ଅଙ୍କୋରୋଦଗମ
ଅଙ୍କୋରୋଦଗମ
ଉଦୁଉଦିଆ ରବିବାର ଖରାବେଳ | ବୈଶାଖର ତତଲା ଝାଞ୍ଜି ପବନ | ମୁଁହ ହାତ ଜଳି ଯାଉଛି | ଶୁନଶାନ ପରିବେଶ | ପ୍ରବଳ ତାତି ସାଙ୍ଗକୁ ଅଂଶୁଘାତର ଡର | ତେଣୁ ଦିନ ଦଶଟା ଏଗାରଟା ବେଳକୁ ରାସ୍ତାଘାଟ ପୂରା ଚୁପଚାପ | ପେଁ-ପାଁ --- ଭଁ –ଭାଁର ଶୋର ଶବଦ ନାହିଁ |ସମସ୍ତେ ଘର ଭିତରେ ଆବଦ୍ଧ କାରଣ ବାହାରେ ତ ଅଗ୍ନିବର୍ଷା |
କାଳିଆ ଭାତ ଖାଇଲା | ଶୁଶୁଣ୍ଡୀ ଶାଗ ଖରଡା ଓ ପଣସ ମଞ୍ଜି –ବାଡିଶେଉଳ କାଟୁଳିଆ ତରକାରୀ ସେମିତି ଥାଳି ପାଖରେ ରହିଲା | କଞ୍ଚା ଆମ୍ବ –ମହୁରାଳି ମାଛ ଝୋଳ ତାକୁ ରୋଚକରେ | ତେଣୁ ଫଟା ଫଟ ସମସ୍ତଙ୍କ ଆଗରୁ ଥାଳିରୁ ସବୁ ଚଟାପଟ ସଫା କରିଦେଲା ସଅଳ ସଅଳ, ଶାଗ ଓ ଅନ୍ୟ ଛାଡିକରି |ପାଣି ଢାଳକୁ ଧରି ଅଗଣାକୁ ଆସିଲା | ହାତ ଧୋଇଲା | ଏପଟ-ସେପଟ ଏକଡ-ସେକଡ ଚାହିଁଲା | ନେଉଳ ଘର କାଳୀ ଆମ୍ବଗଛରେ ପେନ୍ଥାକୁ ପେନ୍ଥାକୁ ଆମ୍ବ ସବୁ ନହକି ପଡିଛି |ଦି-ଚାରିଟା ପଥର ଟେକା ଗୋଟେଇଲା |ଏକା ଢେଲାକେ ପାଞ୍ଚ –ଛଅଟି ନିଶ୍ଚୟ ତଳେ ପଡିବ | ପୁଣି ଶବ୍ଦ ଶୁଣି ବାପା ଦୌଡି ଆସିବେ ଖାଇବା ଥାଳିରୁ, ରାଗିବେ | ଡରରେ ତେଣୁ ଟେକା ସବୁକୁ ତଳେ ଧୀରେ ଧୀରେ ପକେଇଦେଲା |ପୁଣି ଢାଳ ପାଣିରେ ହାତ ଧୋଇଲା | ପାଣିକୁ ପାଟିରେ ପୁରେଇ ପିଚିକାରୀ ମାରିଲା ଫୁ —ର ---ର---| ପାଣିକୁ ଦୁଇ କଳରେ ପୁରେଇ ଏପଟ ସେପଟ କରେଇ ଚୋବାଇ ଚର୍ବଣ କରି ଗାଲକୁ ଆବୁ-ଗାବୁ କରି ଘାସ ଉପରକୁ ବର୍ଷାଜଳ ପରି ପକେଇଲା | ମସ୍ତିର ପାଠଶାଳା | “ ମେଘ ବରଷିଲା ଟୁପୁର ଟାପୁର ---- ଗୋଟେ ଗୀତ ବି ଗାଇଲା | ଧେତ –କୁହୁର ଖରାବେଳ ଟାରେ ବର୍ଷାର ଗୀତ | ତୋ’ ମା’ ମରୁ କିନା ? ଏମିତି କିମ୍ଭୂତ କିମ୍ଭାକାର ଚପଳାମି ଆଉ ଚଗଲାମି ଭିତରେ ପାଣି ଢାଳଟି ହାତରୁ ଖସିପଡିଲା | ଢପ ....ଢପ-----.|
“କାଳିଆ ! କାଳିଆ !”- ବାପା ନରେନ୍ଦ୍ର ବାବୁ ପାଟି କଲେ ସିଂହ ଗର୍ଜନ ପରି |
“ଆଜ୍ଞା !”- କାଳିଆ ଡରରେ କେଞ୍ଚୁଆ ପରି କହିଲା |
“ବଦମାସୀ ଚାଲିଛି ନୁହେଁ | ବେଗି ଭିତରକୁ ଆସ | ଆସିଲୁ କି ?”- ବାପା ପୁଣି ତର୍ଜି ଉଠିଲେ | କାଳିଆ ଭୀଷଣ ଡରିଯାଇଥିଲା |
“ଆଜ୍ଞା !—ହେଇ ଆସିଲି ---“—କହୁ କହୁ ଘର ଭିତରକୁ ଧସି ପଶିଆସିଲା |
“ଢାଳଟା କାହିଁ ? ଟୋଲା କରିଦେଲୁ |--କାଦୁଅ ନା ଅସନା ---କାହିଁ ?—ବାପାଙ୍କର ପୁଣି କଡା ଗର୍ଜନ |
“ଆଣୁଛି “—କହି କାଳିଆ ପୁଣି ଅଗଣାକୁ ଦୌଡିଲା | ମା’ ରୋଷେଇ ଘରୁ କାନେଇ ଚୁପି ଚୁପି ହସୁଥିଲେ | ମେଘା-ଦ୍ଵିଜା –କୁନୁ ହେରିକାଙ୍କର ଖାଇବା ଏକେବାର ବନ୍ଦ | ଆଁ କରି କାଳିଆ ଭାଇର ନାଟକୀୟ ଅଭିନୟକୁ ମନଭରି ପେଟପୂରା ଉପଭୋଗ କରୁଥିଲେ | ସତେ ଯେମିତି ପେଟ ପୁରିଯାଇଛି |
ଅଳ୍ପ ସମୟ ବ୍ୟବଧାନରେ କାଳିଆ ଢାଳଟିକୁ ଧରି ବେଗି ଆସିଲା ଏବଂ ଯଥା ସ୍ଥାନରେ ରଖି ଘର ଭିତରକୁ ସୁରକିନା ପଳଉଥିଲା |
“ହାତ –ମୁହଁ ପୋଛା ହୋଇଛି ?“- ବାପଙ୍କର ପୁଣି କଡା ତାଗିଦ |
“ନାଁ ! ଜିଭ କାମୁଡି ପକେଇଲା କାଳିଆ ଆଉ କହୁ କହୁ ପୁଣି ଅଗଣା ଆଡକୁ ----ବାହାରକୁ ପଳେଇଲା |
ଶୁଖିଥିବା ନାଲି ଖୋର୍ଦ୍ଧା ଗାମୁଛାକୁ ଟାଣିକରି ମୁଁହ ପୋଛିବାକୁ ଯାଉଥିଲା | ପୁଣି ବାପଙ୍କର ବାରଣ ମନେ ପଡିଗଲା | ତାର ଛିଡିଯିବ | ତେଣୁ ଧୀରେ ଧୀରେ ହାଲକା ହାଲକା ଭାବରେ ଗାମୁଛାକୁ ଆଣିଲା | ମୁଁହ ପୋଛିଲା , ହାତ ପୋଛିଲା | ପୁଣି ଗାମୁଛାକୁ ଯଥୋବତ ଶୁଖେଇବାକୁ ଲାଗିଲା | ତାରଟି ଟିକେ ନହଁକି ଆସିଲା |କାଳିଆର ଆଖି ଟିକେ ଆଗକୁ ଆଗକୁ ଦେଖି ଚାଲିଲା |
ବୁଢୀ ଜଣେ ବନା କକାହର ଆମ୍ବ ଗଛ ତଳେ ବସିଛି ଗୁମସୁମ | ଗମ ଗମ ଝାଳରେ ଲତପତ,କପାଳରୁ ଜଣାପଡୁଛି |ମଳିଆ –ଅସନା – ଚିରା -ତାଳିପକା ସତର ସିଁଆ ଲୋଚା କୋଚା ଲୁଗା ପିନ୍ଧିଛି |ମୁଣ୍ଡ ବାଳ ଆଲୁରୁ ବାଲୁରୁ ନୁଖୁରା |ଝାଞ୍ଜି ପବନରେ ଫର ଫର ହୋଇ ଦିଗବାରିଣୀ ଜନ୍ତ୍ର ପରିକା କେଉଁ ଦିଗକୁ ପବନ ବହୁଛି ଦିଗ ନିର୍ଦ୍ଦେଶ କରୁଛି | ବୋଧ ହୁଏ ଛୋଟ ବାଉଁଶ ବାଡିଟା ଗଛକୁ ଡେରି ଦେଇଛି | ଚାଲିବାରେ ସାହାର୍ଯ୍ୟ କରୁଥିବ |ସାହାରା ସମ୍ବଳ ସାଥି |
କାଳିଆ ବୁଝିଗଲା ବୁଢୀ ଭିକାରୀ ଟିଏ | ଇସ ----- ! ସ୍କୁଲର ମଧୁ ସାରଙ୍କ ଲୀଙ୍ଗ ପରିବର୍ତ୍ତନ ମନେ ପଡିଲା |--- ବୁଢୀ ଭିକାରୁଣୀଟିଏ ବସିଛି | ନିଜକୁ ଟିକେ ଉଜନିଆ ଜ୍ଞାନୀ ବୋଲି ଭାବିଲା | କାରଣ ସେ ଠିକ ବେଳେ ଭାଷା ଶୁଦ୍ଧି କରିପାରିଛି | ତା’ ହେଲେ ବାପା କହୁଥିବା ଗଧ –ମୂର୍ଖ –ଗଣ୍ଡ –ଧଣ୍ଡ ସେ କେବେ ହେଇପାରିବ କି ? ମା’କୁ ସଞ୍ଜ ବେଳକୁ ବାପା ନଥିବା ବେଳେ ପଚାରିବ |
କାଳିଆ ଘର ଭିତରକୁ ଗଲା | ପଢାଥାକରୁ “ ବିଲୁଆନନା “ ପତ୍ରିକାଟି ଆଣିଲା |ଖଟ ଉପରେ ଲଥକରି ଶୋଇପଡିଲା ଉପର ମୁଁହା | ଧେତ !ହବନି ---ପାରି ହବନି | ପୁଣି ତଳକୁ ପେଟ କରି “ବିଲୁଆନନା “ ଓଲଟାଇଲା | ମାତ୍ର ତା’କୁ ଅକ୍ଷରସବୁ ଜାଲୁ-ଜାଲୁ ଅନ୍ଧାରିଆ ଦିଶିଲେ | କିଛି ପଢିପାରିଲାନି | ସେ ବୁଢୀ ଭିକାରୁଣୀର ପାଉଁସିଆ ଉଦାସିଆ ମୁଁହଟା ପତ୍ରିକାର ପ୍ରୁଷ୍ଠା ଉପରେ ଦେଖିଲା | ବିଚାରୀ ରୋଗିଣୀ ବୁଢୀଟିଏ | ସକାଳୁ ସକାଳୁ କେତେ ଘର ଯାଇଥିବ | କେତେ ତାଟି କେତେ କବାଟ ଖୋଲି ଥିବ |ନେହୁରା ହୋଇ ଭିକ ମାଗିଥିବ |କେତେ ଗାଳି ଶୁଣିଥିବ | କେତେ ଖେଣ୍ଟିଆ ଖାଇଥିବ | କେତେ ଟାହିଟାପରା ଅପମାନିଆ କାଥାସବୁକୁ ହଜମ କରିଥିବ | କେତେ କାକୁତି ମିନତୀ ହୋଇନଥିବ ?ଅଳ୍ପ କେତେ ଖୁଦ –ଚାଉଳ ବା ଅସନା ଗୋଡି-ମିସା ଭଙ୍ଗା ବିପିଏଲ ଚାଉଳ ବା ଚମୁଡିଆ ମୁଢି ପାଇଥିବ |
ନାଁ -----! ନାଁ ------! ଆଜି କିଛି ପାଇନି ବୋଧେ | ବୁଢୀଟାର ମୁଁହ ଭୋକ –ଉପାସରେ କଳାକାଠ ପଡିଯାଇଛି |ଏ ଗୁଳୁଗୁଳିରେ କାଉ-କୋଇଲିର ଦେଖା ନାହିଁ |ଅଥଚ ବୁଢୀ ଜେଜେମାଟା ଗୋଟା ଖରାବେଳେ ମାଈ କୁକୁରୀ ପରି ଗଛ ତଳେ ପଡି ଧକେଇ ହେଇଛି |
ବିଚରା ! ବୁଢୀଟା ବି ତ କାହାର ମା’ ହୋଇଥିବ | ପୁଅ ଝିଅ ମାନେ ମଧ୍ୟ ଥିବେ |ସମସ୍ତେ ହତାଦର କରୁଛନ୍ତି ପ୍ରାୟ |ମୋ ଜେଜେମା ବୟସର ହେବ |ତାକୁ ଡାକି ଆଣିଲେ ଭଲ ହୁଅନ୍ତା | ଗପୁଡି ଜେଜେମାର କଥା ଶୁଣିବା ସାଙ୍ଗ ଜଣେ ମିଳିଯାଆନ୍ତା |
ପୁଣି ଡର ଲାଗିଲା କାଳିଆକୁ |ବାପା ରାଗିବେ | କୁଆଡୁ ଗୋଟିଏ ଅପରଛନିଆ ରୋଗିଣୀ ବୁଢୀ ଭିକାରୁଣୀକୁ ଆଣିଛୁ ---କାହାକୁ ପଚାରିଥିଲୁ ---ତୋର ତ ବହୁତ ସାହସ ହୋଇଗଲାଣି ଦେଖୁଛି ଆଜିକାଲି ---ଏମିତି କେତେ କାନ -ଫଟା କଥା |
ମା’ ରାଗିବ ! ଖାଲି ଛି ଛି କରିବ | ଛାତି ଫଟେଇଦେବା ଟିଟକାରିଆ କଥା କାନ୍ଥ –ବାଡକୁ ଶୁଣେଇକରି କହିବ | ସବୁବେଳେ କନକନ ହେବ |” ଲୋକେ ଗୋହ –କୁଟା ଆଣି ଘରେ ପୁରଉଛନ୍ତି , ଇଏ ଆମରି ଗୁଣମଣି କ’ଣ କଲେ ଶୁଣୁଛ – ଅଜଣା ଅଶୁଣାକୁ ଆଣି ଅନ୍ନଧ୍ଵଂସ କରିବାର ଏକ ଅଭିନବ ପନ୍ଥା ବାହାର କରିଛନ୍ତି |” କାଳିଆ ଆଉ ଅଧିକା ଚିନ୍ତା କରି ପାରିଲାନି |
ବିଛଣାରେ କଡ ଲେଉଟାଇଲା | ଆଖି ବୁଜିଲା |ମନକୁ ଆସିଲା – ପାଣି ବୋତଲଟା ନେଇ ବୁଢୀକୁ ଦେଲେ କେମିତି ହୁଁଅନ୍ତା ? ଘର ପଛପଟେ ଜେଜେମା’ ଜମାକରିଥିବା ପୁରୁଣା ଦରଛିଡା ଚପଲ ହଳେ ଦେଇଦେଲେ ଭଲ ହୁଅନ୍ତା ନି ? ଦୁଇ ଅଞ୍ଜୁଳା କଡକଡିଆ ମୁଢିକୁ ପଲିଥିନରେ ପୁରେଇ ଚୁପଚାପ ଦେଇଦେଲେ ଆହୁରି ଭଲ ହୁଅନ୍ତା | କାଳିଆ ପୁଣି ଚିନ୍ତା କଲା , ଏ ସବୁ ଦେଇ ସାରିଲା ପରେ ତା’ର ପାଣ୍ଡୁରା ମୁଁହର ଚେହେରାକୁ ଦେଖନ୍ତି |
କାନ ପାରିଲା କାଳିଆ | ବାପା “ସମାଜ “ ପଢୁ ପଢୁ ଶୋଇଗଲେଣି | ନାକ ଡାକୁଛି | ସୁଷୁରି ପଡିଲାଣି | ମା’ ପାନ ବନେଇବାରେ ବ୍ୟସ୍ତ | ମାଳୀ କାକୀ ସହ କଥାର ପସରା ମେଲିଦେଇଛି | ସାନ ଭାଇ-ଭଉଣୀ ମାନେ ଟିଭିରେ ଛୋଟା ଭୀମ ଦେଖୁଛନ୍ତି ଆଉ ଖିଲି ଖିଲି ହସୁଛନ୍ତି | ଏହା ହିଁ ସୁବର୍ଣ୍ଣ ସୁଯୋଗ |
କାଳିଆ ଧୀରେ ଧୀରେ ମୁଢି ଡବା ଖୋଲିଲା | ନଡିଆ ସଉଡାରେ ଦୁଇ ସଉଡା ମୁଢି ଆଣି କଳା ପଲିଥିନରେ ପୁରେଇଲା | ପାଣି ବୋତଲଟା ଉଠେଇଲା | ପଛ ପାଖକୁ ଯାଇ ପୁରୁଣା ଦରଛିଡା ଜେଜେମା’ର ଚଟି ହଳେ ନିଜେ ମାଡିଲା | ଏବଂ ଅତି ସନ୍ତର୍ପଣରେ ଚୁପଚାପ ଆମ୍ବଗଛ ମୂଳରେ ହାଜର |
ବୁଢୀ ଭିକାରୁଣୀଟା ଟିକେ ମୁରୁକି ହସିଦେଲା | ତା’ର ମଇଳା ମୁଁହଟା ଈଷତ ଝଲସି ଉଠିଲା |ହଳଦିଆ ଦାନ୍ତକୁ ନେଫେଡି ବୋତଲରୁ ପାଣି ପିଇଲା | ତିନି ଚାରି ଢୋକ ତରବରିଆ ହେଇ ପିଇପକେଇଲା | ପାଣି ପିଉ ପିଉ କାଶି ପକେଇଲା ବି | ମୁଢି ପୋଟଳାଟା ଖୋଲି ମୁଠା ମୁଠା ମୁଁହ ଭିତରକୁ ଗେଫି ଦେଲା |ଏମିତି କିଛି ସମୟ ପରେ ଆଉ ଥରେ ପାଣି ପିଇଲା ଏବଂ ଟିକେ ଆଶ୍ଵସ୍ଥ ହେଲା ବୋଲି ଲାଗିଲା |
ପୁରୁଣା ଅପରଛନିଆ ଚପଲକୁ ପାଦରେ ପୂରଉ ପୂରଉ କହିଲା – ବାପ ! ବଞ୍ଚେଇ ଦେଲୁ | ଚାରି ଦିନ ହେଲା ଦାନାଟିଏ ପେଟକୁ ଯାଇ ନଥିଲା | ଆଜି କେଉଁଠୁ କିଛି ମିଳିଲାନି | ପୁଣି ଏ ନିଆଁଗିଳା ଝାଞ୍ଜି | ମୁଁ ତ ଭାବିଲି ମୋର ଆଜି ଶେଷ ଦିନ | ବଞ୍ଚେଇ ଦେଲୁ ଧନରେ --- କହୁ କହୁ କାଳିଆର ମଥାରେ ହାତକୁ ବୁଲେଇ ଆଣିଲା –ଶହେ ବରଷ –ହଜାରେ ବରଷ ବଞ୍ଚିଥା ---ମୋ ଆୟୁଷ ତୋତେ ଲାଗିଲା –ବଡ ମଣିଷ ହେବୁ ରେ ପୁଅ |”
ମା’ ପଦ୍ମିନୀ ପିଣ୍ଡା ଉପରୁ ଆଙ୍ଗୁଠି ଦେଖେଇ କାଳିଆର ଏକ ନୂଆ ରୂପକୁ-ବ୍ୟକ୍ତିତ୍ଵକୁ-ନୂତନ ଆବିଷ୍କାରକୁ ମହାଭାରତର ସଞ୍ଜୟପରି ଧୃତରାଷ୍ଟ୍ରଙ୍କୁ ଦେଖେଇବା ମୁଦ୍ରାରେ ବାପାଙ୍କୁ ଦେଖେଇ ଦେଉଥିଲେ ---ଉଭୟେ ଥରେ ଆମ୍ବଗଛ ମୂଳକୁ ଆଉ ଥରେ ନିଜ-ନିଜକୁ ନିରେଖି ଦେଖୁଥିଲେ | ଉଦୁଉଦିଆ ରବିବାରିଆ ଖରାବେଳଟା ତାଙ୍କୁ ଶୀତଳତମ ସନ୍ଧ୍ୟାବେଳ ପରି ଚନ୍ଦନମଖା ବାସନ୍ତିରଙ୍ଗା ଗୁଧିଳିବେଳା ପରି ମହ ମହ ପ୍ରତୀୟମାନ ହେଉଥିଲା |