-:ଅନ୍ୟ ଏକ ପୃଥିବୀ :-
************
ଗାଳ୍ପିକ:- ଗୋପାଳ କୃଷ୍ଣ ଦାସ
ଭୁବନେଶ୍ଵର, ଓଡ଼ିଶା
****************
ଜୀବନ ଯୁଦ୍ଧ ରେ ଏକା ଏକା ଲଢି ଚାଲିଛି ସୁଲୋଚନା ସେ ଜାଣିନି ପରାସ୍ତ ହେବ କିମ୍ବା ଜୟଯୁକ୍ତ ହେବ, କେବଳ ସ୍ଥିତପ୍ରଜ୍ଞ ଭଳି ଲଢି ଚାଲିଛି ଏକା ଏକା। ପଦିଆ ଚାଲି ଗଲାନି ଯେ ଚାରି ଚାରି ଟା ବୋଝ ଦେଇଗଲା ତାକୁ। ଜୀବନ ସାରା ଏକା ଏକା ଲଢେଇ କରିବାର କଳା ଟା ଆସ୍ତେ ଆସ୍ତେ ଶିଖି ଯାଇଛି ସେ।
ମନେ ପଡ଼େ ଯେତେବେଳେ ଛୋଟ ଥିଲା ବାପା କାନ୍ଧରେ କାନ୍ଧ ହୋଇ ଗାଆଁ ବୁଲି ବାହାରିଲେ , ବୋଉ ଚିଲେଇ କରି କହେ ଆଲୋ ଏ ଅଲକ୍ଷଣି ତୋ ସାନ ଭାଇ ଥାଉ ଥାଉ କେମିତି ବାପ କାନ୍ଧରେ ଓହଳି ହେଉଛୁ ମ, ତୁ ଓହ୍ଲା ମୋ ପୁଅ କାନ୍ଧରେ ବସିବ? ଆଉ ସେହି ସମୟ ରେ ସୁଲୋଚନା କହେ କାହିଁକି ସେ କାହିଁକି ବସିବ?? ସେ କଣ ପୁଅ ବୋଲି ଆଗ ଆଉ ମୁଁ ଝିଅ ପିଲା ବୋଲି ପଛ। ବୋଉ ସେତେବେଳେ ହାତରେ ଯାହା ଥିବ , ଧରି ଗୋଡ଼ାଇ ମାରିବ। ହେଲେ ବି ସେଥିରେ ବହୁତ୍ ଖୁସି ମିଳେ । ଆଜି ପଦିଆ ଚାଲିଗଲା ପରେ ସୁଲୋଚନା ଏହି ୪ ଟି ପିଲାଙ୍କ ମୁହଁରେ କେମିତି ଟିକେ ଆହାର ଦେବ ସେ କଥା ଭାବି ପାରୁନି। ବେଳେ ବେଳେ ନିଜ ଭାଗ୍ୟ କୁ ଦୋଷ ଦେଇ କହୁଛି , ମୋର ତ ଫଟା କପାଳ ଆଉ କଣ କରିବି? ଗାଆଁ ରେ ସମସ୍ତେ ଇନ୍ଦିରା ଆବାସ ପାଇଲେ ହେଲେ ସରପଞ୍ଚ ସୁଲୋଚନା କୁ ଖରାବେଳେ ଧାନ ଖଳା କୁ ଡାକି କି ଜୋର ଜବରଦସ୍ତି କଲା ରୁ ସୁଲୋଚନା ଦୌଡ଼ି ପଳାଇ ଆସିଲା ହେଲେ। ତାପରେ ତା ନା ସବୁ ଦିନ ପାଇଁ ତାର ଇନ୍ଦିରା ଆବାସ ଫର୍ମ ରୁ କଟିଗଲା। କଣ ଟା ଅବା କରି ଥାଆନ୍ତା ସେ, ସେ ଜଣେ ଅବଳା ,ଦୂର୍ବଳା, ଗରିବ,ବିଧବା ନାରୀ ଟିଏ । "କହନ୍ତି ନା ଗରିବ ମାଇପ ସମସ୍ତଙ୍କର ଶାଳୀ"। ଯାହା ଥିଲା ଟଙ୍କିକିଆ ଚାଉଳ , ଗହମ ରୁ ବଞ୍ଚିତ ହୋଇଥିଲା ସରପଞ୍ଚ ଙ୍କ କୋପ ଦୃଷ୍ଟି ରୁ। ଆଜକୁ ପ୍ରାୟ ୧୫ ବର୍ଷ ପୂର୍ବ ର ଘଟଣା ଆଜି ବି ଆଖି ଆଗରେ ନାଚି ଉଠୁଛି ସୁଲୋଚନା ର, ମାର୍ଗଶିର ମାସରେ ସୁଲୋଚନା ର ବାହାଘର ହୋଇଥିଲା ପଦିଆ ସାଥିରେ । ଘର କୁ ଲକ୍ଷ୍ମୀ ଆସିଲା ବୋଲି।ସାଇ ପଡୋଶୀ କହିଥିଲେ। ବାହାଘର କଣ ମ?? କହିବାକୁ ଗଲେ ସୁଲୋଚନା ତୋଳା କନିଆ ସାଜି ପଦିଆ ଘରକୁ ଯାଇଥିଲା ଆଉ ପଦିଆ ଘରେ ହିଁ ହସ୍ତ ଘଣ୍ଟି ପଡ଼ିଥିଲା। ବାହାଘର ର ପ୍ରଥମ ପନ୍ଦର ଦିନ ଗୋଟିଏ କୁଆରୀ ଝିଅର ସ୍ବପ୍ନ ସାକାର ହେଲା ଭଳି ଲାଗୁଥାଏ। ପଦିଆ ଟି ମୋଟା କଳା ମରଦଟିଏ ହେଲେ କଣ ହେବ, ସୁଲୋଚନା ର ମନ କଥା ବେଶ୍ ଭଲ ଭାବରେ ପଢ଼ିପାରେ। ରାତି ଦିନ କିଛି ମାନେ ନା ଯେତେବେଳେ ଇଚ୍ଛା ହେବ ଭିଡ଼ି ଆଣେ ଖଟ ଉପରକୁ, ଯେତେ ମନା କଲେ ଭି କେବେ ଶୁଣେନା ସେ। ଆଉ ମନ ଭରି ଉପଭୋଗ କରେ ସେହି ମୁହୁର୍ତ କୁ। ଯେମିତି ସୁଲୋଚନା କୁ ଲାଗେ କେଉଁ ଏକ ସ୍ୱର୍ଗୀୟ ସୁଖର ଆନଦ ନେଉଛି। ସୁଲୋଚନା ବି ଅନ୍ୟ ସ୍ତ୍ରୀ ଙ୍କ ଭଳି ନିଜ ଗେରସ୍ତ ର ଆଇଶ କାମନା କରି ସବୁଦିନେ ସକାଳେ ବିଛଣା ଛାଡେ। ବାହାଘର ର ଗୋଟିଏ ମାସ ଭିତରେ ପଦିଆ ମାଲିକ ଡାକରା ରେ ଚାଲିଲା ଟ୍ରକ୍ ନେଇ। ସପ୍ତାହ ରେ ଦୁଇ ଦିନ ଆସେ ଘରକୁ ଆଉ ସେହି ଦୁଇ ଦିନ କୁ ଅପେକ୍ଷା କରି ଥାଏ ସୁଲୋଚନା। ଘରେ ବୁଢ଼ୀ ଶାଶୁ ସହିତ ଜୀବନ କଟାଏ ଆଉ ପାଞ୍ଚ ଦିନ। କିଛି ବର୍ଷ ପରେ ଝିଅ ଟିଏ ଜନ୍ମ ହେଲା ସୁଲୋଚନା ର, ଶାଶୁ ବୁଢ଼ୀ କିନ୍ତୁ ଖୁସି ନୁହେଁ , ଆଉ ଗୋଟିଏ ପୁଅ କୁ ଅନାଇ ଅନାଇ ଆଉ ଚାରୋଟି ଝିଅ କରି ସାରିଲାଣି । ପଦିଆ ର ଗୋଟିଏ ଜିଦ୍ ପୁଅ ଟିଏ ହେଉ, ଏହା ଭିତରେ ବହୁ ଯନ୍ତ୍ରଣା ସହିଲାଣି ସୁଲୋଚନା ହେଲେ , ପୁଅ ନ ହେଲେ ଆଉ ଗୋଟିଏ ମାଇକିନା ଆଣିବ ବୋଲି ଧମକ ବି ଦେଉଛି ପଦିଆ। କାହାକୁ କହିବ ନିଜ ଦୁଃଖ କାହାଣୀ । ଆଖିର ଲୁହ କୁ ପିଇ ବା ଛଡା ଆଉ କଣ ଚାର ଅଛି ତାର। ପଦିଆ ଘରେ ନଥିଲା ବେଳେ ଶାଶୁ ବୁଢ଼ୀ ଟି ସାହାରା ଥିଲା ହେଲେ ଗତ ବର୍ଷ ତଳେ ସେ ବି ଝାଡା ବାନ୍ତି ରେ ଚାଲିଗଲା। ପିଲା ଚାରି ଟା ସହିତ ସୁଲୋଚନା କୁଡିଆ ଘରଟିରେ ବସି ଡ଼ିବି ର ମିଞ୍ଜି ମିଞ୍ଜି ଆଲୁଅ କୁ ଚାହିଁ ରାତି କାଟିଦିଏ । ଆସ୍ତେ ଆସ୍ତେ ପଦିଆ ର ଘର କୁ ଆସିବା ମଧ୍ୟ ବନ୍ଦ ହୋଇଗଲା। ଗାଆଁ ମାଇପେ କଥା ବାର୍ତ୍ତା ହେଲେଣି କୁଆଡେ ପଦିଆ ଭୁବନେଶ୍ଵର ରେ ଆଉ ଗୋଟିଏ ମାଇକିନା ରଖିଛି। ଶୁଣା କଥା କୁ ପାଶୋରି ବଞ୍ଚିବାକୁ ଚେଷ୍ଟା କରେ ସୁଲୋଚନା। ଆଜି କାଲି ପଦିଆ ଆଉ ଆଗ ଭଳି ଘରକୁ ଆସୁନି, କେବଳ ଖବର ଦେଇଦେଉଛି ସେ ଭଲରେ ଅଛି।
ଚାହିଁ କି ପ୍ରତିବାଦ କରି ପାରେନି ସୁଲୋଚନା।କେବଳ ନିଜ ଭାଗ୍ୟ କୁ କୋଷେ। ବାପଘର ବାପା ବୋଉ ବି ଚାଲି ଗଲ ପରେ ସେ ବି ଆଉ ବାପା ଘର କୁ ବୁଲି ଯାଏ ନା । ଭାଇ ଭାଉଜ କଥା ରେ ପଡି ତା ସହିତ ଅପଡ କରି ସାରିଛି। ବଡ ଝିଅ ପରୁହାଁ ଦିନ ପଚାରେ, ବୋଉ ମାମୁ ଘର କଣ ଆସିବେନି? ସୁଲୋଚନା ଆଖି ର ଲୁହ ପୋଛି କହେ ଆରେ ମା ଆର ଥରିକ ଆସିବ, ତୁ ଏଥରକ ଧୁଆ ଜମା ଟିଏ ପିନ୍ଧି ଚଳେଇ ଦେ!
ଦେଖିବାକୁ ଗଲେ ଚାରୋଟି ପିଲା ସହିତ କୁଡିଆ ଘର ଟି ସୁଲୋଚନା ର ସଂସାର। ଦିନରେ ମୂଲିଆ ଖଟି ଯାଏ , ଆଉ ସଞ୍ଜ ବେଳକୁ ମାଟି ଚୁଲି ରେ କଣ ଟିକେ ଫୁଟେଇ ଚାରି ପିଲା ଙ୍କ ସହିତ ଖାଏ। ସଂସାର ଟା ଦୁଃଖ ମୟ ହେଲେ ବି ବେଳେ ବେଳେ ଚାରୋଟି ଛୁଆ ର ମୁହଁ ଦେଖିଦେଲେ , ଦୁଃଖର ପାହାଡ ସବୁ ଯେମିତି ଅପସରି ଯାଏ।
ସୁଲୋଚନା ର ଅନ୍ୟ ସ୍ତ୍ରୀ ଭଳି ମନ ଟିଏ ଅଛି ହୃଦୟ ଟିଏ ଅଛି, ଆଉ ଯେଉଁ ହୁଦୟରେ ସେ ତାର ଗେରସ୍ତ ପଦିଆ କୁ ସ୍ଥାନ ଦେଇଛି।
ହଟାତ୍ ଦିନେ ଖବର ଆସିଲା ପଦିଆ ଟ୍ରକ୍ ନେଇ ଯାଉଥିଲା ବେଳେ ଟ୍ରକ୍ ଟି ଘାଟି ରୁ ଖସି ପଡ଼ିଲା ଫଳରେ ପଦିଆ ପ୍ରାଣ ହରାଇଛି। ସେଦିନ ସୁଲୋଚନା ର ପାଦ ତଳୁ ମାଟି ଖସିଯିବା ଭଳି ଲାଗୁଥିଲା ପଦିଆ ଟା ଯେତେ ଖରାପ ହେଲେ ବି ତାର ଗେରସ୍ତ ।ଭାବିଲା ନଈ , ପୋଖରି କୁ ଡେଇଁ ଜୀବନ ହାରିଦେବ, ନହେଲେ ଆମ୍ବ ତୋଟା ରେ ରସି ଦେଇ ଜୀବନ ଦେବ। ହେଲେ ପାରିଲାନି, ଚାରୋଟି ଅବୋଧ ପିଲାଙ୍କର କଣ ଭୁଲ?? ଝିଅ ପିଲା ହେଲେ ବୋଲି କଣ ସେମାନଙ୍କର ବଞ୍ଚିବାର ଅଧିକାର ନାହିଁ ନା ସମାଜ ରେ ମୁଣ୍ଡ ଟେକି ଚାଲିବାର ଭାରସାମ୍ୟ ହରାଇ ଛନ୍ତି ସେମାନେ।
ଟ୍ରକ୍ ମାଲିକ ଆସିଥିଲା ପଦିଆ ର ଶବ ସହିତ କିଛି ଟଙ୍କା ଓ ଫଳ ଆଣି ଦେଇଗଲା ଆଉ କହିଲା ଦେଖ ଯାହା ହେବାର ଥିଲା ହେଲାଣି। ପୋଲିସ ପାଖକୁ ଗଲେ କିଛି ଲାଭ ନାହିଁ। ଏହି କିଛି ପଇସା ରଖ ଆଉ ତୋ ବଡ ଝିଅ ଟିକେ ବଡ ହେଲେ ତାକୁ ତା office ରେ ରଖାଇ ଦେବ।
ବହୁତ୍ କିଛି ଭାବିଲା ପରେ ନିଜ ଶଙ୍ଖା ସିନ୍ଦୂର କୁ ନିଜ ହାତରେ ପୋଛି ଦେଇଥିଲା ସୁଲୋଚନା। ତାପରେ ଆରମ୍ଭ ହୋଇଥିଲା ଗୋଟିଏ ନୂଆ ଅଧ୍ୟାୟ। ଯେମିତି ଏତେ ବଡ ପୃଥିବୀ ରେ ସେ ଏକା ଏକା । ଦୁଃଖ ଓ ଅବସାଦ କହିଲେ ଏବେ ତାର ତିନୋଟି ନିତ୍ୟାନ୍ତ ଆବଶ୍ୟକତା (ଖାଦ୍ୟ, ବସ୍ତ୍ର ଓ ବାସଗୃହ)କୁ ପୁରଣ ନ ହୋଇ ପାରିବା।
ପଦିଆ ଯିବାର ମାସେ ଟିଏ ଗଲାଣି, କଣ କରିବ ଏବେ?
ଚାରୋ ଚାରୋଟି ପିଲା ତା ସହିତ ସେ ନିଜେ । ପାଞ୍ଚ ପରାଣି ପାଟି ରେ ମୁନ୍ଦେ ପାଣି ଦେବାକୁ ବି ସେ ଯେଉଁ ଭଳି ପରିଶ୍ରମ କରୁଥିଲା ସେହି ଭଳି ପରିଶ୍ରମ କରିବାକୁ ପଡ଼ିବ। ହେଲେ ଏ ପୁରୁଷ ପ୍ରଧାନ ସମାଜ ଆଗରେ ସେ ନିରୁପାୟ! କିଛି ଗୋଟିଏ କରିବା ଆଗରୁ ଦଶ ଥର ଭାବିବାକୁ ପଡୁଛି। ଆଗରୁ, କିଛି ହେଉ କି ନ ହେଉ ପଦିଆ ଥିଲା ତାର ଶଙ୍ଖା ଆଉ ସିନ୍ଦୂର ! ଏବେ ସେ ଯେ ପୁରା ନିରୁପାୟ, ଅବଳା , ଦୂର୍ବଳା ନାରୀଟିଏ, ଯାହାର କି ସହା ଭରଷା ସେହି ଗାଆଁ ମୁଣ୍ଡ ର ବୁଢ଼ୀ ଠାକୁରାଣୀ।
ହଟାତ୍ ସାନ ଝିଅର କାନ୍ଦ ସୁଲୋଚନା କୁ କଳ୍ପନା ରାଇଜ ରୁ ବାସ୍ତବ କୁ ନେଇ ଆସିଥିଲା । ସାନ ଝିଅ ସିତୁ କୁ ମାତ୍ର ୮ ମାସ , ସୁଲୋଚନା ର କ୍ଷୀର ନ ହେଉଥିବାରୁ ପେଜ ପିଇବାକୁ ଦେଉଛି। ସିତୁ ଟା ବି ୮ ମାସର ଛୁଆଟିଏ ହେଲେ ବି ଯେମିତି ମାର ଅସହାୟ କୁ ଭଲ ଭାବରେ ବୁଝି ଯାଉଥିଲା ସେ। ହେଲେ ଆଜି ସେହି ପେଜ ଟିକକ ବି ନାହିଁ। ସୁଲୋଚନା ର ଆଖି ପୁଣି ଥରେ ଓଦା ହେବାକୁ ଲାଗିଲା ଏପଟେ ୮ ମାସର ଛୁଆ ଟା କଣ ବୁଝିଲା କେଜାଣି କାନ୍ଦ ଛାଡ଼ି ମାର ହାତ କୁ ନେଇ ଚୁଚୁମିବା କୁ ଲାଗିଲା ସୁଲୋଚନା ର ଆଖିର ଅମାନିଆ ଉତ୍ତପ୍ତ ଲୁହ ସବୁ ଗଦା ହୋଇ ପଡ଼ିଲା ପିଲାଟି ର ଗାଲ ଉପରେ। ଏବଂ ଅନ୍ୟାୟସ ରେ ସୁଲୋଚନା ର ବାମ ହାତ ଟି ଉଠିଯାଇ ଦୁଇ ଧାର ଲୁହ କୁ ପୋଛି ଦେଇଥିଲା।
ସୁଲୋଚନା ଯେତେ ଚେଷ୍ଟା କରି ବି ଆଙ୍ଗୁଠି କୁ ଭିଡ଼ି ଆଣିପାରିଲା ନାହିଁ ଅବୋଧ କୋମଳ ପାଟିରୁ। ଏବଂ ନିରୀହ ସୀତୁ ଟି କଣ
ବୁଝିଲା କେଜାଣି ଥମକରି ଶୋଇ ପଡିଲା।
କିଛି ସମୟ ପରେ ସୁଲୋଚନା ବଡ ଝିଅ କୁ ତାଗିଦ୍ କରି ବିଲ ଆଡକୁ ଯିବାକୁ ବାହାରେ ତ ସହର ରୁ କିଛି ପିଲା ଆସି ପହଞ୍ଚି ଗଲେ । ହାତରେ ବଡ ବଡ଼ କ୍ୟାମେରା ସହିତ, ଦୁଇଟା ଫୋକୋସ ଛତା ତା ସହିତ ହାତରେ କିଛି ବିସ୍କୁଟ ପ୍ୟାକେଟ ଓ କୁକୁକରେ ପ୍ୟାକେଟ ଗୁଡା। ହଟାତ୍ କିଛି ବୁଝି ପାରିଲାନି ସୁଲୋଚନା।କିଛି ଭାବିବା ପୂର୍ବରୁ ସେମାନଙ୍କ ଭିତରୁ ଜଣେ ପିଲା କହି ପକାଇ
ଲା, ମାଉସୀ ଏଇଟା ଆପଣକଂ ଘର?? ଆପଣ ଶବ୍ଦ ଟା ଟିକେ ଆଖାଡୁଆ ଲାଗିଲା ପରି ମନେ ହେଲା। କାରଣ ସୁଲୋଚନା କୁ କେହି ତୁ ଛଡା ତୁମେ ବୋଲି କହି ନାହାନ୍ତି ଆଉ ଆଜି ବାବୁ ଘର ପିଲା ମାନେ ଆପଣ ଡାକିଲେ!!! ସତେ ଯେମିତି ଗୋଟିଏ ଅଜଣା ଶବ୍ଦ କାନରେ ପଶି ମନ ଆଉ ହୃଦୟ କୁ ମନ୍ଥନ କରି ଗଲା ଭଳି ମନେ ହେଲା।
ସୁଲୋଚନା ମୁଣ୍ଡ ହଲାଇ ସମ୍ମତି ଦେଇଥିଲା , ତାପରେ ସହରୀ ବାବୁ ମାନେ ବିସ୍କୁଟ ଓ କୁର୍ କୁରେ ପ୍ୟାକେଟ ସବୁ କୁ ସୁଲୋଚନା ର ତିନି ଝିଅ ଙ୍କୁ ବାଣ୍ଟି ଦେଇଥିଲେ। ତାପରେ ଜଣେ ସହରୀ ବାବୁ ନିଜ ପକେଟ୍ ଦୁଇ ଶହ ଟଙ୍କା ବାହାର କରି ସୁଲୋଚନା ର ହାତରେ ଗୁଞ୍ଜି ଦେଇ କହିଥିଲା, ଆଜି ଆମେ ତୁମ ଘର କୁ ସୁଟିଂ କରିବୁ , ତେଣୁ ତୁମ ମାନେ ଆଜି ବାହାରେ ରହିବ। ଏହି ପଇସା ନିଅ ବାହାରୁ କିଣି ଖାଇ ନେଵ। ସୁଲୋଚନା ର ମୁଣ୍ଡ ରେ କିଛି ନ ପଶିଲେ ବିଁ ଦୁଇଶହ ଟଙ୍କା ପାଇ ମୁଣ୍ଡ ହଲାଇ ସମ୍ମତି ଦେଇଥିଲା। ଏବଂ ଦୌଡ଼ି ଯାଇଥିଲା ଗାଆଁ ପାଖ ତେଜରାତି ଦୋକାନ କୁ କିଛି ଚାଉଳ ସହିତ ଆଳୁ ଦୁଇ କିଲେ ଧରି ଫେରି ଆସି ଦେଖେ ତ ବାବୁ ମାନେ Focus light ସାହାଯ୍ୟ ରେ ଘର କୁ ଆଲୋକିତ କରି ଦେଇଥାନ୍ତି ଆଉ କ୍ୟାମେରା ସାହାଯ୍ୟ ରେ କଣ କଣ ସବୁ ସୁଟିଂ କରୁଥାନ୍ତି। କିଛି ସମୟ ବ୍ୟବଧାନ ରେ କ୍ୟାମେରା ପଡ଼ିଥିଲା ତିନି ପିଲା ଙ୍କ ଉପରକୁ , ପିଲା ମାନେ ମହା ଆନନ୍ଦରେ ବାବୁ ଦେଇଥିବା କୁରକୁରେ କୁ ଖାଇବାରେ ଲାଗିଛନ୍ତି, ଆଉ ସୁଲୋଚନା ଏତେ ଦିନ ପରେ ଲକ୍ଷ୍ୟ କରୁଛି ତାର ପିଲାମାନଙ୍କୁ! କେତେ ଖୁସି ରେ ସେମାନେ ବିସ୍କୁଟ ଓ କୁରୁ କୂରେ ଖାଉ ଛନ୍ତି। Omfed କ୍ଷୀର ପ୍ୟାକେଟ କୁ ଚୁଲି ରେ ଗରମ କରି ସାନ ଝିଅ କୁ ଟିକେ କ୍ଷୀର ପିଆଇ ଦେଇ ଘର ଆଗରେ ଥିବା ବଡ ସିମିଳି ଗଛ ମୂଳ ରେ ବସି ପଡିଲା ଦିନ ଯାଇ ସନ୍ଧ୍ୟା ହେଲା । ସୁଟିଂ ଦେଖିବାକୁ ଆସିଥିବା ଗାଆଁ ଲୋକ ପିଲା ମାନେ ଆସ୍ତେ ଆସ୍ତେ ଭିଡ଼ କମ୍ କଲେଣି। ସହରୀ ବାବୁ ମାନେ ମଧ୍ୟ ଆସ୍ତେ ଆସ୍ତେ ଥକା ମେଣ୍ଟାଇ ବାକୁ ଯାଇ ଚେୟାର ଉପରେ ବିଶ୍ରାମ ନେଲେଣି। ଗଲାବେଳେ ଜଣେ ସହରୀ ବାବୁ ସୁଲୋଚନା ପାଖକୁ ଆସି କହି ଗଲା , ଦେଖ ତୁମର ଏଭଳି ଅବସ୍ଥା ଆଉ ରହିବା ନାହିଁ। ଆମ ର ରିପୋର୍ଟ ଦେଖି।ସରକାର ତୁମ କୁ ପକା ଘର ସହିତ, ସ୍ୱାସ୍ଥ୍ୟ କାର୍ଡ, ରେସନ କାର୍ଡ ଇତ୍ୟାଦି ଦେବେ, ଏବଂ ତୁମର ଏଭଳି ଅବସ୍ଥା ସୁଧୁରିବ। ମନରେ ଗୋଟିଏ ଅସୁମାରୀ ସ୍ବପ୍ନ ସହିତ ଅଜଣା ଶିହରଣ ଟିଏ ସୃଷ୍ଟି ହୋଇଥିଲା ଯେମିତି ସେହି ବାବୁ ର କଥା ପଦିକ। ତାର କିଛି ଘଣ୍ଟା ପରେ ପୁଣି ଫେରି ଆସିଥିଲା ବାସ୍ତବ ଦୁନିଆ କୁ ସୁଲୋଚନା। ଯାହା ହେଉ ୩ ଦିନର ଖାଦ୍ୟ ତ ଯୋଗଇ ଦେଇ ଯାଇଥିବାରୁ ପ୍ରଭୁ ଜଗନ୍ନାଥ ଙ୍କୁ ଅଶେଷ ଧନ୍ୟବାଦ୍ ଟିଏ ଦେଇଥିଲା ସେ। ଆଉ କାମନା କରିଥିଲା ପ୍ରଭୁ ଆଉ ୩ ଦିନ ପରେ ଆଉ କେହି ସହରୀ ବାବୁ ମାନେ ଅସନ୍ତେନି ? ଆଉ ମୋତେ କିଛି ପଇସା ମିଳିଯାନ୍ତ।
କିଛି ଦିନ ବ୍ୟବଧାନରେ, ହଟାତ ଦିନେ ଗାଆଁ ର ସରପଞ୍ଚ ଦାନ୍ତ ନେଫେଡି ଆସିଲା ସୁଲୋଚନା ପାଖକୁ, ସୁଲୋଚନା ତାର ଆଗ ଅସଭ୍ୟ କାମ କୁ ମନେ ପକାଇ ସଙ୍କୋଚ ରେ ଯିବାକୁ ବସିଥିଲା।
ହେଲେ ବୁଢ଼ା ସରପଞ୍ଚ ବାଟ ଓଗାଳି କହିଲା ଆଲୋ ସୁଲୁ ଶୁଣେ ଲୋ କାଲି ତୋ ଘରକୁ ଆମ ଦଳର ହାଇ କମାଣ୍ଡ ଆସୁଛନ୍ତି ! ଆଉ ଜାଣିଲୁ,ତୋର ସବୁ ଦୁଃଖ ସରିଲା ବୋଲି ଜାଣେ ଲୋ। ତୁ ଖାଲି ଆମ ଦଳର ହାଇ କମାଣ୍ଡ କୁ ତୋ ନିଜ ହାତ ରେ ପଖାଳ ଗଣ୍ଡେ ଖୋଇଦେବୁ। ଯେମିତି ତୋ ଛୁଆ କୁ ଖୋଈ ଦେଉ! ଆଉ ଦେଖିବୁ ଲୋ ତାପରେ ତୋର ଏ ଅବସ୍ଥା ଆଉ ରହିବନି। ତୋର କୋଠା ଘର ହେବ, ପିଲା ମାନେ ଭଲରେ ରହିବେ। ଭଲରେ ଚଳିବୁ ଲୋ ତୁ । ସୁଲୋଚନା ବୁଢ଼ା ସରପଞ୍ଚ ଠାରୁ ଶୁଣି ପୁଣି ଥରେ ଭାବି ବସିଲା ସେ ଯାହା ହେଉ କି ନ ହେଉ ସହରୀ ବାବୁ ଦେଲା ଭଳି କିଛି ପଇସା ତ ମିଳିଯିବ। ଗୋଟିଏ ଅଜଣା କଳ୍ପନା ରାଇଜରେ ପରିଟିଏ ଭଳି ଘୁରିବାକୁ ଲାଗିଲ ସୁଲୋଚନା।
ଯାହା ହୋଇଥିଲା ହୋଇଥିଲା, ହେଲେ ଏବେ ତ ବୁଢ଼ା ସରପଂଚ ଟା କିଛି ନହେଲେ ମୋ ପିଲାଙ୍କ ମୁହଁରେ କିଛି ଟା ତ ଯୋଗାଇ ଦେଉଛି। ଯାହା ହେଲେ ବି ସୁଲୋଚନା ଗୋଟିଏ ମାଆ , ପିଲାଙ୍କ ପାଇଁ ସେ କିଛି ବି କରିପାରିବ?
ବୁଢ଼ା ସରପଞ୍ଚ କଥା ଛଳରେ କହିଲା ଆଲୋ ତୋର ଏଥର କ ଯାହା ହେଲେ ବି ପକ୍କାଘର ସହିତ ରାସନ କାର୍ଡ ହେବ। ଆମ ହାଇ କମାଣ୍ଡ ଦେଖିଲେ ତୋର ସବୁ ଦୁଃଖ ସରିଯିବ ଲୋ। ତୁ ଖାଲି ତୋ ହାତରେ ହାଇ କମାଣ୍ଡ ଙ୍କୁ ଖୋଇଦେବୁ।
ଠିକ୍ ଦୁଇ ଦିନ ପରେ ଦୁଇ ଟା ମଟର ଗାଡି ସହିତ କିଛି ଲୋକ ପହଞ୍ଚି ଗଲେ ସୁଲୋଚନା ର ଘର ଟିକୁ । କିଛି ସମୟ ଘର ଚାରିପଟେ ବୁଲିଲା ପରେ ଡାକିଲେ କେହି ଅଛନ୍ତି କି? ସୁଲୋଚନା ସଙ୍ଗେ ସଙ୍ଗେ ଘରୁ ବାହାରି ଆସି କହିଲା କୁହନ୍ତୁ ?
ଆସିଥିବା ଲୋକ କହିଲେ, ହାଇ କମାଣ୍ଡ ଆସୁଛନ୍ତି ଆଉ ଅଧଘଣ୍ଟା ରେ ପହଞ୍ଚିବେ, ତୁମେ ମାନେ ସବୁ ଘରୁ ବାହାର। ଏହି ନିଅ ୨୦୦ ଟଙ୍କା। ବାହାରେ ଜଳଖିଆ ଖାଇଦିଅ ଆଉ ରସ କଂସା ଅଛି ନା ଦିଅ? ସୁଲୋଚନା ଘର ଭିତରୁ ରସ କଂସା ସହିତ କିଛି ତାଟିଆ ନେଇ ଆଣି ରଖି ଦେଇଥିଲା।
ତାପରେ ଲୋକ ମାନେ ହୋଟେଲ୍ ରୁ ଆଣିଥିବା ପଖାଳ, ଭଜା , ମାଛ ମୁଣ୍ଡଟିକୁ ଥାଳି ଆଉ କଂସା ରେ ସଜାଇ ଦେଇ କହିଲେ ।
ତୁ ଆଜି ଆମ ହାଇ କମାଣ୍ଡ ଙ୍କୁ ଖୋ ଦେବୁ। ଏହି ନେ Hand wash ଆଉ, Hand Sanitizer। ଭଲ ରେ ହାତ ଧୋଇ ଖୋଈ ଦେବୁ। ଆଲୋ ତୋ ପାଖରେ କଣ ବ୍ଲାଉଜ କି ଛାଇଆ ନାହିଁ ? ଜା ଗାଧୋଇ କି ପିନ୍ଧିଦେ, ଦିଲ୍ଲୀ ରୁ ହାଇ କମାଣ୍ଡ ଆସୁଛନ୍ତି। ଏମିତି ମଲେଚ୍ଛ ଭଳିଆ ହ ନା। ଦେଖେ ହାଇ କମାଣ୍ଡ ତୋ ହାତରୁ ଖାଉଛନ୍ତି ମାନେ ତୋର ଆଗ ଜନ୍ମ ର କିଛି ପୁଣ୍ୟ ଥିଲା ବୋଲି ଜାଣେ। ତାପରେ ତୋର ସବୁ ଗରିବ ପଳାଇବ। ତୁ ରାଜ ରାଣୀ ହେଇଯିବୁ ଲୋ। ତୋର ଆଉ କିଛି ଅସୁବିଧା ରହିବ ନାହିଁ!
ସୁଲୋଚନା ବି କଣ ବୁଝିଲା କେଜାଣି ମୁଣ୍ଡ ଟୁଙ୍ଗାରି ହଁ କରିଥିଲା। ତାପରେ ପରେ , ଦଳେ ଲୋକ ତା ସହିତ ମାଇକି ର କମ୍ପନ, ସହିତ କେତେ ବାଜା ବାଲା, କେତେ ମଟର ଗାଡ଼ି ଓ ଶେଷ ରେ ଗୋଟିଏ ଖୋଲା ଜିପ୍ ରେ ଜଣେ ମଧ୍ୟମ ବୟସ ର ଲୋକ ରାଜା ବେଶ ରେ ସଜେଇ ହୋଇ ବସିଥାଏ, ଯେମିତି ଲାଗୁଥାଏ କେଉଁ ରାଇଯରୁ ରାଜା ପାଟ, ମନ୍ତ୍ରୀ ଧରି ବିଜେ କରୁଛନ୍ତି।
ଆଉ ହାଇ କମାଣ୍ଡ ଙ୍କ ସାଙ୍ଗରେ ଥିବା କୁଜି ନେତା ସହିତ ଚାମଚା ଙ୍କ ଜିନ୍ଦାବାଦ ଧ୍ଵନୀ ରେ ସାରା ଗାଆଁ କମ୍ପୁ ଥାଏ ଯେମିତି।
କିଛି ସମୟ ବ୍ୟବଧାନରେ ପ୍ରେସ ମିଡ଼ିଆ ଭାଇ ମାନେ ଯେମିତି ଧସେଇ ପଶିଗଲା ଭଳି ଲାଗିଲେ । କିଛି ସମୟ ପାଇଁ ସୁଲୋଚନା ବି ମଧ୍ୟମ ବୟସ୍କ ଲୋକ ଟିର ଏକ ରକମ୍ ମା ହୋଇଯାଇଥିଲା। ନିଜ ପିଲା ମାନଙ୍କୁ ପର କରି ନିଜର ସମସ୍ତ ବାତ୍ସଲ୍ୟ ମମତା ଢାଳି ଦେଇଥିଲା ସେହି ହାଇ କମାଣ୍ଡ ଙ୍କ ଉପରେ। ନିଜ ହାତରେ କଂସା ରେ ବଡା ଯାଇଥିବା ପଖାଳ, ସହିତ ମାଛ ଭଜା ପାଟି କୁ ଦେଲା ବେଳେ ଭୁଲି ଯାଇ ଥିଲା ନିଜର ଚାରୋଟି ପିଲା ସେପଟେ ଭୋକ ରେ ଅଛନ୍ତି। ସେ ଯାହା ହେଉ , ଆଜି କ ଟିକେ କଷ୍ଟ କଲେ ସିନା କାଲି କୁ ତାକୁ ପକା ଘରଟିଏ ମିଳିବ!!! ଆଉ ଟଙ୍କିକିଆ ଚାଉଳ ସହିତ ବିଧବା ଭତ୍ତା, ପଲିଥିନ, ରିଲିଫ ଚାଉଳ, ଗହମ, କିରୋସିନି କେତେ କଣ? ମୋ ଛୁଆ କଣ ଗୋଟିଏ ଦିନ ଉପାସ ରହିଲେ ମରିଯିବେ??? ଏମାନେ ପରା ଅମର ଲଡୁ ଖାଇ ଜନମ ନେଇଛନ୍ତି? କିଛି ସମୟ ରହିଲା ପରେ ହାଇ କମାଣ୍ଡ ବହୁତ୍ ବଡ ବଡ଼ ଭାଷଣ ଦେଇ ସେଠୁ ଯିବାକୁ ବସିଲେ। ଆଉ ଗଲା ବେଳେ 500 ଟଙ୍କା ର ଖଣ୍ଡିଏ ନୋଟ ଟିଏ ବଢେଇ ଦେଇ କହିଲେ ଆସନ୍ତା ନିର୍ବାଚନ ରେ ଆମ ଦଳ କୁ ଭୋଟ ଦେବ।
ସେ ଯାହା ହେଉ ହାଇ କମାଣ୍ଡ ଗଲା ପରେ କେଉଁଠୁ ଥିଲା କେଜାଣି ହଟାତ୍ କଳା ହାଣ୍ଡିଆ ମେଘ ସହିତ ଦଲକାଏ ପବନ ମାଡ଼ି ଆସିଲା ଆଉ ଦେଖୁ ଦେଖୁ ଘର ର ଛପର କୁ ଉଡ଼େଇ ନେଇଗଲା। ସୁଲୋଚନା ର ଛୋଟିଆ କୁଡିଆ ଟି ପୁରା ଖୋଲା ମେଲା, କୁଆଡେ ଅବା ଯିବେ 5 ଜଣ ପରିବାର? ରାତି ପ୍ରାୟ ୮ ଟା । ସୁଲୋଚନା ଭାବିଲା, ପେଟରେ ତ ପେଟେ ଭୋକ, ଏବେ ଅବା କୁଆଡେ ଯିବ। ଆଜି ରାତି କ ଏହି ବର୍ଷା ରେ ସୋଇ ପଡ଼ିବ କାଲି କୁ ଦେଖିବ। ହେଲେ ସୁଲୋଚନା କୁ କଣ ଜଣା ଥିଲା ଏହି ନିଆ ନଗା ମେଘଟି ତାର ପରିବାର କୁ ଛାର ଖାର କରି ଦେବ। ହତାତ୍ କେଉଁଠୁ ଥିଲା କେଜାଣି ବହୁତ୍ ଜୋର ରେ ଆକାଶ ଫଟେଇ ବିଜୁଳି ଟିଏ ଆସି ପଡିଲା ସୁଲୋଚନା ର ଭଙ୍ଗା କୁଡିଆ ଉପରେ ତାପରେ ଗୋଟିଏ ଭୟଙ୍କର ଗର୍ଜନ ଆଉ ସବୁ ଶେଷ। *****
ନିର୍ବାଚନ ଆସିଲେ ପଞ୍ଚ ବର୍ଷ ତଳର ଘଟଣା ପୁଣି ଥରେ ସତେଜ ହୋଇ ପଦେ ଆଉ ମନ ପକାଇ ଦିଏ ଅସହାୟ ସୁଲୋଚନା ର ଭଗ୍ନ ନଗ୍ନ କାହାଣୀ ଆଉ ଲାଗେ ଯେମିତି ତାର ଆତ୍ମା ଟି ଶାନ୍ତି ନା ପାଇ ଏବେ ବି ଘୁରି ବୁଲୁଛି, ଆଉ ଘର ଆଗ ର ସେହି ଶିଲିଳି ଗଛ ଟିରେ ବସି କଇଁ କଇଁ ହୋଇ କାନ୍ଦୁଛି। ଲୋକଙ୍କୁ କହୁଛି, ଥରେ ମୋର ଏହି ଭଗ୍ନ ନଗ୍ନ ଘର ଟିକୁ ଦେଖ, ସେହି ହିସାବ ରେ ନିଜର ମତଦାନ କର। ମୋ ଭଳି ପଇସା କିଛି ପାଇ ନିଜର ଆତ୍ମ ସ୍ୱାଭିମାନ କୁ ଜଳାଞ୍ଜଳି ଦିଅ ନାହିଁ। ଆଉ ଗୋଟିଏ ସୁଲୋଚନା କୁ ବଞ୍ଚି ଥାଉ ଥାଉ ମାରି ଦିଅ ନାହିଁ।
ସମାପ୍ତ*****