ଅଚିହ୍ନା ସମ୍ପର୍କ
ଅଚିହ୍ନା ସମ୍ପର୍କ
ସମ୍ପର୍କର ପରିଭାଷା ବଡ ବ୍ୟାପକ। ସଂକୀର୍ଣ୍ଣ ଅର୍ଥରେ ଏହା ଦୈହିକ ସମ୍ପର୍କକୁ ବୁଝାଏ। ଏହାର ବହୁ ଉର୍ଦ୍ଧ୍ବରେ ଥାଏ ନିଃସ୍ବାର୍ଥ ସମ୍ପର୍କ। ବିନାକିଛି ଆଶା ରଖି ପରଷ୍ପର ପ୍ରତି ଗଭୀର ଶ୍ରଦ୍ଧା ଓ ଅନୁରାଗର ଅସଂଖ୍ୟ ଜ୍ବଳନ୍ତ ଉଦାହରଣ ସମାଜରେ ରହିଛି। ଜୀବନରୂପୀ ପୁସ୍ତକର କିଛି କିଛି ପୃଷ୍ଠାରେ ଏଇମିତି ସମ୍ପର୍କ ମାନଙ୍କର ନଜିର ଦେଖିବାକୁ ମିଳେ।
ଝଡ ତୋଫାନ ଭରା ଅଶାନ୍ତ ରାତି। କ'ଣ ଗୋଟିଏ ଅଶୁଭ ସମାଚାରର ସୂଚନା ଦେଉଥିଲା ଛାତ ଉପରେ ଥିବା ଘରଟିରେ ବନ୍ଧା ହୋଇଥିବା ଘରମାଲିକଙ୍କ ପୋଷା କୁକୁର ଫ୍ରାଙ୍କି। ଏକ ଅସ୍ବାଭାବିକ ଢଙ୍ଗରେ କୁକୁରଟି କାନ୍ଦି ଚାଲିଥିଲା ସାରାରାତି। ନୟନାର ମନ କିନ୍ତୁ ଭୟରେ ଆତଙ୍କିତ ହୋଇଯାଉଥିଲା। ଅଜଣା ଭୟ ତାର ମନକୁ ଘାଣ୍ଟି ଚକଟି ଦେଉଥିଲା।
ସକାଳ ପାହିଲା। ଆକାଶ ଟିକେ ଫର୍ଚ୍ଚା ହୋଇଯାଏ ଥାଏ। ସକାଳୁ ସ୍କୁଲ ପାଇଁ ରେଡି ହେବା ସମୟରେ ତଳୁ ନାରାୟଣ ଆଣ୍ଟିଙ୍କର ଡାକ ଶୁଣାଗଲା। ସେ ସମୟରେ ମୋବାଇଲର ଚଳଣୀ ନଥିଲା। ଲ୍ୟାଣ୍ଡଲାଇନ ଫୋନରେ ନିଜର ପରିଚିତ ଲୋକଙ୍କୁ ଡକାଇ ପୁଣି ପାଞ୍ଚ ବା ଦଶ ମିନିଟ ପରେ କଥା ହେବାକୁ ପଡୁଥିଲା। ଆଣ୍ଟି କହୁଥିଲେ, ନୈନା ତୁମ୍ହାରା ପତିକା ଫୋନ ଆୟା ହୈ । ଦଶ ମିନିଟ କେ ବାଦ ଫିରସେ କରେଙ୍ଗେ କଲ୍ । ନିଚେ ଆଜାଓ ।
ୟା ପୂର୍ବରୁ ସକାଳ ସମୟରେ କେବେ ଫୋନ ଆସିନି। କାରଣ ଘରେ ସମସ୍ତେ ଜାଣିଥିଲେ ନୟନାର ସ୍କୁଲ ଟାଇମିଙ୍ଗ। ସକାଳୁ ଏଇ ସମୟରେ ସେ ସ୍କୁଲ ପାଇଁ ତରତର ହୋଇ ବାହାରେ।
ଛାତିଟା ଧଡପଡ ହେଉଥାଏ ଡରରେ। ଡରକୁ ସତ୍ୟରେ ପରିଣତ କରାଇଥିଲା ସ୍ବାମୀଙ୍କ ଫୋନ। ଶ୍ବଶୁରଙ୍କ ଦେହାନ୍ତ ହେବାର ଖବର ଦେଇଥିଲେ ସେ।
ନୟନାର ପ୍ରଥମ ପୋଷ୍ଟିଂ ଥିଲା ଧାନବାଦରେ। ଦେଢମାସ ଆଗରୁ ସ୍ବାମୀ ତାକୁ ସେଠାରେ ଛାଡି ଯାଇଥିଲେ। ପ୍ରୋବେସନାରୀ ସମୟ ଅବଧିରେ ଛୁଟି ମିଳିବା ସବୁଠାରୁ ବଡ ସମସ୍ୟା।ସିନିୟର ସହକର୍ମୀ ମାନଙ୍କ ହସ୍ତକ୍ଷେପ ଫଳରେ ପ୍ରିନ୍ସିପାଲ ଛୁଟି ମଞ୍ଜୁର କରିଥିଲେ।
ଧାନବାଦରୁ ଖୋର୍ଦ୍ଧା ଆସିବାର କୌଣସି ଡାଇରେକ୍ଟ ଟ୍ରେନ ନଥିଲା। ପ୍ରଥମେ ଗୋମୋ ଆସି ତାପରେ ପୁରୁଷୋତ୍ତମ ଏକ୍ସପ୍ରେସରେ ଆସିବାକୁ ପଡୁଥିଲା ଯାହାକି ରାତି ବାରଟା ତିରିଶରେ ଗୋମୋ ପହଞ୍ଚେ। ନଭେମ୍ବର ମାସର ଶୀତରାତିରେ ଏକୁଟିଆ ଗୋମୋ ଷ୍ଟେସନକୁ ଯାଇ ଓ୍ବେଟିଂ ରୁମରେ ଅପେକ୍ଷା କରି ପୁ
ରୁଷୋତ୍ତମ ଏକ୍ସପ୍ରେସ ଚଢିବା ନୟନା ପାଇଁ କାଠିକର ପାଠ ଥିଲା। ଦୁର୍ଯୋଗକୁ ସେଦିନ ସେମିତି ବର୍ଷଣ ମୁଖର ରାତ୍ରି ଥିଲା। ସୌଭାଗ୍ୟବଶତଃ ନିଜର ଜଣେ ସହକର୍ମୀ ତାକୁ ପୁରୁଷୋତ୍ତମ ଏକ୍ସପ୍ରେସରେ ବସାଇ ଆସିବା ପାଇଁ ରାଜିହେଲେ। ଅନିଛା ସତ୍ତ୍ୱେ ନୟନାକୁ ନିଜର ସୁରକ୍ଷା ପାଇଁ ହଁ ଭରିବାକୁ ପଡିଲା । ସେଦିନ ବର୍ଷା ତୋଫାନ ଯୋଗୁଁ ଟ୍ରେନଟି ନିଜର ନିର୍ଦ୍ଦିଷ୍ଟ ସମୟଠାରୁ ବିଳମ୍ବରେ ଆସି ପହଞ୍ଚିଲା। ପ୍ରାୟ ରାତି ସାଢେ ଗୋଟେ ବାଜି ସାରିଥିଲା। ତାକୁ ଟ୍ରେନରେ ଚଢାଇ ବଂଶୀ ସାର ଧାନବାଦ ଫେରିଗଲେ।
ଟ୍ରେନଟି ଅସମ୍ଭବ ଭାବେ ଖାଲିଥିଲା। ନିଜର ଲୋଅର୍ ବର୍ଥ ଥିବା ଯୋଗୁଁ ନୟନା ନିଜର ସୁଟକେଶ୍ ଟି ରଖି ଟିକେ ଗଡିପଡିଲା। ହଠାତ୍ ଅପର ବର୍ଥରେ ଶୋଇଥିବା ଯୁବକ ଜଣକ ତଳକୁ ଓଲ୍ହାଇ ଆସିଲେ। ଧଡପଡ ହୋଇ ନୟନା ଉଠି ବସିଲା। ପୁରା ବଗିରେ ଚାରିପାଞ୍ଚଜଣ ଯାତ୍ରୀ ଥିଲେ ବୋଧହୁଏ। ଭୟରେ ଜଡସଡ ହେଲେ ମଧ୍ୟ ଉପରୁ ନିଜକୁ ସହଜ ଭାବେ ଦେଖାଇବାକୁ ଯାଇ ନୟନା ପ୍ରଥମେ ପଚାରିଲା, "ଆପ କାହାଁ ଯାଓଗେ।"
ଯୁବକ ଜଣକ କହିଲେ,"ଭୂବନେଶ୍ୱର"। ନୟନାର ପିଣ୍ଡରେ ଟିକେ ପ୍ରାଣ ପଶିଲା। ପୁଣି ପଚାରିଲା, "ଆପ କାହାଁ କାମ କରତେ ହୋ?" ଯୁବକ କହିଲେ, "ବୋକାରୋ ମେଁ ସଫ୍ଟୱେର ଇଞ୍ଜିନିୟର ହୁଁ।" ୟାପରେ ନୟନାର ମନରେ ପ୍ରତ୍ୟୟର ମାତ୍ରା ଟିକେ ବଢିଗଲା, ସେ ଯୁବକଟି ପ୍ରତି ଭରସା କରିବା ଛଡା ଉପାୟ ନଥିଲା।
ବର୍ଷା ବଢି ବଢି ଚାଲିଥାଏ। ଯାଜପୁର ରୋଡରେ ଟ୍ରେନଟି ପୁରା ଖାଲି ହୋଇଗଲା। ଅନିର୍ଦ୍ଦିଷ୍ଟ ସମୟ ପାଇଁ ଟ୍ରେନଟି ବନ୍ଦ ହୋଇଗଲା। ଯୁବକଟି ନିଜର ସୁଟକେଶ୍ ନେଇ ଓଲ୍ହାଇ ଯିବାକୁ ଉଦ୍ୟତ ହୁଅନ୍ତେ ନୟନା ବି ତାଙ୍କ ପଛେ ପଛେ ଓଲ୍ହାଇଆସି କହିଲା, "ମୁଝେଭି ଆପକେ ସାଥ ଭୂବନେଶ୍ୱର ତକ ଯାନା ହୈ।" ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ସେଠାରୁ ବସ ଚଢିଲେ ଦୁହେଁ।ଭୂବନେଶ୍ୱରରେ ବସ ପହଞ୍ଚିବା ପରେ ଯୁବକ ଜଣକ ବସରୁ ଓଲ୍ହାଇବା ସମୟରେ ବସ ଭିତରୁ ନୟନା ତାଙ୍କୁ ହାତ ହଲାଇ ବାୟ କଲା।
ମନେ ମନେ ଭାବୁଥିଲା......ଦୁନିଆରେ ସବୁ ଲୋକ ଖରାପ ନୁହଁନ୍ତି। ଜୀବନର ଅଙ୍କାବଙ୍କା ରାସ୍ତାରେ କେତେ ଅଜଣା ଲୋକଙ୍କ ସହିତ ଦେଖା ସାକ୍ଷାତ ହୁଏ। କେତେଜଣଙ୍କ ସହିତ ଏକ ସମ୍ପର୍କର ସେତୁ ବାନ୍ଧି ହୋଇଯାଏ । ସେ ସମ୍ପର୍କ କ୍ଷଣସ୍ଥାୟୀ ହୋଇପାରେ କିନ୍ତୁ ତାହାର ମୂଲ୍ୟ ଯେ କଳନା କରାଯାଇ ପାରେନା ତାହା ନୟନାର ହିଁ ହୃଦବୋଧ ହୋଇଥିଲା।