ବାନ୍ଧବୀଘରେ ଦୁଇଦିନର ଅନୁଭୂତି
ବାନ୍ଧବୀଘରେ ଦୁଇଦିନର ଅନୁଭୂତି
ସାଙ୍ଗସାଥି ସହ ସମୟ ବିତାଇବା ଯେତିକି ମଧୁର ସେତିକି ଖୁସି ମିଳିଥିଲା ମୋତେ ଜଣେ ବାନ୍ଧବୀଙ୍କ ଘରେ ଦୁଇଦିନ ବିତାଇବା । ମୁଁ ବନ୍ଧୁତାକୁ ବହୁତ ପସନ୍ଦ କରେ ମାତ୍ର ଗର୍ବୀ, ଅହଂକାରୀଙ୍କ ସହ ମିଶିପାରେନି । ଯୁକ୍ତ ଦୁଇ ପଢିବା ସମୟରେ ଖୁବ କମ ଝିଅଙ୍କ ସହ ମୋର ବନ୍ଧୁତ୍ୱ ଦୃଢ଼ ଥାଏ ।ସେମାନଙ୍କ ମଧ୍ୟରୁ କମଳିନୀ ଆଉ କାମିନୀ ଅନ୍ୟତମ । ସେମାନଙ୍କ ଘର ନିପଟ ଗ୍ରାମରେ । ହୃଦୟ କିନ୍ତୁ ବହୁତ ନିର୍ମଳ ।
ଆମ ଓଡ଼ିଶା ତ ମଧୁର ସଂସ୍କୃତିର ଗନ୍ତାଘର ।ବାରମାସରେ ତେର ପର୍ବ ଅନୁଷ୍ଠିତ ହୁଏ ।ଅନେକ ଥର ସେ ଦୁହେଁ ସେମାନଙ୍କ ଘରକୁ ମୋତେ ଡାକନ୍ତି କିନ୍ତୁ ମୁଁ ଯାଇପାରେନା । ଦଣ୍ଡ ଯାତ୍ରା ଆମର ତ ଏକ ମଧୁର ପରମ୍ପରା । ତାଙ୍କ ଗ୍ରାମରେ ଦଣ୍ଡଯାତ୍ରା ଦେଖିବା ପାଇଁ ମୋତେ ଦୁହେଁ ବାଧ୍ୟ କଲେ । ମୁଁ ଘରୁ ଅନୁମତି ନେଇ ଦୁଇଦିନ ପାଇଁ ତାଙ୍କ ଘରକୁ ଯାଇଥିଲି ।ତାଙ୍କର ବାପା ଅନ୍ୟରାଜ୍ୟରେ କାମ କରନ୍ତି । ଘରେ ତାଙ୍କର ବୋଉ, ସାନ ଭାଇ ଓ ଭଉଣୀ ରୁହନ୍ତି । ମାଉସୀ ଭାରି ସ୍ନେହୀ । ଖୁବ ଆଦର କଲେ । ତାଙ୍କ ଘରେ ଖାଇଦେଇ ଟିକିଏ ତାଙ୍କ ଗ୍ରାମରେ ବୁଲିଲୁ ।ସାଇ ପଡୋଶୀ ତାଙ୍କର ସାଙ୍ଗ ଆସିଛି ଜାଣି ଖୁସି ହେଲେ । ରାତ୍ରିରେ ଦଣ୍ଡଯାତ୍ରା ।ଏମିତି ରେ ମୋର ଯାତ୍ରା ଦେଖିବା ପସନ୍ଦ ନୁହେଁ , ତଥାପି ଆମେ ତାଙ୍କ ବାରଣ୍ଡାରେ ବସି ସାରା ରାତି ଯାତ୍ରା ଦେଖିଲୁ ।ଅବଶ୍ୟ ଯାତ୍ରାର ସଂଳାପ ଶୁଣି ଆନେକ କମେଣ୍ଟ କଲୁ ।ଏଥିପାଇଁ ପାଖରେ ବସିଥିବା ବୟସ୍କ ସ୍ତ୍ରୀ ଲୋକ ବହୁତ ଗାଳି ଦେଲେ । ତାପରେ ଚୁପ ହୋଇ ଅନିଚ୍ଛାରେ ଯାତ୍ରା ଦେଖିଲୁ । ସକାଳେ ଦାନ୍ତ କାଠିରେ ଦାନ୍ତ ଘସିଲି ଏବଂ ସାଙ୍ଗ ସହ ପୋଖରୀକୁ ଗାଧେଇବାକୁ ଗଲି । ଆଗରୁ କେବେ ପୋଖରୀରେ ଗାଧୋଇବାର ଅଭ୍ୟାସ ମୋର ନଥାଏ । ଲୁଗା ବଦଳିବାରେ ଖୁବ ଲାଜ ଲାଗୁଥାଏ । ସେ ଯାହା ବି ହେଉ ସାଂଗର ସହାୟତାରେ ଲୁଗାକୁ ପୂର୍ବେ ମାତାଜି ବାବାଜୀ ପିନ୍ଧିବା ପରି ବେକର ବାନ୍ଧି ଡ୍ରେସ ସଫା କରି ପୋଖରୀରେ ଡରି ଡରି ଗାଧୋଇଲି । ଆସି ପଖାଳ ଭାତକୁ ଆଳୁ ଭଜା ଖାଇ ନିଘୋଡ଼ ନିଦରେ ଶୋଇଗଲୁ ।ଉଠିବା ବେଳକୁ ପ୍ରାୟ ଅପରାହ୍ନ। ପୁଣି ଖାଇଦେଇ ଟିକିଏ ବୁଲାବୁଲି ସାରିଲୁ । ସନ୍ଧ୍ୟାରେ ତାଙ୍କର ପଡିଶା ଘରେ ଜଣେ ଦିଦିଙ୍କ ସହ କିଛି ସମୟ ବିତାଇଲୁ ।ଖାଇପିଇ ରାତ୍ରି ଯାପନ ପରେ ସକାଳୁ କାମିନୀ ପାଖ ଗାଁ ର ହେଇଥିବାରୁ କମଳିନୀ ଘରକୁ ଆସିଲା । ସେଠାରୁ ଭେଟେଶ୍ୱର ମହାଦେବଙ୍କ ଦର୍ଶନରେ ବାହାରିଲୁ । ଦର୍ଶନ ସାରି ତାଙ୍କ ଘର ଲୋକଙ୍କଠାରୁ ବିଦାୟ ନେଇ ଘରକୁ ବାହାରିଲି ।କମଳିନୀ ଆଉ କାମିନୀ ଦୁହେଁ ମୋତେ ଆଣି ଘରେ ଛାଡ଼ିଦେଇ ଗଲେ ।
ସେ ଦୁଇଦିନର ଅନୁଭୂତି ଥିଲା ନିଆରା । ଗ୍ରାମୀଣ ଜୀବନ ଶୈଳୀରେ ଥିବା ଶାନ୍ତି ଅନୁଭବ କରିଥିଲି ।ସେମାନଙ୍କ ସରଳ ଜୀବନଯାପନ ମୋତେ ବହୁତ ଭଲ ଲାଗିଥିଲା । ପୋଖରୀରେ ଗାଧୋଇବା, ପଡ଼ିଆରେ ମଳତ୍ୟାଗ କରିବା ଯଦିଓ ମୋର ଅଭ୍ୟାସ ନଥିଲା କରିବାକୁ ପଡ଼ିଥିଲେ ବି ମୋତେ ବିଶେଷ ଅସୁବିଧା ହେଇନଥିଲା ।
ଯୁକ୍ତ ଦୁଇ ସରିବା ପରେ ଆଉ ଭେଟ ହୋଇନି ଆମର ।ସେତେବେଳେ ତାଙ୍କ ଘରେ ମୋବାଇଲ ନଥିବାରୁ ନମ୍ବର ବି ଜାଣେନି ମୁଁ କିନ୍ତୁ ସେ ଦୁଇଦିନର ଆତ୍ମୀୟତା ମୋ ହୃଦୟରେ ସବୁଦିନ ପାଇଁ ସଞ୍ଚିତ କରି ରଖିଚି ।ଆଉ ସାରା ଜୀବନ ରହିଥିବ ସେ ସ୍ମୃତି । ସେ ହୁଏତ ଏବେ ବିବାହ କରିସାରିଥିବ । ମୁଁ ଭଗବାନଙ୍କୁ ଡାକୁଛି ତାହାର ଜୀବନ ଖୁସିପୂର୍ଣ୍ଣ ରହିଥାଉ । ଆଉ ଆମର ଭେଟ ପୁଣିଥରେ ହେଉ । ସତରେ ବନ୍ଧୁତା ସଂସାରର ସବୁଠାରୁ ସୁନ୍ଦର ସମ୍ପର୍କଟିଏ । ଏମିତି ସମୟ ବିତାଇ ଥିବାରୁ ମୁଁ ନିଜକୁ ଧନ୍ୟ ମନେକରେ । ସେ ଦୁଇଦିନର ଅନୁଭୂତି ଥିଲା ଖୁବ ଖୁସିପୁର୍ଣ୍ଣ ଏବଂ ଶାନ୍ତି ସନ୍ତୋଷ ପୂର୍ଣ୍ଣ ।