Satyabati Swain

Romance Inspirational

3  

Satyabati Swain

Romance Inspirational

ଅଧା ଗଢ଼ା ମୂର୍ତ୍ତୀ

ଅଧା ଗଢ଼ା ମୂର୍ତ୍ତୀ

5 mins
220


ମନ ମୋହନ ! ଏ ମନ ମୋହନ।


କିଏ ?


ମୁଁ ...


ମୁଁ ! ମୁଁ କିଏ?


ମୁଁ ମନ ମୋହନ।


ତୁ ମ .ନ. ମୋ. ହ .ନ !


ହଁ ତ ..।


କିନ୍ତୁ.....


ମୁଁ ,ମନ ମୋହନ ତ ଏଇଠି ,ଝରକା ଖୋଲି ଦେଖୁଛି ଶ୍ରାବଣୀର ନାଚ।ତୁ କଣ କହୁଛୁ ନା ତୁ ମନ ମୋହନ।


ହଁ ଦେଖ୍ କେଉଁଠି ଆସୁଛି ଏ ସ୍ୱର।ହୁଁ କାନ ପାର,ଶୁଣ ,ମୁଁ ମନ ମୋହନ କି ନୁହେଁ।


ଓଃ ତୁ ...! 


ହଁ ତୋ ଛାଇ।


ହଁ ତୋ ଭିତର ମଣିଷ।


ଆଚ୍ଛା ବାବା ହେଲା ତୁ ମନ ମୋହନ।କହ କଣ ହେଲା ?ଏତେ ଧୀର ,ଚାପା ଗଳାରେ କହୁଛୁ କାହିଁକି?କାହାକୁ ଡରୁଛୁ ?


ହଁ ଡରୁଛି ତ।ଡରୁଛି ଜୀବନକୁ,ଡରୁଛି ନିଜକୁ।ଡରୁଛି ସ୍ମୃତି କୁ।ଡରୁଛି ଗଲା ଦିନକୁ।


ଏ ମନୁଆ..କଣ ଏମିତି ପାଗଳ ପରି ହେଉଛୁ?


ମନୁଆ !ଆଉ ଥରେ କହ ମନୁଆ,ମନୁଆ ରେ...ଏ।ଏ ମୋ ମା ଡାକ।ମା ଶରଧାରେ ଡାକେ ମନୁଆ।ଦୁଇ ଝିଅରେ ଗୋଟିଏ ପୁଅ।ଦୁଇଭଉଣୀଙ୍କର ଅତି ଗେହ୍ଲା ଭାଇ। ବାପା ମା,ଜେଜେ ଓ ଜେଜେମାଙ୍କର ଆଖି।ମନୁଆ ମହାନ୍ତି ଘର ପୁଅ।ମାଟିରେ ମୂର୍ତ୍ତି ଗଢୁଥିବା ବିଶ୍ୱ ମୋହନଙ୍କ ପୁଅ,ମନୁଆ।କୁଆଡେ କିଏ ଗଲେ ।କିଏ ଗାଁ ମଶାଣିରେ ତ କିଏ ସ୍ୱର୍ଗ ଦ୍ୱାର ଶୋଇଲେ।କେହି ଆଜି ମୋ ପାଖେ ନାହାନ୍ତି।ମୁଁ ପୁରା ଏକୁଟିଆ।ନିଃସଙ୍ଗ।


ମୋହନ ରେ ଏଇତ ସଂସାର ,ଆସିବା,ଯିବା। ତୁ କଣ ସବୁଦିନ ଥିବୁ ନା କଣ?


ଚୁପ୍।ଏକବାର୍ ଚୁପ୍।ମୋହନ ଡାକନା। କାଟି ହୋଇ ଯାଉଛି ମୋ କଲିଜା।


କାହିଁକି ରେ ମୋହନ ?


ମୋହନ କେବଳ ସୁଲଗ୍ନା ଡାକିପାରେ।ସୁଲଗ୍ନା ,ଆମ ଗାଁ ଶଶାଙ୍କ ସାମନ୍ତଙ୍କ ଝିଅ।


ତ କଣ ହେଲା ସେଇଠୁ?


ଜାଣିଛୁ !ସୁଲଗ୍ନା ମୋ ଅଦ୍ୟ ଯୌବନର ଦଲକାଏ ଚୋରା ଚଇତାଳି।ମେଞ୍ଚେ ମଧୁ ମାଳତୀର ବାସ୍ନା।ଯାହାକୁ ଏବେ ସୁଦ୍ଧା ଛାତିରେ ସାଇତିଛି।ଭାରି କଲବଲ କରେ ସେ।ମିଠା ମିଠା ଦରଜରେ ଫାଟି ପଡେ ହୃଦୟ।ଆଖି ବୁଜିଦେଲେ ତା ମୁହଁ ଦିଶିଯାଏ ,ତା କଥା ଶୁଭିଯାଏ।ଭାରି ଅସୁସ୍ଥ ଅସୁସ୍ଥ ଲାଗେ।


ଏତେ ଯଦି ଭଲ ପାଉଥିଲୁ,ଜୀବନ ସାଥୀ କଲୁନୁ?


ଆରେ ମୁଁ ତାକୁ ଭଲ ପାଏ ବୋଲି କହି ବାର ସୁଯୋଗ ତ ପାଇନାହିଁ।ସେ ଆକାଶ କଇଁଆଁ। ଚିନି ମୋ ସାନ ଦି ସହ ତାର ଭଲ ପଟେ ଯଦିଓ ଚିନି ଦି ସୁଲଗ୍ନା ବୟସରେ ବଡ଼।ତାରି ପାଖକୁ ବାହାନା କରି ଚାଲି ଆସେ ମୋ ଆସିବା ଶୁଣି।ବିଲେଇ ପରି ନଅର ପଅର ହୁଏ।ମୋର ସବୁ ଜିନିଷ ପତ୍ର ରେ ଲାଗେ।ଜାଣି ଜାଣି ମୋ ଉପରେ ନ ଦି ହୁଏ।ଉପରେ ବିରକ୍ତ ହେଲେ ବି ଭିତରେ ତା ସ୍ପର୍ଶ ମୋତେ ଅଦ୍ଭୁତ ଆନନ୍ଦ ଦିଅନ୍ତି। ଆଖି ବୁଜି ମୁଁ ତାର ଦେହ ଗନ୍ଧ ଆଘ୍ରାଣ କରେ। ଚିଡ଼େଇବା ପାଇଁ ମୁଁ ତାକୁ ବିଲେଇ କୁହେ।ଖୁପୁରା ଖୁପୁରୀ ଦୁହେଁ ହେଉ।ଶେଷରେ ସେ ରାଗି ଯାଏ।ରାଗିଗଲେ ତା ମୁହଁ ଧଳାରୁ ଲାଲ୍ ହୋଇଯାଏ।


ଦିନେ ସୁଲଗ୍ନା ଖୁବ୍ ମେଚର୍ ଲାଗୁଥିଲା ମୋତେ।କହିଲା ମୋହନ ଭାଇ ! ତୁ କି ସୁନ୍ଦର ସୁନ୍ଦର ମୂର୍ତ୍ତି ଗଢ଼ୁଛୁ ! ବାପାଙ୍କ ପରି ମୋର ବି ମୂର୍ତ୍ତୀ ଗଢିବାରେ ଭାରି ଆଗ୍ରହ । ଯୁକ୍ତ ଦୁଇ ପରେ ମାର୍ବଲ ରେ ମୂର୍ତ୍ତି ଗଢିବାକୁ କ୍ୟାରିଅର କରିବି ବୋଲି ସ୍ଥିର କରିଥାଏ।


କାଇଁ ତୁ ଗଢିବୁକି।ଯା ଯା ମାଛ କେଉଁଠି ଥିବ ଖାଇବୁ ଶଂଖୀ ବିଲେଇ।ସୁଲଗ୍ନାର ଧୋବ ଫର ଫର ଦେହ।


ସେ ସେଦିନ ଆଦୌ ରାଗିଲା ନାହିଁ।ଗେହ୍ଲେଇ କି କହିଲା ମୋ ମୂର୍ତ୍ତି ଗଢି ପାରିବୁ ?


ହଁ।ସବୁ ବିଶିଷ୍ଟ ବ୍ୟକ୍ତିଙ୍କ ମୂର୍ତ୍ତି ମାର୍ବଲ ପଥରରେ ଜୀବନ୍ତ କରି ଗଢୁଛି।ତୋର କାଇଁକି ପାରିବି ନାହିଁ?


ତୋତେ କିନ୍ତୁ କିଛି ସମୟ ମୋ ଆଖି ସାମନାରେ ବସି ବାକୁ ପଡିବ।


ଏଇ ଗୋଟେ କଥା।ହେଇ ବସିଲି କହି ସୁଲଗ୍ନା ମୋ ଆଖି ଆଗରେ ଚକା ମେଲି ବସି ପଡିଲା।


ମୁଁ ଆଖି ବୁଜି ତା ଛବି ମୋ ମସ୍ତିଷ୍କରେ ଉଠାଉ ଥିଲି।


ସେ ଖିଲି ଖିଲି ହସି ଉଠିଲା।ଧେତ୍ ! ମୁଁ ଆଖି ଆଗରେ ବସିଲି ଅଥଚ ତୁ ଆଖି ବୁଜି ଦେଲୁ।ଆଖି ଖୋଲି ଦେଖନ୍ତି ନା ବୁଜି?ମୋହନ ତୁ ବୋକା କେଉଁଠି କାର କହି ଖିଲି ଖିଲି ହସି ଦଉଡି ପଳେଇଲା। ମୋ ଧ୍ୟାନ ଭଗ୍ନ ହେଲା।କେବଳ ବେକ ଯାଏ ମୁଁ ମୋ ଭିତରେ ତାକୁ ସାଇତି ରଖି ସାରିଥିଲି।ସେ ଜାଣି ନଥିଲା ମନର ମାନସିକୁ ଖୋଲା ଆଖି ନୁହେଁ; ବରଂ ମୁଦା ଆଖିରେ ବେଶୀ ଭଲ ଦିଶେ।


ଜାଣିଲୁ ମୂର୍ତ୍ତୀ ଗଢ଼ା ଶିଖି ସାରିବା ପରେ ଗାଁ ଛକ ବର ଗଛ ତଳେ ୱାର୍କ ସପ୍ ଟିଏ ଖୋଲିଛି।ସେଠାରେ ଅଧା ଗଢ଼ା ମୂର୍ତ୍ତିଟିଏ ରହିଛି ସେଇଟା ହିଁ ମୋ ସୁଲଗ୍ନାର।କେବଳ ବେକ ଯାଏ ମୁଁ ତାକୁ ଅନୁଭବ କରିଥିଲି।ମୁହଁ ପାଖକୁ ଗଲା ବେଳକୁ ସେ ଉଠି ଚାଲି ଯାଇଥିଲା। ଯେତେ ଚେଷ୍ଟା କରୁଛି ତା ମୁହଁ ଖୋଦନ କରି ପାରୁନାହିଁ।ଅଧା ଗଢ଼ା ମୂର୍ତ୍ତି ଟା ମୋତେ ଖତେଇ ଯେମିତି ହୁଏ।


ସୁଲଗ୍ନକୁ ମୁଁ ଭଲ ପାଏ ପ୍ରକାଶ ହୋଇବା ପୂର୍ବରୁ ତାର ଆମ ଘରକୁ ଆସିବା ବନ୍ଦ ହୋଇ ଗଲା।ମୁଁ ପଢିବାକୁ ଭୁବନେଶ୍ୱରରୁ ଚାଲିଗଲି।ତା ବାପା କୁଆଡେ ଗୁଡାଏ ମାରିଲା ତାକୁ।"ବିଶ୍ୱ ମୋହନ ଗୋଟେ ଭିକାରୀ ମୂର୍ତ୍ତି କାରିଗର।ତା ପୁଅ ମନ ମୋହନ ଗୋଟେ ମଣିଷ ! ଭିକାରୀ ବାପାର ଭିକାରୀ ପୁଅ।ତା ସଂଗେ ହେଁ ହେଁ ଫେଁ ଫେଁ କଣ?ତୁ ଶଶାଙ୍କ ସାମନ୍ତ ଝିଅ,ଜାଣିଛୁ ନା ନାହିଁ? "ସେବେଠାରୁ ସୁଲଗ୍ନା ଆମ ଘରକୁ ଆସେନି।ଏକଥା ଚିନି ଦି ମୋତେ କହିଥିଲା।


ତାପରେ ଘୋର ଚଡକ ପଡିଲା ଆମ ଘରେ।ମା,ବାବା ଓ ଜେଜେମା ଜଣକ ପରେ ଜଣେ ଡକାଡ଼କି ହୋଇ ସେପାରିକୁ ଚାଲିଗଲେ।ଜେଜେ ଏକା।ଭଉଣୀ ଦୁଇ ଜଣ ବାହା ହୋଇ ସାରିଥିଲେ।ଏଣୁ ଘର ଚଳିବା ପାଇଁ ମୋତେ ବାଧ୍ୟ ହୋଇ ଚିତ୍ର ଲେଖା ସହ ବିବାହ କରିବାକୁ ପଡିଲା।


ଚିତ୍ର ଲେଖା !


ହଁ ସୁଲଗ୍ନା ମୋ ପ୍ରେମ ହେଲେ ଚିତ୍ର ଲେଖା ମୋ ପୂଜା, ମୋ ପତ୍ନୀ।ଚିତ୍ର ଲେଖା ବହୁତି ଭଲ ପାଏ ମୋତେ।


କିନ୍ତୁ ମୋ ମନ ବିଟପୀ।


ଚିତ୍ରଲେଖା କୁ ମୋ ଦେହ ଦେଲି,କିନ୍ତୁ ପ୍ରେମ କି ମନ ଦେଇ ପାରିଲି ନାହିଁ।ଚିତ୍ରଲେଖା ସହବାସ କରେ; କିନ୍ତୁ ପ୍ରେମ କରେ ସୁଲଗ୍ନାକୁ।ତୃପ୍ତ ହୋଇ ପାରେନି ଚିତ୍ର

ଲେଖା ଦାମ୍ପତ୍ୟ ସୁଖରେ।ସେ ଭାରି ଭଲ ଝିଅଟିଏ।ଦେହ ନୁହେଁ ସେ ମୋ ପ୍ରେମ ଓ ହୃଦୟଟି ଚହୁଁଥିଲା।ମୁଁ ଚିତ୍ରଲେଖାକୁ ମୋ ଅପ୍ରକାଶ୍ୟ ପ୍ରେମ ବିଷୟରେ କହିଥିଲି। ସେ ପ୍ରତିକ୍ରିୟା ପ୍ରକାଶ କରି ନଥିଲା ମୁହଁରେ।କିନ୍ତୁ ବିରସ ରହୁଥିଲା।ପ୍ରତି କାମରେ ଅନ୍ୟ ମନସ୍କ। ମୁଁ ତା ସହ ଅନ୍ୟାୟ କରିଛି।ନିଦରେ ଚିତ୍ରଲେଖାକୁ ଜାବୁଡି ଧରି ସୁଲଗ୍ନା ସୁଲଗ୍ନା ହୋଇଛି।


ଯେଉଁ ଦିନ ଏପରି ହୁଏ ଚିତ୍ରଲେଖା ତାପର ଦିନ ହସିହସି କୁହେ କାଲି ସୁଲଗ୍ନା ସହ ରମଣରେ ଲିପ୍ତ ଥିଲ, ନା ?


ନିଜକୁ ଅପରାଧୀ ଲାଗେ।ଝିଅଟା ମୋ ପାଇଁ ଦୁଃଖ ପାଉଛି ଭାବି ଛଟପଟ ହୁଏ।କିନ୍ତୁ ସୁଲଗ୍ନା ଭୂତ ମୋ ମୁଣ୍ଡରୁ ଓହ୍ଲାଏନି।


ଜେଜେ ବି ବାପା ମା ଓ ଜେଜେମାଙ୍କ ପାଖକୁ ଚାଲିଗଲେ।


ମୁଁ ବ୍ୟସ୍ତ ରହିଲି ମୂର୍ତ୍ତ ଗଢ଼ାରେ।


ଚିତ୍ରଲେଖା ଏକା ହୋଇଗଲା।ତାର ଅନ୍ୟ ମନସ୍କତା ଅତ୍ୟଧିକ ବଢିଗଲା।ସବୁ ଭୁଲ୍ ଭାଲ୍ କାମ କଲା।ଅତି କରୁଣ ଦିଶିଲା ତାର ମୁହଁ।ଦିନେ ଅନ୍ୟ ମନସ୍କ ହୋଇ ଗ୍ୟାସ ଖୋଲା ରଖିଥିଲା ଢେର ସମୟ ଯାଏ।ଲାଇନ୍ ଚାଲି ଯାଇଥିଲା ସେଦିନ।ମହମ ବତୀ ଲଗାଇବାକୁ ଯାଇ ରୋଷେଇ ଘରେ ଦିଆସିଲି ଯେମିତି ମାରିଛି ହୁ ହୋଇ ଜଳି ଉଠିଲା ଘର ଓ ତା ସହ ଚିତ୍ର ଲେଖା।


ମୁଁ ଖବର ପାଇଁ ଆସି ଦେଖେ ତ ଚିତ୍ରଲେଖା ମୁଠେ ପାଉଁଶ ହୋଇ ଯାଇଛି।ମୁଁ ଚିତ୍ର ଲେଖାର ହତ୍ୟାକାରୀ।ବିବାହର ଚାରି ବର୍ଷ ଭିତରେ ମୁଁ ତାକୁ ଟିକେ ବି ନା ଦୈହିକ ନା ମାନସିକ ସୁଖ ଦେଇ ପାରିଛି।ମୋ ପାଗଳାମୀ ପାଇଁ ଚିତ୍ରଲେଖା ମୋଠାରୁ ଅଭିମାନ କରି ଏକା ଛାଡି ଚାଲିଗଲା ମୋତେ।


ମୁଁ ମୂକ ହୋଇଗଲି।ସୁଲଗ୍ନା ସ୍ବପ୍ନ ଥିଲା,ମିଛ ଥିଲା।କିନ୍ତୁ ଚିତ୍ରଲେଖା ମୋ ବର୍ତ୍ତମାନ,ସତ୍ୟ ଥିଲା।ମୁଁ ବହୁତ ଅନ୍ୟାୟ କରିଛି ଭାବି ପାଗଳ ପ୍ରାୟ ହେଲି।ଅସ୍ଥିର ବିକ୍ଷିପ୍ତ ହେଲା ମନ।ଅନୁତାପ ଅଗ୍ନିରେ ଜଳି ଜଳି ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଥିଲି।


କିନ୍ତୁ ମରଣ ବି ମୋତେ ମରିବାକୁ ଦେଲା ନାହିଁ।ମିସ୍ ଆରତୀ ମୋର ଜଣେ ଛାତ୍ରୀ ମୋତେ ଫ୍ୟାନ୍ ରେ ଓହଳି ନିଃଶ୍ୱାସ ବନ୍ଦ ହେବା ଆଗରୁ ବଞ୍ଚାଇ ଦେଲା।ଦୂର ନିକଟର ଅନେକ ଛାତ୍ର ଛାତ୍ରୀ ମୋର ମାର୍ବଲରେ ମୂର୍ତ୍ତି ଗଢ଼ା ଶିଖିବାକୁ ଆସନ୍ତି।ଆରତୀ ଆର୍ଟିଟେକ୍ ର ଜଣେ ଷ୍ଟୁଡେଣ୍ଟ।ମୋ ପାଖରେ ରହି ଗବେଷଣା କରୁଛନ୍ତି।ଚିତ୍ରଲେଖା ମଲା ପରେ ମିସ୍ ଆରତୀ ହିଁ ମୋତେ ସମ୍ଭାଳିଛନ୍ତି। ସେ ମୋ ଘରେ ପେଇଙ୍ଗ୍ ଗେଷ୍ଟ ଭାବେ ଅଛନ୍ତି।ପ୍ରକୃତ ପକ୍ଷେ ମୋତେ ଲାଗେ ମୁଁ ପେଇଙ୍ଗ୍ ଗେଷ୍ଟ। ମୋର ଟିକି ନିକି ଖବର ବୁଝନ୍ତି ସେ।ସ୍ୱାଭାବିକ ଅବସ୍ଥାକୁ ଫେରେଇ ଆଣିବା ପାଇଁ ମିସ୍ ଆରତୀ କେବେ କେବେ ମୋତେ ଶାସନ ବି କରନ୍ତି।ବେଳେବେଳେ ସେ ସୁଲଗ୍ନା କିମ୍ବା ଚିତ୍ରଲେଖା ହୋଇ ଯାଆନ୍ତି।


ଶୁଣୁଛି ସୁଲଗ୍ନା ବିବାହ ପରେ ବାଟ ଓଷା କରିବାକୁ ଗାଁ କୁ ଆସିଛି।ଶୋଇଥିବା ସୁଲଗ୍ନା ମୟ ମନଟି ଟିକେ ଓଢଣା ଫାଙ୍କର ସୁନ୍ଦର ଲଗା ସୁଲଗ୍ନା ମୁହଁ ଟିକୁ ଥରେ କେହିବା ତୃଷ୍ଣାକୁ ଅଟକେଇ ପାରୁନାହିଁ।ଇଚ୍ଛା ହେଉଛି ଗୋବିନ୍ଦପୁର ଗାଁ ଟି କରୋନା ପାଇଁ ତାଲା ବନ୍ଦ ହୋଇ ଯାଆନ୍ତା କି।ଶୁନ୍ ଶାନ ସ୍କୁଲ ବାରଣ୍ଡାରେ ସୁଲଗ୍ନା ସହ କିଛି କଥା ହୁଅନ୍ତା।


ହେ ମନ ମୋହନ ! ତୁ ସତରେ ପଗଲା ହୋଇ ଯାଇଛୁ।ଆଉ ଭୁଲ୍ କରନା।ଥରେ ବାଟ ହୁଡ଼ି ଚିତ୍ରଲେଖା ହରେଇଲୁ।ପୁଣି କଣ ...ଯା ଯା କୁହୁଡି ପହଁରନା।ସେ ଅଧା ଗଢ଼ା ମୂର୍ତ୍ତି ପୁରା କରିଦେ।


କିନ୍ତୁ ସେଥିରେ କାହା ମୁଣ୍ଡ ଗଢିବି ?


ହା ହା ତୁ ଠିକ୍ ଜାଣିଛୁ ।


ପୂବେଇ ପବନ ସହ ଦଲକାଏ ବର୍ଷା ଛିଟା ଝରକା ଦେଇ ଘର ଭିତରକୁ ପଶି ଆସିଲା।ପ୍ରକୃତିସ୍ଥ ହୋଇ ଉଠିଲେ ମନମୋହନ।କାହା ସହ ସେ କଥା ହେଉଥିଲେ ଏତେବେଳ ଯାଏ?


ଅଯଥା ଭାବୁଛନ୍ତି ସେ।ଏ ସନ୍ଧ୍ୟାଟା ତ ମିସ୍ ଆରତୀଙ୍କ ହାତରୁ ଚା ପିଇ ଚର୍ଚ୍ଚା ହେବାର ସମୟ।


ତାପର ଦିନ ଅଧା ଗଢ଼ା ମୂର୍ତ୍ତୀଟି ସମ୍ପୂର୍ଣ୍ଣ ହୋଇ ଯାଇଥିଲା।


ମିସ୍ ଆରତୀ ୱାର୍କ ସପ୍ ରେ ମୂର୍ତ୍ତୀଟି ଦେଖି ଚମକି ପଡିଲେ।ସାର୍ ତା ମୂର୍ତ୍ତି ଆଙ୍କି ଛନ୍ତି।ଅଧା ଗଢ଼ା ମୂର୍ତ୍ତୀ ମୁହଁଟି ମିସ୍ ଆରତୀ ଙ୍କର !!


ଖୁସିରେ ଆତ୍ମହରା ହୋଇ ମୂର୍ତ୍ତିଟିକୁ ଟିକୁ ଆଉଁସୁ ଆଉଁସୁ କହିଲେ ,ଓ ଏମ୍ ଜି ସାର୍ ତାହେଲେ ମୋତେ...



Rate this content
Log in

Similar oriya story from Romance