STORYMIRROR

Sucharita Sena

Drama

4  

Sucharita Sena

Drama

ଅହଂକାର ଅଥବା ସ୍ୱାଭିମାନ

ଅହଂକାର ଅଥବା ସ୍ୱାଭିମାନ

10 mins
404

ମୁଁ କୃତ୍ତିକା ମହାନ୍ତି | ମୋ ସହପାଠୀ ଓ ଅନ୍ତରଙ୍ଗ ବାନ୍ଧବୀ ଶ୍ରୀପାର୍ବତୀ | ତା ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ମୋ ଅନ୍ୟ ବାନ୍ଧବୀ ମାନଙ୍କ ସହ ମୁଁ ସେଦିନ ପହଂଚି ଥିଲି ଉକ୍ତ ଉତ୍ସବରେ | ଯେହେତୁ ଶ୍ରୀପାର୍ବତୀ ର ଦୁଇ ଭଉଣୀ ଓ ଭାଇ ଥିଲେ ସେମାଙ୍କ ବନ୍ଧୁ ଓ ବାନ୍ଧବୀ ମାନେ ବି ଯୋଗ ଦେଇଥିଲେ ଉକ୍ତ ଭୋଜିରେ | ଅନେକ ପରିଚିତ ଓ ଅପରିଚିତ ମୁଖ ମାନଙ୍କୁ ଦେଖିବାକୁ ମିଳିଥିଲା | ଅନେକ ସମୟ ପରେ ମୋ ଆଖି ଯାଇ ପଡିଥିଲା ଗୋଟେ ଅଚିନ୍ହା ମୁଖମଣ୍ଡଳରେ | ଯିଏକି ବିନା ଆଖି ପଲକରେ ଚାହିଁ ରହିଥିଲେ ମୋ ଆଡ଼େ | ପ୍ରଥମେ ମନକୁ କିଛି ଆସି ନଥିଲା | କିନ୍ତୁ ମୋ ନଜର ଯେତେ ଥର ସେ ପିଲା ପଟକୁ ଗଲା ସେ ମତେହିଁ ଚାହିଁ ରହିଥିଲେ | ନିଜକୁ ଅସହଜ ମନେ କଲାଭଳି ଲାଗୁଥିଲା | ମୁଁ ଧୀରେ କି ଶ୍ରପର୍ବତୀ କୁ ପଚାରିଲି ସେ ପିଲାଟି କିଏ ? ଦେଖେତ କିପରି ଚାହୁଁଛି |

ସେ ହସିକି କହିଥିଲା " କଣ କିରେ କେତେବେଳେ ସେ ତୋ କଥା ପଚାରୁଛି ତ, କେତେବେଳେ ତୁ ତା କଥା ଆସି ପଚାରୁଛୁ କଣ ମନ ଲାଖିଗଲା ନା କଣ? | ସେ ହେଉଛି 'ଦେବ୍ ' ଓରଫ ଦେବେନ୍ଦ୍ର ଦାସ | ଭାଇର ସହପାଠୀ | ଭଲ ପିଲାଟେ | କହିବୁ ଯଦି ଆଗକୁ କଥା ବଢେଇବା | "

କହି ହୋ ହୋ ହୋଇ ହସି ଦେଇଥିଲା |

ମୁଁ ତା କଥାରେ ରାଗିନଥିଲି କି ଚିଡି ନଥିଲି | ବରଂ ଅଜଣା ଖୁସିରେ ତା ହସ ସହ ଯୋଗ ଦେଇଥିଲି |

ତାପର ଠାରୁ ମୁଁ ଦେବ୍ ଙ୍କୁ ମୋ ଚତୃରପାର୍ଶ୍ଵି ରେ କେଉଁଠି ନା କେଉଁଠି ଦେଖିବାକୁ ପାଇଥିଲି | ସେପରି ବିନା ପଲକ ପକା ଆଖି ମତେ ଘୁରି ଘୁରି ଦେଖୁଥିଲା | ଧୀରେ ଧୀରେ ଦେବ୍ ଙ୍କୁ ନଦେଖିଲେ ମୋ ଆଖିବି ଖୋଜି ବୁଲେ ସେ ପରିଚିତ ମୁଖଟିକୁ ଟିକେ ଦେଖିବା ପାଇଁ |

ସେଦିନ ଶ୍ରୀପାର୍ବତୀ ଧରେଇ ଦେଇଥିଲା ମୋ ହାତରେ ଗୋଟେ ଚିଠି, ଯାହା ଭିତରେ ଦେବ୍ ଲେଖି ଦେଇଥିଲେ ନିଜ ମନର ଅକୁହା କଥା ସବୁ | ମୁଁବି ନିଜକୁ ସମ୍ଭାଳି ପାରିନଥିଲି, ଏତେ ଭଲ ପାଇବା ସେ ଚିଠିରେ ଥିଲା,ନିଜକୁ ହଜାଇ ଦେବାକୁ ବ୍ୟଗ୍ର ଥିଲି | ତାପରେ ଦୁହେଁ ପ୍ରେମିକା / ପ୍ରେମିକ ଭାବରେ ଘୁରି ବୁଲିଥିଲୁ ପାହାଡ଼, ପର୍ବତ, ଝରଣା | ନିଜକୁ ହଜାଇ ଦେଇଥିଲୁ ଆପଣା ଭିତରେ | ସତ ବର୍ଷ କିପରି କଟିଗଲା ଜଣା ନାହିଁ |

ମୋ ବିବାହ ପ୍ରସ୍ତାବ ଆସିବାକୁ ଲାଗିଲା | ସେଦିନ ଦେବ୍ ଙ୍କ ଆଖିର ଲୁହରେ ମୁଁ ଭିଜିଗଲା ଭଳି ଅନୁଭବ କରିଥିଲି | ଯେହେତୁ ଆମର ଜାତି ଅଲଗା ଥିଲା, ବିବାହ ପାଇଁ ସମସ୍ୟା ଉପୁଜାଇ ଥିଲା | ଅନେକ ଗାଳି ଓ କଥା ସହିବାକୁ ପଡିଥିଲା ଘର ଲୋକଙ୍କ ଠାରୁ | ତଥାପି ମୁଁ ଅଟଳ ଥିଲି | ବିପରୀତ ପାର୍ଶ୍ଵର ଅବସ୍ଥା ବି ଠିକି ସେମିତି ଥିଲା | ଦେବ୍ ଙ୍କୁ ବହୁତ ସାରା ପାମ୍ପଡ ବେଲିବାକୁ ପଡିଥିଲା ଆମ ବିବାହକୁ ନେଇ | ଘାତ ପ୍ରତିଘାତ ଭିତରେ ନିଜ ଲୋକ ମାନଙ୍କୁ ମନାଇବାରେ ସଫଳ ହୋଇଥିଲୁ | ମୁଁ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବରେ ଯୋଗ ଦେଇଥିଲି | କିନ୍ତୁ ଦେବ୍ ଙ୍କୁ ମନ ପସନ୍ଦର ଚାକିରୀ ମିଳୁ ନଥିଲା | ଯେହେତୁ ମୁଁ ଆତ୍ମନିର୍ଭରଶୀଳ ଥିଲି, ଓ ନଜ ବାକ୍ୟରେ ଅଟଳ ଥିଲି ଧୀରେ ଧୀରେ ଘର ଲୋକ ମୋର ଓ ଦେବ୍ ଙ୍କ ସମ୍ପର୍କକୁ ସ୍ୱୀକୃତି ପ୍ରଦାନ କରିଥିଲେ |

ଦେବ୍ ଥିଲେ ପିତୃହୀନ ପୁତ୍ର | ଯେହେତୁ ଏତେ ଛୋଟ ବେଳୁ ବାପାଙ୍କ ହାତ ମୁଣ୍ଡ ଉପରୁ ଉଠିଯାଇଥିଲା, ତେଣୁ ସେ ପରିବାରର ଭାର ଉଠାଇବା ପାଇଁ ଉପଯୁକ୍ତ ନଥିଲେ | ବଡ ଏକାମାତ୍ର ଭଉଣୀ ର ବିବାହ ବହୁତ ଜଲ୍ଦି ସମାପନ ହୋଇ ସାରିଥିଲା | ଭଉଣୀ ଙ୍କ ସହ ଭିଣୋଇ ଭାଇ ମଧ୍ୟ୍ୟ ଦେବ୍ ଙ୍କ ଘରେ ରହି ଘରର ସମସ୍ତ ଦାୟିତ୍ୱ ତୁଲାଉଥିଲେ |

ସମୟ କ୍ରମେ ଆମ ଘରଲୋକ ଦେବ୍ ଙ୍କୁ ଗ୍ରହଣ କରିବା ସହିତ | ବିବାହ ଦେବାକୁ ତାରିଖ ମଧ୍ୟ୍ୟ ଠିକି ହୋଇଗଲା | ସବୁ ଝିଅଙ୍କ ପରି ମୋ ଆଗତ ଭବିଷ୍ୟତ ଓ ଦେବ୍ ଙ୍କୁ ନେଇଁ ମୋ ସ୍ୱପ୍ନ ର ଫୁଲ ଚଂଗୁଡିଟି ବିଭିନ୍ନ ରଙ୍ଗରେ ଭରିଗଲା | ମନର ମଣିଷକୁ ଜୀବନ ସାଥି ଭାବେ ପାଇବାର ଖୁସି ମତେ ଅଧୀର କରୁଥିଲା | ନିଜକୁ ରାଜକୁମାରୀ ପରି ସଜାଇ ଚାହିଁ ରହିଥିଲି ମୋ ହୃଦୟର ରାଜକୁମାରଙ୍କୁ | ସେ ସାହାନାଇ ସ୍ୱର ର ମଧୁର ବାଦ୍ୟ ମତେ ପୁଲକିତ କରୁଥିଲା | ଦେବ୍ ଭରି ଦେଇଥିଲେ ରକ୍ତ ବର୍ଣ୍ଣର ସିନ୍ଦୁର ମୋ ମଥାରେ, ଧୀରେ ମୋ ଆଖି ବନ୍ଦ ହୋଇଯାଇଥିଲା ସେଇ ମୁହୂର୍ତ୍ତରେ | ଆଖିରୁ ଦୁଇଟିପା ଲୁହ ବୋହି ଆସିଲା | ବାପାଙ୍କ ଘରଛାଡି ଯିବାର ଦୁଃଖ, ଅଥବା ଦେବ୍ ଙ୍କ ଅର୍ଦ୍ଧାଙ୍ଗିନୀ ହେବାର ସୁଖରେ ସେ ଦୁଇଟୋପା ଲୁହ ଆସିଥିଲା ଜଣା ନାହିଁ |

ବାପା, ମା, ଭାଇ, ଭଉଣୀ ବନ୍ଧୁ ପରିଜନଙ୍କୁ ଛାଡି ଶାଶୁଘରକୁ ମୁହାଁ ହେବା ଅତ୍ୟନ୍ତ ହୃଦୟ ବିଦାରକ ଥିଲା | ପରିଚିତ ମୁହଁ ସବୁ ଧୀରେ ଧୀରେ ଦୂରେଇ ଯାଉଥିଲେ ଓ ଅପରିଚିତ ମୁହଁ ଗୁଡିକ ନିକଟବର୍ତ୍ତୀ ହେଉଥିଲେ | ମୁଁ ଖୁସି ଥିଲି ଦେବ୍ ଙ୍କୁ ପାଇ | ମୋ ମା' ବଦଳରେ ପୁନଃ ମତେ ମା' ମିଳିଯାଇଥିଲେ | ଦେବ୍ ର ବଡ ଭଉଣୀ ଖୁବ୍ ଜଲ୍ଦି ମୋ ବାନ୍ଧବୀ ବନିଯାଇଥିଲେ | ମୋ ଭାବନା ଠାରୁ ବାସ୍ତବତା ଆହୁରି ସୁନ୍ଦର ଥିଲା | ନିଜ ପରିଜନ ଅଥବା ବାନ୍ଧବୀ ମାନଙ୍କୁ ନିଜ ଶାଶୁଘର କଥା କହି ଗର୍ବ ଅନୁଭବ କରେ |

ବିବାହର ଛଅ ମାସପରେ ଟୂରେ ଯାଇଥିବା ନଣଦେଇ ଘରକୁ ପ୍ରତ୍ୟାବର୍ତନ କଲେ | ସେ ପ୍ରଥମରୁ ହିଁ ମୋ ବିବାହ ପାଇଁ ନାରାଜ ଥିଲେ | ତେଣୁ ମତେ ସେ ଆନ୍ତରିକ ଭାବରେ ଭଲ ପାଇଁ ପାରିଲେନି | ମୋର ଛୋଟ ବଡ ଭୁଲୁକୁ ଧରିବାକୁ ଲାଗିଲେ, ନଣନ୍ଦ ବି ନିଜ ସ୍ୱାମୀଙ୍କ କଥାରେ ପରିଚାଳିତ ହେବାରେ ଲାଗିଲେ | ମତେ ଧୀରେ ଧୀରେ ଅନୁଭବ ହେବାକୁ ଲାଗିଲା ଏସବୁ, କିନ୍ତୁ ମୋ ସ୍ୱାମୀ ଓ ଶାଶୁ ମୋ ପାଖରେ ଅଛନ୍ତି ଭାବି ସବୁ ଭୁଲିଗଲି |

ମୋ ସ୍କୁଲ ଓ ଘରକୁ ସମୟ ଦେବାରେ ମୁଁ ଯେପରି ପେଷି ହୋଇ ଯାଉଥାଏ | ଯେଉଁ ଶାଶୁ ମୋ ସପକ୍ଷରେ କହୁଥିଲେ ସେ ଏବେ ମୋ ଉପରେ ଆଙ୍ଗୁଳି ନିର୍ଦ୍ଧେଶ କରିବା ଆରମ୍ଭ କରିଦେଲେ | ମତେ କଷ୍ଟ ଅନୁଭବ ହେଲା | ସେଦିନ ରାତିରେ ଦେବ୍ ଶୋଇଥାନ୍ତି |ଘରର କାମ ସମାପ୍ତ କରି ଶୋଇବାକୁ ଯିବା ମୋର ବିଳମ୍ବ | ମନ ତଳର ଅକୁହା କଥା ଗୁଡା ପାହାଡ଼ ଭଳି ଠିଆ ହୋଇ ରହିଛି | ମନର କଥା କହିଦେଲେ ମନ କୁଆଡେ ହାଲକା ହୋଇଯାଏ | ଏମିତି ଭାବୁ ଭାବୁ ଆଖିରୁ ଦୁଇ ଧାର ଲୁହ ବୋହି ଗଲା | ଦେବ୍ ପାଖକୁ ଲାଗି ଯାଇ ପଛପଟୁ କୁଣ୍ଢେଇ ଧରିଲି, ଅମାନିଆ ଲୁହ ଗୁଡା ବୋହି ଯାଉଥାଏ | ଦେବ୍ ମତେ ଛାତି ଉପରକୁ ନେଲେ, କଣ କିଛି ଅସୁବିଧା ହୋଇଛି ବୋଲି ପଚାରି ବସିଲେ | ମୋ ଭିତରେ ଥିବା କଷ୍ଟ ସବୁ ଲୁହ ଓ କୋହ ହୋଇ ବାହାରୁ ଥାଏ | କିଛି ସମୟ ପରେ ମୁଁ ବୋଧ ହେଲି | ଦେବ୍ ଙ୍କ ଭଉଣୀ, ମା ଓ ଭିଣୋଇଙ୍କ କଥା କହିବାକୁ ଆରମ୍ଭ କରିଛି ଦେବ୍ ମତେ ପ୍ରତିରୋଧ କଲେ | ସିଧା ଶୁଣେଇ ଦେଲେ

" ତୁମେ ଘରର ବୋହୁ, ଘରର ଦାୟିତ୍ୱ ତୁମର | ସେମାନେ ମୋ ନିଜ ଲୋକ | ସେମାଙ୍କ ବିରୁଦ୍ଧରେ ଆଉ ଥରେ ମତେ କହିବା ଠିକି ହେବନି | ତୁମେ ଯଦି ମ୍ୟାନେଜ କରି ପାରୁନା ତାହେଲେ ଚାକିରୀ ଛାଡିଦିଅ | ମୁଁ ଥିବା ଯାଏ ତୁମର କୌଣସି କଥାରେ ଅବହେଳା ହେବନି " |

ସେଦିନ ମୋ ପାଖରେ କିଛି ବାକ୍ୟ ନଥିଲା ଦେବ୍ ଙ୍କୁ କହିବାକୁ | ଥରଟେ ହେଲେ ସମସ୍ତ କଥା ଶୁଣିଥାନ୍ତେ | କିଛି ନଶୁଣି ଏପରି ସଫା ସଫା କହି ଦେବାର ଅର୍ଥବା କଣ ? | କିଛି ସମୟ ପାଇଁ ମୋ ଭିତରର କୋହଟା ରାଗରେ ପରିଣତ ହୋଇଗଲା | ଇଚ୍ଛା ହେଉଥିଲା ଅନେକ କିଛି କହିଦେବାକୁ | ନିଜ ଘର ଅଥବା ନିଜ ଲୋକ ହୋଇଥିଲେ ଖୁବ୍ ବର୍ଷି ଥାନ୍ତି | କିନ୍ତୁ କାହିଁକି କେଜାଣି ଭଲ କି ଖରାପ ପଦଟିଏବି ପାଟିରୁ ବାହାରିଲାନି | ବୋଉ କଥା ଭରି ମନେ ପଡିଲା | ବାପାଙ୍କ ପାଟିରୁ ବାହାରୁ ଥିବା ସେଇ ପଦେ କଥା କାନରେ ବାଜିବା ଭଳି ଲାଗୁଥାଏ "ମୋ ଝିଅ ଭରି ସ୍ୱଭିମାନୀ" ସେ ଅନ୍ୟାୟ କେବେ ପ୍ରଶୟ ଦିଏନି " | ଖଟର ଗୋଟେ କଣ ରେ ଏମିତି ଭାବୁ ଭାବୁ ନିଦ ହୋଇଯାଇଛି |

ଦେବ୍ ଙ୍କର ସେଇ ପଦେ କଥା ମତେ ବ୍ୟଥିତ କରୁଥାଏ | "ଯଦି ମ୍ୟାନେଜ କରି ପାରୁନା ତାହେଲେ ଚାକିରୀ ଛାଡିଦିଅ " | ଗୋଟେ ଝିଅ କେବଳ ତ୍ୟାଗ କରିବ? ସମାଜର ଏ କି ରୀତି | ନିଜ ପରିଜନ ମାନଙ୍କୁ ଛାଡି, ସମ୍ପୂର୍ଣ୍ଣ ଅଜ୍ଞ ଥିବା ଯାଗାରେ ପରଲୋକ ମାନଙ୍କୁ ନିଜର କରିବା କେବେଳ ଗୋଟେ ଝିଅ ପାଇଁ |

ପ୍ରଶ୍ନର ଅଡୁଆ ସୂତାରେ ନିଜକୁ ବାନ୍ଧି ସାରିଥିଲା କୃତ୍ତିକା | ତାକୁ ସବୁ ଯେପରି ମିଛ ଲାଗୁଥିଲା | ଦେବ୍ ର ଭଲ ପାଇବା ନାଟକ ପରି ଅନୁଭବ ହେବାରେ ଲାଗିଲା | ୭ /୮ ମାସେ ଭିତରେ ସେ କେବେଳ ଏ ଘର ଲୋକଙ୍କ ମନକୁ ନେଇ ଚାଲିବାକୁ ଲାଗିଛି | କିନ୍ତୁ ତା ମନକୁ ବୁଝିବାକୁ କେହି ନାହାଁନ୍ତି | ସେ ସମସ୍ତଙ୍କ ଖୁସିକୁ ପ୍ରାଧାନ୍ୟ ଦେଇଛି କିନ୍ତୁ ତା ମନକୁ ବୁଝିବାକୁ କେହି ଜଣେ ହେଲେ ନାହାଁନ୍ତି | ଚାକିରୀଟେ କରିବା ମୋର ସ୍ୱପ୍ନ ଥିଲା, ମୋ ବାପା ଭାଇ କେତେ ଖୁସିଥିଲେ ମୋ ଆତ୍ମନିର୍ଭରଶୀଳ ହେବା ଦେଖି | ନା ସେ ଯାହାବି ହୋଇଯାଉ ଚାକିରୀ ଛାଡି ପାରିବି ନାହିଁ |

"ଯେଉଁଠି ଅଧିକ ବାସନ ଥାଏ ସେଠାରେ ଅଧିକ ଶବ୍ଦ ଥାଏ | " ମୋ ବୋଉର ଏ ପଦେ କଥା ସବୁ ସମୟରେ ମନେ ପଡେ | ଶାଶୁଘରେ ଏ ଛୋଟ ମୋଟ କଥାକୁ ଧରି ଚଳି ହେବନି ବୋଲି ବୋଉ ବହୁତ ଥର ବୁଝାଇଛି | ମୁଁ ବୁଝିବି ଯାଇଛି |

ବିବାହକୁ ଦୁଇ ବର୍ଷ ପୁରିଗଲାଣି | ଏ ପର୍ଯନ୍ତ ମୋ କୋଳ ଖାଲି ବୋଲି ଶାଶୁ ୟା ତା କଥା ଶୁଣେଇ ଶୁଣେଇ କହିବା ଆରମ୍ଭ କଲେଣି | ମୁଁ ହସିଦିଏ, ନସୁଣିଲା ପରି ଚାଲିଯାଏ. ସବୁ ଥର ପରି | ପିଲାଟି ପାଇଁ ଆମେ ଦମ୍ପତି ଏତେ ଜଲ୍ଦି ରାଜି ନଥିଲୁ | ଦେବ୍ ଚାହୁଁଥିଲେ ସମୟ | ନିଜେ କିଛି କରିବା ପରେ ପିଲାଟି ଆସିଲେ ଖୁସିରେ ରହିବ | ମୁଁ ବି ତାଙ୍କ ଇଛାକୁ ସ୍ୱଗାତ ଜଣାଇ ଥିଲି |

ସବୁଦିନ ବିଦ୍ୟାଳୟ ଯିବା ବାଟରେ ସେ ବୁଢ଼ୀ ଲୋକଟିକୁ ଭେଟେ | ପାଖରେ ଗୋଟେ ୬ - ୭ ମାସର ଛୋଟ ଝିଅକୁ ଶୋଇଦେଇ ଭିକ ମାଗେ | ମୁଁ ଗାଡି ଅଟକେଇ ସବୁଦିନ କିଛି ପଇଶା ଦେଇ ଆସେ | ବିଗତ ତିନିମାସ ହେବ ମୁଁ ତାଙ୍କୁ ଭେଟୁ ଥିଲି | କିଛି ଦିନ ହେବ ସେମାନଙ୍କର ଦେଖା ନଥିଲା | କିନ୍ତୁ ସେଦିନ ରାସ୍ତା କଡରେ ସେ ପିଲାଟି ଏକା ବସି କାନ୍ଦୁଥାଏ | ଏତେ ଦିନ ପରେ ସେମାନଙ୍କୁ ଦେଖି ମୋ ଗାଡି ଅଟକି ଗଲା | ପାଖକୁ ଯାଇ ଦେଖେତ ବୁଢ଼ୀ ଲୋକଟି ତଳମୁହାଁ ହୋଇ ପଡିଛି | କିଛି ବୁଝି ପାରିଲିନି | ପିଲାଟିକୁ ଏପରି ଛାଡି ଏତେ ନିଶ୍ଚିତ ଭାବରେ କିଏ କିମିତି ଶୋଇପରିବ | ତିନି / ଚାରିଥର ଡାକିବା ପରେ ସେ ବୁଢ଼ୀ ଲୋକର କିଛି ଜବାବ ନଥିଲା | ମୁଁ ବ୍ୟସ୍ତ ହୋଇଉଠିଲି | ତଳ ମୁହାଁ ହୋଇ ପଡ଼ିଥିବା ସେ ବୁଢ଼ୀ ଲୋକକୁ ଓଲଟାଇବାକୁ ଚେଷ୍ଟା କଲି | ହଟାତ ସେ ମୋ ହାତକୁ ମାଡି ବସିଲା | ମୋ ହୃଦୟ ସ୍ପନ୍ଦନ ତୀବ୍ର ହୋଇଗଲା | ସେ ବୁଢ଼ୀ ମହିଳା ଖନେଇ ଖନେଇ ଏତିକି କହିଲା "ଏ ମା, ବାପା ଛେଉଣ୍ଡ ପିଲାଟା ତତେ ଲାଗିଲା ମା " | ଏତିକି କହି ସବୁଦିନ ଲାଗି ସେ ଆଖି ବୁଜିଦେଲା | ମୁଁ ନିର୍ବାକ ଥିଲି | ପୋଲିସ ଷ୍ଟେସନ ଫୋନ କଲି | ବୁଢ଼ୀର ଶବକୁ ବ୍ୟବଚ୍ଛେଦ ପାଇଁ ପଠା ଗଲା |

ମୁଁ ସେ ଛୋଟ ଝିଅ ଆଡକୁ ବାହୁ ମେଲେଇ ଡାକିଲି ଆ ଆ ନିରୀହ, ନିଷ୍ପାପ, କୋମଲ ଶିଶୁଟି ଧୀରେକି ମୋ କୋଳକୁ ଚାଲି ଆସିଲା | ମୋ ଭିତରେ ସୁପ୍ତ ଅବସ୍ଥାରେ ଥିବା ସେ ମାତୃ ଭାବଟା ଜାଗ୍ରତ ହୋଇଗଲା | କୁଣ୍ଢେଇ ଧରିଲୁ ପରସ୍ପରକୁ | ପିଲାଟିର ବିଶ୍ୱାସ ଓ ଆପଣା ପଣ ସତେକି ମତେ କବଳିତ କରିଦେଲା |

ଯେହେତୁ ପିଲାଟି ପାଇଁ ଅନାଥ ଆଶ୍ରମ ଠିକି କରିବାକୁ ସମୟ ଲାଗିବ, ସେଥିପାଇଁ ସେ ମୋ ପାଖରେ କିଛି ଦିନ ରହିବାକୁ ଠିକି ହେଲା | ମୋ ଖୁସିର ଠିକଣା ନଥିଲା | କିନ୍ତୁ ଦେବ୍ ଙ୍କ ଘର ଲୋକ ସେ ପିଲାଟିକୁ ଦେଖିବା ପରେ ଖୁସି ହେବା ତ ଦୂରର କଥା କିମିତି ସେ ପିଲାଟି ବିଦା ହେବ ସେଇ ଦିନକୁ ଚାହିଁ ରହିଲେ | ଦେବ୍ ନିରପେକ୍ଷ ଥିଲେ, ନା ତାଙ୍କ ମା ଙ୍କ କଥାରେ କିଛି କହିଥିଲେ ନା ମୋ କଥାରେ |

ପିଲାଟିର ନାଆଁ ରଖିଲି ଟ୍ୱଙ୍କିଲ | ଏଇ ଆଠ ଦିନ ଭିତରେ ସେ ମୋ ହୃଦୟରେ ଏମିତି ଯାଗା ତୋଳି ସାରିଛି ଯାହାକୁ ଭାଙ୍ଗିବା ମୋ ପାଇଁ କଷ୍ଟ ସାଧ୍ୟ | ଅନେକ ଭାବିବା ପରେ ପିଲାଟିକୁ ମୋ ପାଖରେ ରଖିବାକୁ ନିଷ୍ପତି ନେଲି |

ମୋର ଏ ଗୋଟେ ନିଷ୍ପତି ଯେ ମୋ ଜୀବନର ରାସ୍ତା ବଦଳେଇ ନେବ, କେବେ ଭାବି ନଥିଲି |

ନଣନ୍ଦ ଓ ଶାଶୁ ମୋ ନିଷ୍ପତି ଶୁଣି ଗର୍ଜି ଉଠିଲେ |

" ସେ ଛୁଆ କି ରକ୍ତ ନାହିଁ କି ରକ୍ତର, ତାକୁ ଦଣ୍ଡରୁ ଉଠେଇ ଆଣି ଘରେ ରଖିବୁ | ଯଦି ନିଜେ ଗୋଟେ ସନ୍ତାନ ଦେଇ ନପାରିବୁ କହିଦେ | ଏ ସବୁ ନାଟକ କରିବା କି ଦରକାର | ତାକୁ ଯୋଉ ରାସ୍ତା କଡ଼ରୁ ଅଣିଥିଲୁ ସେଠି ନେଇଁ ଛାଡ଼ିଦେ | ତାକୁ ଯିଏ ଖାଇଲେ ଖାଉ |

ମୁଁ ଛାତିରେ ପଥର ନଦିଲା ଭଳି ଚୁପ ଥିଲି | କିନ୍ତୁ ଏ ଶେଷ ପଦେ କଥା ମୋ ଭିତରେ ନିଆଁ ଜାଳିଦେଲା | ଲାଗିଲା ପିଲାକୁ ଏମିତି କହିବାର ଅଧିକାର କାହାର ନାହିଁ | ମୁଁ କିଛି ନକହିବାକୁ ଚାହିଁ ମଧ୍ୟ୍ୟ ମୋ ପାଟିରୁ ଅନେକ କିଛି ବାହାରି ଗଲା | କିପରି ସେମାନେ ଗୋଟେ ନାରୀ ସହିତ ମା ହୋଇ ମଧ୍ୟ୍ୟ ଏପରି କହି ପାରୁଛନ୍ତି | ଝଗଡା ବଢିଗଲା | ଅଦୂରରେ ଥିବା ଦେବ୍ ଙ୍କୁ ସବୁ କିଛି ଶୁଭୁଥିଲା | ସେ ରାଗରେ ଆସି ମୋ ଗାଲରେ ଏକ ଶକ୍ତ ଚାପୁଡ଼ ମାରିଲେ | ଓ ଉଚ୍ଚ ସ୍ୱରରେ କହିଲେ" ଏ ପିଲାକୁ ଘରେ ରଖିବା ଦରକାର ନାହିଁ " |

ସବୁ ସହି ଯାଇଥିବା ଏ ହୃଦୟ ଓ ମନଟା ସେଦିନ କିନ୍ତୁ ପ୍ରତିବାଦ କଲେ, ମୋ ସ୍ୱଭିମାନ ବାଧା ଦେଲା | ବିନା ଦୋଷରେ କଣ ପାଇଁ ଏତେ ବଡ ଶାସ୍ତି | ଦେବ୍ କଣ ମତେ ଜାଣି ନାହାଁନ୍ତି ମୁଁ କଣ | ଗୋଟେ ନିରୀହ ଶିଶୁକୁ ଆପଣେଇବାକୁ ଏତେ କଷ୍ଟ | ଯେଉଁ ମାନଙ୍କ ପାଖରେ ହୃଦୟ ନାହିଁ ସେମାନେ କି ମଣିଷରେ ଗଢ଼ା | କୋଳରେ ଥିବା ମୋ ଝିଅ ଟ୍ୱଙ୍କିଲ ମୁହଁକୁ ଥରେ ଚାହିଁଲି | କି ଶାନ୍ତି ଥିଲା ସେ ନିଷ୍ପାପ ଶିଶୁର ହସରେ | ତାକୁ ଧରି ମୁଁ ମୋ ଶାଶୁଘର ଛାଡି ଚାଲି ଆସିଲି ବାବାଙ୍କ ଘରକୁ |

ବାପା, ମା, ଭାଇ ଓ ଭାଉଜ ସମସ୍ତେ ବୁଝାଇ ଚାଲିଥାନ୍ତି | ମୁଁ ଭୁଲୁ କରୁଛି | କିନ୍ତୁ ଥରେ କେହି ଦେବ୍ ଙ୍କ ଦୋଷ ଦେବାକୁ ନାରାଜ | ଯେଉଁ ପିଲାଙ୍କୁ ବିବାହ କରିବାକୁ ଏ ଦୁନିଆ ସହ ଲଢ଼ି ଗଲି ସେ ଆଜି ଏକା କରିଦେଲେ | ସାତ ଜନ୍ମତ ବହୁତ ଏ ଜନ୍ମରେ ଥରେ ମୋ କାନ୍ଧକୁ କନ୍ଧ ଦେଇ ଠିଆ ହୋଇ ପାରିଲେନି | ଦେବ୍ ଙ୍କ ପ୍ରତି ଥିବା ମୋ ଅସୀମ ଭଲ ପାଇବା ବିଷ ସଦୃଶ୍ୟ ହେବାରେ ଲାଗିଥାଏ | ତଥାପି ହୃଦୟର କୌଣସି ଖାଲି ଯାଗାରୁ ଶବ୍ଦ ଆସୁଥାଏ " ଦେବ୍ ଆସିବେ, ମତେ ଓ ମୋ ଝିଅକୁ ଫେରେଇ ନେବେ ନିଜ ପାଖକୁ | " |

କିଛିଦିନ ପରେ ଦେବ୍ ଙ୍କ ପାଖରୁ ଡିଭୋର୍ସ ପେପର ପାଇଲି | ମୋ ଗୋଡ ତଳୁ ମାଟି ଖସିଗଲା ଭଳି ଅନୁଭବ ହେଉଥାଏ | ବିଲେଇ କି କୁକୁର ଟେ ରଖିଲେ ମଣିଷ ତାକୁ ଝୁରେ ହେଲେ ଦେବ୍ ଙ୍କ ସହ ଜନ୍ମ-ଜନ୍ମାନ୍ତର ସମ୍ପର୍କ କୁ କିପରି ଭୁଲିଗଲେ | ମୋ ଭିତରର ରାଗ ବି ଦେବ୍ ଙ୍କ ଠାରୁ ଅଲଗା ହେବାକୁ ଚାହିଁଲା | କୋଟର ନିର୍ଦେଶ କ୍ରମେ ଆମକୁ ଛଅ ମାସଏକାଠି ରହିଵାକୁ ହେବ |

ମୁଁ, ଦେବ୍ ଓ ଟ୍ୱିଙ୍କିଲି ଏକାଠି ରହିବାକୁ ଲାଗିଲୁ | ଦେବ୍ ସେଦିନ ପାଖକୁ ଆସିଲେ | ମୋ ହାତକୁ ନେଇଁ ହାତରେ ରଖିଲେ | କିଛି କ୍ଷଣ ନିରବତରେ ବିତିଗଲା | ଗୋଟେ ଦୀର୍ଘ ନିଃଶ୍ବସ ନେବା ପରେ ଆରମ୍ଭ କଲେ " କୃତ୍ତିକା, ମୁଁ ମୋ ପିଲାଦିନୁ ବାପା ଙ୍କୁ ହରାଇଛି, ମୋ ମା ଓ ଭଉଣୀ ଙ୍କ ମନରେ ଦୁଃଖ ଦେବାକୁ ଚାହେଁନି |ମୁଁ ଜାଣିଛି ତୁମେ କେବେ ଭୁଲୁ କରନି କି କୁହନି | ସେଦିନ ମୁଁ ତୁମ ଉପରେ ହାତ ଉଠାଇ ବହୁତ ବଡ ଭୁଲୁ କରିଛି | ମତେ କ୍ଷମା କର | ଟ୍ୱିଙ୍କିଲି ଓ ତୁମକୁ ଛାଡି ମୁଁ ବଞ୍ଚି ପାରିବିନି | ଫେରିଆସ ମୋ ପାଖକୁ |

ଗୋଟେ ପୁରୁଷ ପୁଅ ବି ଏମିତି କାନ୍ଦି ପାରନ୍ତି ମୁଁ ପ୍ରଥମ ଦେଖିଥିଲି | ମୋ ଭିତରର ରାଗ, ରୁଷା,ଅହଂକାର ସବୁ ମହମ ଭଳି ତରଳି ତରଳି ଯାଉଥିଲା | ପରସ୍ପରକୁ ଜଡେଇ ଧରିଥିଲୁ | ପୁନଃ ଭାଙ୍ଗି ଯାଇଥିବା ଘର ଯୋଡି ହେଲା ଭଳି ବୋଧ ହେଉଥିଲା | ଅଦୂରରେ ଟ୍ୱିଙ୍କିଲି ର ଅସ୍ପଷ୍ଟ ସ୍ୱରରେ ବା ବା ବା ବା ର ଧ୍ୱନି କାନରେ ବାଜୁଥିଲା | ଦେବ୍ ଧୀରେକି ମୋ କାନ ପାଖରେ କହିଲେ " ଦେଖିଲ ଝିଅ ପ୍ରଥମେ ବାବା ବୋଲି ଡାକିଲା " | ମୋ ଭିତରେ ଆତ୍ମଶାନ୍ତିର ନିଃଶ୍ବସ ଥିଲା | ଦେବ୍ ଥିବା ମୋ ବାହୁ ବନ୍ଧନ ଆହୁରି ଜୋରେ କଷି ହୋଇ ଯାଉଥିଲା |


Rate this content
Log in

Similar oriya story from Drama