Gopal Das

Abstract Tragedy Inspirational

3  

Gopal Das

Abstract Tragedy Inspirational

କଳାପଟା-ଦ୍ଵିତୀୟ ଭାଗ

କଳାପଟା-ଦ୍ଵିତୀୟ ଭାଗ

4 mins
12.1K



ରାତି ୯ଟା ବିକାଶ ବାବୁ ବସିଛନ୍ତି, ସେହି ପୁରୁଣା ଭଙ୍ଗା ଦଦରା କବାଟ, ଝରକା ନଥିବା ଶ୍ରେଣୀ ଗୃହରେ । ମନେ ପଡ଼ିଲା ଘର ପଛ ପଟରେ ଥିବା ମାଟି ନନ୍ଦର କୂଅଟିକୁ ଯେଉଁଠି ସେମାନେ ପଢିଲା ବେଳେ ଖେଳ ଛୁଟିରେ ଖାଇ ସାରି ପାଣି ପିଅନ୍ତି ସମସ୍ତେ। ସବୁଠୁ ଅଧିକ ଯାଇଥାନ୍ତି ବିକାଶ ବାବୁ । ଅନ୍ୟ ପିଲାମାନେ ଖେଳ ଛୁଟିରେ ଖାଇବାକୁ ଗଲାବେଳେ ବିକାଶ ରହି ଯାଇଥାଏ କୂଅ ପାଖରେ,କେହି ନ ଜାଣିପାରିଲା ଭଳି ପାଣି ବାଲଟିଏ କାଢି ଢକ ଢକ କରି ପିଇ ଦେଇ ପୁଣି ଦଉଡ଼ି ଯାଇଥାଏ ଶ୍ରେଣୀ ଗୃହକୁ । ସେହି ପ୍ରିୟ କଳାପଟା ସହିତ କିଛି ଅନ୍ତରଙ୍ଗ କଥା ହେବାକୁ।


ଶ୍ରେଣୀ ଗୃହ ପିଣ୍ଡା ଉପରେ ବସି ପଡ଼ିଲେ ବିକାଶ ବାବୁ, ଗୋଡ଼ ଦୁଇଟା ଭି ଭାଙ୍ଗି ହେଉନି ଆଗଭଳି ଚେକାମୁଠି ବସି ପାରୁ ନାହାନ୍ତି ସେ। ବାର୍ଦ୍ଧକ୍ୟର କରାଘାତ ଯୋଗୁ ଠିକ କଳାପଟାର ଅବସ୍ଥା ଭଳି। ବିକାଶ ବାବୁ ଭାବି ଚାଲିଛନ୍ତି ମନେ ମନେ!


କଳାପଟା ଆଉ ବିକାଶ ବାବୁଙ୍କ ଜୀବନର ଗୋଟିଏ ସାମଞ୍ଜସ୍ୟ-ନା କିଛି ପାଇବାର ଆଶା, ନା ହରାଇବାର ସମ୍ଭାବନା।


ଜୀବନ ଜାକ ପରିଶ୍ରମ କରି ଯାହା କରିଛନ୍ତି ସେ ସବୁଯେ ମିଛ ଆଉ ମାୟା। ଠିକ୍ ଯେମିତି କଳାପଟାର ଜୀବନୀ ଭଳି।


କଳାପଟାଟି ଯେତେ ବେଳେ ନୂଆ ହୋଇ ତିଆରି ହୋଇଥିଲା କଳା ମଚ୍ ମଚ୍ ଚେହେରାଟି ଯେମିତି ଶ୍ରେଣୀ କୋଠରୀର ସମସ୍ତ ଶୋଭା ବର୍ଦ୍ଧନ କରିବା ପାଇଁ ଯଥେଷ୍ଟ ଥିଲା, ଠିକ୍ ସେମିତି ବିକାଶ ବାବୁଙ୍କ ଜୀବନୀ। କେତେ ବ୍ୟାଚ୍ ଏହି କଳାପଟା ଟିରେ ପାଠ ପଢି କେତେ କେତେ ବଡ଼ ବଡ଼ ଜାଗାରେ ଅଛନ୍ତି ହେଲେ ବି କେହି ଦିନେ ପଚାରି ନାହାନ୍ତି ଏହି କଳାପଟାକୁ। ହେଲେ ଭି କଳାପଟା ଟି କେବେ ବି ମନ ଦୁଃଖ କରିନି କିନ୍ତୁ ନିଜକୁ ପୂର୍ଣ୍ଣ ସମର୍ପଣ କରି ଦେଇଥାଏ ସବୁଦିନେ ସେହି ଚକ୍ ଖଡ଼ି ଆଗରେ ଆଉ ଯେମିତି କହି ଥାଏ!


ମୋ ଜୀବନ ପଛେ ନର୍କେ ପଡ଼ିଥାଉ,

                 ଜଗତ ଉଦ୍ଧାର ହେଉ।।


ବିକାଶ ବାବୁ ଆଜି ନିଜର ଜୀବନୀକୁ କଳାପଟା। ସହିତ ତୁଳନା କରୁ କରୁ ଥକି ପଡିଲେଣି ଯେମିତି। ଯେମିତି ଲାଗୁଛି ଆଜି ତାଙ୍କ ପ୍ରିୟ କଳାପଟା ଟି କଥା କହୁଛି ତାଙ୍କ ସାଙ୍ଗରେ।


ରାତି ୧୧ ଟା ଲାଗୁଛି, ଯେମିତି କଳାପଟାଟି କହୁଛି-ଦେଖେ ବିକାଶ, ଆଜି ଭି ଜୀବନର ମୂଲ୍ୟ ଅଛି । ତୋ ପରିବାର, ତୋ ପୁଅ , ବୋହୁ, ନାତୁଣୀ ଆଉ ପରିଶେଷରେ ଅରୁନ୍ଧତୀ ତୋତେ ଛାଡ଼ି ଚାଲି ଯାଇଛନ୍ତି ଠିକ୍ ମୋରି ଭଳି। ହେଲେ ଭି ମୁଁ ଆଜି ହସୁଛି ସବୁ ଦୁଃଖ ଆଉ ଯନ୍ତ୍ରଣାକୁ ପାଥେୟ କରି। ଜୀବନ ମାନେ ହିଁ ତ୍ ଯନ୍ତ୍ରଣା ଆଉ ସେହି ଯନ୍ତ୍ରଣାରେ ଯିଏ ଖୁସି ଖୋଜି ପାରେ ସେହି ହିଁ ତ ହୁଏ ବିଜୟୀ। ଯେମିତି ମନେ ହେଉଛି, କଳାପଟା ଟି ବିକାଶ ବାବୁଙ୍କ ଆଖିର ଅମାନିଆ ଲୁହସବୁକୁ ପୋଛି ପକାଇ ସାନ୍ତ୍ୱନା ଦେଇ କହି ଚାଲିଛି। କ୍ଷମା କରିବା ଶିଖ ବିକାଶ।ମୋରି ଭଳି, ପାଇବାର ଆଶାକୁ ଭୁଲି ଯାଇ ପୁଣି ଥରେ ଚାଲିବାକୁ ଅଣ୍ଟା ଭିଡ ଦେଖିବୁ, ଜୀବନଟା ବହୁତ୍ ସୁନ୍ଦର ଲାଗିବ।


ଜୀବନର ଆରମ୍ଭରୁ ମୋ ଶରୀର କଳା !


 କେତେ ଯନ୍ତ୍ରଣା, କେତେ କଟାକ୍ଷ, ଆଉ କେତେ ସମାଲୋଚନାର ଶିକାର ହୋଇଛି ମୁଁ! ସବୁ ଗଣେଶ ପୂଜା,ସରସ୍ଵତୀ ପୂଜାରେ ତୁମେ ମାନେ ହିଁ ତ କାଗଜରେ ଅଠା ମାରି କାଗଜ ଫୁଲ ଲଗାଇଥାଅ ମୋ ପିଠିରେ। କେବେ ଦିନେ କେହି ପଚରିଛ?ମୋତେ କେମିତି ଲାଗେ? ଆଉ ପୁଣି ଦୁଇଦିନ ପରେ ସେହି ଅଠାକୁ ଛଡ଼ାଇବାକୁ ଘଷି ଘଷି ବେଦମ କରି ଦେଇଥାଅ ମୋ ପୁରା ଶରୀରଟାକୁ। କେବେ ଦିନେ ମୁଁ ପ୍ରତିବାଦ କରିଛି? ନା, ବରଂ ତୁମ ଖୁସିରେ ନିଜର ଲୁହ ପୋଛି ଖୁସି ହୋଇଛି। ପୁଣି ପରଦିନ ତୁମକୁ ପାଠପଢ଼ାଇ ବଡ଼ ମଣିଷ କରିବାକୁ ନିଜର ସେହି କ୍ଷତ ବିକ୍ଷତ୍ ପିଠି ଟାକୁ ସମର୍ପଣ କରି ଦେଇଥାଏ ଚକ୍ ଖଡ଼ି ଆଗରେ।


ଏ ସମାଜରେ ମଣିଷକୁ ଭଲ ପାଇବା ଶିଖ । ଗୋଟିଏ ପୁଅ ସିନା ଛାଡି ଚାଲିଗଲା । ଏହି ଗାଆଁରେ ଏମିତି କେତେ ପୁଅ ବୁଝି ପାରୁନାହାଁନ୍ତି ସ୍କୁଲ ଶିକ୍ଷକଙ୍କ ପାଠ ପଢା ଆଉ ଟିୟୁସନ୍ ହେବାକୁ ପଇସା ନଦେଇ ପାରି ପରୀକ୍ଷାରେ ଫେଲ ହୋଇ ଘରେ ରହୁଛନ୍ତି। କାହାର ଘରେ କେତେ ଅସୁବିଧା କାହାର ପଇସା ନାହିଁ, କାହାର ବାପା ଜବରଦସ୍ତି ବିଲକୁ ନେଉଛି କାମ କରିବାକୁ। ଆଉ କିଛି ପିଲା ସ୍କୁଲ୍ ରେ ପାଠ ବୁଝି ନପାରି ପାଠକୁ ଡରି ଘରେ ରହି ଯାଉଛନ୍ତି। ତୁ ତ ଅଙ୍କ କଷିବାରେ ମାଷ୍ଟର, ଆରମ୍ଭକର୍ ଗୋଟିଏ ମାଗଣା ଶିକ୍ଷାକେନ୍ଦ୍ର, ଆଉ ମୋତେ କରିଦେ ଆଉ ଥରେ ଜୀବନ୍ତ ମୋ ପିଠିକୁ ଆଉ ଥରେ ସେହି ଚକ୍ ଖଡ଼ି ର ଧଳା ଗାରରେ କରିଦେ କ୍ଷତାକ୍ତ। ସେହି ଯନ୍ତ୍ରଣାରେ ହିଁ ମୁଁ ପାଇବି ଶାନ୍ତି। କଳାପଟା କହି ଚାଲିଥାଏ ଏକାଧାରରେ।


ଯନ୍ତ୍ରଣା ଭିତରେ ଭି ଖୁସି ଖୋଜିବାକୁ ପଡିବ, ବିକାଶ ! ଏ ଜୀବନ ଟା ହିଁ ଯନ୍ତ୍ରଣାମୟ । ନା ତୁ, ନା ମୁଁ କେହି ପରିବର୍ତ୍ତନ କରି ପାରିବାନି ଜୀବନର ଗତିପଥକୁ ବରଂ ନିଜକୁ ପରିବର୍ତ୍ତନ କରିବା ହିଁ ବୁଦ୍ଧିମତାର ପରିଚୟ।


ଯେମିତି ଲାଗୁଥିଲା, ବିକାଶ ବାବୁ ଗୋଟିଏ ରାତିରେ ଜୀବନର ମୂଲ୍ୟବୋଧକୁ ବହୁତ ସରଳ ଭାବରେ ବୁଝିଗଲେ।


ତା ପରଦିନ ନିଜ ଜିପିଏଫ୍ ରୁ ପଇସା ଉଠାଇ ଆରମ୍ଭ କରି ଥିଲେ ଜୀବନ ର ମହାଯାତ୍ରା, ଗୋଟିଏ ମାଗଣା ଶିକ୍ଷାକେନ୍ଦ୍ରଟିଏ ଖୋଲି।  ଆଉ ଶିକ୍ଷାକେନ୍ଦ୍ର ନା ଦେଇଥିଲେ କଳାପଟା। ପ୍ରଥମରୁ ତ୍ରୟୋଦଶ ଶ୍ରେଣୀର ପିଲାମାନକୁ ମାଗଣାରେ ଶିକ୍ଷାଦାନ କରି ଯେମିତି ଗୋଟିଏ ଆତ୍ମାସନ୍ତୋଷ ଅନୁଭବ କରୁଥିଲେ ବିକାଶବାବୁ।


ଆଉ ପାଞ୍ଚ ବର୍ଷ ଭିତରେ ସେ ପାଲଟି ଯାଇଥିଲେ ଉଦାହରଣ ଆମ ସମସ୍ତଙ୍କ ପାଇଁ। ଆଜି କେତେ ଗରିବପିଲା ତାଙ୍କ ଠାରୁ ଶିକ୍ଷାଦାନ ପାଇ କେତେ ଭଲ ଭଲ ଜାଗାରେ ଅଛନ୍ତି ସେ କେବେ ହିସାବ ରଖି ନାହାନ୍ତି।


ବିକାଶ ବାବୁଙ୍କ ବୟସ ଆଜି ୭୦ ପୁରି ୭୧ ଚାଲିବ , ତାଙ୍କ ଶିକ୍ଷାକେନ୍ଦ୍ର(କଳାପଟା) ଆଗରେ ଗୋଟିଏ ଲମ୍ବା ଲାଇନ୍। ସବୁ ଦିନ ପରି ୫ଟାରେ ଉଠି ନିତ୍ୟକ୍ରମ ସାରି ବସିଛନ୍ତି ବିକାଶ ବାବୁ, ପିଲାଙ୍କ ଉଦ୍ଦେଶ୍ୟରେ। ଆଉ ଡଷ୍ଟରରେ ପୋଛି ଚାଲିଛନ୍ତି ତାଙ୍କର ପ୍ରିୟ କଳାପଟାକୁ।


ପିଲାମାନେ ଜଣେ ପରେ ଜଣେ ଆସି ଉପହାର ସହିତ ନମସ୍କାର କରି ଯାଉଛନ୍ତି ବିକାଶ ବାବୁ ଙ୍କୁ।


ହଟାତ୍ ଡାକ ପିଅନଟି ଆସି ବଢ଼ାଇ ଦେଇଥିଲା ଗୋଟିଏ ସରକାରୀ ଚିଠି ଟିଏ, ବିକାଶ ବାବୁ ଚିଠିଟି ଖୋଲୁ ଖୋଲୁ ଆତ୍ମବିଭୋର ହୋଇ କାନ୍ଦି ପକାଇଲେ। ଆଉ ଚିଠିଟି ଥିଲା ରାଜ୍ୟପାଳଙ୍କ ଭବନରୁ ନିମନ୍ତ୍ରଣ। ଆସନ୍ତା ଗୁରୁଦିବସରେ ମହାଗୁରୁର ପଦବୀରେ ବିଭୂଷିତ କରାଯାଇଥିଲା ବିକାଶ ବାବୁଙ୍କୁ ରାଜ୍ୟପାଳ ଭବନରେ।


ଆଜି ଭି ସେ ସବୁରାତିରେ ଅପେକ୍ଷା କରିଥାନ୍ତି କଳାପଟା ଟି ପାଖରୁ ଟିକେ ଶୁଣିବାକୁ ଆଉ କଳାପଟା ଟି ଭି ସବୁ ଦିନେ ତାଙ୍କ ସ୍ଵପ୍ନରେ ଆସି କହି ଦେଇଥାଏ ଆସନ୍ତା ଦିନର କାର୍ଯ୍ୟପନ୍ଥାକୁ। ପୁଣି ଅଣ୍ଟା ଭିଡ଼ି ବାହାରି ପଡ଼ନ୍ତି ବିକାଶବାବୁ ସବୁଦିନର ସେହି ଛୋଟ ଛୋଟ ଖୁସିକୁ ସାଉଁଟି ଗୋଟିଏ ବଡ଼ ଖୁସିର ପାହାଡଟିଏ ଗଢି ତୋଳିବାକୁ।


                


Rate this content
Log in

Similar oriya story from Abstract