STORYMIRROR

Siddhartha Sankar Tripathy

Comedy Romance Inspirational

2  

Siddhartha Sankar Tripathy

Comedy Romance Inspirational

ଅଲୋଡା ପୃଷ୍ଠା (ଷଷ୍ଠ ଭାଗ)

ଅଲୋଡା ପୃଷ୍ଠା (ଷଷ୍ଠ ଭାଗ)

3 mins
114

*ଅଲୋଡା ପୃଷ୍ଠା*

             

            *( ଷଷ୍ଠ  ଭାଗ)*

ଖୁସିର ପୃଷ୍ଠା କିଏ ବା ନଚାହେଁ ? ଖୁସି ଦୁଃଖ ତ ମୁଦ୍ରାର ଦୁଇଟି ପାର୍ଶ୍ବ। କିନ୍ତୁ.........

ମୋ ଡାଏରୀର ପୃଷ୍ଠା ତ ଲୁହରେ ଭରା।

ତା ଭିତରୁ ଖୋଜିଖୋଜି ସାଉଁଟିବାକୁ ଚେଷ୍ଟା କରୁଛି, କିଛିଟା ଖୁସିର ପୃଷ୍ଠା।

****   ****    ****

ଚାକିରୀ ତ ଆରମ୍ଭ ହୋଇଗଲା, ତାପରେ.......

ଏକବର୍ଷ ପରେ ପହଞ୍ଚି ଥିଲି ଘରେ। ଚାକିରୀଆ ପୁଅ। ଘରପାଇଁ କିଛିଟା ନେଇକି ବି ଯାଇଥିଲି। ବୋଉ କହିଲା, ବାବୁରେ ! ଏଥର ତତେ ହାତକୁ ଦିହାତ କରିଦେବା। ଲାଜେଇଯାଇ ଚୁପ୍ ରହିଲି ମୁଁ।

  ରାତିରେ ପୁଣି ସେହି ଆଲୋଚନା। ମୁଁ କହିଲି ଯାହା ତମମାନଙ୍କର ଈଚ୍ଛା, କିନ୍ତୁ କମ୍ପାନୀ ଚାକିରୀ, ତାଛଡା ମୋ ଉପରେ ବହୁତ ଦାୟିତ୍ବ, ତେଣୁ ମୁଁ ବାହାଘର ଚାରିପାଞ୍ଚଦିନ ପୁର୍ବରୁ ଆସି ପହଞ୍ଚିବି। ହଁ ଭରିଲେ ବାପା ବୋଉ। ପୁର୍ବରୁ ଜୀବନରେ ପ୍ରେମ, ବିରହ, ବିଚ୍ଛେଦର ସେମିତି କିଛି ଈତିହାସ ନଥିଲା ମୋର। ତେଣୁ ଭବିଷ୍ୟତ ପାଇଁ ସୁନ୍ଦର ସ୍ୱପ୍ନ ଦେଖିବା ସ୍ୱାଭାବିକ ଥିଲା।

 ଆନନ୍ଦ ଦେଉଥିଲା ଡାଏରୀ। ଓଲଟାଇ ଚାଲିଲି ପୃଷ୍ଠା

ନିଦ ନାହିଁ ରାତିସାରା। ମନେମନେ ସ୍ଥିର କରୁଥିଲି, ପ୍ରଥମ କର୍ତ୍ତବ୍ଯ ବାପାମାଆଙ୍କ ସେବା। ବାପାବୋଉ ତ ନିଶ୍ଚୟ ଭଲଘର ଦେଖି ବାହାଘର ସ୍ଥିର କରିବେ। ମୋର ଚିନ୍ତାଧାରା, ଆଦର୍ଶରେ ମୋ ପରିବାର ବି ଆଗକୁ ଗତିକରିବ।

ମନରେ ଉଚ୍ଚାଟ। ବାପାବୋଉ କେମିତିକା ଝିଅ ବାଛିବେ କେଜାଣି ? ନିଶ୍ଚୟ ସୁନ୍ଦରୀ ହୋଇଥିବ। କେତେବେଳେ ଆଖି ଲାଗିଯାଇଛି ଜାଣିନି। ବୋଉ ଡାକପକେଇଲା, ପୁଅରେ, ନଅଟା ବାଜିଲାଣି, ଉଠ୍। ଆଖିମଳିମଳି ପଚାରିଲି, ବୋଉ, ବାପା କୁଆଡେ ଗଲେ ? ବୋଉ ହସିହସି କହିଲା, ତୋ ସହ କଥା ହେଲାପରେ ତୋ ବାପାଙ୍କ ଗୋଡ ତଳେ ଲାଗୁନାହିଁ। ଆଜି ଯାଇଛନ୍ତି, କୋଉ ଗୋଟେ ଏସ୍. ପି ର ଝିଅ ଦେଖିବାକୁ। ଫେରୁଫେରୁ ରାତି ହେବ। ଦେଖିବା କ'ଣ ଖବର ଆସୁଛି।

  ନିଦ ଭାଙ୍ଗିଗଲା ମୋର। ତରବରରେ ପ୍ରସ୍ତୁତ କଲି ନିଜକୁ। ଅନୁଭବ କରୁଥିଲି, ପୁଅ ହେଉ ଅବା ଝିଅ, ଦୁହିଁଙ୍କ ପାଇଁ ସବୁଠାରୁ ଖୁସିର ମୁହୂର୍ତ୍ତ ଚାକିରୀ ଓ ବିବାହର *ପ୍ରାକ୍ ପ୍ରସ୍ତୁତି*।

***** ***** ***** *****

ଓଃ, ଠିକ୍ ସ୍ଥାନରେ ଡାଏରୀର ପୃଷ୍ଠା ଠାଁ ଠାଁ ଲିଭିଯାଇଛି। ଚଷମା ମାଡି ଭଲରେ ପଢିବାକୁ ଚେଷ୍ଟାକଲି ମୁଁ।

 ଦିନସାରା ନିଜର କୋଠରୀ ଭିତରେ ବସିରହି ସ୍ୱପ୍ନ ଦେଖିବାରେ ଲାଗିଲି। ମଧ୍ୟବିତ୍ତ ପରିବାର ଆମର। ଏସ୍. ପି ଘରେ ବନ୍ଧୁ। ଗାଡିଘୋଡା, ଚାକର ବାକର। ବାଃ କି ସମ୍ମାନ। ସୁନ୍ଦର ଅଟ୍ଟାଳିକା। ଘର ଭିତରେ ସ୍ୱିମିଙ୍ଗପୁଲ୍। କାଚର ଡାଇନିଙ୍ଗ ଟେବୁଲ୍। ସୁନ୍ଦର ବ୍ୟଞ୍ଜନ, ଭଳିକି ଭଳି ଚାମଚ। ଦୁଇପଟେ ସୁସ୍ଥ, ସବଳ ଆଲସେସିଆନ, ଡଗରମ୍ୟାନ।

ଆଭିଜାତ୍ୟର ଜୀବନ ଜିଇଁବାର ଅଭ୍ୟାସ କରିବାକୁ ହେବ।

**** **** **** ****

ଧନ୍ୟବାଦ ଡାଏରୀ। ସେଦିନ ତମ ନିର୍ଜିବ ବୁକୁରେ ଶସ୍ତା କଲମ ସ୍ୟାହିରେ ଏଇ କେଇ ପୃଷ୍ଠା ଆଙ୍କି ନଥିଲେ ହୁଏତ ଆଜିର ଏହି ସମୟରେ ଏସବୁ ମୋ ପାଇଁ ଭୁଲା ଅତୀତ ବ୍ଯତୀତ ଆଉ କିଛି ନଥାନ୍ତା।

    ଖିଆପିଆ ସାରି ବାହାରକୁ ଅନାଇ ରହିଥିଲି ବାହାରକୁ। ବାପା କେତେବେଳେ ଫେରିବେ, ଖବର କ'ଣ ? ହସୁଥିଲା ବୋଉ, କିନ୍ତୁ ବାହାରକୁ ଜଣାପଡୁନଥିଲା। କାରଣ ସେ ଜନ୍ମଦାତ୍ରୀ, ସର୍ବଂସହା, ଜନନୀ।

ଦଶମାସଦଶଦିନ ଗର୍ଭରେ ଧରି ଜୀବନମରଣ ସହ ସଂଗ୍ରାମ କରି ଶିଶୁଟିକୁ ଜନ୍ମ ଦିଏ। ମନପ୍ରାଣ ଦେଇ ପତି, ଶାଶୁଶ୍ୱଶୁରଙ୍କ ସେବା କରେ। ତା' ଜୀବନକାହାଣୀରେ ତ କେବଳ ସମର୍ପଣ। କେବଳ ଦେଇଚାଲେ ସବୁକିଛି। ତେଣୁ ତ ମାଆ ଦ୍ୱିତୀୟ ଭଗବାନ। ଭଗବାନ ଶଙ୍କର ପରା ସଂସାର ମଙ୍ଗଳ ପାଇଁ ଗରଳ ପାନ କରିଥିଲେ। ଠିକ୍ ସେମିତି ମାଆ ବି ସବୁଗରଳ ପାନ କରି କେବଳ ଦିଏ ହିଁ ଦିଏ।

**** **** **** ****

ଡାଏରୀର ଅସଜଡା ପୃଷ୍ଠାଗୁଡିକ ପଢୁପଢୁ ଅଠେଇଶି ବର୍ଷ ତଳକୁ ଫେରି ଯାଉଥିଲି ମୁଁ।

  ସନ୍ଧ୍ୟାର ଆଗମନ ସାଙ୍ଗକୁ ପ୍ରତ୍ୟାବର୍ତ୍ତନ କଲେ ବାପା। ବାହାରକୁ ଦୌଡିଯାଇ ବାପାଙ୍କ ହାତରୁ ପରିବା ବ୍ୟାଗ୍ ଟି ନେଇଆସିଲି। ହସିହସି ଘରେ ପ୍ରବେଶ କଲେ ବାପା। ଆଶାଆଶଙ୍କାରେ ଅନେଇଥିଲି ମୁଁ। ପଚାରିବି ବା କେମିତି ?

    ବୋଉ ପଚାରିବସିଲା, କ'ଣ ହେଲା ସେ ଏସ୍. ପି ର ଝିଅ କଥା ?

ବାପା ସ୍ମିତହସି କହିଲେ, ଏସ୍. ପି ଘର ବାରଣ୍ଡାରେ ବସି ଗପୁଥିଲୁ ଆମେ। ତମେ ତ ଜାଣିଛ କୁକୁରକୁ ମୋର ଭାରିଭୟ। ଶିକ୍ଷକ ଲୋକ। ଦୁଇଦୁଇଟା କୁକୁର ଦେହମୁଣ୍ଡ ଚାଟିପକେଇଲେ ।

କିଛି ସମୟପରେ ହାତରେ ଟେନିସ ରାକେଟ୍ ଧରି ଆବଶ୍ୟକତା ଠାରୁ କମ୍ କପଡା ପରିଧାନ କରି, ଆବଶ୍ୟକତା ଠାରୁ ଅଧିକ ମ୍ୟାକପ୍ ର ପ୍ରଲେପ ଦେଇ ଏସ୍. ପି ଙ୍କ ଝିଅ ପହଞ୍ଚି , ହ୍ୟାଲୋ ଅଙ୍କଲ କହି ହାତମିଳେଇଲା। ଚାହା ବି ନପିଇ ରୋକଠୋକ ମନାକରି ଚାଲିଆସିଲି ମୁଁ।

 ଭଲ କଲ କହିଲା ବୋଉ। ବାପା କହିଲେ, ମୋର ଶାନ୍ତ ସରଳ ପୁଅ ପାଇଁ ସୁନାନାକୀ ବୋହୁ ପାଇଲେ ହିଁ ବାହାଘର ସ୍ଥିର କରିବି। ଖୁସିରେ ପୁରିଉଠୁଥିଲା ମନ। ସ୍ୱପ୍ନ ଦେଖିବାର ଇଚ୍ଛାରୁ ନିବୃତ୍ତ ରହିପାରୁନଥିଲି ମୁଁ।

ଦୁଇଦିନପରେ ଫେରିଆସିଲି ଚାକିରୀ କ୍ଷେତ୍ରକୁ।

କ୍ରମଶଃ........



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy