Santosh Kumar Misra

Inspirational Drama

2.1  

Santosh Kumar Misra

Inspirational Drama

ଅନୁଭୂତି - ୧୫ ବିନ୍ଧ ଗଣିବାନି

ଅନୁଭୂତି - ୧୫ ବିନ୍ଧ ଗଣିବାନି

7 mins
698



ମୋତେ ଯେଉଁ ବ୍ଲକ ଅଫିସ୍‌ରେ ବିଡିଓ ଭାବରେ ନିଯୁକ୍ତି ମିଳିଥିଲା ସେଠାକାର ଜଣେ

ଲୋକ ପ୍ରତିନିଧି ଖୁବ୍‌ ଲୋକପ୍ରିୟ ବୋଲି ଦମ୍ଭର ସହିତ ଦାବି କରୁଥିଲେ । ମୁଁ ଯେଉଁ ଦିନ କାର୍ଯ୍ୟଭାର ସମ୍ଭାଳିଲି ସେହିଦିନ ଅପରାହ୍ନରେ ମୋତେ ସେହି ପ୍ରତିନିଧିଙ୍କର କିଛି ଅନୁଗାମୀ ଲୋକ ସାକ୍ଷାତ କରିବାକୁ ଆସିଗଲେ । ହାତରେ ବଡ ବଡ ଫୁଲତୋଡା ଆଉ ହାଣ୍ଡି ଭର୍ତ୍ତି ବଡ ବଡ ରସଗୋଲା ଧରିଥାଆନ୍ତି । ମୁଁ କିଛି କହିବା ଆଗରୁ ମୋ ଟେବୁଲ ଆଗରେ ପଡିଥିବା ଖାଲି ଚୌକିରେ ସେମାନଙ୍କ ମଧ୍ୟରୁ କିଛି ବସିଗଲେ । ଯାହାକୁ ବସିବାର ସୁଯୋଗ ନମିଳିଲା ତାର ଫରମାଇସ୍‌ ଆସିଗଲା ତୁରନ୍ତ ଚୌକିର ବ୍ୟବସ୍ଥା କରିବାକୁ । ମୁଁ ସେ ସବୁକୁ ଅଣଦେଖା କରି ସେମାନଙ୍କର ପରିଚୟ ପଚାରିଲି । କିଏ କହିଲା ସେ ପ୍ରତିନିଧିଙ୍କର ପ୍ରତିନିଧି, କିଏ କହିଲା ସେ ପ୍ରତିନିଧିଙ୍କର ପ୍ରେସ୍‌ ଉପଦେଷ୍ଟା, କିଏ କହିଲା ସେ ପ୍ରତିନିଧିଙ୍କର ମେଣ୍ଟର୍‌ ଇତ୍ୟାଦି ଇତ୍ୟାଦି । ପରିଚୟ ସହିତ କିଛି କିଛି ମାଗଣା ପରାମର୍ଶ ମଧ୍ୟ ଆସିଗଲା ଯେ ମୁଁ ଯାହା ଯାହା କରିବି ତାର ଯଥେଷ୍ଟ ପୂର୍ବରୁ ସେମାନଙ୍କ ସହିତ ଆଲୋଚନା କରିବି ଅଥବା ପ୍ରତିନିଧିଙ୍କ ସହିତ ପୂର୍ବାଲୋଚନା ପରେ କରିବି । ଅନ୍ୟଥା ମୋତେ ବହୁତ ହଇରାଣ ହେବାକୁ ପଡିବ ।


                       ସୁରୁଖୁରୁରେ ମୁଁ କିପରି ଆଗାମୀ ସମୟ ସେଠି କାଟିବି ବା କାଟିପାରିବି ତାର ଗୁରୁ ମନ୍ତ୍ରଣାଟି ଦେଇସାରି ସେମାନେ ଖୁବ୍‌ ଉତ୍ସୁକତାର ସହିତ ମୋର ଉତ୍ତରକୁ ଅପେକ୍ଷା କରିଥିବା ମୁଁ ଅନୁଭବ କଲି । ମୁଁ କହିଲି - ଏବେ ତ ଆମର ପରିଚୟ ହେଲା ତାହା ବି ଅସମ୍ପୁର୍ଣ୍ଣ । ଆପଣ ଖାଲି ଆପଣଙ୍କ କଥା କହିଲେ, ଆଉ କେବେ ଆସିଲେ ଯଦି ଆବଶ୍ୟକ ହୁଏ ତେବେ ମୁଁ ମଧ୍ୟ ମୋ ବିଷୟରେ କିଛି କଥା ଆପଣମାନଙ୍କୁ କହିବାକୁ ଚାହିଁବି । ମୋର ଉତ୍ତର ସେମାନଙ୍କୁ ପସନ୍ଦ ଆସିଲାନି । ସେମାନେ ତୁରନ୍ତ ମୋ ପ୍ରକୋଷ୍ଠରୁ ବହାରିଯାଇ ପ୍ରକୋଷ୍ଠ ବାହାରେ ପରୋକ୍ଷରେ ମୋତେ ଭୟଭୀତ କରେଇବା ଉଦ୍ଦେଶ୍ୟରେ କିଛି ଏପରି ଆଚରଣ କରିବାକୁ ଲାଗିଲେ ଯାହା ସେଦିନ ଅଫିସ୍‌ରେ ଉପସ୍ଥିତ ଥିବା କିଛି ଜନସାଧାରଣ ପସନ୍ଦ କରି ନଥିଲେ । କେହିଜଣେ ପୋଲିସ୍‌ କୁ ଫୋନ୍‌ କରି ଦେଇଥିବାରୁ ସ୍ଥାନୀୟ ଥାନା ଅଧିକାରୀ ଆସି ପହଞ୍ଚିଗଲେ ଆଉ ମୁଁ କେତେଦୂର ନିଜକୁ ସୁରକ୍ଷିତ କରିପାରିବି ତାର ଆକଳନ କରିବାକୁ ଲାଗିଲେ । କାରଣ ସେ ଭଲ ଭାବରେ ଜାଣିଥିଲେ କି ସେହି ଗଣ୍ଡଗୋଳକାରୀ ଲୋକ ମାନେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କର ଅନୁଗାମୀ ଏବଂ ସେ ଚାହିଁଲେବି ସେମାନଙ୍କ ପ୍ରତି କଠୋର ଆଚରଣ ଦେଖେଇ ପାରିବେ ନାହିଁ ।


                       ଏମିତି ଛକାପଞ୍ଝାରେ କିଛି ଦିନ ଗଡିଲା । ଗୋଟିଏ ପର୍ବର ସମୟ ଆସିଥାଏ । କି ପ୍ରକାରର ପର୍ବ ଠିକ୍‌ ଭାବରେ ମନେ ପଡୁନି ଏବେ । ସେହି ଉପଲକ୍ଷେ ନିକଟବର୍ତ୍ତି ଏକ ଗ୍ରାମରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥାଏ । ରାଜ୍ୟର ଜଣେ ବରିଷ୍ଠ ନେତା ମୂଖ୍ୟ ଅତିଥି ଓ ସ୍ଥାନୀୟ ଲୋକ ପ୍ରତିନିଧି ସମ୍ମାନିତ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥାଏ । ଲୋକ ପ୍ରତିନିଧିଙ୍କର କଡାକଡି ନିର୍ଦ୍ଦେଶ ଥିଲା ଗାଁ ଲୋକଙ୍କୁ କି ସେମାନେ ଯେପରି ମୋତେ ସେଠାକୁ ନଡାକିବେ କାରଣ ବ୍ଲକ ଅଞ୍ଚଳ ଭିତରେ କୌଣସି ଗ୍ରାମରେ ଯାହା ବି କିଛି କାର୍ଯ୍ୟକ୍ରମ ହେଲେ ବିଡିଓଙ୍କୁ ସେଠାକୁ ନିମନ୍ତ୍ରଣ କରିବାକୁ ଗ୍ରାମବାସୀ ଏକ ସୌଜନ୍ୟତା ବୋଲି ଭାବି ଥାଆନ୍ତି । ଯାହା ବି ହେଉ ଏହି କ୍ଷେତ୍ରରେ ଗ୍ରାମବାସୀ ନାଚାର ହେଲେ । କିଛି ଲୋକ ମୋତେ ଭେଟି ସେ ସମ୍ପର୍କରେ ସୂଚନା ମଧ୍ୟ ଦେଲେ । ମୁଁ ଅନ୍ୟ ଭାବରେ ବ୍ୟସ୍ତ ରହୁଛି ତେଣୁ ସେମାନଙ୍କର ନିମନ୍ତ୍ରଣ ରକ୍ଷା କରି ପାରୁନି କହି ସେମାନଙ୍କୁ ବୁଝାସୁଝା କରି ପଠେଇଲି । ପରେ ଜିଲ୍ଲାପାଳଙ୍କ ଅଫିସ୍‌ରୁ ଏକ ନିର୍ଦ୍ଦେଶନାମା ଆସିଲା କି ବରିଷ୍ଠ ନେତା ମହୋଦୟଙ୍କର ଗସ୍ତ କାଳରେ ଆଇନ ଶୃଙ୍ଖଳା ରକ୍ଷା ଉଦ୍ଦେଶ୍ୟରେ ମୋତେ ମାଜିଷ୍ଟ୍ରେଟ୍‌ ଭାବେ କାର୍ଯ୍ୟ ନିର୍ବାହ କରିବାକୁ ହେବ ।  ତେଣୁ ମୁଁ ଆଗପଛ କିଛି ନଭାବି ଜିଲ୍ଲାପାଳଙ୍କର ନିର୍ଦ୍ଦେଶ ମାନି ନିର୍ଦ୍ଧାରିତ ସମୟର ଅବ୍ୟବହିତ ପୂର୍ବରୁ କର୍ଯ୍ୟକ୍ରମ ସ୍ଥଳୀରେ ଉପସ୍ଥିତ ହେଲି । ମୋତେ ଦେଖି ଲୋକ ପ୍ରତିନିଧିଙ୍କର ଅନୁଗାମୀ ମାନେ ଫୁସୁରୁଫାସର ହେବା ଆରମ୍ଭ କରିଦେଲେ । କିଏ କେଉଁ ପରିସ୍ଥିତିରେ ଓ କାହିଁକି ମୋତେ ସେଠିକି ଡାକିଛି ତାର ଅନୁସନ୍ଧାନ ଆରମ୍ଭ ହେଇଗଲା । ଖୋଦ୍‌ ପ୍ରତିନିଧି ମୋ ଯିବାକୁ ନେଇ ଗ୍ରାମବାସୀଙ୍କୁ ଧମକେଇଲେ ଏବଂ ମୋତେ ଅପମାନିତ କରେଇବାର ଏକ ସୁଚିନ୍ତିତ ପନ୍ଥା ଖୋଜିନେଲେ । ମୋତେ ଭଲ ପାଉଥିବା କିଛି ଲୋକ ଏ ବିଷୟରେ ମୋତେ ତୁରନ୍ତ ସୂଚିତ କଲେ । ମୁଁ କିନ୍ତୁ ସେଥିରେ ବିଚଳିତ ନହୋଇ ନିର୍ବିକାର ଭାବରେ ମୋ କର୍ତ୍ତବ୍ୟ କରୁଥାଏ ।

                       ନିର୍ଦ୍ଦିଷ୍ଟ ସମୟରେ ନେତା ପହଞ୍ଚିଲେ ସଭାସ୍ଥଳରେ । ସାଙ୍ଗରେ ସ୍ଥାନୀୟ ପ୍ରତିନିଧି ଥିଲେ । ଏକ ଜୋରଦାର୍‌ ଶୋଭଯାତ୍ରା ଅବିଳମ୍ବେ ଆରମ୍ଭ ହେଲା । ପଟୁଆର ଭିତରୁ ନେତାଙ୍କର ଆଖି ମୋ ଉପରେ ପଡିଲା । ସେ ମୋତେ ଅନ୍ୟ ଅଧିକାରୀଙ୍କ ମାଧ୍ୟମରେ ଡକେଇଲେ । ମୁଁ ପହଞ୍ଚି ଅଭିବାଦନ କଲାପରେ ନେତା ମହୋଦୟ ମୋତେ ସ୍ଥାନୀୟ ପ୍ରତିନିଧିଙ୍କୁ ପରିଚୟ କରାଇ ଦେଇ ତାଙ୍କ ସହିତ ମୋର ପୁରୁଣା ଜଣାଶୁଣା ଥିବା ସୂଚେଇ ଦେଲେ । ମୁଁ ନିରବ ରହିଥାଏ । ସଭାମଞ୍ଚରେ ସମସ୍ତ ଅତିଥି ବସିଲା ପରେ ନେତା କହିଲେ ବିଡିଓ ସାରଙ୍କୁ ମଞ୍ଚକୁ ଡାକ । ଗ୍ରାମବାସୀ ଗଭୀର ଦ୍ବନ୍ଦ୍ବରେ ଫସିଗଲେ । ଅବସ୍ଥାକୁ ଠଉରେଇନେଇ ନେତାଙ୍କ ପାଖକୁ ଯାଇ ମୁଁ ସେହି ସମୟରେ କର୍ତ୍ତବ୍ୟରତ ଥିବାରୁ ମଞ୍ଚାସୀନ ହେଇପାରିବିନି ବୋଲି କାନରେ କହିଲି । ଗ୍ରାମବାସୀ ଆଶ୍ବସ୍ତ ହେଲେ । ସ୍ଥାନୀୟ ପ୍ରତିନିଧି ନିଶ ମୋଡିବାକୁ ଲାଗିଲେ ଓ ତାଙ୍କର ଅନୁଗାମୀମାନେ ମୁଁ ସଭାସ୍ଥଳରେ ଉପସ୍ଥିତ ରହି ମଧ୍ୟ ମଞ୍ଚରେ ବସି ନପାରିଥିବାରୁ ଆନନ୍ଦରେ ଫାଟି ପଡିଲେ । ବୟସ୍କ ଗ୍ରମବାସୀମାନେ କିନ୍ତୁ କୌଣସିମତେ ସନ୍ତୁଷ୍ଟ ହେଇ ପାରୁନଥିଲେ । ସେମାନଙ୍କ ମତରେ ଗ୍ରାମର ସ୍ବାଭିମାନ ଓ ପରମ୍ପରାର ଘୋର ଅବମାନନା ହେଲା । ପରେ ପରେ ଏହି ଘଟଣାକୁ ନେଇ ପ୍ରବଳ ହୋହଲ୍ଲା ହେଲା ସଭାସ୍ଥଳରେ ଓ ସଭା କାର୍ଯ୍ୟକ୍ରମ ଅଧାରେ ବନ୍ଦ କରି ନେତା ଫେରିଗଲେ ରାଜଧାନୀକୁ । ପ୍ରତିନିଧି ଜଣକ ମୋ ଉପରେ ରକ୍ତ ଚାଉଳ ଚୋବେଇବାକୁ ଲାଗିଲେ ।

                       ଏହାପରେ ସବୁଦିନ ପ୍ରାୟ ଅଫିସ କାମକୁ ନେଇ ଟଣା ଓଟରା ଚାଲିଲା । କୌଣସି କାମ ନିର୍ବିଘ୍ନରେ ସମାପନ ହୋଇପାରିଲା ନାହିଁ । ମୁଁ ଏହି ବିଷୟରେ ଜିଲ୍ଲାପାଳଙ୍କୁ ଜଣେଇଲି । ସରକାରୀ ନିୟମ ମୁତାବକ ସମସ୍ତ କାର୍ଯ୍ୟ କରିବାକୁ ଆପ୍ରାଣ ଚେଷ୍ଟାକଲି । ମୋର କିଛି ସହକର୍ମୀ ରଙ୍ଗିଲା ଏଣ୍ଡୁଅ ପରି ରଙ୍ଗ ବଦଳାଉ ଥାଆନ୍ତି । ଏ ଘର ମାଉସୀ ସେ ଘର ପିଉସୀର ଭୂମିକା ନିର୍ଭୁଲ ଭାବରେ ତୁଲାଉ ଥାଆନ୍ତି । ଯେଉଁ କର୍ମଚାରୀ ଭାଇ ମୁଁ ସେହି ଅଫିସ୍‌ରେ ଯୋଗ ଦେବା ଠାରୁ ନିତି ସକାଳେ ଥରେ ଆଉ ସଞ୍ଜରେ ଥରେ ଆସି ମୋ ଦେହରେ ଲେସି ହେବାକୁ ଚେଷ୍ଟା କରୁଥିଲେ ସେମାନେ ପ୍ରଥମେ ଶିବିର ପରିବର୍ତ୍ତନ କରି ଦେଇ ପ୍ରତିନିଧିଙ୍କ ତରଫରୁ ମୋ ଉଦ୍ଦେଶ୍ୟରେ ଯୁଦ୍ଧ ଦେହି ଡାକରା ଦେଇ ଶଙ୍ଖ ଫୁଙ୍କିବାକୁ ଲାଗିଲେ । ବସ୍ତୁତଃ ଜଣେ କି ଦୁଇଜଣ ସହକର୍ମୀ ବନ୍ଧୁଙ୍କୁ ଛାଡିଦେଲେ ମୋ ପଟରେ କେହି ନଥାଆନ୍ତି । କହିବାକୁ ଗଲେ ମୁଁ ଏକୁଟିଆ ହେଇଯାଇଥାଏ ମୋ ନିଜ ଚଉହଦିରେ ।


                       ଅଫିସ୍‌ କାର୍ଯ୍ୟ ସମାପନରେ ବହୁତ ବାଧା ଆସୁଥାଏ । ଏହି ସମୟରେ ପ୍ରସ୍ତାବ ଆସିଲା ଅଫିସ୍‌ ପାଖ ପଞ୍ଚାୟତରେ ମୂଖ୍ୟ ରାସ୍ତା କୁ ଲାଗି ତିଆରି ହୋଇଥିବା ମାର୍କେଟ୍‌ କମ୍ପ୍ଲେକସ୍‌ କୁ ଲୋକ ପ୍ରତିନିଧି ଉଦ୍‌ଘାଟନ କରିବେ । ଦିନେ ଦୁଇ ଦିନ ଆଗରୁ ଜଣେ ବରିଷ୍ଠ ପ୍ରଶାସକ ମୋତେ ଫୋନ୍‌ ଜରିଆରେ ସେ ବିଷୟ କହିଥିଲେ । ତେଣୁ ମୁଁ ସେହି କାର୍ଯ୍ୟରେ ସହଯୋଗ କଲି । ଆନୁସନ୍ଧାନରୁ ମୁଁ ଜାଣିଥିଲି ସେହି ମାର୍କେଟ୍‌ କମ୍ପ୍ଲେକସ୍‌ ତିଆରି ପାଇଁ ପୁନାଦି ବା ନିହ ଖୋଳା ବେଳେ ଉଦ୍‌ଘାତନ ହେଇଥିଲା, ଛାତ ପଡିଗଲା ପରେ ପୁଣି ଥରେ ଉଦ୍‌ଘାତନ ହେଇଥିଲା, ପ୍ଲାଷ୍ଟରିଂ ଓ ମେଜିଆ କାମ ସରି ଲୁହା ଝରକା କବାଟ ଲାଗିଗଲା ପରେ ଆଉ ଥରେ ଉଦ୍‌ଘାଟନ ହେଇଥିଲା, ଘର ଚାରିପାଖ ପାଚେରୀ ତିଆରି ସରିବା ପରେ ଫେର୍ ଉଦ୍‌ଘାଟନ ହେଇଥିଲା । ମୁଁ ବୁଝି ପାରିଲିନି ଏବେ କଣ ବାକି ଅଛି ଉଦ୍‌ଘାଟନ ପାଇଁ । ବରିଷ୍ଠ ପ୍ରଶାସକଙ୍କୁ ଜଣେଇଲି । ତାଙ୍କ ଠାରୁ ଉତ୍ତର ପାଇଲି ଚକୁଳି ଖାଅ ବିନ୍ଧ ଗଣିବାକୁ ଚେଷ୍ଟା କରନି ।

                       ମାର୍କେଟ୍‌ କମ୍ପ୍ଲେକସ୍‌ ଉଦ୍‌ଘାଟନ ପାଇଁ ପ୍ରସ୍ତୁତି ଆରମ୍ଭ ହେଇଗଲା । ଲୋକ ପ୍ରତିନିଧି କିଛି କ୍ଷୁଦ୍ର ବ୍ୟବସାୟୀଙ୍କର ଗୋଟେ ତାଲିକା ପଠେଇଲେ ଖଣ୍ଡେ ସୁପାରିସ ପତ୍ର ସହିତ କି ସେହିମାନଙ୍କୁ ହିଁ ମାର୍କେଟ୍‌ କମ୍ପ୍ଲେକସ୍‌ର ଘର ଆବଣ୍ଟନ କରିଦେବାକୁ । ସରକାରୀ ନିୟମ ଥିଲା ସେଗୁଡିକ କେବଳ ଅନୁସୂଚିତ ଜାତି ବା ଅନୁସୂଚିତ ଜନଜାତିର ଲୋକଙ୍କୁ ଆବଣ୍ଟନ କରାଯିବ । ସେଥିପାଇଁ ସେହି ବର୍ଗର ସମସ୍ତ ଆବେଦନକାରୀଙ୍କର ଦରଖାସ୍ତକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୋଟେ ଚୟନ କମିଟି ଜରିଆରେ ବିଚାର କରି ଆବଣ୍ଟନ ତାଲିକା ପ୍ରସ୍ତୁତ ହେଇ ସାରିଥିଲା । ମୋତେ ମୋର କିଛି ସହକର୍ମୀ ପ୍ରବର୍ତ୍ତାଇବାରେ ହେଳା କଲେନି ପ୍ରତିନିଧିଙ୍କ ତାଲିକା ଅନୁସାରେ ଆବଣ୍ଟନ କରିଦେବାକୁ । ମୁଁ ଉଭୟ ତାଲିକାକୁ ଜିଲ୍ଲାପାଳଙ୍କ ଅଫିସ୍‌କୁ ପଠେଇ ଏକ ମାର୍ଗଦର୍ଶକ ସ୍ପଷ୍ଟିକରଣ ମାଗିଲି । ନିର୍ଦ୍ଦିଷ୍ଟ ସମୟ ଭିତରେ ତାହା ଆସିଲା ନାହିଁ । ଏଣେ ଉଦ୍‌ଘାଟନ ପାଖେଇ ଆସୁଥାଏ । ପ୍ରତିନିଧି କହିଲେ ଉଦ୍‌ଘାଟନ ସରି ଗଲେ ସେ ମୋ କଥା ବୁଝିବେ ଆବଶ୍ୟକ ହେଲେ ମୋ ମୁହଁ ଭାଙ୍ଗିଦେବେ ।

                       ଉତ୍ସବ ପଇଁ ଏକ ନିମନ୍ତ୍ରଣ ପତ୍ର ଦିଆଯିବାର ପ୍ରସ୍ତାବ ଆସିଲା ପ୍ରତିନିଧିଙ୍କ ତରଫରୁ । ମୁଁ ତାକୁ ବିରୋଧ କଲି ଏବଂ ପ୍ରତିନିଧିଙ୍କ ଅନୁଗାମୀ ମାନଙ୍କୁ କହିଲି ଏହା ସରକରୀ କାର୍ଯ୍ୟ ଏଥିରେ ନିମନ୍ତ୍ରଣ ପତ୍ର କିଏ ଛାପିବ । ମୋତେ ତ ସେଭଳି ଅନୁମତି ନାହିଁ ।  ସେମାନେ ସମସ୍ତେ ଯୋଶ୍‌ରେ ଥିଲେ । ଅନେକ ସେମାନଙ୍କ ମଧ୍ୟରୁ କୌଣସି କାରଣରୁ ପ୍ରକୃତିସ୍ଥ ବି ନଥିଲେ ।  ଜଣେ କହିଲା ଆପଣ ପଇସା ଯୋଗାଡ କରି ଦିଅନ୍ତୁ ଆମେ ଛାପିଦବୁ ଆମ ନାମରେ । ଜଣେ ସରକାରୀ ଖୁଚୁରା ବେପାରୀ ଯିଏ ପ୍ରତିନିଧିଙ୍କ କୃପାରୁ ସେହି ବେପାର ହାତେଇ ଥିବାର ଦାବୀ କରୁଥିଲେ ସାଙ୍ଗେ ସାଙ୍ଗେ ତାଉ ଖାଇଗଲେ । ନିମନ୍ତ୍ରଣ ପତ୍ର ବାବଦ ସମସ୍ତ ଖର୍ଚ୍ଚ ସେ ବହନ କରିବେ କହିଲେ । ବର୍ତ୍ତମାନ ପ୍ରଶ୍ନ ରହିଲା ସେହି ନିମନ୍ତ୍ରଣ ପତ୍ରରେ କଅଣ ଲେଖାଯିବ । ସବୁ ପ୍ରାୟ ଉଦ୍‌ଘାଟନ ସରିଛି , ମହମାନ୍ୟ ମନ୍ତ୍ରୀ ଭବିଷ୍ୟତରେ ତାହା ଲୋକାର୍ପିତ କରିବାର ଏକ ସୂଚନା ମିଳିଥିଲା । ଏଭଳି ସ୍ଥଳେ କେବଳ ଅସମ୍ପୂର୍ଣ୍ଣ ପାଚେରୀ ନବୀକରଣ ଓ ଚୂନ ଧଉଳା ଛଡା ଆଉ କିଛି ବାକି ନଥାଏ । ସେହି କଥା ଦର୍ଶାଇ ନିମନ୍ତ୍ରଣ ଛାପି ଦେବାକୁ ପ୍ରତିନିଧି ଆଦେଶ କଲେ । ଏବଂ ତାହା ହିଁ ହେଲା ।

                       ନିମନ୍ତ୍ରଣ ପତ୍ର ଖଣ୍ଡିଏ ବିରୋଧି ଦଳଙ୍କ ହାତରେ ପଡିଲା । ସେମାନେ ସହଜେ ମନମୂନ ଦେଇ ଅବସ୍ଥା ଉପରେ ନଜର ରଖିଥିଲେ । ନିମନ୍ତ୍ରଣ ପତ୍ରର ଲେଖା ତାଙ୍କୁ ବଳଦରୁ ହଠାତ୍‌ ଷଣ୍ଢ କରିଦେଲା । ସଭା ଭଣ୍ଡୁର କରିବାକୁ ସେମାନେ ଭିତରେ ଭିତରେ ଲାଗିଗଲେ । ନିର୍ଦ୍ଦିଷ୍ଟ ଦିନ, ବାର ଓ ସମୟରେ ସଭା ସ୍ଥାଳକୁ ବିରାଟ ପଟୁଆରରେ ପ୍ରତିନିଧି ଆସୁଥାଆନ୍ତି । ମୁଁ ଦେଖିଲି ମୋତେ ଆଗରୁ କଥା ହେଇଥିବା ବରିଷ୍ଠ ପ୍ରଶାସକ ଜଣକ ମଧ୍ୟ ପ୍ରତିନିଧିଙ୍କ ସହିତ ଖୋଲା ଜିପ୍‌ରେ ପ୍ରତିନିଧିଙ୍କ ପଛରେ ଠିଆ ହୋଇଛନ୍ତି । ସାମ୍ବାଦିକ ମାନେ ମୋତେ ଯାହା ପଚାରିଲେ ମୁଁ ନିରୂତ୍ତର ରହୁଥାଏ । ସେମାନେ ତୁରନ୍ତ ମୋ ଉପରୁ ଦୃଷ୍ଟି ଫେରେଇ ନେଇ ବରିଷ୍ଠ ପ୍ରଶାସକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବାକୁ ଲାଗିଲେ । ବରିଷ୍ଠ ପ୍ରଶାସକ ବାଟ ଖୋଜିବାକୁ ଲାଗିଲେ ପଳେଇବାକୁ । ସାମ୍ବାଦିକ ଅଉ ବିରୋଧି ଦଳ କର୍ମୀ ମାନେ ତାଙ୍କୁ ଲଙ୍ଗଳା କରିବାକୁ ନଛୋଡ ବନ୍ଧା । ଅବସ୍ଥା ସମ୍ଭାଳିବାକୁ ପୋଲିସ ଭାଇମାନେ ନାକେଦମ । କଣ କରାଯିବ, ପରିସ୍ଥିତି କିପରି ଆୟତ୍ତକୁ ଆସିବ ଚିନ୍ତା କରୁ କରୁ ମୁଁ ଶୁଣିଲି ବରିଷ୍ଠ ପୋଲିସ୍‌ ଅଧିକାରୀ ସଭାସ୍ଥଳକୁ ଆସୁଛନ୍ତି । ମୁଁ ଆଶ୍ବସ୍ତ ହେଲି । ପରେ ଜିଲ୍ଲାପାଳଙ୍କୁ ସବୁ ବିଷୟ ଅବଗତ କରାଗଲା । ଜିଲ୍ଲାପାଳ ତୁରନ୍ତ ସଭା ବନ୍ଦ କରିବାକୁ ଆଦେଶ ଦେଲେ । ଜିଲ୍ଲପାଳଙ୍କ ଆଦେଶ ଡାକବାଜି ଯନ୍ତ୍ରରେ ପ୍ରଚାର ହେଲା । ସମସ୍ତେ ସଭାସ୍ଥଳରୁ ଯିବାକୁ ଲାଗିଲେ । ଗ୍ରାମବାସୀ କିନ୍ତୁ ପ୍ରତିନିଧିଙ୍କୁ ଘେରି କି ରହିଲେ ତାଙ୍କ ଠାରୁ ସେମାନଙ୍କ ପ୍ରଶ୍ନର ଉତ୍ତର ପାଇବାକୁ । ସେମାନଙ୍କର ପ୍ରଶ୍ନ ଥିଲା ପ୍ରତିନିଧି ପାଚେରୀ ଚୂନ ଧଉଳା ଉଦ୍‌ଘାଟନ କରିବାକୁ କାହିଁକି ଆସିଥିଲେ । ପ୍ରତିନିଧିଙ୍କର କଅଣ ଅବଦାନ ରହିଛି ଏହି ପ୍ରକଳ୍ପ ପାଇଁ । ଆବଣ୍ଟନ ତାଲିକା ପରିବର୍ତ୍ତନ କରିବାକୁ ପ୍ରତିନିଧି କାହିଁକି ପ୍ରଶାସନ ଉପରେ ଚାପ ପ୍ରୟୋଗ କରିଛନ୍ତି । କିଛି ବଗୁଲିଆ ପିଲା ପ୍ରତିନିଧିଙ୍କ ଦେହରୁ ସେତବେଳକୁ ତଙ୍କ ଧୋତି ଟି ଭିଡି ନେଇଥିଲେ । ବିଚରା ପ୍ରତିନିଧିଙ୍କ ପାଖରେ ଗ୍ରାମବାସୀଙ୍କ ପ୍ରଶ୍ନର କିଛି ବି ଉତ୍ତର ନଥିଲା ।

                     



Rate this content
Log in

Similar oriya story from Inspirational