ଭାବ ଏକ ନଈର ଧାର
ଭାବ ଏକ ନଈର ଧାର
ସୁଜାତା ମୁହଁ ଶୁଖାଇ ନିଜେ ନିଜେ ଗୁଣୁ ଗୁଣୁ ହୋଇ କଣ ସବୁ କହି ଯାଉଥିଲେ | ସେ ଖାଲି ଅଶୋକ ବସିଥିବା ପାଖ ଦେଇ ଏପଟ ସେପଟ ହେଇ ଚାଲୁଥିଲେ | ମଝିରେ ମଝିରେ କଣେଇ କଣେଇ ଖାଲି ଅଶୋକଙ୍କୁ ଦେଖୁଥିଲେ | ଭାବୁଥିଲେ ତାଙ୍କୁ ଥରେ ଅଶୋକ ଚାହିଁଲେ , ସେ ତାଙ୍କର ସବୁ ମନର ରାଗ ଗୁଡାକ ଏକାଥରକେ କହି ଦିଅନ୍ତେ | ଅଶୋକ ଓ ସୁଜାତାଙ୍କର ବାହାଘରକୁ କୋଡିଏ ବର୍ଷ ହେଇ ଗଲାଣି | ସେ ଦୁଇ ଜଣଙ୍କର ଗୋଟିଏ ପୁଅ ଅଜୟ ଓ ଝିଅ ଅନିତା ବି ଏବେ ବଡ ହେଇ ଗଲେଣି | ଅଜୟ ଏବେ ବି.ଏ ପଢୁଛି ଓ ଅନିତା ଏବେ ଏବେ ଦଶମ ପାସ କରି ଏକାଦଶରେ ପଢୁଛି | ଅଶୋକ ଜଣେ ଅଧ୍ୟାପକ ଓ ସୁଜାତା ଜଣେ ଗୃହିଣୀ |ଉଭୟ ଉଭୟଙ୍କୁ ବହୁତ ଭଲ ପାଆନ୍ତି, ଏପରିକି ପିଲାମାନେ ମଧ୍ୟ ତାଙ୍କ ପିତା ମାତାଙ୍କୁ ବହୁତ ଭଲ ପାଆନ୍ତି |ଅଶୋକ ଅଧ୍ୟାପନା କରିବା ସହିତ କବିତା ଲେଖିବାକୁ ବହୁତ ଭଲ ପାଆନ୍ତି | ସେ ପାଠ ପଢିବା ବେଳରୁ କବିତା ଲେଖି ଆସୁଛନ୍ତି | ତାଙ୍କର ସେହି କବି ସୁଲଭ ଗୁଣକୁ ସୁଜାତା ତାଙ୍କର ବାହାଘର ପରେ ଚଉଠି ରାତିରୁ ଭଲ ପାଇ ବସିଛନ୍ତି | ସେଦିନ ଅଶୋକ ନିଜ ଭଲ ପାଇବାର ଭାବକୁ ଏକ କବିତା ପଢି ସୁଜାତାଙ୍କ ଶୁଣାଇଥିଲେ | ଅଶୋକଙ୍କର ସେହି କବିତାଟି କେବଳ ତାଙ୍କ ପତ୍ନୀ ସୁଜାତାଙ୍କ ପାଇଁ ଥିଲା ,ସେଥିପାଇଁ ଆଜି ପର୍ଯ୍ୟନ୍ତ କୌଣସି ପତ୍ରିକା କିମ୍ବା କବି ସମ୍ମିଳନୀରେ ସେଇ କବିତାକୁ ପ୍ରକାଶ କରିବାକୁ ଦେଇ ନାହାନ୍ତି | ଏହି କଥାକୁ ସୁଜାତା ବି ଭଲ ଭାବରେ ଜାଣିଛନ୍ତି ଓ ସେଇ କବିତାକୁ ସେ ସୁନ୍ଦର ଭାବରେ ସାଇତି କରି ଏବେ ଯାଏ ରଖିଛନ୍ତି |
ଅଶୋକ ବିଭିନ୍ନ କବି ସମ୍ମିଳନୀକୁ ଯାଆନ୍ତି ଏବଂ ସେଠାରେ ନିଜର କବିତା ପଢି ଲୋକ ମାନଙ୍କର ଆଦର ସମ୍ମାନ ଲାଭ କରନ୍ତି |ଅଧିକାଂଶ ସମୟରେ ସୁଜାତା ବି ତାଙ୍କ ସାଙ୍ଗରେ ଶ୍ରୋତା ହିସାବରେ ଯାଆନ୍ତି ,ସେଠାରେ ନିଜ ପ୍ରିୟ ସ୍ୱାମୀଙ୍କର ପ୍ରତି ଲୋକ ମାନଙ୍କର ସ୍ନେହ ,ସମ୍ମାନ ଓ ଆଦର ଦେଖି ବହୁତ ଖୁସି ହୁଅନ୍ତି | ସେଥିପାଇଁ ସେ ଅଶୋକଙ୍କୁ ନେଇ ବହୁତ ଗର୍ବ ଅନୁଭବ କରନ୍ତି |ଅଶୋକଙ୍କର କବିତା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଉଛି ଏବଂ ତାଙ୍କୁ ସେଥିପାଇଁ ବହୁତ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି | ଅଜ୍ଞ ଓ ଅନିତା ମଧ୍ୟ ତାଙ୍କ ବାପାଙ୍କର କବିତାକୁ ନେଇ ତାଙ୍କ ସାଙ୍ଗ ମାନଙ୍କର ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ଶୁଣି ବହୁତ ଆନନ୍ଦିତ ହୁଅନ୍ତି ,ଘରେ ଆସି ମା ସୁଜାତାଙ୍କ ସବୁ କୁହନ୍ତି |ସେସବୁ ଶୁଣି ସୁଜାତା ଖୁସିରେ ଫୁଲି ଉଠନ୍ତି |ତାଙ୍କ ସାଙ୍ଗମାନେ ତାଙ୍କୁ ଅନେକ ସମୟରେ ଅଶୋକଙ୍କର କବିତାକୁ ନେଇ ସୁଜାତାଙ୍କ ଥଟ୍ଟା କରି କୁହନ୍ତି ଯେ ତାଙ୍କ କବିତା ସୁଜାତାଙ୍କର ସଉତୁଣୀ ବୋଲି | ତାକୁ ଶୁଣି ସୁଜାତା ହସିଦେଇ କୁହନ୍ତି ,''ଯାହା ହେଲେ ବି ମୋର ସେଇ ସଉତୁଣୀ ବହୁତ ସୁନ୍ଦର |ତାକୁ କେତେ କେତେ ଲୋକ ଭଲ ପାଉଛନ୍ତି ଦେଖୁନ |କିନ୍ତୁ ମୋ ଅଶୋକ ଆମ ଦୁଇ ଜଣଙ୍କୁ ସମାନ ଭାବରେ ଭଲ ପାଆନ୍ତି | କେବେ ପକ୍ଷପାତ କରନ୍ତି ନାହିଁ |''
କିନ୍ତୁ ଆଜି ସୁଜାତା ଏତେ ବିବ୍ରତ ହେବାର କାରଣ ହେଲା ଯେ ଏକ ମାତ୍ର ପତ୍ରିକା ଆଜି ପର୍ଯ୍ୟନ୍ତ ତାଙ୍କ ସ୍ୱାମୀ ଅଶୋକଙ୍କର କୌଣସି କବିତାକୁ ଉଚିତ ସମ୍ମାନ ଦେଇ ନାହିଁ | ଯଦିଓ ସେହି କବିତା ଗୁଡିକୁ ଅନ୍ୟ ସମସ୍ତେ ବହୁତ ସମ୍ମାନ ଦେଇଛନ୍ତି ଓ ଅଶୋକଙ୍କୁ ମଧ୍ୟ ସେଥିପାଇଁ ଅନେକ ପୁରସ୍କାର ମିଳିଛି |ଆଜି ସକାଳୁ ପୁଅ ଅଜ୍ଞ ସେହି ପତ୍ରିକାକୁ ନେଇ ବହୁତ କିଛି କହିଲା ଓ ଝିଅ ଅନିତା କହିଲା ମଧ୍ୟ |ସେମାନେ କହିଲେ ,''ମା,ତୁମେ ବାପାଙ୍କୁ କୁହ ସେଇ ପତ୍ରିକାକୁ ଆଉ ତାଙ୍କ କବିତା ପଠାଇବେ ନାହିଁ |ଯେଉଁଠି ଆଦର ଓ ସମ୍ମାନ ନାହିଁ ସେଠାରୁ ଦୂରରେ ରହିବ ଭଲ |'' ସୁଜାତାଙ୍କୁ ବି ଏଇ କଥାଟା ଠିକ ଲାଗିଲା | ସେ ଅଶୋକଙ୍କୁ କହିବାକୁ ଖାଲି ଏପଟ ସେପଟ ହେଉଛନ୍ତି |ଯେତେବେଳେ ଅଶୋକ ସୁଜାତାଙ୍କ ଚାହିଁ ଦେଖିଲେ , ଜାଣି ପାରିଲେ ତାଙ୍କ ସୁଜାତା କିଛି କହିବାକୁ ଚାହୁଁଛନ୍ତି | ସେ ନିଜ ଲେଖା ବନ୍ଦ କରି ସୁଜାତାଙ୍କ ପାଖକୁ ଡାକିଲେ ଓ ବସିବାକୁ କହିଲେ | ସୁଜାତା ବସୁ ବସୁ ଆରମ୍ଭ କରିଦେଲେ ,''ହେଇଟି ଶୁଣ,ଏଣିକି ତୁମେ ଆଉ ସେଇ ପତ୍ରିକାକୁ ତୁମ କବିତା ପଠାଇବି ନାହିଁ |ଏତେ ଦିନ ହେଇଗଲାଣି ସାରା ଦୁନିୟା ତୁମ କବିତାକୁ ଆଦର କରୁଛି ସମ୍ମାନ ଦେଉଛି କିନ୍ତୁ ଥରୁଟିଏ ସେମାନେ ତୁମ କବିତାକୁ ସମ୍ମାନ ବା ପୁରସ୍କାର ଦେବା ଛାଡ ତୁମକୁ ବା ତୁମ କବିତାକୁ ଟିକେ ପ୍ରଶଂସା ବି କରି ନାହାନ୍ତି | ଏଗୁଡ଼ାକ ଆମକୁ କାହାକୁ ମୋତେ ଭଲ ଲାଗୁ ନାହିଁ |''ଏତକ ଶୁଣି ଅଶୋକ ଟିକେ ହସି ଦେଲେ ଓ ସୁଜାତାଙ୍କ କହିଲେ .''ଶୁଣ ଏବେ | ମୁଁ ଯେଉଁ କବିତା ଲେଖୁଛି ,ସେଗୁଡିକ ମୋର ଭାବ ଯାହାକି ଶବ୍ଦର ରୂପ ନେଇ କବିତା ହେଇ ଯାଉଛି |ଯେମିତି ଗୋଟିଏ ନଈ ଯେତେବେଳେ ବହି ଚାଲିଥାଏ ,ସେ କେତେ ପାହାଡ଼ ,ଜଙ୍ଗଲ ,କଣ୍ଟା ,ଖାଲ ଓ ଢିପ ଦେଇ ବହି ଚାଲେ |ତାର ବିଭିନ୍ନ କୂଳରେ ବିଭିନ୍ନ ପ୍ରକାର ଲୋକ ନିଜ ନିଜର ସୁବିଧା ଓ ସ୍ୱାର୍ଥ ପାଇଁ ତାକୁ ବନ୍ଧା ଦେଇ ବାନ୍ଧିବାକୁ ଚେଷ୍ଟା କରନ୍ତି ,ତାକୁ ଜାଣି ଜାଣି ଅପରିଷ୍କାର ମଧ୍ୟ କରନ୍ତି କିନ୍ତୁ ସେଇ ନଈର ଧାର ବହି ଚାଲିଥାଏ | ସେହିପରି ଜଣେ କବିର କବିତା ତାର ଭାବରୁ ଜନ୍ମ | ତାକୁ କିଛି ଲୋକ ଚାହିଁବେ ନଷ୍ଟ କରିବାକୁ କିମ୍ବା ଅଟକାଇ ରଖିବାକୁ | ଯେମିତି ନଈର ଧାରକୁ କେହି ଚାହିଁଲେ ବି ଅଟକାଇ ପାରିବେ ନାହିଁ ବା ନଷ୍ଟ କରି ପାରିବେ ନାହିଁ ,ସେହି ପରି କବିର ଭାବ ଏକ ନଈର ଧାର | ତାକୁ କେହି କେବେ ନଷ୍ଟ କରି ପାରିବ ନାହିଁ କି ଅଟକାଇ ରଖି ପାରିବ ନାହିଁ |ନଈ ସମସ୍ତ ଜୀବ ମାନଙ୍କର ତୃଷ୍ଣା ତା ଜଳ ଦ୍ୱାରା ମେଣ୍ଟାଇ ଥାଏ ,ନଦୀ ସମସ୍ତଙ୍କୁ ସବୁବେଳେ କିଛି ନା କିଛି ଦେଇ ଚାଲିଥାଏ | ସେହିପରି ମୁଁ କବିତା ମାଧ୍ୟମରେ ମୋର ଭାବକୁ ସମସ୍ତଙ୍କ ସାଙ୍ଗରେ ବାଣ୍ଟି ସେମାଙ୍କର ମନ୍ତ୍ର ତୃଷ୍ଣା ମେଣ୍ଟାଇବା ସହିତ କିଛି ନା କିଛି ସମ୍ବାଦ ଦେବାକୁ ଚେଷ୍ଟା କରିଥାଏ | କାହାକୁ ଭଲ ଲାଗି ପରେ ବା କାହାକୁ ଭଲ ଲାଗି ନପାରେ କିନ୍ତୁ ମୁଁ ମୋର ବାଣ୍ଟିବାର କର୍ତ୍ତବ୍ୟ କେବେ ବନ୍ଦ କରିବା ଉଚିତ ହେବ ନାହିଁ | ତୁମେ ମାନେ ଖାଲି ବ୍ୟସ୍ତ ହୋଇ ପଡୁଛ |ମୋର ଭାବ ,ଏକ ନଈର ଧାର ,ସିଏ ଏମିତି କବିତା ହୋଇ ବହି ଚାଲିଥିବ |ତୁମେମାନେ ମନ କଷ୍ଟ ଆଦୌ କରନାହିଁ | ସମୟ ସବୁ ଠିକ କରିଦେବ |'' ସୁଜାତା ସବୁ ଶୁଣି ନିଜକୁ ଆଶ୍ୱସ୍ତ କଲେ ଓ ଭାବିଲେ ସତରେ ତାର ଅଶୋକ ଯାହା କହୁଛନ୍ତି ଭାବ,ଏକ ନଈର ଧାର ,ତାହା ସଂପୂଣ୍ଣ ଠିକ | ଟିକେ ହସିଦେଇ ସୁଜାତା ଉଠି ଚାଲିଗଲେ ଅଜ୍ଞ ଓ ଅନିତାଙ୍କୁ ବୁଝାଇବା ପାଇଁ |
