KRUTIBAS NAYAK

Action Classics Inspirational

3  

KRUTIBAS NAYAK

Action Classics Inspirational

ଅସ୍ତାଚଳରେ ସୂର୍ଯ୍ୟୋଦୟ

ଅସ୍ତାଚଳରେ ସୂର୍ଯ୍ୟୋଦୟ

17 mins
177



ଏଇ କେତେଦିନ ହେଲା-କାହିଁକି ବିକାଶର କଥା ଭାରି ମନେପଡ଼ୁଛି । ଚାରି ପାଞ୍ଚମାସ ହେଲାଣି, ତା' ସହିତ କଥାବାର୍ତ୍ତା ହେଇପାରିନି । ଅବଶ୍ୟ ଏହା ଭିତରେ ମୁଁ କିଛିଦିନ ପାଇଁ ବିଦେଶକୁ ଚାଲିଯାଇଥିଲି । ତା'ପରେ ଅଫିସ କାର୍ଯ୍ୟରେ ଅତ୍ୟନ୍ତ ବ୍ୟସ୍ତ ରହିଯାଇଥିଲି । ଆଜି ନିଶ୍ଚୟ ତା' ସହିତ କଥାହେବି । ତାଙ୍କ ମ୍ୟାଡ଼ାମ୍ କେମିତି ଅଛନ୍ତି, କଲେଜ କେମିତି ଚାଲିଛି ? ଆଉ ନୂଆ ଅତିଥି କେବେ ତାଙ୍କ କୋଳକୁ ଆସୁଛି, ପଚାରିଦେବି; ଫୋନ ଲଗାଇଲି-ସୁଇଚ ଅପ ଦେଖେଇଲା ।

ବିଚରା ବିକାଶ ଆମରି ସାଙ୍ଗରେ କଲେଜରେ ପଢୁଥିଲା । ପ୍ରତିଭାବାନ ଛାତ୍ର ହିସାବରେ ସେ ଆମ ସମସ୍ତଙ୍କର ଈର୍ଷାର ପାତ୍ରଥିଲା । ପ୍ରତିବର୍ଷ ପରୀକ୍ଷାଫଳ ବାହାରିବା ବେଳକୁ ତା' ନାଆଁ ସର୍ବାଗ୍ରେ ଥିବାରୁ ଆମେ ହଇରାଣ ହେଇଯାଉଥିଲୁ । ସତରେ ଏଇ ବିକାଶ କ'ଣ ମନ୍ତ୍ର-ଫନ୍ତ୍ର ଜାଣିଛି ନା' କ'ଣ ? ନିରୋଳାରେ ଯାଇ ସେ ଅଧ୍ୟାପକମାନଙ୍କୁ ତେଲାତେଲି କରି ଅଧିକ ମାର୍କ ନେଇଆସୁଛି କି ? ସତରେ ଆମେ କିଛି ଜାଣି ପାରୁ ନ ଥିଲୁ । ଶେଷରେ ସେ ଏମଏସସିରେ ସମଗ୍ର ବିଶ୍ୱବିଦ୍ୟାଳୟରେ ନୂଆ ରେକର୍ଡ଼ ସୃଷ୍ଟିକରି ଗୋଲଡ଼ ମେଡ଼ାଲ ବି ପାଇଗଲା । ବିକାଶ ଟିକେ ଲାଜକୁଳିଆ ତଥା ପିତୃମାତୃ ଭକ୍ତ ଯୁବକ ଥିଲା । ସେ ସବୁବେଳେ ହଷ୍ଟେଲ ରୁମରେ ମୁଣ୍ଡମାଡ଼ି ବହିରେ ଆଖି ଲଗେଇ ରହେ । ଆମ ଭିତରେ ମନୋଜ ଆଉ ଚନ୍ଦ୍ରକାନ୍ତ ମିଶି କ୍ଳାସରେ, ହଷ୍ଟେଲ ରୁମରେ ଏବଂ ବାହାରେ ତାକୁ ଭାରି ହଇରାଣ କରୁ । ତାକୁ ଚିଡ଼େଇବା ପାଇଁ କେତେ ଏଣୁତେଣୁ କଥା କହୁ; କିନ୍ତୁ ସେ କେଉଁ ଉପାଦାନରେ ଗଢ଼ା କେଜାଣି, ସବୁକଥାକୁ ସହଜରେ ହଜମ କରିଦେଇ ଆମକୁ ହରେଇଦିଏ ।

କଲେଜ ପଢା ଶେଷରେ ଆମେ ତିନିଜଣ ଗୋଟାଏ ଜାଗାରେ ପୁଣି ଏକତ୍ର ହେବାର ସୁଯୋଗ ପାଇଥିଲୁ । ସିଭିଲ ସର୍ଭିସ ପାଇଁ ଆମେ ସମସ୍ତେ ଦିଲ୍ଲୀରେ ଗୋଟିଏ ହଷ୍ଟେଲରେ ବି ରହିଲୁ । ବିକାଶର ବାପା କିଛି ଚାକିରି କରୁ ନ ଥିଲେ ସତ, କିନ୍ତୁ ପଇସା ଥିବାବାଲା ଲୋକ ଥିଲେ । ଘରର ଏକମାତ୍ର ପୁଅ ହେଇଥିବାରୁ ତା'ବାପା ନିୟମିତ ଦରକାରଠାରୁ ଅଧିକ ପଇସା ବିକାଶ ପାଖକୁ ପଠାଉଥିଲେ । ସେଥିରେ ସେ ବହିପତ୍ର, ରେଫରେନସ ଷ୍ଟଡ଼ି ମେଟ୍ରିୟାଲ ପ୍ରଚୁର ପରିମାଣରେ କିଣି ପାରୁଥିଲା । ଆମେ ତା'ଠାରୁ ବହିପତ୍ର ନେଇପଢୁ । ବଜାରକୁ ଡାକିନେଇ ତା'ଠାରୁ ବେଶ ଭଲକି ଝଡ଼େଇ ଦାମୀ ଜଳଖିଆ ଖାଇ ଯାଉଥିଲୁ । ତା'ର ଉପସ୍ଥିତ ବୁଦ୍ଧି ଆଉ ବୁଦ୍ଧିମତାକୁ ଦେଖି ଆମେ ତା' ଅନୁପସ୍ଥତିରେ କୁହାକୁହି ହେଉଥିଲୁ- "ଆମ ଭିତରୁ ଯଦି କେହି ଜଣେମାତ୍ର ଆଇଏଏସ ପାଏ, ତେବେ ସେ ହେବ ବିକାଶ । ମାନେ,ଆଇଏଏସ ବିକାଶ ଦାସ । ତା'ର ଦୃଢ଼ ଆତ୍ମ ବିଶ୍ୱାସକୁ ମାନିବାକୁ ପଡ଼ିବ ।"

ଦିନେ ସଞ୍ଜବେଳେ ହସ କୌତୁକ ଭିତରେ ମୁଁ ତାକୁ କହିଦେଲି-"ତୁ ଯଦି ଆଇଏଏସ ପାଇଯାଉ, ଆଉ ମୁଁ ବେକାର ହେଇ ରହିଯାଏ; ତେବେ ତୁ ମୋ ପାଇଁ କ'ଣ କରି ପାରିବୁ କହ ?"

ବିକାଶ ଛୋଟିଆ ହସରେ ମୋ କଥାକୁ ଉଡ଼େଇଦେଇ କହିଲା-"ମୁଁ ଯଦି ଆଇଏଏସ ପାଏ, ତେବେ ଅଳ୍ପ କେଇଟା ଦିନ ଚାକିରି କରି ଛାଡ଼ିଦେବି ।"

ଆଶ୍ଚର୍ଯ୍ୟ ହେଇ ମୁଁ କହିଲି-"କିରେ ! କଷ୍ଟକରି ତୁ ଆଇଏଏସ ପାଇବୁ, ପ୍ରଚୁର ଧନ, ଅଖଣ୍ଡ କ୍ଷମତା ସହିତ ଆହୁରି କେତେ ନା' କେତେ ସୁଖ ସୁବିଧା ଥାଉଥାଉ ତୁ ଚାକିରି ଛାଡ଼ିଦେବୁ କାହିଁକି ?"

-"ମୋର ଚାକର ହେଇ ବେଶିଦିନ ରହିବାର ନାହିଁ, କେବଳ ଚାକିରିର ଅଭିଜ୍ଞତା ଅର୍ଜନ କରିବା ମୋର ମୂଳଲକ୍ଷ୍ୟ । ଆମର ଗାଆଁରେ ପ୍ରଚୁର ଜମିବାଡ଼ି ଅଛି, ବାପାଙ୍କ ପାଖରେ ବି ଯଥେଷ୍ଟ ପଇସା ଅଛି । ପ୍ରକୃତରେ ମୋ ମନ କହୁଛି- ଚାକିରିରେ ନ ଥିଲେ ହିଁ ସ୍ୱାଧୀନ ଭାବରେ କିଛି ଭଲକାମ କରିହେବ । ଆମ ଅଞ୍ଚଳରେ ଯେଉଁ ସବୁ ସମସ୍ୟା ରହିଛି, ତାକୁ ଦୂର କରିପାରିଲେ, ମୋ ଜୀବନଟା ଧନ୍ୟ ହେଇପାରିବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି । ସେଥିପାଇଁ ରାଜନୀତିରେ ପଶିବି ।"

-"ରାଜନୀତି ? ତୁ ଠିକ କହିଛୁ, ବଢିଆ ହେବ । ଜଣେ ଯୁବକ ଆଇଏଏସ ଭଳି ଚାକିରି ଛାଡ଼ି ଆସିଛି, ଏ'କଥା ଜାଣିଲେ, ବଡ଼ବଡ଼ ଦଳର ନେତାମାନେ ଆସି ତାଙ୍କ ଦଳରେ ମିଶିବାକୁ ତୋତେ ଗୋଡ଼େଇବେ ଆଉ ତୁ ନିଶ୍ଚୟ ଟିକେଟ ପାଇବୁ । ତା'ପରେ ତୁ ନିଶ୍ଚୟ ଏମଏଲଏ, ନ ହେଲେ ଏମ.ପି ହେଇଯିବୁ । ଦେଖୁନୁ ଆମ ରାଜ୍ୟରେ ନେତାମାନଙ୍କୁ, ସେମାନେ ଜିତିକି ଯାଉଛନ୍ତି ସତ, କିନ୍ତୁ ବିଧାନସଭା ହେଉକି ପାର୍ଲିଆମେଣ୍ଟ ହେଉ, ସେଇଠି ନିଜ ଅଞ୍ଚଳର ସମସ୍ୟା ବିଷୟରେ ଦି' ଧାଡ଼ି କହି ପାରୁଛନ୍ତି, ନା' କିଛି ବୁଝି ପାରୁଛନ୍ତି ? କେବଳ ଢ଼ୋଲେଇ ଢ଼ୋଲେଇ ହାତ ଟେକିଟେକି ଆସୁଛନ୍ତି । ଶିକ୍ଷିତ ତଥା ସମାଜ ସେବାର ମନୋବୃତ୍ତି ନେଇ କେଇଜଣ ନେତା ପାଲ୍ୟାମେଣ୍ଟକୁ ଯାଉଛନ୍ତି ? ସେଇଥିପାଇଁ ତ ଆମ ରାଜ୍ୟ ଏମିତି ପଛୁଆହେଇ ପଡ଼ିରହିଛି । ସତରେ, ତୋ'ଭଳି ଯୁବକ ପାର୍ଲିଆମେଣ୍ଟକୁ ଗଲେ ହିଁ, ଆମ ରାଜ୍ୟର ଦୁଃଖ ଦୂରହେଇ ପାରିବ ।"

ଏକା ନିଶ୍ୱାସରେ ଏତକ ମନୋଜ କହି ପକାଇ ବିକାଶକୁ ଆଗୁଆ ଅଭିନନ୍ଦନ ଜଣାଇଦେଲା ।

ମୁଁ କହିଲି-"ସତରେ ବିକାଶ, ତୋ ଆଇଡ଼ିଆକୁ ମାନିବାକୁ ହେବ, କିନ୍ତୁ ଗୋଟାଏ କଥାକୁ ମନେ ରଖିଥିବୁ । ତୁ ଯଦି ଥରେ ଏମ.ପି ହେଇଯାଉ, ତା'ହେଲେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତୋ ପାଇଁ ଥୁଆ । ଯୁବଶକ୍ତିର ବିନିଯୋଗ କରି ପାରିଲେ ହିଁ ପ୍ରକୃତରେ ଦେଶର ବିକାଶ ସମ୍ଭବ ହେଇପାରିବ ।"

-କାହିଁକି ? ମୋ ନାଆଁଟା ବିକାଶ ବୋଲି ତୁ ଏମିତି କହିଲୁ ନା' କ'ଣ ? କିନ୍ତୁ ମୋ ନାମ ପଛରେ ଦାସ ଲାଗିଛି ଯେ ?"

ଏତିକି କହିଦେଇ ହସିଦେଲା ବିକାଶ । ଆମେ ବି ତା'ସାଙ୍ଗରେ ଖୁବ ଜୋରରେ ହସିଥିଲୁ । ମନୋଜ ତାକୁ କହିଲା-"ତୁ ଯଦି ମହିଳାଟିଏ ହେଇଥା'ନ୍ତୁ, ତେବେ ତୋତେ ନିଶ୍ଚୟ ମହିଳା ବିକାଶ ମନ୍ତ୍ରାଳୟ ମିଳିଥା'ନ୍ତା । ଆଦିବାସୀ ସମ୍ପ୍ରଦାୟର ହେଇଥିଲେ, ତୋତେ ଆଦିବାସୀ ବିକାଶ ମନ୍ତ୍ରାଳୟ ମିଳିଥା'ନ୍ତା । ଆଉ ଓକିଲ ହେଇଥିଲେ, ଆଇନ ବିଭାଗ । ସେଇମିତି ମିଲିଟାରୀରୁ ଆସିଥିଲେ, ପ୍ରତିରକ୍ଷା ବିଭାଗ, ଆଉ ଡାକ୍ତର ହେଇଥିଲେ, ସ୍ୱାସ୍ଥ୍ୟ ବିଭାଗ ମିଳିଥା'ନ୍ତା । ଏଇୟା ତ ଆମ ଦେଶରେ ଚାଲିଛି ନା' ?

କିଛି ସମୟ ନିରବ ରହି ମୁଁ ଭାବୁଥିଲି-"ଏଇମିତି ମଜାରେ ମଜାରେ କହୁକହୁ ସତରେ ଯଦି ବିକାଶ କେନ୍ଦ୍ରରେ ମନ୍ତ୍ରୀ ହେଇଯାଏ, ସେତେବେଳେ ଆମେ କ'ଣ ତା' ପାଖ ଆଉ ମାଡ଼ିପାରିବୁ ?"

ମାନସ କହିଲା-ଠିକ ଅଛି, ତୁ ଆଗେଇ ଚାଲ; ତୋର ଭବିଷ୍ୟତ ଉଜ୍ଜଳ ହେଉ । ମନୋସ୍କାମନା ତୋର ପୂରଣ ହେଉ, କିନ୍ତୁ ତୁ ଯଦି ସତରେ କେବେ ମନ୍ତ୍ରୀ ହେଇଯାଉ, ଆମକୁ ଯେମିତି ଭୁଲି ନ ଯାଉ ।"

ବିକାଶ କହିଲା-"ନାଇଁରେ, ତୁ ସେମିତି କାହିଁକି ଭାବୁଛୁ ? ମୁଁ ଯେତେବେଳେ ଯେଉଁ ପରିସ୍ଥିତିରେ ଥିଲେ ବି ତମ ଦୁଇଜଣଙ୍କୁ କେବେ ବି ଭୁଲି ପାରିବି ନାହିଁ । ତମେ ଦି'ଜଣ ହେଉଛ, ମୋର ପ୍ରେରଣାଦାତା ।"

ଠିକ ସେତିକିବେଳେ ବିକାଶର ମୋବାଇଲରେ ଫୋନକଲ ଆସିଗଲା । ଓହୋ ! ତା' ଘରୁ ଫୋନ ଆସିଛି ।

ଆମେ ଦୁଇଜଣ ନିରବ ରହିଗଲୁ ।

-"ହ୍ୟାଲୋ, ହଁ ମାଆ ! କ'ଣ ସବୁ ଭଲ ତ ?"

-"ଭଲ ଆଉ କ'ଣ ?" ମାଆ କାନ୍ଦି ଉଠିଲେ ।

-"କ'ଣ ହେଇଛି କୁହ ମାଆ ! କାନ୍ଦୁଛ କାହିଁକି ?"

-"କ'ଣ କେମିତି ତତେ କହିବି ? ତୋ' ବାପାଙ୍କୁ କ୍ୟାନସର ହେଇଯାଇଛି ।"

-"କ୍ୟାନସର ? ତମକୁ ଏ'କଥା କିଏ କହିଲା ??"

-"ପନ୍ଦରଦିନ ତଳେ ତୋ ବାପାଙ୍କୁ ଜ୍ୱର ହେଇଥିଲା । ଏଇଠି ଡାକ୍ତରଙ୍କୁ ଦେଖେଇ ସେ ଔଷଧ ଖାଉଥିଲେ, ଦିନକୁ ଦିନ ଜ୍ୱର ବଢ଼ିଲା ସିନା, ଟିକିଏ ବି କମିଲା ନାହିଁ । ଡାକ୍ତର କହିଲେ- କଟକ ନେଇଯାଅ- । ଗାଡ଼ିକରି ତାଙ୍କୁ ଆମେ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଯାଇଥିଲୁ । ସେଇଠି ସେମାନେ ବାପାଙ୍କ ଗଳାରୁ କ'ଣ ଟିକିଏ ମାଂସନେଇ ପରୀକ୍ଷା କରିଥିଲେ । ଆଜି ଜଣା ପଡିଲା-ରିପୋର୍ଟ ବାହାରିଛି-ପଜେଟିଭ । ତୋର ପଢ଼ାରେ ବ୍ୟାଘାତ ହେବବୋଲି ଆଗରୁ ତୋତେ ମୁଁ କିଛି ଜଣାଇ ନଥିଲି । ଏବେ ଅବସ୍ଥା ଅସମ୍ଭାଳ ହେବାରୁ ତୋତେ ଜଣାଇଲି ।"

-"ମାଆ ! ତମେ ମୋଟେ ବ୍ୟସ୍ତ ହୁଅନା । ମୁଁ କାଲି ସକାଳ ଫ୍ଲାଇଟରେ ଯାଇ ଭୁବନେଶ୍ୱର ହେଇ ସଂଧ୍ୟା ସୁଦ୍ଧା ଘରେ ପହଞ୍ଚିଯିବି । ଆମେ ଆଉଥରେ ଭଲ ଡାକ୍ତରଙ୍କୁ ଦେଖାଇ ନୂଆ ରିପୋର୍ଟ ବାହାର କରିବା ।

-"ନାଇଁରେ ବାପା ! ତୁ ଆଜି ବାହାରି ପଡ଼ । ଆମର ଏଠି ରନ୍ଧାବଢ଼ା ଖାଇବା ପିଇବା ସବୁ ବନ୍ଦହେଇ ଯାଇଛି । ମୁଁ ଏବେ କ'ଣ କରିବି ? ମୋତେ ବୁଦ୍ଧି ବାଟ କିଛି ଦିଶୁନି । ତୁ ପାଖରେ ଥିଲେ 

 ମୋର ବଳ ପାଇବ ।"

 -"ହଉ ମାଆ ! ତମେ ଫୋନରଖ, ମୁଁ ଏବେ ଯିବାର ବ୍ୟବସ୍ଥା କରୁଛି । ବିକାଶ ଆଉ ତା'ମାଆଙ୍କ କଥାବାର୍ତ୍ତାରୁ ଆମେ ସବୁକଥା ବୁଝି ପାରିଥିଲୁ । ତାକୁ ସାନ୍ତ୍ୱନା ଦେଇ ମୁଁ କହିଥିଲି-"ଯାହା ଖର୍ଚ୍ଚ ହେବାର ହେଉ, ତୁ ମଉସାଙ୍କୁ ସିଧା ମୁମ୍ବାଇ କିମ୍ବା ହାଇଦ୍ରାବାଦ ନେଇଯିବୁ । ଆଜିକାଲି କ୍ୟାନସର ଆଉ ଅସାଧ୍ୟହେଇ ରହିନାହିଁ । ଅପରେସନ ଆଉ କେମୋଦ୍ୱାରା ପୂରାଭଲ ହେଇପାରୁଛି ।"

ମନୋଜ ତାକୁ ବଳଦେଇ କହିଲା- " ତୁ ମୋଟେ ବ୍ୟସ୍ତ ହେବୁନାହିଁ, ଆମେ ଅଛୁ । ଆମ ଓଡ଼ିଶାରେ ବି ଏବେ କେତେଟା ଭଲ କ୍ୟାନସର ହସ୍ପିଟାଲ ଖୋଲିଛି । ଆଗ ତୁ ମଉସାଙ୍କୁ ନେଇ ସେଇଠି ଦେଖା । ସେମାନେ ଯଦି କହିବେ, ତା'ହେଲେ ବାହାରକୁ ନେବୁ । ଦରକାର ହେଲେ, ଆମକୁ ଫୋନ କରିବୁ । ଯାହା ତୋର ସହଯୋଗ ଦରକାର ଆମେ ନିଶ୍ଚୟ କରିବୁ ।"

ଆମର କୌଣସି କଥା ବିକାଶ କାନରେ ପଶୁ ନ ଥିଲା । ସେ କେମିତି ତୁରନ୍ତ ଯାଇ ଘରେ ପହଞ୍ଚିବ, ସେଇକଥା ହିଁ ଚିନ୍ତା କରୁଥିଲା । ସେ ଆଉ ଧୈର୍ଯ୍ୟ ଧରି ରହିପାରିଲା ନାହିଁ । ସେ ଯେମିତି ଅବସ୍ଥାରେ ଥିଲା, ସେମିତି ଘରୁ ବାହାରି ପଡ଼ିଲା । ବହିପତ୍ର କିମ୍ବା ଲୁଗାପଟା ଆଟାଚି ମଧ୍ୟ ନେଲାନାହିଁ । ଆମକୁ କହିଲା-"ମୁଁ ଏବେ ବାହାରି ପଡୁଛି, କେବେ ଆସିବି ଠିକନାହିଁ । ରାତିରେ ତମେ ଦି'ଜଣ କାହିଁକି ଏୟାରପୋର୍ଟ ଯିବ ? ମୁଁ ଟେକସି କରି ଶୀଘ୍ର ଚାଲିଯାଉଛି । ଯେମିତି ଯାହା ସୁବିଧା ଦେଖି ଘରେ ପହଞ୍ଚିଯିବି ।"

ସେଦିନ ସେତିକିବେଳେ ବିକାଶ ବାହାରିଗଲା । ତା'ପରଦିନ ସନ୍ଧ୍ୟାରେ ଫୋନରେ ଆମକୁ ଜଣାଇଲା-" ବାପାଙ୍କର ଅବସ୍ଥା ମୋଟେ ଭଲନାହିଁ । ତାଙ୍କୁ ମୁମ୍ବାଇ ନେଇଯିବାକୁ ହେବ । ସେ ଭଲହେଇ ସାରିଲେ ଯାଇ ମୁଁ ଦିଲ୍ଲୀ ଫେରିବି ।" 

ମୁଁ ତାକୁ କହିଥିଲି- "ଆରେ ବିକାଶ ! ଏଇ ମାସରେ ପରା ଆମର ମେନ ଏକଜାମ ଅଛି । ଏକଥାକୁ ମନେରଖି ଶୀଘ୍ର ଆସିବାକୁ ଚେଷ୍ଟା କରିବୁ ।"

ସିଭିଲି ସର୍ଭିସ ମେନ ଏକଜାମ ଶେଷ ହେଇଗଲା ସିନା ବିକାଶ ଦିଲ୍ଲୀ ଆସିପାରିଲା ନାହିଁ । ସେ ଭୁବନେଶ୍ୱରରୁ ମୁମ୍ବାଇ ପୁଣି ଘରୁ ଭୁବନେଶ୍ୱର ଦୋୖଡ଼ାଦୌଡ଼ି କରି ହାଲିଆ ହେଇପଡ଼ିଲା । ତାଙ୍କର ଘରେଥିବା ଟଙ୍କା, ପାସବୁକରେ ଥିବା ଟଙ୍କାସବୁ ଶେଷ ହେଇଗଲା । ଧାର ଉଧାର ଟଙ୍କା ବି ତାକୁ ନିଅଣ୍ଟ ହେଲା ।

ଆମେ ତାକୁ ଆଶ୍ୱାସନା ଦେଇ କହିଥିଲୁ-"'ତୁ ମଝିରେ ଆସି ପରୀକ୍ଷାଟା ଦେଇପକା । ଆମ୍ମାର ବିଶ୍ୱାସ ଅଛି,ତୁ ନିଶ୍ଚୟ ଭଲ ରେଜଲ୍ଟ କରିବୁ ।"

କିନ୍ତୁ ସେ କୌଣସି ପ୍ରକାରେ ଦିଲ୍ଲୀ ଆସିପାରିଲା ନାହିଁ, କି ପରୀକ୍ଷାରେ ବସି ପାରିଲା ନାହିଁ । ଟଙ୍କା ଯୋଗାଡ଼, ଔଷଧ ଯୋଗାଡ଼ ଆଉ ଘରକଥା ବୁଝିବା ପୁଣି ତା 'ମାଆକୁ ସମ୍ଭାଳିବା କାମରେ ବ୍ୟସ୍ତ ରହିଗଲା ।

ଶେଷରେ ମୁଁ ତାକୁ କହିଥିଲି-"ତୁ ଦୁଃଖ କରିବୁ ନାହିଁ, ଆଗାମୀ ବର୍ଷକୁ ଯେମିତି ହେଉ ପରୀକ୍ଷାଟା ଦେଇଦେବୁ । ତୁ ନିଶ୍ଚୟ ଆଇଏଏସ ପାଇବୁ । ସେତେବେଳକୁ ମଉସାଙ୍କ ଦେହଟା ପୂରା ଭଲ ହେଇଯାଇଥିବ ।"

ଠିକ ସମୟରେ ସିଭିଲ ସର୍ଭିସ ରେଜଲ୍ଟ ବାହାରିଲା । ମୁଁ ଆଲାଏଡ ସର୍ଭିସ ପାଇଁ ଯୋଗ୍ୟ ବିବେଚିତ ହେଲି । ମାନସ ବି ଆଇପିଏସ ପାଇଲା । ବିକାଶ କଥା ମନେ ପଡ଼ିଯିବାରୁ ମନଟା ଭାରି ଦୁଃଖହେଲା । ଯାହା ହେବାର ହେଇଗଲା, ସେ ଆଗାମୀ ବର୍ଷ ଆଇଏଏସ ପାଇଲେ, ଆମଠାରୁ ଉଚ୍ଚ ପାହ୍ୟାରେ ରହିବ, ଆମର ସେ ବିଶ୍ୱାସ ରହିଥାଏ । ତେଣୁ ତାକୁ ବାରମ୍ବାର ଫୋନକରି ମୁଁ ଉତ୍ସାହିତ କରେ । 

ମଉସାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିବର୍ତ୍ତେ ଅଧିକ ଜଟିଳ ହେବାରେ ଲାଗିଲା । ସେ ବିଛଣାରେ ପଡ଼ି ଭାରି ଯନ୍ତ୍ରଣା ପାଉଥିଲେ । ବିକାଶ ତାଙ୍କରି ସେବାରେ ଲାଗିରହି ଦିଲ୍ଲୀ ଆସିବା ଭୁଲିଗଲା । ଫର୍ମଟା ପୂରଣ କରିଥିଲା ସିନା, ପ୍ରିଲିମିନାରୀ ଏକଜାମରେ ବସି ପାରିଲା ନାହିଁ । ଖବର ପାଇ ଆମେ ଦୁଃଖିତ ହେଇଥିଲୁ । ଫୋନରେ କହିଥିଲି- "ତୋର ଚାନ୍ସ ଅଛି, ତୁ ଏଥର ଯେମିତି ହେଲେ ପରୀକ୍ଷାଟା ଦେଇଦେବୁ, ମନତାକୁ ମାରି ରହିଯିବୁ ନାହିଁ । ତୋଦ୍ୱାରା ସବୁ ସମ୍ଭବ, ଯାହା ହେବାର ଅଛି, ତାହା ହିଁ ହବ ।" ଏ'କଥା କହି ମୁଁ ତାକୁ ବୁଝେଇଥିଲି ।

ମଣିଷ ଯାହା ଚାହେଁ, ସବୁ ଚାହିଁବା କଥାକୁ ଭଗବାନ ସ୍ୱୀକାର କରିନିଅନ୍ତି ନାହିଁ । ଭାଗ୍ୟ ଫଳତି ସର୍ବତ୍ର, ନ ଚ ବିଦ୍ୟା ନ ଚ ପୌରୁଷ, ଏ'କଥା ଆମ ସଂସ୍କୃତ ପଣ୍ଡିତେ ସବୁବେଳେ କ୍ଳାସରେ କହନ୍ତି । ଆମେ କେତେଜଣ ତାଙ୍କ କଥାକୁ ହସରେ ଉଡ଼େଇ ଦେଉଥିଲୁ । ଥରେ ମୁଁ ପଣ୍ଡିତଙ୍କ କଥାକୁ କାଟି କହିଥିଲି-"ନେପୋଲିୟନ ପରା ଏ' ଭାଗ୍ୟବାଦକୁ ଗ୍ରହଣ କରି ନ ଥିଲେ । ତେଣୁ ସେ ବିଶ୍ୱ ବିଜୟୀ ହୋଇ ପାରିଥିଲେ । ଆମର ଭାଗ୍ୟ ଆମ ହାତରେ, କେବଳ ସୁଯୋଗ ସୁବିଧାକୁ ଠିକ ସମୟରେ କାମରେ ଲଗେଇବା ହେଉଛି, ଆମର କର୍ତ୍ତବ୍ୟ । ଏଥିପାଇଁ ଦରକାର ସାହସ ଆଉ ଏକନିଷ୍ଠ ପ୍ରଚେଷ୍ଟା ଆଉ ଦୃଢ଼ ଆତ୍ମ-ବିଶ୍ୱାସ ।"

ସେଦିନ ମୋ କଥା ଶୁଣି ପଣ୍ଡିତେ ରାଗିଯାଇ ମୋତେ କହିଥିଲେ-"ତୁ ତ ଗୋଟାଏ ଅକାଳ କୁଷ୍ମାଣ୍ଡ । ଦେଖିବି, ତୁ କେମିତି ନିଜ ଚେଷ୍ଟାରେ ପାଠପଢି ମଣିଷଟା ହେଇଯିବୁ ।"

ମୁଁ ଅନୁଭବ କଲି, ସତରେ ଭାଗ୍ୟ ସଳଖ ନ ଥିଲେ, କୌଣସି କାର୍ଯ୍ୟ ସହଜରେ ହେଇପାରେ ନାହିଁ; କି ସଫଳତା ମିଳେନାହିଁ । ବିକାଶ ଯଦି ପରୀକ୍ଷାରେ ବସିବାର ସୁଯୋଗ ପାଇଥା'ନ୍ତା, ତେବେ ସେ ନିଶ୍ଚୟ ଆଇଏଏସ ପାଇଥା'ନ୍ତା । କିନ୍ତୁ ତା'ର ଭାଗ୍ୟ ତାକୁ ସହଯୋଗ କଲାନାହିଁ । ସିଏ ସେଇମିତି ରହିଗଲା । ଏ'ବର୍ଷ ପୁଣି କ'ଣ ହେବ କିଏ କହି ପାରିବ ?

ବିକାଶର ବାପା ଅନେକ କଷ୍ଟ ଯନ୍ତଣା ପାଇପାଇ ଶେଷରେ ଆରପାରିକୁ ଚାଲିଗଲେ । ବିଛଣାରେ ପଡ଼ିରହି ଯନ୍ତ୍ରଣାରେ ଛଟପଟହେଇ ବଞ୍ଚି ରହିବାଟା କି ଜୀବନ ? ଡାକ୍ତର ସଫା କହିଦେଇଥିଲେ -"ଆଉ କେଇଟା ଦିନ ମାତ୍ର ତାଙ୍କର ଆୟୁଷ ଅଛି । ରୋଗୀକୁ ଘରକୁ ନେଇ ଯା-।"

ସେତେବେଳକୁ ତାଙ୍କ ପରିବାରର ସବୁ ସଦସ୍ୟ ବିକଳହେଇ ମନେମନେ ଭଗବାନଙ୍କୁ ଡାକୁଥିଲେ- ଯଦି ବଞ୍ଚିବାର ନାହିଁ, ତେବେ ତାଙ୍କୁ ଶୀଘ୍ର ନେଇଯାଅ, ଏତେ କଷ୍ଟ ଦିଅନା ପ୍ରଭୁ । ଅପରେସନ ତ ସଫଳ ହେଇଥିଲା । ନିୟମିତ ପୁଣି କେମୋ ଦିଆ ଯାଉଥିଲା, ଏଥିପାଇଁ ଲକ୍ଷଲକ୍ଷ ଟଙ୍କା ବି ଖର୍ଚ୍ଚ ହେଇଗଲା । ବିକାଶ ତା'ବାପାଙ୍କ ଦସ୍ତଖତ କରାଇ ନେଇ ଜମିତକ ମଧ୍ୟ ବିକ୍ରିକରି ଦେଇଥିଲା । ତା'ମାଆ କହିଥିଲେ- ସେ ଜମି ରହି ଆମର କ'ଣ ହେବ, ତୁ କ'ଣ ଆସି ସେଥିରେ ହଳ କରିବୁ ? ଏବେ ତ ମୂଲିଆ ମିଳୁ ନାହାନ୍ତି । ଯାହାକୁ ଭାଗରେ ଦେଲେ, ସେ ମାଡ଼ି ବସୁଛି । ସବୁ ଜମିକୁ ବିକ୍ରି କରିଦେ । ବାପା ଭଲ ହେଇଗଲେ, କେତେ ଜମି କିଣା ହେଇପାରିବ ।"

ଧାର ଉଧାର ଶୁଝିବା ଉଦ୍ଦେଶ୍ୟରେ ବିକାଶ ନିଜଘରକୁ ଶେଷରେ ବନ୍ଧା ଦେଇଦେଲା । ତାକୁ ଆଉ ମୁକୁଳେଇ ପାରିଲା ନାହିଁ । ସତ କହିବାକୁ ଗଲେ, ବିକାଶ ଏକପ୍ରକାର ତଳିତଳାନ୍ତ ହେଇଗଲା । ଏଣେ ବଡ଼ ଭଉଣୀଟା ଅବିବାହିତା ରହିଥାଏ । ତା' ତଳେ ଆହୁରି ଗୋଟିଏ ଭଉଣୀ କଲେଜରେ ପଢୁଥାଏ । ଏ'ସବୁ ଦାୟିତ୍ୱ ରହିଲା-ସେହି ଏକମାତ୍ର ପୁଅ ବିକାଶ ଉପରେ ।

ବାପା ଚାଲିଗଲା ପରେ ବିକାଶ ମନକୁ ଟାଣକରି ପରିବାରକୁ ସମ୍ଭାଳି ରଖିବାକୁ ଅଣ୍ଟା ଭିଡ଼ିଲା, ଏଥର ସେ ଦିଲ୍ଲୀ ଆସିବ । ଆମ ଦୁଇଜଣଙ୍କୁ ଦେଖାକରି ପରୀକ୍ଷା ଦେବାକଥା ଚିନ୍ତା କରିବ । ଏ'କଥା ସେ ଆମକୁ ଫୋନରେ ଜଣାଇଥିଲା ।

ବିଧବା ମାଆ, ସାନବଡ଼ ତିନି ଭଉଣୀକୁ ପ୍ରବୋଧନା ଦେଇ ସେ ଦିଲ୍ଲୀ ଆସିବାକୁ ଅଗ୍ରିମ ଟିକେଟ ବି କାଟିଦେଲା । ଆମେ ଦୁଇବନ୍ଧୁ ତା'ର ଆସିବା ବାଟକୁ ଚାତକପରି ଚାହିଁ ରହିଥାଉ, କିନ୍ତୁ ବିକାଶ ଦିଲ୍ଲୀ ନ ଆସି ପୁଣି ଚାଲିଲା ମୁମ୍ବେଇ । ଏହା ଭିତରେ ଜଣାପଡିଥିଲା ଯେ, ତା' ମାଆକୁ ମଧ୍ୟ କ୍ୟାନସର ହେଇଯାଇଛି । ଏହା କିନ୍ତୁ ପ୍ରିଲିମିନାରୀ ଷ୍ଟେଜରେ ଅଛି ।

ଏମିତି ଖରାପ ଖବର ପାଇ ଆମେ ଦୁହେଁ ଭାଙ୍ଗିପଡ଼ିଲୁ । ବିକାଶକୁ ସାହସଦେଇ ମୁଁ ଫୋନରେ କହିଲି-"ତୋର ଯଦି ନିହାତି ଅସୁବିଧା ଥାଏ, ତେବେ ଆମକୁ ଜଣେଇବୁ । ଆମେ ଯଥା ସମ୍ଭବ ଟଙ୍କା ନେଟ ମାଧ୍ୟମରେ ପଠାଇଦେବୁ । ମାଉସୀଙ୍କୁ ଯେମିତି ହେଲେ, ସୁସ୍ଥରେ ବଞ୍ଚେଇ ରଖିବାକୁ ହେବ । ଵିପଦ ବେଳେ ସ୍ୱାଭିମାନକୁ ଦେଖିଲେ ଚଳିବ ନାହିଁ । ଅନେକ ସମୟରେ ଆମକୁ ପରିସ୍ଥିତି ସହିତ ସମ୍ମୁଖୀନ ହେବାପାଇଁ କମ୍ପରମାଇଜ କରିବାକୁ ପଡ଼ିଥାଏ । ସମୁଦ୍ର ଲହଡ଼ିକୁ ଦେଖି ମଥା ନଇଁଦେଲେ, ବିପଦ ଟଳିଯାଏ । ଭଗବାନ ଶ୍ରୀକୃଷ୍ଣ ତ ପୁଣି ଗଧପାଦ ଧରିଥିଲେ । ଏ'କଥାକୁ ତୁ ସବୁବେଳେ ମନେ ରଖିଥିବୁ ।"

ବିକାଶର ଥାର୍ଡ଼ ଚାନ୍ସ ବି ଚାଲିଗଲା । ଆଉ ସେ କେବେ ବି ପରୀକ୍ଷାରେ ବସିପାରିବ ନାହିଁ । ମାଉସୀ କେମୋ ନେଇ ଘରକୁ ଫେରିଲେ ସିନା, ତାଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେଇଚାଲିଲା । ଘରକୁ ବନ୍ଧା ପକେଇ ସେ ଯେଉଁ ଟଙ୍କା ନେଇଥିଲେ, ତାକୁ ଶୁଝିବାକୁ ଆଉ କୌଣସି ଉପାୟ ନ ଥିଲା । ସେ ଘରକୁ ବିକ୍ରି କରିଦେବାକୁ ବାଧ୍ୟହେଲା । ବୁଡ଼ିଗଲା ଗୋଡ଼ ତଳକୁ ତଳକୁ । ସାନ ଭଉଣୀର ପାଠପଢ଼ା ବନ୍ଦ ହେଇଗଲା । ବଡ଼ ଭଉଣୀ ଆଉ ବାହାହେବ ନାହିଁ ବୋଲି ସଫାସଫା କହିଦେଲା । ମାଆ ବଞ୍ଚିଥିବା ପର୍ଯ୍ୟନ୍ତ ତା' ସେବା କରୁଥିବ । ତା'ପରେ ତା'ର ଦୁଃଖୀ ଭାଇକୁ ଭରସା ହେଇରହିବ ବୋଲି ସେ ନିଷ୍ପତି ନେଇଯାଇଥିଲା । ଏତେ ଅଭାବ ଅନାଟନରେ ଥାଇ ମଧ୍ୟ ବିକାଶ ଦିନେ ବି ଆମ ପାଖରେ କେବେ ହାତ ପତେଇଲା ନାହିଁ । ସେ ତା'ର ସ୍ୱାଭିମାନକୁ ବଜାୟ ରଖିଥିଲା ।

ଏବେ ସେମାନେ ରହିବେ କେଉଁଠି ? ଖାଇବେ କ'ଣ ? ଅନ୍ନଚିନ୍ତା ତ ଚମତ୍କାର । ଆଉ ଭବିଷ୍ୟତ ଅନ୍ଧକାର ।

ବିକାଶର ଦୁରବସ୍ଥା ଜାଣିପାରି ଆମେ ଦୁଇବନ୍ଧୁ ତାକୁ ପରାମର୍ଶ ଦେଲୁ ଯେ, ମାଉସୀ ଓ ଭଉଣୀଙ୍କୁ କୌଣସି ପ୍ରକାରେ ଥଇଥାନ କରିଦେଇ ତୁ ଶୀଘ୍ର ଦିଲ୍ଲୀ ଚାଲି ଆ- । ଏଇଠି ତୋ'ପାଇଁ ଆମେ କିଛି ନା କିଛି ଗୋଟାଏ ରୋଜଗାରର ବ୍ୟବସ୍ଥା କରିଦେବୁ ।

ସ୍ୱାଭିମାନୀ ତଥା ସାହସୀ ବିକାଶ ନମ୍ରତା ସହିତ ଆମ ସାହାଯ୍ୟକୁ ପ୍ରତ୍ୟାଖାନ କରି ଆମକୁ ଧନ୍ୟବାଦ ଜଣାଇଲା । ତା' ମନରେ କଷ୍ଟ ନ ଦେବା ପାଇଁ ଆମେ ତା' ଉପରେ ଆଉ ଚାପି ପକେଇ ନ ଥିଲୁ ।

କିଛିଦିନ ପରେ ମୁଁ ଖବର ପାଇଲି, ବିକାଶ ତା'ର ମାଆ ଓ ଭଉଣୀମାନଙ୍କ ସହିତ ଭୁବନେଶ୍ୱର ଚାଲିଆସିଛି । ପଟିଆ ଅଞ୍ଚଳରେ ଗୋଟିଏ ଛୋଟିଆ ଖପରଘର ଭଡ଼ାନେଇ ରହୁଛି । ଟିଉଟୋରିଆଲ ସେଣ୍ଟରରେ ପାଠ ପଢ଼େଇ ଅଳ୍ପକିଛି ରୋଜଗାର କରୁଛି । ତା' ବଡ଼ ଭଉଣୀ ମଧ୍ୟ କେତେଜଣ ସ୍କୁଲପିଲାଙ୍କୁ ସେଇ ଘରେ ଟିଉସନ କରି କିଛି ରୋଜଗାର କରୁଛି । କୌଣସି ପ୍ରକାରେ ସେମାନେ ଥଇଥାନ ହେଇଯାଇଛନ୍ତି । ଏକଥା ଜାଣି ମନଟା ଟିକେ ହାଲୁକା ହେଇଗଲା । ଯେଉଁ ବିକାଶ ଦୁଇତିନି ବର୍ଷ ତଳେ ଜଣେ ଧନଵାନ ପୁତ୍ରଭାବେ ଆମ ଆଗରେ ପରିଚିତ ହେଉଥିଲା, ସେ ଆଜି ଦୟନୀୟ ଜୀବନ ବିତାଉଛି । ଏ'କଥା ଭାବିଲା ବେଳକୁ ମନରେ ଦୁଃଖ ଆସିବା ତ ସ୍ୱାଭାବିକ । ଭଗବାନ ତା' ମନରେ ବଳ ଓ ସାହସ ଦିଅନ୍ତୁ ।

ଥରେ ଭୁବନେଶ୍ୱର ଗସ୍ତ ସମୟରେ ମୁଁ ବିକାଶର ଭଡ଼ାଘର ଖୋଜିଖୋଜି ପାଇଗଲି । ସେ ଯେଭଳି ପରିବେଶରେ ରହୁଥିଲା; ତାକୁ ଦେଖି ମୋ ଆଖିରେ ଲୁହ ଜକେଇ ଆସିଥିଲା । ମନ ହେଉଥିଲା-ତାକୁ କିଛି ଆର୍ଥିକ ସାହାଯ୍ୟ କରି ମୋ ହୃଦୟର ଜ୍ୱାଳାକୁ ପ୍ରଶମନ କରନ୍ତି । କିନ୍ତୁ ମୁଁ ଭଲକରି ଜାଣେ, ବିକାଶ ଏହାକୁ ମୋର ଅନୁଗ୍ରହ ମନେକରି ଗ୍ରହଣ କରିବ ନାହିଁ । ସେ କେବେ ଆମଠାରୁ ପାଞ୍ଚ ପଇସାର ଉପକାର ନେଇନାହିଁ, ବରଂ ହାତଖୋଲି ଆମପାଇଁ ଯଥେଷ୍ଟ ଖର୍ଚ୍ଚ କରିଛି । ସେ ତା'ର ପୂର୍ବ ସ୍ୱାଭିମାନକୁ ବି ବଜାୟ ରଖିବ । ତେଣୁ ଅନ୍ୟ କିଛି ଉପାୟ ଚିନ୍ତା କରିବାକୁ ପଡ଼ିବ ଭାବି ମୁଁ ସେଥିରୁ କ୍ଷାନ୍ତ ରହିଲି । ସେଦିନ ହସଖୁସିରେ ବିକାଶ ସହିତ କିଛିକଥା ହେଇପାରିଲି ନାହିଁ । ସତରେ ପରିବାରର ବୋଝକୁ ମୁଣ୍ଡେଇ ବିକାଶ ଏବେ ନଇଁ ପଡ଼ିଛି । ତାକୁ ପରାମର୍ଶ ଦେବାକୁ ମୋ ପାଖରେ କିଛି ନ ଥିଲା । ସ୍ୱର୍ଗତ ମଉସାଙ୍କ ଫଟୋକୁ ମୁଣ୍ଡିଆ ମାରି ତା'ଠାରୁ ବିଦାୟ ନେଇଆସିଲି ।

ବିକାଶର ଦୁରବସ୍ଥା କଥା ମୋଠାରୁ ଶୁଣି ମନୋଜ ହତବାକ ହେଇଯାଇଥିଲା । ସେ ଦ୍ଵନ୍ଦରେ ପଡ଼ିଗଲା, ଏବେ ସେ ଭୁବନେଶ୍ୱର ଗଲେ-ତାକୁ ଦେଖା କରିବ କି ନାହିଁ । ଯଦି ତା' ଘରକୁ ଯାଏ, ତାକୁ କିଭଳି ସାହାଯ୍ୟ ସହଯୋଗ କରିପାରିବ । ସେ ଚିନ୍ତାରେ ପଡ଼ି ଯାଇଥିଲା । ଗୋଟାଏ ବିବାହ ପ୍ରସ୍ତାବ ପକ୍କା କରିବାକୁ ତା'ବାପା ତାକୁ ଭୁବନେଶ୍ୱର ଡ଼କାଇଥିଲେ ।

ସେଦିନ ମୁଁ ମନୋଜଙ୍କୁ କହୁକହୁ କହିଦେଲି-"'ବିକାଶର ମଝିଆଁ ଭଉଣୀଟା ବିଏ ପାସକରି ଘରେ ଅଛି । ଦେଖିବାକୁ ବେଶ ସୁନ୍ଦରୀ । ତା'ବଡ଼ ଭଉଣୀ ତ ବାହାହେବ ନାହିଁ । ତେଣୁ ତୁ ଯଦି ରାଜିହେବୁ, ତା'ହେଲେ ବିକାଶ ପାଇଁ ସବୁଠାରୁ ବଡ଼ ଉପକାରଟିଏ କରିପାରିବୁ । କିନ୍ତୁ ଏବେ ତା'ର ଯେଉଁ ଅବସ୍ଥା, ସେ ବାହାଘର କରିପାରିବା ସ୍ଥିତିରେ ନାହିଁ । ବିନା ଯୌତୁକରେ ତୁ ତ ବାହା ହେବାକୁ କହୁଥିଲୁ । ପ୍ରସ୍ତାବଟା ବାପାଙ୍କୁ ଦେଇ ବୁଝ, ଆଗ ତୁ ତାକୁ ନିଜେଯାଇ ଦେଖ । କ'ଣ ହେଇଛି, ଦେଖାଯାଉ । ବିକାଶ କିମ୍ବା ତା'ମାଆ ଏଥିରେ ଅରାଜି ହେବେନାହିଁ ବୋଲି ମୋର ବିଶ୍ୱାସ ରହିଛି ।" 

ମନୋଜ ମୋ ପ୍ରସ୍ତାବକୁ ବିନା ସଂକୋଚରେ ଗ୍ରହଣ କରିନେଲା । ଏତେଶୀଘ୍ର ଏ' ପ୍ରସ୍ତାବଟା କାର୍ଯ୍ୟକାରୀ ହେଇଯିବ, ମୁଁ କଳ୍ପନା କରି ନ ଥିଲି । ଆମ ଭୁବନେଶ୍ୱର ଘରକୁ ବର ଆସିଲା । ମୋ ବାପା ବୋଉ କନ୍ୟାଦାନ କଲେ । ସେହିଦିନରୁ ମନୋଜ ମୋର ଭିଣୋଇ ହେଇଗଲା । ବିକାଶ ମୋ ନିକଟରେ ସବୁଦିନ ପାଇଁ କୃତଜ୍ଞହେଇ ରହିଗଲା । ବାହାଘର ପରେ ପରେ ମନୋଜ କଲିକତାକୁ ବଦଳିହେଇ ଚାଲିଗଲା ।

ସରକାରୀ କାମରେ ମୋତେ ଥରେ ଆମେରିକା ଯିବାକୁ ପଡ଼ିଲା । ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତରହି ମୁଁ ଆଉ ବିକାଶ ସହିତ ସଂପର୍କ ରଖିପାରି ନ ଥିଲି । ମନୋଜ ବି ଯୋଗାଯୋଗ ରଖି ନ ଥିଲା । ମୁଁ ଫେରି ଆସି ଯେତେଥର ଚେଷ୍ଟା କରିଛି, ବିକାଶର ଫୋନଟା ସୁଇଚ ଅପ ଦେଖାଉଥିଲା । 

ଏହା ମଧ୍ୟରେ ବେଶ କିଛିଦିନ ବିତିଯାଇଥିଲା । ଦିନେ ମୋ ବାପାଙ୍କ ଦେହ ଅସୁସ୍ଥ ଥିବା ଖବର ପାଇ ମୁଁ ଭୁବନେଶ୍ୱର ବାହାରିଲି । ଭାବିଥିଲି ବିକାଶ ସହିତ ବି ଦେଖା ହେଇଯିବ । ଏଥର ତାକୁ କିଛି ଆର୍ଥିକ ସାହାଯ୍ୟ ଯେମିତି ହେଲେ ଦେବି ବୋଲି ମନସ୍ଥିର କରି ନେଇଥାଏ । କିଛି ନ ହେଲେ ବି ସେ ଯେମିତି ଭଲ ଜାଗାରେ ପକ୍କାଘରଟିଏ ଭଡ଼ାରେ ନେଇ ରହିବ, ସେ ବ୍ୟବସ୍ଥା କରିଦେବି । ଘରଭଡ଼ା କଥା ମୁଁ ବୁଝିବି । ଦରକାର ପଡ଼ିଲେ, ବାପାଙ୍କୁ କହି ଆମଘରର ଉପର ମହଲାରେ ତାକୁ ମାଗଣାରେ ରହିବାକୁ କହିବି । ସେ ମନାକଲେ, ମାନିବି ନାହିଁ । ଆଗ ମାଉସୀଙ୍କୁ ନେଇଆସି ସେ ଘରେ ରଖେଇଦେବି । ସେ ବଳେବଳେ ସେଇଠିକ ଆସିବ । ତା'ର ଆର୍ଥିକ ଅବସ୍ଥା ଟିକେ ସୁଧୁରିଗଲେ, ସ୍ୱାଭିମାନୀ ବିକାଶ ନିଶ୍ଚୟ ନିଜେ ନୂଆ ଘରଭଡ଼ା ନେଇ ରହିବ ।

ଆମଘରେ ପହଞ୍ଚି ଦେଖିଲି, ବାପାଙ୍କ ସେମିତି କିଛି ହେଇନାହିଁ । ଗ୍ୟାଷ୍ଟିକ ପ୍ରୋବ୍ଲେମ ପାଇଁ ଔଷଧ କିଣି ଆଣିଲି । ବାପାଙ୍କଠାରୁ ବୁଝିଲି, ମନୋଜ ଏବେ ତା' ଫେମିଲ ନେଇ କଲିକତାରେ ରହୁଛି । ସେମାନେ ଭଲରେ ଅଛନ୍ତି । ବିକାଶ ଏବେ ବାରିପଦାରେ ଥିବା ଚିନ୍ତାନାୟକ କଲେଜରେ ଲେକଚର ଚାକିରି ପାଇଯାଇଛି । ତା' ସାନ ଭଉଣୀ ଜଣେ ଇଂଜିନିୟରକୁ ପ୍ରେମବିବାହ କରି ଏବେ ବାଙ୍ଗାଲୋରରେ ରହୁଛି । ବିକାଶ ତା' ମାଆ ଆଉ ଭଉଣୀଙ୍କୁ ସେଇଠିକ ନେଇଗଲାଣି । ଏ'ସବୁ ଭଲ ଖବର ପାଇ ମୋ ମନରେ ଥିବା ସବୁପ୍ରକାର ଆଶଂକା ଦୂର ହେଇଗଲା । ମନଟା ହାଲୁକା ହେଇଗଲା । ତା'ପରଦିନ ସକାଳୁ ସକାଳୁ ମୁଁ ବାରିପଦା ବାହାରି ପଡ଼ିଲି ।

ବାରିପଦାରେ ପହଞ୍ଚି ସିଧାଯାଇ ଚିନ୍ତାନାୟକ କଲେଜରେ ପହଞ୍ଚି ଦେଖିଲି-ଅତ୍ୟନ୍ତ ସୁନ୍ଦର ପରିବେଶ । କ୍ୟାମ୍ପସଗୁଡ଼ିକ ଯେମିତି ବିରାଟ, ସେମିତି ଆଧୁନିକ ଡିଜାଇନରେ ଗଢାଯାଇଛି । ଆମ ରାଜ୍ୟର ବାରିପଦା ସହରଠାରୁ ଅନତି ଦୂରରେ ଏତେ ବଢିଆ ପ୍ରାଇଭେଟ କଲେଜ ଗଢି ଉଠିଥିବ, ମୁଁ କଳ୍ପନା କରି ପାରୁ ନ ଥିଲି । ଏଭଳି ଏକ ଉଚ୍ଚମାନର କଲେଜରେ ଅଧ୍ୟାପକହେଇ ବିକାଶ ବେଶ ଖୁସିରେ ଥିବ । ବଢିଆ ଦରମା ବି ପାଉଥିବ । ଭାବିଲି ବିଚରା ବହୁତ କଷ୍ଟ ପାଇଥିଲା, ଏବେ ତା'ର ଭାଗ୍ୟଦେବୀ ଉଦୟ ହେଇଛନ୍ତି ।

କଲେଜ ପରିସରର ସୁନ୍ଦର ଘାସ ଗାଲିଚା, ବୃହତ ପୁଷ୍ପ ଉଦ୍ୟାନ, ଚୌଡ଼ା ଚୌଡ଼ା ରାସ୍ତା ଏବଂ ସୁରମ୍ୟ ପ୍ରଶାସନିକ ବ୍ଲକ, ଆଧୁନିକ ଖେଳପଡ଼ିଆକୁ ଦେଖି ମୋ ଆଖି ଖୋସିହେଇ ପଡ଼ିଲା । ମୁଁ ଚାରିଆଡ଼କୁ ଆଖି ପକେଇ ଚାଲୁଥିବା ସମୟରେ ମୋ ନାମଧରି ପଛରୁ ବିକାଶ ଡାକିଲା-"'ଆରେ, ପ୍ରେମ ! ତୁ କେତେବେଳେ ଆସି ଏଠି ପହଞ୍ଚିଗଲୁଣି ? ମୋତେ ଟିକେ ଆଗରୁ ଖବର ଦେଲୁନାହିଁ ?"

ଆମେ ଦୁହେଁ ଦୁହିଁଙ୍କୁ କୁଣ୍ଢେଇ କେତେ ମୁହୂର୍ତ୍ତ ରହିଗଲୁ ।

ମୁଁ ଆଗ ଆରମ୍ଭ କଲି-"ଆରେ ! ଆଜିଯାଏ ତୋ' ଫୋନଟାକୁ ସୁଇଚ ଅପକରି ରଖିଛୁ କାହିଁକି ? ତୋତେ ଦେଖିବାକୁ ମୋ ମନ ଅସମ୍ଭାଳ ହେଲା ତ, ସରପ୍ରାଇଜ ଦେବାକୁ ତୋତେ କିଛି ଜଣେଇ ନ ଥିଲି ।"

-"ପ୍ରେମ ! ତତେ କ'ଣ କହିବି, କେମିତି କହିବି ? ମୋ ଜୀବନର ଗତିପଥ ସବୁ ଓଲଟ ପାଲଟହେଇ ଯାଇଛି ରେ - । ସେ ପୁରୁଣା ଫୋନଟାକୁ ମୁଁ ଆଉ ବ୍ୟବହାର କରୁନାହିଁ । ଏଥର ନୂଆ ନମ୍ବରଟା ନେଇଯିବୁ, ଚାଲ ଆଗ ମୋ ଚାମ୍ବରରେ ବସିବା । ତା'ପରେ କଫି ଖାଉଖାଉ ବହୁତ କଥା କହିବି ତୁ ଖାଲି ଶୁଣିବୁ ।"

ପ୍ରାଶାସନିକ ଭବନ ଭିତରେ ଆମେ ପଶିଲୁ । ଆଧୁନିକ ସାଜସଜା, ବିରାଟ ଚାମ୍ବର,ତା' ଦୁଆରେ ଚେୟାରମ୍ୟାନ କମ ପ୍ରିନ୍ସପାଲ ନେମପ୍ଲେଟ ଝୁଲୁଥିଲା । ଭିତରକୁ ଯାଇ ବିକାଶ ଚେୟାରମ୍ୟାନ ସିଟରେ ବସି ପଡ଼ିଲା । ମୋତେ ଅତିଥିଙ୍କ ଉଦ୍ଦେଶ୍ୟରେ ପଡ଼ିଥିବା ଚୌକିରେ ବସିବାକୁ ହାତ ଦେଖାଇଲା । ମୁଁ ଆଶ୍ଚର୍ଯ୍ୟ ହେଇଗଲି, ମୋ ପାଟିରୁ ବାହାରି ପଡ଼ିଲା-"ତୁ ପରା ଏଠି ଲେକଚର ଅଛୁ ? ଚେୟାରମ୍ୟାନଙ୍କ ସିଟରେ ---?

ମୋ କଥା ନ ସରୁଣୁ ଦୁଇକପ କଫି ଧରି ପିଅନ ଆସି ପହଞ୍ଚିଗଲା । କଫି କପରେ ଓଠ ଲଗେଇ ବିକାଶ ଆରମ୍ଭ କଲା- "ମୁଁ ଲେକଚର ହେଇ ଏଠିକି ଆସିଥିଲି, କିନ୍ତୁ ପ୍ରିନ୍ସପାଲ ଦାୟିତ୍ୱରେ ରହିଲି । ମୋ ଶ୍ୱଶୁର ପୁଣି ମୋତେ ଚେୟାରମ୍ୟାନ ଦାୟିତ୍ୱ ଦେଇଯାଇଛନ୍ତି । ଖାଲି ସେତିକି ନୁହେଁ, କଲେଜର ଓନରସିପ ମଧ୍ୟ ମୋ ନାମରେ କରିଦେଇ ଯାଇଛନ୍ତି । 

-ତା' ମାନେ, ତୁ ଏବେ ଏଇ ବିରାଟ କଲେଜର ମାଲିକ ହୋଇଯାଇଛୁ ? ତୋ' ଶ୍ୱଶୁର କିଏ କିରେ ?"

 -"ତୁ ଚିନ୍ତାମଣି ନାୟକ ପୂର୍ବତନ ମନ୍ତ୍ରୀଙ୍କ ନାମ ଶୁଣିଛୁ ?"

-"ଶୁଣିଛି କ'ଣ, ତାଙ୍କୁ ମୁଁ ଭଲ ଭାବରେ ଜାଣେ । ସେ ପରା ଏବେ ସାଂସଦ ହେଇ ଦିଲ୍ଲୀରେ ରହୁଛନ୍ତି । ସେ ଓଡ଼ିଶାର ମନ୍ତ୍ରିମଣ୍ଡଳରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଥିଲେ । ତାଙ୍କୁ ସମସ୍ତେ ସୁପର ଚିପ ମିନିଷ୍ଟର ଭାବେ ଜାଣନ୍ତି । ତାଙ୍କୁ ପୁଣି କିଏ ନ ଚିହ୍ନେ ?" 

-ବେଶ ତାଙ୍କରି ଏକମାତ୍ର ଅଲିଅଳି କନ୍ୟା ଅନିନ୍ଦିତାକୁ ମୁଁ ବାହା ହେଇଛି । 

-"ଆରେ ତୁ ଏତେବଡ଼ ଜାଗାରେ କେମିତି ଜୁଟିଲୁ ? ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ।" 

-ପ୍ରେମ ! ତତେ ମୁଁ କିଛି ଲୁଚେଇ ରଖିବି ନାହିଁ । ତୁ ଜାଣୁ ମୁଁ ମୂଳରୁ ଯୌତୁକ ବିରୋଧୀ ଥିଲି । ତମେମାନେ ମୋତେ ଅତ୍ୟନ୍ତ ସ୍ୱାଭିମାନୀ କହି ଚିଡ଼ାଅ; କିନ୍ତୁ ପରିସ୍ଥିତିକୁ ସମ୍ମୁଖୀନହେଇ କେତେଟା ଜାଗାରେ କମ୍ପରମାଇଜ କରିବାକୁ ତୁ ମୋତେ କହିଥିଲୁ ନା' ?"

-ମୁଁ ତତେ କେତେଥର କହିଥିଲି ତ, କିନ୍ତୁ ତୁ କେବେ ମାନିଲୁ କି ?" 

-"ମାନିଛି, ଏଇ ବାହାଘର ପ୍ରସ୍ତାବରେ ମୁଁ ଢେର କମ୍ପରମାଇଜ କରିଛି ।"

-"କ'ଣ କେମିତି ହେଲା ? ତୋ'ବାହାଘର କଥା ମୋତେ ଆଗ କହ । ଆଜି ମୋତେ ଭାରି ଖୁସି ଲାଗୁଛି, ଯାହାକି ଆଗରୁ ମୋ ଜୀବନରେ ଏତେଖୁସି କେବେ ହେଇ ନ ଥିଲି । ମୋତେ ଲାଗୁଛି, ତୋର ଭାଗ୍ୟରବି ଅସ୍ତ ହେଉହେଉ ପୁଣି ଅସ୍ତାଚଳରେ ଉଦୟହେଇ ଯାଇଛନ୍ତି ।"

 -"ହଉ, ଆଗ ମୋର ପୂକଥାଟା ଶୁଣ, ତା'ପରେ ତୁ କେତେ ଆନନ୍ଦ ହେବୁ, ମୁଁ ତୋତେ ସେତେବେଳେ ଦେଖିବି । ମୁଁ ଯେଉଁ ଟିଉଟୋରିଆଲ ସେଣ୍ଟରରେ ପାଠ ପଢାଉଥିଲି, ସେଇ ସେଣ୍ଟରର ମାଲିକ ଥିଲେ-ମୋ ଶ୍ୱଶୁର ଚିନ୍ତାମଣି ନାୟକ । ସେ ତ କେବେ ସେଣ୍ଟରକୁ ଆସନ୍ତି ନାହିଁ । ତାକୁ ସେଇଠି ଜଣେ ମ୍ୟାନେଜର ଚଳାନ୍ତି । ସେ ମୋତେ ବହୁତ ଭଲ ପାଉଥିବାରୁ ସବୁକଥା ମନଖୋଲି ମୋତେ କହନ୍ତି । ମାଲିକଙ୍କ ଘର ଓ ପରିବାର କଥା ବି କହନ୍ତି ।"

ଥରେ ସେ ମାଲିକଙ୍କ ଅଲିଅଳି କନ୍ୟା ଅନନ୍ଦିତା କଥା କହୁଥିଲେ-" ସେ ଜଣେ ଅନିନ୍ଦ୍ୟ ସୁନ୍ଦରୀ ଆଉ ସ୍ୱାଧୀନଚେତା ନାରୀନେତ୍ରୀ । ଅକଳନ ସଂପତ୍ତି ଓ ବାପାଙ୍କ କ୍ଷମତା ବଳରେ ସେ ଧରାକୁ ସରା ମନେ କରୁଥିଲେ ସତ, କିନ୍ତୁ କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ସେ ଜଣେ ବୟସ୍କ ରାଜନୀତିଜ୍ଞ ପାଲରେ ପଡ଼ିଗଲେ । ଶେଷରେ ବାଧ୍ୟହୋଇ ତାକୁ ବାହା ବି ହେଇଥିଲେ, କିନ୍ତୁ ତାଙ୍କୁ ସମ୍ଭାଳି ରଖିବାର କ୍ଷମତା ସେ ନେତାଙ୍କର ନ ଥିଲା । ବର୍ଷକ ପରେ ସେ ତାଙ୍କୁ ଡିଭର୍ସଦେଇ ଘରକୁ ସବୁଦିନ ପାଇଁ ଫେରି ଆସିଲେ ।

ବାପାଙ୍କ ଅର୍ଥ ବଳରେ ସେ ଭୁବନେଶ୍ୱରରେ ଗୋଟାଏ ଇଂଜିନିୟରିଂ କଲେଜ ଆରମ୍ଭ କରିଦେଲେ । ପୁଣି ତାଙ୍କ ବାପାଙ୍କ ଇଚ୍ଛାରେ ବାରିପଦାରେ ଗୋଟାଏ ପ୍ଲସ-ଟୁ କଲେଜ ଖୋଲିଦେଲେ । ତାଙ୍କ ବାପା ଭାବିଥିଲେ- ଏଇ ଦୁଇଟା କଲେଜ କଥା ବୁଝୁବୁଝୁ ଝିଅର ସମୟ କଟିଯିବ । ସେ ପଛକଥା ଆଉ ମନେ ପକେଇବାକୁ ସମୟ ପାଇବ ନାହିଁ, କିନ୍ତୁ ତାଙ୍କର ଭାବନା ଠିକ ନଥିଲା ।

କିଛିଦିନ ପରେ ଅନିନ୍ଦିତାଙ୍କ ମନ ବଦଳିଗଲା । ସୌମ୍ୟକାନ୍ତ ତଥା ଶିକ୍ଷିତ ଯୁବକ ଜଣେ ମିଳିଗଲେ, ସେ ପୁନର୍ବିବାହ କରିବାକୁ ସମସ୍ତଙ୍କୁ ଜଣାଇଦେଲେ । ତାଙ୍କର ବାପା ଏକମାତ୍ର ଝିଅର ସୁଖ ସୁବିଧା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ । ବାପା ତାଙ୍କର ବିଭିନ୍ନ ପତ୍ରପତ୍ରିକାରେ ବିଜ୍ଞାପନ ଦେଇଥିଲେ, କିନ୍ତୁ ସେଭଳି କୌଣସି ଯୁବକ ଆଗେଇ ଆସିଲେ ନାହିଁ । ଏବେ ବି ସେ ବର ଖୋଜାରେ ଲାଗିଛନ୍ତି । ବରଘର ଲୋକେ ଯିଏ ଯାହା ଚାହିଁବ, ତାକୁ ଦିଆଯିବ । ଉଚ୍ଚବେତନରେ ଚାକିରି, ଭୁବନେଶ୍ୱରରେ ପକ୍କାଘର, ନଗଦ କୋଡ଼ିଏ ପଚିଶ ଲକ୍ଷ୍ ପର୍ଯ୍ୟନ୍ତ ଟଙ୍କା ସେ ଦେବାକୁ ପ୍ରସ୍ତୁତହେଇ ରହିଛନ୍ତି । ଭଲ କ୍ୟାଣ୍ଡିଡ଼େଟ ମିଳିଲେ, ତାଙ୍କୁ ଖବର ଦେବାପାଇଁ ସେ ମୋତେ ନିର୍ଦ୍ଦେଶ ଦେଇଛନ୍ତି । ମୁଁ ଭାବୁଛି, ଆପଣ ଯଦି ଏହି ପ୍ରସ୍ତାବରେ ରାଜି ହେଇଯାଆନ୍ତେ, ତେବେ ସବୁ ଦିଗରୁ ଭଲ ହୁଅନ୍ତା ।"

ମ୍ୟାନେଜରଙ୍କ କଥାଶୁଣି ମୁଁ ପ୍ରଥମେ ହଡ଼ବଡେ଼ଇ ଯାଇଥିଲି । କଥାଟା ଶୁଣିବାକୁ ସିନା ସୁଖ ବିନୋଦ ଲାଗୁଥିଲା, କିନ୍ତୁ ନିଜକଥା ପଡ଼ିବା ବେଳକୁ ମୋ ଦେହରୁ ଗୋଟାଏ ଶ୍ରମଝାଳ ବୋହିଗଲା । ସତରେ ପ୍ରେମ ! ସେତିକିବେଳେ କେମିତି ତୋ'କଥା ମୋର ମନେ ପଡ଼ିଗଲା । କମ୍ପରମାଇଜ ଇଜ ଓନଲି ସଲ୍ୟୁସନ । କେତେ ଆଉ କଷ୍ଟ ସହିବି ? ଅଣ୍ଟା ତ ମୋର ଭାଙ୍ଗି ପଡ଼ିଥିଲା । ମୁଁ ନିସ୍ଵହେଇ ଯାଇଥିଲି । ଆଗପଛ ବିଚାର ନକରି, ମୁଁ ଏହି ପ୍ରସ୍ତାବରେ ରାଜି ବୋଲି ମ୍ୟାନେଜରଙ୍କୁ କହିଦେଲି, କିନ୍ତୁ ଘରେ ମାଆ କିମ୍ବା ବଡ଼ ଭଉଣୀଙ୍କୁ ବେଶି କିଛି କହି ନଥିଲି । 

ମୋ ପ୍ରସ୍ତାବଟା ଅନିନ୍ଦିତା ମ୍ୟାଡ଼ାମ୍ ଙ୍କ ପାଖରେ ପହଞ୍ଚିଗଲା । ହଠାତ ସେ ଦିନେ ଟିଉଟୋରିଆଲ ସେଣ୍ଟର ପରିଦର୍ଶନରେ ଆସି ପହଞ୍ଚିଥିଲେ । ମୋ ସହିତ ସାକ୍ଷାତ କରି ଅଳ୍ପକଥାରେ ସେ ମୋତେ ବାରିପଦା କଲେଜ ପାଇଁ ଲେକଚର ଭାବେ ନିଯୁକ୍ତି ପତ୍ରଦେଇ ଚାଲିଗଲେ । କହିଲେ--"କାଲିଯାଇ କଲେଜରେ ଜଏନ କରିଦିଅନ୍ତୁ, ଦରମା ମାସିକ ପଚାଶ ହଜାର ଟଙ୍କା । ସେଇଠି ପ୍ରିନ୍ସପାଲଙ୍କ କ୍ୱାର୍ଟରରେ ଖଟ ବିଛଣା ଓ ଅନ୍ୟାନ୍ୟ ସରଞ୍ଜାମ ଅଛି । ରୋଷେଇ ବାସ କରିଦେବାକୁ କୁକ ଅଛି । ଆପଣ ସେଇଠି ରହିଯିବେ ।"

ମ୍ୟାଡ଼ାମ୍ ଗଲାବେଳେ ମୋ ସହିତ ହାତ ମିଳେଇ ଦେଲେ, ପ୍ରେମପୂର୍ଣ୍ଣ ଦୃଷ୍ଟିରେ ମୋତେ ନିଜର କରିନେଲେ ।

ତା'ପରଦିନ ମୁଁ ବାରିପଦାରେ ପହଞ୍ଚି କଲେଜରେ ଜଏନ କରିଦେଲି । ଦୁଇଦିନ ପରେ ମ୍ୟାଡ଼ାମ୍ ତାଙ୍କ ବାପାଙ୍କ ସହିତ ଯାଇ ବାରିପଦାରେ ପହଞ୍ଚିଗଲେ । ସେଦିନ ସେ ମୋତେ ପ୍ରିନ୍ସପାଲ ଦାୟିତ୍ୱଦେଇ ବେଶ ଖୁସିରେ ଫେରିଲେ । ଫେରିଲାବେଳେ କହିଲେ- "କାଲି କଲେଜ କାରନେଇ ତମର ମାଆ ଓ ଭଉଣୀଙ୍କୁ ଏଇଠିକି ନେଇ ଆସିବ । ଆଗାମୀ ରବିବାର ଦିନ ଆମର ବାହାଘର ଏଇଠି ହେବ । ସେଥିପାଇଁ ତମର ଚିନ୍ତା କରିବା ଦରକାର ନାହିଁ । ସବୁ ବ୍ୟବସ୍ଥା ଆମର ପୁରୁଣା ଷ୍ଟାଫ କରିଦେବେ ।"

ତା'ପରଦିନ ମୁଁ ମାଆ ଓ ଭଉଣୀକୁ ଭୁବନେଶ୍ୱରରୁ ନେଇ ଆସିଲି । ମୋ ବାହାଘର କଥାଶୁଣି ସେମାନେ ଭାରି ଖୁସିହେଲେ । ତଥାପି ସେମାନେ କିଛି ସନ୍ଦେହ ଓ ଦ୍ଵନ୍ଦରେ ଥିବା କଥା ମୁଁ ଅନୁଭବ କରି ପାରୁଥିଲି, କିନ୍ତୁ ମୁଁ ତାଙ୍କ ଆଗରେ ଅନିନ୍ଦିତାର ପୁରୁଣା ପୃଷ୍ଠା ଖୋଲି ନ ଥିଲି । ଠିକ ସମୟରେ ମହା ଆଡ଼ମ୍ବରରେ ମୋର ଅନିନ୍ଦିତା ମ୍ୟାଡ଼ାମଙ୍କ ସହିତ ବାହାଘର ବି ହେଇଗଲା । ସେ ବେଶ ଖୁସିଥିଲେ । ତାଙ୍କର ବାପା ମୋତେ କଚେରୀକୁ ଡ଼ାକିନେଇ କଲେଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ମୋ ନାମରେ ଉଇଲ କରିଦେଲେ । 

ଏହି ଉତ୍ସବରେ କେବଳ କଲେଜ ଷ୍ଟାଫ ହିଁ ଥିଲେ । ବାହାରୁ କୌଣସି ଅତିଥି କି ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା ।

ଏବେ କହ, ଇଚ୍ଛା ଥିଲେ ବି ତୋତେ କେମିତି ଏକଥା ଜଣାଇଥା'ନ୍ତି । 

 -" ଓକେ-ଠିକ ଅଛି,. ତୋତେ ଆଉ ମୋର କିଛି କହିବାର ନାହିଁ । ଯାହା ହେବାର ଥିଲା, ହେଇଗଲା । ପଛକଥାକୁ ତୁ ମୋଟେ ମନେ ପକାଇବୁ ନାହିଁ । କିମ୍ବା କାହାରି ଆଗରେ ଏ' ବିଷୟରେ କେବେ ଚର୍ଚ୍ଚା କରିବୁ ନାହିଁ । ଏବେ ତ ବିଧବା ବିବାହକୁ ଅନେକ ପସନ୍ଦ କଲେଣି, ଏହା ତ ଏକ ଆଦର୍ଶ ବିବାହ । କିଛି ଅସୁବିଧା ନାହିଁ । ମୋତେ ଲାଗୁଛି-ତମ ଦୁଇଜଣଙ୍କର ଭାଗ୍ୟରବି ଅସ୍ତାଚଳରେ ଉଦୟ ହେଇଛି । ମ୍ୟାଡ଼ାମ୍ ଧନର ପ୍ରାଚୁର୍ଯ୍ୟ ଓ କ୍ଷମତାର ଅହଂକାରରେ ଅସ୍ତ ହେଇଯାଉଥିଲେ, ଆଉ ତୁ ଅଭାବ ଅନାଟନରେ ଅସ୍ତହେଇ ଯାଉଥିଲୁ । ଦୁହିଁଙ୍କର ଭାଗ୍ୟରବିର ରକ୍ତିମ କିରଣରେ ତମେ ଦୁହେଁ ଜାଜ୍ୱଲ୍ୟମାନହୋଇ ସୁଖ-ଜୀବନ ଯାପନ କରିବ, ଏଥିରେ ମୋର ଦୃଢ଼ ବିଶ୍ୱାସ ରହିଛି । । 

ହଉ ବହୁତ ବଡ଼ ଖବର ପାଇଲି । ଖୁସି ବି ହେଲି । ତୋ ବାହା ପୂର୍ବର କଥାକୁ ମୁଁ ବି କାହାକୁ କେବେ କହିବି ନାହିଁ । ଏବେ ଚାଲ, ମୁଁ ଟିକେ ମାଉସୀଙ୍କୁ ଦେଖାକରିଦେଇ ଭୁବନେଶ୍ୱର ଫେରିଯିବି । ତେଣେ ମାଆ ମୋତେ ଅପେକ୍ଷା କରି ବସିଥିବେ ।"


Rate this content
Log in

Similar oriya story from Action