STORYMIRROR

Satyabati Swain

Inspirational

4.2  

Satyabati Swain

Inspirational

କଲମ ବାଘ

କଲମ ବାଘ

3 mins
31



କଲମ ବାଘ ଅତି ମାରାତ୍ମକ !

ଥରକେ ଶିକାର କରେ କୋଟି କୋଟି ହୃଦୟ !

ବାଘର ଭୟ ବନ୍ଧୁକକୁ ,ଶିକାରୀକୁ।

ମାତ୍ର କଲମ ବାଘ ନିର୍ଭୟ । 

ନା କାହାକୁ ଡର ଅଛି ନା ଭୟ। ନିମିଷେ ଜାଳି ପାରେ ବିଶ୍ୱ ବ୍ରହ୍ମାଣ୍ଡ !


  ବାଘ ଟାଣି ଟାଣି ଝୁଣି ଝୁଣି କୌଶଳରେ ଶିକାର କରି ଖାଏ।


   କିନ୍ତୁ କଲମ ବାଘ ଗୋଟିଏ ଶବ୍ଦରେ, ଗୋଟିଏ ଦସ୍ତଖତରେ, ଗୋଟିଏ ସ୍ଲୋଗାନରେ କିମ୍ବା ଗୋଟିଏ ଧାଡି କବିତା କି ଗଳ୍ପରେ ସମଗ୍ର ମଣିଷ ଜାତିରେ ନିଆଁ ।

   ବାଘ ମରେ। କଲମ ବାଘ ଅମର।ସମୟ ଛାତିରେ ତା ସ୍ବାକ୍ଷର ଇତିହାସ ପାଲଟେ।ସଭ୍ୟତାର କଥା କୁହେ।ପୂରାତନରୁ ନୂତନ ଡିଜିଟାଲ ଯୁଗ ପର୍ଯ୍ୟନ୍ତ ଲେଖି ରଖେ ଉତ୍ତର ପିଢିଙ୍କ ପାଇଁ ବିକାଶ,

ପ୍ରଗତି,ଧ୍ୱଂସ ସୃଷ୍ଟିର କଥା। ପ୍ରତିବାଦ ସ୍ୱର ତୀବ୍ର ହୁଏ କଲମ ବାଘର । ନିରବରେ ଝଡ଼ ଆଣିପାରେ ପରିବର୍ତ୍ତନର କ୍ରାନ୍ତିର ।


  କଲମ ବାଘ ଯେଉଁ ନିଆଁ ଲଗାଏ ମଣିଷ ଛାତିରେ ସେ ନିଅଁ ଲିଭେନି ହୋ ସାଆନ୍ତେ। ଆମର ଗୋଟିଏ ବାଘ ଲୋଡ଼ା ; କଲମ ବାଘ। ଯେଉଁ ବାଘ ଚ୍ଛାଇଯିବ ମଣିଷ ରୁ ମଣିଷ,ଘରୁ ଘର।ସାଇ ବସ୍ତିରୁ କମାର ଶାଳ। ଭୋକିଲା ମଣିଷ ଆଖିରୁ ଆଖିକୁ; ଭୋକରୁ ଭୋକକୁ। ଆମ ଚୁଲି ଜଳିବା ପାଇଁ; ସଭିଙ୍କ ହାଣ୍ଡିରେ ଖାଲି ଭାତ ଗଣ୍ଡେ ଫୁଟିବା ନେଇ କଲମ ବାଘର ନିଆଁ ଟିକେ ଦରକାର ହୋ ସାଆନ୍ତେ। ଦେବ ??


    ମୁଁ ଆଦିବାସୀ। ଏ ଜଙ୍ଗଲ ଏ ଡଙ୍ଗର ମୋର। କିନ୍ତୁ ଯେତେବେଳେ ମୁଁ ମୋର ଅଧିକାର ମାଗିଲି ତ ମୋତେ ମାଓବାଦୀ ସଜେଇ ଦେଲ ! ମୁଁ ଚାଷୀ ।ଏ କ୍ଷେତ ଓ ଫସଲ ମୋର। ଶ୍ରମ ଦାବି କରିବାରୁ ମୋତେ ଦାଗୀ ସଜେଇ କଲ ନକ୍ସଲ ! ମୁଁ ଛାତ୍ର। ପ୍ରଶ୍ନ ପଚାରିଲି ତ ଦେଲ ଦେଶ ଦ୍ରୋହୀ ଷ୍ଟାମ୍ପ ବାଡେଇ । ଶ୍ରମିକଟିଏ ହୋଇ ଶ୍ରମ ପାଉଣା ମାଗିଲି ବୋଲି କହିଲ ତୁ ଦାଦନ ଟା ? ନାରୀଟିଏ ମୁଁ ଯେତେବେଳେ ସମାନତା ଦାବୀ କଲି ପ୍ରମାଣ ସହ ମୋତେ ନିଆଁରେ ଦଗ୍ଧ କଲ ? କିନ୍ତୁ ତୁମେ କଣ ଭାବୁଛ ଏମିତି କଲେ ମୁଁ ମୋ ଅଧିକାର ମାଗିବି ନାହିଁ ? ଯାଚି ନ ଦେଲେ ଛଡେଇ ଆଣିବି।ମନେ ରଖ ମୁଁ ଏ ମାଟିର ମଣିଷ ।ଏ ଦେଶର ନାଗରିକ। ମୋ ଅଧିକାର କଦାପି ଛାଡିବି ନାହିଁ । ଛଡେଇ ଆଣିବି। ଏହା ମୋର ହକ୍ । ଏ ଆତ୍ମ ବିଶ୍ୱାସ ଦିଏ କଲମ ବାଘ।


  ଆରେ କଲମ ବାଘକୁ ଉସ୍କାଅ, ନିଦରୁ ଉଠାଅ, ତା ଭିତରେ ଭର ନିର୍ଭୟତା, ସାହସ।କଲମର ବାଘ ସ୍ୱାଭିମାନର ପାଗ ଭିଡିବ,କଳା ଆଇନିକୁ କାଟିବ, ଭୋକିଲା ପେଟକୁ ଦେବ ଦାନା,ସତ୍ୟକୁ ଓଟାରି ଆଣି ଦେଖେଇବ।ଏଣୁ ହେ ସାଥୀ! କଲମ ବାଘକୁ ବିକିବାର ବେଳ ଇଏ ନୁହେଁ।ଇଏ ଉଖାରିବାର ବେଳ ସତ୍ୟର, ବଞ୍ଚିବା ଓ ବଞ୍ଚେଇବାର ବେଳ ଗୋ ମୈତ୍ର।


   ଜାଣିଛ ଏଠି ମାଟି କଥା କୁହେ। ନଦୀ ଗୀତ ଗାଏ।ପବନ ମାଆ ପରି ପୋଛି ଦିଏ ଶୋଷଣ କଷଣର ଝାଳ। ଡାକ ଦେଇ ବିପ୍ଳବର ଧରେ ଶାନ୍ତି ହତିଆର। ସେ ବାଲିଆପାଳର ମାଟି ଗୋ ସାଙ୍ଗ।ଇଏ କଣ ତୁଚ୍ଛା ନାଁ ଟିଏ। ନା ନା ବନ୍ଧୁ ; ଏତ ଏକ ବାରୁଦ ଗଦା,ଏକତାର ମନ୍ତ୍ର ମଣିଷ ଜାତିର,ଅସ୍ତ୍ରଟିଏ ବିଶ୍ୱ ଶାନ୍ତିର , ଶବ୍ଦଟିଏ ଅଭିଧାନର ;ଅଧିକାରଟିଏ ଆମ ସମସ୍ତଙ୍କର, ଜୀବନ୍ତ କୁହାଟଟିଏ ଦେଶ ପ୍ରେମର, ଓଡ଼ିଶା ବାସୀଙ୍କର, ବିଶ୍ୱ ଜନତାର।


    କିଏ କହିଲା ତୋତେ ଅନାଥରେ ଧନ! ତୁ ପରା ଏକ ମଣିଷ, ଏକ ଅଧିକାର ,ଏକ ବିଦ୍ରୋହ ,ଏକ ବିପ୍ଳବ ଆଗାମୀର ! ତୁ ଅନାଥ କି ଦାଦନ ନୋହୁଁ।ଧନରେ ତୋ ଆଖିରେ ଲୁହ ନୁହଁ ନିଆଁ ଜାଳେ ନିଆଁ। ପୋଡି ଜାଳି ଛାରଖାର କରିଦେ ସେଇ ବେଦରଦି ମଣିଷ ମାନଙ୍କୁ। ହତ୍ୟାକାରୀ ମାନଙ୍କୁ। ତୋ କ୍ରୋଧ କାନ୍ଦ କମ୍ପନରେ ପୃଥିବୀର ସମସ୍ତ ଶିଶୁଙ୍କ ମୁହଁରେ ଜଳି ଉଠୁ ପ୍ରତିଶୋଧ ବହ୍ନି। ତୁ ନୂଆ ଇତିହାସ ଲେଖେରେ ବାଘ।


    ଭୋକ ରୂପ ଦେଖିଛନ୍ତି ! ଦୁଇଟି କଟା ପାପୁଲି।ଗୋଟିଏ ମୁଠେଇ ଧରୁଛି ମୁଠେ ଚାଉଳ।ଅନ୍ୟଟି ମାଟି।ଛିଡିକି ପଡ଼ିଛି ଚାଉଳ ମୁଠାକ।ଫୁଟୁଛି କଟା ପାପୁଲିର ଭାତ। ଭୋକର ଭାତ ଟକ୍ ମକ୍ ଟକ୍ ମକ୍। ରକ୍ତ ମିଶା ଲାଲ ଲାଲ ଭାତ ଭୋକ। 


   କୋଣାର୍କ କହୁଛି ରାଜା କଥା,କାରିଗର କଥା, ସମୟ ଓ ରାଜସ୍ୱର କଥା କିନ୍ତୁ କେଉଁ କବି କି ଇତିହାସ କେବେତ କହିବାର ଶୁଣା ଯାଇନି ଶହ ଶହ ନାରୀଙ୍କ ଅମାନିଆ ଲୁହର କଥା,ସ୍ୱପ୍ନ ଭିଜା ରାତ୍ରୀ ଉଜାଗର କଥା, ବର୍ଷ ବର୍ଷ ବାର ବର୍ଷ ବିରହ ନିଆଁରେ ଜଳିବା କଥା! କେଉଁ କଲମ ବା କେଉଁ ଐତିହାସିକ କାହିଁକି କହି ନାହାନ୍ତି ସେମାନଙ୍କ ନିଃସଙ୍ଗତାର ପରିଭାଷା ! ସବୁ ସୌଭାଗ୍ୟର ମୂଳ କାଳେ ନାରୀ ! କିନ୍ତୁ କାହିଁକି ସ୍ଥାନିତ ହୁଏନି ସେଇ ନାରୀଟିର କଥା,ବ୍ୟଥା। କୋଣାର୍କ !ତୁ କାମନା ଆଉ ଇଚ୍ଛାର ବିନାଶରେ ଗଢ଼ା ହୋଇଥିବା ପଥରରେ ମଣିଷ ଭାଷାର ଏକ ଜୀବନ୍ତ କବିତା ।


    ହେ କଲମ ବାଘ ତୁ ଜାଗ। ପରାକ୍ରମ ଦେଖା ତୋର। ରକ୍ତରେ ନିଆଁ ଲଗେଇ ଦେବାର ସାମର୍ଥ୍ୟ ରଖେ। ବିଦ୍ରୋହ କର ଶାନ୍ତି ପାଇଁ, ହସ ପାଇଁ, ଟିପେ ଖୁସି ପାଇଁ । ସମସ୍ତଙ୍କ ପାଖରେ ପ୍ରେମର ବାର୍ତ୍ତା ପହଂଚା । ସ୍ୱପ୍ନ ଦେ ପ୍ରତି ଆଖିରେ ।


   ହେ କଲମର ବାଘ ସବୁରି ହୃଦୟ ପାଖରେ  ପହଞ୍ଚେଇ ପାରୁଥିବା ସକଳ ଖବରର ଅଦ୍ଭୁତ ଅସ୍ତ୍ର ! ତୁ ଶୁଅନା କଅଁଳ ଖରାରେ ଦେହ ସେକି ।ତୋର ଆବଶ୍ୟକତା ଢେର୍ ଏବେ। ହେଣ୍ଟାଳ ଟିଏ ଛାଡି ଥରେଇ ଦେ ସେଇ ଅମଣିଷଙ୍କ ଛାତି । ଫୁଙ୍କି ଦେଇ ଯାଆ ମଣିଷ ପାଣିଆ ମନ୍ତ୍ର । ଜଗତକୁ ରକ୍ଷାକର।ଉଠ ଉଠ ଦେଖାଇ ଦେ ତୋ ଅମିତପରାକ୍ରମ । ତୋ ଅପେକ୍ଷା ନିରୀହ ଜନସାଧାରଣ। ଆସିବୁ ନା ?




Rate this content
Log in

Similar oriya story from Inspirational