ଟାକୁ ଆଡେଇ ଦେଇ ବିରକ୍ତ ହୋଇ ଉଠନ୍ତି! ସେଥିପାଇଁ ରତ୍ନା ର ମନରେ ସେମାନଙ୍କ ପ୍ରତି ଥିବା ଆଦର ସମ୍ମାନ ରେ ଯେମିତି ଟିକେ ଭଟ୍ଟା ପଡ଼ିଯାଏ। ଅନାଥ ପିଲା ଗୁଡିକ ଙ୍କ ପ୍ରତି ନିରଜ ଓ ତା'ର ଭାବା ବେଗ ଯେ ସମ୍ପୁର୍ଣ୍ଣ ଭିନ୍ନ ବୋଲି ଭାବିନିଏ! ମନ୍ଦିରରେ ଅଜଣା ଭିକାରୀ ମାନଙ୍କୁ ଦାନ କରୁଥିବା ମଣିଷ ଦୁଇଟି କେମିତି ଏତେ ନିଷ୍ଠୁର ସେଇ ଅନାଥ ପିଲା ଗୁଡିକ ଙ୍କ ଉପରେ ହୋଇ ପାରନ୍ତି,ତା'ମନରେ ବାରମ୍ବାର ପ୍ରଶ୍ନ ଉଠେ!
ସେଦିନ ଫାଲ୍ଗୁନୀ ର ପାର୍ଟି ଟି ଥିଲା, ସାମାନ୍ୟ ନିଆରା,ତା'କ୍ଲବ ବାନ୍ଧବୀ କେତେଜଣ ଙ୍କ ଅନୁରୋଧ ରେ ସାମାନ୍ୟ ଜଳଯୋଗ ପରେ ସେଇ ଅନାଥାଶ୍ରମ ରେ ମିଠା ଓ ଫୁଲ ବାଣ୍ଟିବାର କାର୍ଯ୍ୟକ୍ରମ ଟା ରଖିଥିଲା। ନିର୍ଦ୍ଦିଷ୍ଟ ସମୟ ରେ ମଧ୍ୟ ସମସ୍ତେ ଫୁଲ ଓ ମିଠା ପ୍ୟାକେଟ ଧରି ଅନାଥ ଆଶ୍ରମ ଟିକୁ କୋଳାହଳ ମୟ କରିଦେଇଥିଲେ। ବୃଦ୍ଧାଶ୍ରମ ର କେତୋଟି ବୃଦ୍ଧ ଓ ବୃଦ୍ଧା ଙ୍କ ଉପସ୍ଥିତି ମଧ୍ୟ ସେଇ ଅନାଥ ଆଶ୍ରମ ର ଶୋଭା ସେଦିନ ବଢ଼ାଇ ଦେଇଥିଲା। ସେମାନଙ୍କ ଗହଣ ରେ ଫୁଲତୋଡା ଧରି ଫୋଟୋ ଉଠାଇ ,ଫାଲ୍ଗୁନୀ ଓ ତା'ବାନ୍ଧବୀ ମାନେ ଆସର ମଧ୍ୟ ବେସ୍ ଭଲ ଭାବରେ ଜମାଇ ଦେଇଥିଲେ। ଫୋଟୋ ଉଠା ହଉ ହଉ ,ଫେସବୁକ ଓ ହ୍ଵାଟ୍ସଆପ ରେ ମଧ୍ୟ ଅପଲୋଡ଼ ହୋଇ ଯାଉଥିଲା, ବଡ଼ ବଡ଼ କ୍ୟାପସନ ରେ"ନିଆରା ଭାଲେଣ୍ଟାଇନ ଡେ"। ରତ୍ନା ର କୌତୁହଳି ଆଖି ଦୁଇଟା କିନ୍ତୁ ,ସେସବୁ କୁ ପଛରେ ପକାଇ କ'ଣ ଯେମିତି ଖୋଜି ବୁଲୁଥିଲା! ସୁଯୋଗ ଦେଖି ସେଠିକାର ଜଣେ ଅଳ୍ପ ବୟସ୍କ କର୍ମଚାରୀ ଙ୍କୁ,ନିଜର ପରିଚୟ ନ ଦେଇ,ତା' ଶାଶୁ ଶଶୁରଙ୍କ ର ସେଠାକୁ ଯିବା ବିଷୟରେ ପଚାରି ବୁଝିଦେଇଥିଲା। ଆଉ ଯେତେବେଳେ ସବୁ ଶୁଣି ଦେଇଥିଲା,ଥକ୍କା ହୋଇ କିଛି ସମୟ ବସିପଡିଥିଲା।
ଫାଲ୍ଗୁନୀ ର ବାନ୍ଧବୀ ମାନଙ୍କୁ ନେଇ ଫୋଟୋ ଉଠା ପର୍ବ ସରୁ ସରୁ,ରତ୍ନା ଉପରେ ଆଖି ଅଟକି ଯାଇ ଥିଲା, ଯେତେବେଳେ ତାକୁ ଗୁମସୁମ ହୋଇ ଅନ୍ୟମନସ୍କ ହୋଇଥିବାର ଦେଖିଥିଲା। ତା'କାନ୍ଧ କୁ ହଲାଇ ଦେଇ କହିଉଠିଥିଲା–"ଆରେ ରତ୍ନା, ଏଞ୍ଜୟ ୟାର! ନିରଜ ଆସିଯିବେ,ଅପସେଟ ହୋ ନି। ନ ଆସିଲେ,ମୁଁ ନିଜେ ନେଇକି ଛାଡ଼ି ଦେଇ ଆସିବି। କୁଆଡେ ଏମିତି କିଛି ସମୟଗାୟବ ହେଇଯାଇଥିଲୁ ,ଗୋଟାଏ ବି ଫୋଟୋ ରେ ରହିନୁ!" ଏସବୁ କଥା ଯେମିତି ରତ୍ନା ର ମୁଣ୍ଡ ରେ ପସୁ ନଥିଲା। ତା'କାନରେ କେବଳ ବାଜୁଥିଲା ସେଇ କେତେପଦ କଥା–ମିଷ୍ଟର ମହାପାତ୍ର ଓ ତାଙ୍କ ସ୍ତ୍ରୀ ସେଇ ଅନାଥାଶ୍ରମ କୁ ଗତ କିଛି ବର୍ଷ ହେବ ଭାଲେଣ୍ଟାଇନ ଦିନ ଆସନ୍ତି କିଛି ଉପହାର ଓ ମନ୍ଦିର ଭୋଗ ଧରି,ତାଙ୍କ ପୁଅ କୁ ସେଦିନ ସେଇଠୁ ଆଡପ୍ଟ କରିନେଇଥିଲେ ବୋଲି! ଅବଶ୍ୟ ତା'ପୂର୍ବରୁ ପ୍ରତ୍ୟେକ ବର୍ଷ ତାଙ୍କ ତରଫ ରୁ ମିଠା ଓ ଗିଫ୍ଟ ର ପାର୍ସ ଲ ଟା ମିଳି ଯାଉଥିଲା, ଯେବେଠାରୁ ସେ ତାଙ୍କ ପୁଅ ଟିକୁ ନେଇଥିଲେ! ସେମାନେ ତାଙ୍କ ପୁଅ କୁ ନେଇଥିବା ଦିନଟି ସେଇଠି ପ୍ରତିବର୍ଷ ପାଳନ କରନ୍ତି,ହେଲେ ତାଙ୍କ ପୁଅ କି ବୋହୁ କୁ ନ ଜଣାଇବାକୁ ବାରମ୍ବାର ଅନୁରୋଧ କରିଥାନ୍ତି!
ସାମାନ୍ୟ ବିଳମ୍ବ ହୋଇଯାଇଥିଲେ ମଧ୍ୟ,ନିରଜ ଯାଇ ପହଞ୍ଚି ଯାଇଥିଲେ ଫାଲ୍ଗୁନୀ ର ଘରେ,ଯେତେବେଳକୁ ସେମାନେ ଅନାଥାଶ୍ରମ ରୁ ଫେରି ଆସିଥିଲେ । ଫାଲ୍ଗୁନୀ ପାଖରୁ କ୍ଷମା ମାଗିନେଇ ,ବାଟ ସାରା ରତ୍ନା କୁ ଖୁସି କରିବା କୁ ନିରଜ ଲାଗିପଡିଥିଲେ। ରତ୍ନା ମୁଣ୍ଡରେ କିନ୍ତୁ ସେସବୁ କିଛି ପସୁ ନ ଥିଲା,ନିଜ ଭାବନା ରାଜ୍ୟ ରେ ବୁଡିଯାଇଥିଲା! ନିଜ ଭିତରେ ରହିଥିବା ଅନେକ ଵର୍ଷ ର ଜମାଟ ବନ୍ଧା ବିରକ୍ତି ଓ ଅଭିମାନ ଟା ଯେମିତି ଧୀରେ ଧୀରେ ମିଳେଇ ଯାଉଥିଲା! ଶାଶୁ ଶଶୁରଙ୍କ ଉପରେ ଉଠୁଥିବା ଅନେକ ପ୍ରଶ୍ନ ର ଉତ୍ତର ସେଦିନ ହୁଏତ ତା କୁ ମିଳିଯାଇଥିଲା! ସେତିକିବେଳେ ନିରଜ ଙ୍କ ର ପ୍ରସ୍ତାବ ଟା-ରାତିରେ ରୋଷେଇ ନ କରି,ବାହାରୁ କିଛି ରତ୍ନା ର ମନ ପସନ୍ଦ ଖାଦ୍ୟ ହୋଟେଲ ରୁ କିଣିନେବା କଥାଟା କୁ ରତ୍ନା କାଟିଦେଇ କହିଦେଇଥିଲା-ନାଇଁ, ବାଟରେ କୋଉଠି ଭଲ ଛତୁ ମିଳିବ,ଦେଖ,ବାପା ବୋଉ ଙ୍କୁ ବହୁତ ଭଲ ଲାଗେ,ବେସି ଡେରି ହୋଇନି,ଗଲେ ମୁଁ ସଙ୍ଗେ ସଙ୍ଗେ କରିଦେବି।
ଏତକ କଥାରେ ନିରଜ ର ଆଶ୍ଚର୍ଯ୍ୟ ଚକିତ ଆଖି ଦୁଇଟି ଉଠି ଯାଇ ଥିଲା ରତ୍ନା ର ମୁହଁ ଉପରକୁ,କାନ କୁ ବିଶ୍ଵାସ କରିପାରୁନଥିଲା! ଯଦିଓ ରତ୍ନା କେବେ ମୁହଁ ଖୋଲି ତା',ବିରକ୍ତି ଟା ପ୍ରକାଶ କରି ନ ଥିଲା ଶାଶୁ ଶଶୁର ଙ୍କ ପାଇଁ କୌଣସି କାମ କରିବା କୁ,ହେଲେ ଯନ୍ତ୍ର ଚାଳିତ ପରି ଯେମିତି ସବୁ କର୍ତ୍ତବ୍ୟ ଦୃଷ୍ଟି ରୁ କରିଚାଲେ ବୋଲି ନିରଜ ଅନୁଭବ କରିପାରିଲେ ମଧ୍ୟ କିଛି କହିପାରନ୍ତି ନାହିଁ। ନିଜେ ରତ୍ନା କୁ ସମୟ ଟିକେ ଦେଇ ନ ପାରିବାର କ୍ଷୋଭ ଟା ଯେମିତି ତାଙ୍କ ପାଟିରେ ତାଲା ପକାଇ ଦିଏ! ଆଉ ସେଇ ଭାଲେଣ୍ଟାଇନ ଡେ ଟା ଯେ ସେମାନେ କେବେହେଲେ ବାହାରକୁ ଯାଇ ସମୟ କଟାଇ ପାରନ୍ତିନି ବୋଲି ଅକୁହା ଅଭିଯୋଗ ଗୁଡାକ ରତ୍ନା ର ଆଖିରେ କେବଳ ଦେଖି ପାରନ୍ତି। ହେଲେ ସେଦିନ, ପ୍ରଥମ ଥର ପାଇଁ ତାଙ୍କୁ ରତ୍ନା ର ଆଖିରେ କୌଣସି ଅଭିଯୋଗ ଦେଖାଯାଇ ନ ଥିଲା,ବରଂ କଥାରେ ତାର ଶାଶୁ ଶଶୁରଙ୍କ ପ୍ରତି ଆତ୍ମୀୟତା ର ସ୍ପର୍ଶ ଯେମିତି ଅନୁଭବ କରିପାରିଥିଲେ