ବର୍ଷାଭିଜା ଦିନଟିଏ
ବର୍ଷାଭିଜା ଦିନଟିଏ


ବାହାରେ ବର୍ଷା ଛାଡିବା ନାଁ ନେଉ ନଥିଲା।ଭିତରେ ମୋର ଦାନା ବାନ୍ଧୁଥିଲା ବିଶ୍ୱାସ। ଏବର୍ଷା ଛାଡିବ ହଁ ଛାଡିବ।କିନ୍ତୁ ଦଶଟା ହେଲେ ବି ଛାଡିଲା ନାହିଁ।କଣ କରିବି ? ଯାଇ ପାରିବି ନାହିଁ ସତରେ ! ଏ କେମିତି ହେବ। ମୋତେ ପ୍ରଥମେ ନିମନ୍ତ୍ରଣ ହୋଇଛି ଯେ ! ଏ ଡାକରା ଆଗରେ ବର୍ଷା ମୋତେ ଡରେଇବ !
ଭିଜିଭିଜି ମୋ ମିଷ୍ଟରଙ୍କୁ ନେଇ ଗଲି।
ଘଣ୍ଟାରେ ସାଢେ ବାର।
ମୁଁ ପହଞ୍ଚିଲା ବେଳକୁ କେହି ଥିବେ ତ ?
ପୁଣି ଟପ୍ ଟପ୍ ବର୍ଷା ବାଟ ଓଗାଳିଲା ରାସ୍ତା। ରାସ୍ତା ପାଇଲି ନାହିଁ ଇପ୍ସିତ ଠିକଣାର।
ହାଲୋ ଶର୍ମିଷ୍ଠା ! କେଉଁଠି ସେ ମନ୍ଦିର ? ବାଟ ପାଉ ନାହିଁ।( ଏ ହିରୋଇନ୍ ଗାଳ୍ପିକା ଶର୍ମିଷ୍ଠା)
ଲୋକେସନ୍ ଦେଖି ଆସ।
ଜାଣି ପାରୁନିରେ କହି ଫୋନ୍ କାଟିଲି ।
ଠେଲା ଗାଡି, ରାସ୍ତା କଡ଼ ଦୋକାନ ପଚାରି ପଚାରି ଶେଷରେ ଜଣେ ସୁହୃଦ ବ୍ୟକ୍ତିଙ୍କୁ ମୋ ଫୋନ୍ ଟି ଦେଖେଇ ଲୋକେସନ୍ ଚିହ୍ନଟ କରିବାରେ ସାହାଯ୍ୟ ମାଗିଲି । ସେ ମୋତେ କହିଲେ କରିଦେଲି।ଏହାର ନିର୍ଦ୍ଦେଶ କ୍ରମେ ଯାଅନ୍ତୁ।
ନିର୍ଦ୍ଦିଷ୍ଟ ଲୋକେସନ୍ ରେ ପହଞ୍ଚିଲେ ବି ମନ୍ଦିର ପାଇଲି ନାହିଁ।
ହାଲୋ ଶର୍ମିଷ୍ଠା ଆରେ କେଉଁଠି ମନ୍ଦିର ? ଏଠି କଣ ମହାନଦୀ ଭବନ ଲେଖା ହୋଇଛି ?
ହଁ ହଁ ଏଇଠି ଆସ।
ତୁମେ ଟିକେ ବାହାରକୁ ଆସ ତ ଜାଣି ପାରୁ ନାହିଁ।
ଆରେ ହଁ ହଁ ଆସନ୍ତୁ ମୁଁ ଆପଣଙ୍କୁ ଦେଖି ପାରୁଛି।
ଥ୍ୟାଙ୍କ ଗଡ୍ ପହଞ୍ଚି ଗଲି ମୋ ଅନେକ ସମୟ ଧରି ଓଦା ହୋଇ ଖୋଜୁଥିବା କପିଟିଆ ଜଗନ୍ନାଥ ସ୍ଥଳ। କେତେ ବୁଲାଇଲାଣି ମୋତେ ହୋ!
ଶର୍ମିଷ୍ଠା ତାଙ୍କ ସ୍ଥାନକୁ ଯାଇ ମୋତେ ପଛ ପଟେ ଯିବାକୁ କହିଲେ । ଭିତରକୁ ଯାଉ ଯାଉ ଭେଟ ହେଲେ ପ୍ରତିମା ମାମ୍।
ୱାଓ !ଫଟୋ ଅପେକ୍ଷା ଆପଣ ଆହୁରି ସୁନ୍ଦର ଆହୁରି ୟଙ୍ଗ ଲାଗୁଛନ୍ତି ମାମ୍ ?
ଟିକିଏ ହସିଦେଲେ ମୋ କଥା ଶୁଣି ସେ। ଖୁବ୍ ରିଜର୍ଭ ତାଙ୍କ ବ୍ୟକ୍ତିତ୍ୱ କିନ୍ତୁ ହସ ହସ ମୁହଁ।
କେହି ଜଣେ ଆସି ମୋ ପାଦ ଛୁଉଁ ଛୁଉଁ ମୁଁ ମୁହଁ ଟେକି ଦେଖିଲି ତ କିଏ ? ସଖୀ କଣ୍ଢେଇ !(ଶ୍ଵେତପଦ୍ମା ମୈତ୍ରେୟୀ ) ଛାତିରେ ଲଗେଇ ନେଲି।
ଆଉ ଜଣେ ଆସି ହସିଦେଲେ।ସତ୍ୟବତୀ ମାମ୍ ?
ଶର୍ମିଷ୍ଠା ମହାପାତ୍ର ( ଆଉ ଜଣେ ଶର୍ମିଷ୍ଠା ମହାପାତ୍ର)।
ଆଜ୍ଞା। ମୋ ପରି ମଣିଷଙ୍କୁ କେହି ନ ଦେଖି ଚିହ୍ନି ପାରୁଛନ୍ତି ! ବିସ୍ମିତ ହେଲି।
ସଭା ଶେଷରେ କଥା ହେବା ସେ କହିଲେ।
ମୁଣ୍ଡ ହଲେଇ କହିଲି ହୁଁ।
ଓ ହୋ ହୋ ମଞ୍ଚ ଉପରେ ସସ୍ମିତା ଅପା ଓ ନିମନ୍ତ୍ରିତ ଅତିଥିମାନଙ୍କ ସହ କିଏ ଦିଶୁଚନ୍ତି !
ମିଠା ଦି( ମିତା ପଟ୍ଟନାୟକ) ! ଯାହାଙ୍କୁ ସ୍ୱ ଚକ୍ଷୁରେ ଦେଖିବା ଗୋଟିଏ ସ୍ୱପ୍ନ ଥିଲା।
ପୁଣି ନାଁ ଡକା ଗଲା ମାନମୟୀ ରଥ ଆସି କିଛି କୁହନ୍ତୁ ସସ୍ମିତାଙ୍କ ଗପ ବିଷୟରେ।
ଆଁ.. ମାନମୟୀ ବି !!
ଏଣେ ଦେଖ ତ କିଏ ଆସିଲେଣି ?
କବୀ ପଦ୍ମଜା ଶରଣ !
ଭାରି ଭଲ ଲାଗେ ତାଙ୍କ କବିତା।
ମୁଁ ବୋଧେ ବହୁ ବିଳମ୍ବରେ ସମସ୍ତଙ୍କ ପଛରେ ପହଞ୍ଚି ଥିଲି ସେଠି ଓଦାମୋଦା ହୋଇ। ସବୁ କଷ୍ଟ ଛୁ ଛୁ ମନ୍ତର ହୋଇଗଲା ଏତେ ବଡ଼ ବଡ଼ ସାହିତ୍ୟିକଙ୍କୁ ଦେଖି ,ଛୁଇଁ।
ଆହୁରି ଭେଟିଲି ସତ୍ୟଙ୍ଗ ଚ ଅପ୍ରିୟଙ୍ଗ ଚ ଛୁଆଇ ଅଭିଜ୍ଞାନ ସାହୁ,ପିନୁଙ୍କୁ।ତାଙ୍କ ମିସେସ୍ ବବିତାଜୀଙ୍କୁ, ପ୍ରବୀଣ କବି ପ୍ରସନ୍ନଙ୍କୁ , ମିନାକ୍ଷୀ ଅପାଙ୍କୁ। ହିରଣମୟୀ ମାମ୍ ଙ୍କୁ , ଅତି ସରଳ ବିଚକ୍ଷଣ ପ୍ରତିଭା ସୁଷମା ମାମ୍ ଙ୍କୁ ।ଆହୁରି ଅନେକ ଚିହ୍ନା ଅଚିହ୍ନା ମୋର ପ୍ରିୟ ସର୍ଜନା ମଗ୍ନ ମଣିଷଙ୍କୁ ।ଯାହାଙ୍କୁ ମନ କହୁଥିଲା ଥରେ କେବେ ଭେଟ ହୁଅନ୍ତା କି !
ଶୁଣିଲି ପ୍ରଣମ୍ୟ ପୂଜ୍ୟ ଶ୍ରେଷ୍ଠ ଗାଳ୍ପିକ ମହୋଦୟ ରାମଚନ୍ଦ୍ର ବେହେରାଙ୍କୁ। ଶେଷରେ ସେ ତିନୋଟି ପ୍ରଶ୍ନ ଆମ ପାଇଁ ଛାଡି ଦେଇ ତାଙ୍କ ବକ୍ତବ୍ୟ ଶେଷ କଲେ।ପ୍ରଶ୍ନ ତିନୋଟି ହେଲା :
1. ଆପଣ ମାନେ କାହିଁକି ଲେଖନ୍ତି ?
2. ଆପଣ କିପରି ଲେଖନ୍ତି ?
3. କେଉଁ ବିଷୟରେ ଲେଖନ୍ତି ?
ମୋ ପରି ତୁଚ୍ଛ ମଣିଷ ମୁଣ୍ଡରେ ଚକ୍କର କାଟିଲା ଏ ପ୍ରଶ୍ନ।
ରୁହନ୍ତୁ ରୁହନ୍ତୁ ଏସବୁ କଣ ଲେଖୁଛି ଜାଣିବେ ନାହିଁ !
ଏ ଥିଲା ମୋ ସର୍ବଶ୍ରେଷ୍ଠ ପ୍ରିୟତମ ଅଜୟ ସାରଙ୍କ ଜନ୍ମ ଦିନ ଅବସରରେ( ଯିଏ ଦିବଂଗତ) ତାଙ୍କ ଧର୍ମ ପତ୍ନୀ ସସ୍ମିତା ମହାନ୍ତିଙ୍କ "କଥା କୋଲାଜ " ଗଳ୍ପ ସଂକଳନ ଉନ୍ମୋଚନର ଶୁଭ ଅଭୁଲା ନିଆରା ମୁହୂର୍ତ୍ତର ମୋ ଆଖି ଦେଖା ଅନୁଭବ।
ପ୍ରିୟ ଅପା !
ତୁମର ଅଜୟ ସାରଙ୍କ ପ୍ରତି ଥିବା ଅକଳନ ପ୍ରେମର ଗଭୀରତା ମାପିବା ମୋ ଦେଇ କଣ ସମ୍ଭବ ! ତୁମର ଏ ସମର୍ପଣ ଭାବ ,ସମୁଦ୍ର ଭର୍ତ୍ତି ପ୍ରୀତି ,ଆକାଶେ ଶ୍ରଦ୍ଧା ସମ୍ମାନ ଦେଖି କେହି କହିବ ଅଜୟ ସାର୍ ତୁମ ସହ ନାହାନ୍ତି ! ଅପା ଲୋ ! ତୁମ ସ୍ତ୍ରୀ ଧର୍ମ ପାଖରେ ମୋର ମଥା ଲୋଟା ପ୍ରଣାମ।
ଆଜି ତା 25. 6. 2023 ରିଖଟି ମୋ ଜୀବନର ଏକ ଅମୂଲ୍ୟ ଅଭୁଲା ଦିନ ହୋଇ ରହିବ ଅପା।
ଭାବୁଛି ବର୍ଷାକୁ ଡରି ଆଜି ଯଦି ମହାନଦୀ ବିହାର ଜଗନ୍ନାଥ ମନ୍ଦିରରେ ହେଉଥିବା ସସ୍ମିତା ଅପାଙ୍କ" କଥା କୋଲାଜ " ଆସରକୁ ଯାଇ ନ ଥାନ୍ତି ସତରେ କେତେ କଣ ମିସ୍ କରି ଥାନ୍ତି !
ସ୍ପେଶାଲ ଥ୍ୟାଙ୍କସ୍ ତୁମକୁ ଗାଳ୍ପିକା ଶର୍ମିଷ୍ଠା ମହାପାତ୍ର।ତୁମେ ଥିଲ ବୋଲି ମୁଁ ମୋ ଅସ୍ତିତ୍ୱକୁ ଅନୁଭବୀ ପାରିଲି।