ବେଙ୍ଗ ବେଙ୍ଗୁଲି ଉପାଖ୍ୟାନ
ବେଙ୍ଗ ବେଙ୍ଗୁଲି ଉପାଖ୍ୟାନ
ଛନଛନିଆ ବେଙ୍ଗୁଲିଟା ଗେହ୍ଲେଇ ହେଇ ବେଙ୍ଗକୁ କହିଲା…
"ଆଜି ଦେଖିଲି ସେ ବଳୁଆ ହାତୀଟାକୁ।କେତେ ବଳିଷ୍ଠ ଦେହ ତାର !ପୁରିଲା ପୁରିଲା ଅବୟବ !!ଆଉ ଯେଉଁ ପାରିଲା ପଣିଆ ଠାଣି…ଓଃ…!!ମୋ ଦେହ କ'ଣ ହେଇଗଲାରେ ସତରେ…!!ହଇରେ ବେଙ୍ଗ…!!ତୁ ଟିକେ ନିଜ ଦେହ ଫୁଲେଇ ହାତୀ ପରି ପୁରିଲା ପୁରିଲା ହେଇ ଦିଶନ୍ତୁନି…!?ତୋତେ ମନ ଭରି ଗେଲ କରି ପକାନ୍ତିରେ…!!"
ଏତିକି କହି ଶିଉଳି ଉପରୁ ବେଙ୍ଗ ପାଖକୁ ଆଉଟିକେ ଲାଗିହେଇ ଆସିଲା ବେଙ୍ଗୁଲି।ସକାଳ ଖରାର ମଜା ନେଉ ନେଉ ବେଙ୍ଗୁଲି ପାଟିରୁ ଏକଥା ଶୁଣି ବେଙ୍ଗ ଚିହିଁକି ପଡି ଘୁଂଚିଯାଇ କହିଲା…
"ମୋ ଖୁଡ଼ୀ ନା ଏମିତିକା ଭୁଲଟେ କରିଥିଲେ।ତାଙ୍କ ପିଲାମାନେ ହାତୀକୁ ଦେଖି ଖୁସି ହେଲାରୁ ମା' ମନ ମାନିଲାନି।ନିଜ ପିଲାଙ୍କୁ ଟିକେ ଖୁସି ଦେବାକୁ ଯାଇ ପେଟକୁ ଫୁଲେଇ ଫୁଲେଇ ଜୀବନ ହାରିଲେ।ଆଉ ଶିଖେଇ ଦେଲେ…'ଯିଏ ଯାହା ବି କହୁ…ନିଜ ବୁଦ୍ଧି ଖଟେଇ କାମ କଲେ ଯାଇ ପୈତୃକ ପ୍ରାଣଟା ବଞ୍ଚି ରହିବ।'ତେଣୁ ମୁଁ ତୋ କଥାରେ ଭଳିଯାଇ ସେମିତି କିଛି କରିବିନି !!"
ବେଙ୍ଗୁଲି ଅଭିମାନ କରି କହିଲା…
"ପିଲାଙ୍କ ଖୁସି ପାଇଁ ଖୁଡ଼ୀ ଏତେ ସବୁ କଲେ ଆଉ ତୁ ମୋ ଖୁସି ପାଇଁ ଏତିକି ଟିକେ କରୁନୁ ?ପ୍ରେମ ପାଇଁ କିଏ କେତେ କଣ କରୁଛନ୍ତି। ତୁ ଖୁଡ଼ୀଙ୍କ ପରି ଏତେ ଫୁଲେନା ମ…ମୁଁ ତୋତେ ଅଳପ ଟିକେ ଫୁଲିବାକୁ କହୁଛି ନା…!!?? ମୋ ପରି ସୁନ୍ଦରୀ ପ୍ରେମିକାର ଖୁସି ପାଇଁ ତୋ ପରି ଟାଣୁଆ ମରଦଟା କ'ଣ ଏତିକି କରି ପାରିବନି..??"
ବେଙ୍ଗ ହସିଦେଇ କହିଲା…"ନାଇ ଲୋ ବେଙ୍ଗୁଲି…!!ତୋ ହନିଟ୍ରାପ ଭିତରକୁ ମୋର ଆସିବାର ନାହିଁ।ତୁ ତେଣିକି ମୋତେ ଭଲ ପା କି ନ ପା…ମୋର କିଛି ଅସୁବିଧା ନାହିଁ…!!ଆଉ ଖୁଡ଼ୀ ପରି ମୁଁ ହେଇ ପାରିବିନି…ମନେ ରଖିଥା ଲୋ…ମହୀ କ୍ଷଣ କ୍ଷଣକେ ଆନ…ବୁଝିଲୁ?"
ତା' ପରେ ବେଙ୍ଗ ଖପ୍ କରି ଆଉ ଗୋଟିଏ ପଥର ଉପରକୁ ଡେଇଁ ପଳେଇଲା…!!