Sucharita Sena

Drama Tragedy Others

4  

Sucharita Sena

Drama Tragedy Others

ଅଲିଭା ଦାଗ

ଅଲିଭା ଦାଗ

25 mins
352


ଆକାଶ ଟା କଳା ବାଦଳର ଚାଦର ରେ ଢାଙ୍କି ହୋଇ ଶୋଇଲା ଭଳି ଲାଗୁଛି | ମେଘ ଦେଖି ଗାଈ, ଛେଳି ମେଣ୍ଢା ସମସ୍ତେ ଗୁହାଳ ମୁହାଁ | ସଞ୍ଜୁଆ ସଞ୍ଜୁଆ ଲାଗୁଛି ଦିନ ଦିପହ ଟା | ଥଣ୍ଡା ପବନ ବୋହିଗଲା | ଚାକୁଣ୍ଡା ଗଛ ପାଖରେ ଗାଁ ପିଲା ସବୁ ଗାମୁଛା ଦେଖାଇ ପବନରେ ଉଡିଯାଉଥିବା ଚାକୁଣ୍ଡା ପତ୍ରକୁ ଧରିବାରେ ଲାଗିଥାନ୍ତି |

ବୋଉ......... " ଦେବୁ, କୁଆଡେ ଗଲୁ ଯେ ଆ ଟିକେ, ଏ ଜାଳ ଗୁଡା ଓଦା ହେଇଯିବ "|

ଦେବୁ........ "ରହ ରହ ବୋଉ ଯାଉଛି "|

ଦୌଡ଼ି ଆସିଲା ଦେବୁ, ବୋଉ ସହ ସବୁ ଜାଳ ନେଇ ରୋଷେଇ ଘରେ ରଖିଦେଲା |

ବୋଉ........" ଆଉ ବାହାରକୁ ଯାଆନି, ବର୍ଷା ପକାଇଲାଣି "|

ଦେବୁ ଟିକେ ବାହାରକୁ ଚାହିଁଲା | ଦେଖୁ ଦେଖୁ ଢୁ ଢୁ କି ଗାଳିଦେଇ ଗଲା ବର୍ଷଟା | ଦେବୁ ଆସି ଦେଖେତ ଚାଳ ଛପରରୁ ନାଲି ନାଲି ପାଣି ଧାର ବୋହି ଚାଲିଛି | ପିଢ଼ାରେ ମାଡ଼ିଥିବା କଖାରୁ ଓ ପୋଇ ପତ୍ର ଗୁଡାକ ବର୍ଷା ଖାଇ ହସିଲା ଭଳି ଦେଖା ଯାଉଛନ୍ତି | ଦୁଆର ଟାରେ ପାଦେ ଲେଖା ପାଣି ଠିଆ ହେଇଗଲାଣି | ଦେବୁ ବାଡ଼ିଟେ ଆଣି ରାସ୍ତା ଭୁଲି ଯାଇଥିବା ପାଣିକୁ ବାଟ କଢେଇ ଦେଲା |

ଏତିକି ବେଳେ ଦାଣ୍ଡ କବାଟର ଜଂଜୀର ବାଡେଇ ହୋଇ ଠକ ଠକ ହେଲା |

ବୋଉ. ..... "ଏ, ଦେବୁ ଦେଖିଲୁ କିଏ ? "|

ଦେବୁ ଦୌଡ଼ି ଯାଇ କବାଟ ଖୋଲିଦେଲା, ବାଇଆ ଅଜା ନିଜ ପୁଟୁଳିକୁ ପେଟରେ ଜାକି ଠିଆ ହୋଇଛି | ନିଜେ ପୁରା ଓଦା ହୋଇଗଲାଣି କିନ୍ତୁ ପୁଟୁଳିକୁ ଟିକେ ବି ଓଦା କରିନି | ବଡ ପାଟିରେ ବୋଉକୁ ଶୁଣେଇଲା ପରି ଦେବୁ କହିଲା, "ବାଇଆ ଅଜା ଆସିଛି ବୋଉ "|

              ବୋଉ କଣ କାମ କରୁଥିଲା ବୋଧେ, ବାଇଆ ଅଜା ନାଆଁ ଟା ଶୁଣି କାମ ଛାଡି ଦୌଡ଼ି ଆସିଲା |

ବୋଉ........ " ଆ.. ଆ ଘର ଭିତରକୁ,  ବର୍ଷରେ ଜୁଡୁବୁଡୁ କିମିତି ହେଲୁରେ, କାହା ଓଳିତଳେ ଟିକେ ଠିଆ ହୋଇ ଗଲୁନି, କେତେ ଓଦା ହୋଇଚୁ | ତୁ କଣ ଦେଖି ପାରିଲୁନି ଏତେ ଜୋରେ ମେଘଟା ଉଠେଇଚି |"

ବାଇଆ ଅଜା ଭିତରକୁ ଆସି ଠିଆ ହେଲା, ତା ଦେହରୁ ପାଣି ଗଡୁ ପଡୁଥାଏ, ପାଟିଟା ଠକ ଠକ ବାଡେଇ ହେଉଥାଏ | ଶୀତରେ ବାଇଆ ଅଜା ଥରି ଯାଉଥିଲା |

ବୋଉ ....... " ନେ ଏ ଗାମୁଛା ପୋଛି ହୋଇପଡ଼, ରହ ବାବୁଙ୍କ ପ୍ୟାଣ୍ଟ ସାର୍ଟ ଦଉଚି ପିନ୍ଧି ଦେବୁ | କୁଆଡେ ଯିବୁନି ଚାହା କରୁଛି ପିଇବୁ, ଟିକେ ଆରାମ ଲାଗିବ | "

ବୋଉ ଚାହା କରିବାକୁ ଚୁଲି ଲଗେଇଲା, ଚାଳ ଛପରରୁ ଧୂଆଁ ଗୁଡା ଗୁଡେଇ ତୁଡେଇ ହୋଇ ଉପରକୁ ଉଠୁଥାନ୍ତି | ଭିଜା ଚାଳ ଛପର ଟା ଯେପରି କୁହୁଡି ଛଇଲା ପରି ଦେଖା ଯାଉଥାଏ |

ବାଇଆ ଅଜା ଟିକେ ଏପଟ ସେପଟ ଅନେଇ ନିଜ ଦେହକୁ ପୁଟୁଳିଟି ଲଗେଇ ରଖିଲା ଭଳି ବସିଲା | ଗାମୁଛାରରେ ପୋଛି ହେଲା ପରେ ଟିକେ ଥରା କମିଲା | ବୋଉ ଦେଇଥିବା କପଡା ପିନ୍ଧି ଜାକି ଜୁକି ହୋଉ ବସିଗଲା | ବୋଉ ଚାହା ଉପରେ ମୁଢି ପକାଇ ଥୋଇ ଦେଲା ତା ପାଖରେ | ବାଇଆ ଅଜା ଚାହା କୁ ଚଅଁ ଚଅଁ କି ପିଇବାରେ ଲାଗିଥାଏ |

ବୋଉ........ " ଆଜି ଏ ବର୍ଷଟା ଛାଡିଲା ଭଳି ଲାଗୁନି | ଏ ବାଇଆ ଆଉ ମୁଢି ଦେବି ? | ତୁ ଆଜି କାହା ଘରେ ଭାତ ଖାଇଛୁକି ନାହିଁ, କୁଆଡେ ଥିଲୁ ଯେ ଆଗରୁ ଟିକେ ଆସିଥିଲେ ଭାତ ଖାଇଥାନ୍ତୁ | ଖାଲି ଭାତ ଅଛି ତରକାରୀ ତ ନାହିଁ କଣ ଖାଇବୁ ?|

ବାଇଆ ଅଜା ବୋଉକୁ ଅନେଇକି ଢକ ଢକ ଚାହା ସବୁ ପିଇଦେଲା | ବୋଉ କଣ ବୁଝି ପାରି ତା କଂସାରେ ଆହୁରି ମୁଢି ଆଣି ଅଜାଡି ଦେଲା | ବାଇଆ ଅଜା ଚାଳରୁ ଗଡି ପଡୁଥିବା ବର୍ଷା ପାଣିକୁ ଚାହିଁ ମୁଢି କୁ ଧୀରେ ଧୀରେ ଚୋବୋଉଥାଏ  |

                   ..............................

               " ବାଇଆ ଅଜା " | ଆଜି ଯାଏ କେହି ଜାଣି ନାହାନ୍ତି ବାଇଆ ଅଜା କିଏ | ବିଗତ ଦଶ ବର୍ଷ ପୂର୍ବେ ମୟୁରଭଞ୍ଜ ସହରର ବଡ଼ଗୋବରା ଗାଁ ରେ ଆର୍ବିଭାବ ହୋଇଥିଲା ଏ ବାଇଆ ଅଜା | ହାତରେ ପୁଟୁଳିଟି ଧରି ବାଇଆ ଅଜା ଆପିଣ୍ଡାରୁ ତା ପିଣ୍ଡା ଘୁରି ବୁଲେ | ତା ଅବସ୍ଥା ଦେଖି ଦୟା ସୁରୂପ କିଏ ଗଣ୍ଡେ ଖାଇବାକୁ ଦେଇଦିଏ | କିନ୍ତୁ ବାଇଆ ଅଜା କାହାକୁ ମାଗିବା ଆଜିଯାଏ କେହି କେବେ ଦେଖି ନାହାନ୍ତି | ରାତି ହେଲେ ମନ୍ଦିର ବେଢା ରେ ଶୋଇପଡେ | ବାଇଆ ଅଜା ସବୁ ବେଳେ ଚୁପ, କିନ୍ତୁ ସେ ମୂକ ନୁହେଁ ନିଜକୁ ନିରୋଳା ପାଇଲେ ପୁଟୁଳି ସହ ଗାଲୁରୁ ଗାଲୁର ହୋଇ କଥା ହେବା ଦେବୁ ନିଜ ଆଖିରେ ବହୁତ ଥର ଦେଖିଛି | କେହି କିଛି ପଚାରିଲେ ବାଇଆ ଅଜା କିଛି କୁହେନି | ସବୁବେଳେ ସେ ପୁଟୁଳି କୁ ଦେହରେ ଚାପି ରଖେ, ନିଜ ଠାରୁ ନିମିଷେ ମଧ୍ୟ ଦୂର କରେନି |

            ଦେବୁ ର ନଜର ବାଇଆ ଅଜା ର ପୁଟୁଳି ଉପରେ ତାର ବହୁତ ଇଛା ଖୋଲିକି ଦେଖିବ ତା ଭିତରେ କଣ ରଖିଛି ସେ | ଦେବୁ ବହୁତ ଥର ଚେଷ୍ଟା କରିଛି ଦେଖିବା ପାଇଁ କିନ୍ତୁ ସଫଳ ହୋଇନି | ବାଇଆ ଅଜା ସବୁବେଳେ ପୁଟୁଳିକୁ ଛାତିରେ ନହେଲେ ମୁଣ୍ଡତଳେ ରଖିଥାଏ, ଟିକେ ଲାଗିଲେ ତା ନିଦ ଭାଙ୍ଗିଯାଏ ଓ ପୁଟୁଳିକୁ ଆହୁରି ଜୋରେ ଜଡେଇ ଧରେ |  ରାତିରେ ଦେବୁ ବୋଉ ପାଖରେ ଶୋଇଲା ବେଳେ ପ୍ରଶ୍ନ କରେ "ବୋଉ, ବାଇଆ ଅଜା ତା ପୁଟୁଳିରେ କଣ ରଖିଥିବ ? ସେ କହିକି ଦେଖାଉନି ? "| ବୋଉ ହସିଦେଇ ଉତ୍ତର ଦିଏ ପାଗଳ ଟେ ସେ ଆଉ କଣ ରଖିଥିବ, ଛିଣ୍ଡା କପଡା କି କଣ ହୋଇଥିବ |" ତାପରେ ବୋଉ ଦେବୁ ମୁଣ୍ଡକୁ ଆଉଁସି ତାଗିତୀ କଲା ପରି କୁହେ " ତୁ ତା ପୁଟୁଳିରେ ଲାଗିଁବୁନି ବୁଝିଲୁ | .... ଦେବୁ ବୋଉର କଥାରେ ମୁଣ୍ଡ ହଲାଇ ହଁ ଭରେ |

                      

                            " ମୁଁ ସେହି 'ଦେବୁ' ଓରଫ ଦେବେନ୍ଦ୍ର ଦାସ | ମୋର ଜନ୍ମ 1975 ମସିହା | ବାପା ଦୟନାଥ ଦାସ ଜଣେ ସ୍କୁଲ ଶିକ୍ଷକ | ବୋଉ ଉର୍ମିଳାଦେବି ସୁଗୃହିଣୀ | ଓ ମୋ ଛୋଟ ଭଉଣୀ ନିତୁ  | ଏମାନଂକୁ ନେଇ ମୋ ଛୋଟ ପରିବାର | ବାଇଆ ଅଜା ଯେପରି ଆମ ଘର ର ସଦସ୍ୟ ପରି କିନ୍ତୁ ସେ ସବୁବେଳେ ଆମ ଘରେ ରୁହେନି | ସପ୍ତାହ ନହେଲେ ପନ୍ଦରଦିନ ଏପରି ବେତିକ୍ରମରେ ତାର ଦର୍ଶନ ମିଳେ | କିନ୍ତୁ ସେ ଆସିଲେ ବୋଉ ତା ପାଖକୁ ଦୌଡ଼ି ଯାଏ, ଖାଇଛିକି ନାହିଁ ପଚାରି ବସେ ଓ ଯାହା ଭଲ ମନ୍ଦ ରଖିଥାଏ ତାକୁ ବାଇଆ ଅଜା କୁ ପରସୀ ଦିଏ | ମୋ ବାପ ଜଣେ ଗମ୍ଭୀର ଲୋକ, ସେ ବେଶୀ କଥାହେବାକୁ ପସନ୍ଦ କରନ୍ତିନି | କିନ୍ତୁ ବାଇଆ ଅଜା ଆସିଲେ ତାକୁ ବେଳେ ବେଳେ ପଚାରି ବସନ୍ତି " ଆରେ ବାଇଆ କିପରି ଅଛୁ ?"| ବାଇଆ କିନ୍ତୁ ନିରବ ତା ପାଟିରୁ ପଦେ ହେଲେ କଥା ବାହାରେନି |

    

                        ବାଇଆ ଅଜା କୁ ଘର ଲୋକ ଭଲ ପାଇବାର କାରଣ ଅଛି | ମୋର ଆଜି ମଧ୍ୟ ସେ ଦିନର ଘଟଣା ଗୋଟି ଗୋଟି ହୋଇ ମନେ ଅଛି | ମୁଁ ଯେତବେଳେ ଛଅ ବର୍ଷ ହୋଇଥିଲା, ନିତୁ ସେତବେଳେ ଜନ୍ମ ହେବାର ଥାଏ | ବାପା ସ୍କୁଲ ରେ ସେଦିନ କିଛି କାମରେ ବେସ୍ତ ଥାନ୍ତି | ସନ୍ଧ୍ୟା ସମୟ ବୋଉ କୂଅରୁ ପାଣି କାଢୁ କାଢୁ ପାଦ ଖସି ଜୋରେ ପେଟ ମାଡି ତଳେ ପଡିଗଲା | ମୁଁ ଦୌଡ଼ି ଯାଇ ବୋଉକୁ ଉଠଉଥାଏ ଓ ଜୋରେ ଜୋରେ କାନ୍ଦୁ ଥାଏ | କିନ୍ତୁ ପାଖରେ ସେଦିନ କେହି ନଥାନ୍ତି ବୋଉ କୁ ଉଠେଇବାକୁ | ବାଇଆ ଅଜା କେଉଁଠି ଥିଲା କେଜାଣି, ବୋଉକୁ ଉଠେଇ ନେଇ ଘରେ ଶୋଇଦେଲା | ବୋଉ କଷ୍ଟରେ ଚିତ୍କାର କରୁଥାଏ | ଆମ ଘର ଠାରୁ ସ୍କୁଲ ର ଦୂରତ୍ୱ ଦୁଇ କିଲୋମିଟର ହେବ | ସେଦିନ ବାଇଆ ଅଜା ଦୌଡ଼ି ଦୌଡ଼ି କିମିତି ସ୍କୁଲ ରେ ପହଂଚି ଥିଲା | ବାପା ବସି ଅଫିସ କାମ କରୁଥାନ୍ତି, ବାଇଆ ସିଧା ଭିତରକୁ ଯାଇ ବାପାଙ୍କ ହାତକୁ ଟାଣିବାରେ ଲାଗିଲା ଓ ଘର ଆଡକୁ ଆଙ୍ଗୁଳି ନିର୍ଦେଶ କରୁଥାଏ | ଯେଉଁ ଲୋକ ସର୍ବଦା ନିରବ, ସେ ଆଜି ଏତେ ବେସ୍ତ ହେଉଛି ଦେଖି ବାପା ତାକୁ ସାଇକେଲ ରେ ଧରି ଘରେ ପହଂଚି ଥିଲେ | ବୋଉର ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ପାଖରେ ଥିବା ଡାକ୍ତରଖାନାକୁ ନେଇଯାଇଥିଲେ | ବାଇଆ ଅଜା ବୋଉ ଯାଉଥିବା ରିକ୍ସା ପଛରେ ଦୌଡ଼ି ଦୌଡ଼ି ଯାଇଥିଲା | ଡାକ୍ତରଖାନା ପିଣ୍ଡାରେ ପଡି ରହିଥିଲା | ବାପା ଯାହା ଖାଇବାକୁ ଦେଲେ କିଛିବି ଖାଇଲାନି | ସେଠାରେ ଦୁଇଦିନ ରହିଲା ପରେ ନିତୁ ଜନ୍ମ ହୋଇଥିଲା | ବୋଉ ବି ଠିକି ଥିଲା |

                         ସେବେଠାରୁ ବାଇଆ ଅଜା ପ୍ରତି ବାପା ଙ୍କର ଅନେକ ଦରଦ, କିଛି କୁହନ୍ତିନି ସିନା ହେଲେ ବାଇଆ ଅଜା କୁ ଦେଖିଲେ ଖୁସି ହୁଅନ୍ତି | ବୋଉ ତ ତାକୁ ଆଗରୁ ହିଁ ବହୁତ ଭଲ ପାଉଥିଲା, ମତେ ଲାଗେ ମୋ ଠାରୁ ବୋଉ ଅଧିକା ବାଇଆ ଅଜା କୁ ଭଲ ପାଏ |

                       ନିତୁ ଏବେ ସାତ ବର୍ଷର ହୋଇଗଲାଣି,ସେ ତୃତୀୟ ରେ ପଢ଼ିଲାଣି  | ମୁଁ ଏବେ ନବମ ଶ୍ରେଣୀ ର ଛାତ୍ର | ବୟସ ଚଉଦ | ସମୟ ଗଡି ଚାଲିଛି | ଦୁଈ ମାସ ହେବ ବାଇଆ ଅଜା ର ଦେଖା ନାହିଁ | ବୋଉ କେବେଠାରୁ କହିଲାଣି "ଦେବୁ ରେ ବାଇଆ ଟା କୁଆଡେ ଯାଇଛି ତାକୁ ଟିକେ ଦେଖିବୁ | କେତେ ଦିନ ହେବ ଆସିନି ମନଟା ଗୋଳେଇ ଘଣ୍ଟି ହେଉଛି | ତୋ ବାପା ଙ୍କୁ ବି କହିଛି | କେତେ ଦିନ ହେବ ତାର ଦେଖା ନାହିଁ କୁଆଡେ ଗଲା କେଜାଣି |" ମୁଁ ଦେଖିବି ଦେଖିବି କହି ଘରୁ ବାହାରି ଆସେ, ସାଙ୍ଗ ସାଥୀଙ୍କ ମେଳରେ ଆଉ ବାଇଆ ଅଜା କଥା ମନେ ରହେନି |

      

          ୟା ଭିତରେ ଚାରି ମାସ ବିତି ଗଲାଣି | ସେଦିନ ବୋଉ ଚଉଁରାରେ ଧୂପ ଦେଉଥାଏ | ଦେବୁ... ଦେବୁ ବୋଲି ଜୋରେ ଚିତ୍କାର କଲା | ମୁଁ ଦୌଡ଼ି ଗଲି ବୋଉ ବାଇଆ ଅଜାକୁ ଧରିଥାଏ | ମତେ ବି ଧରିବାକୁ କହିଲା | ଦାଣ୍ଡ ଘର ଖଟ ଉପରେ ବାଇଆ ଅଜାକୁ ଶୋଇଦେଲୁ | ବୋଉ କାନ୍ଦି କାନ୍ଦି ଆଉଁଷି ଚାଲିଥାଏ | ବାଇଆ ଅଜାଟା ପୁରା ଦୁର୍ବଳ ହୋଇଯାଇଛି, ଚାଲିଵା ଅବସ୍ଥାରେ ନାହିଁ | ବୋଉ କାନ୍ଦି କାନ୍ଦି କହୁଥାଏ " କୁଆଡେ ଥିଲୁରେ, କେତେ ଖୋଜିଛି, ନଖାଇ ନପିଇ କଣ ହେଇଛୁ " | ବାଇଆ ଅଜାକୁ ଏପରି ଅବସ୍ଥାରେ ଦେଖି ମତେ ଭାରି ଦୁଃଖ ଲାଗିଲା, ଭାବିଲି ଯଦି ଖୋଜି ଥାନ୍ତି ହେଲେ ମିଳିଯାଇଥାନ୍ତା | ନିଜକୁ ଦୋଷୀ ଭଳି କାନ୍ଥକୁ ଡେରି ହୋଇ ଭାବୁଥାଏ | ବୋଉର କାନ୍ଦ ଦେଖି ନିତୁ ଟା ବି ଭୋ ଭୋକି କାନ୍ଦି ଉଠିଲା | ମୋ ଛାତିଟା କୋରି ହୋଇଗଲା | ସାଙ୍ଗେ ସାଙ୍ଗେ ସାଇକେଲ ଧରି ବାପାଙ୍କ ପାଖରେ ପହଂଚି ସବୁକଥା କହିଲି | ବାପା କାଳବିଳମ୍ବ ନ କରି ଗୋଟେ ଗାଡ଼ିରେ ବାଇଆ ଅଜା କୁ ନେଇ ମେଡିକାଲ ଚାଲିଗଲେ | ଗୋଟେ ସପ୍ତାହ ଆମ ଘରେ ଭଲରେ ଚୁଲି ଜଳିନି କି କେହି ଖାଇନାହାନ୍ତି | ବୋଉ ଠାକୁର ଘରେ ଦୀପ ଜାଳି ବାଇଆ ଅଜା ର ମଂଗଳ କାମନା କରୁଥାଏ | ସେଦିନ ବାପା ଆସି ବୋଉକୁ କହିଲେ " ଜଲ୍ଦି ବାହାର ବାଇଆ କଥା ଆଉ ନୁହେଁ, ଡାକ୍ତର ପାରୁ ପର୍ଯନ୍ତ ଲାଗିଲେ | ବାର୍ଦ୍ଧକ୍ୟ ଅବସ୍ଥା ହେଲାଣି, ଯାହା କରିବାର ସବୁ କଲି କିନ୍ତୁ.......... ସେ ବୋଧେ ତୁମକୁ ଖୋଜୁଛି ଚାଲ ଶେଷ ଥର ଦେଖି ଆସିବ |"

                          ବୋଉ କାନ୍ଦି କାନ୍ଦି ଆଖି ଗୁଡାକ ବେଙ୍ଗ ଭଳି ଫୁଲି ଯାଇଥାଏ | ମୁଁ ଓ ନିତୁ କାନ୍ଥକୁ ଡେରି ହୋଇ ବାଇଆ ଅଜାକୁ ଦେଖୁଥାଉ | ବୋଉ କୁ ଦେଖି ବାଇଆ ଅଜା ଉଠିଲା ପରି ହେଲା, ବୋଉ ଦୌଡ଼ି ଯାଇ ତା ମୁଣ୍ଡ ପାଖରେ ବସି ମୁଣ୍ଡକୁ ଆଉଁଷି ଦେଲା | ବାଇଆ ଅଜା ନିଜ ମୁଣ୍ଡକୁ ଆଣି ବୋଉ କୋଳରେ ରଖି ଛୋଟ ପିଲାଟି ପରି ଶୋଇରହିଲା |

ବୋଉ ଆଖିରୁ ଲୁହ ଧାର ଧାର ହୋଇ ବୋହି ଚାଲିଥାଏ | ଓ କହୁଥାଏ ତୋର କିଛି ହେବନି ତୁ ଭଲ ହୋଇଯିବୁ |

ବାଇଆ ଅଜା ଛାତିରେ ଚାପି ରଖିଥିବା ପୁଟୁଳିଟିକୁ ଧୀରେ ଧୀରେ ବୋଉ ହାତକୁ ବଢ଼ାଇ ଦେଲା, ବୋଉ ପୁଟୁଳିଟିକୁ ଜାବୁଡି ଧରିଲା | ବାଇଆ ଅଜା ଧୀରେ ଧୀରେ ଆଖି ବନ୍ଦ କରି ସବୁଦିନ ପାଇଁ ଶୋଇଗଲା | ବୋଉର ସେ ବୁକୁ ଫଟା କାନ୍ଦଣା ମୋର ଆଜି ବି ମନେ ଅଛି | ବାପା ବାଇଆ ଅଜା ର ଅନ୍ତିମ କାର୍ଯ୍ୟ ସମ୍ପନ୍ନ କରିବାକୁ ପ୍ରସ୍ତୁତ ହେଲେ, ବାପା ଚାହୁଁଥିଲେ ବାଇଆ ଅଜା ସହିତ ତା ପୁଟୁଳିକୁ ଦାହ କରିବା ପାଇଁ | କିନ୍ତୁ ବୋଉ ବାଇଆ ଅଜା ର ସେ ପୁଟୁଳି କୁ ନିଜ ପାଖରେ ରଖିଲା କହିଲା ସେ ବଞ୍ଚି ଥିବା ପର୍ଯନ୍ତ ଏ ପୁଟୁଳି ରହିବ ଯେଉଁଦିନ ସେ ମରିଯିବ ତା ସହ ପୁଟୁଳିକୁ ମଧ୍ୟ ଜାଳିଦେବ | ବୋଉ ସେ ପୁଟୁଳି ମାଧ୍ୟମରେ ବାଇଆ ଅଜା କୁ ଜୀବିତ ରଖିବାକୁ ଚାହୁଁଥିଲା ଏ କଥା ବାପା ଭଲ ଭାବେ ବୁଝି ସାରିଥିଲେ | ବାଇଆ ଅଜା କୁ ମୂଖା ଅଗ୍ନି ମୁଁ ଦେଲି | ବାଇଆ ଅଜା ସବୁଦିନ ପାଇଁ ଆମକୁ ଛାଡି ଚାଲିଗଲା |

  

           ଯେଉଁ ପୁଟୁଳି ପ୍ରତି ମୋର ଅହେତୁକ ଦୁର୍ବଳତା ସେ ଏବେ ମୋ ହାତ ପାହାନ୍ତାରେ | କିଶୋର ଅବସ୍ଥା ଟା ହିଁ ଏପରି ଯେଉଁ କଥାକୁ ମନା ସେଇକାମ କରିବାକୁ ବେଶୀ ଆଗ୍ରହ | ଆଉ ଏ ଦୁର୍ବଳତା ମୋର ପିଲାଦିନୁ... ଏଥିରୁ ନିବୃତି ନେବି କିପରି | ସେଦିନ ମନର ଉତ୍କଣ୍ଠା କୁ ଚାପି ରଖି ପାରିଲିନି, ଉପରୁ ପୁଟୁଳିଟି ଆଣି ଖୋଲିବାକୁ ଉଦ୍ୟମ କରୁଛି ପଛପଟୁ ବୋଉର ପାଟି ଶୁଭିଲା... "ଦେବୁ, ତତେ କେତେ ଥର କହିଛି ବାଇଆ ଜିନିଷରେ ଲାଗେନି,ଯାଆ ଏଠୁ | " | ମୁଁ ଏକା ଡିଆଁକେ ଯାଇ ଦାଣ୍ଡରେ, ଛାତିଟା ଧଡ଼ଧଡ଼ ହଉଥାଏ | ମୁଁ ଜାଣି ସାରିଥିଲି ପୁଟୁଳି ର ମାଲିକ ସିନା ଚାଲିଗଲା ହେଲେ ଜଣେ ବିଶ୍ଵାସୀ ସିପାହୀ କୁ ଛାଡି ଯାଇଛି, ଯାହାର ଦିନ ରାତି ପ୍ରହରୀ ସେ ପୁଟୁଳି ର ଚତୃପାର୍ଶ୍ଵ ରେ |

                    

                    ପୁଟୁଳି ଦେଖା ଅଭିଲାଷା ମୋର ଅନେକ ଥର ବ୍ୟର୍ଥ ଯାଇଛି | କିନ୍ତୁ ସେଦିନ ନୂଆ ଆଶା ଉଦୟ ହେଲା ଭଳି ଲାଗିଲା | ମାଉସୀ ବାହାଘର ପାଇଁ ମାମୁଁ ଆସି କହିଗଲେ | ବାପାଙ୍କୁ ଛାଡି ଆମେମାନେ ଯଥା ବୋଉ, ନିତୁ ଓ ମୁଁ, ମାମୁଁ ଘରକୁ ଯିବାକୁ ସ୍ଥିର ହେଲା | ମୋ ମୁଣ୍ଡରେ ଆସିଥିବା ବୁଦ୍ଧିକୁ ସାଇତି ରଖିଲି ଠିକି ସମୟ ରେ ଉପଯୋଗ କରିବା ପାଇଁ|        

            ମାମୁଁ ଘରକୁ ଯିବା ଦିନ ପେଟ କୁ ଧରି ଗଡି ଗଲି କାମୁଡୁଛି କାମୁଡୁଛି କହି | ବୋଉ ମୋ ଅବସ୍ଥା ଦେଖି କଣ କରିବ ଭାବୁଥିଲା, କହୁଥିଲା ଯିବନି ମାମୁଁ ଘରକୁ | ମୁଁ ଡରି ଗଲି ବୋଉ ରହିଲେ ତ  ସବୁ ଅଡୁଆ | ବାପାଙ୍କୁ କହିଲି ବୋଉ ଓ ନିତୁ ଯାନ୍ତୁ, ମୋ ପେଟ ଭଲ ଲାଗିଲେ ମୁଁ ଯାଇ ପହଂଚିବି | ବାପା ବୁଝାଇକି ବୋଉ କୁ ପଠାଇ ଦେଲେ | ବୋଉ ଯିବା ପରେ ବାପା ମତେ କିଛି ଔଷଧ ଦେଇ ସ୍କୁଲ ଗଲେ କହିଲେ ଘରେ ବିଶ୍ରାମ କର, ମୁଁ ଜଲ୍ଦି ଆସିଯିବି | ଦାଣ୍ଡ ରେ ଠିଆହୋଇ ସମସ୍ତଙ୍କ ଯିବା ବାଟକୁ ଚାହିଁ ରହିଲି | ଆସ୍ତେ ଆସ୍ତେ ସମସ୍ତେ ଦୁଷ୍ଟିରୁ ଅନ୍ତର୍ଦ୍ଧାନ ହୋଇଗଲେ, କବାଟକୁ ଭଲ କି ବନ୍ଦ କରି ପୁଟୁଳି ଆଡକୁ ଅଗ୍ରସର ହେଲି |

                           ପୁଟୁଳିକୁ ଉପରୁ ଆଣି, ବସିଥିବା ଧୂଳି କୁ ଝାଡ଼ି ଵା ମାତ୍ରେ ମୋ ପାଟି, ନାକ,ଓ ମୁହଁରେ ଆସ୍ତରଣ ବସିଗଲା | ସେଥିପ୍ରତି ମୁଁ ନିଘା ନଦେଇ ମୂଖ୍ୟ କାମରେ ଲାଗିଗଲି | ପୁଟୁଳି ଖୋଲି ଦେଖେତ ଭିତରେ ଛିଣ୍ଡା କପଡା ଗୁଡା ଭର୍ତି ହୋଇଛି | ମୋ ମୁଣ୍ଡ କାମ କଲାନି, ତାହେଲେ କଣ ସତରେ ବୋଉ ଯାହା କହୁଥିଲା ସେ ଠିକି ଥିଲା | ଖାଲି ପୁରୁଣା ଛିଣ୍ଡା କପଡା ?? | କପଡା ଗୁଡାକ ବାହାରକୁ ଆଣି ଝଡ଼ିଦେଲି କଣ ଗୋଟେ ଦମ କରି ତଳେ ପଡିଗଲା | ମୁଁ ତଳକୁ ଚାହିଁଲି ଗୋଟେ ପୁରୁଣା ମୋଟା ଡାଏରୀ  ଯାହା କପଡ଼ାରେ ଗୁଡା ଗୁଡ଼ି ହୋଇ ରହିଥିଲା | ଆଉ କିଛି ନଥିଲା ପୁଟୁଳି ଭିତରେ | ସେ କପଡା ସବୁକୁ ଉଠାଇ ପୁଣିଥରେ ଆଗ ପରି ପୁଟୁଳିରେ ବାନ୍ଧି ତା ଜାଗାକୁ ଥୋଇଦେଲି |

            ଡାଏରୀ ଭିତରେ କଣ ଲେଖା ଯାଇଛି ଅତି ଉତ୍କଣ୍ଠା ସହ ଖଟ ଉପରେ ଶୋଇକି ପଢିବା ପାଇଁ ଚାଲିଗଲି | ହେଲେ ଏ କଣ ¡¡¡¡....... ଏ ପୁଣି କୋଉ ଭାଷା | ଓଡିଆ, ହିନ୍ଦୀ, ସଂସ୍କୃତ କି ଇଂଲିଶ ବି ନୁହେଁ | ଯେଉଁ ଚାରୋଟି ଭାଷା ଜାଣିଛି ତା ମଧ୍ୟ ରୁ କେଉଁଟିବି ନୁହେଁ ତାହେଲେ ଜାଣିବି କିପରି ବାଇଆ ଅଜା କଣ ଲେଖିଛି | ବାପା ଜାଣିଥିବେ କିନ୍ତୁ ତାଙ୍କୁ ଦେଖାଇ ପଚାରି ପାରିବିନି,  ସେ ଯଦି ପଚାରନ୍ତି କେଉଁଠୁ ପାଇଲୁ ଏଟା, ? କଣ କହିବି | ବୋଉ ଜାଣିଲେ କଥା ସରିବ | ଏମିତି ଭାବୁ ଭାବୁ ଡାଏରୀ କୁ ଓଲଟପାଲଟ କରୁ କରୁ ସେଥିରୁ ଫୋଟୋ ଟେ ଖସି ପଡିଲା | ଦେବୁ ଫୋଟୋ ଟିକୁ ଉଠାଇ ନେଇ ଭଲକି ଦେଖିଲା | ଫୋଟୋ ଟି ସେ ଉଠେଇଥିବା ଫୋଟୋ ପରି ରଂଗୀନ ନଥିଲା, ଥିଲା କଳାଧଳା | ନିରେଖି ଚାହିଁଲା ସେ... ଜଣେ ବାପାଙ୍କ ବୟସ ବ୍ୟକ୍ତି ଚୌକି ଉପରେ ବସିଛନ୍ତି, ତାଙ୍କ ପାଖକୁ ଲାଗି ଅନ୍ୟ ଏକ ଚୌକିରେ ବୋଉ ବୟସ ର ସ୍ତ୍ରୀ ଲୋକ, ତାଙ୍କ ଆଗରେ ଦୁଇଟି ଛୋଟ ପିଲା, ଓ ଚୌକିର ଉଭୟ ପାର୍ଶ୍ଵ ରେ ଗୋଟେ ଝିଅ ଓ ପୁଅ | କାନ୍ଥକୁ ଚାହିଁଲା ଦେବୁ ଠିକ ତାଙ୍କ ପରିବାର ର ଫୋଟୋ ଭଳି ଲାଗୁଛି କିନ୍ତୁ ଆଗରେ ବସିଥିବା ଏ ଦୁଇ ପିଲା ଯାହା ବ୍ୟତିକ୍ରମ ଥିଲେ  | ଦେବୁ ର ଡାଏରୀ ଟି ପଢିବାକୁ ଭାରି ଇଛା ହେଉଥିଲା ହେଲେ ଭିନ୍ନ ସମସ୍ୟା ତା ଆଗରେ | କଣ କରିବ ଭାବି ଭାବି ଡ଼ାଇରୀ ଉପରେ ବଡ ବଡ ଅକ୍ଷରରେ ଲେଖା ହୋଇଥିବା "আমার গল্প" ଭାଷା କୁ ବଡ କଷ୍ଟରେ ସଠିକ ଭାବରେ ଉତାରି ନେଲା କାଗଜ ଖଣ୍ଡକରେ | ଓ ଫୋଟୋ ଟିକୁ ଡାଏରୀ ଭିତରେ ରଖି ସମସ୍ତଙ୍କ ନଜର ଠାରୁ ବହୁତ ଦୂରରେ ଲୁଚାଇ ଦେଲା | ତାପରେ ଆରମ୍ଭ ହେଲା ଦେବୁ ର ସେ ଭାଷା ଉପରେ ଅନୁସନ୍ଧାନ | ସ୍କୁଲ ର ସବୁ ତଳ, ଉପର ଓ ନିଜ ସାଙ୍ଗରେ ପଢ଼ୁଥିବା ପିଲାଙ୍କୁ ଲେଖିଥିବା ଅବୁଝା ଭାଷାକୁ ଦେଖଇ ସାରିବା ପରେ କେବଳ ବିଫଳ ହିଁ ହାତକୁ ଆସିଲା | ଆସ୍ତେ ଆସ୍ତେ ସେ ଭାଷାର ଅନୁସନ୍ଧାନ ସ୍କୁଲ ରୁ ବାହାରି ଗଳି କନ୍ଦିରେ ବୁଲିଲା ..... କିଏ କେତେ ପ୍ରକାର ଭାଷାର ନାଆଁ କହି ପଛରେ ଲଗାଉଥିଲେ 'ହୋଇଥାଇ ପରେ' |  ଏପରି ଶୁଣିଦେଲେ ଦେବୁର ମନଟା ପିତା ହୋଇଯାଏ | ଆଗରୁ ପୁଟୁଳି ରେ କଣ ଅଛି ବୋଲି ଦେବୁକୁ ନିଦ ନଥିଲା ଏବେ ଡାଇରୀରେ କଣ ଅଛି ବୋଲି ଭାବି ନିଦ ନାହିଁ |

           

        ଦେବୁ ଏବେ ରାଇରଙ୍ଗପୁର ମହାବିଦ୍ୟାଳୟ ର ବିଜ୍ଞାନ ଛାତ୍ର | କଲେଜ ଜୀବନଟା ସ୍କୁଲ ଜୀବନ ଠାରୁ ଆକାଶ ପାତାଳ ତଫାତ | ନୂଆ ଯାଗା ନୂଆ ସାଙ୍ଗ ମାନଂକ ସହ ସମୟ ଅତିବାହିତ ହୋଇଯାଉଛି | ବାଇଆ ଅଜା ର ଡାଏରୀ ଦେବୁ ସାଇଥି ରଖିଛି ନିଜ ପାଖରେ | ସେବେଠାରୁ ଖୋଜି ଚାଲିଛି ରାସ୍ତା, ଯେଉଁ ରାସ୍ତା ତାକୁ ବାଟ ଦେଖାଇବ ବାଇଆ ଅଜା କୁ ଜାଣିବାରେ | আমার গল্প ଲେଖିଥିବା କାଗଜ ଖଣ୍ଡକୁ ସାଙ୍ଗରେ ଧରି ବୁଲୁଛି | କଲେଜ ଆସିବା ପରେ ମଧ୍ୟ ସେଇ ଅଜ୍ଞ ଥିବା ଭାଷାକୁ ଅନ୍ୟ ମାନଙ୍କୁ ଦେଖାଇ ପଚାରି ଚାଲିଛି | କିନ୍ତୁ ଅନୁମାନ ପୂର୍ବକ କୌଣସି ଗୋଟେ ଭାଷାର ନାଆଁ ଦେଇ କହୁଥିବା ପିଲା ମାନଙ୍କୁ ସେ ଜାମା ପସନ୍ଦ କରେନି | କେବଳ ସେ ବାଇଆ ଅଜା ର ଭାଷାକୁ ବୁଝିବାକୁ ଅନେକ ନୂଆ ପିଲାଙ୍କ ସହ ସାଙ୍ଗ ହେବାକୁ ବାଟ ଖୋଜେ | କଲେଜ ରେ ପଢିବାକୁ ବହୁତ ପିଲା ବାହାରୁ ଆସିଥାନ୍ତି | ନିଶ୍ଚିନ୍ତ ସେମାନେ ଅନେକ ଭାଷା ଜାଣିଥିବେ | ଦେବୁ ର ପ୍ରୟାସ ଜାରି ରହିଛି |

                             ସେଦିନ ଫିଜିକ୍ସ କ୍ଲାସ କୁ ଆସିବାକୁ ଡେରି ହୋଇଗଲା ତର ତର ହୋଇ ସାଇକେଲରୁ ଓଲ୍ହାଇଲା ବେଳେ ଗୋଡ ଲାଖି ପଡିଗଲା | ଏପଟ ସେପଟ ଅନାଇ ଚୋର ଭଳି ଜଲ୍ଦି ଉଠିଲା ବେଳେ ପୁଣି ଥରେ ଲଥ କରି ପଡିଗଲା | ଅଦୂରରେ ଗଛ ପାଖରେ ବସିଥିବା ଝିଅଟି ନିଜ ହସକୁ ଆଉ ଅଟକାଇ ପାରିଲାନି ଜୋରେ ହସିଦେଲା | ଦେବୁ ର ନଜର ଗଛ ପାଖକୁ ଚାଲିଗଲା | ଶ୍ୟାମଳ ରଙ୍ଗର ଝଅଟି, ଆଖି ଯୋଡିକ ବେଶେ ବଡ ବଡ଼ ଭାରି ମାନୁଛି ମୁହଁକୁ | ଲମ୍ବା ଚୁଟି | ଓଠର ହସ ଆହୁରି ସୁନ୍ଦର କରି ଦେଉଛି | କିଛିତ ଅଛି ସେ ମୁହଁରେ ନହେଲେ ଏତେ ଆକର୍ଷିତ କିପରି |

ଝିଅ....... "ଆରେ ଉଠିବନି ନା କଣ, ମୁଁ କିଛି ଦେଖିନି |ଏଥର ଉଠିକି ଯାଅ | "| 

ଦେବୁ.........." ନାଇଁ ଫିଜିକ୍ସ କ୍ଲାସ ଥିଲା, ତରତର ହେବାରୁ ଏପରି ହେଲା |" |

ଝିଅ.........." ଆଛା ହେଉ ଯାଅ ତୁମର ବିଳମ୍ବ ହୋଇଯିବ ନହେଲେ | "|

ଦେବୁ ଟିକେ ହସିଦେଲା, ନିଜକୁ ଝାଡ଼ି ଝୁଡି ଦେଇ କ୍ଲାସ କରିବାକୁ ଅଗ୍ରସର ହେଲା | ଯିବା ସମୟରେ ନିଜକୁ ପ୍ରଶ୍ନ କଲା ଆରେ ଝିଅ ର ନାଆଁ ଟା ପଚାରି ପାରିଲିନି | କି ମନଟା ଯେ | ଦେବୁ ଆଗକୁ ନଯାଇ ପୁଣିଥରେ ପଛକୁ ଦୌଡିଲା | ଝିଅଟି ପୂର୍ବ ଭଳି ସେଇ ଗଛ ପାଖରେ ବସିରହି କିଛି ଗୋଟେ ବହି ପଢୁଥିଲା | ଦେବୁ ଦୌଡ଼ି ଯାଇ ତା ପାଖରେ ପହଂଚି ଗଲା | ଝିଅଟି ଆଶ୍ଚର୍ଯ୍ୟ ଭରା ଆଖିରେ ଅନାଇ ରହିଲା | ଦେବୁ ସବୁ ବୁଝିଲା ପରି କହିଲା..... " ସେମିତି କିଛି ନାହିଁ, ମୁଁ ଖାଲି ତୁମ ନାଆଁ ଟା ଜାଣିବାକୁ ଚାହୁଁ ଥିଲି |"| ଝିଅଟି ହସିଦେଇ ତା ନାଆଁ "ମିଷ୍ଟି" ବୋଲି କହିଲା | ଦେବୁ ନିଜର ନାଆଁ ଟା କହି ଦେଇ କ୍ଲାସ କରିବାକୁ ଦୌଡ଼ି ଚାଲିଗଲା |

  

                                 ସୁବୋଧ ନାୟକ ଜଣେ ବଡ ନାମକରା ବ୍ୟବସାୟୀ | ମିଷ୍ଟି ହେଉଛି ତାଙ୍କ ଝିଅ | ପିଲା ଦିନୁ ସେ ବାପାଙ୍କ ସହ ବଡ ବଡ ସହରରେ ରହି ସମୟ କାଟିଛି | ବାପାଙ୍କର ଦେହ କିଛି ଅସୁସ୍ଥ ହେବାରୁ ନିଜ ଜନ୍ମ ମାଟି ମୟୁରଭଞ୍ଜ କୁ ଫେରି ଆସିଛନ୍ତି | ମିଷ୍ଟି କଳା ପ୍ରଥମ ବର୍ଷର ଛାତ୍ରୀ | ସେଦିନର ଘଟଣା ପରେ ଦେବୁ ର ମିଷ୍ଟି ସହିତ ଅନେକ ଥର ଦେଖା ହୋଇଛି | ପରସ୍ପର କୁ ଚାହିଁ ହସି ଦେଇ ନିଜ ବାଟରେ ଚାଲିଯାନ୍ତି |

                  ଦେବୁ ଦୂରରୁ ଦେଖିଲା | ସେଦିନ ମିଷ୍ଟି ସେଇ ଗଛ ଛାଇରେ ବସି କଣ ପଢୁଛି | ଏକା ଅଛି | ଦେବୁ ଜଲ୍ଦି ଜଲ୍ଦି ପାଦ ପକାଇ ମିଷ୍ଟି ପାଖରେ ପହଂଚି ଗଲା | ମିଷ୍ଟି ,ଦେବୁକୁ ଦେଖି ହସିଦେଲା | ଓ ପଚାରିଲା.....

ମିଷ୍ଟି......... "ଆଜି ପୁଣି କଣ ପଚାରିବାକୁ ଆସିଛ "|

ଦେବୁ.......... "ନାଇଁ..... ଟିକେ କାମ ଥିଲା "|

ମିଷ୍ଟି............" କୁହ, ମୁଁ ଜାଣିଛି ବିନା କାମରେ ତୁମେ କଥା ହୁଅନି " |

ଦେବୁ.......... " ଆରେ ସେପରି କିଛି ନାହିଁ, ତୁମେ କାଳେ କଣ ଖରାପ ଭାବିବ ବୋଲି କଥା ହେଉନଥିଲି "|

ମିଷ୍ଟି........... " କଣ କାମ ଥିଲା ବୋଲି କହୁଥିଲ, କୁହ ?"|

ଦେବୁ ତରତର ହୋଇ ପକେଟ ଭିତରେ ହାତ ପୁରାଇ ସେ କାଗଜ ଖଣ୍ଡକୁ ଦେଖାଇଲା |

ଦେବୁ......... " ମିଷ୍ଟି ତୁମେ କହି ପାରିବ ଏ କଣ ଲେଖା ଯାଇଛି, ଓ କେଉଁ ଭାଷାରେ ଲେଖାଯାଇଛି ? "|

ମିଷ୍ଟି.......... " আমার গল্প, ଆମାର ଗଲ୍ ପ (ଗଳ୍ପ)"

ଅର୍ଥାତ 'ମୋର କାହାଣୀ '...... ଏହା ବଙ୍ଗଳା ଭାଷାରେ ଲେଖା ଯାଇଛି " |

ପ୍ରଥମ ଥର ଜଣେ କିଏ କିଛି ନ ଭାବି, "ହୋଇଥାଇ ପରେ", "ବୋଧେ", ଏପରି ଶବ୍ଦ ପ୍ରୟୋଗ ନକରି ଅତ୍ୟନ୍ତ ଦୃଢ ଆତ୍ମବିଶ୍ୱାସ ସହ ଉତ୍ତର ଦେଇଛି | ଦେବୁ ର ଖୁସିର ଠିକଣା ନଥିଲା |

ଦେବୁ.......... "ତୁମେ ବଙ୍ଗଳା ଭାଷା କିପରି ଜାଣିଲ ?"|

ଅତି ଉତ୍କଣ୍ଠାରେ ପ୍ରଶ୍ନ କଲା ଦେବୁ |....

ମିଷ୍ଟି.......... "ବାପା, ତାଙ୍କ ବ୍ୟବସାୟକ କାରବାର ପାଇଁ କୋଲକାତା ରେ ଚଉଦ ବର୍ଷ ରହିଥିଲେ, ଆମେ ସପରିବାର ସେଠାରେ ରହୁଥିଲୁ | ମୁଁ ପ୍ରଥମେ ଓଡ଼ିଆ ନ ଶିଖି ବେଙ୍ଗଲୀ ଶିଖିଥିଲି "'|   ହସିକି ଉତ୍ତର ଦେଲା ମିଷ୍ଟି |

    

                 ଦେବୁ ମନେ ମନେ ବହୁତ ଖୁସି | ତାହେଲେ ବାଇଆ ଅଜା ବେଙ୍ଗଲୀ ଥିଲା | ହେଲେ ଘର ଠାରୁ ଏତେ ଦୂରକୁ ଆସିଲା କିପରି | ମନରେ ହଜାର ପ୍ରଶ୍ନ ଉଙ୍କି ମାରିବାରେ ଲାଗିଲା |

            ' ଦେବୁ... ଏ... ଦେବୁ '.... ମିଷ୍ଟି ଡାକ ଦେଇ ହଲାଇ ଦେଲା ଦେବୁକୁ | ଦେବୁ ଚମକି ପଡ଼ି ଓହରି ଆସିଲା ଭାବନା ରାଇଜରୁ |

ମିଷ୍ଟି........ "ହେଲେ ତୁମେ କଣ ପାଇଁ ପଚାରୁଚ, କଣ କିଛି ଗଳ୍ପ ଲେଖିଛ ନା କଣ ? ମୋର ଗଳ୍ପ ଓ କବିତା ପଢିବାରେ ଅହେତୁକ ଦୁର୍ବଳତା | ଯଦି କିଛି ଲେଖିଥିବ ତାହେଲେ ନିଶ୍ଚୟ ଦେବ, ମୁଁ ପଢିବାକୁ ଚାହେଁ " |

ଦେବୁ........ "ନାଇଁ ନାଇଁ ସେପରି କିଛି ନାହିଁ କିନ୍ତୁ ମୋର ବଙ୍ଗଳା ଭାଷାକୁ ଶିଖିବାର ଇଛା | କଣ କଲେ ଜଲ୍ଦି ଶିଖି ପାରିବି କହିପାରିବ " |

ମିଷ୍ଟି.......... "ଯେପରି ଅନ୍ୟ ଭାଷା ଗୁଡିକ ଶିଖିଛ ସେପରି କର "|

ଦେବୁ....... " ତମେ ତ ବହୁତ ଭଲ ଭାବରେ ବଙ୍ଗଳା ଲେଖିବା ଓ କହିବା ଜାଣିଛ.... ଯଦି ଦୟା କରି ଶିଖାଇ ଦିଅନ୍ତ ବଡ ଉପକାର ହୁଅନ୍ତା " |

ଦେବୁ ର ଏପରି ବଙ୍ଗଳା ଶିଖିବାର ଅଗ୍ରହ ଦେଖି ମିଷ୍ଟି ମନା କରି ପାରିଲାନି | ଯେପରି ହଁ କରିଛି.... ଦେବୁ ସଙ୍ଗେ ସଙ୍ଗେ ଖାତା ଓ କଲମ ଧରି ବସିଗଲା | ମିଷ୍ଟି ବଙ୍ଗଳା ଭାଷା 'ଅ' ଠାରୁ 'ଲ'..... ପର୍ଯନ୍ତ ସବୁ ଲେଖିଦେଲା |

ମିଷ୍ଟି....... "ଏତିକି, ଭଲକି ଶିଖି ସାରିବାପରେ, ମୁଁ ଆଗକୁ ଯୁକ୍ତାକ୍ଷର ଶିଖେଇବି ବୁଝିଲ " |

ଦେବୁ........ "ନିଶ୍ଚୟ, ମୁଁ ତାହେଲେ ଆସୁଛି "| ଏତିକି କହିଦେଇ ଆଜ୍ଞାଧୀନ ଛାତ୍ର ପରି ଦେବୁ ଘରମୁହାଁ ହେଲା


     | ଦେବୁ ବାଇଆ ଅଜା ର ଡ଼ାଇରୀ ବାହାର କରି ମିଷ୍ଟି ଲେଖିଥିବା ଅକ୍ଷର ସହ ମିଶାଇଲା ସବୁ ମେଳ ଖାଉଥିଲା | ଇଛା ହେଉଥିଲା ଦୌଡ଼ି ଯାଇ ବୋଉ କୁ କହିବା ପାଇଁ ଯେ ବାଇଆ ଅଜା ବଙ୍ଗାଳି ବୋଲି, କିନ୍ତୁ ଡରିଗଲା | ବୋଉ ଯଦି ଜାଣେ ମୁଁ ସେ ପୁଟୁଳି ଖୋଲି ବାଇଆ ଅଜା ଜିନିଷ ଉଠେଇଛି ମତେ ଆଉ କ୍ଷମା ଦେବନି, ସେ ରାଗିଯିବ | ଥାଉ କହିବିନି | ଦେବୁ ଡ଼ାଇରୀ ଭିତରେ ଥିବା ଫୋଟୋକୁ ବାହାର କରି ଆଉ ଥରେ ଦେଖିବା ପରେ ପୁଣି ତା ଜାଗାରେ ରଖିଦେଲା |

         ଦିନରାତି କଠିନ ପରିଶ୍ରମ ପରେ ଦେବୁ ଅକ୍ଷର ଗୁଡିକ ଶିଖିଗଲା | ମିଷ୍ଟି କୁ ଦେଖା କରି ଆଗକୁ ଶିଖିବାକୁ ଅନୁରୋଧ କଲା | ମିଷ୍ଟି କେବେ ଭାବିନଥିଲେ ଏତେ ଜଲ୍ଦି ଦେବୁ ଏ ସବୁ ଶିଖିଯିବ | କିନ୍ତୁ ସେ ଆଶ୍ଚର୍ଯ୍ୟ ହୋଇଥିଲା | ଦେବୁର ଶିଖିବାର ଆଗ୍ରହ କୁ ଦେଖି ଠିକୀ ଜଣେ ଉତ୍ତମ ଶିକ୍ଷୟତ୍ରୀ ପରି ଆଗକୁ ଆଗକୁ ଶିଖାଇବାରେ ଲାଗିପଡିଥିଲା | ସେଦିନ ମିଷ୍ଟି କିଛି ବଙ୍ଗଳା ଭାଷାର ବହି ଆଣି ଧରାଇ ଦେଇଥିଲା ଦେବୁ କୁ | ସେ ସବୁ ବହି ଗୁଡିକ ବହୁତ ସାହାଯ୍ୟ କରିଥିଲା ବଙ୍ଗଳା ଶିଖିବାରେ | ଠିକ ପନ୍ଦର ଦିନ ଭିତରେ ଦେବୁ ବଙ୍ଗଳା ପଢିବାକୁ ସମ୍ପୂର୍ଣ ଭାବରେ ନିଜକୁ ପ୍ରସ୍ତୁତ କରିସାରିଥିଲା | ମନେ ମନେ ମିଷ୍ଟି କୁ ଅନେକ ଧନ୍ୟବାଦ ଅଜାଡି ଦେଲା  |

           

     ଆଜି ବାହାରେ ଜୋରେ ବର୍ଷା ଲାଗି ରହିଛି | ବାପା ଖାଇକି ଶୋଇଲେଣି, ନିତୁ ଓ ବୋଉ ଖାଉଛନ୍ତି | ଦେବୁ ଅନେକ ବେଳୁ ଖାଇକି ଖଟ ଉପରେ ଗଡପଡ ହେଉଛି | ନିଜକୁ ବଡପିଲା ବୋଲି ଘୋଷିତ କରି କେବେ ଠାରୁ ଗୋଟେ କୋଠରୀକୁ ନିଜ ପାଇଁ ବାଛି ନେଇଛି |  ମନେ ମନେ ଭାବିଛି ସମସ୍ତେ ଶୋଇପଡିବା ପରେ ଆଜି ସେ ବାଇଆ ଅଜା ଡାଇରୀକୁ ପଢିବ | ଦୀର୍ଘ ଛଅ ବର୍ଷର ଅପେକ୍ଷା ଆଜି ତାର ସାକାର ହେବ | କିଛି ସମୟ ପରେ ବୋଉ ଓ ନିତୁ ବି ଶୋଇବାକୁ ଚାଲିଗଲେ | ଦେବୁ ଧୀରେକି କବାଟ ଭିତରୁ ବନ୍ଦ କରିଦେଲା, ଟେବୁଲ ଲ୍ୟାମ୍ପ ଟି ଲଗାଇ ଡ଼ାଇରୀ ଟିକୁ ଖୋଲିଲା, ଓ ପଢିବାକୁ ଲାଗିଲା ବାଇଆ ଅଜର କାହାଣୀ.......... |

(1938 ମସିହା)   ......

      " ମୁଁ ସବ୍ୟସାଚୀ ରୟ , ମୋର ଜନ୍ମ 1927 ମସିହା | ବାପା ଦାମୋଦର ରୟ ଜଣେ କୃଷକ ସହିତ ଭଲ ଶିଳ୍ପୀ | ପଥରରେ ମୂର୍ତି କୁ ଏପରି ଗଢି ତୋଳନ୍ତି ଲାଗେ ସତେ ଯେପରି ସେମାନେ ଜୀବନ୍ତ | ମୋ ମା' ସୁଚିତ୍ରା ଦେବି ବାପାଙ୍କୁ ସବୁ କଥାରେ ସହଯୋଗ କରି ଆସିଛି | ମୋ ଗେଲ୍ଲୀ ଭଉଣୀ ଅମୋଲିକା ଓ ଦୁଇ ଭାଇ ରାଜୀବ ଓ ସଦଵୀର୍ ଙ୍କୁ ନେଇ ଆମ ସୁନାର ପରିବାର | ମୁଁ ବଡ ପୁଅ ହିସାବରେ ବାପାଙ୍କ ପରେ ଘରର ଦାଇତ୍ୱ ମୋ ଉପରେ | ସ୍ୱର୍ଗତ କୃଷ୍ଣଚନ୍ଦ୍ର ରୟ ମୋ ଜେଜେ ବାପା ଟିକେ କ୍ରୋଧୀ ସ୍ୱଭାବର ଥିଲେ, ସେ ଭାବୁଥିଲେ ଜଣେ କୃଷକର ପୁଅ କେବଳ ଚାଷ ହିଁ କରିବ | କିନ୍ତୁ ବାପାଙ୍କ ପାଖରେ ଥିବା କଳା କୁ ସେ ଗ୍ରହଣ କରିପାରି ନଥିଲେ | ଜେଜେବାପା ଚାଲିଯିବା ପରେ ବାପା ନିଜର ଇଛାକୁ ପୁଣିଥରେ ଜାଗ୍ରତ କରିଥିଲେ ବୋଉର ପ୍ରୋତ୍ସାହନ ପାଇ | ସେଥିପାଇଁ ବାପା ତାଙ୍କ ପିଲାମାନଙ୍କୁ କେବେ ନିଜ ଇଛା ର ପଥରୁ ହଟାଇବାକୁ ଚାହିଁ ନାହାନ୍ତି | ଆମ ଭାଇ ଭଉଣୀ ଙ୍କୁ ବାପା ଯଥେଷ୍ଟ ପଢା ଲେଖା ଶିଖାଇଛନ୍ତି |  କିନ୍ତୁ ରାଜୀବ ଏବେ ସମାଜସେବା ବା ସ୍ୱାଧୀନତା ସଂଗ୍ରାମୀ ଭାବରେ ନିଜକୁ ନିୟୋଜିତ କରିଛି | ତାର ମୂଳ ଲକ୍ଷ୍ୟ ଇଂରେଜ ମାନଙ୍କୁ ଦେଶରୁ ତଡି, ମୁକ୍ତ ଦେଶ ତିଆରି କରିବା | ବହୁତ ଜୁଲୁମ କଲେଣି ଆମ ଉପରେ ଏ ଇଂରେଜ |  ସବୁଠାରୁ ସାନ ସଦଵୀର୍ ବିଦ୍ୟାଳୟ ଯାଉଛି, ମୋ ଠାରୁ ଅନେକ ଛୋଟ, ସେଥିପାଇଁ ତା ପ୍ରତି ମୋ ଭଲ ପାଇବା ଢ଼େରେ ଅଧିକ | ବହୁତ ଭଲ ପଢେ ସେ | ମାମୁଁ ଘରେ ରହି ପଢୁଛି |  ଏଥର ଘରକୁ ଆସିବା ବେଳେ ମତେ ଆଣି ଏ ଡ଼ାଇରୀ ଦେଇକି କହିଲା, "ନିଅ ଭାଇ ତୁମେ ଥରେ କହିଥିଲନା, ଆମ ଘର, ଆମ ପରିବେଶ, ଆମ ଦେଶ ବହୁତ ସୁନ୍ଦର..... ତା ସହ ବିତାଉଥିବା ସମୟକୁ ସାଇତି ଦେବାକୁ ଚାହଁ, ନିଅ ଏ ଡ଼ାଇରୀ |ଏଥିରେ ବିତାଉଥିବା ପ୍ରତି ମୁହୂର୍ତକୁ ଲେଖିକି ସାଇତି ଦିଅ " |  ବିଳମ୍ବରେ ହେଉ ପଛେ, ଏବେ ଠାରୁ ସବୁ ସ୍ମୁତି ସାଇତି ଦେବି ଆ ଦେହରେ |

                    ଦିନ ପରେ ଦିନ ଗଡି ଚାଲିଛି, ସବ୍ୟସାଚୀ ତା ବାପାଙ୍କ ସହ ମିଶି ମୂର୍ତି ଗଢିବା , ବିଲରେ ଧାନ ଠାରୁ ଝୋଟ ଚାଷ ରେ ଯୋଗ ଦେବା , ଘରର ଭାର ନିଜ କାନ୍ଧକୁ ଆଣିବା ପର୍ଯନ୍ତ ସୁନ୍ଦର ସୁନ୍ଦର ଅନୁଭବ କୁ ବଖାଣିଛି | ପରିବାର ସହ ଯାନିଯାତ୍ରା, ଦେବୀ ପୂଜା ର ମଜା ସବୁକୁ ଲେଖି ଚାଲିଛି | ତାସହ ଲେଖିଛି ନିଜର ପ୍ରିୟ ସାଙ୍ଗ କଷୀବ୍ ଓ ସାଫିର୍ ଙ୍କ କଥା, ମୁସଲମାନ ହୋଇମଧ୍ୟ କିପରି ତା ସହ ଆଙ୍ଗଅଂଗି ଭାବେ ଜଡିତ ଥିଲେ | |

                        କଷୀବ୍ ଓ ସାଫିର୍ ପିଲା ଦିନର ସାଙ୍ଗ, ହିନ୍ଦୁ ମୁସଲିମ ବୋଲି କିଛି ବାଛ ବିଚାର ନାହିଁ | ତିନିସାଙ୍ଗ ମିଶି ପାଳିଛନ୍ତି ହୋଲି ଓ ଇଦି | "ରବିନ୍ଦ୍ରନାଥ ଟାଗୋର", "ଶରତଚନ୍ଦ୍ର ଚଟୋପାଦାୟ", "ବଂକିମଚନ୍ଦ୍ର ଚାଟାର୍ଜୀ" ଏମିତି ଅନେକ କବିଙ୍କୁ ପଢ଼ିଛନ୍ତି ଓ ଜାଣିଛନ୍ତି ତିନିସାଙ୍ଗ | ସବୁଠାରୁ ଯାହାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି ସେ ହେଲେ " କାଜି ନଜରୁଲ୍ ଇସ୍ଲାମ "| କି ସୁନ୍ଦର ତାଙ୍କ କବିତା ଥିଲା ହୀନ୍ଦୁ ମୁସଲମାନ କୁ ନେଇ | ମୁଁ ନିଜ ଠାରୁ ବି ବେଶୀ ଭଲ ପାଏ ଏ କବିତାକୁ.........

  " ମୋର ଏକ ବ୍ରିନ୍ତେ ଦୁଟି କୁସୁମ ହୀନ୍ଦୁ

          ମୁସଲମାନ

     ମୁସଲିମ ତାର ନୟନ -ମନି ହୀନ୍ଦୁ ତାହାର

          ପ୍ରାଣ |

     ଏକେ ସେ ଆକାଶ ମାୟେର କୋଲେ ୟାନା

          ରବି -ଶଶୀ ଦୋଳେ

     ଏକ ବୁକେର ତଲେ, ଏକେ ସେ ନାଡୀର

          ତାନ |

    ମୋର ଏକ ବ୍ରିନ୍ତେ ଦୁଟି କୁସୁମ ହୀନ୍ଦୁ

         ମୁସଲମାନ |".......

          ଦେବୁ, ଏଯାଏ ପଢ଼ିସାରି ଯେପରି ତା ମନ ପୂରିଗଲା ଭଳି ଲାଗିଲା | ହସିଦେଲା ସେ | କେତେ ସୁନ୍ଦର ଅନୁଭୂତି  ସତରେ ଏସବୁ | ବାଇଆ ଅଜା ର ଜୀବନକୁ ଯେପରି ନିଜ ଆଖି ସାମ୍ନାରେ ଦେଖୁଥିଲା | କେତେ ସ୍ନହଶ୍ରଦ୍ଧା ଭାଇ ଭାଇ, ବନ୍ଧୁ ଓ ପରିବାର ମଧ୍ୟରେ, ଦେବୁ ସବୁ ଯେପରି ଅନୁଭବ କରିପାରୁଥିଲା | ଘଣ୍ଟାକୁ ଚାହିଁଲା ଚାରିଟା ବାଜିଲାଣି | ଆଜି ପାଇଁ ଏତିକି, ଆସନ୍ତା କାଲି ୯ ଟାରେ ପ୍ରାକ୍ଟିକାଲ ଅଛି ଜଲ୍ଦି ଉଠିବାକୁ ପଡିବ |କାନ ଡ଼େରିଲା ବାହାରେ ଜୋରେ ବର୍ଷା ହେଉଛି | ଟେବୁଲ ଲ୍ୟାମ୍ପ ବନ୍ଦ କରି ଚୁପଚାପ ଶୋଇପଡ଼ିଲା |

                 

                  

                  ସକାଳ ରୁ ରାତି ହେଲା ଦେବୁର ଧର୍ଯ୍ୟ ନଥିଲା ଆଉ ବେଶୀ ସମୟ ଅପେକ୍ଷା କରିବାକୁ, ବୋଉ ଓ ନିତୁ ନଶୋଇବା ପୂର୍ବରୁ ଦେବୁ ନିଜ କୋଠରୀର କବାଟ ଦେଇଦେଲା | ନିତୁ ପରେ କବାଟରେ ଠକ ଠକ କରୁଥିଲା କିନ୍ତୁ ବୋଉ ତାକୁ କହିବାର ଶୁଭୁଥିଲା " ଥାଉ, କଣ ପାଇଁ ତାକୁ ହଇରାଣ କରୁଛୁ | ପଢା ପଢି କରୁଥିବସେ.....ଆ ଆଡକୁ " | ସବୁ ଶୁଣିକି ନ ଶୁଣିଲା ପରି ରହିଗଲି, ଡାଇରୀକୁ ଖୋଲି ଚିହ୍ନ ଦେଇଥିବା ସ୍ଥାନରୁ ଆରମ୍ବ କଲି..........

               "  ( 1944 ମସିହା )    ଆଜି ଅମୋଲିକା ର ବିବାହ ସମ୍ପର୍ଣ ହୋଇଗଲା ଚିତ୍ତରଞ୍ଜନ ଦେଓ ଙ୍କ ସହ | ବହୁତ ଭଲ ଘର ମିଳିଛି, ଖୁସିରେ ରହିବ | ସେ ବିଦାହୋଇ ଗଲା ପରେ ଛାତିଟା କିମିତି ଫାଟି ଗଲା ପରି ଲାଗୁଛି | ଘରଟା ଖାଲି ଖାଲି ହୋଇଗଲା | ବାପା ତା ନାଆଁ ରଖିଥିଲି ଅମୋଲିକା ଯାହାର ଅର୍ଥ ଥିଲା 'ମହାରାଣୀ ' | ସେ ଆମପାଇଁ କେଉଁ ମହାରାଣୀ ରୁ କମ ନଥିଲା | ବାପା ଏଭଳି କାନ୍ଦି ପାରନ୍ତି ମୁଁ ପ୍ରଥମ ଥର ଦେଖିଲି | ବୋଉ କଥା ନକହିବା ଭଲ | ରାଜୀବ ଓ ସଦଵୀର୍ ଙ୍କୁ ଦେଖିବାକୁ ପାଉନି, କେଉଁଟି ଲୁଚିକି କାନ୍ଦୁଛନ୍ତି ନିଶ୍ଚୟ | ମୋର ଆଶୀର୍ବାଦ ସବୁବେଳେ ତୋ ଉପରେ ରହିବ ଅମୋଲିକା | ଏତେ ସ୍ନହ ଶ୍ରଦ୍ଧାରେ ବଢ଼ାଇ ବଡ କରିବା ପରେ କିପରି ପର ଘରକୁ ଦେଇ ଦିଅନ୍ତି ଝିଅଟିକୁ | ଅମାନିଆ ଲୁହଗୁଡା ଚୁପ ହେଉନାହାନ୍ତି ଆଜି, ଲାଗୁଛି ଆଗକୁ ଲେଖେଇ ଦେବେନି |

                             ଦେବୁ ନିଜ ଆଖିରୁ ବୋହି ଯାଉଥିବା ଲୁହକୁ ପୋଛି ଦେଲା | ତାକୁ ଲାଗୁଥିଲା ନିତୁ ହିଁ ତାର ଅମୋଲିକା, ନିତୁ ବି ତାକୁ ଦିନେ ଛାଡିକି ଚାଲିଯିବ | ପାଖରେ ଗ୍ଲାସରେ ଥିବା ପାଣି କୁ ଏକା ନିଃଶ୍ୱାସ ରେ ପିଇ ଦେବା ପରେ ଆଗକୁ ପଢିଲା..... |

             (1945 ମସିହା ) ……… ରବିନ୍ଦ୍ରନାଥ ଟାଗୋର ଙ୍କ ଉପନ୍ୟାସ ବହୁତ ପଢିଛି |  ତାଙ୍କ ଗଳ୍ପର ନାୟିକା ପରି ସୁନ୍ଦର, ସୁଶୀଳା ଓ ବୁଦ୍ଧିମତୀ "ବନିତା " ମୋ ଜୀବନରେ ଏବେ ପାଦ ଦେଇଛି | ଯିଏ ଥରେ ବନିତାକୁ ଦେଖିବ ଆଉ ଥରେ ଚାହିଁବ | ବାପା ବନିତାକୁ ଦେଖି ଏତେ ଖୁସିଥିଲେ ବିନା ଯୌତୁକ ରେ ଘରକୁ ବୋହୂ କରି ନେଇ ଆସିଲେ | ଆସିବା ପରେ ଲାଗୁଛି ଜୀବନଟା ଆହୁରି ସୁନ୍ଦର ହୋଇଗଲା | ଅମୋଲିକା ର ଝିଅଟିଏ ହୋଇଛି | ନାଆଁ ରଖିଛି ଅର୍ଚ୍ଚନା | ବହୁତ ଖୁସିଅଛି ସେ | ରାଜୀବ୍ ଏବେ ବର୍ଷ ବର୍ଷ ଧରି ଘରକୁ ଫେରୁନି | ନିଜକୁ ଦେଶ ସେବାରେ ନିୟୋଜିତ କରିଦେଇଛି, ବାପା କିଛି କହୁନାହାନ୍ତିସିନା କିନ୍ତୁ ବୋଉ ଆଖିରୁ ଲୁହ ଝାରୁଛି | ତଥାପି ସମସ୍ତେ ତା ଉପରେ ଖୁସି | ସଦଵୀର୍ ପାଠ ପଢ଼ାରେ ବହୁତ ଭଲ କରୁଛି |

 ( 1947ମସିହା )..........ଏବେ ମୋ ଘର ଅଗଣା ହସୁଛି, ତାଙ୍କ କୁନି କୁନି ପାଦରେ ଘୁଙ୍ଗୁର ଶବ୍ଦ ଯେପରି ଗୁଂଜରିତ ଚତୃଦିଗ | ମୋର ସୁନ୍ଦର ସୁନ୍ଦର ଦୁଇଟି ଜାଅଁଳା ପିଲା ଜନ୍ମ ନେଇଛନ୍ତି, ପୁଅ ନାଁଆ 'ଆକାଶ ' ଓ ଝିଅର ନାଆଁ 'ସୁଲେଖା '| ସେମାନଙ୍କୁ ଘଡ଼ିଏ ନ ଦେଖିଲେ ଯେପରି ଅନ୍ଧ ଭଳି ଲାଗୁଛି | ବୋଉ ବାପା ଏବେ ବହୁତ ଖୁସି | କିନ୍ତୁ ଏ ଖୁସି ସହିତ ମୋ ଭିତରେ ଅନେକ ଦୁଃଖ ବି ଭରି ଯାଇଛି | ଭାରତ ପାକିସ୍ତାନ ଓ ବାଂଲାଦେଶ ଯେଉଁ ଅଖଣ୍ଡ ଭାରତ ବର୍ଷ ଭାବରେ ପରିଗଣିତ ହଉଥିଲା ସେ ଆଉ ନାହିଁ | ତା ଛାତିରେ ଛୁରୀ ଭୁସି କ୍ଷତାକ୍ତ କରି ଖଣ୍ଡ ଖଣ୍ଡ କରିଦେଲେ ଅଖଣ୍ଡତାକୁ | ମହମ୍ମଦ ଅଲୀ ଜୀନା ଙ୍କ କହିବା ଅନୁସାରେ ଏ ଇଂରେଜ ମାନେ ତାଙ୍କ କଥା ମାନି  ହୀନ୍ଦୁ, ମୁସଲିମ କୁ ଅଲଗା ଅଲଗା ଦେଶ ରେ ବିଭକ୍ତ କରିଦେଲେ | ଭାରତ ଓ ପାକିସ୍ତାନ ଏବେ ଅଲଗା ହୋଇଗଲା | ଖାଲି ସେତିକି ନୁହେଁ ଏବେ ପାକିସ୍ତାନ ଦୁଇ ଭାଗରେ ବିଭକ୍ତ ହୋଇଗଲା ଯଥା ପୂର୍ବ ପାକିସ୍ତାନ (ବାଂଲାଦେଶ ) ଓ ପଶ୍ଚିମ ପାକିସ୍ତାନ (ପାକିସ୍ତାନ )| ପୂର୍ବ ପାକିସ୍ତାନ ଯେଉଁଠାରେ ଆମ୍ଭେମାନେ ରହୁଛୁ | ଦୁଇ ଦେଶକୁ ଯୋଡ଼ିଲା ଭଳି କୌଣସି ଯାତାୟାତ ପଥ ହିଁ ନାହିଁ | ପଶ୍ଚିମ ପାକିସ୍ତାନ ଆମ ଉପରେ ଦଉ ସାଧିବାରେ ଲାଗିଛି | ଧୀରେ ଧୀରେ ଆମେ ମୁକ୍ତ ନହୋଇ ଅଧିକ ପରାଧୀନ ଭଳି ଅନୁଭବ କରୁଛୁ | ଯେତେ ସବୁ ଉଞ୍ଚ ପଦର କର୍ମଚାରୀ ଯଥା ମନ୍ତ୍ରୀ , ରାଷ୍ଟପତି, ମୁଖ୍ୟମନ୍ତ୍ରୀ ସବୁ କେବଳ ସେଇ ପଶ୍ଚିମ ପାକିସ୍ତାନର ହିଁ ହେଉଛନ୍ତି | ଆମ ପୂର୍ବ ପାକିସ୍ତାନ କୁ ଆଗକୁ ବଢିବାକୁ ଦେଉ ନାହାନ୍ତି | ଜନସଂଖ୍ୟା ହିସାବରେ ଆମେ ସେମାନଙ୍କ ଠାରୁ ଅଧିକ କିନ୍ତୁ ଦେଶକୁ ଯୋଗାଉଥିବା ଜିନିଷ ସମୁଦ୍ରକୁ ଶଙ୍ଖେ ପରି | ଆମ ହାଡଭଙ୍ଗା ଖଟଣି ରେ ଯାହା ମିଳୁଛି ସବୁ ସେ ନେଇ ଯାଉଛନ୍ତି | ଲାଗୁଚି ଦୁର୍ଭିକ୍ଷ ପଡିଯିବ | ଦେଶର ଅବସ୍ଥା ବହୁତ ଖରାପ |

                       ସାବତ ମା ପରି ଭେଦଭାବ ବଢି ଚାଲିଛି | ଏବେ ମହମ୍ମଦ ଅଲ୍ଲୀ ଜୀନା କହୁଛି ଆମେ କାଳେ ଉଋଧୂ କହିବୁ | କି ହୀନ୍ଦୁ କି ମୁସଲମାନ ସମସ୍ତେ ବଙ୍ଗଳା କହିବା ଜନ୍ମ ହେବା ଠାରୁ ଶିଖିଚୁ | ଆଜି କିପରି ବଦଳି ଯିବ ଆମ ଭାଷା | ସରକାରୀ ସ୍ତରରେ ଆମ ଭାଷାକୁ ଗ୍ରହଣ କରା ଯିବନି ବୋଲି ସେମାନେ ଶୁଣେଇଦେଲେ | ନା ବହୁତ ହୋଇଗଲା ଏଥର ଆମେ ସ୍ୱର ଉଠାଇବୁ | ବଙ୍ଗଳା ଭାଷା କଣ ନ ଦେଇଛି ଦୁନିଆଁକୁ | ଯେଉଁ ରବିନ୍ଦ୍ରନାଥ ଟାଗୋର, କାଜି ନଜରୁଲ୍ ଇସ୍ଲାମ କୁ ପିଲା ବେଳୁ ପଢିଛୁ ତାକୁ କିପରି ବଦଳାଇଦେବୁ | ମୁଁ ବହୁତ ଭାବିବା ପରେ ଭାଷା ବିରୁଦ୍ଧରେ ହେଉଥିବା ଆନ୍ଦୋଳନ କୁ ଓଲ୍ହାଇଲି, ଓ ମୋ ସହ ଥିଲେ କଷୀବ୍, ସାଫିର୍ |

   

        ସେଦିନ ଅନେକ ଲୋକ ମାନଙ୍କ ସହ କଷୀବ୍, ସାଫିର୍ ଓ ମୁଁ ରାସ୍ତାକୁ ଓଲ୍ହାଇଲୁ | ରାଲି ସବୁ ବାହାରିଲା, ନାରାବାଜି ଚାଲିଲା | ଆଗରୁ ସଜାଗ ହୋଇ ରହିଥିବା ପୋଲିସ ର ଲାଠି ଚାର୍ଜ ହେଲା ଆମ ଉପରେ | ଏପରି ଜଣେ କେହି ନଥିଲେ ଯାହା ଦେହରୁ ରକ୍ତ ବାହାରି ନଥିଲା | ତଥାପି ଆମେ ପଛ ଘୁଞ୍ଚା ଦେଇ ନଥିଲୁ | ସହ ସହ ଲୋକ ଆମ ସହ ଯୋଡି ହେଲେ | ଆମେ ଗୋଟେ ବଡ ସଭାର ଅୟୋଜନ କରିଥିଲୁ | ପୋଲିସ ଆମ ଉପରକୁ ଆଖିବୁଜା ଗୁଳି ଚାଳନା କରିବାରେ ଲାଗିଗଲା | ନିଜକୁ ବଂଚେଇବାକୁ ଯିଏ ଯେଉଁଠି ପାରିଲେ ଲୁଚିଲେ | କିଛି ସମୟ ପରେ ମୁଁ ଓ କଷୀବ୍ ଖୋଜିଥିଲୁ ସାଫିର୍ କୁ କିନ୍ତୁ ସାଫିର୍ ର ରକ୍ତ ଜୁଡୁବୁଡୁ ଶରୀର ଆମ ଆଗରେ ତଳ ମୁହାଁ ହୋଇ ପଡିରହିଥିଲା | ପିଲାଦିନ ସାଙ୍ଗ ମତେ ଆଜି ଛାଡିକି ଚାଲିଗଲା | ମୁଁ କିନ୍ତୁ କାନ୍ଦିନଥିଲି,  କଣ ପାଇଁ କାନ୍ଦିବି,  ସେ ସହୀଦ ହୋଇଗଲା | ତା ସ୍ୱପ୍ନକୁ ଆମେ ସାକାର କରିବୁ ଆହୁରି ଦୃଢ ହୋଇଗଲା ଆମ ଲକ୍ଷ୍ୟ |

                   (1956 ମସିହା)....... ଦୀର୍ଘ ଆଠ ବର୍ଷ ପରେ ମତେ ଆଜି କିଛି ଲେଖିବାକୁ ଇଛା ହେଉଛି | ସାଫିର୍ ତୁ ଉପରେ ଥାଇବି ଆଜି ନିଶ୍ଚିନ୍ତ ଖୁସି ଥିବୁ | ଆମ ପରିଶ୍ରମ ଆଜି ସଫଳ ହୋଇଛି | ଆମ ଭାଷାପ୍ରତି ଥିବା ଭଲ ପାଇବା ଆଗରେ ସେମାନେ ହାର ମାନିଛନ୍ତି | ବଙ୍ଗଳା ଭାଷାକୁ ସରକାରୀ ସ୍ତରରେ ଗଣନା କରାଗଲା | ମୁଁ ଆଜି ବହୁତ ଖୁସି | କିନ୍ତୁ ଦୁଃଖ ଏତିକି ତୋ ଭଳି ହଜାର ହଜାର ଦେଶଭକ୍ତ ଆମକୁ ଛାଡି ଚାଲିଗଲେ |

                 (1966 ମସିହା )........... ଆମେ ମନସ୍ତ କରିସାରିଛୁ, ଆଉ ଅନ୍ୟାୟ ସହିବୁନି, ଏହାର ପ୍ରତିବାଦ କରିବୁ | ଆମ ନେତା ଭାବରେ 'ଶେଖ ମୁଜିବୁର ରେହେମାନ ' ଗୋଟେ ସଂଗଠନ କରିଛନ୍ତି, ଯାହାର ନାଆଁ "ଅୱମି ଲିଗ୍ " | ଆମର ଅଧିକାର, ଆମର କ୍ଷମତା ଓ ଆମର ମୁକ୍ତି ଦରକାର | ରାଜୀବ୍ ଏବେ ଏ ସଂଗଠନ ରେ କାର୍ଯ୍ୟ କରୁଛି |

                  ( 1969 ମସିହା )............ ସମ୍ପୂର୍ଣ ବଙ୍ଗଳା ଦେଶ ଏବେ ଶେଖ ମୁଜିବୁର ରେହେମାନ ଙ୍କୁ ସହଯୋଗ କରୁଛି | ପଶ୍ଚିମ ପାକିସ୍ତାନକୁ ଡର ଲାଗିଲାଣି ସେଥିପାଇଁ ତ ଆମ ନେତା ଶେଖ ମୁଜିବୁର ରେହେମାନ ଙ୍କୁ ପଶ୍ଚିମ ପାକିସ୍ତାନ ର ମିଲିଟାରି ମୁଖ୍ୟ ଅୟୁବ ଖାଁନ ନେଇ ଜେଲ ରେ ରଖିଛି | କିନ୍ତୁ ଆମେ ଏହାର ଜବାବ ଦେବୁ ନିଶ୍ଚୟ ଦେବୁ | ହାରିଯିବୁନି...... |

                  (1970 ମସିହା ).......... ଏଥର ବର୍ଷା ଯେପରି ଆମ ଉପରେ କୋପ କଲା | ଚାରିଆଡେ ଭୟଙ୍କର ବନ୍ୟା, ସବୁ କିଛି ଧୋଇନେଇଗଲା | ନା ମୋର ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଅଛି ନା ଖାଇବାକୁ ଧାନ ଚାଉଳ | ଖାଲି ମୁଁ ନୁହେଁ ଶହ ଶହ ଲୋକ ଏପରି ଭାବରେ ପଡିଛନ୍ତି କିପରି ବଂଚିବୁ, ଛୁଆ ପିଲା କଣ ଖାଇବେ, କେଉଁଟି ରହିବେ କିଛି ବୁଝି ପାରୁନି | ଲାଗୁଛି ଯେପରି ଆମ ଖୁସିକୁ କାହାର ନଜର ଲାଗିଗଲା |.....

              ବନ୍ୟା ରୁ ଉଠି ଅଣ୍ଟା ସଳଖି ବି ନଥିଲି ହେଲେ  ନଭେମ୍ବର ମାସରେ ଆସିଲା ଏ ଚକ୍ରବର୍ତ୍ତୀ ତୋଫାନ 'ଭୋଲା ' | ଯେପରି ପ୍ରକୃତି ମା ଆମ ଉପରେ କ୍ରୋଧିତ ଥିଲା | ସେଦିନ ସେ ଭୟଙ୍କର ମେଘ ତୋଫାନ ରେ କାନ୍ଥ ପଡ଼ି ମୋ ପୁଅ, ବୋଉ ଓ ବାପା  ଆମକୁ ଛାଡି ସବୁଦିନ ପାଇଁ ଚାଲିଗଲେ | ଏସବୁ ଲେଖିଲା ସମୟରେ ମୋ ହାତ ଧରି ଯାଉଛି | କେତେ ଭୟଙ୍କର ଥିଲା ସେ ଦୂର୍ଷ୍ୟ | ଚାରିଆଡେ ଖାଲି ହା ହା କାର....... ଲକ୍ଷ ଲକ୍ଷ ଲୋକଙ୍କ ଶବ ପଡିରହିଥାଏ | କାହାକୁ ସାହାଯ୍ୟ କରିବାକୁ କେହି ନଥାନ୍ତି | ପଶ୍ଚିମ ସରକାର ବି କିଛି ସହଯୋଗର ହାତ ବଢ଼ାଇଲା ନାହିଁ | ସେ ତ ଚାହୁଁଥିଲା ଆମେ ସବୁ ଏପରି ଧ୍ୱଂସ ହୋଇଯାଉ | ଲୋକଙ୍କ ଙ୍କ ମନରେ କୁହୁଳୁ ଥିବା ନିଆଁ ଟି କେତେବେଳେ ଯେ ବାହାରି ଆସି ଜାଳିଦେବ ସମସ୍ତଙ୍କୁ ସେକଥା ବୁଝି ପାରୁନି ଏ ସରକାର 'ୟାହ୍ୟାବ୍ ଖାଁନ' | ଯିଏକି ବର୍ତମାନ ସମୟର ସରକାର ପଦରେ ବିରାଜମାନ |

                   ଡ଼ିସେମ୍ବର  ରେ ହେଲା ନିର୍ବାଚନ | ପୁରା ବଙ୍ଗଳା ଦେଶର ଲୋକ ମାନଙ୍କ ମନ ଭିତରେ କୁହୁଳୁଥିବା ପ୍ରତିଶୋଧ ର ନିଆଁ ଟା ଜଳି ଉଠିଲା | ସମସ୍ତେ ଭୋଟ ଶେଖ ମୁଜିବୁର ରେହେମାନ ଙ୍କୁ ଦେଇଦେଲେ | 300 ଆସନ ରୁ 160ଆସନ ଶେଖ ମୁଜିବୁର ରେହେମାନ ଜିତି ଗଲେ, ଆମେ ଭାବିଲୁ ଏଥର ଶାନ୍ତିରେ ଟିକେ ନିଶ୍ୱାସ ନେବୁ | ଫେରି ପାଇବୁ ଆମ ହଜିଲା ଖୁସିକୁ | କିନ୍ତୁ ନିୟତି ର ଖେଳ କିଛି ନିଆରା ଥିଲା | ନିୟମ ଦୃଷ୍ଟିରୁ ଶେଖ ମୁଜିବୁର ରେହେମାନ ଆମର ପ୍ରଧାନମନ୍ତ୍ରୀ ହେବା କଥା କିନ୍ତୁ ଏ ସବୁ ପଶ୍ଚିମ ପାକିସ୍ତାନ ସହି ପାରିଲାନି, ଏହାକୁ ସ୍ଥଗିତ ରଖିଦେଲା | ପଶ୍ଚିମ ପାକିସ୍ତାନ ରେ 61 ଭୋଟ ରେ ଜିତିଥିବା ଜ଼ଉଲ୍ଫିକର ଅଲ୍ଲୀ ଭୁଟ୍ଟୋ ଓ ଶେଖ ମୁଜିବୁର ରେହେମାନ ଙ୍କୁ ୟାହ୍ୟାବ୍ ଖାଁନ ଜେଲେ ରେ ପୁରାଇ ଦେଲେ | ୟାହ୍ୟାବ୍ ଖାଁନ ଭାବୁଥିଲା ଏମାନେ ତାର ପଛପଟରେ କିଛି ବିରୋଧୀ କାମ କରୁଛନ୍ତି |

                       

            (1971 ମସିହା ).......     ଶେଖ ମୁଜିବୁର ରେହେମାନ ଙ୍କୁ ଜେଲେ ରେ ରଖିବା ପରେ ପୁରା ବଙ୍ଗଳା ର ଲୋକ ମନେ ରାସ୍ତାକୁ ଓଲ୍ହାଇ ହରତାଳ ଆରମ୍ଭ କରିଦେଲେ | ନିର୍ବାଚନ ଜିତିଥିବା ଅୱମି ଲିଗ୍ ଏବେ ସରକାର ଭଳି କାମ କରିବା ଆରମ୍ଭ କରିଦେଲା | ନିଜ ଇଛାରେ ନିଜ ଦେଶକୁ ପରିଚାଳନା କଲା | ଆମେ ଜାଣି ସାରିଥିଲୁ ଏଥର ଆମକୁ ଆମ ହକ ପାଇଁ ଲଢ଼ିବାକୁ ପଡିବ | ଦମନକାରୀ ଶାସନ ପଦ୍ଧତିରୁ ନିଜକୁ ଅଲଗା କରି ମୁକ୍ତି ହେଲୁ ବୋଲି 1971 ମସିହା ମାର୍ଚ୍ଚ 26 ତାରିଖରେ ଅୱମି ଲିଗ୍ ଘୋଷଣା କରିଦେଲା |

                 କିଏ ଜାଣିଥିଲା ଏ ଘୋଷଣା ପରେ ପୁରା ଦେଶ କଣ ଭୋଗିବାକୁ ଯାଉଛି | ନୃଶଂସ, ନରସଂହାର କିପରି ଚୁପ ବସିଥାନ୍ତେ | ସେମାନେ ପ୍ରତିଶୋଧ ପରାୟଣ ହୋଇ ଆମ୍ଭକୁ ଦଣ୍ଡ ଦେବାକୁ "ଅପେରସନ ସର୍ଚ୍ଚଲାଇଟି " ଆରମ୍ଭ କଲେ | ସେମାନଙ୍କ ଲକ୍ଷ ଥିଲା, ଅୱମି ଲିଗ୍ କୁ ସହଯୋଗ କରୁଥିବା ଲୋକ, ବୁଦ୍ଧିଜୀବୀ, ଶିକ୍ଷିତ ଲୋକ ଯେପରି ଲେଖକ, ପ୍ରଫେସର, ଛାତ୍ର ଏମାନଂକୁ ଖୋଜି ମାରିବା | ଶିକ୍ଷିତ ଓ ଆଗ ଧାଡ଼ିର ଲୋକଙ୍କୁ ଖୋଜି ମାରିଦେଲେ ଏ ଗରିବ ଲୋକ ମାନେ ପ୍ରତିବାଦ ନ କରି ତାଙ୍କ ପଛେ ପଛେ ଚାଲିବେ ଏହା ତାଙ୍କର ଉଦେଶ୍ୟ ଥିଲା | ଆର୍ମି ଓ ମିଲିଟାରୀ ମିଶିକି ପ୍ରଥମେ ଢାକା ବିଶ୍ବବିଦାଳୟ ଉପରେ ଚଢ଼ାଉ କଲେ | ସେଦିନ ରାତିରେ ଶହ ଶହ ନିରୀହ, ନିଅସ୍ତ୍ର ଛାତ୍ର ମାନଙ୍କ ରକ୍ତରେ ଭିଜିଥିଲା ଏ ମାଟି | ମାରି ଚାଲିଲେ ଜଣକ ପରେ ଜଣକୁ | ମୋ ସାନ ଭାଇ ସଦଵୀର୍ ବିଶ୍ଵବିଦ୍ୟାଳୟ ରେ ଡାକ୍ତରୀ ପଢୁଥିଲା, ସେ ନିରୀହ ର ସ୍ୱପ୍ନ ଥିଲା ଗରିବ ଲୋକମାନଙ୍କର ସେବା କରିବା କିନ୍ତୁ ତା ସ୍ୱପ୍ନ ଟା ସ୍ୱପ୍ନ ରେ ହିଁ ରହିଗଲା | ମୁଣ୍ଡର ଏତେ ପାଖରୁ ତାକୁ ଗୁଳିମାରିଥିଲେ | ସେଇ ରାତିର ଅନ୍ଧାରରେ ମୋ ସବୁ ସୁଖଦିନ ଉଭେଇଗଲା, ମୋ ପୁଅ ମରିଥିଲା ସତ କିନ୍ତୁ ମୁଁ ଭାଙ୍ଗି ନଥିଲି,..... ଯେଉଁ ସଦଵୀର୍ କୁ ଛୋଟରୁ ବଡ କରିଥିଲି, ଯାହାକୁ ନିଜଠୁ ଅଧିକା ଭଲ ପାଉଥିଲି ତାକୁ ମୋ ଠାରୁ ଛଡାଇ ନେଲେ | ଖାଲି ଏତିକିରେ ସେ ପିଶାଚ ଗୁଡାକ ଶାନ୍ତ ପଡି ନଥିଲେ | କି ହିନ୍ଦୁ କି ମୁସଲମାନ ସମସ୍ତଙ୍କୁ ମାରିବା ଆରମ୍ଭ କଲେ | ଚତୃଦିଗ ରେ ଖାଲି ହାହା କାର | ଘର ପରିବାର ଛାଡି ଆମେ ସବୁ ବାହାରେ |

                    

              

ସେଦିନ କଷୀବ୍ ଓ ମୁଁ ସେମାନଂକୁ ଦେଖି ଲୁଚିଗଲୁ  | କିନ୍ତୁ ସେମାନେ କଷୀବ୍ ର ସ୍ତ୍ରୀ ସୋଫିଆ କୁ ଘରୁ ଜୋର କରି ଭିଡି ଆଣିଲେ, ବାରମ୍ବାର ପଚାରୁଥିଲେ କଷୀବ୍ ର କଥା | ନିଜର ସ୍ୱମୀ କୁ ବଞ୍ଚାଇବାକୁ ଯାଇ ମିଛ କହିଥିଲା ସେ | ସୋଫିଆ କୁ ଅତି ନିର୍ମମ ଭାବରେ ସମସ୍ତଙ୍କ ସମ୍ମୁଖରେ ଧର୍ଷଣ କଲେ | ନିଜକୁ ବଂଚେଇବାକୁ ଯାଇ କେତେ ଆକୁଳ ନିବେଦନ କରିଥିଲା ସେ | ହେଲେ ଗୁଳିମାରି ଚାଲିଗଲେ ସେମାନେ | ସୋଫିଆ ର ମର ଶରୀର କୁ ଧରି କଷୀବ୍ ର ସେ ଦୃଦୟ ବିଦାରକ କାନ୍ଦ ମୋ ଛାତିକୁ ଖଣ୍ଡ ଖଣ୍ଡ କରୁଥିଲା | ଅସହାୟ ଓ ନିରୁପାୟ ଛଡା ଆମ ପାଖରେ କିଛିବି ନଥିଲା | ମରି ସାରିଥିଲା ମାନବିକତା, କେତେ ନୀଚ ଚିନ୍ତା ଧାରା | କଷୀବ୍ କୁ ବଂଚେଇବାକୁ ଚାହୁଁଥିଲି | ମୁଁ କଷୀବ୍ ର ପାଟି ଓ ଆଖିକୁ ଚାପି ଧରିଥିଲି | ନିଜ ସ୍ତ୍ରୀ ର ଏପରି ଅବସ୍ଥା ଦେଖି କଷୀବ୍ ନିଜକୁ ସମ୍ଭାଳି ପାରିନଥିଲା | ସେମାନେ ଅନେକ ଥିଲେ, କଷୀବ୍ ଓ ମୁଁ ଵା କଣ କରିପାରିଥାନ୍ତୁ | ମାସ ମାସ ଧରି ଘରକୁ ନ ଆସି ଲୁଚି ରହିବାକୁ ପଡୁଥିଲା, ଆମେ ଜାଣି ସାରିଥିଲୁ ସମ୍ମୁଖ ଯୁଧ୍ୟ ରେ ଆମେ କେବେ ଜିତିବୁନି | ତାପରେ ଗଠନ ହେଲା 'ମୁକ୍ତି ବାହିନୀ ସେନା '| ଗାଁ ଲୋକ ମନେ ଯୋଡି ହୋଇ ଗଲେ, ଆରମ୍ଭ ହେଲା ଗରିଲା ଯୁଦ୍ଧ , ଭାରତ ଆମକୁ ଲୁଚାଇ ଅସ୍ତ୍ର ଯୋଗାଉଥିଲା | ଗୋଟେ ବର୍ଷ ଏ ନରସଂହାର ଚାଲିଲା | ମୁଁ ଏହା ଭିତରେ କଷୀବ୍ ଓ ମୋ ଭାଇ ରାଜୀବ କୁ ହରାଇ ସାରିଥିଲି | ଆମ ଦେଶରୁ ଲକ୍ଷ୍ୟ ଲକ୍ଷ୍ୟ ଲୋକ ପଡୋଶୀ ଦେଶ ଭାରତ କୁ ଶରଣାର୍ଥୀ ଭାବରେ ପଳାଇ ଯାଉଛନ୍ତି | ଭାରତ ର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଆମକୁ ବହୁତ ସାହାଯ୍ୟ କରୁଛନ୍ତି | ଭାରତ ଯୁଧ୍ୟ କରିଵା ଦ୍ଵାରା ପାକିସ୍ତାନ ହରିଗଲା | 16 ଡିସେମ୍ବର 1971 ରେ ପାକିସ୍ତାନ ଆତ୍ମସମର୍ପଣ କଲା |  ଆମେ ମୁକ୍ତ ହେଲୁ | ଏ ନରସଂହାର ରେ ତିନି ରୁ ପାଞ୍ଚ ଲକ୍ଷ୍ୟ ଲୋକ ପୋକ ମାଛି ପରି ମରିଗଲେ | ଦୁଇ ରୁ ଚାରି ଲକ୍ଷ୍ୟ ମହିଳା ଙ୍କୁ ଧର୍ଷଣ କରାଗଲା | 

                               ବିଗତ ଗୋଟେ ବର୍ଷ ପରେ ମୁଁ ଆଜି ଘରକୁ ଫେରିଛି | କିନ୍ତୁ ଆଉ କିଛିବି ନାହିଁ ମୋ ପାଖରେ, ମୋ ସ୍ତ୍ରୀ ଓ ଝିଅ କେହି ନାହାନ୍ତି | କୁଆଡେ ଗଲେ ମୁଁ ଜାଣିନି | ହୁଏତ ବଞ୍ଚିଛନ୍ତି କି ନରପିଶାଚ ତାଙ୍କୁ ଖାଇ ଯାଇଛନ୍ତି ???  | ବହୁତ ଖୋଜିଲି କିନ୍ତୁ ପାଇଲିନି | ଖାଲି ଏତିକି ଜାଣିଛି ମୋର ଆଉ ଏ ଦୁନିଆରେ କେହି ନାହାନ୍ତି | ସମସ୍ତଙ୍କୁ ହରାଇ ଦେଲି ମୁଁ ଏବେ.... |........ "

  

                           ଦେବୁ ପରବର୍ତ୍ତୀ ପୃଷ୍ଠା ଓଲଟାଇ ଦେଖେତ କିଛିବି ନାହିଁ | ଦେବୁ ବ୍ୟସ୍ତ ହୋଇ ଗୋଟେ ପରେ ଗୋଟେ କାଗଜ ଫାଳକୁ ଓଲଟାଇ ଚାଲିଥାଏ, କିନ୍ତୁ ସବୁ ଖାଲି | ଦେବୁ ର ଜାଣିବାକୁ ଇଚ୍ଛା ହେଉଥିଲା ବାଇଆ ଅଜା କିପରି ଆସି ଏଠି ପହଁଚିଲା | ସ୍ତ୍ରୀ, ଝିଅ କୁଆଡେ ଗଲେ...... ??? |

                          କବାଟ ଠକ ଠକ ହେଲା, ଦେବୁ ଘଣ୍ଟାକୁ ଚାହିଁ ଦେଖେତ ୬ଟା ବାଜି ସାରିଲାଣି | ଧୀରେକି କବାଟ ଖୋଲିଲା |

ବୋଉ....... "କିରେ, ବେଳ ଆସି ଉଛୁର ହେଲାଣି ଶୋଇଚୁ ? |

ଦେବୁ ର ଇଛା ହେଉଥିଲା ବୋଉକୁ କୁଣ୍ଡେଇ ଧରି ଜୋରରେ କାନ୍ଦିବାକୁ | ବାଇଆ ଅଜା ର ଅଙ୍ଗେନିଭା ହୃଦୟ ବିଦାରକ ଘଟଣା ବଳିକୁ କହିଦେବାକୁ, କିନ୍ତୁ କହି ପାରିଲାନି | ବୋଉ କେତେ ବାଇଆ ଅଜା କୁ ଭଲ ପାଉଥିଲା ତା ଠାରୁ ବେଶୀ ଭଲକି ଆଉ କେହି ଜାଣି ନଥିଲେ | ବୋଉ କୁ ଦୁଃଖୀ କରିବାକୁ ସେ ଚାହୁଁନଥିଲା |

                      ଏହା ଭିତରେ ବର୍ଷ ପରେ ବର୍ଷ ଗଡି ଚାଲିଛି | ଦେବୁ ଜାଣେ ଡାକ୍ତର ଭାବରେ ନିଜକୁ ଗଢି ତୋଳିଛି | ଗରିବ ଲୋକମାନଙ୍କ ସେବାରେ ନିଜକୁ ନିଯୋଜିତ କରିଛି ଠିକି ବାଇଆ ଅଜା ଭଲ ପାଉଥିବା ସଦଵୀର୍ ର ସ୍ୱପ୍ନ ପରି | କେବଳ ତାର ଚେଷ୍ଟା ବାଇଆ ଅଜା ର ଆତ୍ମାକୁ ସେ ଶାନ୍ତି ଦେବ | ନିତୁର ବିବାହ ପରେ ସେ ତା ସ୍ୱାମୀ ସହ ଆମେରିକାରେ ବହୁତ ଖୁସିରେ ଅଛି | ବାପା ଙ୍କ ଦେହାନ୍ତ ଛଅ ବର୍ଷ ତଳୁ ହୋଇସାରିଛି |  ଯେଉଁ ମିଷ୍ଟି ତାକୁ ବାଇଆ ଅଜା ସାଙ୍ଗରେ ଦେଖା କରାଇଥିଲା ତାକୁ ଵା ଭୁଲିବ କିପରି | ଦୀର୍ଘ ଦିନ ର ଭଲ ପାଇବା ପରେ ଏବେ ବିବାହ ବନ୍ଧନରେ ଆବଦ୍ଧ ଦୁହେଁ | ବୋଉ କୁ ବହୁତ ଯତ୍ନ ରେ ଦୁହେଁ ରଖିଛନ୍ତି | ବୋଉ ନାତି ନାତୁଣୀ ଙ୍କ ମେଳରେ ଖୁସି ଖୁସି ସମୟ ଅତିବାହିତ କରୁଛି |

                      ବୋଉ ର ଦେହ ଭଲ ନାହିଁ କିଛି ଦିନ ହେଲା | ନିତୁ ଆସିଛି ଦେଖିବାକୁ | ଡ଼କ୍ଟର ଦେଖିକି କହିଦେଇ ଗଲେ ଆଉ ଦିନେ କି ଦୁଇଦିନ | କଳାହାଣ୍ଡିଆ ମେଘଟା ଉଠେଇ ଆସିଲା | ଦେବୁ ଝରକା ପଟେ ବାହାରକୁ ଚାହିଁଛି | ବରକୋଳି ଟୋପା ଭଳି ବର୍ଷା ହଉଛି | ଦେବୁ ଭାବୁଛି ସେଇ ପିଲା ଦିନ...... ଆଗଭଳି ବର୍ଷଟା ଭଲ ଲାଗୁନି | ନା ଅଛି ଚାଳ ଛପର ନା ତା ଉପରେ ମାଡ଼ିଥିଵା ପୋଇ କଖାରୁ ଲତା, ନା ଝରି ଯାଉଛି ନୂଆ ଛଣର ନାଲି ପାଣି | ପାଖଘରୁ ମିଷ୍ଟି ଓ ନିତୁର କାନ୍ଦ ଭାସି ଆସିଲା | ଦେବୁର ଛାତିଟା କଣ ହୋଇଗଲା | ଭୋ ଭୋ କି କାନ୍ଦି ଉଠିଲା | ଘର ଛାଡି ବାହାରକୁ ଚାଲିଗଲା ସେ | ବୋଉ ର ଡାକ ଯେପରି ତାକୁ ଶୁଣ ଯାଉଥାଏ "ଦେବୁ ଏ ଦେବୁ  ଯାଆନି ବାହାରକୁ ଓଦା ହୋଇଯିବୁ" |

  

                                 ବୋଉ ର ଅନ୍ତିମ କାର୍ଯ୍ୟ ସମ୍ପନ୍ନ କରା ଗଲା | ମୁଁ ଘରକୁ ଫେରିଲି ମୋ ହାତରେ ଏବେ ଯାଏ ବାଇଆ ଅଜାର ପୁଟୁଳି ଥିଲା | ନିତୁ ପଚାରିଲା ଭାଇ " ପୁଟୁଳିକୁ ଦାହ କଲୁନିକି??? "| ମୁଁ ମୁଣ୍ଡ ହଲାଇ ମନା କଲି |

ସେ ପଚାରିଲା... "କାହିଁକି"?

ଦେବୁ............. "ମୁଁ ଚାହୁଁନି ମୋ ପାଖରୁ ବୋଉର ସ୍ମୁତି ଚାଲିଯାଉ, ଯେ ପର୍ଯନ୍ତ ଏ ପୁଟୁଳି ଅଛି ମୋ ପାଖରେ ବୋଉ ଓ ବାଇଆ ଅଜା ଅଛନ୍ତି | ଯେଉଁଦିନ ମୁଁ ଚାଲିଯିବି ମୋ ସହ ଏଟାକୁ ଦାହ କରିଦେବ "| ଏତିକି କହି ଦେବୁ ଘର ଭିତରକୁ ଚାଲିଗଲା | ନିତୁ ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା |

                    ( ସମୟ କାହାକୁ ଅପେକ୍ଷା କରେନି, ଖାଲି ଛାଡିଯାଏ ସ୍ମୁତି | ସେ ସ୍ମୁତି ଖୁସିର ଲହରୀ ହୋଇଥାଏ ଅବା ବାଇଆ ଅଜାର କାହାଣୀ ପରି ଛାତିକୁ ଥରାଉ ଥିବା ଇତିହାସ | 1971 ରେ ବାଂଲାଦେଶ ରେ ହୋଇଥିବା ନରସଂହାର ଏହାର ଏକ ଉଦାହରଣ | ଯାହା ଇତିହାସର ଗୋଟେ ଅଲିଭା ଦାଗ | )

                         [ ସମାପ୍ତ ] 


Rate this content
Log in

Similar oriya story from Drama