STORYMIRROR

Hemant Kumar Gantayat

Drama

4  

Hemant Kumar Gantayat

Drama

ଅଧେ ଆପଣା ଅଧେ ପର

ଅଧେ ଆପଣା ଅଧେ ପର

3 mins
270


   ସାହିତ୍ୟ ହେଉଛି ସମାଜର ଦର୍ପଣ । ଏହି ସାହିତ୍ୟକୁ ବିଶେଷତଃ ଦୁଇଗୋଟି ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି ଯଥା: - ପ୍ରଥମଟି ହେଉଛି ଶୁଦ୍ଧ ସାହିତ୍ୟ ଏଵଂ ଅପରଟି ହେଲା ଲୋକ ସାହିତ୍ୟ । କବିତା, କାବ୍ୟ ,ପ୍ରବନ୍ଧ , କ୍ଷୁଦ୍ର ଗଳ୍ପ, ନାଟକ ଓ ଉପନ୍ୟାସାଦି ପ୍ରଥମ ଶ୍ରେଣୀର ଏବଂ ଢଗଢମାଳି, ପ୍ରବାଦ, ପ୍ରବଚନ ,ଲୋକଗୀତ, ଲୋକ କାହାଣୀ, ପ୍ରହେଳିକା ଓ ଡାକଋଷି ବଚନ ହେଉଛି ଦ୍ଵିତୀୟ ଶ୍ରେଣୀର ଅନ୍ତର୍ଗତ ।


   ପ୍ରବାଦ ଓ ଢଗଢମାଳି ଆଦି ଆମ ସାହିତ୍ୟକୁ ସରସ , ସୁନ୍ଦର ଓ ଜୀବନ୍ତ କରିବା ସହ ଗତିଶୀଳ ମଧ୍ଯ କରିଥାଏ । ଏହି ଲୋକ ସାହିତ୍ୟକୁ ଆମେ ଅମୂଲ୍ୟ ରତ୍ନ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଏପରି କିଛି ପ୍ରବାଦ ମଧ୍ୟରୁ " ଗାଁ'ରେ ଯେବେ କରିବୁ ଘର, ଅଧେ ଆପଣା ଅଧେ ପର " ଅନ୍ୟତମ | ଏହାର ଅର୍ଥ ଗ୍ରାମ ମଧ୍ୟରେ ରହିଲେ ପ୍ରତ୍ୟେକ ଲୋକଙ୍କର କିଛି ଶତ୍ରୁ ଓ କିଛି ମିତ୍ର ଉଭୟ ରହିଥାନ୍ତି । ଏହି ପ୍ରବାଦ ଉପରେ ଏକ ସୁନ୍ଦର ଅଣୁଗଳ୍ପ କହିବାକୁ ଯାଉଛି।

    

    ଗ୍ରାମର ନାମ ମଧୁପୁର । ସେହି ଗ୍ରାମରେ ଦୟାନିଧି ସାମନ୍ତ ନାମରେ ଜଣେ ବ୍ୟକ୍ତି ବାପ ଅଜାଙ୍କ ଅମଳର ପୈତୃକ ଘରେ ବସବାସ କରି ଆସୁଛନ୍ତି । ପରିବାର କହିଲେ ପୁଅ, ବୋହୂ ଓ ନାତି ଟିଏ । ଗୋଟିଏ ସନ୍ତାନ ବୋଲି ଦୟାନିଧିଙ୍କ ପୁଅ ଓ ବୋହୂ ନିଜ ପୁତ୍ର ସୁରେନ୍ଦ୍ରକୁ ଅତି ଗେହ୍ଲା ଦୁଲ୍ହାରେ ବଢେଇ ଆସିଛନ୍ତି । କାଳକ୍ରମେ ସେ ବଡ଼ ହେବାକୁ ଲାଗିଲା । ବୟସ ସିନା ବଢ଼ିଗଲା ତଥାପି ଅତି ଗେହ୍ଲା ସେରନ୍ଦା ଯୋଗୁଁ ଦୁନିଆର ରୀତି ନୀତି କିଛି ମଧ୍ଯ ଶିଖି ପାରିଲା ନାହିଁ । ଗାଁ'ର ସମସ୍ତ ଲୋକ ତଥା ସାଙ୍ଗ ସାଥିମାନଙ୍କୁ ନିଜର ପରିବାର ଭଳି ଦେଖେ । ଗ୍ରାମବାସୀଙ୍କ ଛନ୍ଦ ଓ କପଟ କଥା ସୁରେନ୍ଦ୍ର ଜାଣିପାରେ ନାହିଁ । ଯେ' ଯାହା ତା'କୁ କୁହେ ଆଗ ପଛ କିଛି ନ ବୁଝି କରିଥାଏ ଏଵଂ ଯେ' ଯାହା ତା'କୁ ମାଗେ ସେ ସମସ୍ତଙ୍କୁ ନିଜର ଲୋକ ବୋଲି ଭାବି ଦେଇ ଦେଉଥାଏ । ଏପରି କିଛି ଦିନ ଗଲାପରେ ଜେଜେ ବାପା ଦୟାନିଧି ନାତି ଟୋକାର ସମସ୍ତ କଥା ଜାଣିଵାକୁ ପାଇଲେ । ଦିନେ ନାତି ପାଖକୁ ଯାଇ କହିଲେ ଧନ ସୁରେନ୍ଦ୍ର ! ତୁ ଏଡୁଟିଏ ହେଲୁଣି ସିନା ଦୁନିଆ ବିଷୟରେ କିଛି ବି ଜାଣି ପାରିଲୁ ନାହିଁ । ତୋ'ର ଚିନ୍ତାଧାରା ବହୁତ ଭଲ ମୁଁ ଜାଣେ , ତଥାପି ତୁ ଯେପରି ଆମ ଗାଁ'ର ଲୋକଙ୍କୁ ଭାବିଛୁ ସମସ୍ତେ ସେପରି ନୁହନ୍ତି । କିଛି ଲୋକ ନିଜର ସ୍ବାର୍ଥ ହାସଲ କରିବା ପାଇଁ ବହୁତ ଅଭିନୟ କରି କାର୍ଯ୍ୟ ହାସଲ କରିଥାନ୍ତି କିନ୍ତୁ ଅନ୍ୟର ସମସ୍ୟା ସମୟରେ ସେମାନେ ବିଭିନ୍ନ ବାହାନା ଦେଖାଇ ପାଖତଡ ମାଡନ୍ତି ନାହିଁ । ପରନ୍ତୁ ଏପରି ବହୁତ ଭଲ ଲୋକ ବି ଅଛନ୍ତି ଯେଉଁମାନେ ବିନା ସ୍ଵାର୍ଥରେ ମଧ୍ଯ ସମୟ ଅସମୟରେ ନିଜର ଅଣ୍ଟାକୁ ଭିଡ଼ି ସାହାଯ୍ୟ କରିଥାନ୍ତି । ଏପରି ଅନେକ କଥା ନାତି ଟୋକାକୁ ବୁଝାଇବା ପରେ ; ଜେଜେ ଶେଷରେ ଏକ ପ୍ରବାଦ କହି ସେଠାରୁ ଚାଲିଗଲେ ।


    କିଛି ଦିନ ପରେ ଝଡ ବର୍ଷା ରାତିରେ ଦୟାନିଧି ସାମନ୍ତଙ୍କ ଦେହାନ୍ତ ହୋଇଗଲା । ସୁରେନ୍ଦ୍ର ତା ଜେଜେଙ୍କୁ ନିଜଠୁ ବି ଅତି ଭଲ ପାଏ । ସେ କ'ଣ କରିବ ତା'କୁ କିଛି ବୁଦ୍ଧି ବାଟ ଦିଶିଲା ନାହିଁ । ବାଧ୍ୟ ହୋଇ ସେହି କାଳ ରାତ୍ରିରେ ଅନେକ ଗ୍ରାମବାସୀଙ୍କ ଦ୍ଵାର ଦ୍ଵାର ବୁଲି ଦୁଃଖଦ ବିଷୟକୁ କହି ସମସ୍ତଙ୍କୁ ଆସିବାକୁ କହି ; ନିଜ ଘରକୁ ଫେରି ଆସିଲା । ଇତି ମଧ୍ୟରେ କିଛି ଗ୍ରାମବାସୀ ଆସି ସ୍ଵତଃ ପ୍ରବୃତ୍ତ ଭାବରେ ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଯାହା ଯାହା କରିବା କଥା ସେ ସମସ୍ତ କାର୍ଯ୍ୟରେ ଲାଗି ପଡିଛନ୍ତି । ଏହା ଦେଖି ସୁରେନ୍ଦ୍ର ଆଶ୍ଚର୍ଯ୍ୟ ହୋଇଗଲା। ସେ ନିଜକୁ ନିଜେ ପ୍ରଶ୍ନ କରିବାକୁ ଲାଗିଲା । ମୁଁ ଦିନେ ମଧ୍ଯ ଏମାନଙ୍କ ନିମନ୍ତେ କିଛି କରିନାହିଁ କି ଏବେ ବି ଡାକି ନାହିଁ ତଥାପି ବିନା ସ୍ୱାର୍ଥରେ ଆସିଛନ୍ତି । ପରନ୍ତୁ ଯେଉଁ ମାନଙ୍କ ନିକଟକୁ ମୁଁ ନିଜେ ଡାକିବାକୁ ଯାଇଥିଲି ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ପ୍ରକାର ବାହାନା ଦେଖାଇ ଆସିଲେ ନାହିଁ ଏଵଂ କିଛି ଲୋକ ଆସିବୁ ବୋଲି କହି ଆସିଲେ ମଧ୍ଯ । ଏପରି ସମୟରେ ତା'ର ଜେଜେଙ୍କ କହିଥିବା " ଗାଁ'ରେ ଯେବେ କରିବୁ ଘର, ଅଧେ ଆପଣା ଅଧେ ପର " ପ୍ରବାଦଟି ଆପଣା ଛାଏଁ ମନେ ପଡ଼ିଲା । ସେହି ସମୟରେ ହିଁ ଉକ୍ତ ପ୍ରବାଦର ପ୍ରକୃତ ଅର୍ଥକୁ ସୁରେନ୍ଦ୍ର ହୃଦୟଙ୍ଗମ କରି ପାରିଲା । 


Rate this content
Log in

Similar oriya story from Drama