STORYMIRROR

Kulamani Sarangi

Classics

4  

Kulamani Sarangi

Classics

ଭାଇଚାରାର ମହାନ ବାର୍ତ୍ତା ବାହୁଡ଼ା ଯାତ୍ରା

ଭାଇଚାରାର ମହାନ ବାର୍ତ୍ତା ବାହୁଡ଼ା ଯାତ୍ରା

2 mins
4


କାଳେ କାଳେ ମହାଜନମାନେ ଜଗନ୍ନାଥଙ୍କୁ "ପୁରୁଷୋତ୍ତମ" ବୋଲି କହିଛନ୍ତି;ଅର୍ଥାତ୍ ସେ ଶ୍ରେଷ୍ଠ ପୁରୁଷ ଏବଂ ନିଜ କର୍ମ ମାଧ୍ୟମରେ ଜଗତକୁ ଶ୍ରେଷ୍ଠ ଶିକ୍ଷା ଦିଅନ୍ତି। ଘୋଷଯାତ୍ରା ମାଧ୍ୟମରେ ସେ ଜଣାଇଦିଅନ୍ତି ଯେ "ଜନନୀ ଜନ୍ମଭୂମି ଶ୍ଚ ସ୍ବର୍ଗାଦପି ଗରୀୟସୀ।"ଯେଉଁ 'ଜନ୍ମବେଦୀ' ବା 'ଅନ୍ତର୍ବେଦୀ' ବା "ଯଜ୍ଞବେଦୀ"ଠାରେ ଦାରୁମଧ୍ୟରୁ ତାଙ୍କର ଉତ୍ପତ୍ତି ସେ ସ୍ଥାନକୁ ଅନ୍ତତଃ ବର୍ଷରେ ଥରେ ଆସି ଜନସମାଜକୁ ବାର୍ତ୍ତା ଦିଅନ୍ତି....

ଆରେ ! ପୃଥିବୀର ଯେଉଁଠାରେ ବି ଥାଅ, ମାଟି ମାଆକୁ ଭୁଲି ଯାଅନାହିଁ ;ବର୍ଷକରେ ଅନ୍ତତଃ ଥରେ ଆସି ଜନ୍ମମାଟିକୁ ଦେଖିଯାଅ।ଯେଉଁଠାରେ ତୁମର ଜନନୀ ଦଶମାସ ଦଶଦିନ ଗର୍ଭରେ ଧରି ତୁମକୁ ଭୂମିଷ୍ଠ କରିଥିଲା ସେ ସ୍ଥାନ କଣ ତୁମର ମନେପଡୁ ନାହିଁ? ଟିକିଏ ମାଟିମନସ୍କ ହୁଅ।"


ଖାଲି ସେତିକି ନୁହେଁ, ଯେଉଁମାନେ ତୁମକୁ ଭଲ ପାଆନ୍ତି, ଭକ୍ତି କରନ୍ତି,ସ୍ନେହ ଓ ପ୍ରେମ କରନ୍ତି,ସେମାନଙ୍କୁ କ୍ଷମତା ଲୋଭରେ ଭୁଲି ଯାଅନାହିଁ;ରାଜକୀୟ ଐଶ୍ୱର୍ଯ୍ୟ ଭୋଗ କରୁଥିଲେ ମଧ୍ୟ, ରାଜଗାଦି ତ୍ୟାଗକରି,ଦୁଇଚାରିଦିନ ପାଇଁ ସେମାନଙ୍କ ମେଳକୁ ଚାଲିଆସ।ବାହୁ ପ୍ରସାରିତ କରି ସେମାନଙ୍କୁ କୋଳେଇ ନିଅ, ସେମାନଙ୍କ ସୁଖ ଦୁଃଖରେ ଭାଗିହୁଅ।"


ଏପରି ଭାଇଚାରା ପ୍ରସାରିତ କରୁଥିବା ଠାକୁର ଅନ୍ୟ କେଉଁଠି ଅଛନ୍ତି ! ଜାତି ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ତାଙ୍କରି ଭକ୍ତ। କିଛି ନିୟମ ଯୋଗୁଁ ଅଣହିନ୍ଦୁ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ପାରନ୍ତି ନାହିଁ।ସେମାନେ ତ ପୁଣି ଜଗତ ଠାକୁରଙ୍କୁ ନିକଟରୁ ଦେଖିବାକୁ ଚାହିଁବେ; ସେଥିପାଇଁ ବଡ଼ ଦାଣ୍ଡକୁ ଓହ୍ଲାଇ ଆସନ୍ତି ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଦେଖିବା ପାଇଁ। ପୃଥିବୀରେ କେଉଁଠାରେ ଏପରି ଠାକୁର ଅଛନ୍ତି ଯିଏ ଭକ୍ତଙ୍କୁ ଦର୍ଶନ କରିବାପାଇଁ ଉଦ୍ବିଘ୍ନ ! ସେଥିପାଇଁ ପରା କବି ଲେଖିଛନ୍ତି..

"ସେ ତ ଭକତ ଭାବରେ ବନ୍ଧା ରେ ସେତ ଭକ୍ତ ଜୀବନ ଧନ/

ତୁ ତାକୁ ଖୋଜିଲେ ସେ ତୋତେ ଖୋଜଇ,ତୁ ଉଣା କରନାହିଁ ମନ।"

ବାହୁ ପ୍ରସାରିତ କରି ତିନି ଠାକୁରେ ଭକ୍ତକୁ କୋଳେଇ ନେବାପାଇଁ ଆଜି ବଡ଼ ଦାଣ୍ଡରେ ଉଭା। ଗଜପତି ଯୋଡହସ୍ତରେ ଛେରାପହଁରା ଧରି ରଥ ଉପରେ ଠିଆ ହୋଇଛନ୍ତି; ଜଗତକୁ ମହାଶିକ୍ଷା ଦେଉଛନ୍ତି ପ୍ରଭୁ... ସମାଜରେ କେହି ବଡ ବା ସାନ ନୁହଁନ୍ତି;ନରମାନଙ୍କ ମଧ୍ୟରେ ଶ୍ରେଷ୍ଠ ଯେଉଁ ରାଜା,ସେ ମଧ୍ୟ ପୁରୁଷୋତ୍ତମଙ୍କ ଦାସ।


ବାହୁଡ଼ା ଯାତ୍ରା ସମୟ ଉପସ୍ଥିତ; ଜନ୍ମଭୂମିରୁ କର୍ମଭୂମିକୁ ଫେରିଯାଇ କର୍ତ୍ତବ୍ୟକର୍ମ ପାଳନ କରିବା ପାଇଁ ଏହା ଜଗତକୁ ନିର୍ଦ୍ଦେଶ। ଶ୍ରୀମଦ୍ଭଗବଦ୍ ଗୀତାରେ ପ୍ରଭୁ କହିଛନ୍ତି..ତୁମର ପଦପଦବୀ ଏବଂ ତତ୍'ଜନିତ ଅଧିକାର ସବୁ ଦେବଦତ୍ତ।ସମାଜର ମଙ୍ଗଳ ପାଇଁ ସେହି ପଦପଦବୀ ଉଦ୍ଦିଷ୍ଟ। ତାହା କର୍ତ୍ତବ୍ୟ ଭାବରେ ସମାଜର ମଙ୍ଗଳ ପାଇଁ ପାଳନ ନକରି ଦୁରୁପଯୋଗ କଲେ ତାହା ଚୌର୍ଯ୍ୟ ବୃତ୍ତି ସହିତ ସମାନ।"ତେଣୁ ହେ ମନୁଷ୍ୟ ! ଅବକାଶ ତ ଶେଷ ହେଲା,ଏବେ କର୍ମକ୍ଷେତ୍ରକୁ ବାହୁଡ଼ି ଯାଇ ସମାଜର ମଙ୍ଗଳ ପାଇଁ କର୍ତ୍ତବ୍ୟକର୍ମ ସମ୍ପାଦନ କର; ସମାଜକୁ ବାହୁଡ଼ା ଯାତ୍ରାର ଏହା ମହାନ ବାର୍ତ୍ତା।


ଫେରିବାବେଳେ ମାଉସୀ ମା'ଙ୍କ ମନ୍ଦିର ପାଖରେ ଅଟକି ଯାଏ ଜୀଉମାନଙ୍କ ରଥ। ଜଗନ୍ନାଥଙ୍କର ମାଉସୀ ମନେ ପଡ଼ନ୍ତି।ମନେପଡେ ମାଉସୀ ମା'ଙ୍କ ‌ହାତ ତିଆରି ସୁଆଦିଆ ପୋଡପିଠା। ମାଉସୀଙ୍କ ସହିତ ସୁଖଦୁଃଖ ହୋଇ,ଭଲ ମନ୍ଦ ପଚାରିବା ପରେ ଜୀଉମାନଙ୍କ ରଥ ଆଗେଇ ଚାଲେ। ସମାଜକୁ କି ମହାନ୍ ବାର୍ତ୍ତା ସତେ ! ଯେତେ ବଡ ହୁଅ ପଛେ, ନିଜର ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବଙ୍କୁ ଭୁଲି ଯାଅନାହିଁ।ସେମାନେ ପରିବାରର ଅଂଶ। ପାରସ୍ପରିକ ସଦ୍ଭାବରେ ପାରିବାରିକ ଜୀବନ ପୁଷ୍କଳ ହୁଏ; ସୁସମ୍ପର୍କ ମନକୁ ନିର୍ମଳ କରେ; ମାନସିକ ସଂକୀର୍ଣ୍ଣତାର ସୀମିତ ପୁଷ୍କରିଣୀ ବିସ୍ତୀର୍ଣ୍ଣ ଭାବନା ନେଇ ମହାସମୁଦ୍ରରେ ପରିଣତ ହୁଏ।


ନନ୍ଦିଘୋଷ ରଥକୁ ପ୍ରହାର କରି, କ୍ରୋଧ ଓ ଅଭିମାନରେ ଲକ୍ଷ୍ମୀଠାକୁରାଣୀ ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି। ଜଗନ୍ନାଥ ଜାଣନ୍ତି ଏ କ୍ରୋଧ କ୍ଷଣସ୍ଥାୟୀ।ଦି'ପଦ ପ୍ରେମାଳାପ ସହିତ ଲକ୍ଷ୍ମୀଙ୍କୁ କିଛି ରସଗୋଲା ଖୁଆଇ ତାଙ୍କ ଅଭିମାନ ଦୂର କରିପାରିବେ ବୋଲି ଜଗନ୍ନାଥ ସ୍ଥିରନିଶ୍ଚିତ। ତେଣୁ ଭକ୍ତ ବତ୍ସଳ ଭକ୍ତଙ୍କ ମେଳରେ ଆଉ ଗୋଟିଏ ଦିନ ଅଧିକ ରହି , ସୁନାବେଶରେ ଭକ୍ତଙ୍କ ମନ ପ୍ରଫୁଲ୍ଲିତ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି।

ଅନନ୍ୟ ଆମର ଠାକୁର,ଅନନ୍ୟ ତାଙ୍କ ଘୋଷଯାତ୍ରା


Rate this content
Log in

Similar oriya story from Classics