Satyabati Swain

Tragedy

4.0  

Satyabati Swain

Tragedy

ରୁମାଲ୍

ରୁମାଲ୍

6 mins
30



ମାଆ ପୁଅର ପ୍ରଥମ ଗାର୍ଲଫ୍ରେଣ୍ଡ !!

ନିଃସଙ୍କୋଚ ବାଣ୍ଟିପାରେ ତା ହୃଦୟର କଥା ମାଆ ସହ । 

   ମୋ ପୁଅ ନିର୍ମାଲ୍ୟ ବି ମୋ ସହ ସବୁ ବାଣ୍ଟୁଥିଲା। କିନ୍ତୁ କଣ ହୋଇଛ ମୋ ସୁଧାର ପୁଅଟା ; ଆଜିକାଲି ନର୍ମାଲ ବ୍ୟବହାର କରୁନାହିଁ !

   ନିଜକୁ ଘର ଭିତରେ ବନ୍ଦୀ କରି ରଖୁଛି। ରାତି ଦିନ ଚବିଶ ଘଣ୍ଟା ଘର ଅନ୍ଧାର କରି ରହିବା,ବାହାରକୁ ଆଦୌ ନ ବାହାରିବା, କାହା ସହ କଥା ନ ହେବା ଘର ଲୋକଙ୍କ ଚିନ୍ତା ବଢ଼େଇ ଦେଇଛି। ଏମିତି ହେଉଛି କାହିଁକି ? ମଣିଷଙ୍କୁ ଭୟ,ଅଲୁଆକୁ ଭୟ କରୁଛି। ଭିଡରେ ଅଣନିଃଶ୍ଵାସୀ ହୋଇ ଯାଉଛି। ଗାଧୁଆ ପାଧୁଆରେ ଠିକଣା ରଖୁ ନାହିଁ। ବେଳେବେଳେ ଖୁବ୍ ରାଗି ଯାଇ ଭଙ୍ଗାଭାଙ୍ଗି କରୁଛି। 


କଣ ହୋଇଛି ଧନ ?


କିଛି ନାହିଁ।


   କିଛି ତ ଅଛି ନଚେତ୍ ତୋ ବ୍ୟବହାର ଏମିତି

 ହୁଅନ୍ତା !

    କହିଲି ତ କିଛି ନାହିଁ।ସବୁବେଳେ ଗୋଟେ ବିରକ୍ତ କରୁଛି।ତୁ ଗଲୁ କହି ଠେଲିପେଲି ମୋତେ ତା ରୁମରୁ ବାହାର କରି ଦେଇ କବାଟ ଦେଇ ଦେଉଛି।

  ଚାଲୁନୁ ଡାକ୍ତର ଦେଖାଇ ଦେବା।କେଉଁ କାରଣରୁ ଏପରି ହେଉଛି ଅନ୍ତତଃ ଧରା ପଡିଯାଅନ୍ତା।

   କାଇଁ ମୋତେ କଣ ରୋଗ ହୋଇଛି ଡାକ୍ତର ପାଖକୁ ଯିବି ? 

  ରୋଗ ହୋଇନି କି କିଛି ହୋଇନି ଯଦି ନିଜେ ସ୍ୱୀକାର କରୁଛୁ ତ ତୋ ବ୍ୟବହାର କଣ ପାଇଁ ସାଧାରଣ ପିଲା ପରି କରୁ ନାହୁଁ ! ଆମେ ବାପା

ମାଆ ଦିଟା ରାତିଦିନ ଏକ କରି ତୋତେ ଭଲ କଲେଜ ପୁଣି କଲେଜରେ ପଢ଼ାଇବାକୁ ଛାଡିଥିଲୁ । ପଢା ଅଧାରୁ ଛାଡି ଆସି ଏମିତି କଣ ହେଉଛୁରେ ନମୁ ?

  ତୁ ଯଦି ଚାହୁନୁ ମୁଁ ଘରେ ରହେ ତେବେ ଠିକ୍ ଅଛି ମୁଁ ଚାଲିଯାଉଛି। ସବୁବେଳେ ଗୋଟେ ଲାଗିଛି ମୋ ପଛରେ।

   ନମୁ ତୁ କଣ କହୁଛୁ ବୁଝି ପାରୁଛୁ ତ ? ମୁଁ ଚାହିଁବି ନାହିଁ ମୋ ପୁଅ ମୋ ପାଖରେ ରହୁ। ବାପରେ ତୁ ତ ଏକା ଜିଦ୍ କଲୁ ଇଂଜିନିଅରିଂ ପଢିବି, ପଡ଼ିଲୁ। ଏ ଜି ପାଇଥିଲୁ ତୋ ମନ ନ ବଳିଲା ଆମେ ବାଧ୍ୟ କଲୁ କି ? ତୋ ଖୁସିରେ ଆମେ ଖୁସି । ଶେଷ ବର୍ଷ ଏଇଟା ତୋର।ପରୀକ୍ଷା ପାଇଁ ପ୍ରସ୍ତୁତ ନ ହୋଇ କଲେଜ ଛାଡି ଘରେ ବସିଛୁ। କହିଲୁ ଆମେ ବ୍ୟସ୍ତ ହେବୁ କି ନାହିଁ ?

  ମୋ କାନ୍ଦ ଦେଖି ଆଉ କିଛି କହିବ ନାହିଁ।ଚୁପ୍ ଚାପ ମୁହଁ ମାଡି ଶୋଇବ । ଭାରି ଭୟରେ ଅଛୁ ଆମେ ସମସ୍ତେ ତାର ଏପରି ହେବା ଦେଖି। ନମୁ ବାପା କହିଲେ ,ଯାହା କରୁଛି କରୁ ; ତାକୁ କିଛି କୁହନି । ପଢା ଅପେକ୍ଷା ତା ଜୀବନଟି ବଡ଼ କଥା ।ଏ ଯୁଗର ପିଲାଙ୍କୁ ଭଲ କହିଲେ ଭେଲ। ବିରକ୍ତ କଲେ ଯଦି କିଛି କରିଦିଏ ..

   ଡାକ୍ତରଙ୍କ ସହ ତାର ସମସ୍ତ ଲକ୍ଷଣ କହି ପରାମର୍ଶ ଲୋଡିଲୁ।ସେ କହିଲେ ପୁଅ କୌଣସି ଆଘାତ ପାଇଁ କିମ୍ବା ଘଟଣାରୁ ଖୁବ୍ ଷ୍ଟ୍ରେସ୍ ରେ ଅଛି। ଏଥିରୁ ବାହାରିବାକୁ ଟିକେ ସମୟ ଲାଗିବ।ତା ସଙ୍ଗେ କୌଣସି କଥାରେ ଯୁକ୍ତି ତର୍କ କରିବ ନାହିଁ କି କେଉଁ କାମ ବାଧ୍ୟ କରି କରିବାକୁ ଚେଷ୍ଟା କରିବ ନାହିଁ।ସମସ୍ତେ ସ୍ନେହ,ଆଦର,

ସମୟ ଦେଇ ସହଯୋଗ କଲେ ସେ ଆସ୍ତେ ଆସ୍ତେ ନର୍ମାଲ ହୋଇଯିବ। ତା ସହ ଏ ମେଡ଼ିସିନ ନିଅନ୍ତୁ ନିୟମିତ ଖାଇବାକୁ ଦେବେ।

   ଏଣୁ ଗୋଟେ ଅଦ୍ଭୁତ ଅଦୃଶ୍ୟ ଭୟରେ ଆମେ ବଞ୍ଚୁଛୁ ପରିବାରଟି। ସମସ୍ୟା ଜାଣିଲେ ସିନା ସାଧନ ସମାଧାନ ଅଣ୍ଡାଳନ୍ତୁ । କିଛି ତ ଜାଣି ପାରୁନୁ କରିବୁ କଣ ? ଚିହ୍ନା ଜଣା ,ସାଇ ପଡିଶା ପଚାରି ହେଉଛନ୍ତି, ନିର୍ମାଲର କଣ ପଢା ସରିଗଲାଣି ? କେତେ ଦିନ ହେବ ଘରେ ବସିଛି ? 

    କାହାକୁ କି ଉତ୍ତର ଦେବୁ ; ଯେଉଁଠି ଆମେ କିଛି ଜାଣି ନାହୁଁ । ଘୋର ମନସ୍ତାପ ଭିତରେ ଅଛୁ ଏବେ। ଏପରି ଭାବନାରେ ବୁଡି ଗଛରେ ପାଣି ଦେଉଥିଲି ତ ବୁଇ ଦଉଡ଼ି ଦଉଡ଼ି ଆସି କହିଲା, ମାଅ ମାଆ ଦେଖିବୁ ଚାଲେ ନମୁ ଭାଇ କେମିତି ହେଉଛି।

   ଜେଜେମା ନମୁ ଦାଦା ଭଙ୍ଗା କଚଡ଼ା କରୁଛନ୍ତି ଜୋର୍ ସୋର୍ କହିଲା ନାତି ଡିଲୁ।

    ବୈଶାଖ ମାସ ଟାଇଁଟାଇଁ ଖରା।ବାଡ଼ି ପଟ ଫୁଲ ବଗିଚାରେ ପାଣି ଦେଉଥିଲି । ଶାଶୁମା ଗଛ ମୂଳରୁ ଶୁଖିଲା ପତ୍ର,ଘାସ ବାଛୁଥିଲେ।ପାଣି ଡେଲିଭରି ପାଇପଟି ଫିଙ୍ଗି ଦେଇ ଗୋଟେ ନିଃଶ୍ବାସରେ ଦୌଡ଼ିଲି ଘରକୁ। ମୋ ପଛେ ପଛେ ଶାଶୁମା।


ଦେଖିଲୁ :


    ଘରକୁ ଉଠାଉଛି ପକାଉଛି ନିର୍ମାଲ୍ୟ ; ମୋ ଗେହ୍ଲା ସାନ ପୁଅ ନମୁ।କଣ ଗୋଟିଏ ଖୋଜୁଛି।ଘର ଜିନିଷ ସବୁ ଫିଙ୍ଗାଫିଙ୍ଗି କରି ଭାଙ୍ଗି ସାରି

ଲାଣି। ଗଡ଼ରେଜ୍, ବହି ଥାକ, ଡାଇରୀ ,ବେଡ୍ ,

ତକିଆ ସବୁ ଖୋଜି ଖୋଜି ନୟାନ୍ତ ହେଲାଣି।ରାଗ ସଅଁସଅଁ ଶବ୍ଦ ଶେଷକୁ କୋହ ଫୁଟା କାନ୍ଦରେ ପରିଣତ ହୋଇଗଲାଣି ତାର।

   ନମୁ ଧନ ମୋର। କଣ ଖୋଜୁଛୁ ବାବା ? କହି ତାକୁ ମାଡି ବସି କୋଳେଇ ନେଲି।

   କି ସମୟ ଆସିଛି ଅବଶ , ଅସହାୟ ଵିଵଶ ସବୁ ବାପାମାଆ ! 

   ଏ ବର୍ଷ ଏପ୍ରିଲକୁ ବର୍ଷେ ହୋଇଯିବ ନମୁ ମୁହଁରୁ କଥା ଓ ହସ କିଏ ଛଡେଇ ନେଇଛି। ଚୁପ୍ ଚାପ୍ ଗୋଟେ ଘରେ ପଡୁଛି।ଜୋର ଜବରଦସ୍ତ ତାକୁ ଟିକେ ବାରି ଘର ବୁଲେଇ ନେଲେ ବି ଅନ୍ୟ ମନସ୍କ ଥିବ।କହିବ ମାଆ ତୁ ଥା, ମୋତେ ଭଲ ଲାଗୁନି ମୁଁ ଯାଉଛି।

     ନମୁରେ କେତେ ଦିନ ଆଉ ଏମିତି ହେବୁ ? ତୁ ବୁଝିଲା ସୁଝିଲା ପୁଅ ହୋଇ ଏମିତି ହେଲେ ଆମେ ଦିଟା ଅଧା ପଢୁଆ ଗାଉଁଲି ବାପାମାଆ ଆଉ କାହାକୁ କଣ କହିବୁ ? ନିଜକୁ ମୁକ୍ତ କର।ସମୟ ସହ ଚାଲେ ଧନ।ବୁଝିବାକୁ ଚେଷ୍ଟା କର ଏ ସମୟର କଷ୍ଟ ବି ଦିନେ ଚାଲିଯିବ ବାବା।

    ମୋ କଥା ଶୁଣି ନମୁ ଆଖି ମିଟିମିଟି କରି ଚାହିଁଲା।ମୋ କାନିରେ ମୁହଁକୁ ଲୁଚେଇ କୋହ ଫୁଟେଇ କହିଲା, ମୁଁ କଣ କରିବି ମାଆ ସେ ମୋତେ ରଖେଇ ଦେଉନି?


ସେ ! କିଏ ଧନ ?


ପ୍ରୀତା ।


ପ୍ରୀତା !


   ହଁ ମାଆ ପ୍ରୀତାକୁ ଭୁଲି ପାରୁ ନାହିଁ।ତା ଆକୁଳ ଡାକ , "ନିର୍ମାଲ୍ୟ ମୋତେ ବଞ୍ଚାଅ ;ଏ ରାକ୍ଷସ ମାନେ ମୋତେ ମାରିଦେବେ " ମୋ କାନ ପାଖେ ଅହରହ ପ୍ରତିଧ୍ୱନିତ ହେଉଛି। ଛାତି ଫାଟି ଯାଉଛି ମାଆ।" ଚେଷ୍ଟା କଲେ ବି ଭୁଲି ପାରୁନି।

   ପ୍ରୀତା ମୋ ସହପାଠୀ। ଆମେ ଦୁହେଁ ଭାରି ସାଙ୍ଗ । ପ୍ରଳୟ ତାକୁ ଖୁବ୍ ଭଲ ପାଉଥିଲା। ସେ ପ୍ରଳୟକୁ ଘୃଣା କରୁଥିଲା । ସେଦିନ ଆମେ ଦୁହେଁ ସାଙ୍ଗ ହୋଇ ଫୋର୍ଥ ଇଅର୍ ଲାଷ୍ଟ ସେମିଷ୍ଟାର ପୂର୍ବରୁ କ୍ୟାମ୍ପସ ସିଲେକ୍ସନରେ ଆମକୁ ଯେଉଁ କମ୍ପାନୀ ନିର୍ବାଚିତ କରି ଜବ୍ ଅଫର କରିଛନ୍ତି ନେବୁ ନା ଉଚ୍ଚତର ପଢା ଜାରି ରଖି ବିଭିନ୍ନ କମ୍ପିଟେଟିଭ୍ ପରୀକ୍ଷା ଦେବୁ ଆଲୋଚନା କଲୁ।ସେ କହିଲା ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେବ। ମୁଁ ବି କହିଲି ଠିକ୍ ଦୁହେଁ ସେଇଆ କରିବା। ଭବିଷ୍ୟତର ଅନେକ ଯୋଜନାର ନକ୍ସା ପ୍ରସ୍ତୁତ କରି ସେ ତା ହଷ୍ଟେଲ ଓ ମୁଁ ମୋ ହଷ୍ଟେଲ ଫେରିଲୁ।

    କିନ୍ତୁ ସବୁ କଥା ଆମର କଥାରେ ରହିଗଲା।ସେଇଦିନ ରାତିରେ ତାକୁ କେହି ଉଠାଇ ନେଲେ। ସେ ଯିବା ପୂର୍ବରୁ ମୋ ପାଖକୁ ଫୋନ୍ ଅନ୍ କରି ଦେଇଥିଲା । ମୋତେ ଶୁଭୁଥିଲା ତାର ଆକୁଳ ଚିତ୍କାର। ବଞ୍ଚାଅ ,ବଞ୍ଚାଅ।ଛାଡ଼ ମୋତେ । ନିର୍ମାଲ  ବଞ୍ଚାଅ।

    ମୁଁ ମୋ ସାଙ୍ଗକୁ ନେଇ ତା ହଷ୍ଟେଲ ରେ ପହଞ୍ଚିଲା ବେଳକୁ ଦରୁଆନ୍ ଆମ କଥାକୁ ବିଶ୍ବାସ କଲେ ନାହିଁ।ବରଂ କିଛି ଖରାପ କରିବା ଉଦ୍ଦେଶ୍ୟରେ ଆମେ ନାଟକ କରୁଛୁ ବୋଲି କହି ଘଉଡ଼ାଇ ଦେଲେ। ପ୍ରୀତା ସାଙ୍ଗ ମଞ୍ଜୁକୁ ଫୋନ୍ ଲଗେଇ ସବୁ କଥା କହିଲୁ । ହଷ୍ଟେଲ ମଧ୍ୟରେ ନିମିଷକ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇ

ଗଲା। ଦୋଷ ନ ଥାଇ ମୋତେ ଓ ମୋ ସାଙ୍ଗକୁ ପୋଲିସ ଧରିନେଲା। ରାତିସାରା ପଚରା ପଚରି କରି ସେମାନଙ୍କ ହୃଦବୋଧ ହେଲା କି ଆମେ ପ୍ରକୃତ ଆସାମୀ ନୋହୁଁ ।

   ଚାରିଦିନ ଯାଏ ପ୍ରୀତା ଖୋଜ ଖବର କେହି କିଛି ପାଇଲେ ନାହିଁ। ତାପରେ ପ୍ରୀତା ମିଳିଲା ଯାହାର ଶବ ଚିହ୍ନଟ କରିବା ଅତି କଷ୍ଟ ଥିଲା। ରାକ୍ଷସ ଗୁଡାକ ତା ମୁହଁକୁ ଛୁରୀରେ ପଟାପଟା କରି ଚିରି ଦେଇଥିଲେ। ଗୋଟିଏ ଛାତି କାଟି ଦେଇଥିଲେ।ପେଟ ପଥର ଚାପି ଫଟେଇ ଅନ୍ତ ବିଜୁଳା ବାହାର କରି ଦେଇଥିଲେ। ବାହୁରେ ସେ ଯଦି "ପ୍ରୀତା କିରଣ" ଟାଟୁ କରି ନଥାନ୍ତା ସେଇଟା ଯେ ପ୍ରୀତା ଶବ ଚିହ୍ନଟ କରିବା ଅସମ୍ଭବ ହୋଇ ଯାଇଥାନ୍ତା । ଆଜି ମୁଁ ଥରେ ପ୍ରୀତା କୁ ହଜେଇ ଦେଲି ମାଆ। 

   କେହି କିଛି ବୁଝି ପାରୁ ନଥିଲୁ। ମଲା ପ୍ରୀତା ପୁଣି ହଜିଲା କେମିତି ?

   ଡାକ୍ତରଙ୍କ କହିବା ଦିନଠୁ ପରିବାରର ପ୍ରତ୍ୟେକ ବ୍ୟକ୍ତି ନମୁ ଇଚ୍ଛାନୁଯାୟୀ କାମ କରୁଥିଲୁ।କୌଣସି କାମରେ ବାଧ୍ୟ ବାଧକତା କରା ଯାଏନି ।ଏବେ ଟିକେ ଟିକେ ସ୍ୱାଭାବିକ ଆଡ଼କୁ ଗତି କରୁଥିଲା। ଆଜି ହଠାତ୍ କଣ ହେଲା ଏମିତି ହେଉଛି।ଭୟରେ ଛାନିଆଁ ହୋଇଗଲେ ସମସ୍ତେ।

   ଡରିକି ତା ପାଖକୁ ବେଶୀ କେହି ଯାଆନ୍ତି ନାହିଁ।କେବଳ ମୁଁ ହିଁ ତା ପାଖେ ପାଖେ ଥାଏ । ଶୋଇଥିଲା ବାରି ପଟକୁ ଟିକେ ଯାଇଛି କି ନାହିଁ ତୁମୁଳ କାଣ୍ଡ କଲାଣି !

    ନମୁ ଧନ ମୋର କଣ ହୋଇଛି ? ମୋ ବାପା ମୋତେ ଏଇଲେ କହିଦେବ କହି ତାକୁ କୋଳକୁ ଆଣିଲି।ସେ କାନ୍ଦୁଥିଲା କୋଳି ମିଛି ହୋଇ ସେତେବେଳେକୁ। କଣ ହୋଇଛି କହିଲୁ ବାବୁ।କାହିଁକି କାନ୍ଦୁଛୁ?


ମୋତେ ସେ ଆହୁରି ଜୋରେ ଭିଡି ଧରିଲା।ମାଆ.. ମାଆ


ହଁ କଣ କହ ବାବା ?


ମୋର ସେଇଟା ପାଉନାହିଁ।


ସେଇଟା ?

  ହଁ ସେଇଟା।ମୁଁ ତାକୁ ଭାରି ଭଲ ପାଏ।ମୋ ପାଖରେ ତକିଆ ତଳେ ସବୁବେଳେ ରଖିଥାଏ। ଆଜି ସେଇଟି ନାହିଁ।କୁଆଡେ ଚାଲି ଯାଇଛି। ମୋର ସେଇଟା ଦରକାର ମାଆ।ମୋତେ ସେଇଟା ଆଣି ଦିଅ ।

   ହଁ ... ହଁ ଧନ ତୋତେ ସେଇଟା ଦିଆ ହେବ।ହେଲେ ତୁ ପ୍ରଥମେ କହତ ସେଇଟା କଣ?

   ତକିଆ ତଳେ ରଖିଥିଲି।ସେଇଟା ହିଁ ପ୍ରୀତାର ଶେଷ ଗିଫ୍ଟ ଥିଲା ମୋ ପାଇଁ।ମୋତେ ଖୋଜି ଦିଅ ମାଆ।

   ଘର ଲୋକେ ସମସ୍ତେ ଦୁଆର ମୁହଁରେ ଠିଆ ହୋଇ ନମୁ କଥା ଶୁଣି ଭାବୁଥିଲେ ସତ ସତିକା ଏମିତିଆ ଭେଣ୍ଡା ପୁଅଟା ପାଗଳ ହୋଇଗଲା ଜାଣ। ସମସ୍ତଙ୍କ ଆଖିରେ ଲୁହ।

   ସମସ୍ତଙ୍କୁ ଠେଲିପେଲି ଡିଲୁ କହିଲା, ଦାଦା ଦେଖିଲ ତୁମର ସେଇଟା ଏଇ ନୁହେଁ ତ ! ଟଏଲେଟ୍ ରେ ପଡିଥିଲା।

    ସମସ୍ତେ ଉତ୍ସୁକତାରେ ଡିଲୁ ଆଡକୁ ଅନେଇଁ କହିଲେ


ରୁମାଲ୍ !!!


ଏଇ ରୁମାଲ୍ ଟା ପାଇଁ ଏତେ କଥା !


  ନମୁ ଡିଲୁ ହାତରୁ ସେଇଟା ଝାମ୍ପି ନେଇ କହିଲା, ତୁମେ ସମସ୍ତେ ଭାବୁଛ ମୁଁ ପାଗଳ ନା ? ମୁଁ ପାଗଳ କାଇଁକି ହେବି!!


   ବଞ୍ଚିଥିବା ଯାଏ ଆଉ ତ ପ୍ରୀତାକୁ ଦେଖି ପାରିବି ନାହିଁ।କିନ୍ତୁ ତା ହାତ ତିଆରି ଏଇ ଗୋଲଡ଼ନ୍ କଲର୍ କପଡା ଉପରେ ନୀଳ ରଙ୍ଗର ଲେଖା ମୋ ନାଁ ଟି ତ ଯେତେ ଦିନ ସମ୍ଭବ ସାଇତି ରଖି ପାରିବି। ଏ ରୁମାଲ୍ ଛୁଇଁଲେ ପ୍ରୀତା କୁ ଅନୁଭବ କରେ। ସେ ମୋ ଆଗରେ ଆସି ଠିଆ ହୁଏ। କଥା କୁହେ।


   ଏ ରୁମାଲ୍ ନୁହେଁ ମୋ ସାଙ୍ଗର "ଶେଷ ସନ୍ତକ" କହି ରୁମାଲ୍ଟିକୁ ଗାଲରେ ଲଗାଇ ଗେଲ କରୁଥିଲା ନମୁ।


Rate this content
Log in

Similar oriya story from Tragedy