ବି. ନିରୁପମା

Comedy Romance Others

3  

ବି. ନିରୁପମା

Comedy Romance Others

ଅନନ୍ୟାର ବର

ଅନନ୍ୟାର ବର

3 mins
154



"କିଲୋ ତନୁଶ୍ରୀ, ତୁ ସେତିକିବେଳୁ ଏମିତି ହିଁ ହିଁ ହୋଇ ହସୁଛୁ କାହିଁକି !କେତେବେଳେ ପାପୁଲିରେ ମୁହଁ ଚାପିକି ତ ଆଉ କେତେବେଳେ ବହି ଫାଙ୍କରୁ ।କ'ଣ ହୋଇଛି ତୋର କହୁନୁ !!" ଛାତ୍ରୀନିବାସର କୋଠରି ସଙ୍ଗୀ କଳିକା ତା' କାନ୍ଧକୁ ହଲାଇ ଦେଇ ପଚାରିଲା ।


"କାଇଁ ମୋର କ'ଣ ହେବମ, ଆଜି ଅନନ୍ୟାର ବରକୁ ଦେଖିଲି ତ!ଦେଖିଲି ନୁହେଁ, ସେ ଆମକୁ ଦେଖେଇ ଦେଲା । କମ୍ପ୍ୟୁଟର କ୍ଲାସରୁ ଫେରିବାବେଳେ ଅଚାନକ ଗୋଟାଏ ସତୁରୀ ବାସ୍ତରୀ ବର୍ଷର ଲୋକକୁ ରାସ୍ତାରେ ଭେଟିବାରୁ ନମସ୍କାର ହେଲା ।ଅଳକା, ସଙ୍ଗୀତା, ଶେଫାଳି ଆଉ ମୁଁ ଆମେ ବି ନମସ୍କାର ହେଲୁ କିଏ ତାଙ୍କର ପରିଚିତ ଗୁରୁଜନ ହୋଇଥିବେ ଭାବିକି ।


ତାକୁ ଆମେ କିଛି ପଚାରିବା ଆଗରୁ ଅନନ୍ୟା ସେଇ ଲୋକକୁ ହସିକି ପଚାରିଲା, "ବର, ଘରଆଡୁ ଖବର କଣ ?ବାପା ବୋଉ ଭଲ ଅଛନ୍ତିଟି ?"


ସିଏ ବି ମୁଚୁକୁନ୍ଦିଆ ହସ ହସି ଉତ୍ତର ଦେଲେ, "ହଁ, ସବୁ ଭଲ ଯେ, ଅଳ୍ପଦିନ ତଳେ ବାପାଙ୍କର ଦେହ ସାମାନ୍ୟ ଅସୁସ୍ଥ ହୋଇଥିଲା ।ପଅରିଦିନ ଘରକୁ ଯାଇଥିଲି ଯେ, ମୋ ଶାଶୁବୁଢ଼ୀ ସହ ଭେଟ ହୋଇଥିଲା ।ମନା କରୁକରୁ ଚକୁଳିପିଠା ଦୁଇଟା ଆଣିକି ଦେଲେ ।ଭଲ ମନ୍ଦ ପଚାରି ମୁଣିଏ ପନିପରିବା ଦେଇ ବିଦାକଲେ ।ଏଥର ତୋ କଥା ଟିକେ କହ ।"


ତାଙ୍କ କଥା ଶୁଣିକି ଆମେ ସବୁ ଆଖି ଠରାଠରି ସହ ଫୁସୁରୁ ଫାସୁରୁ ହେଲୁ ।ସଙ୍ଗୀତା ଥତମତ ହୋଇ ପଚାରିଲା, "ଆପଣ ଅନନ୍ୟାର କ'ଣ ହେବେ ?"


"ଇଏ ହେଉଛନ୍ତି ମୋ ବର, ଏମିତି ସେମିତି ନୁହେଁମ, ମାସକୁ ତିରିଶ ହଜାର ଟଙ୍କା ପେନସନ ପାଉଛନ୍ତି ।" ସେ ଲୋକ କିଛି କହିବା ଆଗରୁ ଅନନ୍ୟା ଉପରେ ପଡ଼ି କହିଲା ।"


"କ'ଣ କହିଲୁ, ଅନନ୍ୟାର ବର !ପୁଣି ସେ ବୁଢ଼ା ଲୋକଟା ?"


"ହଁ କହିଲି ତ, ସେ କେବଳ ମୋର ବର ନୁହଁନ୍ତି, ଆମ ଅଞ୍ଚଳରେ ଅଧିକାଂଶ ଝିଅ ତାଙ୍କୁ ବର, ବର ବୋଲି ଡାକନ୍ତି ।ସାନରୁ ବଡ଼ଯାଏ ।ତାଙ୍କ ଦେଖାଦେଖି କେତେଟା ପୁଅପିଲା ମଧ୍ୟ ସେମିତି ଡାକନ୍ତି ।କୋଠରି ଭିତରକୁ ପଶି ଆସୁଆସୁ ହସିହସି କହିଲା ଅନନ୍ୟା ।"


"କାହିଁକି ଡାକନ୍ତି ?"ତମକୁ ଲାଜ ଲାଗେନି ତାଙ୍କୁ ସେମିତି ଡାକିବାକୁ !"


"ଆଲୋ, ଲାଜ ଲାଗିବ କାହିଁକି !ବରଂ ଖୁସି ଲାଗେ କହ ।"


"ଖୁସିଲାଗେ ! କ'ଣ ଏମିତି ଅଲାଜୁକି ଭଳି କହୁଛୁ !!ତୋ ମୁଣ୍ଡ ଫୁଣ୍ଡ ଠିକ ଅଛି ତ !" ପଚାରିଲା କଳିକା ।


"ଶୁଣ କଳିକା, ସେଇ ବର ଜଣଙ୍କ ମାନ୍ୟରେ ଅଜା ହେବେ ।ସରକାରଙ୍କର ଜଣେ ଅବସର ପ୍ରାପ୍ତ କର୍ମଚାରୀ । ଥରେ ସେ ଆମ ସାଇ ବାଟ ଦେଇ ଯାଉଥିଲେ ।ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ମାମାଲି ତା' ମାଆକୁ ପଚାରିଲା, "ଇଏ କିଏ ?"


"ମୋ ଜୋଇଁ ପୁଅ" ତା' ମାଆ ହସିକି ଉତ୍ତର ଦେଲେ ।ଲାଜେଇ ସେ ଉଁ... ଉଁ କଲା ।


"ଆଲୋ, ସେ ମାନ୍ୟରେ ତୋର ଅଜା ହେବେ, ତେଣୁ ଥଟ୍ଟାରେ ସେମିତି କହିଲି ମୋ ଜୋଇଁପୁଅ ବୋଲି ।"


ପାଖରେ ତିନିଚାରି ଜଣ ପିଲା ଖେଳୁଥିଲେ ।ତାଙ୍କୁ ଅଜା ଅଜା କହି ଚିଲେଇବାରୁ ସେ କହିଲେ, "ସେ ମୋତେ ଜୋଇଁପୁଅ ବୋଲି କହିଲେଣି, ତୁମେ ଆଉ କେହି ମୋତେ ବର ବୋଲି କହିବନି, ନୋହିଲେ ମୁଁ କାନ୍ଦିବି ।"


ସେଇଠୁ ପିଲାମାନେ ତାଙ୍କୁ ଚିଡାଇବାକୁ ବର, ବର ବୋଲି ଡାକିବା ଆରମ୍ଭ କଲେ ।କଥା ଏ ତୁଣ୍ଡରୁ ସେ ତୁଣ୍ଡ ବ୍ୟାପିଲା ।ଅଜା ପରିହାସ ଛଳରେ ନାତିନାତୁଣୀଙ୍କୁ ସେମିତି କହନ୍ତି ସିନା କାହାପ୍ରତି ଅଶାଳୀନ ଭାଷା ପ୍ରୟୋଗ କରନ୍ତିନି କି ସେମିତି ଇଙ୍ଗିତ ଦିଅନ୍ତିନି ।ଖୁସି ମଜାରେ କଥା ହୁଅନ୍ତି, ଭଲ ମଣିଷ ହେବାକୁ ଆଶୀର୍ବାଦ ଆଉ ପରାମର୍ଶ ଦିଅନ୍ତି ।ତାଙ୍କୁ ଦେଖିଲେ ମନଦୁଃଖ ଥିଲେ ମଧ୍ୟ ଆପେ ଓଠରେ ହସ ଉକୁଟି ଆସେ ।


ଥରେ ଗାଆଁରେ ଅଷ୍ଟପ୍ରହର ନାମ ଯଜ୍ଞ ଚାଲିଥାଏ ।ଅଜାଙ୍କୁ ନମସ୍କାର ହେବାରୁ ସେ ତିନି ଚାରିଜଣ ଅଠର ବର୍ଷରୁ ଉର୍ଦ୍ଧ୍ବ ଝିଅଙ୍କୁ ଆଶୀର୍ବାଦ କରି କହିଲେ, "ଭଗବାନ ମଙ୍ଗଳ କରନ୍ତୁ, ତୁମକୁ ଅତିଶୀଘ୍ର ଯୋଗ୍ୟପାତ୍ର ମିଳିଯା'ନ୍ତୁ, ନିର୍ବିଘ୍ନରେ ବିବାହ ହୋଇଯାଉ ।" ସତକୁ ସତ ମାସେ ନ ପୂରୁଣୁ ତିନିଟାଯାକ ଝିଅର ବାହାଘର ହୋଇଗଲା ଭଲ ପାତ୍ରରେ ।ଆଉ ସୁରୁଖୁରୁରେ ବି ।


ସେଇଠୁ ତ ନାତୁଣୀମାନଙ୍କ ପ୍ରତିଦ୍ବନ୍ଦିତା ସହ ବିଶ୍ୱାସ ବଢ଼ିଛି, ଯିଏ ଅଜାଙ୍କୁ ବର ଡାକିବ, ତା'ର ବାହାଘର ଶୀଘ୍ର ସୁପାତ୍ରରେ ହୋଇଯିବ ।ଅବଶ୍ୟ ପୁଅପିଲା ବି ବାଦ ଯାଆନ୍ତିନି ସେଥିରୁ ।ଏଥର ଜାଣିଲୁଟି ସିଏ ମୋର କେମିତିକା ବର !"


ପ୍ରକୃତ କଥାଟା ଶୁଣି କଳିକା ମଧ୍ୟ ନିଜ ହସକୁ ରୋକି ପାରିଲାନି ।ତନୁଶ୍ରୀ କହିଲା, "ଆଉ ଏବେଠାରୁ ସେ ଅଳକା ଏବଂ ଶେଫାଳିର ବର ମଧ୍ୟ ପାଲଟିଗଲେଣି ।ମୋର ଆଉ ସଙ୍ଗୀତାର ନୁହଁନ୍ତି, କାରଣ ପଢ଼ାପଢ଼ି ପରେ ଆମର ଆଗେ ଚାକିରି କରିବାର ଅଛି, ତା' ପରେ ଯାଇ ବାହାଘର ।"ସେ କଥା ଶୁଣି ସମସ୍ତେ ସମ୍ମିଳିତ ଭାବେ ହସି ଉଠିଲେ ।



Rate this content
Log in

Similar oriya story from Comedy