ଅନାଥ ଆଶ୍ରମ
ଅନାଥ ଆଶ୍ରମ


ଇଜ୍ଜତ ସିଂଙ୍କ ବାପା ଥିଲେ, ଇଂରେଜ ଅମଳର ଜଣେ ଇଜ୍ଜତଦାର ଲୋକ । ସିଲିଗୁଡ଼ିରୁ ଦାର୍ଜିଲିଂ ପର୍ଯ୍ୟନ୍ତ ଲମ୍ବି ଯାଇଥିବା ପାହାଡ଼ି ରେଳପଥ ନିର୍ମାଣ କାର୍ଯ୍ୟରେ ତାଙ୍କର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କର୍ସିୟାଙ୍ଗ ଟାପୁ ଉପରେ ସାହେବ ମାନେ ଅନେକ ଗୁଡ଼ିଏ ଶୈଳନିବାସ ନିର୍ମାଣ କଲେ । ସେଥିରେ ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ଥିଲା । ତେଣୁ ସବୁଠୁ ଉପରେ ଚିମିନି ଟାପୁରେ ଥିବା ସୁରମ୍ୟ ପ୍ରସାଦଟିକୁ ଜଣେ ସାହେବ ତାଙ୍କୁ ଉପହାର ଦେଇଥିଲେ । ସେ ପ୍ରସାଦଟି ହେଉଛି-କର୍ସିୟାଙ୍ଗ ସହର ପାଇଁ ଗର୍ବ ଓ ଗୌରବ ।
ଇଂରେଜମାନେ ଚାଲିଗଲା ପରେ ଇଜ୍ଜତ ସିଂ କର୍ସିୟାଙ୍ଗର ଜଣେ ନାମଜାଦା ଲୋକ ହିସାବରେ ପରିଚିତ ହେଲେ । ସବୁଠୁ ଧନୀ ଲୋକ ହିସାବରେ ତାଙ୍କର ଖାତିରି ବଢିଗଲା । ଉଚ୍ଚ ଉଚ୍ଚ ପାହାଡ଼ ଟାପୁ ଉପରେ ଦେଶୀ ସାହେବମାନଙ୍କର ଭିଡ଼ ଜମିଲା । ପର୍ଯ୍ୟଟକ ଓ ପରିଦର୍ଶକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଲା । ହୋଟେଲ, ଦୋକାନ ଓ ବଜାର ସଂଖ୍ୟା ସାଙ୍ଗକୁ ସରକାରୀ ଦପ୍ତର ମଧ୍ୟ ବହୁ ଗୁଣିତ ହେଇଗଲା ।
କେତେଜଣ ଖ୍ରୀଷ୍ଟିୟାନ ପାଦ୍ରୀ ନିଜ ବୁଦ୍ଧି ଖଟେଇ କର୍ସିୟାଙ୍ଗରେ ଶିକ୍ଷାକୁ ବ୍ୟବସାୟରେ ପରିଣତ କରିଦେଲେ । ଅତ୍ୟାଧୁନିକ ସୁଖ-ସୁବିଧା ସହିତ ଇଂରାଜୀ ମାଧ୍ୟମର ବିଦ୍ୟାଳୟମାନ ଖୋଲି ଚାଲିଲେ । କଲିକତାର ଧନୀକ ଏବଂ ସୌଖିନ ଲୋକମାନଙ୍କ ସହିତ ବଙ୍ଗଳା ଦେଶ ତଥା ଭୁଟାନର ଅସଂଖ୍ୟ ଛାତ୍ର ଛାତ୍ରୀ ଆସି ସେଇଠି ଆବାସିକ ବିଦ୍ୟାଳୟରେ ରହି ଅଧୟନ କଲେ । ବର୍ଷକୁ ଲକ୍ଷ ଲକ୍ଷ ଟଙ୍କାଦେଇ ପାରୁଥିବା ଧନୀ ବ୍ୟବସାୟୀଙ୍କ ପିଲାମାନେମଧ୍ୟ ଆସି ଭିଡ଼ ଜମେଇଲେ । ତେଣୁ ଲୋକସଂଖ୍ୟା କର୍ସିୟାଙ୍ଗରେ ହୁ-ହୁ ହେଇ ବଢି ଚାଲିଲା ।
ଇଜ୍ଜତ ସିଂ ଯେଉଁ ପର୍ବତ ଟାପୁ ଗୁଡ଼ିକୁ ହାତରେ ରଖିଥିଲେ, ପରେ ସେଗୁଡ଼ିକୁ ବିକ୍ରି କରି ସେ କୋଟି କୋଟି ଟଙ୍କାର ମାଲିକ ହେଇଥିଲେ । ବୃଦ୍ଧ ଇଜ୍ଜତ ସିଂଙ୍କ ଅନ୍ତେ ତାଙ୍କ ପୁଅ ମହିନ୍ଦର ସିଂ ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହେଇଗଲେ । ବିନା ପରିଶ୍ରମରେ ଏତେ ଗୁଡ଼ାଏ ସମ୍ପତ୍ତିର ମାଲିକ ହେଇଥିବାରୁ ମହିନ୍ଦରଙ୍କର ଅଯଥା ବଦଖର୍ଚ୍ଚ ବହୁତ ବଢ଼ି ଯାଇଥିଲା ସତ; କିନ୍ତୁ ତାଙ୍କର ଅର୍ଥ କୌଣସି ମହତ କାର୍ଯ୍ୟରେ ଲାଗି ପାରି ନଥିଲା । ଦାନ, ଧର୍ମ କିମ୍ବା ଲୋକହିତକର କାର୍ଯ୍ୟ ପାଇଁ କେହି କେବେ ତାଙ୍କଠାରୁ କିଛି ନେଇପାରନ୍ତି ନାହିଁ । ତୋଷାମଦକାରୀ, ଠକ, ମଦ କମ୍ପାନୀ ଏବଂ ଚୋରମାନଙ୍କ ଦ୍ୱାରା ତାଙ୍କର ଅର୍ଥ ଶ୍ରାଦ୍ଧହୁଏ ।
ତୃତୀୟ ପିଢ଼ିର ମଣିଷ ମହିନ୍ଦର ସିଂଙ୍କ ପୁଅ ସଂଜୟ ଜେଜେଙ୍କ ଗୁଣସୂତ୍ର ନେଇ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ବେଳୁ ବେଶ ପରୋପକାରୀ ଜଣା ପଡୁଥିଲା । ଜଣେ ମେଧାବୀ ଛାତ୍ର ହିସାବରେ ଡାକ୍ତରୀ ଶିକ୍ଷା ମଧ୍ୟ ତାଙ୍କର ଶେଷ ହେଇଗଲା ।
ଏଥର ବାପା ତାଙ୍କୁ ପରାମର୍ଶ ଦେଲେ-"ତୋର କୌଣସି ଚାକିରୀ କରିବା ଦରକାର ନାହିଁ । ତୁ କେବଳ ଆମର ସମ୍ପତ୍ତିର ରକ୍ଷଣାବେକ୍ଷଣା ଦାୟିତ୍ୱ ବୁଝାବୁଝି କର । ମୋର ଯାହା ବ୍ୟାଙ୍କ ବାଲାନ୍ସ ରହିଛି, ତା'ର ସୁଧକୁ ଖର୍ଚ୍ଚ କଲେ ବି, ସାରା ଜୀବନରେ ତାକୁ ଶେଷକରି ପାରିବୁ ନାହିଁ ।"
କିନ୍ତୁ ସଂଜୟ ଥିଲେ- ଭିନ୍ନ ଉପାଦାନରେ ଗଢ଼ା ମଣିଷ । ସେ ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରୁ କରୁ ପଣ୍ଡିଚେରୀ ଆଶ୍ରମରେ ପହଞ୍ଚିଗଲେ । ସେଠାକାର ପରିବେଶ ଓ ଆଧ୍ୟାତ୍ମିକ କାର୍ଯ୍ୟକଳାପ ତାଙ୍କୁ ଅତ୍ୟନ୍ତ ଭଲ ଲାଗିଲା । ସେ ମନପ୍ରାଣ ଦେଇ ସେ ସ୍ଥାନର ମହତ୍ଵକୁ ବୁଝିବାରେ ଲାଗିଲେ । ଆଠଦିନ,ପନ୍ଦର ଦିନ ପୁଣି ମାସେ ରହୁ ରହୁ ସେ ବର୍ଷଟିଏ ଆଶ୍ରମରେ ରହିଗଲେ ।
ବାପା-ମାଆଙ୍କୁ ସେ ନିଜର ଅବସ୍ଥିତି ଏବଂ ଆନନ୍ଦପ୍ରାପ୍ତି ସମ୍ପର୍କରେ ନିୟମିତ ସୂଚନା ଦେଉଥିଲେ ।
ହଠାତ ଦିନେ ସେ ମନଖୋଲି ଚିଠିରେ ଲେଖିଦେଲେ- "ମୋର କୌଣସି ଅର୍ଥ, ଧନ-ସମ୍ପତ୍ତି, କୋଠାବାଡ଼ି ଏବଂ ଅନ୍ୟ ପଦାର୍ଥ ପ୍ରତି ମୋହ ଆସୁନାହିଁ । ମୁଁ ଏଠାରେ ବର୍ତ୍ତମନେ ଶ୍ରେଷ୍ଠ ସୁଖ ଲାଭ କରୁଛି । ତେଣୁ ମୁଁ ଏଠାରେ ଏକ ଆଧ୍ୟାତ୍ମିକ ଜୀବନ ବିତେଇବାକୁ ଚାହୁଁଛି ।"
ବାପା-ମାଆ ଦୁହେଁ ଏକମାତ୍ର ପୁଅ ସଂଜୟର ଏଭଳି କାର୍ଯ୍ୟକଳାପରେ ବ୍ୟସ୍ତହେଇ ପଡ଼ିଲେ । କୌଣସି ପ୍ରକାରେ ବୁଝେଇ ପୁଅକୁ ଫେରେଇ ଆଣି ବାହା କରେଇ ଦେବାପାଇଁ ଯୋଜନା କଲେ ।
ହଠାତ ଦିନେ ସେମାନେ ପଣ୍ଡିଚେରୀ ଆଶ୍ରମରେ ପହଞ୍ଚି ସଂଜୟକୁ ଦେଖି ଚିହ୍ନି ପାରିଲେ ନାହିଁ । ମୁହଁରେ ଦାଢ଼ି, ଦେହରେ ଛୋଟ ଧୋତି ଦୁଇ ଖଣ୍ଡ ଆଉ ଖାଲିପାଦ, ଭଗ୍ନ ସ୍ୱାସ୍ଥ୍ୟ । ଏ'ସବୁ ଦେଖି ସଂଜୟଙ୍କର ବାପା-ମାଆଙ୍କରଧୈର୍ଯ୍ୟ ରହିଲା ନାହିଁ । ପୁଅକୁ କେମିତି କର୍ସିୟାଙ୍ଗକୁ ଫେରେଇ ଆଣିବେ, ସେଥିପାଇଁ ସମସ୍ତ ପ୍ରକାର ଚେଷ୍ଟା କଲେ । ମାଆ ସଞ୍ଜୟର ହାତକୁ ଧରି ବହୁତ କାନ୍ଦିଲେ ।
ସୁନ୍ଦରୀ ଆଉ ଶିକ୍ଷିତା ଝିଅଟିଏ ସେମାନେ ତା'ପାଇଁ ଦେଖିଛନ୍ତି ବୋଲି କହିଲେ । କିନ୍ତୁ କୌଣସି ପ୍ରକାର ଔଷଧ ସଞ୍ଜୟକୁ କାଟୁ କଲାନାହିଁ ।
ଅସହାୟ ଅବସ୍ଥାରେ ବାପା-ମାଆ ଦୁହେଁ କର୍ସିୟାଙ୍ଗ ଫେରି ଆସିଲେ । ବନ୍ଧୁ ବାନ୍ଧବ ସାଙ୍ଗ ସାଥୀମାନଙ୍କ ମାଧ୍ୟମରେ ସେମାନେ ପୁଅ ସଂଜୟ ଉପରେ ଚାପ ପକେଇଲେ । ମଝିରେ ମଝିରେ ବାପା କିମ୍ବା ମାଆଙ୍କର ଦେହ ଅସୁସ୍ଥ କଥା ଜଣେଇ ଚିଠି ଦେଲେ । ଜମିବାଡ଼ି କିଣା ବିକାନେଇ ତା'ର ଉପସ୍ଥିତି ଅତ୍ୟନ୍ତ ଜରୁରୀ ବୋଲି ଖବର ଦେଇ ପଠେଇଲେ । ପଣ୍ଡିଚେରୀ ଆଶ୍ରମରେ ଅନ୍ୟ ବରିଷ୍ଠ କର୍ମଚାରୀ ଓ ସାଧୁ ଗବେଷକମାନଙ୍କ ନିକଟକୁ ବହୁ ଆବେଦନ ନିବେଦନ କଲେ, କିନ୍ତୁ କୌଣସି ସୁଫଳ ତାଙ୍କୁ ମିଳିଲା ନାହିଁ ।
ସଂଜୟ ତାଙ୍କର ଶେଷ ନିଷ୍ପତି ଜଣେଇ ଦେଲେ- ପଣ୍ଡିଚେରୀ ଆଶ୍ରମ ଛାଡ଼ି ସେ ଆଉ କୌଣସି ସ୍ଥାନକୁ ଯିବେ ନାହିଁ । ଏହା ପରେ ବି ତାଙ୍କର ବାପା-ମାଆ ଅନେକ ଚେଷ୍ଟା କରିଥିଲେ । ତାଙ୍କର ଗଭୀର ବିଶ୍ୱାସ ଥିଲା, ପୁଅ ଦିନେ ନା' ଦିନେ ଘରକୁ ଫେରି ଆସିବ । ଏ' ଅକଳନ ସମ୍ପତ୍ତିର ମାଲିକ ହେବ । ଗୁଣୀ ଗାରେଡ଼ି, ତନ୍ତ୍ର-ମନ୍ତ୍ର ବି ସବୁ ବିଫଳ ହେଲା । ତେଣେ ସଂଜୟ ସିଂ ପଣ୍ଡିଚେରୀରେ ଥାଇ ଜଣେ ନିଷ୍ପାପର ସାଧୁ ପାଲଟି ଗଲେ । ଘର ସହିତ ସେ କୌଣସି ସମ୍ପର୍କ ରଖିଲେ ନାହିଁ ।
ତଥାପି ସଂଜୟର ମାଆ-ପୁଅର ଫେରନ୍ତା ବାଟକୁ ଚାହିଁ ବସିଥା'ନ୍ତି । ସତକୁ ସତ ହଠାତ ଦିନେ ସଂଜୟ ଆସି କର୍ସିୟାଙ୍ଗରେ ପହଞ୍ଚିଲେ । ବାପା-ମାଆଙ୍କୁ ଦେଖାକରି ପରାମର୍ଶ ଦେଇ ଗଲେ -"ମୁଁ ତମର ଏକମାତ୍ର ପୁଅ ଥିଲି । ତମେ ମୋ କଥା ମାନିଲେ, ତୁମେ ଦି'ଜଣ ସମଗ୍ର କର୍ସିୟାଙ୍ଗବାସୀଙ୍କର ବାପା-ମାଆ ହେଇଯାଇ ପାରିବ ।
ଅସଂଖ୍ୟ ଅନାଥ ଶିଶୁ ଆମ ଏ' ଅଞ୍ଚଳରେ ଅସହାୟ ଅବସ୍ଥାରେ ଜୀବନ କାଟୁଛନ୍ତି । ଅଭାବ ଓ ଦୁଃଖର ଅନ୍ଧକାର ଭିତରେ ତାଙ୍କର ଶୈଶବର ମୃତ୍ୟୁ ଘଟୁଛି । ତମେ ଯଦି ଏ' ପ୍ରସାଦଟିକୁ ଗୋଟାଏ ଅନାଥ ଆଶ୍ରମ କରିଦେଇ ପାରିବ, ତେବେ ମୁଁ ସବୁଠୁ ବେଶି ଖୁସି ହେବି । ସେହି ଅନାଥ ପିଲାମାନେ ହିଁ ତମ ଦି'ଜଣଙ୍କୁ ଅଧିକ ସୁଖ ଦେଇପାରିବେ ।
ବାପା-ମାଆ ଦୁହେଁ, ସଂଜୟର ମୁହଁକୁ ବଲବଲ କରି ଚାହିଁଥିଲେ । ଭାବୁଥିଲେ-ଏତେ ସମ୍ପତ୍ତି, ବିଶାଳ ପ୍ରସାଦ ଏବଂ ବ୍ୟାଙ୍କ ବାଲାନ୍ସ ପ୍ରତି ପୁଅର ତିଳେ ମାତ୍ର ମୋହ ନାହିଁ । କ'ଣ ଆଉ କରାଯାଇ ପାରିବ ?
ସେଦିନ ସଂଜୟ ବାପା-ମାଆଙ୍କଠାରୁ ବିଦାୟ ନେଇ ପୁଣି ପଣ୍ଡିଚେରୀ ଚାଲିଗଲେ । ଏଥର ବାପା-ମାଆ ବୁଝିଗଲେ, ସଂଜୟ ଆଉ ଅମଳ ହେଇପାରିବ ନାହିଁ ।
ଏହା ମଧ୍ୟରେ ଅନେକ ଦିନ ବିତିଗଲାଣି । ସଂଜୟଙ୍କ ବାପା-ମାଆ ପୁଅ ଚିନ୍ତାରେ ଖୁବ ଦୁର୍ବଳ ହେଇଗଲେଣି । ସେମାନଙ୍କର ଏତେ ସମ୍ପତ୍ତିକୁ କାହା ହାତରେ କେମିତି ଟେକି ଦେବେ । ବିପଦ ଆପଦ, ଦୁଃଖ-ସୁଖରେ ତାଙ୍କୁ କିଏ ସାହା ଭରସା ହେବ । ଏତିକି ଥିଲା ତାଙ୍କର ସବୁବେଳ ପାଇଁ ଚିନ୍ତା । ଏଣେ ସମ୍ପତ୍ତି ପ୍ରତି ମୋହ ତାଙ୍କର ତୁଟୁ ନଥାଏ ।
ଦିନେ ବୁଢା-ବୁଢ଼ୀ ମିଶି ନିଷ୍ପତି ନେଲେ, ପାଳିତ ଝିଅଟିଏ ଆଣି ରଖିବେ । ବନ୍ଧୁ ବାନ୍ଧବ ଭିତରୁ ହେଲେ ତ ସବୁଠୁ ଭଲ ।
କିନ୍ତୁ ସେମାନେ ତ କେଉଁ ଯୁଗରୁ ନିଜ ଅଞ୍ଚଳ ଛାଡ଼ି ସାରିଲେଣି, କାହାରି ସହିତ ସେଭଳି ସମ୍ପର୍କ ମଧ୍ୟ ଭଲ ନାହିଁ । କିଏ ତାଙ୍କୁ ନିଜର ଝିଅଟିକୁ ଟେକି ଦେବ । ଯଦି କେହି ଝିଅଟି ଦିଏ, ସିଏ ଯେ ଅସୁବିଧା ସମୟରେ ଆମକୁ ସାହା ଭରସା ହେବ କି ନାହିଁ, କିଏ କହି ପାରିବ ?
ସଞ୍ଜୟକୁ ଫେରେଇ ଆଣିବା ପାଇଁ ସେମାନେ ଶେଷଥର ଚେଷ୍ଟା ଚଳେଇଲେ । କିନ୍ତୁ ଏଥର ସଂଜୟ ତାଙ୍କୁ ସାକ୍ଷାତ କରିବାକୁ ମନା କରିଦେଲେ ।
ବରଂ ଖବର ଦେଇ ପଠେଇଲେ, ଆପଣ ଯଦି ପାରନ୍ତି -"କୌଣସି ଅନାଥ ପିଲାଟିକୁ ନେଇ ଘରେ ରଖି ତାକୁ ପୁତ୍ର କିମ୍ବା କନ୍ୟାର ମର୍ଯ୍ୟାଦା ଦିଅନ୍ତୁ ।"
ବାପା-ମାଆ ଦୁହେଁ ଖାଲି ହାତରେ ପଣ୍ଡିଚେରୀରୁ ଫେରୁଥା'ନ୍ତି । ଷ୍ଟେସନରେ ଦେଖିଲେ, ସାତ-ଆଠ ବର୍ଷର ଝିଅଟିଏ ହାତ ପାତି କିଛି ସାହାଯ୍ୟ ଭିକ୍ଷା କରୁଛି । ତାକୁ ପାଖକୁ ଡାକି ବୁଝିଲେ, ସେ ଝିଅଟିର ବାପା-ମାଆ କେହି ନାହାନ୍ତି । ମାଗିଯାଚି ସେ ବଞ୍ଚୁଛି । ଘରେ କାମକରି ରହିବାକୁ ମଧ୍ୟ ପ୍ରସ୍ତୁତ ଅଛି । ସେଦିନ ସେମାନେ ତା 'ପାଇଁ ମଧ୍ୟ ଟିକେଟ ଖଣ୍ଡିଏ କାଟି ଦେଲେ । ନୂଆ ଫ୍ରକ ପ୍ୟାଣ୍ଟ କିଣି ତାକୁ ପିନ୍ଧେଇ ଦେଲେ । ସ୍ଥାନୀୟ ପୋଲିସରେ ସମସ୍ତ ପ୍ରକାର ସୂଚନା ଦେଇ ସେ ଝିଅଟିକୁ ସାଙ୍ଗରେ କର୍ସିୟାଙ୍ଗ ନେଇ ଆସିଲେ ।
କର୍ସିୟାଙ୍ଗର ସୁନ୍ଦର ପରିବେଶ । ଶୀତଳ ଜଳବାୟୁ ଏବଂ ସମସ୍ତଙ୍କର କୋମଳ ବ୍ୟବହାରରେ ଝିଅଟିର କାର୍ଯ୍ୟକଳାପ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଲା । ସେ ସଂଜୟର ବାପା-ମାଆଙ୍କୁ ମଧ୍ୟ ବାପା ମାଆ ବୋଲି ଡାକିଲା । ଧୀରେ ଧୀରେ ଝିଅଟି ଉପରେ ବାପା-ମାଆ ଦୁହେଁ ନିର୍ଭରଶୀଳ ହେବାକୁ ଲାଗିଲେ ।
ଝିଅଟିର ଡାକ ନାଁ'ଟା ଶୁଣିବାକୁ ଭଲ ନଥିଲା । ତେଣୁ ସଂଜୟର ମାଆ ତାକୁ ପାର୍ବତୀ ନାଆଁ ଧରି ଡାକୁଥିଲେ । କିଛିଦିନ ପରେ ପାର୍ବତୀ ସ୍କୁଲରେ ପାଠ ବି ପଢିଲା । ବୟସ ଟିକେ ଅଧିକ ହେଇ ଯାଇଥିଲା ସିନା, କିନ୍ତୁ ସେ ପାଠକୁ ଖୁବ ଭଲ ମନେ ରଖିପାରୁ ଥିଲା ।
ଏବେ ଆଖ ପାଖ ଲୋକେ ଜାଣିଗଲେ, ଏ' ଝିଅଟି ହେଉଛି-ସଂଜୟର ଭଉଣୀ । ଦିନ ଗଡ଼ି ଚାଲିବା ସଙ୍ଗେ ସଙ୍ଗେ ଘର ଭିତରର ସବୁ ଜିନିଷ ଉପରେ ତପାର୍ବତୀର ଅଧିକାର ବଢି ଚାଲିଲା ।
ପାର୍ବତୀ ବୁଝିଗଲା -ଏହିମାନେ ହିଁ ତା'ର ହଜି ଯାଇଥିବା ପ୍ରକୃତ ବାପା ମାଆ । ଅନେକ କଷ୍ଟରେ ଅନେକ ଦିନ ପରେ ସେ ତା'ର ବାପା-ମାଆଙ୍କୁ ଫେରି ପାଇଛି ।
ଏହା ଭିତରେ ସଂଜୟକୁ ତା'ର ବାପା-ମାଆ ଭୁଲି ଆସିଲେଣି । ଏଣେ ତା' ଆସନକୁ ପାର୍ବତୀ ମାଡ଼ି ବସିଲାଣି । ବୟସ ବଢିବା ସଂଗେ ସଂଗେ ତାଙ୍କର ଦାୟିତ୍ୱ ମଧ୍ୟ ବଢି ଗଲାଣି । ପାର୍ବତୀ ପରୀକ୍ଷା ଦେଇ ମାଟ୍ରିକ ପାସ କରିଗଲା । ଏ' ଖବର ଶୁଣି ତା'ର ବାପାମାଆ ବହୁତ ଖୁସି ହେଇଗଲେ ।
ବଢ଼ିଲା ଝିଅକୁ କେତେଦିନ ବା ଏମିତି ରଖି ପାରିବେ ? ଦିନେ ବାପା-ମାଆ ପାର୍ବତୀଙ୍କୁ ଶୁଣେଇ କହିଲେ -"ତୁ ଆମର ପୁଅ ଝିଅ ସବୁ କିଛି । ଏ' ସବୁ ସମ୍ପତ୍ତିର ଉତ୍ତରାଧିକାରୀ ତୁ । କିନ୍ତୁ ଆଜିକାଲିର ଯୁଗ ଯେମିତି ହେଲାଣି, ଆମେ ଭାବୁଛୁ- ଏହି ଅଚଳାଚଳ ସମ୍ପତ୍ତି ହିଁ ତୋ' ପାଇଁ ଦିନେ ବିପଦ ସୃଷ୍ଟି କରିପାରେ । ତେଣୁ ଆମେ ଠିକ କରିଛୁ, କୌଣସି ଯୋଗ୍ୟ ପିଲାଟିଏ ପାଇଲେ ; ଆମେ ଆଣି ତାକୁ ଘର ଜୋଇଁଆ କରି ରଖିବୁ ।"
ପାର୍ବତୀ ତ କେଉଁ ଦିନରୁ ବାପା ମାଆଙ୍କର ବାଧ୍ୟଝିଅ ହେଇସାରିଥିଲା । ସେ ଆଗପଛ ବିଚାର ନକରି, ତାଙ୍କ ପ୍ରସ୍ତାବରେ ରାଜି ହେଇଗଲା ।
ଇଜ୍ଜତ ସିଂଙ୍କ ପରିବାରକୁ ଝିଅଟିଏ ନେବାକୁ କିଏ ବା ନ ଚାହିଁବ ! ଧନଜନ ଗୋପଳକ୍ଷ୍ମୀ, ଜାନି-ଯୌତୁକର ଅଭାବ ନାହିଁ । ଅନେକ ଧନୀ ଶ୍ରେଣୀର ବ୍ୟବସାୟୀ ଆସି ପାର୍ବତୀଙ୍କୁ ବୋହୂ କରି ନେବାକୁ ଆଗ୍ରହୀ ହେଲେ । ସମସ୍ତେ ଯେତେବେଳେ ଜାଣିଗଲେ ଯେ, ସଂଜୟ ଆଉ ଫେରିବ ନାହିଁ । ସବୁ ସମ୍ପତ୍ତିର ଉତ୍ତରାଧିକାରୀ ହେଉଛି ପାର୍ବତୀ । ଘରେ ବୁଢା ବୁଢ଼ୀ ଦି'ଜଣ ସବୁ ପାର୍ବତୀ ନାଆଁରେ ଉଇଲି କରି ଦେଇଛନ୍ତି । ଆହୁରି ଅଧିକରୁ ଅଧିକ ପ୍ରସ୍ତାବମାନ ଆସି ପହଞ୍ଚିବାରେ ଲାଗିଲା ।
ଦିନକୁ ଦିନ ସଂଜୟର ବାପାଙ୍କର ଅବସ୍ଥା ଖରାପ ହେବାକୁ ଲାଗିଲାଣି । ସେ ଆଉ ଉଠାଵସା କରିପାରୁ ନାହାନ୍ତି । ଘର ଭିତରେ ଏକମାତ୍ର ପାର୍ବତୀ ହିଁ ଭରସା । ତା'ର ସେବା ଆଉ ଶ୍ରଦ୍ଧାରେ ସେ ଏତେଦିନ ସୁସ୍ଥର ବଞ୍ଚି ରହିଛନ୍ତି । ପାର୍ବତୀର ଭବିଷ୍ୟତ ଚିନ୍ତା, ଏବେ ତା'ର ମାଆ ହିଁ କରୁଛନ୍ତି ।
ମାଆ ଦିନେ ସବୁ ଦିଗରୁ ସବୁ ପ୍ରସ୍ତାବକୁ ବିଚାର କରି ଦେଖିଲେ । ଯେତେ ଗୁଡ଼ାଏ ପ୍ରସ୍ତାବ ପାର୍ବତୀ ପାଇଁ ଆସୁଛି, ସେସବୁ କେବଳ ଧନ ସମ୍ପତ୍ତି ପାଇଁ । ପାର୍ବତୀ ଜଣେ ଅନାଥ ବାଳିକା । ଶିକ୍ଷାଗତ ଯୋଗ୍ୟତା ସେତେ ବେଶି ନୁହେଁ, ରୂପ ନାହିଁ କି ଗୁଣ ନାହିଁ । ବୟସ ମଧ୍ୟ ହେଇଗଲାଣି,। ତଥାପି ଉଚ୍ଚ ଶ୍ରେଣୀର ଧନୀ ଲୋକମାନେ ନିଜପୁଅ ପାଇଁ ପ୍ରସ୍ତାବ ପଠେଇ ଚାଲିଛନ୍ତି । ସେ ପାର୍ବତୀଙ୍କୁ ପାଖକୁ ଡାକି ମନର କଥା କହିଦେଲେ । ସମସ୍ତ ପ୍ରସ୍ତାବକୁ କାଟି ନାସ୍ତିବାଣୀ ଶୁଣେଇ ଦେଲେ ।
ଦିନେ ସଂଜୟର ମାମୁ ତାଙ୍କ ଘରକୁ ଆସିଥା'ନ୍ତି । ସେ ବଡ଼ ଭଉଣୀର ମନକଥା ଶୁଣିଲେ । ସେ ପ୍ରସ୍ତାବ ଦେଲେ-" ଆଉ ଜଣେ ଅନାଥ ପିଲାକୁ ଆଣି ପାର୍ବତୀ ସହିତ ବିବାହ କରିଦେଲେ ଭଲ ହେବ । କିନ୍ତୁ ସେ ପିଲା ସଂସ୍କାରଯୁକ୍ତ ହେଇଥିବା ଦରକାର ।"
ଅନାଥ ଆଶ୍ରମରେ ଲାଳିତ ପାଲିତ ହୋଇଥିବା ପ୍ରଦ୍ୟୁମ୍ନ ନାମକ ଯୁବକଟିର କଥା ତାଙ୍କର ମନେ ପଡ଼ିଗଲା । ସେ ଏବେ କଠିନ ପରିଶ୍ରମ କରି ଛୋଟ କୁଟୀର ଶିଳ୍ପକରି ଚଳୁଛି । ଖୁବ ଭଲ ପିଲା ।
ଦିନେ ସଂଜୟର ମାମୁ ତାକୁ ଡାକି ଆଣି ପାର୍ବତୀଙ୍କୁ ଦେଖାଇ ଦେଲେ । ବିନା ଆଡମ୍ବରରେ ବାହାଘର ବି ହେଇଗଲା । ସେମାନେ ଆସି ସଂଜୟର ପ୍ରାସାଦରେ ପୁଅ ବୋହୂ ହେଇ ରହିଲେ ।
ଅଳ୍ପଦିନ ପରେ ପ୍ରଦ୍ୟୁମ୍ନର ପରୋପକାର, ଅନ୍ୟକୁ ସାହାଯ୍ୟ କରିବା ଗୁଣଦ୍ୱାରା ସଂଜୟର ବାପା-ମାଆ ମଧ୍ୟ ପ୍ରଭାବିତ ହେଲେ । ସଂଜୟ କଥାକୁ ସ୍ମରଣ କରି ଚାରିଜଣ ମିଶି ନିଷ୍ପତି ନେଲେ , ଏ'ସବୁ ସମ୍ପତ୍ତିକୁ ନେଇ ଗୋଟାଏ ଅନାଥ ଆଶ୍ରମ କରିବେ । ଯେଉଁ ପିଲା ଅନାଥ ଆଶ୍ରମରୁ ବଡ଼ହେଇ ବାହାରିବେ, ଏଇଠି ତାଙ୍କପାଇଁ କର୍ମ ସଂସ୍ଥାନ ବ୍ୟବସ୍ଥା ବି ହେଇ ପାରିବ ।
ପ୍ରଦ୍ୟୁମ୍ନ ବୁଝେଇ ଦେଲା-"ଆପଣ ଗୋଟିଏ ପୁଅ ସଂଜୟର ବାପା-ମାଆ ହେଇଥିଲେ । ଏବେ ଆମ ଦୁଇ ଜଣଙ୍କୁ ଲଗେଇ ଆପଣ ତିନି ଜଣଙ୍କର ବାପା-ମାଆ ହେଇଛନ୍ତି । ମୁଁ ଚାହେ, ଆପଣମାନେ ଲକ୍ଷେ ସନ୍ତାନର ବାପା-ମାଆ ହୁଅନ୍ତୁ । ଏ' ସମ୍ପତ୍ତିକୁ ଆମେ ତ କଷ୍ଟ କରି ଅର୍ଜନ କରିନାହୁଁ । ତେଣୁ ଆମେ ଏହାର ମାଲିକ ହେବାର ଅଧିକାର ପାଇନାହୁଁ । ଏ' ପ୍ରାସାଦ ହେଉ ଏକ ବୃହତ ଅନାଥ ଆଶ୍ରମ । ତା' ନାମ ଦିଆଯାଉ ସଞ୍ଜୟ ଅନାଥ ଆଶ୍ରମ । ଆମେ ଦୁଇଜଣ ଆଜୀବନ ଏଇ ଆଶ୍ରମର ସେବକ - ସେବିକା ହେଇ ରହିବୁ ।"
ବୁଦ୍ଧିମାନ ପ୍ରଦ୍ୟୁମ୍ନ ଆଉ ବୁଦ୍ଧିମତୀ ପାର୍ବତୀଙ୍କ କଥା ସମସ୍ତଙ୍କ ମନକୁ ପାଇଲା ।