Satyabati Swain

Tragedy Inspirational

4  

Satyabati Swain

Tragedy Inspirational

ଦର ନିଦ ରାତି

ଦର ନିଦ ରାତି

5 mins
7



     ରାତିଟା କମ୍ବଳ ଘୋଡେଇ ହୋଇ ଘୁଙ୍ଗୁଡ଼ି ମାରୁଥିଲା। କେହି ଜଣେ ତାକୁ ଡେଇଁ ଦୌଡ଼ି ଦୌଡ଼ି ଯାଉଥିଲା ପୋଲିସ ଷ୍ଟେସନ।


ଗମ୍ଭୀର ନୀରବତା ଖେଳି ଯାଉଥିଲା ପୋଲିସ ଷ୍ଟେସନରେ।


କିଛି ବି ଶବ୍ଦ ନାହିଁ।


      ପୋଲିସ ମାନେ ନିଜ ନିଜର ମୁହଁକୁ ଆବା କାବା ହୋଇ ଅନାଉଁ ଥିଲେ କେବଳ।


       ବିଶ୍ୱାସ ହେଉ ନାହିଁ ! ଏଇ ଦେଖନ୍ତୁ ଉପାଡି ଆଣିଛି ତାର କେତୋଟି ଦାନ୍ତ ଓ ନଖ। ଭଲ କରି ଦେଖ୍ ଏ ବାଘର ଦାନ୍ତ କି ନଖ ନୁହେଁ।ପରଖ ପରଖ।


     ତେବେ ବି ସ୍ୱାଭାବିକ ଅବସ୍ଥାକୁ ପ୍ରାପ୍ତ  ହେଉ ନଥିଲା ପୋଲିସ ଷ୍ଟେସନ।


      ବିରକ୍ତ ହୋଇଗଲି ।ଆଶ୍ଚର୍ଯ୍ୟ ବି ହେଲି। ମୁହଁରେ ସ୍ୱୀକାର କରୁଛି ମୁଁ ଗୋଟେ ପ୍ରବଳ ପ୍ରତାପି ମଣିଷ ମହାବଳ ଶିକାର କରି ଆସିଛି। ଏ ଛୁରୀଟି ଦେଖ। ଏଗାର ଥର ଭୂଷିଛି ତା ପେଟ, ଛାତି ,ଅନ୍ତନଳୀ ବାହାର କରି।


      ତେବେ ବି ସ୍ତବ୍ଧ ସମସ୍ତେ। କଥା ନାହିଁ କାହାରି ମୁହଁରେ? ଆରେ ବିଶ୍ୱାସ କର ମୁଁ ମହାବଳ ବାଘ ଶିକାର କରି ଟିକି ଟିକି କାଟିଛି।


          କାହିଁକି ବିଶ୍ୱାସ କରୁ ନାହାନ୍ତି !  ଆରେ ବିଶ୍ବାସ କର ସୁନ୍ଦରୀ ହେବା ଅପରାଧ। ତହୁଁ ଅପରାଧ ଅଳ୍ପ ବୟସରେ ବିଧବା ହେବା। ଆହୁରି ଅପରାଧ ମଦ୍ୟପ ଲମ୍ପଟ ସ୍ୱାମୀର ସ୍ତ୍ରୀ ହେବା । ଯିଏ ପିଇ ପିଇ ଅଳ୍ପ ବୟସରେ ଭସେଇ ଦେଇ

ଯାଇଛି ମୋ କୋଳରେ ପିଲାଟିଏ  ଦେଇ ।


        ଶେଷରେ ଟେବୁଲ ବାଡେଇ ଭୟାନକ ଚଣ୍ଡୀ ରୂପରେ କହିଲି ହଁ ହଁ ମୁଁ ମଣିଷ ମହାବଳ ବାଘ ମାରିଛି। ଯେଉଁ ବାଘ ନିତି  ଝିଅ ବୋହୁଙ୍କ କଅଁଳ ମାଉଁସ ଘୋଷାରି ନେଇ ଝୁଣିଝୁଣି ଖାଇବାର ମଜା ଉଠାଉଥିଲା । ଯିଏ ଅର୍ଥ ଲୋଭରେ ନିଜ ଈଶ୍ୱରଙ୍କୁ ହତ୍ୟା କରିବାକୁ ପଛେଇ ନାହିଁ କି ତା ଆତ୍ମାର ଟିକେ ବି ଗ୍ଲାନି ନାହିଁ। ପତ୍ନୀ ,ସ୍ତ୍ରୀ ,ସହଧର୍ମିଣୀ, ଜୀବନସାଥୀ ,ଅର୍ଦ୍ଧାଙ୍ଗିନୀ ସହ ଯିଏ କରିପାରେ ବିଶ୍ବାସଘାତକତା। ପ୍ରେମର ଦାନା ଲୋଭ ଦେଖେଇ ଫାଶରେ ପକେଇ କଲବଲ କରି ମାରି ପାରେ  । ଯାହାକୁ ଡରେ ପୋଲିସ,ପ୍ରଶାସନ, ସାଧାରଣ ଜନତା। ଯେଉଁମାନେ ପାଟିରେ ନୁହେଁ ଭୁଜାଲି,ଫାର୍ଶା, ଛୁରୀ, କଟୁରୀ, ଖଣ୍ଡା, ବନ୍ଧୁକ କି ବମ୍ ରେ କଥା ହୁଅନ୍ତି। ସେଇ ମାନଙ୍କ ମଧ୍ୟରୁ ଜଣଙ୍କୁ ଆଜି ଶେଷ କରି ଦେଇଛି। ଉଶ୍ୱାସ ହୋଇଥିବ ଟିକେ ମୋ ମାଆ ମାଟି। ମାଆର ସୁରକ୍ଷା,ମାଟିର ସୁରକ୍ଷା କେବଳ କଣ ସୈନିକର ? ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ ନା ? ମୁଁ ତ ସେଇଆ କରିଛି।


        ଆରେ ବୋକାଙ୍କ ପରି ଜଳଜଳ ଚାହିଁଛନ୍ତି କଣ ? ମଣିଷ ମାରି ଅପରାଧ କରିଛି। ଅପରାଧୀ ବୋଲି ତ ଦଣ୍ଡ ପାଇବାକୁ ଦୌଡ଼ି ଆସିଛି। ମୋ ନାମରେ କେସ୍ ଦିଅ।କୋର୍ଟ ଚାଲାନ କର।ମୋର ଶୁଣାଣି କର  ଫାଶୀ ଦଣ୍ଡ।


      ଭାବୁଛନ୍ତି କି ମୁଁ ପାଗଳ ହୋଇ ଯାଇଛି !! ନା ନା ମୁଁ ଜଣେ ବିଜ୍ଞାନର ଅଧ୍ୟାପିକା। ଭାବରେ ଭାସି ଯାଇ କୌଣସି ନିଷ୍ପତ୍ତି ନେବା ବିଜ୍ଞାନ କେବେ ଶିଖି ନାହିଁ।ସେ ପରୀକ୍ଷା,

ନିରୀକ୍ଷା କରେ।ସିଦ୍ଧାନ୍ତରେ ପହଞ୍ଚେ, ପ୍ରମାଣ କରି ଦେଖାଇବାରେ ବିଶ୍ବାସ ରଖେ । ଏଣୁ ବହୁତ ଭାବିଚିନ୍ତି ମୁଁ ଏପରି କାର୍ଯ୍ୟ କରିଛି। 


          ମାନବବାଦର ବିପରୀତ ଧର୍ମୀ କାମ କରିଛି ବୋଲି ମୁଁ କଣ ଅନୁତାପ କରିବି ! ନା ମୁଁ ଗର୍ବ କରିବି । ବେଶ୍ ଖୁସି ଅଛି ଯେ ମୋ ଯୋଗୁଁ  ଶହେରୁ ଗୋଟିଏ ମଣିଷ ମହାବଳ ବାଘଙ୍କ ସଂଖ୍ୟା ତ ତ କମିଗଲା ସମାଜରୁ।ବଂଚି ଯିବେ ତ ନାରୀ ସମାଜର କିଛି ଜଣ । ଭଲ କରିଛି, ବେଶ୍ କରିଛି, ଆଚ୍ଛା କରିଛି। ଆରେ ଶୁଣଶୁଣ ମୁଁ ମଣିଷ ମହାବଳ ବାଘ ମାରିଛି ।ମୋତେ ମୃତ୍ୟୁ ଦଣ୍ଡ ଶୁଣାଣି କର ;ଫାଶୀରେ ଚଢାଅ ଜର୍ଜ ସାହେବ। 


      ମୁଁ ଜଣେ ଅଧ୍ୟାପିକା,ଶିକ୍ଷିତା।ଅନ୍ୟାୟ ମୋ ପେଶାଧର୍ମର ବିରୋଧୀ । ମୁଁ ଭଲ,ସୁସ୍ଥ, ଆଦର୍ଶ ମଣିଷ କାରଖାନାର ଯନ୍ତ୍ରୀ। ଦେଶର ଭବିଷ୍ୟତ ଶ୍ରେଣୀ କାରଖାନାରେ ଗଢିବା ମୋ ବୃତ୍ତି।କିନ୍ତୁ ମୋତେ କେଉଁ ପର୍ଯ୍ୟାପ୍ତ ସ୍ବାଧୀନତା ଦିଆ ଯାଉଛି କି ମନ ମୁତାବକ ଛାଞ୍ଚରେ ଗଢିବାକୁ ଛାତ୍ର ସାମାଜ। ଫଙ୍ଗୁ ତ କରି ସାରିଲେଣି ମୋ ହୃଦୟକୁ  ବାରମ୍ବାର  ବିଭିନ୍ନ  ଚାପ ଦେଇ ମୁହଁଟି ଯାହା ରଡି ଛାଡ଼ୁଛି ଶ୍ରେଣୀ କକ୍ଷରେ।। ମୁଁ ଏବେ ମୋ ଇଚ୍ଛାର ମାଲିକ ନୁହେଁ। ମୋତେ ନା ଦୋର୍ଣ୍ଣାଚାର୍ଯ୍ୟ ,ନା ପର୍ଶୁରାମ ନା ଗୁରୁ ସନ୍ଦିପନୀ ହେବାର ସ୍ୱାଧୀନତା ଦିଆଯାଉଛି।କେବଳ ଗୋଟେ ବୃତ୍ତି ମୁଁ ପାଇଛି ଯାହା। ଏଠି ମୁଁ କେବଳ ଗୋଟିଏ ମହାବଳ ମାରିବା ସାହସ ଜୁଟେଇ ପାରେ ।


        କିନ୍ତୁ ମୋତେ ଯଦି ଆପଣମାନଙ୍କ ପରି ଖାକି ପୋଷାକର ଶକ୍ତି ଓ ସ୍ବୀକାରୋକ୍ତି ଦିଆ ଯାଆନ୍ତା ତେବେ ଦେଖନ୍ତେ କୌଣସି ବିଚାର ବିମର୍ଷ ନୁହେଁ କେବଳ ଅର୍ଡର ଆଣ୍ଡ୍ ଅର୍ଡର  ଦିଅନ୍ତି। ଗୋଡେଇ ଗୋଡେଇ ମଣିଷ ମହାବଳଙ୍କୁ ଧର। ଯେଉଁଠି ଦେଖୁଛ ଧରି ଆଣି ଜନଗହଳି ପୂର୍ଣ୍ଣ ଛକରେ ଟାଙ୍ଗି ବହେ ଛେଚ । ତାପରେ ସମବେତ ଜନତାଙ୍କ ଆଗରେ ଖଣ୍ଡ ଖଣ୍ଡ କରି କାଟ ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟେଙ୍ଗ ସେମାନଙ୍କର। ଜୀବିତ ମଣିଷ ଦେହ ଖଣ୍ଡଖଣ୍ଡ ହେଲା ବେଳେ ଯେଉଁ ଚିତ୍କାର ଛାଡିବ ଶୁଣୁ ସମବେତ ଜନତା। ଏ ବିଭତ୍ସ ଦଣ୍ଡ ଦେଖି ଆଉ କେହି ମନ ନ ବଲାଉ କଅଁଳ ଶିକାର ପାଇଁ। ଥରିଉଠୁ ଅତ୍ୟାଚାରୀଙ୍କ ଆତ୍ମା ।


        ହେ ଏ ସୁନ୍ଦରୀ ଝିଅଟା ପାଗଳ ହୋଇ ଯାଇଛି। ବାହାର କର ତାକୁ।ଶାନ୍ତି ଭଙ୍ଗ ହେଉଛି କହି କେହି ଜଣେ ଚିଲେଇଲା।


        ଆଉ ଜଣେ କେହି କହିଲା ଜବରଦସ୍ତ ମାଲଟିଏ ହୋଇଛି।  ଭଲ ଭୋଜିଟିଏ ହୁଅନ୍ତା।ଚାଲ ରଖି ଦେବା।


        ମହାଚଣ୍ଡି ରୂପ ଧାରଣ କଲି ଏଥର।ଶଳେ ତୁମେ ଶୃଙ୍ଖଳା ଭାର ହାତକୁ ନେଇଛ ବୋଲି ଆମେ ଚୁପ୍। ଆମ ଭରସା ଖାକି ଶାନ୍ତି ଦେବ,ସୁରକ୍ଷା ଦେବ ଏବଂ ଦେବ ନ୍ୟାୟ।କିନ୍ତୁ ତୁମେ ରକ୍ଷକ ଗୋଷ୍ଠୀ ମାଇଚିଆ ହୋଇ ଭକ୍ଷକ ହେଉଛ ବୋଲି ଦେଶର ଲୋକଙ୍କର ଏ ଅବସ୍ଥା। ତୁମ ଲାଳସା, ତୁମ ଲୋଭ ତୁମ ଶପଥକୁ ଭୁଲେଇ ଦେଲା! ଜୀବନ ପ୍ରତି,ନିଜ ପରିବାର ପ୍ରତି ଅସମ୍ଭବ ଧରଣର ଦୁର୍ବଳତା ତୁମକୁ ଶ୍ରୀଖଣ୍ଡି କରୁଛି। ନିଜ ପିଲା,ପରିବାରର ସୁରକ୍ଷା, ଆମୋଦଦାୟକ ଜୀବନ ପାଇଁ ତୁମେ ମଣିଷ ମହାବଳଙ୍କୁ ପ୍ରଶୟ ଦେଉଛ। ସବୁ ଦେଖି,ସବୁ ଜାଣି ଆଖି ବୁଜି ଦେଉଛ। ତୁମର ଆଵଶ୍ୟକତା ଆମର ସବୁ ବିପଦ ସମୟରେ ।ତୁମେ କିନ୍ତୁ ସବୁ ସରିବା ପରେ ପହଞ୍ଚ ଛାନ୍ 

ଭିନ୍ କରିବା ପାଇଁ।ସେତେବେଳେକୁ  ମଣିଷ ମହାବଳ ବାଘ ଶିକାର ଚଳୁ କରି ଦେଇ ମାରିଥାଏ ଚମ୍ପଟ। ସନ୍ଧାନୀ କୁକୁର,ଓ ତୁମ ଟିମ୍ ଖାଲି ଖୋଜ ଆଉ ଖୋଜ।


      କେମିତି ବୁଝନି ଜଣକ ପରିବାର କି  ପିଲା ସୁଖ,ସୁସ୍ଥ ଓ ସୁରକ୍ଷିତରେ ରହିଲେ ଦେଶର ମଙ୍ଗଳ ହୁଏନି ! ଗଣଙ୍କର ସୁଖ,ସୁସ୍ଥତା ଓ ସୁରକ୍ଷା ଗୋଟିଏ ମଙ୍ଗଳକାରୀ ରାଷ୍ଟ୍ର ଗଢେ।


         ଆଛା କହିଲ ! ଖୋଜିବା ଶେଷରେ କେଇଟା ଯୋଡିଛ ହାତ ଗୋଡ଼? କେଇଟା ବଞ୍ଚେଇଛ ଅକ୍ଷତ ଝିଅର ଦେହ? କେତୋଟି ଗଳିତ  ଶବ ମଧ୍ୟରେ ଜୀବନ ଫେରେଇ ଆଣିଛ ? କାହା କାହାକୁ ମିଳିଛି ଠିକ୍ ନ୍ୟାୟ !


      କଣ ନା ଭଲ ମାଲ ମୋତେ ନେଇ ଭୋଜି କରିବ? ଦେଖିବା କର ତ।ଗୋଟିଏ ମହାବଳ ମାରିଛି ହେଲା ଏବେ ଆଉ ଦୁଇ ତିନୋଟି ଶିକାର କରିବି। ମନ ପୁରିଯିବ।ଜନ୍ମ ମୋର ସାର୍ଥକ ହୋଇଯିବ। ଦେଖ ଛୁଇଁକି ଦେଖ ମୋତେ।


         ମୋତେ ଟଣାଓଟରା କରି ଦୁଇ ଜଣ ଜେଲ ଭିତରକୁ ନେଇ ଯାଉଥିଲେ ଏବଂ ମୁଁ ଧରିଥିବା ଛୁରୀରେ ଖୋବି ଚାଲିଥିଲି ସେ ଦୁହିଁଙ୍କୁ। ମର ମର କହି ରଡି ଛାଡୁଥିଲି। 


      ଲିଟି ମୋତେ ମାଡି ବସି ଜୋରେ ମାଆ ମାଆ ହେଉଥିଲା।


      ଏଡ଼େ ଏଡ଼େ ଆଖି କରି ଦେଖିଲି ତଳେ  ପଡିଥିବା ତକିଆରୁ ବାହାରି ପଡିଥିଲା ପୁଳା ପୁଳା ଅନ୍ତବିଜୁଳା।


Rate this content
Log in

Similar oriya story from Tragedy