STORYMIRROR

Sunanda Mohanty

Thriller Others Children

4  

Sunanda Mohanty

Thriller Others Children

ବାପାଙ୍କ ପ୍ରେମିକା

ବାପାଙ୍କ ପ୍ରେମିକା

3 mins
22

ଗାଁରେ ବାପାଙ୍କ ଛାତି ଫଟାଇ ବୋଉ ତାର ଅନ୍ତିମ ଇଛାଟାକୁ ହାସଲ କରିନେଇ ମଶାଣୀ ଗଲା ପରେ, ବାପାଙ୍କ ସେଇ ଚଉଡା ଛାତିଟା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଇଥିଲା. ବିକଳରେ ଆମେ ତିନି ଭଉଣୀ ବାପାଙ୍କ ସେହି ଚଉଡା ଉପତ୍ୟକା ଭଳି ଘଞ୍ଚ ଅରଣ୍ୟ ପରି ଛାତିରେ ଆଉଜି ପଡି ମାତୃହରା କଷ୍ଟରୁ ରକ୍ଷା ପାଇବାକୁ ଭାବି ଲୋଟି ପଡ଼ିବାକୁ ଦେଉନଥିଲେ ବାପା.ବାପାଙ୍କ ସବୁଦିନିଆ ଛାତି ଯାହା ଆମ ପାଇଁ ଛାତ ଥିଲା, ଲୋଟିପଡିବାକୁ ଯାଇ ପାରିନଥିଲୁ. ବାପାଙ୍କ ବୁକୁଫଟା ଛତିଥରା ଦୀର୍ଘାନିଶ୍ୱାସରେ ପେଷି ହେବାକୁ ନଦେଇ ବାପା ଆଉଜେଇ ନେଇଥିଲେ ତାଙ୍କ ବାହୁରେ ଆମ ତିନି ଭଉଣୀଙ୍କୁ. ବାପାଙ୍କ ଛାତ ରୂପୀ ଛାତିଟା କଣ ସବୁଦିନ ପାଇଁ ବୋଉର ସ୍ମୃତି ବହନ କରି ନିର୍ବାସିତର ବିଳାପ କରିଚାଲିଥିବାର ଆଶଙ୍କା, ଭୀତି ଆମ ତିନିଭଉଣୀଙ୍କୁ ଅତିଷ୍ଠ କରୁଥିଲା. ବଡ ଅପା ଏଭିତରେ ବାହା ହୋଇ ଗଲାଣି. ଆମେ ଦୁଇ ଭଉଣୀ ଯେତେ ଭଲପଢିଲେ ଓ ଖେଳ, ନାଚ, ଗୀତ, ତର୍କ, ଡ୍ରାମା, ରଚନା ଓ ପତ୍ର ଲିଖନରେ ସୁନାମ ଆଣିଥିଲେ ମଧ୍ୟ ବାପାଙ୍କ ଛାତି ଛାତ ହୋଇ ରହିଥିଲେ ବି ନିଷିଦ୍ଧ ଇଲାକା ପାଲଟି ଯାଇଥିଲା ଯେମିତି. ତିନି ତିନିଟା ଝିଅର ମାଆ ବୋଉ କେବେବି ଏକାନ୍ତ ସମୟଟିଏ ନିଜ ପାଇଁ ସାଉଁଟି ନେଇ ବାପାଙ୍କ ପ୍ରଶସ୍ତ ଛାତିର ଘଞ୍ଚ ଅରଣ୍ୟ ଭିତରେ ଆଖି ମୁଜିଦେଇଥିବ ଘଡିଏ ବୋଲି ବିଶ୍ୱାସ ଦୂରର କଥା କଳ୍ପନାରେ ବି ଆସୁନଥିଲା ତିନି ଝିଅଙ୍କୁ କିନ୍ତୁ ଦ୍ୱିତୀୟ ଅପା ବାହାଘର ଦିନ ବିଦାୟ ବେଳାରେ ଛାତ ରୂପକ ନିର୍ଭୟ ଆଶ୍ରୟ ବାପାଙ୍କ ଛାତିରେ ଲୋଟିବାକୁ ଯାଇ ବି ପାରିନଥିଲା ସେ . ମୋର ସନ୍ଦେହ ହେଉଥିଲା ବାପା ଦୁଇଭଉଣୀଙ୍କୁ ପର କରିଦେବା ଭଳି ମତେ ବି ପର କରିଦେବେନିତ?ରାତିରେ ସ୍ବପ୍ନ ଦେଖୁଥିଲି ପିଲାଦିନେ ଅଝଟ ପଣ ଭାଙ୍ଗିବାକୁ ଯାଇ, ଦୁଇ ଅପାଙ୍କ ପରେ ସବୁଠୁ ସାନ ହେଇଥିବାରୁ ଦିନ ଦିନ ରାତି ରାତି ବାପାଙ୍କ ଛାତିରେ ମୋ ସ୍ଥାନ. ସବୁ ଅଝଟ, ଅଳି, ଅର୍ଦ୍ଦଳି, ସେ ଛାତିରେ କୁଆଡେ ବିଲୀନ ହୋଇଯାଏ କେଜାଣି!ବଡ଼ ହେଲା ପରେ ବି ଜାଣି ଜାଣି କେତେ ଥର ଅଝଟ ହେଇଛି କେବଳ ସେଇ ଛାତିର ସ୍ପର୍ଶରେ ସ୍ୱର୍ଗ ସୁଖ ପାଇବାକୁ. ଦୁଇ ଭଉଣୀ ବି ଢେର ଚିଡ଼ାନ୍ତି, ବେଶି ଗେଲବସର ଦେଖାଉଛି କହି.   

  ଚେଷ୍ଟା ଜାରି ରଖି ସଫଳତା ଶିଖରରେ ଚଢି ପାରିଲେ ହୁଏତ ମୁଣ୍ଡ ଗୁଞ୍ଜି ଦେଇ ପାରିବି ସେହି ନିର୍ଭୟ ଆଶ୍ରୟସ୍ଥଳ ଛାତ ସଦୃଶ ବାପାଙ୍କ ଛାତିରେ ବୋଲି, ପାଠ ପଢି ,ଓ ଇ ଏସ ପାଇଲି, କବିତା ଗଳ୍ପ ଲେଖି, ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି କଲି, ଓଡିଶୀ ନାଚି ପ୍ରସଂଶିତ ହେବା ସହ ଚାକିରୀ ବି କଲି, ହେଲେ ସେ ନିଶିଦ୍ଧ ଇଲାକାର କବାଟ ଖୋଲି ପାରିଲିନି. ଯୋଉ ଦିନ ଅପାମାନଙ୍କ ଭଳି ବାପାଙ୍କୁ ଏକୁଟିଆ କରି ଆସିଲି ସେଦିନ ବି ବାପା ମୋ ହାତ ଧରି କାରର ଡୋର ଖୋଲି ଜୋର କରି ବସାଇଦେଇଥିଲେ ଆଦିତ୍ୟଙ୍କ ପାଖରେ ଠିକ ଅପାମାନଙ୍କୁ ବସାଇଲା ଭଳି ଭିଣୋଇମାନଙ୍କ ପାଖରେ.ଦଶହରାରେ ଗାଁକୁ ଆସିଥାଏ ମୁଁ ମୋ ଝିଅ ସହ ଓ ମୋ ଝିଅକୁ ବାପା ଛାତିରେ ଭିଡ଼ିଧରି ଗେଲ କରୁଥିବା ଦୃଶ୍ୟ ଓ ମୋ ଝିଅ ତାଙ୍କ ଜଙ୍ଗଲୀ ଛାତିର ଲୋମସବୁକୁ ପୁଳା ପୁଳା ଘାସ ଓପାଡିବା ପରି ଦୃଶ୍ୟ ଖାଲି ମତେ ନୁହେଁ ଆମ ତିନି ଭଉଣୀଙ୍କୁ ଚମତ୍କାର ଲାଗିବା ସହ ବାପାଙ୍କୁ ତାଙ୍କ ପ୍ରେମିକା ମିଳିଗଲା ଭାବି ଚମତ୍କୃତ ହେଇ ହଜିଯାଇ ଖୋଜୁଥିଲୁ ଅତୀତକୁ.କଳ୍ପନାରେ ହାତେ ଓଢଣା ଭିତରେ ନାକ କାନ୍ଦୁରୀ ବୋଉଟା ଭାରି ସୁନ୍ଦର ଦିଶୁଥିଲା ଯେମିତି.ଆଜି ଏତେ ଦିନ ପରେ ବୋଉ ଯିବା ପରେ ବାପା ହସରେ ଫାଟି ପଡୁଥିଲେ ଓ ସେ ହସ ସଂକ୍ରମିତ ହେଉଥିଲା ପରିବାରର ଅନ୍ୟମାନଙ୍କୁ।ନାତୁଣୀକୁ ଧରି ବାପା ଖୁସିରେ ଆତ୍ମହରା ହେବା ଦୃଶ୍ୟରେ ଆସନ୍ନପ୍ରସବା ଅପା ଦୁହେଁ ଭବିଷ୍ୟତର ସୁନେଲି ସ୍ବପ୍ନରେ ବିଭୋର ହେଉଥିଲା ବେଳେ ବାପା ମୋ ଝିଅକୁ ପଦ୍ମକୁମାରୀ କହି ଖେଳି ଚାଲିଥିଲେ ତା ସହ ଆଉ କହୁଥିଲେ ନାତୁଣୀଟା ମୋର ଠିକ ସୁକାନ୍ତି ପରି ଦିଶୁଛି. ମୁଁ କହୁଥିଲି ବୋଉ ମୋର ଦେବୀ ଥିଲା ବୋଲି ତୁମକୁ ନାତୁଣୀ ମୋ ବୋଉ ମୁହଁ ପରି ଦିଶୁଛି.ବାପା ବିମର୍ଷ ହୋଇଯାଉ ଯାଉ କହୁଥିଲେ ବୋଉ ତୋର ଦେବୀ ନହୋଇଥିଲେ ମତେ ବସେଇ ସଧବା ସିନ୍ଦୁର ପିନ୍ଧି ଚାଲିଯାଇନଥାନ୍ତା. ମୋ ଭିତରୁ କିଏ କହୁଥିଲା ଯେମିତି ନାତୁଣୀକୁ ଚିମୁଟି କନ୍ଦେଇ ଦେଇଥିଲି ମୁଁ କେବଳ ବାପାଙ୍କୁ ପ୍ରକୃସ୍ଥିତ କରାଇ ହସେଇବାକୁ ।



Rate this content
Log in

Similar oriya story from Thriller