ଅନୁତାପ
ଅନୁତାପ


ଆଲୋ ମା ନିତା,ନେଲୁ, ଆଁ କଲୁ.. ଦହି ଟିକେ ପାଟିରେ ଦେଇ ବାହାରିଲେ କୁଆଡେ ଶୁଭ ହୁଏ ବୋଲି ତୋ ମା କହୁଥିଲା. (ରାମ ଚାମୋଚେ ଦହି ନିତା କୁ ଖୁଆଇଦେଲେ) ପେଟ ପୁରା ଖାଇଛୁ ତ, ଦଶଟା ବେଳେ ଆରମ୍ଭ, ଡେରି ହେଇଯାଇପାରେ,ଭୋକ ଲାଗିବ ଯେ! "ଓହୋ ବାପା, ସବୁ ସରିଛି, ଚାଲ ଏବେ, ଡେରି ହେଇଯିବ ନହେଲେ!"- ନିତା ସାମାନ୍ୟ ବିରକ୍ତି ଭାବ ପ୍ରକାଶି କହିଲା. ନିମ୍ନମଧ୍ୟବିତ୍ତ ପରିବାର ର ଅଟୋଚାଳକ ରାମ,ଏଇ ବୃଦ୍ଧ ବୟସରେ ବି ମା ଛେଉଣ୍ଡ ଗୋଟେ ବୋଲି ଝିଅ ନିତା କୁ ସାଧ୍ୟ ମତେ ସବୁ ଖୁସି ଦେଉଥାଏ.କେତେ କଷ୍ଟ କରି ମା ଗଲା ଦିନ ରୁ ଏଡିକି ରୁ ଏଡୁଟିଏ କରିଛି.ସେଇ ଝିଅ ଆଜି mnc କମ୍ପାନୀ ରେ ବଡ ଚାକିରୀ ପାଇଛି ବୋଲି ତା ଗୋଡ ତଳେ ଲାଗୁନଥାଏ, ତା ପରିଶ୍ରମ ଆଜି ସାର୍ଥକ ହେଇଛି ବୋଲି ସେ ଖୁସି, ଖାଲି ଗୋଟେ କାମ ବାକି କେମିତି ହାତ କୁ ଦିହାତ କରିଦେଲେ ଶାନ୍ତି ରେ ନିଶ୍ୱାସ ଯିବ ବୋଲି ଭାବୁଥାଏ. ନିତା କୁ ନିଜ ଅଟୋ ରେ ବସେଇ କମ୍ପାନୀ କୁ ନେଉ ନେଉ ରାମ ଏଇସବୁ କଥା ଭାବୁଥାଏ. ମୁଖ୍ୟ ଫାଟକ ପାଖେ ପହଞ୍ଚିବା ପରେ ଦୂରର ଏକ ନିଛାଟିଆ ଜାଗା କୁ ଇଙ୍ଗିତ କରି ନିତା କହିଲା,"ବାପା ତୁମେ ଅଟୋ କୁ ଏଇ ଜାଗା ରେ ରଖ, ଗାଡି ରୁ ବାହାରକୁ ବାହାରିବନି, ଯଦି କିଏ କିଛି ପଚାରେ କୌଣସି ଉତ୍ତର ଦେବନି,ଆଜି ଅଫିସ ରେ ମୋ ପ୍ରଥମ ଦିନ ମୋ ସହ ବହୁତ ବଡବଡିଆ ଲୋକ ଙ୍କ ପିଲା ଏ ଜାଗାରେ ନିଯୁକ୍ତି ପାଇଛନ୍ତି, ସେମାନେ ଦାମୀ କାର ରେ ନିଜ ବାପା ମା ଙ୍କ ସହ ଆସିଥିବେ ନିହାତି. ପରିଚୟ ସମାରୋହ ଧୁମଧାମ ରେ ହେବ ବୋଲି ଚିଠିରେ ଲେଖାଥିଲା. ସବୁ ସରିଲେ ମୁଁ ଫୋନ କରିଦେବି. ଭୋକ ଲାଗିଲେ କଣ ଟିକେ ଖାଇ ଦେଇ ଅଟୋ ରେ ବସିଥିବ. ପକେଟ ରୁ ମଳିଛିଆ ରୁମାଲ କାଢି ମୁହଁ ପୋଛି ଝିଅ ଆଡକୁ ଚାହିଁଲେ ବୃଦ୍ଧ ରାମ! ତୁ ଜମା ବ୍ୟସ୍ତ ହେବୁନି ରେ ମା! ତୋ ବୁଢ଼ା ବାପା ଏଇ ଜାଗାରେ ଅପେକ୍ଷା କରିଥିବ, ମୋର ଏତେ ବର୍ଷ ର ତପସ୍ୟା ଆଜି ସଫଳ ହେଇଛି, ତୋ ମା ଥିଲେ କେତେ ଖୁସି ହେଇଥାନ୍ତା ନା! ସେତିକି ବେଳକୁ ନିତା ରାମ ଆଖି ସାମ୍ନାରୁ ଅଦୃଶ୍ୟ ହୋଇଯାଇଥିଲା. ପରିଚୟ ସମାରୋହ ପ୍ରାରମ୍ଭ ଭାଷଣ ସମାପନ ହୋଇଥାଏ. ଜଣଜଣ କରି ନୂତନ ନିଯୁକ୍ତ କର୍ମଚାରୀ ମାନେ ନିଜର ପରିଚୟ ପ୍ରଦାନ କରୁଥାନ୍ତି. ଏହି ସମୟରେ.... ଜଣେ ତରୁଣୀ ମଞ୍ଚ ଉପରକୁ ଉଠିଲେ, କିନ୍ତୁ ସେ ଏକା ନଥିଲେ,ତାଙ୍କ ସହ ସେ ଅନ୍ୟଜଣଙ୍କୁ ବି ମଞ୍ଚ ଉପରକୁ ନେଉଥିଲେ, ଏପରି ପ୍ରତୀତ ହେଉଥିଲା ଯେ ସେ ବ୍ୟକ୍ତି ଉପରକୁ ଯିବାକୁ କୁଣ୍ଠାବୋଧ ପ୍ରକାଶୁଥିଲେ, ତରୁଣୀ ଜଣଙ୍କ ସମ୍ମାନ ସହ ତାଙ୍କ ହାତ ଧରି ଉପରକୁ ନେଲେ. ଧଳା ଧୋତିଟି ମଇଳା ହେଇଯାଇଛି,ଟେରୀକଟ ଜାମା, କାନ୍ଧରେ ଗୋଟେ ଗାମୁଛା,ପାଦ ର ଜୋତା କଥା ନକହିଲେ ଭଲ, ସମସ୍ତେ ଆଚମ୍ବିତ କିଏ ଏହି ଲୋକ! ତରୁଣୀ ଜଣକ ପରିଚୟ ଆରମ୍ଭ କରି କହିଲେ, ମୋ ପରିଚୟ ଦେବା ଆଗରୁ ମୁଁ ୟାଙ୍କ ପରିଚୟ ଦେବି, ଶ୍ରୀ ଦୟାନିଧି ବିଶ୍ୱାଳ, ସରଳ, ନିଷ୍କପଟ କିନ୍ତୁ ପରିଶ୍ରମୀ, ଦୁଇ ବଖରା ଚାଷ ଜମି ଆମର, ଘରେ ଛ ପ୍ରାଣୀ କୁଟୁମ୍ଭ ତଥାପି ଶିକ୍ଷା ର ମହତ୍ୱ ବୁଝି ମୋତେ ଆଣି ଏପରି ସ୍ଥାନ ରେ ଛିଡା କରେଇଥିବା ବ୍ୟକ୍ତି ମୋ ବାପା, ଆଜି ମୁଁ ଗର୍ବିତ ସେ ମୋ ବାପା, କୋଟି ଜନ୍ମ ର ପୂଣ୍ୟ ବଳରେ ଏମିତି ପିତା କୋଳେ ଜନ୍ମନେଇଛି ମୁଁ, ମୁଁ! ଅନୁପମା, ଏତିକି ମୋ ପରିଚୟ". କୋହ ଭରା କଣ୍ଠ ରେ ତରୁଣୀ ନିଜ ପରିଚୟ ଦେଲେ,ସମଗ୍ର ହଲ ଟି କରତାଳି ରେ କମ୍ପିଗଲା.ଖୁସି ର ଦୁଇ ଠୋପା ଅଶ୍ରୁ ଦୟାନିଧି ଙ୍କ ଆଖି ରୁ ବି ବହି ଯାଉଥିଲା. ଧିରେଧିରେ ପରିଚୟ ସମାରୋହ ଶେଷ ହେଲା, କର୍ମକର୍ତ୍ତା ସଭାସାଙ୍ଗ କଲେ, କିନ୍ତୁ ନିତା ସେତେବେଳକୁ ବ୍ୟସ୍ତ ବିବ୍ରତ ହେଇଗଲାଣି.ସଭା ଶେଷ ହେବା ମାତ୍ରେ ସେ ଦୌଡ଼ିଗଲା ସେଇ ଜାଗାକୁ ଯେଉଁଠିକୁ ସେ ତା ବାପା କୁ ରହିବାକୁ ଇଙ୍ଗିତ ଦେଇଥିଲା. କାନ୍ଦକାନ୍ଦ ହୋଇ ଲୋଟିପଡିଲା ବାପା ପାଦରେ, ବଡ଼ଚାକିରୀ, ବଡବଡିଆ ହାବଭାବ ର ସମସ୍ତ ଅହଂ ପାଚେରୀ ତାର ଚୁନା ଚୁନା ହେଇଯାଉଥିଲା, ଅନୁତାପ ର ଗଙ୍ଗା ଯମୁନା ରେ ସେ ଧୋଇଚାଲିଥିଲା ତା ବାପା ଙ୍କ ପାଦ କୁ, ଝିଅ କୁ କୋଳେଇନେଇ ରାମ ବି, ଛାତି ରେ ଯାକିଧରି କିଛି ବୁଝନ୍ତୁ ନବୁଝନ୍ତୁ କାନ୍ଦିବାକୁ ଲାଗିଲେ.
ଅରବିନ୍ଦ ରଥ ଙ୍କ ଗଳ୍ପ ଅଂଶ...ତାଙ୍କୁ ଅଶେଷ ଅଭିନନ୍ଦନ... ଖୁବ ସୁନ୍ଦର ଗଳ୍ପ ଅଂଶ..