ଅସତୀର ସତୀତ୍ତ୍ୱ
ଅସତୀର ସତୀତ୍ତ୍ୱ
-ମୋହ ହୋଇଥାନ୍ତାକି, ଭାଙ୍ଗିସାରି ଥାଆନ୍ତା
ଯୁକ୍ତି ହୋଇଥିଲେ ଖଣ୍ଡନ ହୋଇପାରିଥାନ୍ତା
ଜିଦ ହୋଇଥିଲେ ଟାଳି ହେଇ ପାରିଥାନ୍ତା
ଆଶକ୍ତି ହୋଇଥଲେ ତ ପରିତୃପ୍ତି ହୋଇସାରିଥାନ୍ତା l
ପାପ ହୋଇଥିଲେ ପାରିଣାମ ଭାବି ହୁଏତ ପ୍ରାୟଶ୍ଚିତ କରିହୋଇଥାନ୍ତା l
ନା ଏସବୁ ଭିତରୁ କିଛିନୁହେଁ ପ୍ରେମ l ଏଇସବୁ ମନୁଷ୍ୟକୃତ ସଜ୍ଞା l ୟାକୁ ନିରୂପଣ କରେ ସମାଜ l ମୁଁ ଭାବେ ଯାହା ଈଶ୍ୱରଦତ୍ତ ତା ଆଗରେ ମଣିଷ ନିରୁପାୟ l ଏ ତ ଏକ ତପସ୍ୟା l
ଛୋଟ ମୁହଁରେ ଗୋଟେ ବଡ଼ କଥା କହିବି ବାବୁ... ଏ ଦୁନିଆରେ ଅଧିକାଂଶ ଲୋକ ଭଲ ପାଇବାକୁ ଖରାପ ଭାବନ୍ତି କାହିଁକି କହି ପାରିବେ? ସମ୍ଭବତଃ ସେମାନେ ଭଲପାଇବା କଣ ଜାଣନ୍ତିନି l ଶାରୀରିକ ସମ୍ଭୋଗ ବା ତୁଚ୍ଛ ସାମୟିକ ମୋହମାୟାକୁ ଭଲପାଇବାର ନାଁ ଦେଇ ଦିଅନ୍ତି l ଭଲ ପାଇଥିଲେ ତ ମୋ ହିସାବରେ ପରକୁ ନିଜର କରିହୁଏ l ସ୍ୱର୍ଗର ଅନୁଭବ କରିହୁଏ l ଅସମ୍ଭବକୁ ସମ୍ଭବ କରିହୁଏ l ସାରା ବିଶ୍ଵକୁ ଆପଣେଇ ନେଇ ହୁଏ l
ଅନ୍ୟର ସାମାନ୍ୟ ପ୍ରଶଂସା କିମ୍ବା ଉନ୍ନତିକୁ ସହିବା କଷ୍ଟକର ହୋଇପଡୁ ଥିବା ମଣିଷପାଇଁ ଭଲ ପାଇବା କଣ ସମ୍ଭବ? ଏ ଦୁନିଆରେ ଏତେ ଇର୍ଷା, ପ୍ରତିଶୋଧ ମନୋବୃତ୍ତି , ହିଂସା, ପରଶ୍ରୀକାତରତା, ନିନ୍ଦା ଆଉ ଏତେ ଯୁଦ୍ଧ ତେବେ କାହିଁକି? ସ୍ୱାର୍ଥପର ଏ ଦୁନିଆରେ ଏତେ ଭଲ କିଏ ପାଇଲାଣି?
ରୁମାଲରେ ମୁହଁ ପୋଛି ମନୋଜଙ୍କୁ କହୁଥିଲେ ଶ୍ରଦ୍ଧା l
ମନୋଜ -ତୁମେ ଯଦି ମୋ ଭେଣେଇଙ୍କୁ ଭଲ ପାଉଛ ତେବେ ଭଲ ପାଇବା ଦେଖା... ପ୍ରମାଣ କାହିଁ?
ଶ୍ରଦ୍ଧା -ଭାଇ, ତୁମେ କେଉଁ ପ୍ରମାଣ କଥା କହୁଛ? ଚନ୍ଦ୍ର କେତେ ଭଲପାଏ ସାଗରକୁ, ବୃକ୍ଷ କେତେ ଭଲପାଏ ବାଟୋଇକୁ, ଭଅଁର କେତେ ଭଲ ପାଏ ପୁଷ୍ପକୁ ଏସବୁର ପ୍ରମାଣ ନଥାଏ l ଯିଏ ଯାହାପାଇଁ l ହଁ, କେହି କାହାରିକୁ ମୋ ଭଲ ପାଇବା ପ୍ରତିବଦଳରେ ମୋତେ ତୁ ବି ଭଲ ପା ' ବୋଲି କହନ୍ତିନାହିଁ l ତଥାପି ଜଣେ ପ୍ରକୃତରେ ଭଲ ପାଇଥିଲେ ଅନ୍ୟ ଜଣେ ରହି ପାରେ ନାହିଁ l ହୀରା ଠାରୁ ଦୁର୍ଲଭ ପ୍ରେମ l
ଆପଣ ତ ଆଧୁନିକ l ସୋସିଆଲ ମିଡ଼ିଆରେ ଦେଖୁଛନ୍ତି କେତେ ପ୍ରେମିକା ପ୍ରେମିକ l ସମସ୍ତଙ୍କ ଗୋଟିଏ ଲକ୍ଷ୍ୟ... ଆମକୁ ଦେଖ, ଆଉ କେହି କଣ ଭଲ ପାଇଛନ୍ତି ଆମପରି? କେକ୍, ବୁକେ ଆଉ ଚୁମ୍ବନ ଏସବୁ ହୁଏତ ଆପଣଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରମାଣ...କିଏ କାହାକୁ ହୀରା ମୋତି ଦିଏ କିଏ ଘୋଡା ହାତୀ l ଲାଗେ ଯେମିତି ସଉଦା କରନ୍ତି ସଭିଏଁ ଭଳିକି ଭଳି l
ଭଲ ପାଇବା ତ ଅନ୍ତରରେ ଅନୁଭବ କରାହୁଏ l
ଏ ଅନୁରାଗ କେବଳ ସମର୍ପଣ ଜାଣେ l କିଏ ଦେଲା କେତେ ନ ଦେଲା କେତେ କଣ ସତରେ ଫରକ ପଡେ? ଯିଏ ଦେଇଜାଣିଲା ସେ ସେତିକି ଧନୀ, ଯିଏ କିଣିବାକୁ ଚାହିଁ ହାତ ପତେଇଲା ସେ ସେତିକି କାଙ୍ଗାଳ l ଯିଏ ଯେତେ ଗଭୀରତାକୁ ଯାଇଛି ସେ ସେତେ ଉଚ୍ଚତାକୁ ଛୁଇଁ ପାରିଛି l ଯିଏ ଉପରେ ଉପରେ ଭାସିଛି ତାକୁ ପ୍ରେମ ଲାଗେ ଜଞ୍ଜାଳ l
ମନୋଜ - ଆପଣଙ୍କ କଥାରୁ ଲାଗୁଛି ଆପଣଙ୍କ ବିଚାର ସ୍ୱତନ୍ତ୍ର l କଣ ଜାଣନ୍ତି ମୋ ଭେଣେଇଙ୍କର ନାରୀମାନଙ୍କୁ ନେଇ ବିଶେଷ ଦୁର୍ବଳତା.. ଆପଣଙ୍କ ତାଙ୍କ ଭିତରେ ଜାତି, ବୟସ, ସାମାଜିକ ପ୍ରତିଷ୍ଠା ଏସବୁର ଆକାଶ ପାତାଳର ପ୍ରଭେଦ l ଧମକ ଦେଉନି, ବାସ ସମ୍ମାନକରେ ନାରୀ ମାନଙ୍କୁ ବୋଲି ପରାମର୍ଶ ଦେଉଛି, ଦୁରେଇ ରହନ୍ତୁ l ନିଜକୁ ଭଲପାଆନ୍ତୁ l
ଶ୍ରଦ୍ଧା - ମଣିଷ ମାତ୍ରକେ ଦୋଷ ଦୁର୍ବଳତା ସବୁରିଠାରେ ଅଛିବାବୁ l ତା' ବୋଲି କଣ କେହି କାହାକୁ ଭଲ ପାଇବେନି? ଦୋଷ ଦୁର୍ବଳତା, ସୁଗୁଣ ଦୁର୍ଗୁଣ ସବୁକୁ ଆପଣେଇ ନେବାପରି ବିଶାଳ ହୃଦୟ ନଥିଲେ କଣ ସତରେ କିଏ କରନ୍ତି ପ୍ରେମ?
ଜାତି, ବୟସ, ପ୍ରତିଷ୍ଠା ସମ୍ମାନ - ଭଲ ପାଇବା ଏସବୁକୁ ଉପହାସ କରେ l ଆଉ ହଁ, ମୁଁ ନିଜକୁ ବହୁତ ଭଲ ପାଏ l ବହୁତ ହି ଅଧିକ l ଆଉ ମୁଁ ତୁମ ଭିଣୋଇଙ୍କ ଓ ମୋ ଭିତରେ ଦେଖେନି କିଛି ତଫାତ, କିଛି ପ୍ରଭେଦ l ଧମକ ଦେବ? ଲାଗୁଛି ଡ଼ରୁଛ ମୁଁ କିଛି ଛଡାଇ ନେବି... କେବେ ମାଗିଛି ନା ମାଗିବି ମୋ ଅଧିକାର?
ବସ୍ତୁବାଦୀ ତୁମ ଦୁନିଆରେ ଆବଶ୍ୟକତା ସୀମାହୀନ l ମୋ ଦୁନିଆ କିନ୍ତୁ ତୁମଠୁ ଭିନ୍ନ l ଦେଖୁନ, ମୁଁ ତ ସ୍ୱୟଂସମ୍ପୂର୍ଣ l କାଢିନିଅ ଯେତେ ଭଲପାଇବା କାଢିନେଉଛ ମୋ ଠୁଁ ମୁଁ ଜାଣିନି ମୋ ଠାରୁ କେହି ଧନୀ କି ମୋ ଠାରୁ ଅଧିକ ସ୍ୱାଧୀନ l ମୁଁ ତ ମନ୍ଦିରର ସେ ପାଦୁକା ପାତ୍ର l ଯିଏ ଯେମିତି ଯେତେବେଳେ ଚାହିଁଲେ ନେଇ ନିଅନ୍ତୁ ହାତରେ ଢାଳି....ମୁଁ ସଦା ପ୍ରସ୍ତୁତ l
ଭଗବାନଙ୍କ ଆଶୀର୍ବାଦ ଉପରେ ସବୁରି ଅଧିକାର l ଚିନ୍ତା କାହିଁକି? ପ୍ରସାଦ କଣ ଛୁଆଁ ନା ଅପବିତ୍ର? ପାଦୁକା ଦେଖେନି ଜାତି, ଗୋତ୍ର, ବୟସ, କପଟୀ, ଲୋଭୀ, ଚତୁର ଅବା ଭୋଳା l ତା ଛଡା ଦେଇ ନେଇ ତ ସଂସାର l
ମନୋଜ - ଆପଣ କଣ କହୁଛନ୍ତି? ଏ ଯଜ୍ଞ, ସାକ୍ଷୀ, ଏ ଦଶ ଦିଗପାଳ, ଏ ବିବାହ ଆପଣଙ୍କ ଭଲ ପାଇବା ଆଗରେ କିଛିନୁହେଁ? ସବୁ ନାଟକ? ମୋ ଭଉଣୀ ସ୍ୱାତୀ ଆଉ ଆପଣଙ୍କ ସ୍ୱାମୀ ବିରେନ ଏମନେ କଣ ଧୋକାଧଡ଼ିର ଶିକାର ହୋଇନାନ୍ତି?
ମୋ ଭଉଣୀ କେତେ ମନକଷ୍ଟରେ ରହୁଛି ଆପଣ ଜାଣନ୍ତି? କେତେବେଳେ ତା ସ୍ୱାମୀଘରଛାଡି ଚାଲିଆସିବେନିତ ଆପଣଙ୍କ ପାଖକୁ? କେତେ ଲଜ୍ଜିତ ସେ ଜାଣନ୍ତି ଆପଣଦୁହିଁଙ୍କ ପାଇଁ? ସମାଜ 'ଥୁ' 'ଥୁ' କରେ ଆପଣ ଦୁହିଁଙ୍କୁ l
ଶ୍ରଦ୍ଧା -ଆପଣଙ୍କ ଭଉଣୀ କେତେଯାଏ ବୁଝିଛନ୍ତି ନିଜ ସ୍ୱାମୀଙ୍କୁ ମୁଁ କହି ପାରିବିନି l ମୁଁ ହୋଇଥିଲେ ତାଙ୍କ ଜାଗାରେ ଗର୍ବିତ ହୋଇଥାନ୍ତି ଏପରି ସ୍ୱାମୀ ପାଇ l ପରପାଇଁ ଯାହା ମନରେ ଏତେ ଦରଦ ନିଜଲୋକ ପାଇଁ ସେ କଣ ନ କରି ପାରେ? ଥରେ ଭାବିଲେ?
ମୋ ଆତ୍ମପ୍ରତ୍ୟୟ କହେ ସେ ମୋତେ ସେମିତି ଭଲପାଉଥିବେ l ଆପଣଙ୍କ ଭଉଣୀଙ୍କ କଥାରୁ ଲାଗୁଛି ହୁଏତ ତାଙ୍କର ନିଜ ଉପରେ ପ୍ରତ୍ୟୟ ନାହିଁ l
ରହିଲା ମୋ ସ୍ୱାମୀଙ୍କ କଥା l ମୁଁ ଏକ ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ l
ଏ ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ମାନଙ୍କ ବିବାହ ସେମାନଙ୍କ ଅନୁମତି ବା ଇଚ୍ଛାକ୍ରମେ ହେବା ଖୁଵ କ୍ଵଚିତ l ସେ ଜୁଆଡ଼ି l ମଦ୍ୟପ l ତଥାପି ମୁଁ ଭାଗ୍ୟକୁ ଦୋଷଦେଇ ତାଙ୍କ ନିକଟରେ ପଡିରହିଥିଲି l ଭାବିଥିଲି ବଞ୍ଚିଥିବା ଯାଏ ପତିବ୍ରତାର ପାଳନ କରିବି ବୋଲି l
କିନ୍ତୁ ମୋ ପୋଡା କପାଳକୁ ତାଙ୍କୁ ହଠାତ ଅପସ୍ମାର ଧରିଲା l ବାପଘରେ ଯତକିଞ୍ଚିତ ସାହାଯ୍ୟ କରିଥିଲେ l ହେଲେ ସେତକ ଡାକ୍ଟରଙ୍କ ଅଗ୍ରିମଟଙ୍କା ପାଇଁ ନିଅଣ୍ଟ l ତାଙ୍କ ଅପରେସନ ତୁରନ୍ତ ହେବା ଆବଶ୍ୟକ ଭାବି ଯେତେ ନେତା ସାହୁକାର ଆଉ ବଡ଼ ବଡ଼ ଲୋକଙ୍କ ଦ୍ୱାରସ୍ଥ ହେଲି ମୋତେ ସମସ୍ତଙ୍କ ଲୋଲୁପ ଦୃଷ୍ଟିର ସମ୍ମୁଖୀନ ହେବାକୁ ପଡିଲା l
ହାତରେ ସମୟ କମ l ଶେଷରେ ମୋ ନିଜ ଦେହ ବିକି ଦିନ କେଇଟାରେ ଚଞ୍ଚଳ ପଇସା ଯୋଗାଡ଼ିବାକୁ ହୋଟେଲ ସାମ୍ନାରେ ପାର୍କ ହୋଇଥିବା ଧନୀ ଲୋକଙ୍କ ବଡ଼ଗାଡି ପାଖେ ଯାଇ ଥରି ଥରି ଠିଆହେଲି l
ପ୍ରଥମ ଦିନ ହିଁ ଆପଣଙ୍କ ଭିଣୋଇ ଦେଖା ହେଲେ l ନିଜ ଫାର୍ମ ହାଉସକୁ ନେଇଗଲେ l ମୋ ପିନ୍ଧା ବସ୍ତ୍ର ମୁଁ ଖୋଲିବାକୁ ତରତର ହେଲି... ହେଲେବି ସେ ମୋ ହାବଭାବ ରୁ ମୁଁ ବେଶ୍ୟା ନୁହେଁ ବୋଲି ଜାଣି ସାରିଥିଲେ l
ମୋତେ କେଉଁ ଏକ ଚିନ୍ତାଗ୍ରସ୍ତ ଲେଖକ ପରି ତାଙ୍କ ନିରୀହ ଚାହାଣୀ ଲାଗୁଥିଲା l ମୋତେ ସହଜ ହେବାକୁ ଆଶ୍ୱାସନା ଦେଲେ l କପଡା ଢାଙ୍କି କହିଲେ କହ ତୋ କାହାଣୀ l ମୁଁ ଶୁଣିବି l
ମୋ ଜୀବନରେ ଛୋଟ ବଡ଼ ଅନେକ ଦୁଃଖ କାହାଣୀ ରାତି ରାତି ଶୁଣୁଥିଲେ ଆଉ ଆଖି ଓଦା ହେଇ ଆସୁଥିଲା ନିଜ ମା' କଥା ମନେ ପକାଇ l ଏପରି ଚୋଟ, ଅନେକ ଘାଆ ଭଲ ହୋଇଛି ତାଙ୍କ ଆଗରେ ବଖାଣି l ମୁଁ ଯେମିତି ପଇସା ଠାରୁ ବେଶୀ ସହୃଦୟତାର ଦୁଇ ପଦ ହିଁ ଆଶା କରୁଥିଲି ଆଉ ଭଗବାନ ଶୁଣିନେଲେ କି? ସେ କିଏ ନିଜେ ହିଁ ତ ଭଗବାନ ନୁହେଁ? ଏପରି ମୋତେ ଅନୁଭବ ହେଉଥିଲା l
ଥରଟିଏ ମୋତେ ନ ଛୁଇଁ ସେ ପ୍ରତି ରାତିର ପଇସା ଦେଉଥିଲେ l ମୋତେ ନିଜ ଗାଡିରେ ଛାଡିବାକୁ ଯାଇଥିବାରୁ ଲୋକେ ଆମ ଚରିତ୍ର ଉପରେ ନାନା ଲାଂଛନା ବୋଳି ଖୁସି ହେଉଥିଲେ l
ଯଦି ସମ୍ଭୋଗର ଇଚ୍ଛା ନଥିଲା ତେବେ କାହିଁକି ମୋ ଅଣ୍ଟିଭର୍ତ୍ତିକରି ଲାଗିଥିଲେ ମୁଁ ବି ବିଶ୍ୱାସ କରି ପାରୁନଥିଲି l ମୋ ଭିତରେ ସେ କେଉଁ ସମ୍ଭାବନା ଦେଖୁଥିଲେ ମୁଁ ତାଙ୍କ କଥା କିଛି ବୁଝି ପାରୁନଥିଲି l କେବଳ ଭାବିଥିଲି ମୋ ଦେହ ଏପରି ସତୀତ୍ୱ ନେଇ କଣ କରିବ ଯଦି ତାର ଅଧିକାରୀ, ମୋ ସ୍ୱାମୀ, ମୋ ଶଙ୍ଖା ମୋ ସିନ୍ଦୁର ହିଁ ନ ବଞ୍ଚିବ?
-ଗାଁ ଜମିପାଇଁ ଗରାଖ ଯୋଗାଡ଼ ହେବା ଭିତରେ ମୁଁ ତାଙ୍କ ଦେଇଥିବା ଟଙ୍କାରେ ବିରେନଙ୍କ ଚିକିତ୍ସା କରାଇଦେଲି l ପରେ କାଗଜପତ୍ର କାମସାରି ଟଙ୍କାତକ ତାଙ୍କୁ ଫେରେଇ ଦେଲି l
ହେଲେ ଟଙ୍କା ଆଡେଇ ଦେଇ ସେ କହିଲେ, ଶହେ ଆସି କୋଟୀ ଟଙ୍କାର ମାଲିକ ମୁଁ l ମୋର ଏସବୁ ବସ୍ତୁବାଦୀ ଦୁନିଆରେ କୌଣସି ରୁଚିନାହିଁ l ମୋତେ କଷ୍ଟ ବାଣ୍ଟିବାକୁ ପ୍ରକୃତ ବାନ୍ଧଵୀଟିଏ ଦରକାର ଥିଲା l ମୁଁ ଏ ଜୀବନରେ ସବୁ ପାଇଥିଲି ସେତିକି ଛାଡି l ତୁମେ ମୋ ଜୀବନରେ ସେତିକି ଆନନ୍ଦ ଭରିଦେଇଛ l
ତୁମ ସ୍ୱାମୀ ଯେତେ ଖରାପ ହୁଅନ୍ତୁ ନା କାହିଁକି ମୁଁ ତୁମର ପତିବ୍ରତାର, ତୁମ ସତୀତ୍ୱର ପ୍ରଶଂସା ନକରି ରହିପାରୁନି l ଆମ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଖୁଵ କମ କଥା l କେହି କାହାକୁ ଭଲ ପାଉନା, ସତୀତ୍ୱର କେବଳ ବାହାନା କରୁ l ନା ମୁଁ ରାମଚନ୍ଦ୍ର ନା ସେ ସୀତା l କିନ୍ତୁ ତୁମେ ଦୁହେଁ ଶୁଖି ରୁହ l ନିଜେ ଏ ପଇସାରେ ନିଜ ଉଦ୍ୟମରେ କିଛି କାରବାର ଆରମ୍ଭ କର l
କେଜାଣି କାହିଁକି ଏପରି ଦେବତୁଲ୍ୟ ବ୍ୟକ୍ତିଙ୍କୁ ନ ଭଲପାଇ ରହିହେଲାନି l
ଏତିକି ଆମ ଭିତର କଥା l ଆଉ ତା'ପରେ ମୋର କେବେ ଦେଖା ହୋଇ ନାହାନ୍ତି ସେ l ଆପଣଙ୍କ ନମ୍ବର ଦିଅନ୍ତୁ....ମୁଁ କଥା ଦେଉଛି ସେ ଆସିଲେ ମୁଁ ଆଗେ ଆପଣଙ୍କୁ ଜଣେଇବି l ନେଇଯିବେ ଆସି l କିନ୍ତୁ ମୋତେ ମୋ ଭଲପାଇବା ଟିକକ ସମ୍ବଳକରି ବଞ୍ଚିବାକୁଦିଅନ୍ତୁ l
ମନୋଜଙ୍କ ଆଖିରୁ ଧାର ଧାର ଲୁହ ନିଗିଡି ଆସୁଥାଏ l ତାଙ୍କୁ ରୁମାଲଟିଏ ବଢ଼ାଇ ଦେଇ ଯିବା ପାଇଁ କହିଲେ ଶ୍ରଦ୍ଧା l ଶ୍ରଦ୍ଧାଙ୍କ କଥା ଶୁଣିବା ପୂର୍ବରୁ ରାଗରଖି ଆସିଥିଲେ ହେଲେ କେଜାଣି ତାଙ୍କ କଥା ଦୁଇ ପଦ ଶୁଣିବା ପରେ ଉପରେ କାହିଁକି ତାଙ୍କର ମାନବୀୟ ଅତ୍ମୀୟତା କ୍ରମେ ବଢୁଥିଲା l ସ୍ତ୍ରୀ ଲୋକଙ୍କ କଥା ସତରେ ବୁଝିବା ଭାରି ଜଟିଳ l ସ୍ତ୍ରୀ ଲୋକଙ୍କ କଥା ଯେତେ ବୁଝୁଥିଲେ ସେତେ ସମ୍ମାନହି ନୁହେଁ ବରଂ ଶ୍ରଦ୍ଧା କରିବାକୁ ଲାଗିଥିଲେ ମନୋଜ l

