ଅଲୋଡ଼ା
ଅଲୋଡ଼ା


କଣ ଗୋଟିଏ ଖୋଜୁଥିଲେ ଲୁସିଦେବୀ ପୁରୁଣା ଟ୍ରଙ୍କରୁ । ଖୋଜୁଥିବା ଜିନିଷ ସିନା ପାଇଲେ ନାହିଁ । ହେଲେ ନ ଖୋଜୁଥିବା ଓ କିଛି ଦିନ ପୂର୍ବରୁ ଅତି ଆପଣାର ଥିବା ଜିନିଷ ଟିଏ ଆଖିରେ ପଡିଗଲା । ଖୁବ୍ ଆପଣାର ଥିଲା ଦିନେ । ହେଲେ ଆଜି ଆଉ କିଛି ଆବଶ୍ୟକ ନାହିଁ ତା'ର । ବିବାହର ଅନେକ ଦିନ ବିତିଯାଇଛି । ଦୀର୍ଘ ୧୭ ବର୍ଷ । ସେଦିନ ଏମିତି ଗୋଟିଏ ଜିନିଷ ପାଇଁ ମନ ବ୍ୟଗ୍ର ହୁଏ । କେତେବେଳେ ମୋ ପାଖକୁ ଆସିବ,କଣ ଥିବ ସେଥିରେ । ସେ ଜିନିଷ ଟା ଆଉ କିଛି ନୁହେଁ । ନାଲି କାଳିର ନୀଳ ଲଫାପା ତ,ପୁଣି ନୀଳ କାଳିରେ ମାଟିଆ ମୁଦଦିଆ ଲଫାପା । ଆଉ କେତେବେଳେ ସବୁଜ କାଳିରେ ଧଳା କାଗଜକୁ ବହି ଖାତା ଅବା ସାଥି ପ୍ରକାଶନୀ ଭିତରେ । ଓଃ କି ଅପୂର୍ବ ରୋମାଞ୍ଚିତ ହୋଇଯାଏ ଏଇ ଗୋଟିଏ ପାଇଁ ।
ଆଜିକାଲି ପରି ଏତେ ବେସରମିଆ ପ୍ରେମ ନୁହେଁ । ଆମ ବେଳର ପ୍ରେମରେ ସଞ୍ଜମତା ବେଶୀ ଥିଲା । ଆଜିକାଲି ପରି ତ ମୋବାଇଲ ନ ଥିଲା କି ଫୋନ ନ ଥିଲା । ଯାହା କିଛି ହୁଏ ଆଗ ଆଖିରେ ଆଖିରେ ପ୍ରେମ । ତା ପରେ ଚିଠି ଦିଆନିଆ । ସେଇ ଚିଠିରେ ଚିଠିରେ ଚାଲିଯାଏ କିଛି ଦିନ । ତା ପରେ ଯାଇ କଥା ବାର୍ତ୍ତା । ତା ପୁଣି କେହି ଦେଖିବେନି,ଶୁଣିବା ଦୂରେ ଥାଉ । ଅନ୍ୟ ଗାଆଁରୁ ଆସି ଆମ ଗାଆଁରେ ମାମୁ ପାଖରେ ରହି ପଢୁଥାଏ ଲକ୍ଷ୍ମଣାନନ୍ଦ । ସମସ୍ତେ ତାକୁ ଲକ୍ଷ୍ମଣ ବୋଲି ଡାକନ୍ତି । ସେ ଝିଅ ମାନଙ୍କ ସହ ଆଦୌ କଥା ହୁଏ ନାହିଁ । ଗୋଟିଏ ଚାଉଳରେ ଗଢା । ଖୁବ୍ ସୁନ୍ଦର ଦେଖିବାକୁ । ପ୍ରଥମ ଦେଖାରେ ହିଁ ଦୁହେଁ ଦୁହିଁଙ୍କୁ ପ୍ରେମ କରି ବସିଥିଲୁ । ଏକଥା କିନ୍ତୁ କେହି ଜାଣି ପାରି ନ ଥିଲେ । ସେ ସବୁବେଳେ ମୋତେ ଖାଲି କଣେଇ କଣେଇ ଚାହିଁ ଥାଏ । ଆଉ ଆଖିକୁ ଆଖି ମିଶିଗଲେ କେମିତି ଗୋଟିଏ ପ୍ରେମ ହସ ହସିଦେଇ ମୋ ହୃଦୟରେ ଘର କରିନିଏ । ଯାହା ତ ସ୍କୁଲରେ ହୁଏ, ଧୀରେ ଧୀରେ ଟିଉସନ ବେଳେ ଟିକେ ଟିକେ କଥା ହେଲୁ । ମୁଁ ଘରୁ ତା ପାଇଁ ମିଠା, ପିଠା ତରକାରୀ ଇତ୍ୟାଦି ମୋ ମାଆ ପାଖରୁ ଆଣିଦିଏ । ସେ ବି ଯାହା ଭଲମନ୍ଦ ଜିନିଷ ଥାଏ ଦିଏ । ଏମିତି ଭାବରେ ସମ୍ପର୍କ ବଢିଚାଲେ । ଜଣେ ଆର ଜଣକୁ ନ ଦେଖିଲେ ପାଗଳ ଭଳି ହୋଇ ଯାଉ । ଏବର୍ଷ ମେଟ୍ରିକ ପରୀକ୍ଷା । ତା ପରେ ସେ ଚାଲିଯିବ ତା ଘରକୁ । ଏଇକଥା ତ ଦୁହେଁ ଭାବି ବଡ଼ କଷ୍ଟ ପାଉ । ସେଦିନ ତା ବାପା ଆସିଥିଲେ । ମୁଁ ଦେଖି ଦେଇ ତାଙ୍କୁ ଜୁହାର ବି ହେଲି । ମୋ ହାତକୁ କଣ ଗୋଟିଏ ପୁଟୁଳି ଧରେଇ ଦେଲେ ମଉସା । ଲକ୍ଷ୍ମଣ ଙ୍କୁ ସେ ପରୀକ୍ଷା ସରିଲେ ନେଇଯିବେ ଭାବି ମୁଁ କାନ୍ଦ କାନ୍ଦ ହୋଇଗଲି । ସେ କହିଲେ ଆଲୋ ହୁଣ୍ଡି ତୁ କାହିଁକି ବ୍ୟସ୍ତ ହେଉଛୁ । ସେ ଘରକୁ ଗଲେ ବି ତୋତେ ମଝିରେ ମଝିରେ ଆସି ଦେଖା କରି ଦେଇ ଯିବ । ଆଉ କିଛି ଦିନ ଲକ୍ଷ୍ମଣାନନ୍ଦ ତା ମାମୁଁଙ୍କ ପାଖରେ ରହୁବୋଲି ମଉସାଙ୍କୁ କହିଲି । ହେଲେ ପରୀକ୍ଷା ସରିଲେ ତ ଏହି ଠାରୁ ହିଁ ସେ ପଳେଇ ଯିବ ବୋଲି ମଉସା କହିଲେ । ଆଉ କହିଲେ, ଆଲୋ ମାଆ, ମୁଁ ତୋତେ କେତେ ଭଲପାଏ, ତୁ ମୋ ପୁଅକୁ ପଚାରିବୁ ସେ କହିବ । ତୋତେ ଏଠି ଛାଡି ମୁଁ କି ମୋ ପୁଅ କଣ ଶାନ୍ତି ରେ ରହି ପାରିବୁ । ତୋତେ ମୁଁ ଖୁବଶୀଘ୍ର ମୋ ଘରକୁ ମୋ ବୋହୁ କରି ନେଇଯିବି । ଜମା କାନ୍ଦନା,କି ମନ ଉଣା କରନା । ତୁ ପରା ମୋ ଲକ୍ଷ୍ମୀ । ତୋତେ କିଏ ଭୁଲି ପାରିବ ଯେ ତୁ ଏମିତି ହେଉଛୁ । କିଛି ନ କହି ନୀରବରେ ଠିଆ ହୋଇ ରହିଲି ।
ମଉସା କଣ ଗୋଟିଏ କହି ନିକଟସ୍ଥ ବଜାରକୁ ଚାଲି ଗଲେ । କାଲି ପରୀକ୍ଷା ଶେଷ ହେଲେ ଲକ୍ଷ୍ମଣାନନ୍ଦ ଓ ସେ ନିଜ ଘରକୁ ପଳେଇ ଯିବେ । ମଉସା ଯିବା ପରେ ମୁଁ କେବଳ ତାଙ୍କୁ ଅନେଇ ରହିଥିଲି । ସେ କିନ୍ତୁ ତାଙ୍କ ଆଖିର ଲୁହ ପୋଛି ମୋତେ ଡାକିଲେ । ଆରେ ତୁମେ ଏମିତି ପିଲାଙ୍କ ପରି କାହିଁ ହେଉଛ । ଶୁଣିଲ ପରା ବାବା କଣ କହିଲେ । ତୁମ ବ୍ୟତିତ ଆଉ କାହାକୁ ବି ବୋହୁ କରିବେନି । ଆଉ ମୁଁ ବି ମଝିରେ ମଝିରେ ତୁମ ପାଖକୁ ଆସିବିନି କି? ପରୀକ୍ଷା ସରିଗଲା । ସମସ୍ତେ ବର୍ତ୍ତମାନ ଘରମୁହାଁ । ନିଜ ନିଜ ଜିନିଷପତ୍ର ସଜାଡି ଘରକୁ ଯିବାର ପୂର୍ଣ୍ଣ ପ୍ରସ୍ତୁତି । ଗାଡ଼ି ଦୁଇଟାରେ ଦୁଇଥର ଯିବେ । ମୁଁ ବି ମୋର ସବୁ ଜିନିଷପତ୍ର ସଜାଡି ଥାଏ । ଖିଆପିଆ ସାରି କେହି କେହି ନିଜ ନିଜ ମଧ୍ୟରେ କଥା ହେଉଥାନ୍ତି, ମନ ଦୁଃଖରେ ବି କେହି କେହି କାନ୍ଦୁଥାନ୍ତି । ବିଦ୍ୟାଳୟ ଜୀବନ ଆଜି ଠାରୁ ସରିଗଲା । ସାଙ୍ଗସାଥି, ମାନଅଭିମାନ,କଳି ଝଗଡା, କଟି କରିବା ଭଳି ସେ ଯେଉଁ ଅନନ୍ୟ ମିଠା ଅନୁଭୂତି ସମୟ ଆଉ ଏ ଜୀବନରେ ଆସିବ ନାହିଁ । ମୁଁ ଏକୁଟିଆ ଗୋଟିଏ ପିଣ୍ଢାରେ ବସିଥାଏ । ମଉସା ମୋ ଆଡକୁ ଆସିଲେ,ପାଖରେ ବି ବସିଗଲେ । ମୋ ମୁଣ୍ଡରେ ହାତ ମାରି କହିଲେ, ମାଆରେ ତୁ ମୋ ବୋହୁ ହୋଇ ମୋ ଘରକୁ ଯିବୁ ନିଶ୍ଚୟ । ଏକଥା କୁ କାନିରେ ଗଣ୍ଠି ଭଳି ମନେ ରଖିଥିବୁ । ଆଉ ମଝିରେ ମଝିରେ ଚିଠିଟିଏ ଦେଉଥିବୁ । ଏ ବାପାକୁ ଭୁଲିବୁ ନାହିଁ । ଶୁଣ ,ମୁଁ ବି ଆସିବି । ଲକ୍ଷ୍ମଣ ବି ଆସିବ । ବ୍ୟସ୍ତ ହେବୁନାହିଁ । ସେ ଆସିଲାଣି, ତା ସହ ଟିକେ କଥା ହୋଇ ଯା । ଆମେ ପୁଣି ଯିବୁ କେତେ ବାଟ । ମୋ ମାଆ, ମୋ ପୁଅକୁ ହସି ହସି ଘରକୁ ପଠେଇବୁ । ମୋ ପୁଅ ତୋ ପାଖରୁ ମନ ଦୁଃଖ ରେ ଗଲେ ମୁଁ ଜମା ଶାନ୍ତିରେ ରହି ପାରିବି ନାହିଁ । ଏହି ସମୟରେ ସେ ଆସିଲେ । ପାଖରେ ଟିକେ ଉହାଡ କରି ବସିଲେ । ଯେମିତିକି କାହାର ନଜର ପଡିବନି । ଅନେକ ବୁଝେଇଲେ,କେତେ କେତେ ନୂଆ ଭାବନାରେ ନିମଗ୍ନ କରାଇଲେ ଆଉ ଆଶ୍ବାସନା ମୂଳକ ସାନ୍ତ୍ବନା ବାର୍ତ୍ତା ଦେଲେ । ସମସ୍ତଙ୍କ ଆଢୁଆଳରେ ଗୋଟିଏ ମଧୁର ଚୁମ୍ବନ ମଥାଉପରେ ଦେଲେ । ଆଉ ବିଦାୟ ନେଇ ଚାଲିଗଲେ ।
ସେ ବିଦାୟ ଯେ ଶେଷ ବିଦାୟ ହୋଇଯିବ ମୋ ପାଖରୁ, ମୁଁ ସ୍ଵପ୍ନରେ ବି କଳ୍ପନା କରି ନ ଥିଲି । ଉଭୟେ ଉଭୟଙ୍କୁ ମନେ ପକାଇ ଚିଠି ଦିଆନିଆ ବି ଚାଲିଲା । ତାଙ୍କ ପାଖରୁ ଚିଠିଟିଏ ପାଇ ମୁଁ ଲେଖିଲି । ମୋର ତୁମେ, ଭକ୍ତିଭରା ଜୁହାର ନେବ । ମଉସା ମାଉସୀଙ୍କୁ ଅଦୂରରୁ ଶବ୍ଦର ପ୍ରଣାମ । ଏବେ ତୁମେ ଦେଇଥିବା ଚିଠି ପାଇଲି । ମହାପ୍ରଭୁଙ୍କ ଦୟାରୁ ତୁମେ ନିଶ୍ଚୟ ଭଲରେ ଥିବ ଓ ଅନ୍ୟ ମାନେ ବି । ମୁଁ ଭଲରେ ଅଛି । ମୋ ପାଇଁ ତୁମେ ବ୍ୟସ୍ତ ହେବନାହିଁ । ହେଇଟି ଜାଣିଲ,ତୁମକୁ ବହୁତ ଦିନରୁ ଦେଖି ନାହିଁ । ଭାରି ଇଚ୍ଛା ହେଉଛି ଦେଖିବାକୁ । କେବେ ଆସିବ କହିଲ । ମଉସା କହିଥିଲେ ତୁମେ ଆସିବ ବୋଲି । ହେଲେ ଏପର୍ଯ୍ୟନ୍ତ ଥରେ ହେଲେ ଆସୁନାହଁ । ସାର୍ଟିଫିକେଟ ପାଇଁ ଆସିଲା ବେଳକୁ ମୋତେ ଯେମିତି ହେଲେ ଦେଖା ଦେବ ଟିକେ । ମୁଁ ତୁମକୁ ଛାଡ଼ି ଜମା ରହି ପାରୁନି । ତୁମ ପାଖକୁ ମୋତେ ନେଇଯାଅ । ନେବ ନା ନାହିଁ କୁହ । ତୁମ ବିନା ମୋତେ ସବୁ ଖାଲି ଅନ୍ଧାର ଦେଖାଯାଉଛି । ଏ ,ତୁମେ କେବେ ଆସିବ କହିବ । ..............................ଆଉ କଣ କହିବି । ହେଉ...... ରହିଲି..... । ମୋ ଚିଠି ପାଇ ଚିଠି ଦେବ । ରହୁଛି ,ବୁଝିଲ । ନିଶ୍ଚୟ ଚିଠି ଦେବ । ତୁମର ମୁଁ..... ପରୀକ୍ଷା ଫଳ ପ୍ରକାଶ ପାଇଛି । ସେ ଆଉ ମୁଁ second divisionରେ ପାସ କରିଥିଲୁ । କେବେ, କେମିତି, କେତେବେଳେ କେଜାଣି ଆସି ସାର୍ଟିଫିକେଟ ନେଇଗଲେ । ଚିଠି ଦେବା ବି ବନ୍ଦ କରିଦେଲେ । ମୁଁ ବହୁତ ବ୍ୟସ୍ତ ହୋଇଗଲି । ନା ପାଠ ପଢିଲି ନା କଲେଜ ଗଲି । ସମ୍ପୂର୍ଣ୍ଣ ଭାବେ ମୂକ ହୋଇଗଲି । ପୁରା ଚୁପଚାପ । ତଥାପି ତାଙ୍କ ବାଟ ଚାହିଁ ରହିଥାଏ । ଘର ଲୋକ ମୋର ବିବାହ ପାଇଁ ଆୟୋଜନ କରିଲେଣି । ଏ ଭିତରେ ଦିନେ ହଠାତ ଦିନେ ଗୋଟିଏ ଚିଠି ପହଞ୍ଚି ଗଲା । ଅକ୍ଷର ଦେଖି ଜାଣି ଗଲି, ସେ ଦେଇଛନ୍ତି । ଅତ୍ୟନ୍ତ ଆଗ୍ରହର ସହ ଚିଠି ଖୋଲି ପଢିଲି ଯାହା ନିଜ ଆଖିକୁ ବିଶ୍ୱାସ କରି ପାରିଲି ନାହିଁ । ତାଙ୍କ କଥା ଥିଲା କି ,ଦେଖ ପିଲାବେଳର କଥା, ଆଉ ଏବେ, ଆକାଶ ପାତାଳ ଫରକ । ମୁଁ ଏବେ ଅଲଗା ରାସ୍ତାରେ । ତୁମ ବାଟ ତୁମେ ଦେଖ । ମୁଁ ଗୋଟିଏ ଚାକିରି କରୁଥିବା ଝିଅକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛି । ସବୁ କିଛି ଠିକ ହୋଇଗଲାଣି ବି । ତୁମେ ମୋତେ ଆଉ ଅପେକ୍ଷା କରିବ ନାହିଁ । ରହିଲି । ଆଉ ପଢି ପାରିଲି ନାହିଁ । ତା ପର କଥା ନ କହିବା ଭଲ । ଠିକ ନଅ ଦିନ ପରେ । ବିବାହ କାର୍ଡ ଧରି ଲକ୍ଷ୍ମଣାନନ୍ଦ ମୋ ସମ୍ମୁଖରେ । ମୋ ହାତକୁ କାର୍ଡଟି ବଢେଇ ଦେଲେ । ଆଉ ଯିବାକୁ କହି ଚାଲିଯିବା ସମୟରେ.... ମୁଁ ଧରିନେଲି ହାତକୁ, ମୁଁ ତୁମର କଣ ଅପରାଧ କରିଥିଲି । ମୋତେ ଏତେ ବଡ଼ ଶାସ୍ତି ଦେଲ । ମୋ କଥାର ଜବାବ ଦିଅ । ମୋ ପାଖରୁ ମୁକ୍ତି ପାଇବାକୁ ମିଛ କହି ଚାଲିଗଲେ । ମୁଁ ଏମିତି ଏକ ପରିସ୍ଥିତିରେ ପଡି ବାଧ୍ୟ ହେଲି । ମୋତେ ଭୁଲ ବୁଝିବନି । ମୁଁ ଏଇଠୁ ଏ କାର୍ଡଟି ଦେଇ ଆସେ । ତୁମକୁ ସବୁ କହିବି । କହି ଯାଇଛନ୍ତି । । ମୁଁ ସେଦିନ ଠାରୁ ଅନେଇ ବସିଛି, ତାଙ୍କ ଆସିବା ବାଟକୁ ଚାହିଁ । କାହିଁ ଗଲେ ମୋ ଶ୍ୟାମଘନ ।