ଭାଗ୍ୟବତୀ ଲୁସି
ଭାଗ୍ୟବତୀ ଲୁସି
ମାଧପୁର ଗାଁ ସକାଳୁ ସକାଳୁ କାନ୍ଦ ବୋବାଳିରେ ଫାଟି ପଡୁଥାଏ । ଆଗ ପାଖ ଗାଁ ଲୋକଙ୍କ ମଧ୍ୟ ଭିଡ ଅସଂଖ୍ୟ ଜମିଥାଏ। ସଭିଏଁ ଚାହୁଁଥିଲି ଶେଷ ଦର୍ଶନଟିଏ ପାଇବା ପାଇଁ । ପୂର୍ବ ଦିନ ତାକୁ ସଭିଏଁ ଦେଖିଥିଲେ ବେଲେ ଆଜି ତାକୁ ଦେଖିବାକୁ ଆହୁରି ମନ ହୋଇଯାଏ । ତେଣୁ ତ ଲୁସିର ମୃତ ଶରୀରକୁ ଘେରି ଘନ ଘନ ଲୋକଙ୍କ ଆତଯାତ ଚାଲିଥାଏ ।
ଲୁସି । ବାପାଙ୍କ ସବା ସାନ ଝିଅ । ଅଳି ଅଳିରେ ଭାରି ଗେହ୍ଲି ସେ । ମାଙ୍କ ସେ ସବୁ ସୁଖ ଦୁଃଖର ସାଥି । ଦୁଇ ଦିଦିଙ୍କ ବାହାଘର ଘରେ ସେ ଏକା ବାପା ମାଙ୍କ ପାଖେ ରଖି ଦୁହିଁଙ୍କ ଅନୁପସ୍ଥିତିକୁ ପୂର୍ଣ୍ଣ କରିଦେଉଥିଲା । କେବଳ ଏତିକି ନୁହେଁ ଗରିବ ଘର ବୋଲି ଦୁଇ ଦୁଇ ବାହାଘରକୁ ମୁଣ୍ଡେରେ ଘରେ ଆଉ କିଛି ନଥାଏ । ହେଲେ ଲୁସିର ସାହାସିକତା ଏବଂ ଅଜସ୍ର ପରିଶ୍ରମ ଫଳରେ ସେମାନେ ପାଲଟି ଯାଇଥିଲେ ସେଠିକାର ଜଣେ ପ୍ରସିଦ୍ଧ ଜଳଖିଆ ବ୍ୟବସାୟୀ । କାହା ଭୋଜି ଭାତ ହେଉ କିମ୍ବା କୌଣସି ସ୍କୁଲ କଲେଜରେ କିଛି ଆଯୋଜନ ବେଳେ ଲୋଡା ପଡିଥାଏ ଲୁସିଙ୍କ ଦୋକାନର ସୁଆଦିଆ ଜଳଖିଆ ।
ସେଇ ଲୁସିର ପଡିଥିଲା ପବିତ୍ର ବନ୍ଧନ । ହାତକୁ ଦୁଇ ହାତ ହୋଇ ସେ ମଧ୍ୟ ପାଲଟି ଯାଇଥିଲା ସଧବା ନାରୀ । ହେଲେ ଭାଗ୍ୟର ବିଡମ୍ବନା ସେଇ ଶଙ୍ଖା ସିନ୍ଦୁରକୁ ନଜର ଲାଗିଗଲା ବିବାହ ବେଦୀରେ ବୋଧେ । ଯାହା ଫଳରେ ବିବାହ ପରେ ଶାଶୁଘରକୁ ଯିବାର ଅଧଘଣ୍ଟା ପୂର୍ବରୁ ହଠାତ୍ ଏକ ଭୟଙ୍କର ସର୍ପର ଦଂଶନରୁ ସ୍ବାମୀଙ୍କୁ ବଂଚେଇବା ପାଇଁ ଚେଷ୍ଟା କରି ନିଜେ ହାରିଦେଲା ଜୀବନ ।
ଲୁସିର ମୃତ ଶରୀରକୁ କୋଳରେ ଧରି ଯିଏ ଯେତେ ଉଠେଇବାକୁ କହିଲେ ମଧ୍ୟ ସେ ଆଉ ଉଠୁନଥାଏ । ମାଁ ଭଉଣୀଙ୍କ ଚେତା କେତେବେଳେ ଅଛି ତ ଆଉ କେତେବେଳେ ନଥାଏ । ବାପା କାଠ ପରି ପଡି ରହିଥାନ୍ତି ଲୁସି ଆଗେ । ଆଉ ସ୍ବାମୀ । ସ୍ବାମୀର ଆଖିରୁ ଝର ଝର ଝରୁଥାଏ ଲୁହ । ନିଜ ସ୍ତ୍ରୀକୁ ଧରି ଯିବା ବଦଳେଇ ସେ କେମିତି ସ୍ତ୍ରୀର ସ୍ମୃତିକୁ ନେଇ ଲେଉଟି ଯିବ ଭାବିପାରୁ ନଥାଏ ।
ମାଧପୁର ଗାଁରେ ଅକାଳ ପଡିଯାଏ । ଏତେ ବଡ ଘଟଣା ଘଟିଯିବା ପରେ ଲୋକଙ୍କ ଘରେ ଘରେ ଯେମିତି ମାତିଯାଏ ଦରଦ । ଲୁସି ପାଇଁ ସମଗ୍ର ଲୋକଙ୍କ ଲୁହ ବୋଲ ନମାନି ଗଡୁଥାଏ । ଏଇ ଭିତରେ ଗୀତା ମା ବଡ ଦମ୍ଭର ସହ ଆସି ଲୁସିକୁ ଦିଏ ଲାଲ ରଂଗରେ ଝଲସି ପଡୁଥିବା ସମ୍ବଲପୁରୀ ଶାଢୀ । ବାକି ସବୁ ତ ସେଇ ବୋହୂ ବେଶରେ ଥାଏ ବୋଲି ଆଉ ଡେରି ନକରି ଡାକ ଦିଏ ଗାଁ ଭାଇଙ୍କୁ । ଭାରି କଷ୍ଟରେ ମାର ପଣତରୁ ଝିଅକୁ ଝାମ୍ପିନେଇ ନିଆଯାଏ ଶେଷ ଯାତ୍ରା ଅଭିମୁଖେ ।
ସଭିଙ୍କ ମତରେ କେବଳ ଗୋଟେ କଥା -" ସତେ ଯେମିତି ଲୁସି ଅପେକ୍ଷା କରିଥିଲା ସ୍ବାମୀଙ୍କୁ । ସେ ଆସି ତାକୁ ଷୋହଳ ଶୃଙ୍ଗାରର ଅଧିକାରୀ କଲା ପରେ ସେ ହସି ହସି ଚାଲିଗଲା ଅଫେରା ରାଇଜକୁ । ସଧବା ନାରୀ ଲୁସି ଖୁବ୍ ଭାଗ୍ୟବତୀ ।"
