ସବୁଜ ସକାଳ
ସବୁଜ ସକାଳ
ତୁ କଲେଜ କି କୋଚିଂ କ୍ଳାସ ଯାଉନୁ କାହିଁକି ଅଂଶୁ?
ଯିବିନି।
କାହିଁକି !
ଦେଖି ପାରୁନୁ କେତେ ଗରମ ! ମୁଁ ସହି ପାରୁନି। ଏଇଠି କେତେ ଦିନ ହେବ ଖେଳିବାକୁ ଯାଉନି ପରା ସେଥିପାଇଁ। ମୋ ଦେହ ମୁଣ୍ଡ କଣ ହୋଇ ଯାଇଛି ବାହାରକୁ ଗଲେ।
ଆରେ ମୁଣ୍ଡ ଉପରେ ପରୀକ୍ଷା ପରା ?
ମୁଁ ସେ ପରୀକ୍ଷା ଫରିକ୍ଷା ଦେବିନି ଯା କହି ମୋତେ ଠେଲି ବାହାରକୁ ବାହାର କରିଦେଇ ତା ଏସି ରୁମ୍ ବନ୍ଦ କରିଦେଲା ।
ହେଇଟି ଶୁଣୁଛ ! ଅଂଶୁ ଗରମ ହେଉଛି ବୋଲି କଲେଜ,କୋଚିଂ କି ଖେଳ ପଡ଼ିଆକୁ ଆଉ ଯାଉନି।ଏସି ଭିତରେ ଦିନ ରାତି ବସିଛି।
ମିସେସ୍ ଙ୍କ କଥା ଶୁଣି ଦୀର୍ଘଶ୍ବାସ ଟିଏ ବାହାରି ଆସିଲା। ଗରମ ସେମିତି ହେଉଛି। ଅଂଶୁ ପରି ପିଲା ଯେଉଁମାନେ କେବେ ଖରା କି ତରା ସହିବା ଶିଖି ନାହାନ୍ତି ଏ ଅସହ୍ୟ ଗରମ ସହନ୍ତେ କେମିତି ! ପାରଦ ସ୍ତମ୍ଭ ପଇଁଚାଳିଶ ଉପରେ। ଜଳି ଯିବା ପରି ଅବସ୍ଥା । ଏଥିପାଇଁ ଦାୟୀ ମୋ ପରି କେତେକ ମଣିଷ। ନିଜ ସ୍ୱାର୍ଥ ପାଇଁ କେତୁଟା ଟଙ୍କା ପାଇଁ ଆମେ ଏପରି ବିପର୍ଯ୍ୟୟ ଡାକି ଆଣୁଛନ୍ତି। ମନେ ପଡ଼ିଲା :
ସେଦିନ ଖୁସିରେ ଫାଟି ପଡ଼ିଥିଲି ତାକୁ ହତ୍ୟା କରିବା ବଦଳରେ ବିଡ଼ା ବିଡ଼ା ନୋଟ୍ ବ୍ୟାଙ୍କ ଖାତାକୁ ମୋର ଆସି ଯାଇଥିଲା ବୋଲି।
କିନ୍ତୁ ଏବେ ...
ଏବେ ଖୋଜୁଛି ତାକୁ।ଯାହାକୁ ଏଇ ହାତରେ ଲୋଭ ବଶବର୍ତ୍ତୀ ହୋଇ ନାଶ କରିଥିଲି।ବାପା ବାରଣ କରି କହିଥିଲେ, "ଏମିତି କରନି ରେ ଅଜୁ। ପଛରେ ପସ୍ତେଇବୁ। ମା ବି କେତେ ନେହୁରା ହୋଇଥିଲା ନୃଶଂସ କାମ ନ କରିବାକୁ।କାହାର ବାରଣ କି ଅନୁରୋଧ ମୁଁ ଶୁଣି ନଥିଲି।ନିଷ୍ଠୁର ଭାବେ କାଟି ଟିକ୍ ଟିକ୍ କରି ତଳେ ଗଡେଇ ଦେଇଥିଲି ସଭିଙ୍କୁ। ହା ହା ମୁଁ ଅଜୟ। ମୋ ଦ୍ୱାରା ସବୁ ସମ୍ଭବ।ଏଇ ଦେଖ କରିଦେଲି ଅସମ୍ଭବ କାମକୁ ସମ୍ଭବ।
ସେଦିନ ଭାବି ନଥିଲି ମୁଁ ଯା ପାଇଁ ବଞ୍ଚୁଛି ବା ବଂଛିବି ସେ ଦେଉଥିଲା, ଯାହାକୁ ନିର୍ଦ୍ଦୟ ଭାବେ ହତ୍ୟା କଲି। ସଫା କରିଦେଲି କାଟିକୁଟି।
ବାପାଙ୍କ ହାତ ଲଗା ଘର ପାଖ ଦୁଇ ଏକର ଜମି ଉପରେ ଠିଆ କୃତ୍ରିମ ଜଙ୍ଗଲ ଓ କେତୋଟି ଜଙ୍ଗଲିଆ ଅରମା ଗଛ ଗୁଡିକ ମଣିଷ ଲଗାଇ ଯନ୍ତ୍ର ଦ୍ୱାରା କଚ୍ କାଚ୍ କାଟି ଦେଇ ଗଲି।ଗଛ ଗୁଡିକ ଆର୍ତ୍ତନାଦ କରି ଅବେଳେ ଆଖି ବୁଜି
ଦେଲେ ମୋରି ଆଗରେ।ଦିନ କେଇଟାରେ ସବୁ ସଫା ହୋଇଗଲା। ଗୋଟିଏ ବି ଗଛ ରଖିଲି ନାହିଁ।ସେ ଜାଗାରେ ଠିଆ କରେଇଲି ମହଲା ପରେ ମହଲା କୋଠା। ଗୋଟେ ନର୍ସିଂ ହୋମ୍, ଗୋଟେ ବ୍ୟାଙ୍କ, ଗୋଟେ ପାଉଁରୁଟି ଫାକ୍ଟ୍ରି ,ଗୋଟେ ସପିଙ୍ଗ୍ ମଲ୍ ଓ ଛଅ ଜଣ ବଡ଼ ଅଫିସରଙ୍କୁ ଘର ତକ ଭଡାରେ ଦେଲି।ପ୍ରତି ମାସ ଶେଷରେ ମୋ ବ୍ୟାଙ୍କ ଖାତାକୁ ଲକ୍ଷଲକ୍ଷ ଟଙ୍କା ଡିପୋଜିଟ୍ ହୋଇ ଯାଉଥିଲା।ବ୍ୟାଙ୍କ ବାଲାନ୍ସ ବଢ଼ୁଥିଲା ସଞ୍ଜୟ ଖାତା ଅଙ୍କର ଡାହାଣ ପଟେ ଶୁନ ବଢ଼େଇ ବଢ଼େଇ।
ବାପାଙ୍କୁ ଦିନେ ପାସ୍ ବୁକ୍ ଦେଇ କହିଲି ଦେଖ ବାପା ଅରମା ଜଙ୍ଗଲ ହୋଇ ଅଦରକାରୀ ଭାବେ ପଡ଼ିଥିବା ଜମି କେତେ ରୋଜଗାର ଦେଉଛି ! ଏ ପାସ୍ ବୁକରେ ଏତେ ଟଙ୍କା ଦୁଇ ବର୍ଷ ଭିତରେ ଜମା ହେଲାଣି ଯେ ତୁମେ ହିସାବ କରି ପାରିବ ନାହିଁ।ତୁଚ୍ଛାଟାରେ ପଡିଥିବା ଜମିରୁ ଗଛବୃଛ କାଟିଦେଲା ପରେ କେତେ ମାଲା ମାଲ୍ ହେଉଛି !!
ବାପା ଅତ୍ୟନ୍ତ କ୍ଷୋଭର ସହ କହିଥିଲେ , ଅଜୁରେ ଆଜି ତୁ ଅର୍ଥାନ୍ଧ ହୋଇ ଯାଇଛୁ।ଭଲ କି ଭେଲ ବୁଝି ପାରୁନୁ।ଟଙ୍କା ଜୀବନ ବଞ୍ଚାଏନି ଧନ।ତୁ ଯାହାକୁ ତୁଚ୍ଛାଟାରେ ଅଦରକାରୀ ପଡିଥିଲା କହୁଛୁ ମୁଁ ସେଠି ଜୀବନ ପାଇଁ ଅମ୍ଳଜାନ ରୂପକ ପ୍ରାକୃତିକ "ସଂଜୀବନୀ" ସୃଷ୍ଟି କରୁଥିଲି।ଯାହାକୁ ଶ୍ବାସକ୍ରିୟା କରି ଆମେ ବଞ୍ଚୁଛେ। ତୋ ଅପେକ୍ଷା ମୁଁ ଅଧିକ ରୋଜାଗର କରୁଥିଲି।ଫରକ୍ ଏତିକି ତୋ ରୋଜଗାର ମୋଟା ଅଙ୍କ ହୋଇ ଦିଶିଲା ବେଳେ ମୋ ରୋଜଗାର ପବନ,ପାଣି ହୋଇ ଜୀବ ଓ ଜଗତର କଲ୍ୟାଣ କାରୀ ହେଉଥିଲା। ଏବେ ସିନା ତୁ ବୁଝି ପାରୁ ନାହିଁ ସମୟ ଆସିବ ବୁଝି ପାରିବୁ ଯେ ନିଜ ଗୋଡ଼ରେ କେମିତି କୁରାଢ଼ି ମାରିଛୁ।
ଏବେ ବାପା ନାହାନ୍ତି ସଶୀରରେ କିନ୍ତୁ ତାଙ୍କ କଥା ମନେ ପଡୁଛି ଗୋଟି ଗୋଟି।ନିରାଟ ସତ କଥାଟିଏ କହିଥିଲେ ସେ। ବାପାଙ୍କ ହାତ ତିଆରି ଜଙ୍ଗଲ ଧ୍ୱଂସ କରି ମୁଁ ମୋ ସହିତ ସମଗ୍ର ଜୀଵ ଜଗତର ଅମଙ୍ଗଳ କଲି।ଅର୍ଥ ମୋହ ମୋତେ ବାଟ ବଣା କଲା। ଗଛ ମାନେ ସିନା ଲକ୍ଷଲକ୍ଷ ଟଙ୍କା ଦିଅନ୍ତି ନାହିଁ, କିନ୍ତୁ ବଞ୍ଚାନ୍ତି ଜୀବ ଜଗତ ଖାଦ୍ୟ, ବସ୍ତ୍ର, ,ବାସଗୃହ ଓ ବଞ୍ଚିବା ପାଇଁ ଅମ୍ଳଜାନ ଦେଇ। ପୃଥ୍ୱୀକୁ ବର୍ଷା ଦିଅନ୍ତି ,ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରନ୍ତି । ତାପମାତ୍ରା ସନ୍ତୁଳିତ କରନ୍ତି । ଡହକ ତାତିରୁ ବଞ୍ଚାନ୍ତି ସମଗ୍ର ବିଶ୍ୱ । ମୁଁ କେତେ ମୂର୍ଖ ଥିଲି ସବୁଜ ଜଙ୍ଗଲ ଧ୍ୱଂସ ସ୍ତୁପ ଉପରେ କଂକ୍ରିଟ ଜଙ୍ଗଲ ଠିଆ କରେଇ ପୃଥିବୀ ମା କୁ ଶ୍ରୀହିଁନ କରିଦେଲି !! ତା ସହ ନିଜ ଧ୍ୱଂସ କୁ ବରଣ କଲି ! ଧିକ୍ ମୋ ମଣିଷ ଜନ୍ମ।କି ଅନ୍ଧାରରେ ଅଜି ଯାଏ ଥିଲି !
ବାପା ତୁମେ ସତ କହିଥିଲ, ଟଙ୍କା ଜୀବନ ବଂଚାଏନି।ବଂଚାଏ ଟିକେ ଅମ୍ଳଜାନ। ଏବେ ସଭିଙ୍କ ପାଖରେ ଟଙ୍କା ପ୍ରଚୁର ଅଛି କିନ୍ତୁ ଟଙ୍କା ବିନିମୟରେ ଅମ୍ଳଜାନ ଟିକେ ମିଳୁନି। କିମ୍ବା ତାତିରୁ ତ୍ରାହି ମିଳୁନି।ଦିନୁ ଦିନ ପାରଦ ସ୍ତମ୍ଭ ବଢି ବଢି ଜାଳୁଛି ଜଗତ।
ନିଜ ହାତରେ ତ ସବୁ ଶେଷ କରି ଦେଇଛି।ଏବେ ଯେତେ ମୁଣ୍ଡ କୋଡ଼ିଲେ କଣ ହେବ ? ମହାମାରୀ କବଳରୁ ହେଉ କି ଅସହ୍ୟ ତାତି କିମ୍ବା ଅଂଶୁଘାତରୁ ବଞ୍ଚିଲେ ସିନା ନିଜ ଭୁଲର ପ୍ରାୟଶ୍ଚିତ କରିବି !
ଓଃ ଅମ୍ଳଜାନ ଟିକେ ଦିଅ।ଖୁବ୍ କଷ୍ଟ ନିଃଶ୍ବାସ ନେବାରେ। ମରିଯିବି ଓଃ ରକ୍ଷା କର।
କି ତାତି ! ପୃଥୀ ଜଳି ଯିବ।ରକ୍ଷା କର ରକ୍ଷାକର।
ହେ ଅମ୍ଳଜାନ ତୁ ରାଗେନି।କୁଆଡେ ଅଛୁ ଆ।କଥା ଦେଉଛି ଗଛ ତ ଗଛ ପତ୍ରଟିଏ ବି ଛିଣ୍ଡେଇବିନି ଯଦି ବଞ୍ଚିଯାଏ।
ଆଜି ଜୀବନ ମରଣ ସହ ଯୁଦ୍ଧ କଲା ବେଳେ ଅମ୍ଳଜାନ ଟିକେ ମିଳୁନି। ବାପା ତୁମେ ଖୁବ୍ ମନେ ପଡୁଛ।ମନେ ପଡୁଛି ତୁମ ପ୍ରତିଟି ନିରାଟ ସତ୍ୟ କଥା।ଏବେ ମୁଁ ମୋ ଭୁଲ୍ ବୁଝି ପାରିଛି।ଯଦି ମୃତ୍ୟୁ ମୁହଁରୁ ବର୍ତ୍ତୀ ଯାଏ ତେବେ କଥା ଦେଉଛି ବାପା ଏ ସୁନ୍ଦର ପୃଥିବୀକୁ ସବୁଜିମା ଭରି ଦେବି।ସମଗ୍ର ଜୀଵ ଜଗତ ପାଇଁ ପ୍ରାକୃତିକ ଅମ୍ଳଜାନ ରୂପକ ସଂଜୀବନୀ ସୃଷ୍ଟି କରିବି।
ଈଶ୍ୱର ବୋଧେ ମୋ ଡାକ ଶୁଣି ପାରିଲେ। ମୁଁ ସମ୍ଭାବ୍ୟ ମୃତ୍ୟୁ ମୁଖରୁ ବଞ୍ଚିଗଲି।ଏବେ ମୋର କେବଳ ଗୋଟିଏ ଲକ୍ଷ, ପୃଥିବୀକୁ ସବୁଜ କରିବି। ଯେତେ ଯୁଆଡେ ଖାଲି ଜାଗା ଅଛି ସବୁଠାରେ ଗଛ ହିଁ ଲଗାଇବି।ପ୍ରାକୃତିକ ଅମ୍ଳଜାନରେ ଭରିଯିବ ପୃଥିବୀ ଘର।ଜୀଵ ଜଗତ ଅମ୍ଳଜାନ ରୂପକ ସଂଜୀବନୀ ପାଇ ଖୁସିରେ ବଂଛିବେ। ତାତି ଡହକ ଅପସରି ଯିବ।
ଲୋକେ ମୋ କାମ ଦେଖି କହୁଥିଲେ ଅଜୟ ବାବୁ ଟା ମରଣ ମୁହଁରୁ ବଂଚିଗଲେ ସିନା ହେଲେ ପାଗଳ ହୋଇ ଯାଇଛନ୍ତି।ଦେଖୁନ ଯେଉଁଠି ଟିକେ ଫାଙ୍କା ଜାଗା ପାଉଛନ୍ତି ସେଠି ଗଛ ଆଣି ଲଗାଉଛନ୍ତି।
ଲୋକଙ୍କ କଥା ଶୁଣି ହସି କୁହେ, ହଁ ମୁଁ ପାଗଳ ହୋଇ ଯାଇଛି। ତୁମେମାନେ ବି ମୋ ପରି ପାଗଳ ହୁଅ।ନିଜକୁ ଧ୍ୱଂସ ମୁଖରୁ ବଞ୍ଚାଅ।ଅମ୍ଳଜାନ ରୂପି ସଂଜୀବନୀ ଓ ତାତି ଡହକରୁ ବଞ୍ଚି ପରିବେଶ ବିଶୁଦ୍ଧ ରଖି ଠିକ୍ ସମୟରେ ବର୍ଷା ଟୋପେ ପାଇବାକୁ ହେଲେ ଯିଏ ଯୁଆଡେ ପାଉଛ ଗଛ ଲଗାଇ ଯାଅ।
ଅଜୟ ବାବୁଙ୍କ କଥାରେ ଫିଟି ଆସୁଥିଲା ସବୁଜିମା ପୃଥୀ ଗଢିବାର ସୁନ୍ଦର ସବୁଜ ସକାଳଟିଏ।