ଅସହାୟ ବାପାମାନେ( ଷଷ୍ଠ ଭାଗ )
ଅସହାୟ ବାପାମାନେ( ଷଷ୍ଠ ଭାଗ )
ମାଟ୍ରିକ୍ ଓ ଯୁକ୍ତଦୁଇ ପରୀକ୍ଷା ଫଳ ବାହାରିଯିବା ପରେ ପରେ ହିଁ କଲେଜ ମାନଙ୍କରେ ସେଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଫର୍ମପକାଇ ଆଡମିଶନ କରନ୍ତି l ସେମାନେ କଲେଜ ଆସିବା ପୂର୍ବରୁ ପୁରୁଣା ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆରମ୍ଭ ହୋଇସାରିଥାଏ l ଯୁକ୍ତ ତିନି ଶ୍ରେଣୀରେ ଆଡମିସନ ନେଇ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀ ମାନେ ପ୍ରାୟେ କୌଣସି ଅସୁବିଧା ଅନୁଭବ କରନ୍ତି ନାହିଁ l ତା'ର କାରଣ ହେଉଛି ସେମାନେ ଯୁକ୍ତ ଦୁଇରେ କଲେଜମାନଙ୍କରେ ଦୁଇ ବର୍ଷ ପଢିସାରିଥାନ୍ତି ଏବଂ କଲେଜ ଜୀବନ ଉପରେ ତାଙ୍କର ଧାରଣା ଆସି ସାରିଥାଏ l
କିନ୍ତୁ ବେଶି ଅସୁବିଧାରେ ପଡନ୍ତି ସଦ୍ୟ ମାଟ୍ରିକ୍ ପାଶକରି କଲେଜକୁ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀମାନେ l ସେମାନେ ଯେହେତୁ ସେପର୍ଯ୍ୟନ୍ତ ଘରେ ରହି ପାଖରେଥିବା ହାଇସ୍କୁଲରେ ପଢୁଥିଲେ, ଏବେ କିନ୍ତୁ କଲେଜରେ ପଢିବାପାଇଁ ବାପା ମା , ଭାଇ, ଭଉଣୀ ସମସ୍ତଙ୍କୁ ଛାଡି କଲେଜରେ ଥିବା ହଷ୍ଟେଲ୍ ବା କୌଣସି ବେସରକାରୀ ମେସ୍ ରେ ରହି ପଢିବାକୁ ହୁଏ l ଅଚିହ୍ନା ଯାଗା ଓ ନୂଆ ପରିବେଶରେ କିଛି ପିଲା ଆଡଜଷ୍ଟ୍ କରିନିଅନ୍ତି କିନ୍ତୁ ବହୁତ ପିଲା ମାସେ କି ଦୁଇମାସ ଆଦୌ ନିଜକୁ ନୂଆ ପରିବେଶରେ ଖାପ୍ ଖୁଆଇ ପାରନ୍ତି ନାହିଁ l କିଛି ବାପା ମାଙ୍କର ତାଙ୍କ ପିଲା ପ୍ରତି ଆହେତୁକ ସ୍ନେହ, ଶ୍ରଦ୍ଧା ଓ ଦୁର୍ବଳତା ହେତୁ ସେମାନେ ମଧ୍ୟ ପିଲାଟିକୁ ଯେତେବେଳେ ବାହାରେ ଆଣି ଛାଡନ୍ତି , ସେ ସମୟରେ ନିଜର ସମସ୍ତ ହିତାହିତ ଜ୍ଞାନ ଭୁଲି ପିଲାଟିକୁ ମାଡିବସି ଧରି କାନ୍ଦୁଥିବାର ଦୃଶ୍ୟ ପ୍ରାୟ ଦେଖିବାକୁ ମିଳେ l ସେଠି ପିଲା ସହିତ ବାପା ମାଙ୍କର ଏମିତି ଅବସ୍ଥା ଯିଏ ବି ଦେଖିବ ନିଶ୍ଚେ ମନ ଦୁଃଖ କରିବ l କିଛି ବାପା ମା କାନ୍ଦିକାନ୍ଦି କହୁଥିବେ , " ସାର୍, ଏପର୍ଯ୍ୟନ୍ତ ପୁଅ ( ବା ଝିଅ ) ଆମର ଏକ୍ଲା ଶୋଇନି , ଆମ ସହିତ ଗୋଟିଏ ବେଡ୍ ରେ ଶୁଏ l ତାକୁ ଟିକେ ଦେଖିବେ l"
ସତରେ ପ୍ରଥମେ ଯେତେବେଳେ ବାପା ମା ମାନେ ଛୁଆଟିକୁ ପାଖରୁ ଦୂର କରି କଲେଜରେ ପଢିବାକୁ ଛାଡନ୍ତି, ସେଠି ଛାଡିଦେଇ ଫେରିବା ସମୟର ଦୃଶ୍ଯ ଖୁବ୍ ହୃଦୟ ବିଦାରକ l ସେ ଅବସ୍ଥା ଯିଏ ବି ଦେଖିବ ତା' ଅଖିରେ ଲୁହ ଜକେଇ ଆସିବ l ବାପା ମା ମାନେ ଖୁବ୍ ଅସହାୟ ହୋଇ ହଷ୍ଟେଲରେ ବା ପ୍ରଇଭେଟ୍ ମେସରେ ରୋଷେଇ କରୁଥିବା ରୋଷେଇଆ ନନାଙ୍କୁ ବଡ ବିକଳ ହୋଇ କହୁଥିବେ , " ମୋ ଝିଅ ଅଳ୍ପ ଭାତ ଖାଏ,କିନ୍ତୁ ତରକାରି ଟିକେ ଅଧିକ ଦରକାର l ନହେଲେ ଖାଇ ପାରିବନି ଜମା l" କହିବା ବାହୁଲ୍ଯ ପ୍ରାୟ ସବୁ ବାପା ମା' ମାନେ ଏମିତିକା ବିଭିନ୍ନ କଥା ସେ ରୋଷେଇଆକୁ କହିଥାନ୍ତି l କିଛି ଗାର୍ଡିଅନ୍ ଏମିତି ଥାନ୍ତି ସେଇ ରୋଷେଇଆ ନନା ବା ସେଠାରେ କାର୍ଯ୍ୟକରୁଥିବା ଅନ୍ୟ କର୍ମଚାରୀମାନଙ୍କୁ କିଛି ହାତଗୁଞ୍ଜା ଲାଞ୍ଚ ଆକାରରେ ଦେବାକୁ ପଛାନ୍ତି ନାହିଁ l ସେମାନେ ଭାବନ୍ତି ଏମିତି ପଇସା କିଛି ଦେଲେ ଆମ ପୁଅ କଥା ଏମାନେ ଟିକେ ଭଲକରି ନିଶ୍ଚୟ ବୁଝିବେ l ଅଧିକାଂଶ ଗାର୍ଡିଅନ୍ ଏଇ ତରିକା ଆପଣେଇ ଥାଆନ୍ତି l
କିଛି ବାପା ମା ଏମିତି ଥାଆନ୍ତି, ସେମାନେ ତା' ପରଦିନ ସକାଳୁ ସକାଳୁ ପୁଣି ବାଇକ୍ ବା କାର୍ ରେ ଆସି ପୁଅ ବା ଝିଅକୁ ଛାଡିଦେଇ ଯାଇଥିବା ହଷ୍ଟେଲ୍ କିମ୍ୱା ମେସ୍ ଚାରିପାଖରେ ପଇଁତରା ମାରୁଥାନ୍ତି l ମଝିରେ ମଝିରେ ପିଲାକୁ ଡାକି କଥା ହୁଅନ୍ତି, ଆଉ ଯଦି କୌଣସି ଶିକ୍ଷକଙ୍କୁ ଦେଖେବେ ତାହେଲେ ଲୁଚିଯିବେ l ମନରେ ଭୟ ଥାଏ କାଳେ ସାର୍ ବିଗିଡି ଯାଇ କହିବେ , " କଣ ତାକୁ ଆପଣମାନେ ପଢେଇ ଦେବେନି ? ଛାଡିକି ଯାଉ ଯାଉ ପୁଣି ଆସି ହାଜର ? " କିନ୍ତୁ ସେଇ ସାର୍ ଯେତେବେଳେ ନିଜ ପୁଅ ବା ଝିଅକୁ ନେଇ କୌଣସି ଯାଗାରେ ପାଠ ପଢାଇବା ପାଇଁ ଛଡନ୍ତି ସେତେବେଳେ ନିଜେ ମଧ୍ୟ ଏମିତି ହୁଅନ୍ତି l
କିଛି ବାପା ମା ପିଲାକୁ ଛାଡିବାପରେ ଏତେ ଅସହାୟ ହୋଇପଡନ୍ତି ଯେ, ସେମାନେ କିଛିଦିନ ପରେ ନିଜ ମତ ପରିବର୍ତ୍ତନ କରି ସେଇ କଲେଜ ପାଖରେ ଭଡାଘର ନେଇ ରହିବାକୁ ନିଜ ଗାଁଆଁରୁ ବେଡିଂପତ୍ର ନେଇ ପଳାଇ ଆସନ୍ତି l ଅବଶ୍ୟ ଏମିତି ପ୍ରୋବ୍ଲେମ୍ କଲେଜ ପାଖରେ ଘରଦ୍ୱାର କରି ରହୁଥିବା ଲୋକମାନଙ୍କର ହୁଏନାହିଁ l ତାଙ୍କ ପିଲାମାନେ ପ୍ରାଇମେରୀ ସ୍କୁଲ୍ ରୁ ଆରମ୍ଭକରି କଲେଜ ପର୍ଯ୍ୟନ୍ତ ଘରେ ରହି ହିଁ ପଢିଥାନ୍ତି l ତେଣୁ ଦୂରରୁ ଆସୁଥିବା ପିଲା ବା ତା' ବାପା ମା ଙ୍କ ପରି ଏମାନେ ଅସହାୟ ହୁଅନ୍ତି ନାହିଁ l
ପିଲାମାନେ ମେସ୍ ବା ହଷ୍ଟେଲରେ ରହି ପଢିବା ସମୟରେ ତେଣେ ଘରେ ବାପା ମା ମାନେ କିନ୍ତୁ ସବୁବେଳେ ଦକଦକ ମନରେ ରହିଥାନ୍ତି ? ପୁଅ ଅଥବା ଝିଅ ଠିକ୍ ସେ ଖାଉଛି କି ନାହିଁ ? , ପଢୁଛି କି ନାଇଁ ? , କାଳେ ଖରାପ ପିଲା ସାଙ୍ଗରେ ପଡି ବୁଲାବୁଲି କରି ଖରାପ ହୋଇଯିବ l ଏମିତି ସବୁ ବିଭିନ୍ନ ପ୍ରକାରର ଚିନ୍ତାରେ ଗାର୍ଡିଅନ୍ ମାନେ ରହିରହି ନିଜକୁ ଖୁବ୍ ଅସହାୟ ମନେକରୁଥାନ୍ତି l
ଏଣେ ପିଲାମାନେ କିନ୍ତୁ କିଛିଦିନ ହଷ୍ଟେଲ ବା ମେସ୍ ରେ ରହିବା ପରେ ନିଜକୁ ନୂଆ ପରିବେଶରେ ଖାପ୍ ଖୁଆଇ ଆଗେଇ ଚାଲନ୍ତି l କିଛି ପିଲା ନିଜ ନିଜର ସୁନ୍ଦର ଭବିଷ୍ୟତକୁ ଲକ୍ଷ୍ୟରଖି ପାଠପଢାରେ ମନ ନିବେଶ କରୁଥିବା ବେଳେ କିଛି ପିଲା ବିନ୍ଦାସ୍ ହୋଇ ବାପା ପଇସାକୁ ଖାଇ ପିଇ ଉଡେଇ ଦେଇ ପାଠରେ କମ୍ ଅନ୍ୟଦିଗରେ ବେଶି ମନ ଲଗେଇ ଦିଅନ୍ତି l
କଲେଜ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ୍ ଥିବାବେଳେ ମୁଁ କେତେବେଳେ କେମିତି ପିଲାଙ୍କର ପାଠପଢା ଚେକ୍ କରିବାକୁ ଷ୍ଟଡି ଆଓ୍ୱାରରେ ଯାଇଥାଏ l ଗୋଟେ ରୁମ୍ ରେ ୪ ଜଣ ପିଲା ୪ଟି ବେଡ୍ ରେ ରହିଥାନ୍ତି l ସେଇ ରୁମ୍ ର କବାଟ ଆଉଜେଇ ଦେଇ ସେମାନେ ପାଠ ପଢୁଥାନ୍ତି l ତେବେ ସେଇ ଷ୍ଟଡି ଆଓ୍ୱାରରେ ଯେ ସମସ୍ତେ ମନଧ୍ୟାନ ଦେଇ ପଢନ୍ତି ତାହା ଭାବିବା ଏକବାରେ ଭୁଲ୍ l ନୂଆ ନୂଆ ଆଡ୍ମିସନ୍ ନେଇଥିବା ପିଲାମାନେ ଚୁପ୍ ଚାପ୍ ପଢୁଥିବା ବେଳେ ଉପର କ୍କାସ୍ ର ପିଲାମାନେ ପୁରା ଫୁଲାଫାଙ୍କିଆ ହୋଇ ବିଭିନ୍ନ ପ୍ରକାରର କଥାବାର୍ତ୍ତା ସେଇ ଷ୍ଟଡି ଆଓ୍ୱାର୍ ରେ ମଧ୍ୟ କରିଥାନ୍ତି l ସେମାନଙ୍କ ଗପ ପ୍ରାୟେ ପ୍ରେମ ଉପରେ ପର୍ଯ୍ୟବେଶିତ ହୋଇଥାଏ l କଲେଜରେ କୋଉ ପୁଅ କୋଉ ଝିଅ ସହିତ କେତେ ସମୟ ଗପିଲା, କୋଉ ପ୍ରେମିକ ପ୍ରେମିକା ସାଙ୍ଗହୋଇ ଫିଲ୍ମ୍ ଦେଖିବାକୁ ସିନେମା ହଲ୍ କୁ ଯାଇଥିଲେ l କିଛି ପିଲା ମଧ୍ୟ ନିଜ ପ୍ରେମିକା କଥା ଅନ୍ୟ ସାଙ୍ଗ ଆଗରେ ବଢେଇ ଚଢେଇ କରି କହି ଖୁବ୍ ଖୁସି ହୁଅନ୍ତି l ମୁଁ ବହୁତ ଥର ସେଇ ସବୁ କଥା ରୁମ୍ ଦୁଆରମୁହଁରେ ଶୁଣି ସେମାନଙ୍କୁ ତାଗିଦ୍ କରି କହେ," ଆରେ ବାପା ମା ମାନେ ତମ ମାନଙ୍କୁ ମଣିଷ କରିବାକୁ କେତେ କଷ୍ଟକରି ରୋଜଗାର କରୁଥିବା ଟଙ୍କା ତମମାନଙ୍କ ପିଛାରେ ଖର୍ଚ କରୁଛନ୍ତି l କେତେ ଆଶା ଓ ଭରସା ରଖି ତମ ମାନଙ୍କୁ ଏଠି ଛାଡିଛନ୍ତି l ଅଥଚ ତମେମାନେ ଏଠି ଏଇଆ କରୁଛ ? "
ମୋ କଥାରେ ପିଲାମାନେ ପୁରା ବୁଝିଗଲା ପରି ରୋଲ୍ କରନ୍ତି l କିନ୍ତୁ ତାହା କିଛି ସମୟ ପାଇଁ କେବଳ l ପରେ ପୁଣି ଯେଉଁକଥାକୁ ସେଇକଥା l ତେବେ ପିଲାମାନେ ଯେ ଖାଲି ପ୍ରେମ ପ୍ରଣୟ କଥା ଗପନ୍ତି ତାହା ନୁହେଁ l ସମୟେ ସମୟେ ଖୁବ୍ ମଜାଳିଆ କଥାବାର୍ତ୍ତା ବି କରିଥାନ୍ତି ଯେଉଁଥିରେ ଜ୍ଞାନ ଗାରିମି ସହିତ ହୁମର୍ ମଧ୍ୟ ଖୁନ୍ଦି ହୋଇଥାଏ l ଥରେ ସେମିତି ଗୋଟେ କଥା ଶୁଣି ମୁଁ ହସି ହସି ବେଦମ୍ ହୋଇଥିଲି ଏବଂ ସେକଥା ଯେବେ ବି ମନେପଡେ ଖୁବ୍ ହସେ l
ସେ କଥାକୁ ଗୋଟେ ଭଲ ଗୁଲି ବୋଲି କୁହାଯାଇ ପାରେ l ସେ କଥା ଏମିତି ଥିଲା - ଟ୍ରେନ୍ ରେ ଦୁଇଜଣ ପୁରୁଷ ଲୋକ ପାଖା ପାଖି ହୋଇ ବସିଥିଲେ l ସେମାନଙ୍କ ମଧ୍ୟରୁ ଜଣେ ବେଙ୍ଗଲୀ ଓ ଆର ଜଣଙ୍କ ବିହାରୀ ଥିଲା l ସେ ବେଙ୍ଗଲୀ ଜଣକ ମଝିରେ ମଝିରେ ' ଉଃ ' ' ଅହାଃ ' ଭଳି ଯନ୍ତ୍ରଣାଦାୟକ ଶବ୍ଦସବୁ ମୁହଁରୁ ବାହାର କରୁଥିଲା l ସେ ବିହାରୀ ଜଣଙ୍କ ଏ ଲୋକ ଅବସ୍ଥା ଦେଖି ଦେଖି ଶେଷକୁ ପଚାରିଲା -
" ତୁମ୍ଭାରା କ୍ୟା ହୋ ରହା ହେ ? ୟେସେ କ୍ୱିଉଁ ଚିଲ୍ଲା ରହେ ହୋ ? "
ସେ ବେଙ୍ଗଲୀ ଜଣଙ୍କ କିଛି ସମୟ କଣ ଭାବିଲା ତାପରେ କହିଲା , " ଭାଇ ସାହାବ୍ , ହମାରେ ବେଙ୍ଗଲୀ ମେଁ ବୋଲତା କୋ ବୋଲତା ବେଲତେ ହେଁ , ତୁମ୍ଭାରା ହିନ୍ଦୀମେଁ ବୋଲତା କୋ କ୍ୟା ବୋଲତା ହେ ? "
ସେ ବିହାରୀ ଭାଇ ଜଣକ ଏକଥା ଶୁଣି ମନେ ମନେ ଭାବିଲା, " ବଡ ଅଦ୍ଭୁତ କଥା ! ଏ ଲୋକକୁ ମୁଁ ପଚାରୁଛି କଣ ? କିନ୍ତୁ ଏ ଲୋକ ତାର ଉତ୍ତର ନଦେଇ ମୋତେ ପଶ୍ନ ପଚାରୁଛି ଯାହା ବୁଝିବା ଏକବାରେ ଅସମ୍ଭବ l "
ତେଣୁ କିଛି ମାତ୍ରାରେ ସେ ରାଗିଯାଇ କହିଲା, " କ୍ୟା ବୋଲତା ବଲତା ଲଗା ରଖା ହେଁ ? "
ବିହାରୀର ରାଗ ଦେଖି ବଡ ବିକଳ ହୋଇ ବେଙ୍ଗଲୀ ଜଣକ ତା' ମୁହଁକୁ ଖାଲି ଅନେଇଥାଏ l କଣ କହିବ , କେମିତି ତାକୁ ବୁଝେଇବ କିଛି ତା ମୁଣ୍ତରେ ପଶୁ ନଥାଏ l
ଏଣେ ସେ ଗୁଲି ମାରୁଥିବା ପିଲା ମୁହଁକୁ ତା ସାଙ୍ଗମାନେ ମଧ୍ୟ ସେମିତି ବିକଳ ହୋଇ ଅନେଇଥାନ୍ତି l ସେମାନେ ବି ସେଯାେଏ କିଛି ବୁଝି ପାରିନଥାନ୍ତି l
ସେ କଥା ସବୁ ଲୁଚିକି ଶୁଣୁଥିଲେ ବି ମୁଁ ମଧ୍ୟ କିଛି ବୁଝି ପାରୁନଥାଏ l ଶେଷରେ ସେ ଗୁଲି କହିବା ପିଲାଟି କଥାକୁ କ୍ଲିଅର୍ କଲା l
କୁଆଡେ ଟ୍ରେନ୍ ରେ ବସିବା ପୂର୍ବରୁ ସେ ବେଙ୍ଗଲୀ ଲୋକଟିକୁ ଗୋଟେ ବିରୁଡି ମାରିଦେଇଥିଲା l ତେଣୁ ସେ ଟ୍ରେନ୍ ରେ ବସିବା ପରେ ଯନ୍ତ୍ରଣାରେ ଏମିତି ଶବ୍ଦ ବାହାର କରୁଥିଲା l ସେ ବିହାରୀ ଯେତେବେଳେ ତାକୁ ପଚାରିଲା ତମର କଣ ହେଉଛି ? ଏମିତି କାଇଁ ହେଉଛ ? ତାକୁ ଉତ୍ତର ଦେବାକଥା ଯେ ମୋତେ ଗୋଟେ ବିରୁଡି ମାରିଦେଇଛି , ଖୁବ୍ ଯୋରରେ ବିନ୍ଧୁଛି , ତେଣୁ ଏମିତି ହେଉଛି । ବିରୁଡିକୁ ତା ନିଜ ବେଙ୍ଗଲୀ ଭାଷାରେ ବୋଲତା କୁହାଯାଏ, କିନ୍ତୁ ହିନ୍ଦୀରେ ବିରୁଡିକୁ କଣ କହୁଯାଏ ତାହା ଜାଣି ନଥିବାରୁ , ପ୍ରଥମେ ସେ ବିହାରୀକୁ ହିନ୍ଦୀରେ ଯାହା ପଚାରିଲା ତାର ଓଡିଆ ଅନୁବାଦ ଏମିତି ---
" ଆରେ ଭାଇ , ଆମ ବଙ୍ଗାଳୀରେ ବିରୁଡିକୁ ବିରୁଡି ବୋଲି କହୁ , ତୁମ ହନ୍ଦିରେ ବିରୁଡିକୁ କଣ କୁହନ୍ତି ?" ( ଭାଇ ସାହାବ୍ , ହମାରେ ବେଙ୍ଗଲୀ ମେଁ ବୋଲତା କୋ ବୋଲତା ବେଲତେ ହେଁ , ତୁମ୍ଭାରା ହିନ୍ଦୀମେଁ ବୋଲତା କୋ କ୍ୟା ବୋଲତା ହେ ? )
ସେ ପିଲାର ଉତ୍ତର ଶୁଣିବାପରେ ତା ସାଙ୍ଗମାନଙ୍କ ସହିତ ମୁଁ ମଧ୍ୟ ହସିହସି ବେଦମ୍ ହୋଇଥିଲି l
ତେବେ କେବଳ ପିଲାମାନେ ଏମିତି ଗୁଲି କରନ୍ତି ତାହା ଭାବିବା ମଧ୍ୟ ଭୁଲ୍ l ନାମଜାଦା ବକ୍ତାମାନେ ମଧ୍ୟ ତାଙ୍କ ଭାଷଣକୁ ଅଧିକ ଇନଟ୍ରେଷ୍ଟିଙ୍ଗ୍ କରିବାକୁ ମଝିରେ ମଝିରେ ଏମିତିକା ଗୁଲି ମାରିଥାନ୍ତି l ୧୯୯୦ ମସିହାରେ ମୁଁ ଛାତ୍ରଥିବା ବେଳେ ଥରେ କଲେଜର ଏକ ସଭାକୁ ସାମ୍ୱାଦିକ ତଥା ସ୍ତମ୍ଭକାର ଶ୍ରୀଯୁକ୍ତ ଅରୁଣ କୁମାର ପଣ୍ତା ମୁଖ୍ୟବକ୍ତା ହୋଇ ଆସିଥାନ୍ତି l ସେ ତାଙ୍କ ଭାଷଣ ମଝିରେ ଶ୍ରୋତାମାନଙ୍କୁ ଖୁସି କରିବାକୁ ବଢିଆ ଗୁଲିଟେ କରିଥିଲେ l
ସେ ଗୁଲି ଗପଟି ଥିଲା ଏମିତି :-
ଗୋଟେ ପ୍ରାଇମେରୀ ସ୍କୁଲ୍ କୁ ନିରିକ୍ଷଣ କରିବା ପାଇଁ ସ୍କୁଲ ଇନ୍ସପେକ୍ଟର ପରଦିନ ଆସିବା ପାଇଁ ସ୍ଥିର ହୋଇଥାଏ l ସ୍କୁଲର ସବୁ ସାର୍ ଓ ମାଡାମ୍ ମାନେ ପୁରା ବିଚଳିତ ହେଉଥାନ୍ତି l କାହା ଚାକିରି ଯିବ କି କଣ ହେବ ଏମିତି ଭୟ ସମସ୍ତଙ୍କୁ ଘାରୁଥାଏ l ସ୍କୁଲର ହେଡ୍ ସାର୍ ସବୁ ଶ୍ରେଣୀର ଭଲ ପିଲା ମାନଙ୍କୁ ଡାକି ବୁଝାଉଥନ୍ତି l ଯାହା ପ୍ରଶ୍ନ ଇନ୍ସପେକ୍ଟର କରିବେ ସେମାନେ ହାତ ଟେକି ସଠିକ୍ ଉତ୍ତର ଯେମିତି ଦେବେ l ମେଧାବୀ ପିଲା ମାନେ ହେଡ୍ ସାର୍ ଙ୍କ କଥାରେ ମୁଣ୍ତ ହଲାଇ ହଁ ମାରୁଥାନ୍ତି l
ପରଦିନ ଠିକ୍ ସକାଳ ୧୧ ଟାରେ ଇନ୍ସପେକ୍ଟର ସ୍କୁଲରେ ପହଞ୍ଚିଗଲେ l ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଲେସନ୍ ପ୍ଲାନ୍ ସବୁ ଦେଖିସାରି ପଞ୍ଚମ ଶ୍ରେଣୀକୁ ଇନସ୍ପେକସନରେ ଯିବାକୁ ସ୍ଥିର କଲେ l ତାଙ୍କ ସହ ସ୍କୁଲର ହେଡ୍ ସାର୍ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ମଧ୍ଯ ସେ କ୍ଲାସ ରୁମ୍ ଅଭିମୁଖେ ଚାଲିଲେ l ସେଠି ପହଞ୍ଚି ଇନ୍ସପେକ୍ଟର ମହାଶୟ ସମସ୍ତ ପିଲା ମାନଙ୍କ ଉପରେ ଆଗ ଭଲକରି ଆଖି ବୁଲାଇ ଆଣିଲେ l ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପୁରା ଶଙ୍କାଗ୍ରସ୍ତ ଅବସ୍ଥାରେ ଥାଆନ୍ତି l ପିଲା ମାନେ ମଧ୍ଯ ତାଙ୍କ ସାର୍ ଓ ମାଡାମ୍ ମାନଙ୍କ ଅବସ୍ଥା ଦେଖି ପୁରା ଡରି ମରି ଥାଆନ୍ତି l ସ୍କୁଲ ପରିବେଶ ସାରା କେମିତି ଏକ ଭୟର ବାତାବରଣ ସୃଷ୍ଟି ହୋଇଥାଏ l ସମସ୍ତେ ପୁରା ଚୁପ୍ ଚାପ୍ ହୋଇ ଥାଆନ୍ତି l ଏତେ ନୀରବତା ବିରାଜମାନ କରୁଥାଏ ଯାହାକୁ କଥାରେ କୁହନ୍ତି ଛୁଞ୍ଚି ପଡିଲେ ବି ଶବ୍ଦ ହେବ l
ଏମିତି ଏକ ସମୟରେ ଇନ୍ସପେକ୍ଟର ହଠାତ୍ ପ୍ରଶ୍ନ ପଚାରିଲେ , " ଆଛା ପିଲାଏ କହିଲ ଦେଖି ? ଯଦି ବଜାରରେ ଆଳୁ କିଲୋ ୧୦ ଟଙ୍କା ତାହେଲେ ମୋ ବୟସ କେତେ ? "
ଏମିତି ପ୍ରଶ୍ନ ଶୁଣି ହେଡ୍ ସାର୍ ଙ୍କ ମୁଣ୍ତ ପୁରା ଗୋଳମାଳ ଧରିଗଲା l ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଆବାକାବା ହୋଇ ପରଷ୍ପର ମୁହଁକୁ ଚାହାଁଚହିଁ ହେଉଥାନ୍ତି l ଏମିତିକା ପ୍ରଶ୍ନର ଉତ୍ତର ତାଙ୍କୁ ତ ମାଲୁମ୍ ନାହିଁ ପିଲାମାନେ କଣ ବା ଉତ୍ତର ଦେବେ ? ସେ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀ ମାନେ ବଡ ବିକଳ ହୋଇ ତାଙ୍କ ହେଡ୍ ସାରଙ୍କ ମୁହଁକୁ ଅନେଇଥାନ୍ତି l
ହଠାତ୍ ଦେଖାଗଲା ପୁରା ଶ୍ରେଣୀର ପଛ ଲାଇନ୍ ରେ ବସିଥାବା ଟୁନା ହାତ ଟେକିଦେଲା l ଟୁନା ହଉଛି ସ୍କୁଲର ସବୁଠୁ ବାଳୁଙ୍ଗା ଟୋକା l ପାଠ ପଢା କଥା ଛାଡ ଶାଠରେ ମଧ୍ଯ ଶୁନ୍ l ଟୁନା ହାତ ଟେକିବା ମାତ୍ରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପୁରା ପ୍ରମାଦ ଗଣିବା ଆରମ୍ଭ କରିଦେଲେ l ଯେଉଁ ପ୍ରଶ୍ନର ଉତ୍ତର ସେମାନଙ୍କୁ ଜଣା ନାହିଁ ଏ ବାଳୁଙ୍ଗା ଟୁନା କଣ କହିବ କେଜାଣି ?
ଇନ୍ସପେକ୍ଟର ଟୁନା ହାତ ଟେକିବା ଦେଖି କହିଲେ," ଯାହା ହେଉ ଏତେ ପିଲାଙ୍କ ଭିତରେ ଗୋଟେ ଭଲ ପିଲା ଅଛି l କହିଲୁ ବାପା କଣ ଉତ୍ତର ? "
ଟୁନା ଗୋଟେ ବେପରୁଆ ଠାଣିରେ ଠିଆ ହେଲା l ହେଡ୍ ସାରଙ୍କର ସେତେବେଳକୁ ବିନା ଗରମ ପାଗରେ ଦେହରୁ ଗମ୍ ଗମ୍ ହୋଇ ଝାଳ ବାହାରୁଥାଏ l
ଟୁନା ଠିଆ ହୋଇ ବଡ ପାଟି କରି କହିଲା, " କହିବି ତାହାଲେ ? "
ଇନ୍ସପେକ୍ଟର ବଡ ବେଗ୍ର ହୋଇ କହିଲେ, " ହଁ କୁହ ତୁମେ l ଆଦୌ ଡରନି l "
ଟୁନା ହେଡ୍ ସାରଙ୍କ ଆଡକୁ ଇଙ୍ଗିତ କରି କହିଲା, " ନାଇଁ ଥାଉ କହିବିନି l ଆପଣ ଚାଲିଗଲା ପରେ ଏ ସାର୍ ମୋତେ ଧୁମ୍ ପିଟିବେ l "
ସେତେବେଳେ ସ୍କୁଲ ମାନଙ୍କରେ ଆଜିକାଲି ପରି ଦଣ୍ତମୁକ୍ତ ଅଞ୍ଚଳ ନଥିଲl l ପିଲା ମାନେ ପାଠ ନ ପଢିଲେ କିମ୍ୱା ଦୁଷ୍ଟାମି କଲେ ଶିକ୍ଷକ ମାନେ ଦଣ୍ତ ଦେଉଥିଲେ l
ଟୁନା କଥାରେ ଇନ୍ସପେକ୍ଟର ତାକୁ ପୁରା ଆଶ୍ୱାସନା ଦେଇ କହିଲେ , " ମୁଁ ପରା କହୁଛି , ତୁମେ କୁହ , କେହି ତୁମକୁ ମାରିବେନି l"
ଟୁନା ତଥାପି ଡରି ମରି ହେଡ୍ ସାରଙ୍କ ଆଡକୁ ଟିକେ ଶେଷଥର ପାଇଁ ଅନାଇଲା ତା ପରେ କହିଲା, " ବଜାରରେ ଯଦି ଆଳୁ କିଲୋ ୧୦ ଟଙ୍କା ତାହେଲେ ଆପଣଙ୍କୁ ଏବେ ନିଶ୍ଚେ ୪୦ ବର୍ଷ l"
ସ୍କୁଲ ଇନ୍ସପେକ୍ଟର ଟୁନାର ଉତ୍ତରରେ ପୁରା ଖୁସି ହୋଇଗଲେ l ସେ ଟୁନାକୁ ସଙ୍ଗେ ସଙ୍ଗେ ପକେଟରୁ ୧୦ ଟଙ୍କା ବାହାର କରି ପୁରଷ୍କାର ଦେବା ସହ ହେଡ୍ ସାରଙ୍କୁ ପ୍ରଶଂସାରେ ପୋତି ପକାଉଥାନ୍ତି l
ସେ କହିଲେ, " ଯେତେ ସ୍କୁଲ ଯାଇଛି , ସବୁଠି ଏ ପ୍ରଶ୍ନ ପଚାରିଛି l କିନ୍ତୁ କେହି ଏ ଯାଏ ସଠିକ୍ ଉତ୍ତର ଦେଇ ପାରି ନଥିଲେ l ଆପଣମାନେ ଠିକ୍ ପାଠ ପଢାଇଥିବାରୁ ଆଜି ସଠିକ୍ ଉତ୍ତର ମୁଁ ପାଇଗଲି l ଉପରକୁ ବହୁତ ଭଲ ରିପୋର୍ଟ ଆପଣ ମାନଙ୍କ ବିଷୟରେ ଦେବି l"
ଇନ୍ସପେକ୍ଟରଙ୍କ ସବୁତକ ପ୍ରଶଂସା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦେହରେ ଛୁଞ୍ଚି ଫୁଟିଲା ପରି ଲାଗୁଥାଏ l ବହୁତ ଖୁସି ହୋଇ ଇନ୍ସପେକ୍ଟର ସେଦିନ ସ୍କୁଲରୁ ବିଦାୟ ନେଲେ l
ଇନ୍ସପେକ୍ଟର ସ୍କୁଲରୁ ଯିବା ପରେ ସମସ୍ତେ ଏକାଠି ହୋଇ ପୁଣି ସେଇ ପଞ୍ଚମ ଶ୍ରେଣୀକୁ ଗଲେ l ଟୁନା ଭିତରେ ଭୟ କରୁଥାଏ l ସେ ସମସ୍ତଙ୍କୁ ପୁଣି ଏକାଠି ହୋଇ ଆସିବାର ଦେଖି ଜଣିଗଲା ମାଡ ବସିବାର ବେଳ ଏବେ ଅତି ନିକଟରେ l ହେଡ ସାର୍ ତାକୁ କହିଲେ ଠିଆ ହେବାକୁ l ସେ ଚୁପ୍ କରି ସୁନା ପିଲାଟେ ପରି ଠିଆ ହୋଇଗଲା l
ହେଡ୍ ସାର୍ ତାକୁ ବୁଝାଇ କହିଲେ," ନାଇଁ ମାରିବି ନାହିଁ, କିନ୍ତୁ ସେ ପ୍ରଶ୍ନର ଉତ୍ତର କେମିତି ଦେଲୁ ସତ କହିଲୁ ବାପା ? "
ଟୁନା ଡରି ଡରି କହିଲା, " ସାର୍ ଆମ ଗାଁରେ ଗୋଟେ ଅଧା ପାଗଳ ଅଛି l ତାକୁ ୨୦ ବର୍ଷ l ଏ ଯେଉଁ ସାର୍ ଆସିଥିଲେ ସେ ହେଉଛନ୍ତି ଫୁଲ୍ ପାଗଳ , ତେଣୁ ତାଙ୍କୁ ନିଶ୍ଚେ ୪୦ ବର୍ଷ ହୋଇଥିବ ବୋଲି ଜାଣିଦେଲି l
ଶ୍ରୀଯୁକ୍ତ ଅରୁଣ ପଣ୍ତା ମହୋଦୟ ଏ ଭଳି ଗୁଲିଗପ କହିବାର ତାତ୍ପର୍ଯ୍ୟ ଥିଲା କି , ଜଣେ ଜଣେ ଉଚ୍ଚପଦବୀରେ ଅବସ୍ଥାପିତ ଥିବା ଅଧିକାରୀ ଅଦ୍ଭୁତ ଭାବନା ମାନଙ୍କୁ ମନରେ ଠିକ୍ ବୋଲି ଭାବି ତାଙ୍କ ଅଧୀନରେ କାମ କରୁଥିବା ତଥା ସାଧାରଣ ଲୋକମାନଙ୍କୁ ଖୁବ୍ ଅସୁବିଧାରେ ପକାନ୍ତି l
ଛାଡନ୍ତୁ ଏସବୁ ଗୁଲି କଥାକୁ l ଏବେ ଆମର ମୂଳକଥା ସେଇ ଅସହାୟ ବାପାମାନଙ୍କ କଥା ଆଲୋଚନା କରିବା l ଦିନେ ହଠାତ୍ ଯୁକ୍ତ ଦୁଇ ବିଜ୍ଞାନ ୨ୟ ବର୍ଷର ଜଣେ ଛାତ୍ର କୁଆଡେ ଫେରାର୍ ହୋଇଗଲା l (କ୍ରମଶଃ ........)