ଅଭୁଲା ସ୍ମୃତି
ଅଭୁଲା ସ୍ମୃତି
ସୁନିତା ସନ୍ଧ୍ୟା ଆଳତି ସାରି ତରତର ହୋଇ ଶାଶୁ ମାଆ ଓ ଘରର ସବୁ ସଦସ୍ୟଙ୍କ ପାଇଁ ଚାହା ଓ ଜଳଖିଆ କରୁଛନ୍ତି। ପୁରା ଝାଲନାଳ ହୋଇ ଯାଇଛନ୍ତି। ଘରର ବଡ ବୋହୂ । ସବୁ ଦାୟିତ୍ଵ ତାଙ୍କର। ତା ସହ ପୁଅ ରନକର ପାଠ ପଢା। କିଛି ଦିନ ପରେ ତାର ପରୀକ୍ଷା।ଜଳଦି ଜଳଖିଆ ଦେଇ ଟିକିଏ ଛୁଆକୁ ପାଠ ପଢ଼ାଇ ପୁଣି ରାତିରେ ଭୋଜନ ପ୍ରସ୍ତୁତ କରିବା ପାଇଁ ପଡିବ। ସ୍ୱାମୀ ଆଶୁତୋଷ ( ଆଶୁ ) ଅଫିସରୁ ଆସିଲେ ତାଙ୍କ କଥା ବୁଝିବା ପାଇଁ ପଡିବ।
ଠିକ ଜଳଖିଆ ଦେଇ ରନକକୁ ଟିକିଏ ପଢାଇଛନ୍ତି କି ନାହିଁ ମୋବାଇଲ ବାଜି ଉଠିଲା। ଗୋଟିଏ ଅଜଣା ନମ୍ବର ଯେଉଁ ଥିରେ ଟ୍ରୁକଲରରେ ଲେଖା ହୋଇ ଥିଲା ପଞ୍ଜାବ ନେସନାଲ ବ୍ୟାଙ୍କ ମ୍ୟାନେଜର ।
ସୁନିତା : ହେଲଓ କିଏ ?
ସେପଟୁ ଗମ୍ଭୀର ସ୍ୱର ଜଣେ ସ୍ତ୍ରୀ ଲୋକର ଶୁଣା ଗଲା। ଆପଣ ଶ୍ରୀମତୀ ସୁନିତା ରାଣା କହୁଛନ୍ତି ?
ସୁନିତା : ହଁ ଆଜ୍ଞା। ହେଲେ ଆପଣ କିଏ ?
ସ୍ତ୍ରୀ ଲୋକ : ମୁଁ ପଞ୍ଜାବ ନେସନାଲ ବ୍ୟାଙ୍କ ମ୍ୟାନେଜର କହୁଛି। ଆପଣ ଗତ କିଛି ମାସ ହେଲା ଲୋନର ଇନଷ୍ଟାଲମେଣ୍ଟ ଦେଇ ନାହାଁନ୍ତି ଯେ ?
ସୁନିତା ଟିକିଏ ଭୟଭୀତ ଆଉ ଆଶ୍ଚର୍ଯ୍ୟ ହୋଇ କହିଲେ ଲୋନ...... କୋଉ ଲୋନ ମୁଁ ତ କିଛି କହି ନାହିଁ।
ସ୍ତ୍ରୀ ଲୋକ : ଆପଣ କରିଛନ୍ତି। ଆପଣଙ୍କ ଦେଇ ଥିବା ଡକୁମେଣ୍ଟରୁ ମୁଁ ଆପଣଙ୍କ ଫୋନ୍ ନମ୍ବର ନେଇ ଫୋନ କରିଛି। ଲୋନ ନ ସୁଝିଲେ ଆପଣଙ୍କ ବିରୁଦ୍ଧରେ କେସ୍ ହେବ।
ସୁନିତାଙ୍କୁ ସ୍ୱର ଜଣା ଶୁଣା ଲାଗୁ ଥାଏ। ତଥାପି ସେ କହିଲେ ପ୍ଲିଜ ମ୍ୟାମ ମୋତେ କାଲି ସନ୍ଧ୍ୟା ଯାଏଁ ସମୟ ଦିଅନ୍ତୁ । ମୁଁ କାଲି ବ୍ୟାଙ୍କ ଯାଇ ବୁଝିବି।
ସ୍ତ୍ରୀ ଲୋକଟି ହସି ଉଠିଲା। ହା ହା ହା.....ସୁନି ତୁ ବି ନା।
ସୁନିତାଙ୍କର ଜଣା ଶୁଣା ସ୍ୱର ମନେ ପଡିଗଲା। ଆରେ ରାବି ତୁ।
ରାବି ( ସ୍ତ୍ରୀ ଲୋକ ) : ହଁ ମୁଁ। ତୁ ତୋ ମୋତେ ଭୁଲି ଗଲୁ ସୁନି।
ସୁନିତା : ଆରେ ତୋ ସୁନି କଣ ତୋତେ ଭୁଲି ପାରିବ।
ରାବି : ତୋର ନମ୍ବର ବଦଳାଇ ଦେଲୁ । ଆଉ ମୋତେ ଦେଲୁ ବି ନାହିଁ ଆମେ ପାଖାପାଖି ଦଶ ବର୍ଷ ପରେ କଥା ହେଉଛୁ।
ସୁନିତା : ହଁ ରେ। ମୋ ମୋବାଇଲ ଚୋରି ହୋଇ ଗଲା। ସବୁ ନମ୍ବର ମୋବାଇଲରେ ଥିଲା। ତାପରେ ଏ ନମ୍ବର ନେଲି । ହେଲେ ତୋ ନମ୍ବର କି କୌଣସି ସାଙ୍ଗଙ୍କର ନମ୍ବର ମୋ ପାଖରେ ନ ଥିଲା। ଆଉ ଘର କାମ ଜଞ୍ଜାଳରେ ମୁଁ ଆଉ ତ ଫେସବୁକ କି କୌଣସି ସୋସିଆଲ ମିଡ଼ିଆ ବ୍ୟବହାର କରେ ନାହିଁ। ତେଣୁ କାହାରି ସହ ମୋର ଲିଙ୍କ ନାହିଁ।
ରାବି : ଆଉ ତୋର ଛୁଆ ହେବାର ଥିଲା । କଣ ପୁଅ ନା ଝିଅ ?
ସୁନିତା : ପୁଅ ସାତ ବର୍ଷର ହୋଇଗଲାଣି। ତାର ନାମ ରନକ।
ରାବି : ବାଓ ବଢିଆ ନାମ। ତୁ ଜାଣି ନାହୁଁ । ତୁ ବି ମାଉସୀ ହେଇ ସାରିଛୁ। ମୋ ଝିଅ ତୃପ୍ତି ପାଞ୍ଚ ବର୍ଷର ହେଲାଣି।
ସୁନିତା : ମିଠା କାଇଁ ?
ରାବି : ତୁ ଆସିଲେ ସିନା ଖାଇବୁ। ମୁଁ ଏବେ ଭୁବନେଶ୍ଵରରେ ରହୁଛି।
ସୁନିତା : ହଁ ଭୁବନେଶ୍ୱର ଗଲେ ଦେଖା ହେବ।
ରାବି : ଆରେ ତୁ କଟକକୁ ଆସନ୍ତା ମାସ ଦ୍ୱିତୀୟ ଶନିବାରକୁ ଆସେ।
ସୁନିତା : କିଛି କାମ ଅଛି କି ?
ରାବି : ଆରେ ଆମ ସବୁ ସାଙ୍ଗମାନେ ଗୋଟିଏ ଗେଟ୍ ଟୁ ଗେଦାର ପାର୍ଟି ରଖିଛନ୍ତି। ତୋ ନମ୍ବର କାହା ପାଖରେ ନାହିଁ। ତୋତେ ତେଣୁ କେହି କହି ପାରୁ ନାହାଁନ୍ତି। ତୋ ଭାଇ ଭୁବନେଶ୍ୱରରେ ରୁହନ୍ତି। ମୁଁ ଜାଣିଛି। ହେଲେ ଚାକିରୀ ଆଉ ଘର କାମ କରୁ କରୁ ତାଙ୍କ ପାଖକୁ ଯାଇ ପାରି ନାହିଁ। କାଲି ଭାଇ ବ୍ୟାଙ୍କ ଆସି ଥିଲେ। ସେ ମୋତେ ଦେଖି ଆଶ୍ଚର୍ଯ୍ୟ ହେଲେ। ମୁଁ ତାଙ୍କ ଠାରୁ ତୋର ଫୋନ ନମ୍ବର ନେଲି। ଆଉ ତାଙ୍କୁ ମୋ ବିଷୟରେ ତୋତେ କହିବା ପାଇଁ ମନା କଲି। ଆଜି ଫାଙ୍କା ଥିବାରୁ ତୋତେ ଫୋନ କଲି। ସତରେ ଚାକିରୀ ସହ ଘର ସମ୍ଭାଳିବା ବଡ କଷ୍ଟରେ।
ସୁନିତା : କଲେଜ ଦିନର ସ୍ମୃତି ବହୁତ ଅଦ୍ଭୁତ । ଇଚ୍ଛା ହୁଏ ଫେରି ଯିବାକୁ।
ରାବି : ହଁ ଲୋ । ଆଜି ବି ମନେ ପଡେ କଲେଜର ସେଇ ଅଭୁଲା ସ୍ମୃତି। ତୋର ମନେ ଅଛି ଆମର ପ୍ରଥମ ଦିନ କଲେଜରେ।
ସୁନିତା : ହଁ । ଆମେ ଦୁହେଁ ପରସ୍ପରକୁ ଜାଣି ନ ଥିଲୁ। ତୁ ଟିକିଏ ମଜାଳିଆ ପ୍ରକୃତିର ଝିଅ। ମୁଁ କଲେଜ ଯାଇ ଭୟଭୀତ ହୋଇ ଗଲି। କାରଣ ମୋର ସବୁ ସାଙ୍ଗ ବିଜ୍ଞାନ ନେଇ ପଢ଼ିଲା ବେଳକୁ ମୁଁ ଏକୁଟିଆ ଭାଇ କଥା ଶୁଣି ବାଣିଜ୍ୟ ନେଇ ଥିଲି।ନୂଆ ଜାଗା, ନୂଆ କଲେଜ ଥିଲା ମୋ ପାଇଁ। କଲେଜରେ କିଏ ସିନିଅର କିଏ ଜୁନିଅର ଜାଣି ନ ଥିଲି। ଆଉ ତୁ ମୋ ମୁଖ ଦେଖି ଜାଣି ପାରିଲୁ ଯେ ନର୍ଭସ ଅଛି ବୋଲି। ତୁ ମୋ ସାମ୍ନାରେ ନିଜକୁ ସିନିଅର କହି ରେଗିଂ କରିବା ପାଇଁ ଲାଗିଲୁ। ମୋତେ ଜଣଙ୍କ ସାଇକେଲ ପମ୍ପଚର କରିବା ପାଇଁ କହିଲୁ। ସିନିଅର କଥା ମାନିବାକୁ ପଡିବ ବୋଲି ଭାବି ମୁଁ ଡରି ଡରି ଯାଇ ସ
ାଇକେଲ ପମ୍ପଚର କଲି। ତାପରେ ଜାଣିବା ପାଇଁ ପାଇଲି ଯେ ତୁ ଆମ ଶ୍ରେଣୀରେ ପଢୁ। ଆଉ ଯାହା ସାଇକେଲ ପମ୍ପଚର କଲି ସେ ହେଉଛି ଆମ ସିନିଅର ରାହୁଲ ଭାଇ। କଲେଜର ପ୍ରେସିଡେଣ୍ଟ। ସେ ଆସି ଯେତେବେଳେ ଆମକୁ ଡାକିଲେ ମୋର ତ ଗୋଡ଼ ଥରିବା ପାଇଁ ଲାଗିଲା। ଆଉ ତୁ ଆରାମରେ ଯାଇ କଥା ହୋଇ ଗଲୁ। ମୁଁ ଆଶ୍ଚର୍ଯ୍ୟ ହେଉ ଥାଏ। ହେଲେ ପରେ ଜାଣିଲି ସେ ତୋର ସମ୍ପର୍କୀୟ ବୋଲି। ସେ ମୋତେ କିଛି ନ କହି ହସି ପଳାଇଲେ। ମୁଁ ମନେ ମନେ ଭାବିଲି ତୋ ସହ ଆଉ କଥା ହେବି ନାହିଁ ବୋଲି।
ତାପରେ ମୁଁ ହଷ୍ଟେଲ ଗଲି। ସନ୍ଧ୍ୟା ସମୟରେ ହଷ୍ଟେଲର ମେଟ୍ରୋନ ମୀନା ମାଉସୀ ଆସି ମୋତେ କହିଲେ ମୋ ରୁମରେ ରହିବା ପାଇଁ ଗୋଟିଏ ଝିଅ ଆସିଛି। ଆଉ ମୁଁ ଦେଖିଲା ବେଳକୁ ତୁ ଛିଡ଼ା ହୋଇଛୁ। ମନେ ମନେ ନିଜ ଭାଗ୍ୟକୁ ଗାଲି ଦେଉଥିଲି ଯେ କେମିତି ଝିଅ ସହ ରହିବି। ହେଲେ ମୁଁ ପରେ ଜାଣିଲି ତୁ କେତେ ଭଲ।
ରାବି : ହା ହା ହା।
ସୁନି : ହା... ହା... ହା...।
ସୁନି : ତୋର ମନେ ଅଛି ସୁମନ୍ତ ସାରଙ୍କ ମଜାଳିଆ ଅଙ୍କ ପଢ଼ାଇବା କଥା।
ରାବି : ହଁ କି ସୁନ୍ଦର ପଢାଉ ଥିଲେ। ଆଚ୍ଛା ତୋର ମନେ ଅଛି ଲଭ୍ କପୁଲ ନମନ ଓ ପିହୁ କଥା।
ସୁନି : ଆରେ କେମିତି ବା ଭୁଲି ହେବ ନା କହୁନୁ। ନମନ ଯେ ଥରେ ଝିଅ ହୋଇ ଆମ ହଷ୍ଟେଲକୁ ଆସି ଥିଲା। ଆଉ ଯେତେବେଳେ ଧରା ପଡିଗଲା ଯଉ ମାଡ଼ ଖାଇଲା ନା ..... ତା ଅବସ୍ଥା ଦେଖି ହସ ଲାଗୁ ଥିଲା।
ରାବି : ହଁ ପରା। ଆଉ ଖୁସିର କଥା ହେଲା ଯେ ସେ ଦୁହିଁଙ୍କ ପ୍ରେମ ସଫଳ ହେଲା। ଏବେ ଦୁଇ ଜଣ ବିବାହ କରି ମୁମ୍ବାଇରେ ଅଛନ୍ତି । ସେମାନେ ବି ଆସିବେ। ମୋର ନା ସନ୍ଧ୍ୟାରେ ମାର୍କେଟରୁ ଆସିଲା ବେଳକୁ ଡେରି ହୋଇ ଯାଇ ଥାଏ ଆଉ ମୀନା ମାଉସୀର ଗାଳି ମନେ ପଡିଲେ ଏବେ ହସ ଲାଗୁଛି। ଆଉ ଥରେ ଯେ କ୍ଲାସ ନଥିଲା, ଆମେ ଯେ ସିନେମା ଦେଖିବା ପାଇଁ ଚାଲି ଯାଇ ଥିଲୁ। ଆସିଲା ବେଳକୁ ଡେରି ହୋଇ ଗଲା। ମାଉସୀର ଗାଲିରୁ ବଞ୍ଚିବାକୁ ଯାଇ ମୋ ପେଟ ବ୍ୟଥା ପାଇଁ ଡାକ୍ତର ପାଖକୁ ଯେ ଯାଇ ଥିଲୁ ବୋଲି ଯେ ବାହାନା କଲି ସେ କଥା ମନେ ପଡିଲେ ଏତେ ଯେ ହସ ଲାଗେ କହିବାର ନାହିଁ।
ସୁନିତା : ଆଉ ଶେଷ ବର୍ଷ ଯେ ଆମେ ବଣଭୋଜି ଯାଇ ଥିଲୁ, ସେଇଠି ଯେ ଦୁଇ ଦିନ କ୍ୟାମ୍ପରେ ରହିବାର ଥିଲା ବୋଲି ତୁ ମୋ ବାପାଙ୍କୁ କେତେ କହି ଅନୁମତି ନେଇ ଥିଲୁ। ସେଇଠି ବହୁତ ମଜା ଆସିଲା। ଅଭୟ ଯେ ପାହାଡ ଚଢୁ ଚଢୁ ପଡ଼ି ଗଲା ଆଉ ତାର ପ୍ୟାଣ୍ଟ...... ହା ହା ହା।
ରାବି : ହା ହା ହା ...... ତୁ ଆଉ କହନି। କଲେଜର ସେଇ ସ୍ମୃତି କଥା ମନେ ପଡିଲେ ଇଚ୍ଛା ହେଉଛି ଆଉ ଥରେ କଲେଜ ସମୟକୁ ଫେରିଯିବା ପାଇଁ।
ସୁନିତା : ହଁ ରେ। ସେ ସମୟ ମୋ ଜୀବନର ଗୋଟିଏ ଭଲ ସ୍ମୃତି। ଏତେ ହସ ଖୁସିରେ କଟୁ ଥିଲା ସେ ସମୟ । ଇଚ୍ଛା ହେଉଛି ଫେରି ଯିବାକୁ ସେଇ ସମୟକୁ।
ରାବି : ତା ହେଲେ ତୁ ଆସନ୍ତା ମାସ ଦ୍ୱିତୀୟ ଶନିବାରକୁ ଆସିବୁ ନା ? ଅଭୟ, ନମନ, ପିହୁ, ଲୁସି, ସମ୍ବିତ, ତୃପ୍ତି, ପ୍ରିତମ ଆଦି ସମସ୍ତେ ଆସିବେ। ସେମାନଙ୍କ ଫେମିଲି ବି ଆସିବେ। ଦୁଇ ଦିନର କଥା ତ।
ସୁନିତା : ଦେଖୁଛି। ରନକର ପରୀକ୍ଷା କିଛି ଦିନ ପରେ ଅଛି। ଆଉ ଘରେ ଶାଶୁ ଶଶୁର, ଆଶୁଙ୍କୁ ପଚାରିବା ପାଇଁ ପଡିବ।
ପଛ ପଟରୁ ଆଶୁତୋଷ ଚାହା କପ ଆଣି ସୁନିତାଙ୍କୁ ଦେଇ କହିଲେ ଯିବ ନାହିଁ କଣ ହୋଇଛି। ଏମିତି ଦିନ କଣ ବାରମ୍ବାର ଆସିବ କି ? ମୁଁ ଆଉ ରନକ ବି ଯିବୁ।
ରାବି : ବାଓ ଆଶୁ ଭାଇଙ୍କୁ ମୋ ତରଫରୁ ଧନ୍ୟବାଦ କହିବୁ। ସେ ତୋତେ ବହୁତ ଭଲ ପାଆନ୍ତି। ହଉ ସୁନି ମୁଁ ଯାଏ ଝିଅକୁ ଖୁଆଇବି।
ସୁନିତା : ହଁ ସେ ଦିନ ଦେଖା ହେବ।ଶୁଭ ରାତ୍ରୀ।
ରାବି : ଶୁଭ ରାତ୍ରୀ।
ଫୋନ ରଖି ସୁନିତା ଧନ୍ୟବାଦ ଆଶୁ।
ଆଶୁତୋଷ : ଏଥିରେ ଧନ୍ୟବାଦ କଣ। ତୁମେ ସ୍ତ୍ରୀ ଲୋକମାନେ ଘର ପାଇଁ ଏତେ ସବୁ କରୁଛ। ସମସ୍ତଙ୍କ ଖୁସି ପାଇଁ ନିଜର ଖୁସି ଭୁଲି ଯାଉଛ। ଆଉ ମୁଁ ତୁମ ଖୁସି ପାଇଁ ଏତିକି କରି ପାରିବି ନାହିଁ।
ଆଶୁତୋଷ ହଠାତ ସୁନିତାଙ୍କୁ ଜାକି ଗେହ୍ଲା କଲେ।
ସୁନିତା : ଆରେ ରନକ ଅଛି ଯେ।
ଆଶୁତୋଷ : ସେ ଶୋଇଗଲାଣି।
ସୁନିତା : ହେ ଭଗବାନ ରାତି ନଅଟା ହେଲାଣି। ମୁଁ ରୋଷେଇ କରି ନାହିଁ। ଯାଏ ଜଲଦି ରୋଷେଇ କରିବି।
ଆଶୁତୋଷ : ଆରେ ଶୁଣ ଆଜି କନକ ମାଉସୀ ଅଫିସରେ ଆସି ବାପା ମାଆଙ୍କ ପାଇଁ ପ୍ରସାଦ ଦେଇ ଥିଲେ। ଆଉ ଆମେ ଚାଲ ହୋଟେଲ ଯିବା। ବାପା ମାଆ ପ୍ରସାଦ ଖାଇ ଦେବେ। ସେମାନେ ତ ହୋଟେଲ ଯିବାକୁ ବାହାରନ୍ତି ନାହିଁ।
ସୁନିତା ହସି ଦେଲେ।
ଆଶୁତୋଷ : ଗୋଟିଏ ଗେହ୍ଲୁ ଦେଇ ଯାଅ ବାହାରିବ। ମୁଁ ରନକକୁ ବାହାର କରାଇବି
ସୁନିତା ଲାଜେଇ ଆଶୁତୋଷଙ୍କୁ ଗୋଟିଏ ଗେହ୍ଲୁ ଦେଇ ମନେ ମନେ ଭାବିଲେ ଆଶୁ ପରି ସ୍ୱାମୀ ଭାଗ୍ୟରେ ଥିଲେ ମିଳେ।