ଅଜଣାର ଅନ୍ବେଷଣେ
ଅଜଣାର ଅନ୍ବେଷଣେ
ଅବନ୍ତିକା ର ରାଜକୁମାର ଅତିକ୍ରାନ୍ତ କୌଣସି କାରଣ ରୁ ଅତି ବିଷର୍ଣ୍ଣ ବିଷାଦ ଓ ଭାରାକ୍ରାନ୍ତ ହୃଦୟ ନେଇ ହଠାତ ଏକାକୀ ନିସ୍ତବ୍ଦତା ଓ ନିର୍ଜନତା ର ଅନ୍ୱେଷଣ ରେ ଚାଲିଗଲେ ଦୂର ପ୍ରାନ୍ତ ର ଘନ ଅରଣ୍ୟ କୁ, ଶ୍ୟାମଳା ସବୁଜିମା ଭରା ବନରାଜି ଉଲ୍ଲାସିନୀ ନଦୀ ର କୂଳ କୁ ଛୁଇଁଥାଏ. ଉଡ଼ନ୍ତା ପକ୍ଷୀ ଙ୍କ ଫରଫର ଡେଣା ଶବ୍ଦ ହେଉ ଅବା ବୃକ୍ଷଡାଳେ ବିଶ୍ରାମରତ ପକ୍ଷୀ ଙ୍କ କିଚିରିମିଚିର ଶବ୍ଦ ତା ସହ ଛଳଛଳ କଳକଳ ବହିଯାଉଥିବା ନଦୀର ସ୍ରୋତ, ସତେ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ ର ରତ୍ନଭଣ୍ଡାର ସମ ପ୍ରତୀୟମାନ ହେଉଥାଏ.
କିନ୍ତୁ ମଥା ତଳକୁ କରି ଏକ ପ୍ରସ୍ତର ଉପରେ ଉପବିଷ୍ଟ ରାଜକୁମାର ଅତିକ୍ରାନ୍ତ ଙ୍କର ମନ କୁ ଏପରି ମନୋମୁଗ୍ଧକର ଶୋଭା ମଧ୍ୟ ହରି ପାରୁନଥାଏ. ଏହିପରି ସ୍ବର୍ଗୀୟ ପ୍ରକୃତି ର ଏପରି ଗୁଣବତ୍ତା ଅଛି ଯେ ମୁକ ମଧ୍ୟ କଥା କହିପାରେ ଅନ୍ଧ ମଧ୍ୟ ଦେଖିପାରେ, କିନ୍ତୁ ଆଜି ସବୁ ଯେପରି ହାର ମାନିଯାଉଛି ଅଥଳ ଜଳ ରେ ଉବୁଡୁବୁ ମନ ଆଗରେ, ବୁଢିଆଣୀ ଜାଲ ରେ ଛନ୍ଦି ହୋଇ ଛଟପଟ ହେଉଥିବା ପ୍ରାଣ ଆଗରେ.
ଠିକ ଏହି ସମୟରେ ସୁନ୍ଦର ସୁମଧୁର ସଙ୍ଗୀତ ର ମୂର୍ଚ୍ଛନା, ସତେ ଅବା ବୀଣାପାଣି ଙ୍କ ବୀଣା ର ଝଙ୍କାର ବ୍ରହ୍ମାଙ୍କ ବେଦଧ୍ୱନି ର ଓଁକାର ଚତୁର୍ଦିଗ ବାତାବରଣ ରେ ଲହରୀ ଖେଳାଇ ଭାସି ଆସୁଥାଏ.
ଶାନ୍ତ ସୁଶୀତଳ ଜଳ ଯେପରି ଗ୍ରୀଷ୍ମ ରେ ତୃଷାର୍ତ୍ତ ର ଆତୁର ପ୍ରାଣ କୁ ଜୀବନୀଶକ୍ତି ଦିଏ, ଠିକ ସେପରି ସାବଲୀଳ ଧ୍ୱନି ତନୁ ମନରେ ଖେଳାଇଦେଉଛି ଅଜଣା ଏକ ଶିହରଣ, ଏକ ଚମତ୍କାର ରୋମାଞ୍ଚ ଖେଳିଯାଉଛି ଶରୀରର କୋଷ କୋଷ ଦେଇ. ସତେ ଅବା ବଦ୍ଧ କୋଠରୀ ରେ ଅଣନିଶ୍ୱାସୀ ହୋଇପଡୁଥିବା ଜୀବ ଟେ ମୁକ୍ତି ର ପ୍ରଥମ ପାହାଚ ରେ ଛିଡା ହୋଇ ବାଳସୂର୍ଯ୍ୟ ର ପହିଲି କିରଣରେ ମୁଦିତ ଚକ୍ଷୁ କୁ ଉନ୍ମୁକ୍ତ କରି ମନୋରମ ଧରଣୀ କୁ ନିରୀକ୍ଷଣ କରୁଛି.
ଧିରେଧିରେ ଲାଗିଲା ଯେପରି ମନ ପ୍ରାଣ ର ସବୁ ଦୁଃଖ ସବୁ କୋହ ସବୁ ଯାତନା ସବୁ ବେଦନା ଅପସରି ଯାଉଛି. ଯେପରି କଳାହାଣ୍ଡିଆ ମେଘ ଗର୍ଜନ କରି ଆକାଶ ରୁ ଚାଲିଗଲେ, ଆକାଶ ସ୍ୱଚ୍ଛ ସ୍ଫଟିକ ପରି ଉଦ୍ଦିୟମାନ ହେଉଛି.
କିନ୍ତୁ ଏ ଚମତ୍କାର କଲା କିଏ!କିଏ ଦୁର୍ଗମ ବନପ୍ରଦେଶ ରେ ଏପରି ପ୍ରାଣସ୍ପନ୍ଦନକାରୀ ସଙ୍ଗୀତ ଦ୍ୱାରା ମୋର ସମସ୍ତ ଶୋକ ସନ୍ତାପ କୁ ହରି ନେଲା... ରାଜକୁମାର ଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କଲା.
ସମସ୍ତ ଆକୁଳତା ରୁ ମୁକୁଳିବା ପାଇଁ ସେ ଆବାହନ କରି କହିଲେ, "ହେ ମହାତ୍ମା!ଦୟାକରି ଗୋପନୀୟତା ଭଙ୍ଗ କରନ୍ତୁ,ଆପଣଙ୍କ ଦର୍ଶନଅଭିଳାଷୀ ମୁଁ".
ଏପରି ବା
ରମ୍ବାର ଆବାହନ କଲାପରେ ବି ଯେତେବେଳେ କିଛି ଉତ୍ତର ମିଳିଲାନି, ଅତିକ୍ରାନ୍ତ ଉତ୍କ୍ଷିପ୍ତ ହୋଇ କହିଲେ, "ଯଦି ମୋ ଭଳି ମୂଢ଼ କୁ ଆପଣ ଦର୍ଶନ ଦେବାକୁ ଚାହୁଁନାହାନ୍ତି, ତାହେଲେ ଏ ଜୀବନ କୁ ଏହି ନଦୀ ରେ ଉତ୍ସର୍ଗ କରିଦେବି".
ଏହା କହି ସେ ନଦୀ ଅଭିମୁଖେ ଅଗ୍ରସର ହେଲେ..
"ରହିଯାଅ ବତ୍ସ!...."କେହି ଜଣେ ପଶ୍ଚାତ ରୁ କହିଲେ.
ଅପରୂପ ସୌନ୍ଦର୍ଯ୍ୟମଣ୍ଡିତା କୋଟି ଲାବଣ୍ୟନିଧି ଯୁକ୍ତା ଲାସ୍ୟମୟୀ ନାରୀ, ନାରୀ ତ କୁହାଯାଇପାରିବନି ସ୍ୱୟଂ ଦେବୀ ପ୍ରତିମା.
ହେ ଦେବୀ! ଦୟାକରି ଆପଣଙ୍କ ପରିଚୟ ଦିଅନ୍ତୁ, ସ୍ୱୟଂ ଧନ୍ଵନ୍ତରୀ ସାଜି ଆପଣ ଯେଉଁ ବ୍ୟଥିତ ହୃଦୟର ଚିକିତ୍ସା କଲେ ସେଥିପାଇଁ ମୁଁ ଚିର କୃତଜ୍ଞ...ଅତିକ୍ରାନ୍ତ ଏହା କହିଲେ.
ପ୍ରିୟ ରାଜକୁମାର! ମୁଁ ନିଜେ ହିଁ ପ୍ରକୃତିଦେବୀ.ସସାଗରାଧରା ମୋର ହିଁ ରକ୍ଷଣା ର ଦାୟିତ୍ୱ ଦେଇଛନ୍ତି ଦେବବୃନ୍ଦ, ଏହାହିଁ ମୋର ପରିଚୟ.
କିନ୍ତୁ ମୁଁ ତୁମ ପାଇଁ କିଛି କରିନାହିଁ.
"ଯଦି ଆପଣ ନୁହନ୍ତି ତେବେ କିଏ ମୋ ଉଛୁର ବେଦନା ର ସଂହାରକ?" ଅତିକ୍ରାନ୍ତ ପ୍ରଶ୍ନ କଲେ.
ତୁମେ ନିଜେ... !!
ମୁଁ!!
ହଁ, ସୂର୍ଯ୍ୟ ଉଦିତ ହେବା କେତେ ସହଜ ଓ ସରଳ ସେହିପରି ଚନ୍ଦ୍ର ଉଦିତ ହେବା ମଧ୍ୟ ସହଜ ଓ ସରଳ କିନ୍ତୁ ତା ମଧ୍ୟରେ ଘଟିଯାଉଥିବା ବ୍ୟାପାରମାନ କ୍ରୁର ଓ ଜଟିଳ. ତେଣୁ ମଣିଷ ସେସବୁ କୁ ଜାବୁଡ଼ିଧରି ଦୁଃଖ ପାଏ. କିନ୍ତୁ ଯେବେ ସେ ନିଜକୁ ସେ ବନ୍ଧିତ ଶିକୁଳି ରୁ ମୁକ୍ତ କରେ, ସେ ନିଜକୁ ସ୍ୱୟଂପ୍ରକାଶ କରେ, ସେବେ ତା ଅନ୍ତର୍ଚେତନା ରେ ଆନନ୍ଦର ଅସୀମ ତରଙ୍ଗ ସୃଷ୍ଟି ହୁଏ. ଫଳସ୍ୱରୂପ ଏହା ରୂପାନ୍ତରିତ ହୁଏ ଉଲ୍ଲାସ ର ମୂର୍ଚ୍ଛନା ରେ.
ରାଜକୁମାର କେବଳ ଏହାକୁ ଶୁଣୁନଥିଲେ ଏହାର ସାରତତ୍ତ୍ୱ ରେ ଅନ୍ତର୍ନିହିତ ଗୁଢ ରହସ୍ୟ କୁ ମର୍ମେମର୍ମେ ଉପଲବ୍ଧି କରୁଥିଲେ.
ବୀରବର! ଯେତେବେଳ ମଣିଷ ଅଜଣାର ଅନ୍ୱେଷଣ କରେ ସେତେବେଳେ ନିକାଞ୍ଚନ ନୀରବ ନିସ୍ତବ୍ଦ ବାତାବରଣ ହିଁ ତାକୁ ସହାୟ ହୁଏ...
ଏହାହିଁ ଯଥାର୍ଥ ରେ ଆତ୍ମପ୍ରକାଶ ର ଏକ ସାଧନା.
ଏତକ କହି ପ୍ରକୃତି ଦେବୀ ଅନ୍ତର୍ଦ୍ଧାନ ହୋଇଗଲେ.
ରାଜପୁତ୍ର ଅତିକ୍ରାନ୍ତ ବୀର ହୋଇ ଅସ୍ତ୍ରଶସ୍ତ୍ରାଦି ରେ ନିପୁଣ ଥିଲେ ମଧ୍ୟ ଆଜିର ଯେଉଁ ଶିକ୍ଷା ଟି ପାଇଲେ ସେଥିରେ ନବଚେତନା ର ଆସ୍ପୃହା ନେଇ ପ୍ରଶାନ୍ତ ଚିତ୍ତ ରେ ଗୃହଗମନ କଲେ.