Gopal Das

Abstract Tragedy

4.7  

Gopal Das

Abstract Tragedy

ବିଳାପ ସ୍ୱାଭିମାନ

ବିଳାପ ସ୍ୱାଭିମାନ

11 mins
564



ହରିଆ..... ଏ ହରିଆ.... କଣ ସୋଇପଡ଼ିଲୁଣି?? ଆରେ ଶୁଣୁ କାଲି ସଖାଳୁ ସେ କଣ୍ଢେଇ ଗୁଡା ଆଣିବାକୁ ପଡ଼ିବ, କାଲି ରବିବାର ପରା, କେତେ ବିଦେଶୀ ବାବୁ, ବାବୁଆଣି ଆସିବେ। ଯଦି କାଲି ୫/୬ ଟା କଣ୍ଢେଇ ବିକ୍ରି ହୋଇଯିବ ତାହେଲେ ମାଲିକକୁ ତା ପଇସାଟା ସୁଝିଦେବା ଆଉ କିଛି କଣ୍ଢେଇ ନେଇ ଆସିବା କଣ କହୁଛୁ? ଅନବରତ ଭାବରେ କହି ଚାଲିଥାଏ ସନିଆ।


ଶନିବାର ଦିନ ମୁଁ ମୋ ପରିବାରକୁ ନେଇ କୋଣାର୍କ, ପୁରୀ ଦର୍ଶନ କରିବାକୁ ଯାଇ କୋଣାର୍କ ରହିବାର ବ୍ୟବସ୍ତା କରି ହୋଟେଲ ରହିଗଲି। ମୋ ସ୍ତ୍ରୀ ଆଉ ମାଁ ଦୁଇଜଣ କହିଲେ କୋଣାର୍କରେ ସୂର୍ଯ୍ୟ ଉଦୟ ଦେଖି ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରି ଭୁବନେଶ୍ବର ଫେରି ଯିବା ହୋଟେଲରେ ରାତ୍ର ଭୋଜନ ସାରି ଟିକେ ବାହାରିଗଲି, କୋଣାର୍କ ଆଡେ। ବୁଲୁ ବୁଲୁ ଥକା ମେଣ୍ଟାଇବା ପାଇଁ ଟିକେ ବସିଗଲି ପାଖରେ ପଡ଼ିଥିବା ଗୋଟିଏ ସିମେଣ୍ଟ ଚୌକିରେ। ଦେଖିଲି ଦୁଇଟି ପିଲା (୧୩/୧୪ ବର୍ଷର) ଦୁଇଟି ସିମେଣ୍ଟ ଥଳିଆ ଦୁଇଟି ମୁଣ୍ଡ ତଳେ ଦେଇ ସୋଇଛନ୍ତି, ଆଉ କଣ ସବୁ କଥା ହେଉଥାନ୍ତି। ଟିକେ କାନ ଡେରି ଶୁଣିବାକୁ ଚେଷ୍ଟା କଲାରୁ ସବୁ ଗୁଡା ସ୍ପଷ୍ଟ ସୁଭାଗଲା। 


ସନିଆ କହି ଚାଲିଥାଏ, ହରିଆ.....


ଆଜି ତୁ କେତେଟା କଣ୍ଢେଇ ବିକିଛୁ କହିଲୁ, ହଠାତ, ହରିଆ ଉଠିପଡ଼ି ଛିଣ୍ଡା ପ୍ୟାଣ୍ଟ ପାକେଟରୁ କିଛି ନୋଟ୍ ସହିତ ଚୁନା ପଇସା ସବୁ ଅଜାଡି ଦେଇ ଷ୍ଟ୍ରିଟ ଲାଇଟ ଆଲୁଅରେ ଗଣିବାକୁ ଲାଗି ପଡ଼ିଲା ।


ଦଶ, ପନ୍ଦର, କୋଡ଼ିଏ..........ପଚାଶ....... ଶହେ...ଶହେ ସତୁରୀ, ତେହସ୍ତରି। ଆରେ ଆଉ ଦୁଇଟଙ୍କା କୁଆଡେ ଗଲା। ଏପଟେ ସେପଟେ ହୋଇ ଆତୁରରେ ଖୋଜିବାକୁ ଲାଗିଲା ହରିଆ। ଆଉ ଛଳ ଛଳ ଆଖିରେ ଆଖିଏ ଲୁହ ନେଇ ପୁରା ଗଣ୍ଠିଲିକୁ ଏପଟ ସେପଟେ କରିଦେଲା ହରିଆ।


ସନିଆ କୁ କହୁଥାଏ, ସନିଆ ଭାଇ, ମୋର ଦୁଇଟଙ୍କା କୁଆଡେ ପଡ଼ି ଯାଇଛି। ଚାଲେ ଟିକେ ଯିବା ମୁଁ ଯେଉଁଠି ବସିଥିଲି, ସନିଆ ଭି ଟିକେ ବ୍ୟସ୍ତ ହୋଇ କହିଲା ଆରେ ଭଲରେ ଦେଖେ ତ ତୋ ପକେଟ୍ କୁ କୋଉଠି ରହି ଯାଇଥିବ କାଳେ ।


ହରିଆ କାନ୍ଦ କାନ୍ଦ ହୋଇ କହିଲା, ନା ସନିଆ ଭାଇ ମୁଁ ସବୁ ଦେଖି ସାରିଲିଣି, ପାଉନି। ଚାଲେ ଯିବା। ସନିଆ କହିଲା, ଆରେ ସେ ସେକୁରିଟୀ ଗାର୍ଡ ଆଉ ପୋଲିସ କଣ ଭିତରକୁ ଛାଡ଼ିବେ ଯେ ଯିବା ।


ହରିଆ କହିଲା ସେ ପଛପଟ ଗେଟ୍ ପାଚେରୀ ଡେଇଁ ଯିବା। ତୁ ଖାଲି ମୋତେ ଟିକେ ଟେକି ଦେ ମୁଁ ଡେଇଁ ପଡ଼ିବି। ମୋତେ ଲାଗୁଛି ସେହି ହାତୀ ପାଖରେ ପୋଲିସ ଗୋଡାଇଲା ବେଳେ ପଡ଼ି ଯାଇଥିଲି ଆଉ ସେଇଠି ପଡ଼ି ଯାଇଥିବ। ଚାଲେ ଯିବା...


ମୁଁ ଏ ସବୁ ଶୁଣି ନ ଶୁଣିବାର ଅଭିନୟ କରୁଥାଏ। ଆସ୍ତେ ଆସ୍ତେ ବସିଥିବା ଜାଗାରୁ ଉଠି ଅଗ୍ରସର ହେବାକୁ ଲାଗିଲି। ଯେମିତି ସେମାନେ ନ ଭାବିବେ ଯେ ମୁଁ ସେମାନଙ୍କ କଥା ଶୁଣିଛି ବୋଲି।


ତାପରେ ଦେଖିଲି ହରିଆ ଆଉ ସନିଆ ଦୁହେଁ ଗଣ୍ଠିଲି କୁ ଧରି ଚାଲିଲେ ପଛ ପଟ ଗେଟ୍ ଆଡେ। ଆଉ ମନର କୌତୁହଳ କୁ ଜାବୁଡି ଧରି ପାଖ ପାନ ଦୋକାନ ରୁ ସିଗାରେଟ ଟିଏ ଲଗାଇ ଆସ୍ତେ ଆସ୍ତେ ସେମାନଙ୍କ ପଛରେ ଚାଲିଲି, ସିଗାରେଟ୍ ନ ପିଉଥିଲେ ଭି ହାତରେ ଧରି ଚାଲିଥାଏ, ଯେମିତି ସେମାନେ ଭାବିବେ, ମୁଁ ସେମାନଙ୍କୁ ଅନୁଧାବନ କରୁନି।


ଠିକ୍ ୫୦ ଫୁଟ ଦୂରରେ ଥାଇ ଲକ୍ଷ୍ୟ କରୁ ଥାଏ ସେ ଦୁହିଁଙ୍କର କାଯ୍ୟ କଳାପକୁ। ଦେଖିଲି, ପାଚେରୀ ଟି ଅତିକମ୍‌ ରେ ୬ ଫୁଟ ଭଳିଆ ଉଚ୍ଚତା। ସନିଆ ଟେକି ଧରିଥାଏ ହରିଆ କୁ, ଆଉ ହରିଆ ଲଗାତର ବିଫଳ ହେଉଥାଏ ପାଚେରୀ କୁ ଅତିକ୍ରମ କରିବାକୁ, ଯେମିତି ଛୋଟ ସଂବଳୁଆ ଟି ବାରମ୍ବାର ପଡ଼ି ପୁଣି ଉଠି ଛାଡ଼ିବାକୁ ଚେଷ୍ଟା କରି ବିଫଳ ହୋଇଥାଏ। ଆଉ ବିଚରା ସନିଆ ତାର ସମସ୍ତ ବଳ ଖର୍ଚ୍ଚ କରି ଧଇଁ ସଇଁ ହେଉ ଗଲାଣି। ତାପରେ ସନିଆ କହିଲା , ହରିଆ, ଶୁଣେ ମୁଁ ଘୋଡ଼ା ହେଉଛି ତୁ ମୋ ଉପରେ ଚଢ଼ି ଜାଇ ଡେଇଁ ପଡ ଆଉ ଆସିଲା ବେଳକୁ ସେ ଖଜୁରୀ ଗଛକୁ ଚଢ଼ି ଡେଇଁ ପଡ଼ିବୁ। ସେଇଠି ବାଲି ପଡ଼ିଛି କିଛି ହେବନି ତୋର। ମୁଁ ସେହି ଖଜୁରୀ ଗଛ ପାଖରେ ଠିଆ ହୋଇଥିବା, ଯଦି ସିକୁରିଟି ଗାର୍ଡ ଆସିବ ମୁଁ ତାଳି ମାରି ଦେବି।


ହରିଆ ର ହଁ କୁ ଅପେକ୍ଷା ନକରି, ଘୋଡ଼ା ଭଳି ଆଣ୍ଠେଇ ପଡ଼ିଲା ସନିଆ, ଆଉ ସନିଆ ଭି କିଛି ନ କହି ଚଢ଼ି ଗଲା ହରିଆ ପଠି ଉପରେ ଆଉ ଗୋଟିଏ ଡିଆଁ ରେ ପାଚେରୀ ସେପଟେ। ହରିଆ ଭି ତାଳି ସାହାଯ୍ୟ ରେ ଇଶରା କହିଲା ସନିଆକୁ ତାର ସଫଳତାକୁ।


ମୁଁ ସେମିତି ଲକ୍ଷ୍ୟ କରୁଥାଏ, ସେ ଅବୋଧ ବାଳକ ଦୁଇ ଜଣଙ୍କ ଦୁଃସାହସିକ କାର୍ଯ୍ଯ କୁ। ଦଶ ମିନିଟ ପରେ କାହାର ବିକଳ କ୍ରନ୍ଦନ ଶୁଣିବାକୁ ପାଇଲି, ଆଉ କୌତୁହଳ ବଶତ ମୁଁ ଭି ସେମାନଙ୍କ ପାଖକୁ ଆପଣା ଛାଏଁ ଟାଣି ହୋଇଗଲି। ଦେଖିଲି, ସିକୁରିଟି ଗାର୍ଡ ଟି ଗୋଟିଏ ହାତରେ ବିଚାର ହରିଆ ର ହାତକୁ ଧରି ଅତି ନିର୍ମମ ଭାବରେ ପିଟିବାରେ ଲାଗିଛି, ଏପଟେ ହରିଆ 

ବୋଉଲୋ ମରିଗଲି, ମରିଗଲି ବୋଲି ଚିତ୍କାର କରୁଥାଏ।


ସିକୁରିଟି ଗାର୍ଡ଼ ଟି ବହୁତ୍ ଜୋର୍ ପାଟିରେ ଚିତ୍କାର କରି କହୁଥାଏ, ଶଳା ବାପା ମା ର ଠିକଣା ନାହିଁ । ପଶି ଆସିଛି ମୂର୍ତ୍ତି ଚୋରିକରିବାକୁ। ହରିଆ କାନ୍ଦି କାନ୍ଦି କହୁଥାଏ, ନା ଭାଇନା ମୋ ପଇସା ହଜି ଯାଇଛି, ସେଇଟା ଖୋଜିବାକୁ ଆସିଥିଲି।

ସିକୁରିଟି ଗାର୍ଡ଼ ଅନବରତ ଭାବରେ ବାଡେଇ ଚାଲି ଥାଏ ହରିଆକୁ। ମନ ସମ୍ଭାଳି ହେଲାନି, ମୁଖ୍ୟ ଦ୍ଵାର ପାଖକୁ ଆସି କହିଲି, ଶୁଣ ସେ ପିଲାକୁ ଛାଡ଼ି ଦିଅ, ସେ ପିଲା ସତରେ ତାର ପଇସା ଖୋଜିବାକୁ ଯାଇଥିଲା। ସେ ଯାହା ହେଉ ମୋର ଅନୁରୋଧ ରକ୍ଷା କରି ସିକୁରିଟି ଗାର୍ଡ଼ଟି କିଛି ସମୟ ବ୍ୟବଧାନରେ ଛାଡି ଦେଇଥିଲା ହରିଆର ହାତକୁ। ତାପରେ ମୁଁ ହରିଆ ପାଖକୁ, ନ ଜାଣିଲା ଭଳି ଯାଇ ପଚାରିଲି, ଏ ପିଲା ତୁ କାହିଁକି ଯାଇଥିଲୁ ଭିତରକୁ, ହରିଆ କାନ୍ଦ କାନ୍ଦ ହୋଇ ଉତ୍ତର ଦେଇଥିଲା ବାବୁ, ପୋଲିସ ବାଲା ଆଜି ଗୋଡ଼ାଇ ଥିଲା ବେଳେ ମୁଁ ପଡ଼ି ଯାଇଥିଲି ସେ ହାତୀ ପାଖରେ, ଦେଖୁନ ମୋ ଗୋଡ଼ରେ ଏବେ ବି ଖଣ୍ଡିଆ ଦାଗ ଅଛି, ଆଉ ନିଜର ଆଣ୍ଠୁ କୁ ଦେଖାଇ କହିଥିଲା ହରିଆ।


ଆରେ ଏ କଣ ଏବେ ବି ରକ୍ତ ବୋହୁଛି ତୋ ଆଣ୍ଠୁରୁ। ହରିଆ କହିଥିଲା ନାଇଁ ମ ବାବୁ, ମୁଁ ପରା ମାଟି ଲଗାଇ ଦେଇଛି, ଭଲ ହୋଇଯିବ। କିଛି ନାଇଁ, ତାପରେ ଗଇଁଛ କ୍ଷୀର ଲଗାଇ ଦେଇଥିଲି ରକ୍ତ ବୋହିବା ଭଲ ହୋଇ ଜାଇ ଥିଲା ପୁଣି ଏବେ ପଡ଼ିଗଲାରୁ ଛିଡ଼ିଗଲା। ରକ୍ତରେ ଜୁଡୁ ବୁଡୁ ଛିଡ଼ା ପ୍ୟାଣ୍ଟ ଟି ପ୍ରାୟ ଅଧା ଅଧି ଭିଜି ଗଲାଣି, ହେଲେ ବି ହରିଆ ମୁହଁ ରେ ସେ ପାଇଁ ଟିକେ କଷ୍ଟ ର ଚିହ୍ନ ବର୍ଣ୍ଣ ଦେଖୁ ନ ଥିଲି। ସେହି ସମୟ ରେ ସନିଆ ଦୌଡ଼ି ଦୌଡ଼ି ଆସି ପହଁଚିଲା। ଆଉ ମୋତେ ଦେଖି କହିଲା ବାବୁ ଧନ୍ୟବାଦ୍।


ମୁଁ ସେମାନଙ୍କୁ ଆଣି ସେହି ସିମେଣ୍ଟ ଚୌକି ରେ ବସିବାକୁ କହିଲି, ହେଲେ ସେମାନେ ତଳେ ବସିବାକୁ ପସନ୍ଦ କଲାରୁ ମୁଁ ବି ସେମାନଙ୍କ ସହିତ ତଳେ ବସିଲି। ମୋ ପାଟିରୁ ହଟାତ୍ ବାହାରିଗଲା, ତୁମ ଘର କେଉଁଠି କିରେ???

ହରିଆ କହିଲା ବାବୁ, ମୋ ଘର ଜାଣି କଣ ହେବ, ହେଲେ ସନିଆ ଘର ପାଖ ବସ୍ତିରେ। ଆଉ ସନିଆ ଭାଇ ଘରେ ମୁଁ ରହିଯାଏ ବର୍ଷା ହେଲେ କେତେ ବେଳେ କେମିତି। ସେଇଟା ମୋ ଘର ବୋଲି ଭାବେ। ଲାଗିଲା କିଛି ଲୁଚାଉଛି ହରିଆ... ତାପରେ ମୁଁ ପଚାରିଲି, ତୁ ଏଠିକି କେମିତି ଆସିଲୁ, ହରିଆ କହିଲା ବାବୁ, ବହୁତ ବଡ଼ କାହାଣୀ କହିଲେ ରାତି ସରିଯିବ!!!! ହେଲେ ମୋ କଥା ସରିବନି। ମୋତେ ଲାଗିଲା ତେର ବର୍ଷ ର ପିଲା ଟା ଯେମିତି ପଚାଶ ବର୍ଷ ର ପ୍ରାପ୍ତ ବୟସ୍କ ଲୋକ ଟି ଭଳି ଉତ୍ତର ଦେଉଛି। ତଥାପି କହିଲି, ତୁ କହ ନା। ହରିଆ କହିଲା ବାବୁ, ଆମେ ଶୋଇବୁ କାଲି ଆମେ ସକାଳ ୬ ଟାରେ ଉଠିକି ଯିବୁ ମହାଜନ ପାଖରୁ ଆଉ କଣ୍ଢେଇ ଆଣିଲେ ବିକ୍ରି କରିବୁ।


ମୁଁ ପଚାରିଲି, ଆଛା ତୋର ଦିନରେ କେତେ ଟା କଣ୍ଢେଇ ବିକ୍ରି ହୁଏ, ହରିଆ କହିଲା ବାବୁ କାଲି ରବିବାର ଅଛି, ବିଦେଶୀ ସାର୍ ମାନେ ଆସିବେ, ଭଲ ଦି ପଇସା ହେବ। ଆଜି ୧୭୫ ହୋଇଥିଲା, ହେଲେ ଏବେ ୧୭୩ ଅଛି। ମୋ ମନରେ ଟିକେ ଦୟା ଭାବ ଦେଖା ଦେଲା, ଆଉ ସଙ୍ଗେ ସଙ୍ଗେ ପଛ ପକେଟ୍ ରୁ ଶହେ ଟଙ୍କିଆ ନୋଟ ଖଣ୍ଡେ ଧରାଇ ଦେଲି ହରିଆ ହାତରେ, ଆଉ ହରିଆ ଚମକି ଜାଇ ଠିଆ ହୋଇଗଲା , କହିଲା ବାବୁ ଦରକାର ନାହିଁ। ଆପଣ କାହିଁକି ଦେଉଛନ୍ତି???


ମୁଁ କହିଲି ଆରେ ରଖ!!!! ସଙ୍ଗେ ସଙ୍ଗେ ହରିଆ ଟିକେ ରାଗି ଜାଇ କହିଲା ବାବୁ, ମୁଁ ଭିକ ମାଗେନି, ଯଦି ଆପଣ ଦେବାକୁ ଚାହାନ୍ତି ସେ ଭିକାରୀ ବୁଢ଼ୀ ଟି କୁ ଦେଇ ଦିଅନ୍ତୁ(ହାତ ଠାରି ଦେଖାଇ ଦେଇଥିଲା ସୋଇଥିବା ବୁଢ଼ୀ ଭିକାରୁଣି ଆଡ଼କୁ) । ସେ ମାଉସୀ ଭିକ ମାଗି ଚଳେ।।।


ମୋ ଗାଲ ରେ ଶକ୍ତ ଚାପୁଡ଼ା ମାରିଲା ଭଳି ଲାଗିଲା, ହରିଆ ର ନିଷ୍ପପ କଥା ଗୁଡା। ତଥାପି ନିଜର କ୍ରୋଧକୁ ଆୟତରେ ରଖି କୋମଳ କଣ୍ଠ ରେ କହିଲି, ଆରେ ଏଇଟା ତୁ ଔଷଧ କିଣି ଲଗାଇବୁ, ନହେଲେ ଚାଲ ପାଖ ଔଷଧ ଦୋକାନକୁ ପୁଣି ଥରେ ହରିଆ କହିଲା ବାବୁ, କହିଲି ନା ମୁଁ ଭିକାରୀ ନୁହେଁ!!!!


ହକ ଖଟେ ଆଉ ଖାଏ।


ତାପରେ ମୁଁ ଲଜ୍ଜିତ ହୋଇ ସେହି ଶହେ ଟଙ୍କିଆ କୁ ମୋଡା ମୋଡ଼ି କରି ଆଗ ପକେଟ୍ ରେ ରଖିଥିଲି ଆଉ କହିଲି, ଠିକ୍ ଅଛି, ତାହେଲେ ଛାଡ। କହ ଏବେ ତୁ ଏଠିକି କେମିତି ଆସିଲୁ। ହରିଆ ବସିଗଲା ମୋ ଆଗରେ ଆଉ ଛଳ ଛଳ ଆଖିରେ କହିଲା, ବାବୁ ମୋ ଘର ବସୁପଲି ଗାଆଁ ବଲାଙ୍ଗିର ଜିଲ୍ଲା ରେ। ମୋ ବାପା ମରି ଯାଇଛି ଛୋଟ ବେଳରୁ। ମୋ ବୋଉ , ମୋ ବଡ଼ ଭଉଣୀ(୧୫ ବର୍ଷ) ଆଉ ଆମେ ତିନି ଭାଇ ମୁଁ ମଝିଆ ପିଲା। ବୋଉ ବହୁତ କଷ୍ଟ ରେ ଆମକୁ ପାଳିଥାଏ। ସବୁ ଦିନେ ବିଲରେ କାମ କରେ ଆଉ ସେଥିରୁ ଯାହା ମିଳେ ସେଥିରେ ଆମେ ପାଞ୍ଚ ପରାଣି। ଆର ବର୍ଷ ଏହି ଦିନେ ମୋ ବୋଉ ଯାଇଥାଏ ପ୍ରଧାନ ଘର କାମ କରିବାକୁ, ସନ୍ଧ୍ୟା ଆଠଟା ହେଲାଣି ହେଲେ ଆସି ନଥାଏ। ଆମ ଘରେ ଜଣେ ସତର, ଅଠର ବର୍ଷ ର ଭେଣ୍ଡିଆ ଟିଏ ପଶି ଆସି ଦିଦି କୁ ଟଣା ଓଟରା କଲା। ମୋ ଦିଦି ବିକଳ ରେ କାନ୍ଦିବାକୁ ଲାଗିଲା ସେତେବେଳକୁ ଘରେ ମୁଁ , ଦିଦି ଆଉ ସାନ ଭାଇ ସୁକୁଟା ଥାଉ। ମୋ ବଡ଼ ଭାଇ ବି ନଥାଏ।  ଦିଦି ର କାନ୍ଦ ମୋ ଦେହ ସହିଲାନି, ଚୁଲି ପାଖରେ ପଡ଼ିଥିବା କାଠ ଫାଳିଆ ରେ ଦେଲି ଦି ପାହର ସେ ଲୋକଟା ର ମୁଣ୍ଡରେ। ସେ ଲୋକଟା ସେଇଠି ପଡ଼ିଗଲା ଆଉ ଦିଦି ସୁକୁଟା କୁ ଧରି ସେଠୁ ଦୌଡ଼ି ପାଖ ଘରକୁ ପଳାଇଗଲା। ମୁଁ ଏପଟେ ଏକା ଥାଏ। ବୋଉ ଆସି ଦେଖେ ତ ଘର ସାର ରକ୍ତ, ମୋ ବୋଉ କିଛି ନବୁଝି ମୋତେ ଦୁଇ ଚାପଡ଼ା ଦେଲା ଆଉ କହିଲା, ଘରୁ ବାହାରି ଯା।


ମୁଁ ଭି ଡରିଯାଇ ଥାଏ ସେତେବେଳେ କୁ। ବୋଉ ମୋର ସେ ଲୋକକୁ ପାଣି ଛାଟିବାରେ ଲାଗି ପଡ଼ିଲା ଆଉ କହିଲା, ଜାଣିଛୁ ସେ କିଏ??, ସେ ହେଉଛି ପ୍ରଧାନ ଘର ପୁଅ ଅଜିତ। ତୁ ହରିଆ କଣ କଲୁ??, ଏବେ ଆମେ କେହି ଗାଆଁ ରେ ରହି ପାରିବା ନାହିଁ!!! ବୋଉ ମୋର କାନ୍ଦୁ ଥାଏ ଆଉ କହୁଥାଏ।


 ଏପଟେ ସେ ଲୋକଟା ର ମୁଣ୍ଡ ରେ ପଟି ବାନ୍ଧି ବାରେ ଲାଗିପଡିଲା ବୋଉ। ଆଉ ମୋ ଦିଦି ଆସି ସବୁ କଥା କହିଲା ପରେ ବି ବୋଉ ମୋର ବୁଝିଲାନି। ବରଂ କହିଲା ହରିଆ ତୁ ମୋ ଆଗରୁ ଯା। ଯୁଆଡ଼େ ଯିବା କଥା ଯା, ତୋ ମୁହଁ ଦେଖିବାକୁ ଚାହୁଁନି!!!


 ମୋ ଦିଦି ସଙ୍ଗେ ସଙ୍ଗେ ହାତ ଧରି ଘରୁ ବାହାର କରି ଆଣିଲା ହାତ ରେ ପଚାଶ ଟଙ୍କିଆ ଟିଏ ଗୁଞ୍ଜି ଦେଇ କହିଲା ମାମୁଁ ଘରକୁ ପଳା, ଦୁଇ ଚାରି ଦିନ ପରେ ଆସିବୁ। ସେତେ ବେଳକୁ ରାତି ଦଶଟା, ଟ୍ରେନ ଷ୍ଟେସନ ଆମ ଘର ପାଖରୁ ମାତ୍ର ଦୁଇଶହ ମିଟର। 


ଆସିଲା ବେଳକୁ ଭାରି କାନ୍ଦ ମାଡୁ ଥାଏ, ବୋଉ ମାରିବା ର କଷ୍ଟ ଯୋଗୁ ନୁହେଁ ବରଂ ପ୍ରଧାନ ଘର କଣ ଅସୁବିଧା କରିବେ ସେ କଥା କୁ ନେଇ!!!


ଆସିବା ଆଗରୁ ଟିକେ ଘର ଭିତରକୁ ଗଲି ଦେଖିଲି ବୋଉ ମୋର କପଡ଼ା ପୋଡ଼ି , ପୋଡ଼ା କପଡ଼ା ଅଜିତ ର ମୁଣ୍ଡ ରେ ଲଗାଉଛି,

 ଆଉ ଅଜିତ ର ମୁହଁରୁ ମଦ ଗନ୍ଧରେ ଘର ଟା ପୁରା ଗନ୍ଧାଉଛି। ଅଜିତ ର ହୋଶ ଆସି ଯାଇଥିବାରୁ, ମଦ ନିଶା ରେ କଣ କଣ ସବୁ ଏପଟ ସେପଟ ଗପୁଛି।

 ବୋଉ ତାକୁ କହୁଛି, ଅଜିତ ବାବୁ ଆପଣେ ରାସ୍ତା କଡ଼ରେ ପଡ଼ିଥିଲେ ମୁଁ ଆପଣକୁ ଉଠାଇ କି ଆଣିଲି। ଏପଟେ ଅଜିତ ବହେ ବାନ୍ତି କରି ଘର ଭସାଇ ସାରିଲାଣି। ମୋ ଦିଦି କପଡ଼ା ଆଣି ତା ବାନ୍ତି କୁ ପୋଛି ବାରେ ଲାଗି ଗଲାଣି। ମୋତେ ଲାଗିଲା ଯାହା ପାଇଁ ମୁଁ ଏତେ ସବୁ କଲି ସେ ପୁଣି ତା ବାନ୍ତି ପୋଚୁଛି। 


   ରାଗ ରେ ପଳାଇ ଆସିଲି ଷ୍ଟେସନ କୁ ଆଉ ଆସୁଥିବା ଟ୍ରେନ ରେ ବସିଗଲି, କେତେବେଳେ ନିଦ ହୋଇ ଯାଇଛି ଜାଣିନି। ସଖାଳେ ଦେଖେ ତ ସିଧା ପୁରୀରେ। ଟ୍ରେନ ରୁ ଓହ୍ଲାଇଲା ପରେ ସବୁ ନୂଆ ନୂଆ ଲାଗିଲା। ଏପଟେ ପ୍ରବଳ ଭୋକ, ପୋଲିସ ଭି ମୋତେ ଦେଖି ଦୁଇ ପାହର ଦେଇ ପ୍ଲାଟଫର୍ମ ରୁ ବାହାର କରି ଦେଲା ।

  ପାଖରେ ପଚାଶ ଟଙ୍କା ଥାଏ ବିସ୍କୁଟ ପକେଟ୍ ଟିଏ କିଣି ଖାଇବାକୁ ଯାଏ ତ ବୁଲା କୁକୁର ଟିଏ ଆସି ଠିଆ ହୋଇ ଲାଞ୍ଜ ହଲାଇବାରେ ଲାଗିଲା। ତେଣୁ ତାକୁ ସବୁ ତକ ବିସ୍କୁଟ ଦେଇ ପାଖ ନଳକୂପରୁ ପାଣି ଟୋପେ ପିଇ ଚାଲିଲି କିଛି ଲୋକଙ୍କ ପଛରେ। କେବେ ଦିନେ ଏତେ ବଡ଼ ସହର ରେ ପାଦ ଦେଇ ନଥିବାରୁ, ଏଡେ ଏଡେ ବଡ ଘର ଆଉ ଲାଇଟ ଦେଖି ଆଶ୍ଚଯ୍ୟ ଲାଗୁଥାଏ ମୋତେ ଲାଗିଲା ଯେମିତି ଅନ୍ୟ ଏକ ଗ୍ରହ ରେ ପହଞ୍ଚି ଯାଇଛି ମୁଁ। ପରେ ଚାଲି ଚାଲି ଆସିଗଲି ପୁରୀ ବଡ଼ ଦାଣ୍ଡ କୁ ଆଉ ଏତେ ଲୋକଙ୍କୁ ଏକା ସଙ୍ଗେ ଦେଖି ଅବାକ୍ ହେଇଗଲି, କାରଣ ଆମ ଗାଁ ମେଲଣ ରେ ଭି ଏତେ ଲୋକ କେବେ ଦେଖିନି କେବେ!!!


ସେ ଯାହା ହେଉ , ଭାବିଲି କିଛି କାମ କରିବି, ଲୋକମାନେ ମୋତେ ପଇସା ଦେବେ ଆଉ ସେଥିରେ ଚଳିଯିବି। ଆଉ କିଛି ପଇସା ହୋଇଗଲେ ପୁଣି ଘରକୁ ପଠାଇବି, ମୋ ବୋଉ ଆଉ ବିଲ ବାଡ଼ି କାମ କରିବାକୁ ଯିବନି। 


ହରିଆ ଆଖିରେ ଗୋଟିଏ ବଡ ପ୍ରଶ୍ନବାଚୀ ର ଅୟମାରମ୍ଭ ସହିତ ଆଖିରେ ଆଖିଏ ସ୍ବପ୍ନ ଉଙ୍କିମାରୁ ଥିବାର ଲକ୍ଷ୍ୟ କରୁଥାଏ ମୁଁ, ଏପଟେ ଭଗବାନ୍ ଙ୍କୁ ଡାକୁଥାଏ। ଏକ ଲୟ ରେ ଶୁଣୁଥାଏ ହରିଆ ର କଥା ସବୁକୁ, ଯେମିତି ଛୋଟ ବେଳେ ମୁଁ ମୋ ଜେଜେ ମା ର ଗପ ଶୁଣିଲା ଭଳି। ଆଉ ଭାବୁଥାଏ, ଏତେ କଷ୍ଟ କଣ ଛୋଟ ପିଲାଟିର ଭାଗ୍ୟ ରେ ଅଛି।!!! ମୋ ଆଖିରେ ଭି ଆପଣା ଛାଏଁ ଲୁହ ବହି ଆସି ଗଣ୍ଡ ଦେଶରେ ବୋହିଯିବାର ଲକ୍ଷ୍ୟ କରି , ହାତ ବଢ଼ାଇ ପୋଛି ଦେଇଥିଲା ହରିଆ କହିଲା ବାବୁ,ମୁଁ ଏହି ଯୋଗୁ କହୁ ନଥିଲି। ମୁଁ ନିଜର ଦୁର୍ବଳତା କୁ ଲୁଚାଇ ବାକୁ ଜାଇ କହିଲି ଆରେ ନା ରେ ମୋତେ ଥଣ୍ଡା ଧରି ଯାଇଛି, ତେଣୁ ଆଖିରୁ ପାଣି ଗୁଡା ବାହାରି ଆସୁଛି। ଟିକେ ମୋଟା ଗଳା ରେ କହିଲି ତୁ କହ ତ!!!

 

ହରିଆ ପୁଣି ଆରମ୍ଭ କଲା, ବାବୁ ସେତେ ବେଳକୁ ଦିନ ୧୨ କୁ ଗୋଟିଏ ହେବ, କଣ କରିବି???, କଣ କରିବି???,

ଏହି କଥା ଭାବୁ ଭାବୁ, ପାଖରେ ଥିବା ଜଳଖିଆ ଦୋକାନ କୁ ଗଲି କହିଲି ବାବୁ ମୋତେ କାମ ଦେବ??? 


ଦୋକାନୀ କହିଲା ନା କାମ ଦେଇ କି କଣ ନାମ ନେବି। ପୋଲିସ ଆସିଲେ ମୋତେ ନେଇକି ଥାନା ରେ ରଖିବ କଣ ନା ପିଲା ଶ୍ରମିକ କୁ ଖଟାଉଛୁ!!!!


ଏହି ନେ ବରା ଦିଇଟା ଆଉ ଯା ଏଠୁ। ମୁଁ ବରା ନେବିନି ବୋଲି ମନା କଲି, ସେ ମୋତେ ବିଦ୍ରୁପ କରି କହିଲା 

ଆରେ ଏଗୁଡ଼ାଙ୍କ ବହପ ବହୁତ୍, ଭିକାରୀ ଗୁଡା କେଉଁଠୁ ଆସୁଛନ୍ତି ଜଣା ନାହିଁ, କଣ ନା କାମ କରିବେ!!!!


ମୁଁ ଭିକାରୀ ନୁହେଁ ବୋଲି ପ୍ରତିବାଦ କଲାରୁ ମୋତେ ଲୁହା ଖଡ଼ିକା ଉଠାଇ ବାଡେଇ ବାକୁ ଗୋଡାଇଲା। 


ତାପରେ ପାଖ ହୋଟେଲ କୁ ଗଲି, ହୋଟେଲ ମାଲିକ କୁ କହିଲି , ବାବୁ ମୋତେ କାମ ଦେବ??? ମୁଁ ସବୁ କାମ କରିବି। 


ହୋଟେଲ୍ ମାଲିକ କହିଲା ଜା ସେ ଅଇଁଠା ବାସନ ସବୁ ଧୋଇଦେ।

 କୋଡ଼ିଏ ଟଙ୍କା ଦେବି, ମୁଁ ଅଇଁଠା ବାସନ ମାଜିବାକୁ ଯାଏତ, ଏହି ସମୟ ରେ ଜଣେ ବାବୁ ମୋ ଉପରକୁ କୁଲକୁଚା ପକାଇଲା

 ମୁଁ ବାରଣ କଲାରୁ ହୋଟେଲ ମାଲିକ ମୋତେ ବାଡ଼ିରେ ଦୁଇ ପାହର କଷି ଦେଲା ଆଉ କହିଲା ବାହାରେ ଏଠୁ। ଶଳା ଭିକାରୀ ତୋ ଦେଇ କିଛି ହେବନି, ସାର ଙ୍କୁ ଭୁଲ ମାଗେ ନହେଲେ ପୋଲିସ କହିବି ତୁ ଚୋରି କରୁଥିଲୁ। 

ମୁଁ ମନା କଲା ରୁ ମୋତେ ପୋଲିସ ହାତ ରେ ଦେଇ ଦେଲା। ତାପରେ ପୋଲିସ ବାବୁ ଭି କିଛି ନ ବୁଝି ବାଡେଇ ବାରେ ଲାଗି ଗଲେ। ଆଉ ମୁଁ ଜୀବନ ବିକଳେ ଦୌଡ଼ି ପଲାଇ ଆସି, ବଡ଼ଦାଣ୍ଡ ରେ ବସିଗଲି। 


ମୋ ପାଖରେ ଥିବା ପଇସା ଭି କେଉଁଠି ପଡ଼ିଗଲା। ଭୋକ ଉପାସ ରେ ବୁଲି ବୁଲି ରାତି ହୋଇଯାଇଥାଏ। ବଡ଼ ଦାଣ୍ଡ ରେ ଏପଟ ସେପଟ ବୁଲି ବୁଲି, ଥକା ହୋଇ ସୋପଡ଼ିଲି ଗୋଟିଏ ଦୋକାନ ପିଣ୍ଡା ରେ।  ରାତି ଅଧରେ ରେ ଜଣେ ଲୋକ ଆସି ମୋତେ କହିଲା 

ଏ ପିଲା ଏଠି କଣ ବସିଛୁ, ଏଇଠି ବସିଲେ ପଇସା ଦେବାକୁ ପଡେ। ଏଇଟା ଆମ ଭିକାରୀ ମାନଙ୍କ ଜାଗା। ଉଠିବୁ ନା ଦେବି ପାହରେ।


ମୁଁ ବି କିଛି ପ୍ରତିବାଦ ନ କରି ଉଠି ଚାଲି ଆସିଲି।

 ଭୋକରେ ପେଟ ଜଳୁଥାଏ ସେତେ ବେଳକୁ। କଣ କରିବି କିଛି ଭାବି ପାରୁ ନଥାଏ। ସେତେବେଳେ କୁ ରାତି ବାରଟା ପାଖାପାଖି।ଆଉ ଥରେ ପାଖ ନଳ କୁପରୁ ପାଣି ଟୋପେ ପି ପାଖ ଦୋକାନ ପିଣ୍ଡା ରେ ସୋଇଛି କି ନାହିଁ। ଦେଖିଲି କିଛି ଉନ୍ମାଦ ଯୁବକ ମୋଟର ସାଇକେଲରେ ଆସି କଣ ସବୁ ଧଳା ଧଳା ପାଉଡର କୁ ନାକ ରେ ଶୁଙ୍ଘି ପାଗଳ ପ୍ରାୟ ବିଳାପ କରୁଛନ୍ତି। ସେମାନଙ୍କ ଭିତରୁ ଜଣେ ଆସି ମୋତେ ଗୋଟିଏ ଗୋଇଟା ପକାଇଲା ଆଉ ମୁଁ ତଳେ ପଡ଼ିଲି, ବହୁତ୍ ରାଗ ଲାଗୁଥାଏ ହେଲେ କିଛି କରିପାରିଲିନି, ଉଠି ଚାଲିଆସିଲି ସେଠାରୁ। ତାପରେ ସିଧା ଟ୍ରେନ ରେ ବସି ଚାଲି ଆସିଲି କୋଣାର୍କ କୁ। ଆଉ ତା ପର ଦିନ ଆସିଲି ମୋର ଦେଖା ହେଲା ସନିଆ ଭାଇ ସହିତ। ସେବେ ଠୁଁ ମୁଁ ସନିଆ ଭାଇ ସାଙ୍ଗରେ ଅଛି। ଆମେ ଦୁଇଜଣ ଭାରି ସାଙ୍ଗ, ଆମେ ବୟସ ରେ ସମାନ ହେଲେ ଭି ଦୁହେଁ ଦୁହିଁଙ୍କୁ ଭାଇ ବୋଲି ଡାକୁ। ସନିଆ ଭାଇ ଭି ମୋତେ ବହୁତ୍ ସାହାଯ୍ୟ କରିଛି। ତା ଯୋଗୁ ମୁଁ ଆଜି ନିଜେ ଭିକ ନ ମାଗି ଖଟି ପେଟ ପୋଷଛି। ଆଉ ଯେଉଁ ଦିନ ମୋ ପାଖରେ ହଜାର ଟଙ୍କା ହେବ ମୁଁ ମୋ ବୋଉ ପାଖକୁ ପଠାଇବି। ହେଲେ ହୋଇ ପାରୁନି। ଏଯାଏଁ ପାଞ୍ଚଶହ ପଞ୍ଚାବନ ହୋଇଛି। ଅପେକ୍ଷା କରିଛି କେବେ ଆଉ ଚାରିଶହ ପାଇଞ୍ଚଳିଶି ଟଙ୍କା ହେବ ମୋ ବୋଉ ପାଖକୁ ପଠାଇବି।


ଏ ସବୁ ଶୁଣବାପରେ ପରେ ମୋର ହୃଦୟରେ ଗୋଟିଏ ଆନ୍ଦୋଳନ ସୃଷ୍ଟି ହୋଇ ସାରିଥାଏ, ଆଖିରେ ଆଖିଏ ଲୁହ ଜମାଟ ବାନ୍ଧି କହିଲି ହରିଆ, ତୁ ପାଠ ପଢ଼ିବୁ, କହ ଯଦି କହିବୁ ତାହେଲେ ତୋତେ ମୁଁ ପାଠ ପଢ଼ାଇ ବି ଆଉ ମୋ ଘରକୁ ନେଇଯିବି। ହରିଆ ସଙ୍ଗେ ସଙ୍ଗେ କହିଲା ବାବୁ ଧନ୍ୟବାଦ୍ ହେଲେ ସନିଆ ଭାଇ ର ମା ଅନ୍ଧ!!! ମୋର ପ୍ରଥମ କାମ ହେଲା କିଛି ପଇସା ରଖି କି ସନିଆ ଭାଇ ବୋଉର ଆଖି ଅପରେସନ କରାଇ ବି। ସନିଆ ଭାଇ ଓ ମୁଁ ସେଥିପାଇଁ ପ୍ରତିଦିନ କୋଡ଼ିଏ ଟଙ୍କା କୁମ୍ପିରେ ରଖୁଛୁ। ଡାକ୍ତର ବାବୁ କହିଛନ୍ତି ପାଞ୍ଚ ହଜାର ଟଙ୍କା ଲାଗିବ, ଏବେ ଆମ ପାଖରେ ୨୩୦୦ ହୋଇ ଗଲାଣି। ସନିଆ ଭାଇ ବୋଉର ଅପରେସନ ହୋଇଗଲେ ମୋର ଗୋଟିଏ ବଡ଼ କାମ ସରିବ।

ଶ୍ରଦ୍ଧାରେ କୋଳେଇ ଆଣିଲି ହରିଆକୁ କହିଲି, ହରିଆ ତୋ ଭଳି ପୁଅ ଟିଏ ପାଇ ସତରେ ତୋ ବାପା ମା କେତେ ଭାଗ୍ୟବାନ।

ହରିଆ କିଛି ନ ବୁଝି ଖାଲି କହିଲା ବାବୁ, ଶୁଣ ଯଦି କିଛି କରିବାର ଅଛି ତାହେଲେ ଆପଣ ସନିଆ ଭାଇ ବୋଉ ପାଇଁ ଭଲ ଡାକ୍ତର ଙ୍କୁ ଟିକେ ଯୋଗ ଯୋଗ କରି ଦେବ!!!!


ମୁଁ କହିଲି ଠିକ୍ ଅଛି ହରିଆ ,ଗୋଟିଏ କାମ କର ମୁଁ ତୋତେ ପଇସା ଦେବିନି ହେଲେ ସନିଆ ବୋଉ ର ଅପରେସନ ପାଇଁ କୁ ଆଉ ବଳକା ପଇସା ଡେଇଦେବି, ତୁ ମନା କରନା।


ମୁଁ ଭାବୁଥାଏ, ଗୋଟିଏ ଦିନ ରେ ଆମେ ପ୍ରାୟ ପାଞ୍ଚ ହଜାର ଖର୍ଚ୍ଚ କରୁଛନ୍ତି, ମୋ ପୁଅ ଗୋଟେ ଗୋଟିଏ ଖେଳନାର ଦାମ ୫୦୦/୬୦୦ ଟଙ୍କାରୁ କମ ନୁହେଁ, ଗୋଟିଏ ଗୋଟିଏ ସାର୍ଟ ପ୍ୟାଣ୍ଟ ର ଦାମ ଦୁଇ ହଜାର ରୁ କମ ନୁହେଁ।।


ହରିଆ ଖୁସି ହୋଇ କହିଲା, ସନିଆ କୁ ଅନାଇ କି କହିଲା, ସନିଆ ଭାଇ କଣ କହୁଛୁ??? ସନିଆ ଟିକେ ଦୋ ଦୋ ପାଞ୍ଚ ହୋଇ କହିଲା ରହ ମୋ ବୋଉ କୁ ପଚାରେ ନହେଲେ ସେ ରାଗିବ।।।!!!!


ହରିଆ ଭି ମୁଣ୍ଡ ରେ ହାତ ମାରି କହିଲା, ସତ କଥା ବାବୁ, ମାଉସୀ ଯାହା କହିବେ ସେଇଟା ହେବ। ଖାଲି ତୁମେ ଭଲ ଡ଼ାକ୍ତର ଟି ବୁଝି ଦିଅ ନା।


ମୁଁ ଲକ୍ଷ୍ୟ କରୁଥାଏ ଦୁଇ ସରଳ ନିଷ୍ପାପ ହୃଦୟକୁ, ସେମାନଙ୍କ ଆତ୍ମା ସ୍ୱାଭିମାନକୁ, ସେମାନଙ୍କ ନିରୀହ ଆଖି ଚାରୋଟିକୁ।


ସତରେ କିଏ ଏମାନେ, ଏମାନେ ଭି ଆମ ସମାଜର ଗୋଟିଏ ଗୋଟିଏ ଅଙ୍ଗ ହେଲେ କାହିଁକି ଏମାନେ ଅବେହେଳିତ, ଏଥି ପାଇଁ କିଏ ଦାୟୀ, ଏମାନେ ନା ଆମେ ମାନେ???

କଣ ଭୁଲ କରିଥିଲା ହରିଆ ଆଉ ସନିଆ??? କଣ ଗରିବ ଘରେ ଜନ୍ମ ହେବା ଭୁଲ??? 


ଆପଣମାନେ ଥରେ ନିଜ ହୃଦୟକୁ ପଚାରନ୍ତୁ, ସମସ୍ତ ଉତ୍ତର ପାଇଯିବେ।!!!!


                 


Rate this content
Log in

Similar oriya story from Abstract