ଅନ୍ତ
ଅନ୍ତ
ମା
ଏ ମା
ମା ଲୋ
ଶୁଣ ଲୋ ମା
ମା ଦେଖ ମୋତେ
ମୁଁ ତୋ ଦୁଷ୍ଟ ଲୋ ମା
ଏ ମା
ମା
ସୋନମର ହଜାରେ ଡାକ ପରେ ମଧ୍ୟ ଥରୁଟିଏ ପାଇଁ ମୁଣ୍ଡ ଉଠେଇ ଚାହିଁ ନଥିଲା ଅମ୍ବିକା । କେବଳ ହାତରେ ଏକ ଲାଲି କଣ୍ଢେଇକୁ ଧରି ଗେଲ କରୁଥିଲା ତୁହାକୁ ତୁହା । ମାକୁ ସେଭଳି ପରିସ୍ଥିତିରେ ଦେଖି ସୋନମର ହାତ ଗୋଡ ଥରି ଉଠୁଥାଏ । ମୁଣ୍ଡ ବୁଲେଇ ପଡିଯିବ ବୋଲି ଲାଗୁଥାଏ ହେଲେ ସେ ପଡିଗଲେ ତାକୁ ଉଠେଇବା ପାଇଁ କେହି ନାହାନ୍ତି ଭାବି ପୁଣି ସମ୍ଭାଳି ରଖିଥାଏ ।
ଅଶୁଭ ମୂହୁର୍ତ୍ତରେ କେମିତି କେଜାଣି ଛାତ ଉପରୁ ଖସି ପଡିବା ପରେ ମାର ଆଉ ପୂର୍ବ ଜ୍ଞାନ ନାହିଁ । ଏମିତି କି ସେ ନିଜ ଅଳି ଅଳି ପ୍ରାଣଧନ ଝିଅକୁ ମଧ୍ୟ ଆଉ ଚିହ୍ନି ପାରୁନି । ଦିନ ଥିଲା ମାର କୋଳରେ ମୁଣ୍ଡ ରଖି ଶୋଇପଡିଲେ ସେ ଆଉଁସି ଦେଉଥିଲା ମାତ୍ର ଏବେ ସେ ସବୁ ଶୂନ୍ୟ ହୋଇ ପଡିଛି ।
ସକାଳ ପଡି ଆସୁଥାଏ ଆକାଶରେ । ହଠାତ୍ ଆଗ ପଟ କବାଟ ଧଡ ଧଡ ହୋଇପଡେ । ଆଖି ଖୋଲୁ ଖୋଲୁ ଦେଖେ ମା ନିଜ ସ୍ଥାନରେ ନାହିଁ । ନାହିଁ ତା କଣ୍ଢେଇ । ନାହିଁ ତା ଚାଦର । ଦୌଡି ଦୌଡି ଆସି କବାଟ ଖୋଲୁ ଖୁଲୁ ପାଖ ଘର ମଉସା କହନ୍ତି ମା ବାରିପଟ କୂଅ ମୂଳେ ବସିଛି । ତାଙ୍କଠୁ ଶୁଣି ଦୌଡି ଯାଇ ମାକୁ ଘରକୁ ଫେରାଇ ଆଣୁ ।
ଦିନେ ଯାଇ ଆଉ ଦିନେ ଆସେ । ଏଭଳି ମାର ପଳେଇଯିବା ବଢିବାକୁ ଲାଗେ । ଆଗ ପରି ତାକୁ ଆଉ ରଖିବାକୁ ଅସୁବିଧା ହୁଏ ବୋଲି ସକାଳୁ ରାତି ଯାଏଁ ବାଧ୍ୟ ହୋଇ ବନ୍ଦୀ କରିବାକୁ ହୁଏ । କେତେବେଳେ ଖାଇବନି କହି ଖାଇବା ଥାଳି ଫିଙ୍ଗି ଦିଏତ ଆଉ କେତେବେଳେ ରାଗିଯାଏ ଗାଲରେ ବସେଇଦିଏ ଚାପୁଡା । ହେଲେ ସବୁକିଛିକୁ ସହି ତାକୁ ପୁଣି ସମ୍ଭାଳି ରଖିଥାଏ ସୋନମ ।
ଦେଖୁ ଦେଖୁ ବର୍ଷେ ପୁରି ଆସିଥାଏ । ଚେଷ୍ଟା ସବୁର ଫଳ ଶୂନ୍ୟ ଥାଏ । କୌଣସି ଔଷଧ ତା ଦେହକୁ ଆଉ କାମ ଦେଉନଥାଏ । ଦିନକୁ ଦିନ ତା କଷ୍ଟ ବଢି ବଢି ଚାଲିଛି । ଏତେ ମାତ୍ରାରେ ଅମ୍ବିକା କଷ୍ଟରେ ଛଟପଟ ହେଉଛି ଯେ ତା କଷ୍ଟ ଆଉ ଦେଖିପାରୁନଥାଏ ସୋନମ । ଶେଷରେ ମା ପାଇଁ ସୋନମର ମନରୁ ମୁକ୍ତିର ପ୍ରାର୍ଥନା ମିଳେ । ସେ ଆଉ ଦେଖି ପାରେନା କଷ୍ଟ । ନିଜ ମାକୁ ଆଉ ଛଟପଟ ହେବାର ସହି ନପାରି ସେ ଚାହେଁ ମା ମୁକ୍ତି ପାଉ । ତା ମୁକ୍ତିରେ ସୋନମ ଜୀବନରେ ଶୂନ୍ୟତା ଆସିବ ହେଲେ ମାର କଷ୍ଟମୟ ଜୀବନରୁ ରକ୍ଷା ମିଳିବ
ସତ ସତିକା ସୋନମର ପୂଜା ସଫଳ ହୁଏ । ରାତି ପାହି ସକାଳ ହେବା ପୂର୍ବରୁ ଅମ୍ବିକା ଚାଲିଯାଏ । ଯିବା ପୂର୍ବରୁ ଶେଷରେ ଥରେ ଉଚ୍ଚାରଣ କରେ "ମୋ ଦୁଷ୍ଟ " । ଅନ୍ତ ଘଟେ ଗୋଟିଏ ମୂହୁର୍ତ୍ତର । ଗୋଟେ ଜୀବନର ।ଗୋଟିଏ ସ୍ନେହ ଓ ଭଲ ପାଇବାର ।