STORYMIRROR

Hemant Kumar Gantayat

Inspirational

4  

Hemant Kumar Gantayat

Inspirational

ଶିକ୍ଷା ଓ ସଂସ୍କାର

ଶିକ୍ଷା ଓ ସଂସ୍କାର

3 mins
387

      ଶିକ୍ଷା ଶବ୍ଦକୁ ଯଦି ବ୍ୟାକରଣ ଦୃଷ୍ଟିରେ ଦେଖାଯାଏ, ତେବେ ଆମେ ଜାଣିବା " ଶିକ୍ଷ୍ " ହେଉଛି ଧାତୁ ଏବଂ " ଅ " ହେଉଛି ପ୍ରତ୍ୟୟ l ଉଭୟଙ୍କ ସଂଯୋଗରେ ଶିକ୍ଷା ଶବ୍ଦଟି ଉତ୍ପର୍ଣ୍ଣ ହୋଇଛି l ଏହାର ଅର୍ଥ ହେଲା - ଶିଖିବା ବା ଶିଖାଇବା l ଶିଖିବା ବା ଶିଖାଇବାର କୌଶଳପୂର୍ଣ୍ଣ ନାମ ହିଁ ଶିକ୍ଷା ଅଟେ l ଏଠାରେ ଶିକ୍ଷାର ଅନେକଦିଗ ମଧ୍ୟରୁ ଦୁଇଗୋଟି ଦିଗ ଉପରେ ଆଲୋକପାତ କଲେ ଆମେ ଜାଣିବା ଯେ, ଶିକ୍ଷା ଆମ୍ଭମାନଙ୍କ ନିମନ୍ତେ କେତେ ଗୁରୁତ୍ୱପୂର୍ଣ୍ଣ ବିଷୟ ବହନ କରେ l ସେହି ଦୁଇଗୋଟି ଦିଗ ମଧ୍ୟରୁ ପ୍ରଥମଟି ହେଲା ଔପଚାରିକ ଶିକ୍ଷା ଏବଂ ଅନ୍ୟଟି ହେଲା ଅନୌପଚlରିକ ଶିକ୍ଷା l

     ଯେଉଁ ଶିକ୍ଷା ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କୁ ପ୍ରଦାନ କରାଯାଏ ତାହାକୁ ଔପଚାରିକ ଶିକ୍ଷା କୁହାଯାଏ l ଏହି ଶିକ୍ଷା ଶିକ୍ଷାର୍ଥୀମାନଙ୍କୁ ନିଜ ନିଜର କର୍ମପନ୍ଥା ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ l ଔପଚାରିକ ଶିକ୍ଷାରେ ଅର୍ଥ ବ୍ୟୟବହୁଳ ହେବା ସଙ୍ଗେ ସଙ୍ଗେ ସମୟ ସାପେକ୍ଷ ମଧ୍ୟ ହୋଇଥାଏ l ଶିଶୁର ପ୍ରାଥମିକ ଅବସ୍ଥାରେ ଯେଉଁ ଶିକ୍ଷା ନିଜ ମାତାପିତା , ଗୁରୁଜନ ତଥା ପରିବେଶ ଆଦିରୁ ପ୍ରାପ୍ତ କରିଥାଏ, ସେହି ଶିକ୍ଷାକୁ ଅନୌପଚାରିକ ଶିକ୍ଷା କୁହାଯାଏ l

    ଯଦି ଉପରୋକ୍ତ ଶିକ୍ଷାର ଦୁଇଗୋଟି ଦିଗକୁ ବିବେଚନା କରାଯାଏ , ତେବେ ଉଭୟ ଶିକ୍ଷା ବିଦ୍ୟାର୍ଥୀମାନଙ୍କ ପାଇଁ ଅପରିହାର୍ଯ୍ୟ ଅଟେ l ଔପଚାରିକ ଓ ଅନୌପଚାରିକ ଉଭୟ ଶିକ୍ଷା ମଧ୍ୟରୁ ଯଦି ଗୋଟିଏ ଶିକ୍ଷାର ଅଭାବ ଘଟେ ତେବେ ସେପରି ଶିକ୍ଷାକୁ ପୂର୍ଣ୍ଣାଙ୍ଗ ଶିକ୍ଷା କୁହାଯାଇପାରିବ ନାହିଁ l

  " ବ୍ୟବହାର ର ପରିବର୍ତ୍ତନ ହିଁ ଶିକ୍ଷା " ଅଟେ l ଜୀବନରେ ସଂସ୍କାର ସହିତ ଶିକ୍ଷାର ଅତୀବ ଘନିଷ୍ଠ ସମ୍ବନ୍ଧ ରହିଛି l ସଂସ୍କାର ଶବ୍ଦର ବ୍ୟୁତ୍ପତ୍ତି - ସମ୍ ଉପସର୍ଗ କୃ ଧାତୁ ଓ ଘଞ ପ୍ରତ୍ୟୟ ଅଟେ l ଏହାର ଅର୍ଥ ପରିଷ୍କାର, ଶୁଦ୍ଧି ବା ସୁଧାର l ଯେଉଁ କର୍ମ ଦ୍ଵାରା ମନୁଷ୍ୟ ତାର ମନ, ବୁଦ୍ଧି, ଚିତ୍ତ ଓ ଅହଙ୍କାର ଆଦିକୁ ସମ୍ପୂର୍ଣ୍ଣରୂପେ ପରିଷ୍କାର କରିଥାଏ ଏବଂ ଆଚାର ଓ ବ୍ୟବହାର ଆଦିରେ ଶୁଦ୍ଧତା ଭରିଦିଏ ତାହାକୁ ସଂସ୍କାର କୁହାଯାଏ l

  ମାନବ ଜୀବନରେ ସଂସ୍କାରକୁ ଅତ୍ୟାଧିକ ମହତ୍ତ୍ଵ ପ୍ରଦାନ ଦିଆଯାଇଛି l ସଂସ୍କାର ଦ୍ଵାରା ହିଁ ମନୁଷ୍ୟର ତାର ଚରିତ୍ର ନିର୍ମାଣ କରିଥାଏ l ଚରିତ୍ର ଏପରି ଏକ ସମ୍ପଦ ଯଦ୍ୱାରା ମନୁଷ୍ୟ ତା ଜୀବନରେ ସୁଖ, ଶାନ୍ତି ଓ ମାନ- ସମ୍ମାନlଦି ପ୍ରାପ୍ତ କରିଥାଏ l ଜଣେ ବ୍ୟକ୍ତି ତା ପାଖରେ ଧନ, ଜ୍ଞାନ ଓ ଗୁଣ ଇତ୍ୟାଦିରେ ପୂର୍ଣ୍ଣତା ଥିଲେବି ଯଦି ତାର ଚରିତ୍ର ଗତ ଦୋଷଥାଏ ତେବେ, ସେହି ବ୍ୟକ୍ତିକୁ କେହିବି ଭଲ ପାଆନ୍ତି ନାହିଁ l ଏଣୁ ଓଡିଆରେ ଏକ ପ୍ରବାଦ ରହିଛି- " ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର ନଥିଲେ ସବୁ ଅସାର" l

  ସଂସ୍କାର ଦ୍ଵାରା ମନୁଷ୍ୟ ଚରିତ୍ରରେ ସଦଗୁଣର ସଞ୍ଚାର ହେବା ସଙ୍ଗେ ସଙ୍ଗେ ଦୋଷ ଦୁର୍ଗୁଣାଦି ଦୂରୀଭୂତ ହୋଇଥାଏ l ସେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନଟିକୁ ସାର୍ଥକତାରେ ଭରିଦେଇଥାଏ l ସଂସ୍କାରର ମୂଳପ୍ରୟୋଜନ ହେଉଛି - ଆଧ୍ୟାତ୍ମିକ ତଥା ନୈତିକତାର ବିକାଶ l ମାନବ ଜୀବନରେ ପବିତ୍ରତା ଏବଂ ଉତ୍କୃଷ୍ଟ ଆଣିବା ପାଇଁ ଯେଉଁ ଆଧ୍ୟାତ୍ମିକ ଉପଚାର କରାଯାଏ ତାହାକୁ ସଂସ୍କାର କୁହାଯାଏ l ଶ୍ରେଷ୍ଠ ସଂସ୍କାରିତବାନ୍ ମାନବ ନିର୍ମାଣ ହିଁ ସଂସ୍କାରର ମୁଖ୍ୟ ଉଦ୍ଦେଶ୍ୟ ଅଟେ l ସଂସ୍କାର ଦ୍ଵାରା ହିଁ ମନୁଷ୍ୟ ଶିଷ୍ଟ ଆଚରଣ ଏବଂ ସଭ୍ୟାଦି ପ୍ରବୃତ୍ତିର ବିକାଶ କରିଥାଏ l

 ସଂସ୍କାର କ୍ଷେତ୍ରରେ ଭାରତୀୟ ଶିକ୍ଷାପଦ୍ଧତି ସର୍ବ କ୍ଷେତ୍ରରେ ସୁସଂସ୍କୃତ ରୂପେ ଗଢ଼ି ଉଠିଥିଲା l ଏହି ଶିକ୍ଷାପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ଦେଶର ଜ୍ଞାନପିପାସୁମାନେ ଏ ଦେଶର ତକ୍ଷଶିଳା ଓ ନାଳନ୍ଦାଦି ବିଶ୍ଵବିଦ୍ୟାଳୟ ଆଦିକୁ ଶିକ୍ଷାପ୍ରାପ୍ତି ନିମନ୍ତେ ସୁଦୂରରୁ ଚାଲିଆସିଥିଲେ l ଆମ ଭାରତୀୟ ଶିକ୍ଷା ପଦ୍ଧତି ଅତୀବ ଉଦାର ଥିଲା l ଏ ଦେଶ ସମଗ୍ର ସଂସାରକୁ ଗୋଟିଏ ପରିବାର ରୂପେ ପରିଗଣିତ କରି " ବସୁଧୈବ କୁଟୁମ୍ବକମ୍ " ବାଣୀ ପ୍ରଚାର କରିଚାଲିଛି l ଏହି ଭାରତ ହେଉଛି ଶିକ୍ଷା, ଜ୍ଞାନ, ବିଜ୍ଞାନ ଓ ଆଧ୍ୟାତ୍ମିକତାର ଚରମ ଉତ୍କର୍ଷର ଭୂଖଣ୍ଡ l ଏ ଦେଶର ମୁନିଋଷି ମାନେ କେବଳ ସାଧାରଣ ତପସ୍ୱୀ ନଥିଲେ, ଏହି ଯୋଗଜନ୍ମା ମାନେ ଜଣେ ଜଣେ ଅସାଧାରଣ ଦାର୍ଶନିକ, ବୈଜ୍ଞାନିକ, ଭେଷଜଜ୍ଞ, ଶିଳ୍ପଶାସ୍ତ୍ରବିତ୍ ରୂପେ ସମଗ୍ର ଦୁନିଆକୁ ଦିଗ୍ଦର୍ଶନ ଦେଇ ସୁଖ୍ୟାତି ଅର୍ଜନ କରିଥିଲେ l ସେହିମାନଙ୍କ ସାଧନାର ଶିକ୍ଷା ଭୂ ଠାରୁ ଭୂମା ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିଲା l ଯାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ବେଦ, ବେଦାନ୍ତ, ଉପନିଷଦ, ଜ୍ୟୋତିଷ ଶାସ୍ତ୍ର , ଯନ୍ତ୍ର ବିଜ୍ଞାନ, ମନ୍ତ୍ର ବିଜ୍ଞାନ, ଭେଷଜ ଶାସ୍ତ୍ର, ଶିଳ୍ପ ଶାସ୍ତ୍ର, ଗୀତା, ଭାଗବତ ଏବଂ ନୀତି ନୈତିକତାର ଶାସ୍ତ୍ର ଯଥା:- ନୀତି ଶତକ, ଚାଣକ୍ୟ ନୀତି, ବିଦୂର ନୀତି ଇତ୍ୟାଦି l କେବଳ ବେଦ ବେଦାନ୍ତlଦି ଶାସ୍ତ୍ର ଦ୍ଵାରା ବ୍ୟକ୍ତି ନିର୍ମାଣ କ୍ଷେତ୍ରରେ ସୀମାବଦ୍ଧ ନଥିଲା ଅପିତୁ ବିଭିନ୍ନ କଥା ଓ କାହାଣୀ ମାଧ୍ୟମରେ ମଧ୍ୟ ସୁସଂସ୍କlର ଶିକ୍ଷା ପ୍ରଦାନକରି ପଣ୍ଡିତ ବିଷ୍ଣୁ ଶର୍ମା ବିଶ୍ୱବାସୀଙ୍କୁ ପଥ ପ୍ରଦର୍ଶନ କରି ଯାଇଛନ୍ତି l

     ସାମ୍ପ୍ରତିକ ସମୟରେ ସଂସ୍କାର ଜନିତ ଅନୌପଚାରିକ ଶିକ୍ଷାରେ ଘୋର ଅଭାବ ପରିଲକ୍ଷିତ ହେଉଛି l ଯାହାରି ଫଳରେ ସମାଜରେ ନାନାବିଧ ବିଶୃଙ୍ଖଳା ସୃଷ୍ଟି ହେବାରେ ଲାଗିଛି l ଯଦ୍ୱାରା ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇବା ପରିବର୍ତ୍ତେ ନୈତିକ ମୂଲ୍ୟବୋଧର ଅଧପତନ ଘଟିବାରେ ଲାଗିଛି l

ଶିକ୍ଷା ଓ ସଂସ୍କାର ଗୋଟିଏ ମୁଦ୍ରାର ଦୁଇଗୋଟି ପାର୍ଶ୍ଵ l ସଂସ୍କାର ବିହୀନ ଶିକ୍ଷା କେବେବି ମଧ୍ୟ କୌଣସି ଏକ ସୁସ୍ଥ ସମାଜ ପାଇଁ ମଙ୍ଗଳ ସାଧନ କରିପାରିବ ନାହିଁ l ଯଦି ଔପଚାରିକ ଶିକ୍ଷା ଓ ଅନୌପଚାରିକ ଶିକ୍ଷାରେ ସଂସ୍କାରକୁ ଗୁରୁତ୍ଵ ଦିଆନଯାଏ ତେବେ ଭବିଷ୍ୟତରେ ଶିକ୍ଷା ବ୍ୟବସ୍ଥା ଅଙ୍ଗବିହୀନ ଅଙ୍ଗୀ ହିଁ ହୋଇ ରହିଯିବ l

                   


Rate this content
Log in

Similar oriya story from Inspirational