ଫୁଲେଇ
ଫୁଲେଇ


ଝିଅ ଗୁଡା ଏତେ ଫୁଲେଇ ହୋଇଥାନ୍ତି କାହିଁକି ? କି ନଖରାମୀରେ ବାବା ! କେଉଁ ପୁଅଟିକେ ଭାଉ ଦେଲେ ଚଢିଯିବେ ମୁଣ୍ଡରେ !
ଆଉ ସେ ଝିଅଟା କି ଯେ ଫୁଲେଇ,ଚଗଲି ଭାବିଲେ ବ୍ୟସ୍ତ ଲାଗେ।ବ୍ୟସ୍ତ ଲାଗେ ପବନ ପରି ଅସ୍ଥିର ତା ମନକୁ।ଭୟ ଲାଗେ ତା ଚଣ୍ଡୀ ରୂପକୁ।ସ୍ତବ୍ଧ ହେଇ ଯାଏ ଅଣ୍ଡିରି ଚଣ୍ଡୀ ବ୍ୟବହାରକୁ।ଚାହିଁଲେ ବି ମୁଠାଇ ହୁଅନି ତାକୁ।ଜାବୋଡି ଧରି ହୁଏନି ଛାତିରେ।ତା ମନ।ମନ ହେଲେ ଅଜାଡି ପକାଇବ ପ୍ରେମ।ପୋତି ଦେବ ଆପଣାର ପଣରେ ଗୋଟା ସୁଦ୍ଧା।ଏମିତି ଲଟେଇ ହେଇ ଲାଗିଯିବ ଦେହରେ ନିର୍ଲ୍ଲଜ ଙ୍କ ପରି ହାଟ ବାଟ ,ସମୟ ଅସମୟ କିଛି ପର ବାଏ ନାହିଁ।ଅତି ଗୋଟେନିର୍ଭୟ ଝିଅ।ବୁଲୁଥିବ ଅହରହ ନିଜ ଇଛା ମୁତା ବକ।କାହାର ଆକଟ କି ଉପଦେଶ ଖାତିର କରେନି ସେ।ନିଜ ମନର ରାଜା।ଯାହା କୁହନ୍ତି ଗୋଟେ ଉଦ୍ଧତ ଝିଅ।ବରଂ ଏମିତି କୁହ ଯାଇପାରେ ଝିଅ ନାମରେ ସେ ଗୋଟିଏ ନିଆଁ ଝୁଲ।।ବାବାରେ ବାବା ତାର କି ଦୌରାତ୍ମ୍ୟ!!!ଘଣ୍ଟାକେ ମନ ହେଲେ ସବୁ ଧ୍ବଂସ କରିଦେବ।ଚାହିଁଲେ ଘଣ୍ଟାକରେ ହସାଇ ରସାଇ କିଣି ନେବ ସଂସାର ଟା ସାରା ଲୋକ।ପର ଆପଣା ଭାବ ବି ନାହିଁ।ସମସ୍ତେ ତାର; ସେ କିନ୍ତି କାହାର ନୁହେଁ।ଧରା ଛୁଆଁ ଦେବ ନାହିଁ।ସତରେ ଏମିତି ଝିଅଟିଏ ଯାହାକୁ ବିରକ୍ତି ହେଲେ ବି କୋଲେଇ ନେବାକୁ ମନ ବାର ବାର ଚାହେଁ।
ଜାଣିଛ ମୋର ବ୍ୟାଡ୍ ଲକ୍ ସେଇ ବଦମାସୀ ଝିଅଟା ପ୍ରେମରେ ମୁଁ ପୁରା ପାଗଳ
...ଦେବଦାସ।ସବୁ ଫାଜିଲାମୀ, ସ୍ବେଚ୍ଛାଚାରିତା ସତ୍ତ୍ୱେ ବି ସେ ମୋତେ ବହୁତି ବହୁତି ଭଲ ଲାଗେ।ତା ବିନା ମୋ ସ୍ଥିତି ଅସମ୍ଭବ ଲାଗେ ଯେମିତି।ତାକୁ ଛାଡି ଜୀଇଁବା ମୋର ସମ୍ଭବ ହିଁ ନୁହେଁ।କଣ କରିବି ଭଲ ପାଇବା କଣ ଭଲ ମନ୍ଦ ଦେଖେ?ସେ ପରା ନିହାତି ଗୋଟେ ଅନ୍ଧ ଚିଜ।ଢଳି ଯାଇଛି ହୃଦୟ ଢାଳି ଦେଇଛି ତା ପାଖେ ମୋ ମନ,ପ୍ରେମ,
ଭାଵ,ଭାଗ୍ୟ ଓ ଭବିଷ୍ୟ ବି।କାରଣ ସେ ମୋ ଘରଣୀ ରାଣୀ।ଯାଇଛି ଯେ ବାପଘର ଆସିବା ନା ଧରୁନି।
କହି ଥିଲା ରଜକୁ ଆସିବ, ପକ୍କା।ତା ବିନା ରଜ ଗୋଟିଏ ରଜ ନା କଣ??କେତେ ପାନ ଖାଇବୁ..ଦୋଳି ଖେଳିବୁ...ପୋଡ ପୀଠାର ଆନନ୍ଦ ନେବୁ।ପୁଣି କଥା ଛିଡେଇ ଥିଲା ଆସିଲେ ସଲମାନଖାନ ସିନେମା ଦେଖେଇ ନେବି।କଣ କଣ ବରାଦ ଏଇ ଯେମିତି ଖେମଜୀରୁ କାନ ଫୁଲ,ଲାଲ୍ ଚାନ୍ଦରୁ ପାଉଜି,କେଦାର ସନରୁ ଶାଢ଼ୀ,ବଜାର କୋଲକାତାରୁ ମେକଅପ ସାମଗ୍ରୀ ସବୁ କିଣିବ।ମୋ ମାସର ସମ୍ପୂର୍ଣ୍ଣ ଦରମାଟି ନିଅଁଣ୍ଟ ପଡି ଥାନ୍ତା କି କଣ।
କିନ୍ତୁ ସେ ଆସିଲାନି ଯେ....।କଥା ଦେଇ କଥା ରଖିଲା ନାହିଁ।କି ମିଛେଇ ଝିଅଟା ମ।ମୋ ହୃଦୟ ସଂଗେ ଖେଳୁଛି।ସବୁ କଥା ଦେବି ବୋଲି ରାଜି ହେଇଥିଲି।ପୁରୀରେ ଦି ଚାରି ଦିନ ବେଳାଭୂମି ଦାମୀ ହୋଟେଲ ବୁକ୍ କରି ଥିଲି ତାକୁ ନେଇ ରଖିବି ବୋଲି।କଣ ହେଲା ସତରେ!! ମୁଁ ଏଣେ ମନ ସଜାଡି କି ବସିଛି ମନକୁ ଖୁସିର ଚାଦର ତଳେ ଘୋଡେଇ ଦେଇ ଆନନ୍ଦର ଶୀତଳ ସ୍ପର୍ଶ ଦେବା ବାଲିର ଦେଖା ନାହିଁ?ଟାୱାର ନାହିଁକି କଣ ଫୋନ ବି ଲାଗୁନି!! ଓ ଅତିଷ୍ଠ , ଅଧୈର୍ଯ୍ୟ ହେଇ ଗଲିଣି ମୁଁ ।ହେ ମୋ ମନର ମାନସୀ ଯୁଆଡେ ଥାଏ ଶୀଘ୍ର ଆସ।ନଚେତ ମୁଁ ଅସହ୍ୟ ତାତି ଆଉ ବରଦାସ୍ତ କରି ପାରୁନି।
"କିରଣ" ତା ସାଂଗ କହୁଥିଲା ସେ କୁଆଡେ ମୋ ଉପରେ ନୁହେଁ ମୋ ଆତ୍ମୀୟ ସ୍ୱଜନଙ୍କ ଉପରେ ଭା ...ରି ରାଗିଛି।ମୋ ଲୋକ ମାନେ ତା ଆସିବା ବାଟରେ କଣ୍ଟା ସାଜୁଛନ୍ତି ଜଙ୍ଗଲ ସଫା କରୁଛନ୍ତି
,କାରଖାନା ,ଗାଡି ମଟର, ଅଳିଆ ଆବର୍ଜନା,
ପଲିଥିନ ପାହାଡ଼ ର ବିଷାକ୍ତ ଗ୍ୟାସରେ ସେ କୁଆଡେ ଗୋଟିଏ ଅଜଣା ରୋଗରେ ଆକ୍ରାନ୍ତ।ହୁଏତ ଆଉ କିଛି ଦିନ ପରେ ତାର ସବୁ ଚଞ୍ଚଳତା ଶେଷ ହୋଇ ଯିବ। ସେ ଅଭିମାନ କରିଛି,ରାଗିଛି ମୋ ନିଜ ଲୋକଙ୍କ ଉପରେ।
ହେ ମୋ ପ୍ରାଣପ୍ରିୟା "ମୌସୁମୀ"!!କ୍ଷମା କରିଦିଅ ମୋ ମୁଢ ଲୋକମାନଙ୍କୁ,ଅଭିମାନ
ତେଜି ଆସ ଗୋ ପ୍ରେୟସୀ ତୁମ ବିନା ମୋ ଜୀବନ ଓ ମୋ ଆତ୍ମୀୟ ସ୍ୱଜନ ଛଟପଟ ହେଲୁଣି।ମୁଁ କଥା ଦେଉଛି ମୋ ଲୋକ ମାନଙ୍କ ଗୋଡ଼ହାତ ଧରିବି ତୁମକୁ ଅସୁବିଧାରେ ପକାଇବେ ନାହିଁ।ଗଛ ଯଥେଷ୍ଟ ପରିମାଣରେ ଲଗାଇବେ।ପଲିଥିନ ପରିବର୍ତ୍ତେ କାଗଜ,କପଡା ବ୍ୟାଗ ବ୍ୟବହାର କରିବେ।ଧୂଆଁ ରୋକିବା ପାଇଁ ମୁଣ୍ଡ ଖଟେଇ କିଛି ବାହାର କରିବେ। ଫେରିଆସ ଶୀଘ୍ର ମାନମୟୀ ରାଧିକେ।ପ୍ଲିଜ଼ ଏତିକି କଥା ରଖିବନି ତୁମ ପ୍ରିୟ "ଶ୍ରାବଣ" ର .?
ମୌସୁମୀ ସତରେ ତୁମେ ଭାରି ଫୁଲେଇ। ଆସ ଶୀତଳତାର ଚଦର ଟିକେ ଘୋଡେଇ ଦେଇ ଯାଅ ମୋ ସହ ଏ ସାରା ଜୀଵ ଜଗତକୁ। ସବୁଜ କରିଦିଅ ମୋ ହୃଦୟ ବଗିଚା । ମୌସୁମୀ ବିନା ଶ୍ରାବଣ କଣ ଶ୍ରାବଣ !