Gopal Das

Abstract Romance Tragedy

2  

Gopal Das

Abstract Romance Tragedy

କଳାପଟା(ପ୍ରଥମ ଭାଗ)

କଳାପଟା(ପ୍ରଥମ ଭାଗ)

12 mins
3.2K



ଜୀବନର ଶେଷ ପ୍ରାନ୍ତରେ ଛିଡା ହୋଇ ଥରେ ଆଦ୍ୟକୁ ଦେଖି ବହୁତ୍ ହସୁଥିଲେ ବିକାଶ ବାବୁ। ଆଜି ସେ ବୁଝି ପାରିଛନ୍ତି ମଣିଷ ସୃଷ୍ଟିର କେତେ ବଡ଼ ଗୋଟିଏ ବଡ଼ ଅସହାୟ ପ୍ରାଣୀଟିଏ?କେତେ କଷ୍ଟ ଏ ଜୀବନ? କେତେ ଯନ୍ତ୍ରଣା ପାଏ, ଯେତେ ବେଳେ ପ୍ରିୟ ମଣିଷ ଗୁଡାକ ଛି ଛାକର କରନ୍ତି, ଆଉ ନିଜେ ସମାଜ ପାଖରେ ହାରିଜାଇ ନତମସ୍ତକ ହୋଇଥାଏ, ଠିକ୍ ଶ୍ରେଣୀ ଗୃହର ସେହି ଭଙ୍ଗା ଦଦରା କଳପଟାଟି ଭଳି?


ଚକ୍ ଖଡ଼ିର ଦାଗରେ ନିଜର ଶରୀରକୁରକ୍ତାକ୍ତ କରି ଅସ୍ତବ୍ୟସ୍ତ ଜୀବନ ବିତାଇବା ଯେ କେତେ କଷ୍ଟସାଧ୍ୟ ସେଇଟା କେବଳ କଳାପଟା ହିଁ ଜାଣିଛି!


ଟିକେ ସାନ୍ତ୍ୱନା ଦେବାକୁ ସିନା ଡଷ୍ଟର ଟି ବୁଲି ଆସିଥାଏ କଳାପଟାର ଉପରେ ହେଲେ କଣ ସତରେ ଚକ୍ ଖଡ଼ିର ଦ୍ଵାରା ପଡିଥିବା ଦାଗ ଗୁଡା ଲିଭେ? ନା! 

ବରଂ ଅଧିକ ବିକୃତ କରି ଦେଇଥାଏ କଳାପଟା ଟିକୁ।

ଏ ଗୁଡା ସବୁ କହିବା ବାହୁଲ୍ୟ। ଥରେ ଚକ୍ ଖଡ଼ିର ଦାଗ ଲାଗିଗଲେ କେବେ ଲିଭେନା , ଠିକ୍ ସେମିତି ମଣିଷ ଜୀବନଟା!


ମଇ ମାସ ଦିନ ୧୧ଟା , ବିକାଶ ବାବୁ ଆସିଛନ୍ତି ନିଜ ପେନସନ ଟଙ୍କା ଉଠାଇବାକୁ ବାଣୀବିହାର ଇଣ୍ଡିଆନ ବ୍ୟାଙ୍କ ଶାଖାକୁ।


ଆଜିକୁ ଛ ମାସ ତଳର ଘଟଣା, ପୁଅ(ଅମ୍ଳାନ), ବୋହୁ(ଅନିତା) ଆଉ ୩ ବର୍ଷର ନାତୁଣୀ(ଖୁସି)ର ଆମେରିକା ଯିବା ପାଇଁ ଭିଶା ହୋଇଗଲା ଦିନ, ବହୁତ୍ ଖୁସି ଥିଲେ ସମସ୍ତେ କେବଳ ବିକାଶ ବାବୁଙ୍କୁ ଛାଡି। କାରଣ ସେ ଏବେ ବି ଭଲ ଭାବରେ ଜାଣି ନଥିଲେ, ସେ ଆମେରିକା ଯିବେ ନା ଏକାରହିବେ ଭୁବନେଶ୍ୱର ଚନ୍ଦ୍ରଶେଖର ପୁର ଘରଟିରେ? 


ସେଦିନ ଥାଏ ୨୦୧୧ ମସିହା ଡିସେମ୍ବର ମାସ ୧୨ ତାରିଖ ଦୁଇ ଦିନ ଆଗରୁ ଅରୁନ୍ଧତୀ(ଅମ୍ଳାନର ମା, ବିକାଶ ବାବୁଙ୍କ ପତ୍ନୀ) ଙ୍କ ବର୍ଷିକିଆ ପାଳନ କରିଥିଲେ ବହୁତ୍ ଭଲ ଭାବରେ।*****

ପୁଅ, ବୋହୁ, ନାତୁଣୀ ସହିତ ବିକାଶ ବାବୁ ଭି ଯାଇଥିଲେରସୁଲଗଡ଼ ସ୍ଥିତ ଅନନ୍ତ କୃପା ସେବାଶ୍ରମକୁ, ନିଜ ସ୍ତ୍ରୀର ବର୍ଷିକିଆରେ କିଛି ଦାନ ଧ୍ୟାନ କରି, ସ୍ବର୍ଗତ ଆତ୍ମାର ସଦଗତି କାମନା କରିବାକୁ। 

ମନେ ମନେ ବହୁତ୍ ଗର୍ବିତ ମନେ କରୁଥିଲେ ବିକାଶ ବାବୁ, ଆଉ ଭଗବାନଙ୍କୁ ଡାକି ବହୁତ୍ ଆଶ୍ରୀବାଦ ଭି ଦେଇଥିଲେ ବହୁ ଅନିତାକୁ କାରଣ ସେଇଟା ଥିଲା ଅନିତାର ଯୋଜନା। ହେଲେ ସେ କଣ ଜାଣିଥିଲେ ଠିକ୍ ଗୋଟିଏ ସପ୍ତାହ ପରେ ତାଙ୍କ ପାଇଁ ଭି ସେଇଠି ଗୋଟିଏ ଶେଯ ତିଆରି ହୋଇ ସାରିଥିଲା ତାଙ୍କ ଅଗୋଚରରେ ସେହି ବୃଦ୍ଧଶ୍ରମରେ।


ଯେଉଁ ଦିନ ଅମ୍ଳାନ କିଛି ଲୋକଙ୍କ ସହିତ ଆସି ଘର ଦେଖିଥିଲା, ବିକାଶ ବାବୁ ଭାବିଥିଲେ ବୋଧେ ସମସ୍ତେ ଆମେରିକା ପଳାଇବେ। ଆଉ ତାର ଠିକ୍ ଦୁଇଦିନ ପରେରାତ୍ରି ଭୋଜନ ସମୟରେ ଅମ୍ଳାନ କହିଥିଲା-ବାବା, ଏ ଘରଟା ଭଲ ପ୍ରାଇସରେ ଯାଉଛି, ବିକି ଦେବା!

ଆଉ ତୁମେ ଏହି କାଗଜରେ ସାଇନ୍ କରିଦିଅ। ବିକାଶ ବାବୁ ଟିକେ ବିସ୍ମିତ ହୋଇ ପଚାରିଲେ, କିଏ ନେଉଛି ଆଉ କେତେରେଟ ହେଲା, ନବିକିଥିଲେ କଣ ହୋଇ ନଥାନ୍ତା?


ବୋହୂ ଅନିତା କ୍ଷୀର ଗ୍ଲାସ୍ ଟିଏ ଧରି ଛିଡା ହୋଇଥାଏ ପଛପଟକୁ । ଅମ୍ଳାନ ଟିକେରାଗି ଜାଇ କହିଲା, ବାବା, ତୁମ ପାଇଁ ସବୁ ବ୍ୟବସ୍ତା ହୋଇ ଯାଇଛି କିଛି ଚିନ୍ତା କରନି, ସାଇନ୍ କରି ଦିଅ।


ବିକାଶ ବାବୁ ଅମ୍ଳାନରରାଗ ଦେଖି ଚୁପ ଚାପ୍ ସାଇନ୍ କରି ଦେଇ କ୍ଷୀର ଗ୍ଲାସ୍ ଟା ଧରି ଚାଲିଯାଇଥିଲେ ନିଜ ଶୋଇବା ଘରକୁ ଆଉ ମନେ ମନେ ବହୁତ୍ ସ୍ବପ୍ନ ଦେଖିଥିଲେ ଆମେରିକାକୁ ନେଇ। ଆଉ ନାତୁଣୀ ଖୁସି ଆସି କହିଲା, ଜେଜେ ଆମେ ସବୁ ଆମେରିକା ଯାଉଛୁ, ବୋଲି ବାବା କହୁଥିଲେ!

ଖୁସିର ଏକଥାଟାଯେମିତି ବିକାଶ ବାବୁଙ୍କ ଖୁସିକୁ ଆହୁରି ଦ୍ଵିଗୁଣିତ କରି ଦେଇଥିଲା ଆଉ ଖୁସିକୁ କୋଳକୁଟାଣି ଆଣି ସରୁ ଚୁମ୍ବନ ଟିଏ ଦେଇ ପଚାରିଲେ, କେବେ ଯିବା? 


ଖୁସି ପୁଣି ଆଖି ନଚାଇ କହି ଚାଲିଗଲା, ତୁମେ ନୁହେଁ ମ, ବାବା, ମମି ଆଉ ମୁଁ!!! 


ଯେମିତି ଆକାଶଟା ଖସି ପଡ଼ିଲା ଭଳି ଲାଗିଲା ବିକାଶ ବାବୁଙ୍କୁର, ଆଉ ପାଦତଳର ମାଟି ଗୁଡା ଖସାଇ ଦେଇଥିଲା ସେହି ଛୋଟିଆ ନାତୁଣୀ ଖୁସିର ଅସ୍ପଷ୍ଟ କଥା ଗୁଡାକ!


ବ୍ଲଡ଼ ପ୍ରେସର୍ ବଢ଼ି ଯିବାରୁ ସଙ୍ଗେ ସଙ୍ଗେ BP ଔଷଧ ପାଟିରେ ପକାଇ ପାଣି ଦୁଇ ଢୋକ ପିଇ ଶୋଇ ପଡ଼ିଥିଲେ ବିକାଶ ବାବୁ।


ପରଦିନ ସଖାଳ ୮ଟାରେ ଅମ୍ଳାନ ଅନିତାକୁ କହିଥିଲା ବାପା ଙ୍କର ସବୁ ଜିନିଷ ପ୍ୟାକ କରି ଦିଅ ଆମେ ୧୦ଟା ବେଳକୁ ଯିବୁ।


ବିକାଶ ବାବୁ ଡରି ଡରି ପଚାରିଲେ,କୁଆଡେ ଯିବ?

ଅମ୍ଳାନ ଚଢା ଗଳାରେ ଉତ୍ତର ଦେଇଥିଲା, ତୁମେ ଗାଡ଼ିରେ ବସ। ଆଉ ଚୁପ୍ ଚାପ୍ ବସି ଥିଲେ ବିକାଶ ବାବୁ!

ଆଉ ଅଧଘଣ୍ଟା ପରେ ନିଜକୁ ଆବିଷ୍କାର କରିଥିଲେ ରସୁଲଗଡ଼ ସ୍ଥିତ ବୃଦ୍ଧା ଶ୍ରମରେ। ନୀରବରେ ବହୁତ୍ କାନ୍ଦି ଥିଲେ ସେଦିନ ରାତିରେ ବସି ବସି ବେଡ୍ ଉପରେ ଲୋକ ଲଜ୍ଜ୍ୟାକୁ ଆଖି ଆଗରେରଖି ଲୁହ ପୋଛି ଚାଲିଥିଲେ ନିଜ ଗାମୁଛାରେ। ବୃଦ୍ଧାଶ୍ରମରେ ରହିବାର ଦୁଃଖରେ ନୁହେଁ ବରଂ ଅମ୍ଳାନ ଗଲା ବେଳେ ବି କିଛି ପଦେ କହି ନଥିଲା, କି ବାବା ତୁମେ ଥାଅ , ଆମେ ଆମେରିକାରୁ ଆସିଲା ପରେ ତୁମକୁ ଦେଖା କରିବୁ କି କଣ୍? ଥରୁଟିଏ ପଛକୁ ଅନାଇବାକୁ ଭି ପସନ୍ଦ କରି ନଥିଲା। ଏହି ହାତ ଧରି ବାଟ ଚାଲୁଥିବା ଅମ୍ଳାନ ଆଜି ବୁଢ଼ା ବାପାର ହାତ ଛାଡି ସବୁ ଦିନ ପାଇଁ ଚାଲି ଯିବା ଦୁଃଖରେ ଭାଙ୍ଗି ପଡିଥିଲେ ବିକାଶ ବାବୁ। ଯେଉଁ କାନ୍ଧରେ ବସେଇ ଅମ୍ଳାନକୁ ଘର ସାରା ବୁଲୁଥିଲେ, ଆଜି ସେହି ପିଲା ତାର ବୁଢ଼ା ବାପାକୁ ନିଜ କାନ୍ଧର ବୋଝ ଭାବି ଛାଡି ଦେଇ ଚାଲିଗଲା।


ମନେ ମନେ ବହୁତ୍ ରାଗିଥିଲେ ଅରୁନ୍ଧତୀ ଉପରେ। ଯେତେ ବେଳେ ଅମ୍ଳାନ ଛୋଟ ଥିଲା ଆଉ ସବୁ କଥାରେ ଜିଦି କରୁଥିଲା, ଆଉ ଆକଟ କରୁଥିଲେ ବିକାଶ ବାବୁ ହେଲେ ସବୁ ବେଳେ ଅରୁନ୍ଧତୀ ପୁଅର ସପୋଟ ନେଇ ମୁହଁ ବଡ଼ା ଦେଇଥିଲେ ଅମ୍ଳାନକୁ। ଏମିତି କି ଅମ୍ଳାନ ନିଜ ଇଚ୍ଛାରେ ବାହା ହୋଇଥିଲା ଗୋଟିଏ ଅନ୍ୟ ଜାତିର ଝିଅ(ଅନିତା)କୁ।

ସେଥିରେ ଭି ବିକାଶ ବାବୁ ନିଜ ମନ କଥା ମନରେରଖି ସହି ଯାଇଥିଲେ ସେଦିନ, ଯେଉଁ ଦିନ ଅମ୍ଳାନ କୋଟରେ ବାହା ହୋଇ ଅନିତାକୁ ନେଇ ଆସିଥିଲା ଘରକୁ। ଅରୁନ୍ଧତୀ କାନ୍ଦି କାନ୍ଦି କହିଥିଲେ, ଦେଖ, ଆଜି ଅମ୍ଳାନ ସବୁ କିଛି ଭୁଲିଯାଇ କେମିତି ବାହା ହୋଇଗଲା ଆଉ ସେହି ଚିନ୍ତାରେ ଅରୁନ୍ଧତୀ ରୋଗରେ ପଡ଼ି ପଡି ଚାଲିଗଲା । ଅରୁନ୍ଧତୀ ଗଲା ଦିନ ଯେତିକି ଦୁଃଖ ଲାଗୁଥିଲା ତା ଠୁ ଅଧିକରାଗ ଲାଗୁଥିଲା ବିକାଶ ବାବୁଙ୍କୁ। କାରଣ ଗଲା ତ ଗଲା ଏକୁଟିଆଟା କରି ଦେଇଗଲା । ଦୀର୍ଘ ନିଃଶ୍ବାସ ଟିଏ ଛାଡି ପୁଣି ଆଖିବୁଜି ଥିଲେ, ବିକାଶ ବାବୁ ଆଉ କଳାପଟାର ଆତ୍ମ କଥାକୁ ମନ ପକାଇଥାନ୍ତି ବିକାଶ ବାବୁ।


ଆଉ ଇଞ୍ଜିିୟରିଙ୍ଗ୍ ରେ ପାସ କରି ଆମେରିକା ଗୋଟିଏ ଘରୋଇ କମ୍ପାନୀରେ ଚାକିରି କରିଥିଲା ଅମ୍ଳାନ, ଏମିତି କି ଆମେରିକା ଗଲା ବେଳେ ବାପା କି ମାକୁ ଭି ପଚାରି ନଥିଲା। 

ତଥାପି ବିକାଶ ବାବୁ ଏତେ ମନ କଷ୍ଟ କରି ନଥିଲେ, ବରଂ ପୁଅର ବାଳୁତ ଭାବି ଦୋଷ ସବୁକୁ ଆଖି ବୁଝି ଦେଇଥିଲେ। ହେଲେ ଆଜି ଯେ ସେ ନିଜ ଘର ଛାଡି ବୃଦ୍ଧାଶ୍ରମରେ ପାଦ ଦେଇଛନ୍ତି, ଏଥିପାଇଁ କିଏ ଦୋଷୀ, ସେ ନା ଅରୁନ୍ଧତୀ ନା ଅମ୍ଳାନ?


ସବୁ ମାସର ୧୫ ତାରିଖରେ ପେନସନ ପଇସା ଉଠାଇ ବାକୁ ଇଣ୍ଡିଆନ୍ ବ୍ୟାଙ୍କକୁ ଜାଇ ଆଉ ଫେରିବାକୁ ଇଚ୍ଛା ହୋଇନଥିଲା ବିକାଶ ବାବୁଙ୍କର। 


ଦିନ ୨ଟା ମଇ ମାସ ଖରାଟା ଯେତିକି ବାଧୁନି , ତାଠାରୁ ଅଧିକ କଷ୍ଟ ଦେଇଛି ତାଙ୍କର ଜୀବନ ଇତିହାସର ପୁରୁଣା ଫର୍ଦ୍ଦ ସବୁକୁ ଭାବି ଭାବି। ନିଜକୁ ତୁଳନା କରି ଚାଲିଛନ୍ତି କଳାପଟାର ଜୀବନ ଇତିହାସ ସହିତ।


ହଟାତ୍ ଇଚ୍ଛା ହେଲା ନିଜ ଗାଆଁକୁ ଯାଇ ଟିକେ ବୁଲି ଆସିବାକୁ, ବୃଦ୍ଧାଶ୍ରମରେ ଫୋନ କରି କହିଦେଇ, ବାହାରି ପଡିଲେ ବିକାଶ ବାବୁ ଗାଆଁ ଅଭିମୁଖେ। ବସରେ ବସି ବସି , ଭାବୁ ଥାନ୍ତି ନିଜର ଛୋଟ ବେଳର ବିତିଯାଇ ଥିବା କଥା ସବୁକୁ।


ଗାଆଁ ସ୍କୁଲ୍ ରେ ପଢିଲା ବେଳ, ସ୍କୁଲ୍ ର ଗଣେଶ ପୂଜା, ସରସ୍ଵତୀ ପୂଜା ଆଉ ଛୋଟ ବେଳର ସାଙ୍ଗ ସାଥି ଙ୍କ କଥା, କେତେ କଣ?


ହଟାତ୍ ପାଖ ସିଟ୍ ରେ ବସିଥିବା ଯୁବକ ଜଣକ କହିଲା, ମଉସାକୁଆଡେ ଯିବେ? ବିକାଶ ବାବୁ ଧ୍ୟାନ ଭଙ୍ଗ କରି କହିଥିଲେ କଟକ ଆଉ ତାପରେ ରତ୍ନଗିରି। ଯୁବକ ଟି ଉତ୍ତର ଦେଇ କହିଥିଲା ଆପଣ ଟିକେ ମୋ ସିଟ୍ଟା ନଜର ରଖି ଥାନ୍ତୁ ମୁଁ ଆସୁଛି! ଆଉ ଓହ୍ଲାଇ ଯାଇ ଦୁଇଟା ଥଣ୍ଡା ପାଣି ବୋତଲ କିଣି ଆଣି ମୋତେ ଗୋଟିଏ ଦେଇ କହିଥିଲା, ପିଇ ଦିଅନ୍ତୁ। ବିକାଶ ବାବୁ ଢକ ଢକ କରି ପିଇ ଯାଇଥିଲେ, ଯେମିତି ଲାଗୁଥିଲା ଜୀବନଟା ଚାଲି ଯାଉ ଯାଉରହିଗଲା। ତାପରେ ବିକାଶ ବାବୁ ପଚାରି ଥିଲେ ପୁଅ ତୁମେକୁଆଡ଼େ ଯିବ? ପିଲାଟି ଟିକେ ହସି ଉତ୍ତର ଦେଇଥିଲା ମଉସା ମୁଁ ଭି ରତ୍ନଗିରି ଯିବି।


ବିକାଶ ବାବୁ ଟିକେ ଗମ୍ଭୀର ହୋଇ ପଚାରିଲେ। ତୁମ ଗାଆଁ କେଉଁଠି? ପିଲା ଟି ଉତ୍ତର ଦେଇଥିଲା, ମୁଁ ରତ୍ନଗିରି ଗାଆଁ ହାଇସ୍କୁଲରେ ଏବେ ଏବେ ଶିକ୍ଷକ ଭାବରେରେ ନିଯୁକ୍ତି ପାଇଛି। 

ଆଉ ମୋ ଗାଆଁ ଭୁବନେଶ୍ୱର ଲକ୍ଷ୍ମିସାଗର୍ ଗାଆଁରେ।


ଏ କଥା ଶୁଣି ଟିକେ ଇତସ୍ତତଃ ହୋଇ ବାହାରକୁ ଚାହିଁ ଥିଲେ ବିକାଶ ବାବୁ। ତାପରେ ପୁରା ଚୁପ୍ ଚାପ୍। ଗାଡ଼ି ଜାଇ କଟକରେ, ଆଉ କଟକ ବସଷ୍ଟାଣ୍ଡରେ ଓହ୍ଲାଇ ଦୁଇଜଣ ରତ୍ନଗିରି ବସ୍ ରେ ବସି ଚଢିଥିଲେ। ସନ୍ଧ୍ୟା ୭ଟା ବେଳେ ଗାଡ଼ି ପହଞ୍ଚିଥିଲା ରତ୍ନଗିରିରେ। ବାଏ କହି ଯୁବକ ଟି ଚାଲି ଯାଇଥିଲା ତାର ଭଡ଼ା ଘର ଉଦ୍ଦେଶ୍ୟରେ, ଆଉ ବିକାଶ ବାବୁ ଅଟୋ ଟିଏ ଧରି ବାହାରି ଯାଇଥିଲେ ନିଜ ଗାଆଁକୁ। ଆଉ ଗଲା ବେଳେ କିଛି ଖାଇବାକୁ ଓ ପାଣି ବୋତଲ ଟିଏ ନେବା ପାଇଁ ଭୁଲି ନଥିଲେ, କାରଣ ଗାଆଁ ଛାଡ଼ିବାର ୨୫ ବର୍ଷ ହୋଇ ଯାଇଥିଲେ ବି କେବେ ଦିନେ ଗାଆଁକୁ ଆସି ନଥିଲେ ସେ। ଏବେ କିଏ ଚିହିଁ ପାରିବେ କି ନାହିଁ ସବୁ କଥା ଭାବି ଭୟରେ ବିଚଳିତ ଥିଲେ ସେ।


ଅଟୋକୁ କହିଥିଲେ,ରାଉତସାହି ହାଇ ସ୍କୁଲ ପାଖକୁ ଅଟୋ ନେଇ ଯିବାକୁ। ଅଟୋ ପହଂଚୁ ପହଂଚୁରାତି ଆଠଟା।


ପଚାଶ ବର୍ଷ ତଳର ସ୍କୁଲ୍ ଟା ଆଜି ପୁରା ପୁରି ଭାବରେ ବଦଳି ଯାଇଛି, ଯେମିତି ଲାଗୁଛି ବିକାଶ ବାବୁ ପଢୁଥିବା ସ୍କୁଲ୍ ନୁହେଁ ବରଂ ଅନ୍ୟ କେଉଁ ଆଧୁନିକ ବିଦ୍ୟାଳୟଟି ଠିଆ ହୋଇଛି, ପୁରୁଣା ଇତିହାସ ଉପରେ। ମନେ ମନେ ଟିକେ ଖୁସି ହୋଇ, ହତା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ବିକାଶ ବାବୁ।


ହଟାତ୍ ନଜର ପଡିଲା ଗୋଟିଏ ଭଙ୍ଗା ଘରଟିଏ, ଜଣା ନାହିଁ କେଉଁ ଆଦିମ କାଳରୁ ବୋଧେ କେହି ଜାଇ ନାହାନ୍ତି ସେ ଘରକୁ। ଜହ୍ନ ଆଲୁଅରେ ସ୍ପଷ୍ଟ ଦେଖା ଯାଉଥାଏ ସେ ଘରର ଭଙ୍ଗା କବାଟ ଆଉ ଉହଲି ଥିବା ଝରକା ସବୁକୁ। ଯେମିତି ଲାଗୁଥାଏ, ଏହି ଘରଟା ବୋଧେ ଅପେକ୍ଷା କରିଥିଲା ଜଟାୟୁ ଭଳି ବିକାଶ ବାବୁ ଙ୍କ ଆଗମନକୁ।


ଭଙ୍ଗା ଘରଟାର ଅବସ୍ତା ଆଉ ବିକାଶ ବାବୁଙ୍କ ଅବସ୍ତା ଭିତରେ କେବଳ ଗୋଟିଏ ଅନ୍ତର, ବିକାଶ ବାବୁ ପ୍ୟାଣ୍ଟ , ସାର୍ଟ ପନ୍ଧି ଥିଲା ବେଳେ ଘରଟି ଲଙ୍ଗଳା ହୋଇ ଛିଡା ହୋଇଛି, ଆକାଶର ଜହ୍ନକୁ ମିଟି ମିଟି କରି ଚାହିଁଛି। ଆଉ ବିକାଶ ବାବୁ ଙ୍କୁ ଲାଗିଲା ଯେମିତି ତାଙ୍କ ହାତ ଧରି କେହି ଜଣେଟାଣି ନେଉଛି ସେହି ଭଙ୍ଗା ଘରର ପିଣ୍ଡା ଉପରକୁ। ଆଉ ପହଁଚି ଠିକ୍ ରେ ଚିହ୍ନି ପାରିଲେ ତାଙ୍କ ପ୍ରିୟ ଶ୍ରେଣୀ ଗୃହକୁ। ସେହି ୫୦ ବର୍ଷ ତଳର କଳାପଟା ଟି ଆଜି ଭି ଜହ୍ନ ଆଲୁଅରେ ଯେମିତି ଚୀକ୍ ଚିକ୍ କରୁଥାଏ।


ହଟାତ୍ ଆଖି ଆଗରେ ନାଚି ଯାଇଥିଲା ପୁରୁଣା ଦିନର ସମସ୍ତ କଥା ଗୁଡା। ଆଉ ଜୀବନର ଦୋଛକିରେ ଠିଆ ହୋଇ ଭାବି ଚାଲିଲେ ବିକାଶ ବାବୁ। ତନ୍ନ ତନ୍ନ କରି ଖୋଜି ଚାଲିଲେ ଭଙ୍ଗା ଚକ୍ ଖଡ଼ିକୁ, ଜହଁ ଆଲୁଅରେ ଆଉ ମନପକାଇ ଚାଲିଲେ ଜୀବନର ଆରମ୍ଭକୁ।


ବିକାଶ ବାବୁ ଭାବୁଛନ୍ତି,ମାଆ ବାପା କହିଲେ ସେ ବୁଢ଼ୀ ମାକୁ ଜାଣିଥିଲେ ସେ, ପାଞ୍ଚ ବର୍ଷର ହୋଇଥିଲେ ମା ଛାଡି ଚାଲିଗଲା ଆର ପୁରକୁ। ବାପା ବୋଉର ଅଚାନକ୍ ମୃତ୍ୟୁକୁ ସହି ନପାରି ପାଗଳ ହୋଇରାସ୍ତା ଘାଟରେ ଘୁରି ବୁଲୁଥିବା ବାପା ଟି ଭି  ଟ୍ରକ୍ ଚାପାରେ ସେ ବି ମୃତ୍ୟୁ ବରଣ କଲେ। ସେତେବେଳେ ବିକାଶ ପଢୁଥାଏ ସପ୍ତମ ଶ୍ରେଣୀରେ, ଭଲ ପାଠ ପଢୁଥିବାରୁ ଶ୍ରେଣୀର ଆଗଧାଡିରେ ବସେ ବିକାଶ। ପାଗଳ ବାପା ମଲା ପରେ, ବୁଢ଼ୀମା ଟି ଗାଆଁରୁ ମାଗି ଜାଚି ବହୁତ୍ କଷ୍ଟରେ ଦୁଇ ଓଳି ଖାଇବାର ବନ୍ଦୋବସ୍ତ କରି ବଞ୍ଚାଇ ଥାଏ ବିକାଶକୁ। 


ଛେଳି,କୁକୁଡ଼ା ସାଙ୍ଗକୁ ବତକରଖିଥାଏ ବୁଢ଼ୀ ମା ଟି, କେବଳ ବିକାଶର ପାଠ ପଢ଼ା ଖର୍ଚ୍ଚ ପାଇଁ। ଆଉ ବାପା ମାର ସମସ୍ତ ସ୍ନେହ ଦେଇ ପାଳିଥାଏ ବୁଢ଼ୀ ମାଟି ତାର। କୌଣସି ଅଭାବ ଅନଟନକୁ ବିକାଶ ପାଖରେ ପୁରାଇ ନଦେବାକୁ ଯେମିତି ଭୀଷ୍ମ ପ୍ରତିଜ୍ଞା କରିଥିଲା ତା ବୁଢ଼ୀ ମା ଟି।


ଯେଉଁ ଦିନ ବାପାର ଶବ ସତ୍କାର ହୋଇଥିଲା ବିକାଶ ଆଗରେ ଆଉ ବିକାଶ କାନ୍ଦି କାନ୍ଦି ମୁହଁ ଲୁଚାଇ ଥିଲା ବୁଢ଼ୀମାର ସ୍ନେହ ବୋଳା ଲୁଗା କାନିରେ। ସବୁ ଦିନେ ସଖାଳ ୧୦ଟା ଭିତରେ ଖାଇବାକୁ ଦେଇ ବିକାଶକୁ ଗାଆଁ ସ୍କୁଲ୍କୁ ପଠାଇ ଦେଲା ପରେ ବୁଢ଼ୀ ଚାଲି ଜାଇଥାଏ ନଈକୁ, ଆଉ ଅଣ୍ଡାଳି ଅଣ୍ଡାଳି ୨/୩ କିଲୋ ମାଛ କି କଙ୍କଡ଼ା ଧରି ଗାଆଁ ଲୋକଙ୍କୁ ବିକିଲା ପରେ ଯାହା ପଇସାଟିଏ ପାଏ ସେଥିରେରାତି ପାଇଁ ସଉଦା ଆଣିଥାଏ।


ସେଥିରୁ ଯେଉଁ ଟଙ୍କାଏ କି ଦୁଇଟଙ୍କା ଟିଏ ବଳେ ତାକୁ ମାଟିକୁମ୍ପିରେ ସାଇତିରଖେ ବିକାଶର ଆଗତ ଭବିଶ୍ୱତ ପାଇଁ। ବିଲରେ ଗୋବର ଗୋଟାଇ ଘଷିପାରି ଗାଆଁ ଲୋକଙ୍କୁ ଵିକି ଯାହା ପଇସା ହୁଏ ସେଥିରେ ବିକାଶର ପ୍ରତିବର୍ଷ ଗଣେଶ ପୂଜା, ଆଉ ସରସ୍ଵତୀ ପୂଜାରେ ସାର୍ଟ, ପ୍ୟାଣ୍ଟ କିଣା ହୋଇଥାଏ।!!!


ବିକାଶ ଭି ବହୁତ ମନ ଲଗାଇ ପାଠପଢ଼େ, ଛୋଟ ପିଲାଟିଏ ହେଲେ ବି ସେ ଭଲ ଭାବରେ ଜାଣେ କେବଳ ପାଠ ହିଁ ତାକୁ ସାହାରା, ଅନ୍ୟ ପିଲାଙ୍କ ପରି ନା ତାର ବାପା, ମା, ନା ପଇସା, କେହି ନାହାନ୍ତି?


ଆଉ ଶ୍ରେଣୀରେ ଯାହା ପଢାହୁଏ ସେତିକି ବିକାଶ ପାଇଁ ଯଥେଷ୍ଟ, କାରଣରାତିରେ ବେଶୀ ସମୟ ପଢ଼ିଲେ ଡିବିରେ ତେଲ ପାଏନି। ସମସ୍ତଙ୍କ ଘରେ ବିଜୁଳିବତି ଜଳୁଥିଲା ବେଳେ ବିକାଶ ପାଖରେ ଥାଏ କାଚ ବୋତଲର ଟିଣା ଠିପିକୁ ଫୁଟାଇ ତିଆରି ହୋଇଥିବା ଡିବି ଟିଏ, ଆଉ ଗୋଟିଏ ଭଙ୍ଗା କାଚରେ କାଗଜ ଲାଗିଥିବା( ପବନ ନପଶିବା) କଳଙ୍କି ଲଗା ପୁରୁଣା ଲଣ୍ଠନ ଟିଏ।***


ବିକାଶ ସବୁ ବେଳେ ଭାବେ ସୂର୍ଯ୍ୟାସ୍ତ ନ ହୁଅନ୍ତା କି? ସ୍କୁଲ୍ ସମୟ ଅଧିକ ବଢ଼ିଯାଆନ୍ତା କି? କଳାପଟାରେ ଶ୍ରେଣୀ ଶିକ୍ଷକ ସେହି ଭଳି ୨୦ ଘଣ୍ଟା ପଢ଼ାଉଥାନ୍ତେ କି? କାରଣ ଯଦି ଶିକ୍ଷକ ଘରକୁ ପାଠ ଦିଅନ୍ତି, ତାହେଲେ କଲମରେ କାଳୀ ଆଉ ଖାତାରେ କାଗଜ ନଥାଏ ଲେଖିବାକୁ। ତେଣୁ ବିକାଶ ସବୁ ବେଳେ ନିଜର ଛୋଟିଆ ମୁଣ୍ଡରେ ସବୁ କିଛି ସାଇତିରଖିବାକୁ ଚେଷ୍ଟା କରିଥାଏ ଯେମିତି! ତେଣୁ ସେ କଳାପଟାକୁ ଭାରି ଭଲପାଏ, କାରଣ ଯେତେ ଲେଖିଲେ ବି କଳାପଟାଟା କେବେ ଘୋରି ହୋଇନଥାଏ , ବରଂ ଚକ୍ ସରି ଯାଇଥାଏ। ଆଉ କଳାପଟା ଭି କେବେ ବାଧା ଦେଇନଥାଏ କାହାକୁ।! ଚକ୍ ଖଡ଼ିକୁ କେବେ ମନା କରି ନଥାଏ ଯେ ତୁ ଆଉ ମୋ ଛାତିରେ ଗାରାନା ବୋଲି।


କିମ୍ବା ଏ ସ୍ୱାର୍ଥପର ମଣିଷ ପରିରାଗି ଜାଇ ବାଧା ଦେଇନଥାଏ କେବେ!


ବେଳେ ବେଳେ କଳାପଟାର ଦାରୁଣ ଦୁଃଖ ଆଉ ଯନ୍ତ୍ରଣାକୁ ସହି ନପାରି ଡ଼ଷ୍ଟର ଟି ଆଗକୁ ଆସି ଟିକେ ଆଉଁଶି ଦେଇ ଥାଏ ତାର କୋମଳ ମୁଲାୟମ ହାତ ସାହାଯ୍ୟରେ! ହେଲେ କଣ କଳାପଟାର ଦୁଃଖ ଆଉ ଯନ୍ତ୍ରଣା କମି ଜାଇ ଥାଏ? ନା ବରଂ ଗୁମୁରି ଗୁମୁରି କାନ୍ଦିଥାଏ କଳାପଟା ଟି ଚକ୍ ଖଡ଼ିର ନିଷ୍ଟୁର ଉପଦ୍ରବରେ ସମୟ ସମୟରେ।


ସାର୍ ଠୁଁ ଆରମ୍ଭ କରି ପିଅନ ପଯ୍ୟନ୍ତ ବହୁତ ଭଲ ପାଆନ୍ତି ବିକାଶକୁ, ନିଜର ଅଭାବ ଅନାଟନକୁ ଲୁଚାଇ। କଳାପଟା ଟି ଭଳି ସମସ୍ତକୁ ଖୁସି କରିପାରୁଥିବା ପିଲାଟିଏ ବିକାଶ। କୌଣସି ସାର୍ କିମ୍ବା ସାଙ୍ଗ ମାନେ କେବେ ବି ବିକାଶ ଉପରେ,ରାଗିପାରନ୍ତି ନାହିଁ। ପାଠ ସାଙ୍ଗକୁ ସାଠ ଆଉ ତା ସହିତ ହସ ହସ ମୁଖଟି ସବୁ ବେଳେ ଯେମିତି ସମସ୍ତ ଙ୍କ ମନକୁ କିଣିବାକୁ ପ୍ରୟାସ କରି ପାରିଥିବା ବ୍ୟକ୍ତିତ୍ଵ ଟିଏ ଥିଲା ବିକାଶ।


   ଚାରିଟା ପରେ ସବୁ ପିଲା ମାନେ ଘରକୁ ଆସିବା ପାଇଁ ବାହାରିଲା ବେଳେ ବିକାଶ ଲୁଚିରହିଯାଇଥାଏ ଏହି ଅଧା ଭଙ୍ଗା ଶ୍ରେଣୀ ଗୃହରେ ଆଉ ତଳେ ପଡି ଥିବା ଛୋଟ ଛୋଟ ଅଧା ସରା ଚକ୍ ଖଡ଼ି ସାହାଯ୍ୟରେ ଅଙ୍କ କଷି ଚାଲିଥାଏ କାଳପଟାରେ, ଆଉ ସବୁ ଅଧାଭଙ୍ଗା ଚକ ଖଡ଼ି ସରିଲା ପରେ ଦଉଡ଼ି ଜାଇ ଥାଏ ସ୍କୁଲ୍ ପିଅନରଙ୍ଗାଧର ପାଖକୁ, କୋମଳ କଣ୍ଠରେ କହି ଥାଏ,ରଙ୍ଗାଦାଦା ଆଉ ଗୋଟିଏ ଚକ୍ ଖଡ଼ିଦିଅ? 


ରଙ୍ଗା ପିଅନ ଟି ଭି ଭାରି ଭଲପାଏ ବିକାଶର ଭଦ୍ର ଆଉ ମାର୍ଜିତ ବ୍ୟବହାରକୁ। ଆଉରଙ୍ଗାଧର ଭାବେ ଯେତେ ଚେଷ୍ଟା କଲେ ଭି ନିଜରର ତ କେହି ମଣିଷ ହେଲେନି, ଯଦି ଆଉ କିଏ ହେଉଛି ବାଧା ଦେବ କାହିଁକି?


ସ୍କୁଲ୍ ସମୟ ଭିତରେ ସାର୍ ମାନକୁ ଲୁଚାଇରଖି ଦେଇଥାଏ ୨/୩ ଖଣ୍ଡ ଚକ୍ ଖଡ଼ି ,ଆଉ ବିକାଶ ହାତରେ ଧରାଇ ଦେଇ କହେ, ଜା ଲେଖି ପକା ।


ବିକାଶକୁ ଦେଇ ଯେମିତି ବହୁତ୍ ଖୁସୀ ଅନୁଭବ କରେ ରଙ୍ଗାଧର। ଆଉ ବିକାଶକୁ ଲାଗେ ଯେମିତି କୋଟି ନିଧି ପାଇଗଲା ଭଳି। ବିକାଶ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲା ବେଳେ ଦଶମ ଶ୍ରେଣୀର ଅଙ୍କ କଷୀ ବାକୁ ଅଣ୍ଟା ଭିଡ଼ି ଥାଏ ସବୁ ବେଳେ। ଇଂରାଜୀକୁ ଛାଡି ଦେଲେ ଅନ୍ୟ ସବୁ ପାଠ ତାର ଆୟତ୍ତରେ। ଆଉ ସବୁ ଦିନେ ସନ୍ଧ୍ୟା ହେଲା ପଯ୍ୟନ୍ତ ସ୍କୁଲ୍ କଳାପଟାରେ ଅଙ୍କ କଷି ଥାଏ ବିକାଶ ଅଧା ଖଣ୍ଡିଆ ଚକ୍ ଖଡ଼ି ସାହାଯ୍ୟରେ।


କେବଳ ମାସ ଶେଷ ଗୁରୁବାରକୁ ଛାଡି ଦେଲେ,ରବିବାର ବି ଜାଇଥାଏ ଏକା ଏକା ସ୍କୁଲ୍ କୁ , ଯେମିତି କଳାପଟା ଟି ତାର ଅନ୍ତରଙ୍ଗ ବନ୍ଧୁଟିଏ, ଆଉ ନଗଲେ ମନଦୁଃଖ କରିବ ଯେ?


ମାସ ଶେଷ ଗୁରୁବାର ଗାଆଁ ଗାଈ ପାଳି , ବୁଢ଼ୀ ମାକୁ ଏହି ବୟସରେ କଷ୍ଟ ଦେବାକୁ ଭଲ ଲାଗେନା ବିକାଶକୁ, ସେ ସବୁ ଗାଆଁ ଜାକର ଗୋରୁ ପହ୍ଲ ଧରି ଯାଇଥାଏ ଗୋଚରକୁ। ସେଠି ବି ସମୟ ନଷ୍ଟ ନକରି, ଖଣ୍ଡିଆ ଇଟା ନହେଲେ ଇଟାଭାଟିର ପୋଡ଼ା କୋଇଲା ସାହାଯ୍ୟରେ ଅଙ୍କ କଷିଥାଏ ବିକାଶ, ଯେମିତି ଅଙ୍କ ସହିତ ତାର ଗୋଟିଏ ଜନ୍ମ ଜନ୍ମାନ୍ତରର ସମ୍ପର୍କ। ବିକାଶର ଛୁଟି ମାନେ, ସେଦିନ ସ୍କୁଲ୍ ଭି ଛୁଟି। ସାର୍ ମାନେ ଭି ବୋର୍ ହୋଇ ଶ୍ରେଣୀରେ ଖୁବ୍ କମ୍ ସମୟ ପଢ଼ାଇ ଥାନ୍ତି।


ଯେଉଁ ଦିନ ଶ୍ରେଣୀ ଗୃହର କଳାପଟାରେ ନିଜ ନା ସହିତରୋଜି ଦିଦିର ନା ଯୋଡ଼ା ହୋଇ ଲେଖା ହୋଇଥିବାର ଦେଖି ପ୍ରଧାନ ଶିକ୍ଷକ ବହୁତ୍ ବାଡେଇ ଥିଲେ, ସେହି ଦିନରୁ କାହିଁକି କେଜାଣି ଗୋଟିଏ ଭୟ ହୋଇ ଯାଇଥିଲା କଳାପଟାଟିକୁ ବିକାଶର। ରୋଜି ଦିଦି ଥିଲେ ପ୍ରଧାନ ଶିକ୍ଷକଙ୍କ ବଡ଼ ଝିଅ ଆଉ ବିକାଶ ଠାରୁ ଗୋଟିଏ ବର୍ଷ ବଡ଼।


ବିକାଶ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ରୋଜି ଦିଦି ନବମରେ ଆଉ ରୋଜି ଦିଦି ବହୁତ୍ ସୁନ୍ଦର୍। କହିବାକୁ ଗଲେ ଗୋଟିଏ ଚାଉଳରେ ଗଢା, ତୋଫା ଗୋରା ସାଙ୍ଗକୁ ଶୁଆ ଥଣ୍ଟ ପରି ନାକ, ଆଉ ପୋଟଳ ଚିରା ଆଖି ଦୁଇଟି, ବହୁତ୍ ମାନେରୋଜି ଦିଦିକୁ!!! ସତେ ଯେମିତି ସବୁ ବେଳେ କଥା କହୁଥାଏ ସେହି ଆଖି ଦୁଇଟି।

ଲାଲ୍ ଲାଲ୍ ସରୁ ଓଠରେ ଯେମିତି ମୁକୁତା ଝରୁ ଥାଏ ପ୍ରତି ମୁହୂର୍ତ୍ତରେ।


ଯିଏ କେହି ଭି ଦେଖିବ, ପାଗଳ ହେବଟା ସ୍ଵାଭାବିକ।


ରୋଜି ଦିଦିର ମା ମରିଗଲା ପରେ ସାର୍ ଦିତୀୟ ବିବାହ କରିଛନ୍ତି , ଆଉରୋଜି ଦିଦି ହେଉଛି ସାବତ ଝିଅ ବୋଲି ଜାଣିଥିଲା ବିକାଶ।


ରୋଜି ଦିଦିର ଅଙ୍କ ଛାଡି କି ଆଉ ସବୁ ଭଲ ହୁଏ। ହଟାତ୍ ଦିନେ ରୋଜି ଦିଦି, ସବୁଦିନ ବିଳମ୍ବର କାରଣ ପଚାରିଥିଲେ ବିକାଶକୁ, ଆଉ ସବୁ ସତ କଥା କହି ପକାଇଥିଲା ସେଦିନରୋଜି ଦିଦି ଆଗରେ। ରୋଜି ଦିଦି ଖୁସିହୋଇ ନୂଆରଫ ଖାତା ସହିତ ପେନସିଲ ଟିଏ ଉପହାର ଦେଇ ଟିକେ ମିଛରାଗ ଦେଖାଇ କହିଥିଲେ , ଦେଖେ ବିକାଶ, ତୁ ନ ଯଦି ନବୁ ତାହେଲେ, ମୁଁ ଆଉ ତୋ ସହିତ କଥା ହେବି ନାହିଁ।


ତାପରେ ବନ୍ଧୁତା ଗଢି ଉଠଥିଲା ଦୁଇ ଜଣକ ଭିତରେ।ରୋଜି ଦିଦି ଭି ଦିନେ ଦିନେରହି ଯାଇଥାଏ ବିକାଶ ସହିତ ସ୍କୁଲ୍ ଛୁଟି ପରେ ଆଉ ବିକାଶ ଭିରୋଜି ଦିଦିର ସବୁ ଅଙ୍କ କରି କଷି ଦେଇଥାଏ, ସେହି କଳାପଟାରେ। ଅଷ୍ଟମ ଶ୍ରେଣୀରେ ପଢିଲା ବେଳେ ଭି ନବମ ଆଉ ଦଶମ ଶ୍ରେଣୀର ଅଙ୍କ ସବୁ କଷି ବାକୁ ଭାରି ଭଲ ଲାଗେ ବିକାଶକୁ। 


କଳାପଟାକୁ ଭଲ ପାଉଥିବା ଦେଖିରୋଜି ଦିଦି ଭି ଗୋଟିଏ ଚକ୍ ଖଡ଼ି ଡବାଟିଏ କିଣି ଆଣିଥିଲେ ବିକାଶ ପାଇଁ। ସବୁ ଦିନେ ସ୍କୁଲ୍ ଛୁଟି ପରେ ଚକ୍ ଖଡ଼ି ନେଇ ଅଙ୍କ କଷି ଥାଏ କଳାପଟାରେ ବିକାଶ। ଆଉ ଚକ୍ ଖଡ଼ି ପୁରା ହାତରୁ ନ ମିଳାଇଲା ପଯ୍ୟନ୍ତ, ଘୋରି ଘୋରି ଲେଖି ଚାଲି ଥାଏ ବିକାଶ।ରୋଜି ଦିଦି ପଚାରିଲେକୁହେ, ବିକାଶ ବୋଲି ଗୋଟିଏ ପିଲା ତାଙ୍କ ସ୍କୁଲ୍ରେ ଅଛି ବୋଲି ଏଇଟା ତାର ଉଦାହରଣ ଯେ ଚକ୍ ଖଡ଼ି କଳାପଟା ପାଖରେ ପଡ଼ିବ ନାହିଁ।


 ଆଉ କଳାପଟାରୁ ଦେଖିରୋଜି ଦିଦି ଉତାରି ଥାଆନ୍ତି ତାଙ୍କ ଅଙ୍କ ଖାତାକୁ, ବେଳେ ବେଳେ ତ ଆଖି ପଲକ୍ ନପକାଇ ଚାହିଁରହିଥାନ୍ତି ବିକାଶକୁ, ଯେମିତି ଆଗରୁ କେବେ ଦେଖା ହୋଇନି? ଏସବୁ କିଛି ମୁଣ୍ଡରେ ପସେନି ବିକାଶର।


ସେଦିନ କଥା ଆଜି ଭି ମନେ ପଡିଲେ ଭାରି ଆଶ୍ଚଜ୍ୟ ଲାଗେ ବିକାଶକୁ, ସ୍କୁଲ୍ ଛୁଟି ପରେ, ବିକାଶ ଚାଲି ଯାଇଥିଲା ସେହି ଭଙ୍ଗା ଶ୍ରେଣୀ ଗୃହକୁ, ଯେଉଁଠି ଦୁଇଟି ଡେସ୍କ ଆଉ ବେଞ୍ଚ ସହିତ କଳାପଟା ଟି ଅପେକ୍ଷା କରିରହିଥାଏ ସବୁ ଦିନ ପରି ବିକାଶକୁ।


ବିକାଶ ପ୍ୟାଣ୍ଟ୍ ପକେଟ୍ ରେ ଚକ୍ ଖଡ଼ି ବାହାର କରି ଶ୍ରେଣୀରେ ଦିଅ ଯାଇଥିବା ଅଙ୍କ ଗୁଡା କଷି ଚାଲିଥାଏ ଏକ ଲୟରେ, ହଟାତ୍ ପଛପଟରୁ କାହାର କୋମଳ ସ୍ପର୍ଶରେ ଧ୍ୟାନ ଭଙ୍ଗ ହୋଇଥିଲା ବିକାଶର, ଆଉ ଲାଗିଲା ଯେମିତି ସେହି ଅଜଣା ଆଳିଂଘନଟା ମନ ଆଉ ପ୍ରାଣକୁ ପୁଲକିତ କରିବା ସଙ୍ଗେ ଗୋଟିଏ ଅଜଣା ଶିହରଣରେ ଭରି ଯାଇଥିଲା ପୁରା ଶରୀର ଟି।


  ଆଉରୋଜି ଦିଦି ସେମିତି ପଛ ପଟରୁକୁଣ୍ଢାଇ ଧରି ଥିଲେ ବିକାଶକୁ ଆଉ କହିଥିଲେ, ବିକାଶ ଆଜି ମୋ ଜନ୍ମ ଦିନ, କଣ ଉପହାର ଆଣିଛୁ ମୋ ପାଇଁ। ଆଉ ବିକାଶ ଚିହିଁକି ଉଠି କହିଲା,ରୋଜି ଦିଦି!


ମୁଁ ଜାଣିନି। ଶୁଣ ହେଲେ ଆଜି ମୁଁ ତୁମର ସବୁ ଅଙ୍କ କଷି ଦେବି।ରୋଜି ଦିଦି ଭିଡ଼ି ଆଣି କହିଲେ , ଆଜି ପାଠପଢା ନାହିଁ, ଆଜି ଆମେ ବସି ଗପିବା। ବିକାଶକୁ ଏସବୁ କିଛି ଅଲଗା ଅଲଗା ଲାଗୁଥାଏ, ହେଲେ ଭି ଆଜିରୋଜି ଦିଦିର ଜନ୍ମ ଦିନ, ମନା କଲେ ମନ ଦୁଃଖ ହେବ,ଇଚ୍ଛା ନଥିଲେ ବି ବସି ଗପିଥିଲାରୋଜି ଦିଦି ସାଙ୍ଗରେ, ଆଉରୋଜି ଦିଦି ଆଖି ନଚାଇ ନଚାଇ କହି ଚାଲିଥିଲେ ଶ୍ରେଣୀ ଗୃହର ସମସ୍ତ ଖବର ସବୁ।


ଆଉ ବିକାଶ ଶୁଣୁ ଥାଏ ମନ୍ତ୍ରମୁଗ୍ଧ ହୋଇ। ବୋଧେ କେହି ଦେଖି ଥିଲା କି କଣ, ସ୍କୁଲ୍ କଳାପଟାରେ ଶୋଭା ପାଇଥିଲା ବିକାଶ ସହିତରୋଜି ଦିଦିର ନା ମଝିରେ ଯୁକ୍ତ ସଂକେତ ଟିଏ। ଆଉ ତାପର ଦିନ ବିକାଶ ଉପରେ ପଡିଥିଲା ଗାଈ , ଗୋରୁକୁ ବାଡ଼େଇ ଲା ଭଳି ପାହର, ପ୍ରଥମେ ତ୍ କିଛି ବୁଝି ପାରି ନଥିଲା, ବିକାଶ, ପ୍ରଧାନ ଶିକ୍ଷକ, ଯିଏ କି ବହୁତ ଭଲ ପାଆନ୍ତି ବିକାଶକୁ ଆଜି ତା ପିଠିରେ ପାଞ୍ଚଣ ଭାଙ୍ଗି ବାରେ ବ୍ୟସ୍ତ। 


କିଛି ସମୟ ବ୍ୟବଧାନରେ ସବୁ ଜଣାପଡି ଯାଇଥିଲା ବିକାଶକୁ, ଆଉ ମଥା ପାତି ସହି ନେଇଥିଲା ସମସ୍ତ ଦଣ୍ଡକୁ ସେଦିନ ବିକାଶ ପାଇଁ,ରୋଜି ଦିଦି ପାଇଁ ନୁହେଁ, ବରଂ ତାର ପ୍ରିୟ କଳାପଟା ପାଇଁ। ଆଉ ସେଇଠୁ ପଡିଥିଲାରୋଜି ଆଉ ବିକାଶର ଅସମାହିତ, ଅସମାପ୍ତ , ଅପରିପକ୍ଵ ପ୍ରେମର ପୂର୍ଣ୍ଣଚ୍ଛେଦ।


ଆଜି ଭି ଜହ୍ନର ସ୍ପଷ୍ଟ ଆଲୁଅରେ , ଦେଖିପାରୁଛିରୋଜି ଦିଦି ବସିଥିବା ସ୍ଥାନକୁ, ଆଉ ତାର ସେହି ପ୍ରିୟ କଳାପଟା ଟିକୁ, ଆଉ ମନେ ମନେ ହସି ଚାଲିଛିନ୍ତି ବିକାଶ ବାବୁ, ଏତେ କଷ୍ଟ ଆଉ ଯନ୍ତ୍ରଣା ମଧ୍ୟରେ ଭି।


                   କ୍ରମଶଃ....


Rate this content
Log in

Similar oriya story from Abstract