Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Lopamudra Mishra

Thriller Others


3  

Lopamudra Mishra

Thriller Others


ଭାଗାବାଡି

ଭାଗାବାଡି

13 mins 283 13 mins 283

ଖରାଦିନ ଛୁଟିଟା ରଜ ପରେ ପରେ ଚଟ୍ କରି ସରିଯିବା ପରି ମୋ ଜୀବନରୁ ଘଟଣା ବହୁଳ ସୁନ୍ଦର ପିଲାଦିନଟା ହଠାତ ସରିଗଲା l ମୁଁ ଗାଁ ଛାଡ଼ିଲି ଓ ପିଲାଦିନକୁ ବି ସେଇଠି ଛାଡ଼ିଆସିଲି l ମୁଁ ମୋ ବାଲ୍ୟକାଳକୁ ଝୁରିହୁଏ ପ୍ରତ୍ୟେକ ଦିନ, ମାସ ଓ ଋତୁରେ l ସେ କିନ୍ତୁ ଅଛି, କୁଆଡେ ଯାଇନାହିଁ, ମୋରି ଗାଁରେ ଲୁଚିଯାଇଛି l ମୋ ଗାଁର ପାଣି, ପବନ ଓ ମାଟିରେ ତାର ସତ୍ତା ମିଶିଯାଇଛି l ମୋ ଶୈଶବ ମଧ୍ୟ ପାଲଟି ଯାଇଛି ଗାଁ ଇତିହାସର ଆଉ ଏକ କୁନି ସାକ୍ଷୀ l ମୁଁ ତାକୁ ସେହି ମାଟିରେ ଅନୁଭବ କରିପାରେ l ସେଇଠୁ ମୁଁ ସେହି କ୍ଷୁଦ୍ର ନିରୀହ ଚପଳ ଦିନଗୁଡିକୁ ଅଲଗା କରି ଆଣି ଠିକ ମୋ ଆଖି ସାମ୍ନାରେ ଚିତ୍ରଟେ ପରି ଦେଖିପାରେ l


ପିଲାଦିନେ ଗ୍ରୀଷ୍ମ ବୋଧେ ମୋର ପ୍ରିୟ ଋତୁ ଥିଲା l ଜାଣେନା ପ୍ରିୟ ଥିଲା କି ନାହିଁ, କିନ୍ତୁ ମୁଁ ତାର ଆଗମନକୁ ଚାତକ ପରି ଚାହିଁରହିଥିଲି l ପରୀକ୍ଷାର ବୋଝ ଓଲ୍ହେଇ ଯାଇଥିବ, ସ୍କୁଲରେ ଖରାଛୁଟି ଦିଆଯାଇଥିବ କିମ୍ବା ସକାଳୁଆ ହେଇଯାଇଥିବ, ମାମୁଁ ଘରକୁ ବୁଲିବାକୁ ଯିବାର ଥିବ ଏମିତି ଆହୁରି ଅନେକ ଖୁସି ମୋତେ ଆଣିଦିଏ ମୋ ପ୍ରିୟ ଖରାଦିନ l

ଖରାଦିନ ଆସିଲେ ପିଲାଦିନେ ଆମର ଆଉ ଗୋଟେ ଜାଗା ସହ ସମ୍ପର୍କଟା ଖୁବ ନିବିଡ ହେଇଯାଏ l ସେହିଟି ହେଲା ଆମ ଗାଁ 'ଭାଗାବାଡି' l ଆମେ ସେବେ ଜାଣିନଥିଲୁ କିଏ ସେ 'ଭାଗା' ଯାହାର ଏତେ ବଡ଼ ବାଡ଼ି ଓ ଏତେ ରକମର ଆମ୍ବଗଛ ଅଛି l ଖାଲି ଆମ୍ବ ନୁହେଁ ସେହି ବିରାଟ ବାଡ଼ିଟି ଥିଲା ଆମ୍ବ, ପଣସ, ତେନ୍ତୁଳି, ଜାମ୍ମୁ ଓ ବାଉଁଶ ଗଛର ବୁଦାରେ ଭରପୁର ଏକ ମନଲୋଭା ସୁନ୍ଦର ସ୍ଥାନ l କୌଣସି ପ୍ରକାର ଧଡ଼ା, ବାଡ଼ି ଓ ପାଚେରୀ ଘେରାଉ ହେଇନଥିବା ସେହି ବୃକ୍ଷମୟ ଅଞ୍ଚଳକୁ ସଭିଙ୍କର ଅବାଧ ପ୍ରବେଶ ଥିଲା l

ଖରାବେଳେ ଘରେ ସମସ୍ତେ ଶୋଇପଡ଼ିଲା ପରେ ଆମେ ପିଲାମାନେ ଚୁପଚାପ ଉଠିଯାଇ ନିଜ ନିଜ ଘର ବାଡ଼ି କବାଟ ଧୀରେ ଧୀରେ ଖୋଲି ଭାଗାବାଡ଼ିରେ ମେଳି କରୁ l ମେଞ୍ଚାଏ ଆମ୍ବ କଷି ଛିଡେଇ ଅଣ୍ଟା ଭର୍ତ୍ତି କରିବାରେ ଯେଉଁ ଆନନ୍ଦ ସେବେ ଥିଲା ଆଜି ପୁଳାଏ ଟଙ୍କାର ମୋଟା ମୋଟା ବିଡ଼ା ମଧ୍ୟ ସେ ଖୁସି ସହ ସମାନ ହେବ ନାହିଁ l

ଭାଗାବାଡ଼ିରେ ଆମ୍ବକଷି ବଡ଼ ହୁଏ l କୋଉ ଗଛର ଆମ୍ବ ଖଟା, କୋଉ ଗଛ ଆମ୍ବ ମିଠା, କୋଉ ଆମ୍ବ କଞ୍ଚା ବେଳେ ସ୍ୱାଦିଷ୍ଟ ସେ ସବୁର ଠିକଣା ଆମ ପାଖରେ ଥାଏ l

ଭାଗାବାଡିର ଅନେକ ଗୁଡ଼ିଏ ଜାଗା ଥିଲା ଆମର ସ୍ଥାୟୀ ଖେଳଘର l ଯେଉଁ ଯେଉଁ ଜାଗାରେ ବାଉଁଶ ବୁଦା କଟାଯାଇ ଥୁଣ୍ଟା କରାଯାଇଥାଏ ଓ ପାଖା ପାଖି ଦୁଇ ତିନୋଟି ଛୋଟ ଅଥଚ ମୋଟା ମୋଟା ଗଛ ଥାଏ ଆମେ ସେଇଠି ଆମ ଚିରାଚରିତ ବୋହୂ ବୋହୂକା ଖେଳ ଖେଳୁ l ଆମ ପରି ଛୋଟ ପିଲାଙ୍କୁ ଛୋଟ ଗଛ ଚଢିବାକୁ ସୁବିଧା ହେଉଥିବାରୁ ଆମେ ଛୋଟ ଓ ଟିକେ ତଳକୁ ନଇଁ ଆସିଥିବା ଗଛକୁ ବେଶି ପସନ୍ଦ କରୁଥିଲୁ l


ମୋର ସେହି କ୍ଷୁଦ୍ର ପିଲାଦିନଟିରେ ଭାଗାବାଡ଼ିରେ ବିତିଥିବା ଅସୁମାରୀ ସ୍ମୃତିକୁ ଟିକିନିଖି ବଖାଣିବାକୁ ଗଲେ ତ ଅନେକ ଗୁଡ଼ିଏ ବର୍ଷ ବିତିଯାଇପାରେ l ବାସ୍ତବିକ ସେ ସ୍ମୃତି ଅବର୍ଣ୍ଣନୀୟ l

ଆମେ ଅପେକ୍ଷାକୃତ ସାମାନ୍ୟ ବଡ଼ ହେଲା ପରେ ଭାଗାବାଡ଼ିର ପ୍ରକୃତ ମାଲିକ କିଏ ଜାଣିବାକୁ ଆଗ୍ରହ ପ୍ରକାଶ କଲୁ l ପ୍ରାୟ ଖରାଦିନିଆ ଅପରାହ୍ନରେ ଆମେ ଭାଗାବାଡ଼ିରେ ବସି ସେହି ଛାଇ ଛାଇଆ ସୁନ୍ଦର ବାଡ଼ିର ମାଲିକ 'ଭାଗା' ବିଷୟରେ ଅନେକ ଆଲୋଚନା କରୁ l ଆମେ କଳ୍ପନା ଚକ୍ଷୁରେ ବିରାଟ ଧନୀ 'ଭାଗା' ଓ ତାର ସ୍ଵଛଳ ପରିବାରର ସ୍ୱଚ୍ଛନ୍ଦ ଜୀବନଶୈଳୀକୁ ଦେଖୁ l ଆମେ ଭାବୁ 'ଭାଗା'ର ଗାଁ ବାହାରେ କୋଉ ଏକ ସୁନ୍ଦର ସହରରେ ନିଶ୍ଚୟ ବିଶାଳକାୟ ଏକ କୋଠାଘର ଥିବ, ବଡ଼ ବଡ଼ ଗାଡି ମଟର ଥିବ ଓ ପ୍ରତିପତି ସମ୍ପନ୍ନ ସହରୀ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସମସ୍ତ ଅତ୍ୟାଧୁନିକ ସାମଗ୍ରୀ ଭାଗା ଓ ତାର ପରିବାର ଉପଭୋଗ କରୁଥିବେ l

ମୁଁ ଚତୁର୍ଥ -ପଞ୍ଚମ ପଢ଼ିଲା ବେଳେ ଜେଜେ ମାଆ, ବାବା ଓ ପିଉସୀ ନାନୀଙ୍କ ଠାରୁ ଭାଗା ଓ ତା ପରିବାର ସମ୍ବନ୍ଧିତ ଅନେକ କାହାଣୀ ଶୁଣିବାକୁ ପାଇଲି l ଅତୀତରେ ଯେତେବେଳେ ଭାଗାର ପରିବାର ଗାଁରେ ରହୁଥିଲେ ସେମାନେ ଗାଁର ସବୁଠୁ ବେଶି ଧନୀଲୋକ ଥିଲେ l ଗୁଡ଼ାଏ ଜମି, ବିରାଟ ଖଞ୍ଜା ଘର, ଅପର୍ଯ୍ୟାପ୍ତ ଟଙ୍କା ଓ ସୁନା ଗହଣା ଥିଲା ସେମାନଙ୍କର l ତାଙ୍କର ସେହି ବଡ଼ ଘରେ ରହୁଥିଲେ ଭାଗା, ତା ସାନଭାଇ ରଘୁଆ ଓ ତାଙ୍କ ବାପା ମାଆ l ଭାଗାର ମାଆକୁ ସେବେ ସମସ୍ତେ ରଘୁଆ ମାଆ ଡାକୁଥିଲା ବେଳେ ଏବେ ତାଙ୍କ ବାଡ଼ିଟାକୁ କାହିଁକି ଭାଗାବାଡ଼ି କହନ୍ତି ଆମେ ଆଦୌ ବୁଝିପାରୁ ନଥିଲୁ l ଆଉ ଏକ କୌତୁହଳ କଥା ଆମେ ଜାଣିବାକୁ ପାଇଥିଲୁ ଯେ ଭାଗା ମାଆର ଗଳାର ସ୍ୱର କୁଆଡ଼େ ଏକ ପୁରୁଷର କଣ୍ଠ ପରି ଖୁବ୍ ବେଶି କଡ଼ା, ଭାରୀ ଓ କର୍କଶ ଥିଲା ଓ ସେ ତା ସ୍ୱାମୀକୁ 'ରାଢ଼ିଆ' ଡାକୁଥିଲା l


ଭାଗାର ବାପା ଓ ମାଆ ବହୁତ କମ ବୟସରେ ମରିଗଲା ପରେ ଭାଗା ଓ ରଘୁଆ ଗାଁ ଛାଡ଼ି ଚାଲିଗଲେ l ସେମାନେ ବେଶି ପାଠ ପଢ଼ିନଥିଲେ l ସେହି ପଞ୍ଚମ କିମ୍ବା ଷଷ୍ଠ ଯାଏଁ ପଢିଥିବା ଶୁଣାଯାଏ l ସେମାନେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ରେ କ’ଣ ଗୋଟେ ଗୋଟେ ଚାକିରୀ କରି ବାହାସାହା ହେଇ ସେଇଠାରେ ରହିଗଲେ l ଆଉ ଗାଁକୁ ଫେରିଲେ ନାହିଁ l ଦୀର୍ଘଦିନ ଧରି ଗାଁକୁ ନଫେରିବାରୁ ତାଙ୍କ ବିରାଟ ଖଞ୍ଜା ଘରଟି ଭାଙ୍ଗି ମାଟିରେ ମିଶିଗଲା l ଭାଗାବାଡ଼ି ସହ ଗାଁରେ ଭାଗା ନାଁରେ ଆଉ ଏକ ଜାଗା ଆମକୁ ମିଳିଗଲା ଖେଳିବା ପାଇଁ, ସେଇଟି ହେଲା 'ଭାଗାଢିହ' l

ଖରାଦିନକୁ ଛାଡ଼ି ଅନ୍ୟଦିନ ମାନଙ୍କରେ ଆମେ ପ୍ରାୟ ଭାଗା ବାଡ଼ି ଆଡ଼େ ଏତେ ଯାଉନା l ବେଙ୍ଗା ନଈର କଡ଼ରେ ଓ ଗାଁର ତଳିଆ ଜାଗାରେ ଅବସ୍ଥିତ ହେଇଥିବା ହେତୁ ବର୍ଷାଦିନେ ଭାଗାବାଡ଼ିରେ ଆଣ୍ଠୁଏ ପାଣି ହେଇଯାଏ l ଶୀତ ଦିନେ ବି ଆମେ ଏତେଟା ସିଆଡେ ଯାଇ ଖେଳୁନଥିଲୁ l ଭାଗାବାଡ଼ି ଆମ ପାଇଁ କେଵଳ ଖରାଦିନର ବିଶେଷ ଆକର୍ଷଣ ଥିଲା l

ସବୁ ବର୍ଷ ଖରାଦିନରେ ଭାଗାବାଡ଼ିରେ ଗଛ ଚଢି, ଆମ୍ବ ଛିଡେଇ, ବୋହୂ ବୋହୂକା ଖେଳି ମୁଁ ଖୁବ୍ ଗୋଟେ ଚପଳମତି ଛୋଟ ପିଲାରୁ ହାଇସ୍କୁଲ ସ୍ଟୁଡେଣ୍ଟ୍ ହେଇଗଲି l ହାଇସ୍କୁଲ ଯିବା ପରେ ମୁଁ ଓ ମୋର ପିଲାଦିନର ଖେଳ ସାଙ୍ଗ ଜୁଲି, ଜାଡ଼ି, ପିନା, ଚଗିଲି ଓ କୁନି ଖରାବେଳେ ଆଉ ଭାଗାବାଡ଼ି ନଯାଇ କେଵଳ ସେହି ରାସ୍ତା ଦେଇ ଚାରିଟା ବାଜିଲେ ନିକଟସ୍ଥ ଗାଁକୁ ଟ୍ୟୁସନ୍ ପଢ଼ିବାକୁ ଗଲୁ l ଆମ ବୋହୂ ବୋହୂକା ଖେଳଘର ଜାଗାକୁ ଆମ ସାନ ଭାଇଭଉଣୀ ମାନେ ଅକ୍ତିଆର କରିନେଇଥିଲେ l ଆମେ କେବେ କେମିତି ଟ୍ୟୁସନ ଯିବା ସମୟରେ ସେମାନଙ୍କୁ ଖରାବେଳେ ନଶୋଇ ଆମ୍ବ ଗଛରେ ଚଢିଥିବାର ଦେଖି ପକେଇଲେ ତାଗିଦା କରି ଘରକୁ ପଳେଇବାକୁ ନିର୍ଦେଶ ଦେଉଥିଲୁ l ସେମାନେ ଆମ କଥାକୁ ଖାତିର ନକରି ମାଙ୍କଡ଼ ପରି ଗଛରୁ ଖପ ଖାପ ଡେଇଁ ଭାଗାବାଡ଼ି ଭିତରକୁ ପଳେଇଯାଉଥିଲେ l


ଏମିତି ଏମିତିରେ ଅନେକ ଦିନ ବିତିଗଲା l ମୋର ଦଶମ ପରୀକ୍ଷା ସରିଗଲା l ମୁଁ ପ୍ଲସ୍ ଟୁ ପଢ଼ିବା ପାଇଁ ଭଦ୍ରକ ଚାଲିଗଲି l ଗାଁ ସହ ମୋର ସମ୍ପର୍କ ପୂର୍ବବତ ଥିଲେ ମଧ୍ୟ ଭାଗାବାଡ଼ି ଠାରୁ ଅନେକଟା ଦୂରେଇ ଯାଇଥିଲି l ପ୍ଲସ୍ ଟୁ ପରେ ମୁଁ ଗ୍ରାଜୁଏସନ୍ ପଢ଼ିଲାବେଳକୁ ଗାଁର ମୋ ପିଲାଦିନ ଖେଳ ସାଙ୍ଗମାନେ ଜଣେ ପରେ ଜଣେ ବାହା ହୋଇ ଶାଶୂଘରକୁ ଚାଲିଯାଉଥିଲେ l ପ୍ଲସ୍ ଥ୍ରୀ ଥାର୍ଡ୍ ଇୟର୍ ବେଳକୁ ଗାଁରେ ମୋ ସାଙ୍ଗ ଝିଅ ଆଉ କେହି ଜଣେ ବି ଅବିବାହିତା ନଥିଲା l

ମୁଁ ଗ୍ରାଜୁଏସନ୍ ଫାଇନାଲ୍ ପରୀକ୍ଷା ଦେଇସାରି ଘରକୁ ଫେରିଲି l ରେଜଲ୍ଟ ଆସିନଥାଏ l ମୋ ଆଗରେ ପଡିଥାଏ ଲମ୍ବା ଗୋଟେ ଖରାଛୁଟି l କିନ୍ତୁ ଗାଁରେ ମୋ ସାଙ୍ଗରେ ବୁଲିବାକୁ କେହିନାହିଁ l ଭାରି ଏକା ଏକା ଲଗୁଥାଏ l ଗୁଡ଼ାଏ ବହି ଖୋଲି ଟେବୁଲ୍ ଉପରେ ପକେଇ ରଖିଥାଏ, କିନ୍ତୁ ପଢ଼ିବାରେ ମନ ଆଦୌ ଲାଗେନାହିଁ l ସାଙ୍ଗମାନେ ଖୁବ୍ ମନେ ପଡନ୍ତି l ସେମାନଙ୍କ ସହ ମନେପଡିଯାଏ ପିଲାଦିନର ସେହି ବୋହୂ ବୋହୂକା ଖେଳ ଓ ଆମ ପ୍ରିୟ ଭାଗାବାଡ଼ି l "ସେମାନେ ତ ସମସ୍ତେ ବାହା ହେଇ ସତ ସତିକା ବୋହୂ ହେବାର ଅନୁଭୂତି ପାଇସାରିଲେଣି l ମୁଁ ଯାହା ଖାଲି ସେହି ଖେଳଘର ପାଖରେ ଅଟକି ରହିଯାଇଛି ", ଏମିତି କିଛି ଭାବି ଭାବି ମୋ ଆଖିରୁ ଦୁଇ ଧାର ପାଣି ଗଡିଆସେ l

ରେଜଲ୍ଟ ବାହାରିବାକୁ ଛଅଦିନ ବାକି ଥାଏ, ପି.ଜି. ଫର୍ମ ଗୋଟେ ଆପ୍ଲାଇ କରି ତାର ହାର୍ଡ କପି ପୋଷ୍ଟ୍ କରିବାପାଇଁ ବାବାଙ୍କ ସହ ହେଡ୍ ପୋଷ୍ଟ ଅଫିସ୍ କୁ ଯାଇଥିଲି l ଫେରିବା ରାସ୍ତାରେ ଜଣେ ଲୋକ ଆମ ଗାଡି ଆଗରେ ହାତ ହଲେଇ ଗାଡି ଅଟକେଇବାକୁ ଚେଷ୍ଟା କଲା l ବାବା ଗାଡି ରଖିଲେ l ଲୋକଟାକୁ ଦେଖି ବାବା ଆଶ୍ଚର୍ଯ୍ୟ ହେଇ କହିଲେ, "ଭାଗାନ୍ନା ନା ? ଏତେଦିନ ପରେ? ଗାଁକୁ ଯାଉଥିଲ କି ? " l

--ହଁ l ତୁ ସରୋଜକାନ୍ତ ନା?

--ହଁ ମୁଁ ସରୋଜ l କଣ ଚିହ୍ନି ପାରୁନ?

--ହଁ ଟିକେ ଦୋ ଦୋ ଚିହ୍ନା ଲାଗିଲା l ବୟସ ହେଇଗଲାଣି, ଆଖିକୁ ଆଉ ଭଲ ଦିଶୁନି l

--ହଉ ବସ ବସ l ଆମେ ତ ଫେରୁଛୁ ଗାଁକୁ l

ବାବାଙ୍କ ନିର୍ଦେଶ ପାଇ ଲୋକ ଜଣକ ଧୀରେ ଆସି ଆମ ଗାଡିର ପଛ ଡୋର୍ ଖୋଲି ବସିଗଲେ l ରାସ୍ତାରେ ଆଉ ବିଶେଷ କିଛି କଥାବାର୍ତ୍ତା ନାହିଁ l ମୁଁ ଜାଣିପାରୁ ନଥିଲି ସେ 'ଭାଗାନ୍ନା' ନାମକ ଲୋକଟି କିଏ l ଅଳ୍ପ କେଇ ମିନିଟ୍ ଭିତରେ ଆମେ ଘର ପାଖରେ ପହଞ୍ଚି ଗଲୁ l ବାବା ମୋତେ ଆମ ଘର ପାଖରେ ଛାଡ଼ି ଦେଇ ସେହି ଭାଗାନ୍ନାକୁ ନେଇ ଗାଁ ଭିତରକୁ ଚାଲିଗଲେ l

ସନ୍ଧ୍ୟାରେ ବାବାଙ୍କ ଠାରୁ ଶୁଣିଲି ସେହି ଲୋକଟି ହିଁ ଆମ ପ୍ରିୟ ଭାଗାବାଡ଼ିର ଅସଲି ମାଲିକ 'ଭାଗା' l ମୋ ଆଶ୍ଚର୍ଯ୍ୟର ସୀମା ରହିଲାନାହିଁ l ଆମ କଳ୍ପନା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ ଏ ଭାଗାନ୍ନା l ପତଳା ଓ ରୁଗ୍ଣ ଶରୀର, ମୁହଁ ସାରା ଧଳା ଦାଢୀ ଭର୍ତ୍ତି, ଦେହରେ ମଳିଆ ଶାର୍ଟ୍ ପ୍ୟାଣ୍ଟ୍ ଓ ପାଦରେ ଛିଣ୍ଡା ଚଟି ଚପଲ ପିନ୍ଧି ସେ ସେଦିନ ରାସ୍ତା କଡ଼ରେ ଠିଆ ହେଇଥିଲେ l ଆମେ ପିଲାଦିନେ କଳ୍ପନା ଚକ୍ଷୁରେ ଦେଖିଥିବା ସେହି ଧନୀ ଭାଗା ସହ ଏହି ଭାଗାନ୍ନାଙ୍କର ସାମାନ୍ୟତମ ସାମଞ୍ଜସ୍ୟ ନଥିଲା l

ମୁଁ ଯେହେତୁ ଅଧିକାଂଶ ସମୟରେ ଘର ଠୁ ଦୂରରେ ହଷ୍ଟେଲ୍ ରେ ରହୁଥିଲି, ଗାଁରେ ଗୁଡ଼ାଏ ଘଟଣା ମୋ ଅଜାଣତରେ ହିଁ ଘଟୁଥିଲା l ଅଜାଣତରେ ଘଟିଥିବା ଅନେକ ଘଟଣା ଭିତରୁ ଗୋଟିଏ ଘଟଣା ଥିଲା, ଭାଗାବାଡ଼ିର ଅନେକ ଗୁଡ଼ିଏ ଅଂଶ ସେତେବେଳକୁ ଭାଗାନ୍ନା ଗାଁର ବିଭିନ୍ନ ଲୋକଙ୍କୁ ବିକ୍ରି କରି ସାରିଥିଲେ l ସମ୍ପୂର୍ଣ୍ଣ ଭାଗାବାଡ଼ିଟି ଆଉ କେଵଳ ତାଙ୍କର ହେଇ ନଥିଲା l 


ବାବା କହୁଥିଲେ ଭାଗାନ୍ନାଙ୍କର କ’ଣ ଗୋଟେ ରୋଗ ହେଇଛି l ପାଖରେ ଆଉ ଟଙ୍କା ନାହିଁ l ତାଙ୍କ ସ୍ତ୍ରୀ ଓ ପିଲା ରାଉରକେଲାରେ ରହୁଛନ୍ତି l ତାଙ୍କ ପୁଅମାନେ ତାଙ୍କ ଭାଗର ଜମିବାଡ଼ି ସବୁ ବିକ୍ରି କରି ଭାଗାନ୍ନାଙ୍କ ଚିକିତ୍ସା କରାଉଥିଲେ, ଭଲ ହେବାର ଆଶା ଖୁବ୍ କ୍ଷୀଣ ଜାଣିଲା ପରେ ଚିକିତ୍ସା ବନ୍ଦ କରେଇଦେଇଛନ୍ତି l ଭାଗାନ୍ନା ତାଙ୍କ ଜୀବନର ଶେଷ ସମୟଗୁଡ଼ା ଗାଁରେ ନିଜ ଘରଢିହରେ ବିତେଇବାକୁ ଗାଁକୁ ଫେରିଆସିଥିଲେ l ତାଙ୍କ ଢିହଟି କିନ୍ତୁ ସେତେବେଳକୁ ପିଲାଙ୍କ ଖେଳକୁଦର ସ୍ଥାନ ପାଲଟି ଯାଇଥିଲା l ସେ ସେଇଠି ଗୋଟେ ଝାଟିମାଟି କୁଡ଼ିଆ ବନେଇ ରହିବାକୁ ଲାଗିଲେ l


ମୋ ଗ୍ରାଜୁଏସନ୍ ପରୀକ୍ଷା ଫଳ ବାହାରି ସାରିଥିଲା କିନ୍ତୁ ପି.ଜି. ଆଡ଼ମିଶନ୍ ସେ ଯାଏଁ ହେଇନଥିଲା l ମୋ ପିଲାଦିନର ଘନିଷ୍ଠ ସାଙ୍ଗ ଜୁଲି ତା ଶାଶୂଘରୁ ଅଳ୍ପଦିନ ପାଇଁ ବାପଘରକୁ ବୁଲିଆସିଥିଲା l ମୁଁ ଘରେ ଅଛି ଜାଣି ସେ ମୋ ପାଖକୁ ଗପିବାକୁ ଚାଲିଆସିଲା l ପ୍ଲସ୍ ଟୁ ପରେ ସେ ଆଉ ଆଗକୁ ପାଠ ପଢ଼ିବାର ସୁଯୋଗ ପାଇପାରିନଥିଲା l ସେଥିପାଇଁ ସେ ବହୁତ ମନ ଦୁଃଖ କରୁଥିଲା l ଆମେ ଦୁହେଁ ଆମ ଛାତ ଉପରେ ଅନେକ ବେଳଯାଏଁ ବସି ଗପିଲୁ l ଏ ଭିତରେ ମୁଁ ତାକୁ ଭାଗାବାଡ଼ି ଓ ତାର ମାଲିକ ଭାଗାନ୍ନା ବିଷୟରେ କହିଲି l ସେ ମୋତେ ଡାକିଲା ତା ସାଙ୍ଗରେ ଭାଗାନ୍ନାଙ୍କ ଘର ପାଖକୁ ଯିବାପାଇଁ l ମୁଁ ଚଟାପଟ ରାଜି ହେଇଗଲି l ଗାଁ ମଝିରେ ଭାଗାନ୍ନାଙ୍କ ଘର l ବିରାଟ ଉଚ୍ଚା ଢିହ ଉପରେ ଖତେଇ ହେଲାପରି ଠିଆହେଇଛି ଛୋଟିଆ ବଖୁରିକିଆ ଝାଟିମାଟି କୁଡ଼ିଆଟିଏ l ଆମେ ଢି଼ହ ତଳେ କିଛି ସମୟ ଠିଆ ହେଲୁ l ଭିତରୁ ଖୁଁ ଖୁଁ କାଶର ଶବ୍ଦ ଶୁଭାଯାଉଥିଲା l ଜୁଲିର ବଡ଼ ଇଚ୍ଛା ହେଉଥିଲା ଭାଗାନ୍ନାଙ୍କୁ ଥରଟେ ଦେଖିବାପାଇଁ l ସନ୍ଧ୍ୟା ହେଇଆସୁଥିଲା, ଭାଗାନ୍ନା ଘରୁ ବାହାରୁ ନଥିଲେ l ପାଖ ଘରୁ ବୁଢ଼ୀ ଲୋକଜଣେ ଚା କପ୍ ଟେ ଧରି ସେହି କୁଡ଼ିଆ ଭିତରକୁ ପଶିଗଲେ l ବତୀଟିଏ ଜଳିଉଠି କୁଡ଼ିଆଟା ହଠାତ ଆଲୋକିତ ହୋଇଗଲା l ସେହି ଝାପ୍ସା ଆଲୋକରେ ଆମେ ଦେଖିଲୁ ଜୀର୍ଣ୍ଣଶୀର୍ଣ୍ଣ ରୋଗୀଣା ଲୋକଟିଏ ମାଟି ଚଟାଣରେ କାନ୍ଥକୁ ଢ଼େରା ଦେଇ ବସି ଚା' ପିଉଛନ୍ତି ଓ ମୀରା ଜେଜୀମାଆ ତା ପାଖରେ ବସି ତାଙ୍କ ମୁଣ୍ଡ ଆଉଁଶି ଦେଉଛନ୍ତି l ଆମେ ଆଉ ବେଶି ସମୟ ସେଠି ଠିଆ ନହୋଇ ନିଜ ନିଜ ଘରକୁ ଫେରିଆସିଲୁ l


ଏହାର ଦୁଇଦିନ ପରେ ମୁଁ କଟକ ଚାଲିଗଲି ଗୋଟେ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ ପାଇଁ l ମାମୁଁ ଘର କଟକରେ l ଏଣ୍ଟ୍ରାନ୍ସ ପରୀକ୍ଷା ପରେ ଆହୁରି ଚାରିଦିନ ସେଇଠି ରହିଗଲି l ଘରକୁ ଫେରୁ ଫେରୁ ଶୁଣିଲି ଭାଗାନ୍ନାଙ୍କ ଅବସ୍ଥା ସଙ୍କଟାପନ୍ନ l ତାଙ୍କ ପତ୍ନୀ ଓ ପିଲାମାନେ ଖବର ପାଇ ଆସିଛନ୍ତି l ମୁଁ ଘରେ ବ୍ୟାଗ୍ ପକେଇ ଦେଇ ଜୁଲି ଘର ଆଡ଼କୁ ଦୌଡିକରି ଗଲି l ମାଆ ବିରକ୍ତ ହେଉଥିଲା l ମୋର ସେଥିପ୍ରତି ଖାତର ନଥିଲା l କି ଗୋଟେ ଅଜଣା ଭୟ ଓ ଦୁଃଖ ମୋତେ ଭିତରୁ ରୁନ୍ଧି ପକାଉଥିଲା l ଜୁଲି ଖାଉଥିଲା l ଅଧାଖିଆରୁ ସେ ଉଠିଆସିଲା l ଆମେ ଦୁହେଁ ଯାଇ ସେହି କୁଡ଼ିଆ ଦ୍ୱାର ମୁହଁରେ ଠିଆ ହେଲୁ l ଭାଗାନ୍ନାଙ୍କ ଶରୀର ନିସ୍ତେଜ ହେଇପଡିଥିଲା, ଆଖି ବନ୍ଦ ହେଇଆସୁଥିଲା କିନ୍ତୁ ଉପସ୍ଥିତ ଦେଖଣାହାରୀ କାହାରି ଆଖିରୁ ବିନ୍ଦୁଏ ବି ଲୁହ ଗଡି ପଡୁନଥିଲା l ତାଙ୍କ ସ୍ୱପତ୍ନୀ ଓ ଦୁଇପୁଅ ବି କାନ୍ଦୁ ନଥିଲେ l ଆମେ ଆହୁରି ଏକ ଜିନିଷ ଆବିଷ୍କାର କଲୁ, ଭାଗାନ୍ନାଙ୍କ ପୁରା ପରିବାରଟି ଖୁବ୍ ବିରାଟ ଗୋଟେ ଦାରିଦ୍ର୍ୟ ସହ ସଂଘର୍ଷ କରୁଥିବା ପରି ମନେ ହେଉଥିଲେ l ମୁଁ ମନେ ମନେ ଭାବୁଥିଲି, "ସେ ବିଶାଳ ସମ୍ପତ୍ତି ବିଷୟରେ ଆମେ ଯାହା ଶୁଣିଥିଲୁ, ସେ ଗଲା କୁଆଡେ ? ଏମାନେ ଏତେ ଗରିବ ହେଲେ କେମିତି? ଯାହା ଶୁଣିଥିଲୁ ସେସବୁ କଣ ମିଛ ଥିଲା ? " l ଅଧାଘଣ୍ଟା ଭିତରେ ଆମେ ସେ ଜାଗା ଛାଡ଼ି ଚାଲିଆସିଲୁ l ସକାଳୁ ସକାଳୁ ଶୁଣିଲି ଭାଗାନ୍ନା ଭୋରୁ ଚାଲିଯାଇଛନ୍ତି l


ଆମ ଘରୁ ରାସ୍ତା ଆଡ଼କୁ ସିଧା ଅନେଇଲେ ଗାଁ ଶେଷମୁଣ୍ଡର ଶ୍ମଶାନ ସ୍ପଷ୍ଟ ଦେଖାଯାଏ l ଜୁଲି ଆସି ଆମ ପିଣ୍ଡାରେ ବସିଥିଲା l ଆମେ ଦୁହେଁ ଲଗାଲଗି ହେଇ ବସି ଶ୍ମଶାନରେ ଜୁଇଟେ ଜଳୁଥିବା ଦେଖୁଥିଲୁ l ଆମ ଆଖି ଆଗରେ ଆମ ପିଲାଦିନର ପ୍ରିୟ ଭାଗାବାଡ଼ିର ମାଲିକ ଭାଗାନ୍ନା ଜଳିଯାଉଥିଲେ l ତାଙ୍କ ଜୁଇରୁ ନିଆଁ ଓ ଧୂଆଁ ଉଡ଼ି ଆକାଶକୁ ଛୁଉଁଥିଲା ଓ ଆମ ଦୁଇ ସାଙ୍ଗଙ୍କ ଆଖିରୁ ଲୁହ ଚାରିଧାର ବୋହି ଆସି ଆମ ଓଠ ଛୁଉଁଥିଲା l ମୋତେ ଲାଗୁଥିଲା ମୋ ପିଲାଦିନର ଗୋଟେ ସୁନ୍ଦର କଳ୍ପନାର ତୈଳଚିତ୍ର ଜଳି ପୋଡି ପାଉଁଶ ହେଇଯାଉଛି l ଅନେକ ସମୟଯାଏଁ ଆମେ ସେମିତି ସେଇଠି ବସି ରହିଥିଲୁ l ଜୁଲିର ସ୍ୱାମୀ ତାକୁ ଫୋନ୍ କଲାରୁ ସେ ମୋ ଠାରୁ ବିଦାୟ ନେଇ ଚାଲିଗଲା l

ଭାଗାନ୍ନା ସିନା ଚାଲିଯାଇଥିଲେ କିନ୍ତୁ ତାଙ୍କରି ନାଁରେ ନାମିତ ସେହି ବାଡ଼ିଟି ଆମ ପିଲାଦିନର ସ୍ମୃତିକୁ ତା ଛାତିରେ ଚାପି ଧରି ପଡ଼ିରହିଥିଲା l

ଜୁଲି ତା ଶାଶୂ ଘରକୁ ଫେରିଯିବାକୁ ପ୍ରସ୍ତୁତ ହେଇ ମୋତେ ଦେଖା କରିବାପାଇଁ ଆସିଥିଲା l ମେ ମାସ ଶେଷର ନିର୍ଧୁମ୍ ଖରାବେଳ l ମୁଁ ଶୋଇଥିଲି l ସେ ମୋତେ ହଲେଇ ଉଠେଇବାକୁ ଚେଷ୍ଟା କଲା l ମୋତେ କାହିଁକି କେଜାଣି ହଠାତ ଲାଗିଲା ପିଲାବେଳେ ଜୁଲି, ଜାଡ଼ି, ପିନା ଯେମିତି ଖରାବେଳ ହେଲେ ମୋତେ ଭାଗାବାଡ଼ିରେ ବୋହୂ ବୋହୂକା ଖେଳିବାକୁ ଡାକନ୍ତି ଆଜି ସେମିତି ଡାକିବାକୁ ଆସିଛନ୍ତି l


--ଜୁଲି, ରହ ମୁଁ ମାଆର ନାଲି ଶାଢ଼ୀଟା ଆଣେ l ଆଜି ମୁଁ ବୋହୂ ହେବି l

--ଆଲୋ କଣ କହୁଛୁ ତୁ? ଶାଢ଼ୀ କ’ଣ କରିବୁ?

--ଭାଗାବାଡ଼ିକୁ ଯିବା ପରା ଖେଳିବା ପାଇଁ!

--ହା ହା ହା.. ତୁ ବୋଧେ ସ୍ୱପ୍ନ ଦେଖୁଥିଲୁ l ମୁଁ ଏବେ ପଳେଇବି ଲୋ l ବାହାରି ସାରିଲାଣି l ଯାଆ ମୁହଁ ଧୋଇକି ଆସେ l


ଜୁଲିର ବଡ଼ ପାଟିରେ ହୋ ହୋ ହେଇ ହସିବାରେ ମୁଁ ହୋସକୁ ଆସିଲି, ପ୍ରକୃତିସ୍ଥ ହେଲି l "ସତେ ତ ମୁଁ କେତେ ବଡ଼ ହେଇଗଲିଣି! ଜୁଲି ବି ସତରେ ବୋହୂ ହେଇସାରିଲାଣି l ଧେତ୍, ମୁଁ କାହିଁକି ଖାଲି ପଛକୁ ଫେରିଯାଉଛି ଯେ ?", ମୁଁ ନିଜ ଉପରେ ବିରକ୍ତ ହେଲି l ଜୁଲି ଆମ ଘରେ ସମସ୍ତଙ୍କୁ ଜୁହାର ହେଇସାରି ମୋ ପାଖକୁ ଆସିଲା l ମୋତେ ଆଶ୍ଚର୍ଯ୍ୟ କରି କହିଲା, "ମିନୁ, ଚାଲେ ନା ଟିକେ ଭାଗାବାଡ଼ି ଆଡ଼େ ବୁଲି ଆସିବା l ଭାରି ମନ ହେଉଛି ଟିକେ ଦେଖି ଆସିବା ପାଇଁ l ଆଉ କେବେ ପୁଣି ଆସିବାର ସୁଯୋଗ ମିଳିବ ଜାଣିନି l ଜାଣିଛୁ ନା, ମୋର ଖୁବ୍ ମନେ ପଡ଼େ ଲୋ ଆମ ଗାଁ କଥା, ତୁମମାନଙ୍କ କଥା l ଗାଁ ମନ୍ଦିର, ପଡ଼ିଆ, ବିଲ ଓ ଏଇ ଖରାବେଳିଆ ଭାଗାବାଡ଼ିରେ ଆମ୍ବ ଛିଡେଇବା କଥା, ସେଇଠି ବୋହୂ ବୋହୂକା ଆଉ କଣ୍ଢେଇ ଖେଳ ଖେଳିବା କଥା" l ମୁଁ ଦେଖୁଥିଲି କେଉଁ ଗୋଟେ ଭୀଷଣ କଷ୍ଟରେ ଜୁଲିର ଉଜ୍ଜ୍ୱଳ ମୁହଁଟା ହଠାତ ଶୁଖି ଝାଉଁଳି ପଡୁଛି ଆଉ ଆଖିରୁ ତାର ପାଣି ଗଡ଼ି ପଡୁଛି l ମୁଁ ତା ହାତକୁ ଜାବୁଡ଼ି ଧରିଲି ଓ ଆମ ବାଡ଼ି କବାଟ ଖୋଲି ପଛ ପାଖ ରାସ୍ତା ଦେଇ ଭାଗାବାଡ଼ି ଆଡ଼େ ଦୌଡିଲି l ସେ ବି ଯନ୍ତ୍ରବତ୍ ମୋ ସହ ଧାଇଁଲା ତା ନୂଆ ଶାଢ଼ୀକୁ ଗୋଟେ ହାତରେ ଆଣ୍ଠୁଯାଏଁ ଟେକି ଧରି l

ଆଖି ପିଛୁଳାକେ ଆମେ ଭାଗାବାଡ଼ିରେ ପହଞ୍ଚିଗଲୁ l ଆମ ପ୍ରିୟ ଭାଗାବାଡ଼ି କିନ୍ତୁ ଆଗପରି ଆଉ ଆଦୌ ନଥିଲା l ସେଠି ସେହି ମିଠା ଆମ୍ବଗଛ ଗୁଡାକରେ ପାଚିଲା ଆମ୍ବର ପେନ୍ଥା କୋଉଠି ଦେଖା ଯାଉନଥିଲା l କେତେଟା ଖଟା ଆମ୍ବଗଛ କଟା ହେଇ ତଳେ ଗଡୁଥିଲା l ଠାଏ ଠାଏ ଜାଗାରେ ବାଡ ଘେରାଉ ହେଇ କିଛି କିଛି ଗଛ ଆବଦ୍ଧ ହେଇରହିଥିଲେ l ଆମ ବୋହୂ ବୋହୂକା ଖେଳ ଜାଗା ଗୁଡ଼ାକ ଅରମା ହେଇ ପଡିଥିଲା l ତଥାପି ସେହି ଜାଗାରୁ ଅତ୍ମୀୟତାର ଏକ ଭୁରୁ ଭୁରୁ ବାସ୍ନା ବାହାରୁଥିଲା l ଆମେ ସେଇଠି ଠିଆ ହେଇ ଆମ ପିଲାଦିନକୁ ଦେଖୁଥିଲୁ l ଖରାଦିନିଆଁ ଝାଂଜି ପବନ ବୋହୁଥିଲା l ଆମ ଦେହରେ ସେହି ତାତି ହାୱା ପିଟି ହେଇ ଆମକୁ ଅନେକ ବର୍ଷ ତଳକୁ ଫେରେଇ ନେଉଥିଲା l ଥିଲା ସେହି ସମାନ ଖରାବେଳ, ଠିକ ସେହି ସମାନ ଜାଗା ଆଉ ମୋର ସେହି ପ୍ରିୟ ଖେଳ ସାଙ୍ଗ l ସବୁକିଛି ଅପରିବର୍ତ୍ତନୀୟ ଥାଇ ମଧ୍ୟ କେଵଳ ସମୟଟା ଯାହା ବଦଳିଯାଇଥିଲା l ସମୟ ଖୁବ ଆଗକୁ ଗଡି ଯାଇଥିଲା l ବିତିଯାଉଥିବା ବର୍ଷ ଗୁଡ଼ିକ ଉପରେ ମୋତେ ବଡ଼ ରାଗ ଆସିଲା l ମୁଁ କାନ୍ଦି ଆସୁଥିଲି, ତଳେ ଠକଠାକ୍ ଶବ୍ଦ କରି ଦୁଇଟି ପାଚିଲା ଆମ୍ବ ଖସି ପଡ଼ିଲା l ମୁଁ ନଇଁ ପଡ଼ି ଗୋଟାଇ ଆଣିଲି l ହାତରେ ଧରିଛି, ପାଟିକୁ ନେଇନି ଜୁଲି ଚଟକରି କହି ପକେଇଲା, "ମୁଁ ଆଗ ଦେଖିଛି l ସେଇଟା ମୋର " l ମୁଁ ସତରେ କାନ୍ଦି ପକେଇଲି ଆଉ ମୋ ସହ ତାଳ ଦେଇ ସେ ବି l ଆମେ ଦୁହେଁ ଦୁହିଁଙ୍କୁ ଧରି କାନ୍ଦିଲୁ l ଭାଗାବାଡ଼ି ଆମକୁ ନୂଆ ରୂପରେ ଦେଖୁଥିଲା, ଆମେ ଯେମିତି ତାକୁ ଅନୁନୟ ହେଇ କହୁଥିଲୁ ଆମ ପୁରୁଣା ଦିନ ସବୁକୁ ଫେରେଇ ଆଣିବା ପାଇଁ l ଢେର ସମୟ ନୀରବ କାନ୍ଦଣା ପରେ ଆମେ ଆଉ କେହି କାହାକୁ କିଛି ନକହି ନିଜ ନିଜ ଆଖିର ଲୁହ ନିଜେ ପୋଛି ପୋଛି ପଳେଇ ଆସିଲୁ l


ଜୁଲି ତା ଶାଶୂଘରକୁ ଚାଲିଗଲା l ମୁଁ ପି.ଜି. ପଢ଼ିବା ପାଇଁ କଟକ ଚାଲିଗଲି l ପି.ଜି. ପରେ ଏମ୍.ଫିଲ୍ l ତାପରେ ଚାକିରୀ ଆଉ ବାହାଘର l ମୋତେ ଆଉ ସମୟ ମିଳିନାହିଁ ଗାଁ ଆଡ଼େ ଯାଇ ଭାଗାବାଡ଼ିକୁ ବୁଲି ଦେଖିବା ପାଇଁ l କିନ୍ତୁ ପ୍ରତିବର୍ଷର ଗ୍ରୀଷ୍ମ ଅବକାଶ ମୋ ମନକୁ ଶୁନ୍ୟେ ଶୁନ୍ୟେ ଉଡ଼େଇ ନିଏ ମୋ ଗାଁକୁ, ଯୋଉଠି ମୋ ପିଲାଦିନ ଖରାବେଳର ଖରାରେ ସିଝି ସିଝି ବି ଖିଲି ଖିଲି ହସୁଥାଏ ଓ ଗ୍ରୀଷ୍ମ ଅପରାହ୍ନରେ କୁନି କୁନି ସାଙ୍ଗଙ୍କ ସହ ଭାଗାବାଡ଼ିରେ ମିଛି ମିଛିକା ଭାତ, ଡାଲି ରାନ୍ଧି ବାଉଁଶବୁଦା ତଳେ ପରଷି ଦେଉଥାଏ l

ଏ ବର୍ଷ ଏପ୍ରିଲ ଆରମ୍ଭରୁ ହିଁ ତାପମାତ୍ରା ଖୁବ୍ ବେଶି ବଢିଗଲା l ସକାଳ ଆଠରୁ ଏତେ ତୀବ୍ର ଖରା ଯେ, ଘରୁ ଗୋଡ଼ କାଢ଼ି ବାହାରକୁ ବାହାରି ହେଲାନାହିଁ l ପୁଅର ସ୍କୁଲ୍ ରେ ଟିକିଏ ଆଗୁଆ ଛୁଟି ଘୋଷଣା ହେଇଗଲା l ଆମେ ମନସ୍ଥ କଲୁ ଗାଁକୁ ଯିବୁ l ମୁଁ ଅନେକ ଦିନ ହେବ ଗାଁ ଆଡ଼େ ଯାଇନଥିଲି l ଗାଁରେ ଉତ୍ତାପ ଅପେକ୍ଷାକୃତ କମ ଥିଲା l କିଛି ଦିନ ଶାଶୂଘର ଗାଁରେ ରହିଲା ପରେ ମୋତେ ଓ ମୋ ପୁଅକୁ ମୋ ବାପ ଘର ଗାଁରେ କିଛିଦିନ ପାଇଁ ଛାଡ଼ିଦେଇ ମିଷ୍ଟର୍ ଫେରିଗଲେ l

ମୋର ଗାଁରେ ରହିବାର ଅଳ୍ପକିଛି ଦିନ ହେଇଛି ଶୁଣିଲୁ ଏହି ଉତ୍ତପ୍ତ ଗ୍ରୀଷ୍ମ ଋତୁରେ ବି ଭୟଙ୍କର ଏକ ସାମୁଦ୍ରିକ ଝଡ଼ ଆସୁଛି l ଟିଭି, ମୋବାଇଲ, ଖବରକାଗଜ ସବୁଠି ସତର୍କ ସୂଚନା l ସତରେ ଝଡ଼ ଆସିଲା l 'ଫଣି' ବାତ୍ୟା ଉପକୂଳ ଓଡ଼ିଶାକୁ ଛାରକାର କରିଦେଇଗଲା l ମୋ ଗାଁରେ କାହାର ସେମିତି କିଛି ବିଶେଷ କ୍ଷତି ହେଇନଥିଲା l କେତେକ ବହୁ ପୁରୁଣା ଗଛ ଯାହା ଉପୁଡି ପଡ଼ି ମାଟି ଉପରେ ଶୋଇଯାଇଥିଲେ l


ବାତ୍ୟା ପରଦିନ ସକାଳୁ ମୁଁ ଆମ ଗେଟ୍ ପାଖରେ ଠିଆ ହେଇଥିଲି l ଦୁଇଜଣ ଅଚିହ୍ନା ଯୁବକ ଓ ଜଣେ ସ୍ତ୍ରୀଲୋକ ଭାଗାବାଡ଼ି ଆଡୁ ବଡ଼ ବଡ଼ ଦୁଇଟି ଆମ୍ବ ଭର୍ତ୍ତି ଝୁଡ଼ି ଧରି ଫେରୁଥିବା ଦେଖିଲି l ବାବାଙ୍କୁ ପଚାରିଲାରୁ କହିଲେ, "ଭାଗାନ୍ନାଙ୍କ ସ୍ତ୍ରୀ ଆସିଥିଲେ କ’ଣ ଜମିଜମା କଥା ବୁଝିବାକୁ l ତିନିଦିନ ହେଲା ତାଙ୍କ ପଡ଼ିଶା ଘରେ ଅଛନ୍ତି l ବାତ୍ୟାରେ ଭାଗାବାଡ଼ି ପୁରା ଉଜୁଡି ଯାଇଛି l ଆମ୍ବ ଗୋଟେଇବାକୁ ଯାଇଥିଲେ ତାଙ୍କ ଦୁଇ ପୁଅଙ୍କୁ ଧରି l "


--ବାବା, ତାଙ୍କର ପରା ଆଉ ଜଣେ ଭାଇ ଥିଲେ, ରଘୁ? ସେ କାହିଁ କେବେ ଆସନ୍ତିନି ତ?

--ଆମେ କ’ଣ ତାଙ୍କୁ ଆଉ ଦେଖିଛୁ l ସେ ବି ରାଉରକେଲାରେ ରହୁଥିଲେ ବୋଲି ଯାହା ଶୁଣିଛୁ l ତା ପିଲାମାନେ ତ କେବେ ଆସନ୍ତିନି l ଏବେ ଏବେ ଖବର ପାଇଲୁ ରଘୁଆନ୍ନା ହାର୍ଟ୍ ଷ୍ଟ୍ରୋକ୍ ରେ ବର୍ଷେ ହେବ ଚାଲିଗଲେଣି l


ବାତ୍ୟା ପରେ ଗାଁଟା ଭାରି ଖାଁ ଖାଁ ଲାଗୁଥିଲା l ଶ୍ମଶାନ ପାଖ ବିରାଟ ପୁରୁଣା ବରଗଛଟା ଉପୁଡି ତଳେ କଚାଡ଼ି ପଡିଥିଲା l ଲାଗୁଥିଲା ଗାଁରୁ କିଛି ଆତ୍ମୀୟ ଯେମିତି ଚିରବିଦାୟ ନେଇ ଚାଲିଯାଇଛନ୍ତି l କରେଣ୍ଟ୍ ନଥିଲା l ଖରାବେଳେ ନିଦ ହେଲାନାହିଁ l ମୋ ପୁଅ ସମେତ ଘରେ ସମସ୍ତଙ୍କ ଆଖି ଲାଖି ଯାଇଥାଏ l ମୁଁ ବିଛଣାରୁ ଉଠି ଆସିଲି l ଆମ ଘର ଆଗ ବଉଳ ଗଛ ତଳେ ଠିଆ ହେଲି l ସାଙ୍ଗମାନେ ଖୁବ ମନେ ପଡୁଥିଲେ l ବଉଳ ମୂଳେ ଖରାବେଳିଆ ଖପରା କିତିକିତି ଖେଳ ମନେପଡିଗଲା l କିନ୍ତୁ ମନେ ପଡୁନଥିଲା କିତିକିତି ଘର ଆଙ୍କିବାର ପୁରୁଣା କୌଶଳ l ମୁଁ ପଡ଼ିଆ ଆଡ଼କୁ ସିଧା ଦେଖିଲି l ଭାଗାବାଡ଼ି ଦିଶିଯାଉଥିଲା l ସଲ୍ୱାର ସୁଟ୍ ର ଓଢଣୀଟା ମୁଣ୍ଡରେ ଗୁଡ଼େଇ ଦେଇ ଭାଗାବାଡ଼ି ଆଡ଼େ ଚାଲିଲି, ଯେମିତି ପିଲାଦିନେ ମାଆର ପୁରୁଣା ଶାଢ଼ୀଟେ ଗୁଡ଼େଇ ହେଇ ଦୌଡିଯାଏ କଣ୍ଢେଇ ଖେଳ ଖେଳିବା ପାଇଁ l 


ପୋଖରୀ ପାଖରୁ ସରୁଆ ରାସ୍ତାଟେ ଭାଗାବାଡ଼ି ଭିତରକୁ ପଶିଯାଇଛି l ବାତ୍ୟାରେ ଗଛ ଡାହି ଭାଙ୍ଗି ରାସ୍ତା ଉପରେ ପଡିଥିଲା l ମୁଁ ସେହି ଅସ୍ତବ୍ୟସ୍ତ ରାସ୍ତାକୁ ଡେଇଁ ଡେଇଁ ଭିତରକୁ ଗଲି l ଆମ ପ୍ରିୟ ଭାଗାବାଡ଼ିକୁ ଆଉ ଆଦୌ ଚିହ୍ନି ହେଉନଥିଲା l ବାଉଁଶ ଗଛ ସବୁ ଭାଙ୍ଗି ଛନ୍ଦା ଛନ୍ଦି ହେଇ ପଡ଼ିଥିଲେ l ଛାଇ ଛାଇଆ ବାଡ଼ି ଟା ଆଜି ଖରାଟିଆ ଦିଶୁଥିଲା l ଭାଙ୍ଗି ଶୋଇଥିବା ଗୋଟେ ଜାମୁଗଛର ଗଡ଼ ଉପରେ ଗୋଡ଼ ଲମ୍ବେଇ ବସିଗଲି l ଚାରିଆଡ଼େ ଆଖି ବୁଲେଇ ଆଣିଲି l ମୋ ପିଲାଦିନ ଆଜି ମୋ ସହ ଲୁଚକାଳୀ ଖେଳୁଥିଲା l ଏଇଠି ଥିଲା, ପୁଣି ଏଇଠି ଉଭେଇ ଯାଉଥିଲା l ମୁଁ ଉଠିଲି ଧାଇଁଲି l ସବୁ କୋଣରେ ତାକୁ ଖୋଜିଲି l ପାଉଥିଲି ପୁଣି ହଜେଇଦେଉଥିଲି l ସାରାଟା ଖରାବେଳ ନିଜ ପିଲାଦିନ ସହ ଏକ୍ଲା ଏକ୍ଲା ଖେଳି ଖେଳି ଯେତେବେଳେ କ୍ଲାନ୍ତ ହେଇଗଲି, ଓଢଣୀରେ ମୁହଁ ପୋଛି ଦଣ୍ଡେ ବସିଗଲି l ଠିକ ସେତିକିବେଳେ ମୋତେ ଆଶ୍ଚର୍ଯ୍ୟ କରି ମୋ ପିଲାଦିନର ସେହି ଦଲକାଏ ଖରାଦିନିଆଁ ସୁଲୁସୁଲିଆ ଥଣ୍ଡା ପବନ ଆସି ମୋ ଦେହକୁ ଆଉଁଶି ଦେଇଗଲା l ମୋ ଆଖି ଆପେ ଆପେ ବୁଜି ହେଇଗଲା l ଜାମ୍ମୁଗଡ଼ ଉପରେ ମୁଁ ଢ଼ୋଳେଇ ପଡିଲି l କେତେ ସମୟ ଯାଏଁ ମୁଁ ସେଠି ମୋ ପିଲାଦିନ ସହ ଥିଲି ମୋର ମନେ ନାହିଁ l କେତେବେଳେ ମାଆ ଆସି ମୋତେ ସେଠୁ ଉଠେଇ ଘରକୁ ଆଣିଲା ତାହା ବି ମୋର ମନେନାହିଁ l


ସେହି କେଇଦିନ ପରେ ମୁଁ ମୋ ପିଲାଦିନକୁ ପୁଣିଥରେ ଭାଗାବାଡ଼ିରେ ଛାଡ଼ିଦେଇ ଏଇ ସହରକୁ ଚାଲିଆସିଲି l ଆମ ପିଲାଦିନର ବିଚିତ୍ର ଓ ରହସ୍ୟମୟ ଚରିତ୍ର ବିରାଟ ସେହି ଧନୀ ଦୁଇଭାଇ ଭାଗାନ୍ନା ଓ ରଘୁଆନ୍ନା ଆଉ ଏ ଦୁନିଆଁରେ ନାହାଁନ୍ତି, ତାଙ୍କ ପରିବାରର ପରିଚିତ ନିଶ୍ଚିହ୍ନ ପ୍ରାୟ କିନ୍ତୁ ତାଙ୍କ ପ୍ରତିପତିର ଭଗ୍ନ ସ୍ମାରକୀ ସଦୃଶ ଆଜି ବି 'ଭାଗାବାଡ଼ି' ଶୂନ୍ୟକୁ ଅନେଇ ଗାଁ ଶେଷମୁଣ୍ଡରେ ଶୋଇରହିଛି l



Rate this content
Log in

More oriya story from Lopamudra Mishra

Similar oriya story from Thriller