ଅଫେରନ୍ତା ସମୟ
ଅଫେରନ୍ତା ସମୟ
ଆଜି କାହିଁକି କେଜାଣି ମୋର ହାଇସ୍କୁଲ ପାଠ ପଢା ସମୟର ଜଣେ ଗୁରୁଜୀଙ୍କ କଥା ବେଶୀ ମନେ ପଡୁଛି। ତାଙ୍କ ନାମ ହେଉଛି ଶ୍ୟାମ ସୁନ୍ଦର ସିଂହାରୀ, ପୁରୀ ଦୋଳ ମଣ୍ଡପ ସାହିରେ ତାଙ୍କ ବାସଗୃହ। ମୋ ମୋତେ ବିଶ୍ବମ୍ବର ବିଦ୍ୟା ପୀଠରେ ଅଷ୍ଟମ ଶ୍ରେଣୀରେ ପାଠ ପଢାଉ ଥିଲେ। ବହୁ ସମୟରେ ସେ ମୋ ଭଳି ଛାତ୍ର ଛାତ୍ରୀ ମାନଙ୍କୁ କଥା ଛଳରେ କୁହନ୍ତି, ବିତି ଯାଇଥିବା ସମୟ ଆଉ ଫେରେନା, ତାହା ଅଫେରନ୍ତା। ବୃନ୍ତ ଚ୍ୟୁତ ଫୁଲ ଆଉ କେବେ ବୃନ୍ତରେ ଯୋଡି ହୁଏନା। ତାଙ୍କରି କଥାକୁ ଆମେ ବୁଝୁ ବା ନ ବୁଝୁ କେବଳ ମୁଣ୍ଡ ଟୁଙ୍ଗାରି ହଁ କରୁ। ମୋର ପୂଜ୍ୟ ଗୁରୁଦେବଙ୍କ ଉପଦେଶ ଏବେ ମୁଁ ଭଲ ଭାବରେ ହୃଦୟଙ୍ଗମ କରିପାରୁଛି। ଅତୀତ ଓ ଅତୀତର ସମୟ କେବେ ଆଉ ଫେରି ଆସିବ ନାହିଁ। କାରଣ ସମୟ ର ଗତି ଆଗକୁ, ଆହୁରି ଆଗକୁ, ଅନନ୍ତ କାଳ ପାଇଁ। ସମୟ ସହିତ ତାଳ ଦେଇ ଆଗକୁ ଚାଲିବାକୁ ହେବ। ଯିଏ ଚାଲି ପାରେ ସେ ଅନେକ ମାଇଲ ଖୁଣ୍ଟ ପ୍ରତିଷ୍ଠା କରେ। ଯାହାର ଗତି ସ୍ଥିର ସେ ହାରି ଯାଏ। ସୁତରାଂ ଜୀବନ ହେଉଛି ଗତିଶୀଳ ଓ ତାଦନୁୟାୟୀ ସମସ୍ତଙ୍କୁ ଅଗ୍ରସର ହେବାକୁ ପଡିବ।
ବାଣୀ ବିହାର, ଉତ୍କଳ ବିଶ୍ୱ ବିଦ୍ୟାଳୟ, ଭୁବନେଶ୍ୱର ରୁ M,A, ପାସ୍ କଲାପରେ ୧୯୮୦ ମସିହାରେ ବ୍ରହ୍ମଗିରି ଅଞ୍ଚଳର ଏକ ହାଇସ୍କୁଲ ରେ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଶିକ୍ଷକତା କରିଛି। ନବମ ଶ୍ରେଣୀରେ ପାଠ ପଢାଉ ଥିବା ସମୟରେ ଜଣେ ଛାତ୍ର କମ ବୟସର ତାର ଜଣେ ସହପାଠୀନୀଙ୍କୁ ବିବାହ କରି ଶ୍ରେଣୀ ଗୃହକୁ ଆସେ। ଏହି ବିଷୟ ଜାଣିବା ପରେ ମୋତେ କେମିତି କେମିତି ଅଡ଼ୁଆ ଲାଗୁଥିଲେ ବି କିଛି କହିପାରୁ ନ ଥାଏ। ମନରେ ବାରମ୍ବାର ପ୍ରଶ୍ନ ଆସେ, ଏହି ବିବାହରେ ଉଭୟ ପରିବାର ର ସମ୍ମତି ଅଛି କି ନାହିଁ? ଅବା କେଉଁ ପରିସ୍ଥିତିରେ ପଡି ପୁଅ ଓ ଝିଅ ଏଭଳି ନିଷ୍ପତ୍ତି ନେଲେ କାହିଁକି?, ଦିନକର ଘଟଣା। ସେ ଦିନ ମୁଁ ନବମ ଶ୍ରେଣୀରେ ସାମାଜିକ ପାଠ ପଢାଉ ଥାଏ ଏବଂ ସେହି ଛାତ୍ର ଜଣଙ୍କ ମୋର ପ୍ରତି କଥାକୁ ଗୁରୁତ୍ୱ ର ସହ ଶୁଣୁଥାଏ। ମୁଁ ସେଦିନ ବାଲ୍ୟ ବିବାହ ଉପରେ ଅନେକ ମତ ଓ ମନ୍ତବ୍ୟ ରଖିଥିଲି। ଜଣେ କୁମାରୀ କମ୍ ବୟସରେ ବିବାହ କରି ଜନନୀ ହେଲେ ନାନାଦି ପ୍ରକାରରେ ହଇରାଣ ହରକତ ହୁଏ, ତାରି ଉପରେ ବହୁ ଉଦାହରଣ ବି ପ୍ରଦାନ କରି ଥିଲି। ଶ୍ରେଣୀ ଗୃହରୁ ଫେରି ଆସିବା ବେଳେ ସେ ଛାତ୍ର ଜଣଙ୍କ କରିଥିବା ଭୁଲ୍ ମୋ ଆଗରେ ସ୍ବୀକାର କଲା ଏବଂ ମୁଁ ତାଙ୍କୁ କହିଲି ବାବୁରେ, ଯାହା ଘଟି ଯାଇଛି ତାହା ଭୁଲି ଯାଅ ବରଂ ସଜାଗ ହୋଇ ଆଗାମୀ ଦିନରେ କେମିତି ଭଲରେ ବଞ୍ଚିବ ଚେଷ୍ଟା କରିବାକୁ ହେବ। କାରଣ ଅତୀତ ଆଉ ଫେରିବେନି, ବର୍ତ୍ତମାନକୁ ସାମନା କରି ଭବିଷ୍ୟତ ନିର୍ମାଣ କରିବାକୁ ପଡ଼ିବ। ପରେ ପରେ ମୁଁ କିଛି ଦିନ ପରେ ସେ ହାଇସ୍କୁଲ ଛାଡ଼ି ଆସିବାକୁ ପଡ଼ିଲା। ଏହାର ଅନେକ ବର୍ଷ ପରେ ହଠାତ୍ ସେହି ଛାତ୍ର ଜଣଙ୍କ ମୋ ସହିତ ସାକ୍ଷାତ କରି ସେ ବହୁ ଭଲରେ ଅଛି ବୋଲି ସୂଚନା ଦେଲେ ଏବଂ ଗୋଟିଏ କଥା କହିଲେ, ସାର୍, ଆପଣଙ୍କ ଶ୍ରେଣୀ ପ୍ରକୋଷ୍ଠରେ ସେହି ଦିନର ପାଠପଢା ଓ ସଜାଗ ତଥା ସଞ୍ଜମ ଆଚରଣ ଜନିତ ଉପଦେଶ ମୋ ଜୀବନର ମୋଡ଼ ବଦଳାଇ ଦେଇଥିଲା। ଏହି ପଦକ କଥା ଶୁଣି ମୁଁ ବହୁତ ମହିମା ମଣ୍ଡିତ ହୋଇଥିଲି। Even a single word or a small advice can change a life। ଏହି ଆପ୍ତବାକ୍ୟରେ ବିଶ୍ୱାସ କରି ସେହି ଛାତ୍ର ଜଣଙ୍କୁ ଶୁଭାଶିଷ ସହ ବିଦାୟ ଦେଲି।
ଅନେକ ସମୟରେ ମୁଁ ଭାବେ ଯେ ଆଜିକା ଦିନରେ ଆମେ ଯେମିତି ସମୟ ବୀତାଉଛୁ, ଅତୀତରେ ସ୍ଵାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ଏପିଜେ କାଲାମ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ବପଲ୍ଲୀ ରାଧାକୃଷ୍ଣନ, ସ୍ଵାମୀ ଶିବାନନ୍ଦ ଏଇ ପରି ଅନେକ ମହାପୁରୁଷ ତଥା ଆହୁରି ଅନେକ ତାଙ୍କ ସମୟକୁ ନିପୁଣ, ନିଷ୍ଠାପର ଓ ଆନ୍ତରିକତାର ସହ ବିତାଇ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇ ପାରିଛନ୍ତି। ସେମାନଙ୍କ କାର୍ଯ୍ୟ କରିବା ଶୈଳୀ ବହୁ କ୍ଷେତ୍ରରେ ଉତ୍କର୍ଷତା ପୂର୍ଣ୍ଣ ଥିଲା। କମ୍ ଆୟୁ ନେଇ ଆସିଥିଲେ ହେଁ ସେମାନେ ଯାହା ଯାହା କରି ଯାଇଛନ୍ତି ସେହି ସ୍ଥାନ ନିଶ୍ଚୟ ଅପୁରଣୀୟ ରହିବ।ସମୟକୁ ଅଯଥାରେ ନଷ୍ଟ କରିବାକୁ ସେମାନେ ଆଦୌ ପସନ୍ଦ କରୁନଥିଲେ। ଆମେ ସାଧାରଣ ମଣିଷ ମାନେ କାର୍ଯ୍ୟ କରିବା ଭିତରେ ଯେମିତି ବହୁ ଘାତ ପ୍ରତିଘାତ ବାଧା ବିଘ୍ନ ର ସମ୍ମୁଖୀନ ହେଉ ଏବଂ ବେଳେ ବେଳେ କାର୍ଯ୍ୟରୁ ଓହରି ଯାଉ ତଥା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ବିଫଳମନା ହୋଇ ଥାଉ। କିନ୍ତୁ ମହାପୁରୁଷ ମାନଙ୍କ କ୍ଷେତ୍ରରେ ଉତ୍କର୍ଷତା ଥାଏ। ଯାହା ଆସୁନା କାହିଁକି ସେମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ କ୍ରମାଗତ ଓ ଅହରହ ଉଦ୍ୟମ ରତ ଥାନ୍ତି। Lewis Carroll ଙ୍କ ଏକ କବିତା ପଙ୍କ୍ତି ଟିଏ ମନେ ପଡେ।
Let craft,ambition,spite
Be quenched in Reason,s night
Till weakness turn to might
Till what is dark be light
Till what is wrong be right!
ଏହାକୁ ଅନୁବାଦ କଲେ ଏହା ହୋଇପାରେ।
ଦୁର୍ବଳତା ଶକ୍ତିଶାଳୀ ରେ ପରିଣତ ହେବା ଯାଏ
ଯାହା ତମସାଛନ୍ନ ଆଲୋକମୟ ରେ ପରିଣତ ହେବା ଯାଏ
ଯାହା ଅସତ୍ୟ ତାହା ସତ୍ୟ ରେ ପରିଣତ ହେବ ଯାଏ
ଧୂର୍ତ୍ତତା, ଅସୂୟା , ଉଚାଭିଳାଷ
ବିବେକର ରାତ୍ରିରେ
ନିର୍ବାପିତ ହେଉ।
ଏହାହିଁ ମହାପୁରୁଷ ମାନଙ୍କ କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ଯୋଜନା ଓ ତଦନୁଯାୟୀ କାର୍ଯ୍ୟକାରିତା।
ଗତସ୍ୟ ଶୋଚନା ନାସ୍ତୀ, ଏହାକୁ ମନେ ରଖି ଆଗକୁ ବଢ଼ିବାକୁ ହିଁ ହେବ। ପ୍ରତି ମୁହୂର୍ତ୍ତକୁ ଉପଯୋଗ କରି ବାକୁ ପଡ଼ିବ। ସମୟ ପରିଚାଳନା ହେଉଛି ଜୀବନ ପରିଚାଳନା। ପ୍ରତ୍ୟେକ ଟି କାର୍ଯ୍ୟ ସମାପ୍ତ ପରେ ପ୍ରତ୍ୟେକ ବ୍ୟକ୍ତି ଇଶ୍ୱର ଙ୍କୁ ଏହି ରକମର ପ୍ରାର୍ଥନା କରିବା ଉଚିତ।
ହେ ଇଶ୍ଵର, ମୋତେ ପରୀକ୍ଷା କର ଓ ମୋତେ ପ୍ରମାଣିତ କର।
ଏହା ବହୁ ଆନନ୍ଦ ଓ ନିରାନନ୍ଦ ମଧ୍ୟରେ ଆମେ ଆମ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ମଣିଷ ଜୀବନକୁ ଉପଭୋଗ କରି ପାରିବା। ବାକି ସମୟ ମଧ୍ୟରେ ଆମେ ଜୀବନର ମାନଦଣ୍ଡ କୁ ସଜାଡି ପାରିବା।
