STORYMIRROR

Lalita Mohan Mishra

Action Others

4  

Lalita Mohan Mishra

Action Others

ବାଉଁଶ ରାଣୀ

ବାଉଁଶ ରାଣୀ

2 mins
283


କେତେବେଳେ ଭୋକ ବନ୍ଧା ହୁଏ ବାଉଁଶ ଅଗରେ ତ କେତେବେଳେ ଏଇ ଭୋକ ବାଧ୍ୟ କରେ କେଇଟା ଟଙ୍କା ପାଇଁ ଖେଳ ଦେଖାଇବାକୁ । ଏ ଜୀବନ ଛଅଖଣ୍ଡ ବାଉଁଶର ସମାହାର । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ଦହଗଞ୍ଜ ହୁଏ । ସଂସାର ହାଟରେ, ଜୀବନ ବାଟରେ ଯେ ଯାହାର ଅଭିନୟ ସାରି ଅଫେରା ରାଇଜକୁ ଯିବାକୁ ହୁଏ । ଖେଳିବା, ବୁଲିବା, ଆଉ ପାଠ ପଢ଼ିବା ବୟସରେ ବିପଦ୍ଜନକ ଖେଳ ବାଉଁଶ ରାଣୀ । ସେହି ଖେଳ ଦେଖାଇ ଇ ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ପଡୁଛି ଅନୁକୁ । ଯେଉଁ ବୟସରେ ସାଙ୍ଗ ସାଥି ମେଳରେ ପାଠପଢା ସହ ଖେଳିବୁଲି ଦିନ କାଟିବାର ବେଳ, ସେହି ବୟସରେ ବାଉଁଶ ରାଣୀ ଖେଳ ଦେଖାଇ ଦୁଇ ପଇସା ରୋଜଗାର କରେ ଏହି ଛୋଟ ଝିଅଟି । କଅଁଳ ବୟସରେ ଦଉଡ଼ି ଉପରେ ଚାଲିବା ସହିତ ବିଭିନ୍ନ ପ୍ରକାର ଖେଳ କୌଶଳ ପ୍ରଦର୍ଶନ କରୁଛି । ସେ ଜାଣେ ନାହିଁ ଯେ ପ୍ରତି ମୁହୂର୍ତ୍ତରେ ତାର ଜୀବନ ପ୍ରତି ବିପଦ ଅଛି । ଦର୍ଶକଙ୍କ ତାଳିରେ ବିଭୋର ହୋଇପଡେ । ଦର୍ଶକଙ୍କ ପାଖରୁ ସାଉଁଟି ଆଣେ ପ୍ରଶଂସା, ହେଲେ ତା ତୁଳନାରେ ରୋଜଗାର ସେତିକି ହୁଏ ନାହିଁ। ସୀମିତ ରୋଜଗାର ଭିତରେ ଦୁଇ ବେଳା ପାଇଁ ଖାଦ୍ୟ, ପୋଷାକ ଏବଂ ଗୋଟିଏ ଜାଗାରୁ ଆଉ ଗୋଟିଏ ସ୍ଥାନକୁ ଯିବା ପାଇଁ ଗାଡ଼ି ଖର୍ଚ୍ଚ। ପୁଣି ବାପାର ଦେହ ପାଇଁ ଔଷଧ । ଏଭଳି ଜୀବନ ନେଇ ବାଉଁଶରାଣୀର ଖେଳ ଦେଖେଇ ଚାଲିଛି ଅନୁ। କଅଁଳ ବୟସରେ ନିଜ ଜୀବନକୁ ବାଜି ଲଗାଇ ପରିବାର ପ୍ରତିପୋଷଣ ପାଇଁ ବାପାଙ୍କ ବୋଝକୁ ନିଜ କାନ୍ଧରେ ଲଦି ବିଭିନ୍ନ ପ୍ରକାର ଦୁସାହସିକ ପଦକ୍ଷେପ ନେଇଛି। ଅନୁର ବାପା କୁହନ୍ତି - ସ୍କୁଲରେ ଝିଅର ନାମ ଲେଖାଇ ଅଛି। କରୋନା ହେତୁ ସ୍କୁଲ ବନ୍ଦ ଥିବାରୁ ଝିଅଟି ବାପାର ରୋଜଗାରର ସାହାରା ହୋଇଛି । ବାଉଁଶରାଣୀ ଖେଳ ଜୀବିକା ହେଲେ ମଧ୍ୟ ପାଠ ପ୍ରତି ଯଥେଷ୍ଟ ଆଗ୍ରହ ରହିଛି। ଆଗକୁ ଭଲ ପଢିବାକୁ ଆଶା ରଖିଛି ଝିଅଟି । ଅନ୍ୟ ଦିଗରେ ଏଭଳି କଳା କୌଶଳରେ ପରିପୂର୍ଣ୍ଣ ବିଭିନ୍ନ ଖେଳକୁ ଜୀବିକା ରୂପେ ଆପଣେଇ ରାସ୍ତା କଡ଼ରେ ଖେଳ ପ୍ରଦର୍ଶନ କରୁଥିବା ଏହି ବାରବୁଲା ଜାତି ଲୋକଙ୍କୁ ମନୋରଞ୍ଜନର ବେଶ୍‌ ଖୋରାକ ଯୋଗାଉଥିଲେ ମଧ୍ୟ ଧିରେଧିରେ ଏହା ଲୋପ ପାଇବାକୁ ବସିଲାଣି । ସତରେ ଖେଳିବାକୁ ଆଉ ଖେଳ ଦେଖିବାକୁ ଭାରି ମଜା ଲାଗେନା ? କିନ୍ତୁ ସବୁ ଖେଳ କ'ଣ ଆନନ୍ଦ ଦିଏ ? କିଛି ଖେଳ ପେଟ ର ଦାଉ ସହିବାକୁ ଖେଳା ଯାଏ, ତାହା ପୁଣି ମୃତ୍ୟୁ ସାଥିରେ ବନ୍ଧୁତା କରି । ଖେଳ ସରିଯାଏ, ସମସ୍ତେ ବିଦାୟ ନିଅନ୍ତି, କିଏ ଟଙ୍କାଟିଏ ଦିଏ ତ କିଏ ପାଞ୍ଚଟଙ୍କା ଟେ ବଢ଼େଇ ଦେଇ ଯାଆନ୍ତି ସେ କୁନି କଣ୍ଢେଇଟିର ହାତରେ । ସେ ହସିଦିଏ, ସତରେ ସେ ଅଲରା କେଶ ଶୁଷ୍କ ମୁହଁ ଭିତରୁ ତାର ସେ ଧାରେ ହସ ଟା କେତେ ମଧୁର ! ସେ ସରୁ ଦଉଡ଼ି ଟା ଉପରେ ବାଉଁଶ ଟା ଧରି ଭାରସାମ୍ୟ ରକ୍ଷା କରି ଯେତେବେଳେ ଚାଲେ, ପରୋକ୍ଷ ରେ ସୁଚେଇ ଦିଏ- ଇଏ ପରା ସଂସାର ଦଉଡ଼ି । ଏଠି ଅନେକ ଝଡ଼ ଆସେ । ପ୍ରତିବନ୍ଧକ ଆସେ । ବିପଦ ଆସେ ଆଉ ମୃତ୍ୟୁ ବି ବେଳେବେଳେ ହାତ ଠାରି ଡାକେ କିନ୍ତୁ ଆମେ ସେଇଭଳି ଚାଲିବା ଯେମିତି ମୁଁ ଚାଲୁଛି । ସବୁ ଆଡକୁ ଭାରସାମ୍ୟ ରକ୍ଷାକରି । ଲୋକେ ନିନ୍ଦା ବି କରିବେ ଆଉ ପ୍ରଶଂସା ବି କରିବେ । ବାଃ ବାଃ କରିବେ ପୁଣି ତାତ୍ସଲ୍ୟ କରିବେ । କିନ୍ତୁ ସୁଖ ବେଳେ ଅତ୍ୟାଧିକ ଖୁସି ହୋଇ ଆମେ ଆମର କର୍ତ୍ତବ୍ୟ ଭୁଲି ଯିବାନି, କି ଦୁଃଖ ବେଳେ ବିଚଳିତ ହୋଇ ଜୀବନ ହାରି ଦେବାନି। ବେଳ ବୁଡି ସଂଜ ହେଇଗଲେ ବାଉଁଶ ରାଣୀ ହଜିଯାଏ ତା ସେହି ଛୋଟ କୁଡିଆ ଭିତରେ ଆଉ ଦର୍ଶକ ଫେରି ଯାଆନ୍ତି ତାଙ୍କ ଘରକୁ । କିଏ ତାକୁ ଭୁଲିଯାଏ, ଆଉ କିଏ ତାର ଦୁଃସାହସିକ ଖେଳ କୁ ଜୀବନ ସାରା ମନେ ରଖେ ? ଏଇତ ବାଉଁଶ ରାଣୀ ର ଜୀବନ କାହାଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action