ବାଘୁଣୀ ମାତିଛି
ବାଘୁଣୀ ମାତିଛି


ଏଇ କେତେ ଦିନ ହେଲା କଣ ହେଇଛି କେଜାଣି , ଭାରି ଭୟ ଲାଗୁଛି ......ତଣ୍ଟି ପାଟି ଶୁଖି ଯାଉଛି । ବେଳେବେଳେ ଜୀବନଟା ଅଛି କି ନାହିଁ ଭାବିବାକୁ ପଡୁଛି । ଯେଉଁଦିନୁ ଏଇ ଛୋଟିଆ ଜଙ୍ଗଲରେ ବୁଧନାର ମଲା ଦେହ ଟା ମିଳିଛି । ହେଲେ ତା ପରି ହଟ୍ଟା କଟ୍ଟା ମର୍ଦ୍ ଟା ମଲା କେମିତି ???
ମୁଣ୍ଡିଆ ଆଡକୁ ଚାହିଁଲା ସମାରୁ । ସୂର୍ଯ୍ୟ ବୁଡିଯିବେ ଆଉ କେଇ କ୍ଷଣ ପରେ । ଆଜି ଅମାବାସ୍ୟା । ଜଙ୍ଗଲରେ ଅନ୍ଧକାର ଆହୁରି ଗାଢ଼ । ଏତିକି ବେଳେ ତା ଆଖି ପଡ଼ିଲା ସାମ୍ନାରୁ ବାଟ ଭାଙ୍ଗି ଚାଲି ଯାଉଥିବା ମରୁଆ ଉପରେ ।
--- ଆରେ ଏ ମରୁଆ!! ,ରହ ତ ଟିକେ ।
--- କାଇଁ କରି ରହମି ?
---- ତୁଇ ସବୁବେଲେ ଛିଟକି ଯାଉଛୁ କାଏନ କରି ? ମୁଇଁ କେତେ କରି ଭଲ ପାଏସି ତତେ ଇ କଥା ତୁଇ ନାଇଁ ଜାନୁ କାଏନ ?
--- ହେତକି ନେ ରୁକ । ତୋର ସବୁ ନସର ପସର କଥା ମକେ ଜନା । ତୋର ବାଟେ ବାଟେ ଜିମୁଁ ନା ଦେଖମୁଁ ........
ଜୀବନ ବିକଳରେ ଜାଗା ଛାଡି ପଳେଇ ଗଲା ସମାରୁ ।
ଏଇ ଝିଅଟାକୁ କେତେ ଥର ପଟେଇବାକୁ , ନିଜ ଫାନ୍ଦରେ ପକେଇବାକୁ ଚେଷ୍ଟା କରିଛି ହେଲେ ସବୁଥର ବିଫଳ ।
ସାରା ବସ୍ତିରେ ଆଖିଦୃଶିଆ ଝିଅଟିଏ ମରୁଆ । ସାଧାରଣ ଆଦିବାସି ଝିଅଙ୍କ ଠାରୁ ସଫା , ଡେଙ୍ଗା ଆଉ ସୁନ୍ଦର ଗଢଣର । ସବୁଠୁ ସୁନ୍ଦର ତାର ବଡ଼ ବଡ଼ ଆଖି ଦୁଇଟି । ଗଛପତ୍ର , ପଶୁପକ୍ଷୀ , ସାଇଭାଇ ସମସ୍ତଙ୍କ ପାଇଁ ସେ ଆଖିରୁ ସ୍ନେହ ,ପ୍ରେମ ଝରୁଥିଲା ବେଳେ ସମାରୁ କୁ ଲାଗେ ତାକୁ ଦେଖିଲା ମାତ୍ରେ ସେ ଆଖି ଦୁଇଟିରେ ଅଗ୍ନି ସଂଯୋଗ ହୁଏ । ସମାରୁର ଦେହ ପୋଡି ଜଳି ଯାଏ ଅଦୃଶ୍ୟ ତାପରେ ।
ଏଇ ଝିଅଟାକୁ କଣ୍ଟ୍ରାକ୍ଟର ବାବୁ କେତେଥର କହଲାଣି ତା ପାଖକୁ ନେଇ ଗଲେ ତାକୁ ଦି ବୋତଲ ମଦ ଆଉ ବକ୍ସିସ ଦେବ ହେଲେ ହଉଛି କୋଉଠୁ ? ଏ ଝିଅଟା କି ଧାତୁରେ ଗଢା କେଜାଣି କଥା କହିଲେ ଖୁର ଚାଲୁଛି ।
ଧୀରେ ଧୀରେ ଅନ୍ଧାର ପାଖେଇ ଆସିଲା ।ସମାରୁ ଚଞ୍ଚଳ ଚଞ୍ଚଳ ଘରମୁହାଁ ହେଲା । ଏଇ କେଇଦିନ ତଳେ ବୁଧନାର ଶବ ଜଙ୍ଗଲରେ ମିଳିଛି । ସମସ୍ତେ କହୁଛନ୍ତି ଜଙ୍ଗଲରେ ବାଘ ମାତିଛି । ତେଣୁ ରାତିରେ କେହି ବାହାରେ ରହୁ ନାହାନ୍ତି । ଆପେ ବଂଚିଲେ ବାପର ନାଁ ଭାବି ସମାରୁ ଧାଇଁଲା ।
ଦକବଙ୍ଗଳା ପାଖ ରାସ୍ତା କଡରେ ଜଙ୍ଗଲ ଟିକେ ପତଳା । ଗତି ଟିକେ କମାଇଲା ସମାରୁ । ହଠାତ କିଛି ଶବ୍ଦ କାନରେ ପଡିଲା । ଅସ୍ପଷ୍ଟ ଗଁ ଗଁ ଶବ୍ଦ । ଏତେବେଳେ ଏଠି କିଏ ?? କାନେଇଲା । ବଙ୍ଗଳା ଭିତରୁ ଆସୁଛି ଏ ଶବ୍ଦ । ଉତ୍ସୁକତା ହେତୁ ଆସ୍ତେ ଆସ୍ତେ ଭିତରକୁ ପାଦ ପକାଇଲା । ଶବ୍ଦ କ୍ରମଶଃ ଅଧିକ ହେଉଥାଏ । ଭିତରକୁ ଯାଉ ଯାଉ ଅଟକି ଗଲା ସମାରୁ ଭିତର ଦୃଶ୍ୟ ଦେଖି । ବୈଠକଖାନାର ମଝିରେ ହାତ ଗୋଡ଼ ବନ୍ଧା ଅର୍ଦ୍ଧ ନଗ୍ନ ଝିଅଟିଏ ତଳେ ପଡିଛି , ପାଟିରେ ଠୁସା ହେଇଛି କପଡା । ମଦ ନିଶାରେ ଚୁର କଣ୍ଟ୍ରାକ୍ଟର ର ଦୁଇ ଭଡାଟିଆ ଗୁଣ୍ଡା ସେମାନଙ୍କର ପୁରୁଷ ପଣିଆ ଜାହିର କରିବାକୁ ଲାଗି ପଡିଛନ୍ତି ନିରୀହା ଝିଅ ଟି ଉପରେ ।
ଆରେ ଇଏତ ସମ୍ବାରି !!! କାଲି ୟାକୁ ସହରରେ କାମ କରେଇ ଦେବ ବୋଲି କଣ୍ଟ୍ରାକ୍ଟର ପାଖରେ ଛାଡି ଯାଇଥିଲା ।
ସମ୍ବାରି ର ନଜର ତା ଉପରେ ପଡିବା ଆଗରୁ ସମାରୁ ବୁଲିପଡ଼ି ଚାଲିଯିବାକୁ ବାହାରିଲା ହେଲେ, ଆଖି ସାମ୍ନାରେ ମରୁଆକୁ ଦେଖି ଭୁତ ଦେଖିଲା ପରି ଚମକି ପଡିଲା । ପାଦ ଦୁଇଟି ଯେପରି ଚଲତଶକ୍ତି ହୀନ ହୋଇ ପଡିଲେ । " ତୋର କଥା ବୁଝୁଛେ ପରେ '" କହି ହିଂସ୍ର ବାଘୁଣୀ ପରି ଭିତରକୁ ଧାଇଁ ଗଲା ମରୁଆ । ଆଖି ପିଛୁଳାକେ ଧରିଥିବା ଠେଙ୍ଗାରେ ପ୍ରହାର କରିଚାଳିଲା ଗୁଣ୍ଡା ଦୁଇ ଜଣଙ୍କୁ । ଅତର୍କିତ ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲେ ସେ ଦୁଇଜଣ । ଅସ୍ତବ୍ୟସ୍ତ ହୋଇ ପଡିଲେ ଦୁହେଁ ।
ଏଇ ସୁଯୋଗରେ ସମ୍ବାରିକୁ ମୁକୁଳାଇ ନେଲା ମରୁଆ । ହେଲେ ସମ୍ବାରି ବନ୍ଧନମୁକ୍ତ ହେଉହେଉ ମରୁଆ କୁ ଅକ୍ତିଆର କରି ନେଲେ ଦୁହେଁ । ତଳେ ପକାଇ ହାତ ଗୋଡ଼କୁ ମାଡି ବସିଲେ । କିଛି ସମୟ ପ୍ରତିରୋଧ କରୁ କରୁ ମରୁଆର ବଳ ଦୁଇ ଅସୁରଙ୍କ ପାଖରେ କମ ପଡିଲା କି ସେ ଜାଣିଶୁଣି ନିସ୍ତେଜ ହେବାର ଅଭିନୟ କଲା ତାହା ତାକୁ ହିଁ ଜଣା ।
ସାମାନ୍ୟ ପ୍ରସ୍ତୁତି ନେଇ ହଠାତ ମରୁଆ ସବୁ ବଲ ସଞ୍ଚୟ କରି ପଦାଘାତ କଲା ସାମ୍ନା ଜଣକୁ । ଛିଟକି ପଡିଲା ଗୁଣ୍ଡା ଜଣକ ଖଣ୍ଡେ ଦୂରରେ ।ହାତ ଧରିଥିବା ଜଣକୁ ଆଣ୍ଠୁରେ ଆଘାତ କରି ତଳେ ପକାଇ ଦେଲା ଓ ଲମ୍ଫ ଦେଇ ବସି ପଡ଼ିଲା ତା ଉପରେ । କ୍ଷିପ୍ର ଗତିରେ କଟି ଦେଶରେ ଥିବା କ୍ଷୁଦ୍ର ଛୁରୀକା ବାହାର କରି ସମସ୍ତ ଶକ୍ତି ଖଟାଇ ଆଘାତ କଲା ତାର ପୁରୁଷାଙ୍ଗ ରେ । ଯନ୍ତ୍ରଣା ରେ ଚିତ୍କାର କରି ଉଠିଲା ସେ ଜଣକ । ସଙ୍ଗୀର ଏ ଅବସ୍ଥା ଦେଖି ଆର ଜଣକ ପଳାୟନ କଲାବେଳକୁ ଗୋଡ଼କୁ ମାଡି ବସିଲା ସମ୍ବାରି । ଏଥର ମରୁଆର ଦ୍ୱିତୀୟ ଶିକାର ସେ ।
ଭୟଭୀତ ହୋଇ ପଡ଼ିଥିଲା ସମାରୁ ମରୁଆର ଉଗ୍ର ରୂପ ଦେଖି । ତେବେ ବୁଧନାର ଚରମ ପରିଣତି ମରୁଆ କୃତ ............। ରହସ୍ୟଜନକ ଭାବେ ପୁରୁଷାଙ୍ଗ ନଥିଲା ଶବରେ । ସମାରୁ ନିଷ୍କ୍ରିୟ ହୋଇ ପଡୁଥଲ ମରୁଆ ଜ୍ୱଳନ୍ତ ଆଖିର ଶିଖାରେ ।ତାକୁ ଲାଗିଲା ପୀଡିତା ସବୁ ଝିଅଙ୍କ ର ଅପମାନ , ଯାତନା ,ଘୃଣା ସବୁକିଛି ଉକୁଟି ଉଠୁଛି ସେଇ ଯୋଡିଏ ଚକ୍ଷୁରେ । ସାରା ବସ୍ତିର ଝିଅ ଯେମିତି ପ୍ରତିବାଦ , ବିଦ୍ରୋହ କରୁଛନ୍ତି ମରୁଆ ମାଧ୍ୟମରେ । ନିଜକୁ ସୁରକ୍ଷିତ ରଖିବାର ସାହସ ଓ କୌଶଳ ଶିଖିଯାଇଛନ୍ତି । ଉପହାସ କରୁଛନ୍ତି ସମଗ୍ର ପୁରୁଷ ଜାତିକୁ ।
ଘୃଣା ରେ ଦୁଇ ଗୁଣ୍ଡାଙ୍କ ଉପରେ ଲଣ୍ଡାଏ ଛେପ ପକାଇଲା ମରୁଆ ।ସମ୍ବାରୀକୁ ନେଇ ଯାଉ ଯାଉ ଅଟକି ଗଲା ସମାରୁ ପାଖରେ । କହିଲା ," କହିଦେମୁ ତୋର କାନ୍ତରାଟି ବାବୁକେ । ଇ ଜଙ୍ଗଲ ନେ ବା-ଘୁ-ନି ମାତିଛେ । ହୁସିଆର ଥିମ " ।
କମରରେ ଛୁରୀଟିକୁ ଖୋସିଲା ବେଳେ ଅମାବାସ୍ୟା ର ଘନ ଅନ୍ଧକାର ଭେଦ କରି ଏକ ଉଜ୍ଜ୍ୱଳ ଆଲୋକ ରଖ ଝଟକି ଉଠିଲା ।