Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

puspanjali das

Classics

3  

puspanjali das

Classics

ଅଭୁଲା ଅନୁଭୂତି

ଅଭୁଲା ଅନୁଭୂତି

4 mins
221



    

   ଅନେକ ଆଶା ଓ ପ୍ରତ୍ୟାଶା ଭିତରେ ନିର୍ମଳା ର ମନ ସେଦିନ ଯେମିତି ଦୋଳାୟ ମାନ ହେଉଥିଲା!ଦୀର୍ଘଦିନ ପରେ ମା'ଶାରଳାଙ୍କ ମନ୍ଦିର ପ୍ରାଙ୍ଗଣରେ ପାଦ ଦେଉ ଦେଉ,ଅନେକ କିଛି ମନେ ମନେ ହିସାବ କରି ଚାଲିଥିଲା।କୋଭିଡ କଟକଣା କୁ ଆଖି ରେ ରଖି,ସବୁ ଯେମିତି ତାକୁ ଠିକ୍ ଠାକ୍ କରିବାକୁ ପଡିବ,ସେଥିପ୍ରତି ଯତ୍ନବାନ ରହୁଥିଲା!ନିଜ ବାପଘର ର ଅଧିଷ୍ଠାତ୍ରୀ ଦେବୀଙ୍କ ମନ୍ଦିର ରେ,ପ୍ରଥମ ଥର ପାଇଁ ତା'ପିଲାଙ୍କୁ ଧରି ଯିବା,ଯେମିତି ସୁରୁଖୁରୁ ରେ ହୋଇଯାଉ,ଏକଥା ତା'ମନ ଭିତରେ ବାରମ୍ବାର ଆସୁଥିଲା।

    ମନ୍ଦିର ଭିତରେ ପସୁ ପସୁ,ନିଜ ସମ୍ପର୍କୀୟ ଦାଦା ଙ୍କ ଠାରୁ ସେଠିକାର ନୂଆ ନୀତି ନିୟମ ଶୁଣି ମୁହଁ ତାର ଶୁଖି ଯାଇଥିଲା।ଅବଶ୍ୟ ମା'ଙ୍କୁ ଶାଢ଼ୀ ଚଢାଇ ପାରିବନି କି ଭୋଗ କରି ପାରିବନି ର ଦୁଃଖ ଟିକିଏ ରହିଯାଇଥିଲେ ବି ଦର୍ଶନ କରିପାରିବାର ସୌଭାଗ୍ୟ ପାଇ ପାରିବ ଭାବି ଖୁସି ହୋଇ ଯାଇଥିଲା।ହେଲେ,ମା'ଙ୍କ ର ଦର୍ଶନ ଯେ ତାକୁ ଏତେ ଖୁସି ଦେବ ଏକଥା ଭାବି ପାରିନଥିଲା!ପିଲା ଦୁହିଁଙ୍କ ର ଆଶ୍ଚର୍ଯ୍ୟ ଚକିତ ମୁହଁକୁ ଦେଖି,ନିର୍ମଳା ଭଲକରି ଆଖିପୁରାଇ ମା'ଙ୍କୁ ନିନୀର୍ମେଶ ନୟନରେ ଚାହିଁ ରହିଗଲା!ପ୍ରଥମେ ନିଜ ଆଖିକୁ ବିଶ୍ୱାସ କରି ପାରିନଥିଲା!ନିଜ ମନ ର ଭ୍ରମ ଭାବି ବାରମ୍ବାର ଆଖିକୁ ମଳି ମଳି ଦେଖି ଚାଲିଲା....ନାଇଁ ତ,ତା'ଆଖି ଠିକ୍ ଦେଖୁଛି!ପିଲାଦୁହେଁ ଯେତେବେଳେ କହିପକାଇଲେ-ମମ୍,ତୋ ଶାଢ଼ୀ ମା'ଙ୍କୁ କିଏ ଦେଲା?ସେ ବୁଢ଼ୀ??ଗୋଡ଼ ରୁ ମୁଣ୍ଡ ଯାକେ ଯେମିତି ଶିହରଣ ଖେଳି ଯାଇଥିଲା!ସତେ ତ!!ବାହାର ଲୋକ ଙ୍କ ଠାରୁ ତ କିଛି ଗ୍ରହଣ କରିବେନି ବୋଲି ପୂଜକ ବାରମ୍ବାର କହିଛନ୍ତି, ହେଲେ,ଏ ଶାଢ଼ୀ କେମିତି ପିନ୍ଧିଲେ ମା??ନାଁ,ଏଇଟା କେବଳ ସଂଯୋଗ!ଠିକ୍ ସେମିତି ଶାଢ଼ୀଟିଏ ମା'ଙ୍କୁ ନିଶ୍ଚୟ ପିନ୍ଧା ଯାଇଛି ଭାବି ମନକୁ ବୁଝାଇ ଦେଇଥିଲା!ସବୁକିଛି ନିର୍ମଳା କୁ ଯେମିତି ଚମତ୍କାର ଭଳି ଲାଗୁଥିଲା!ପୂର୍ବଦିନ ର ଘଟଣା ଟି ମନ ଭିତରକୁ ଧସେଇ ହୋଇ ପସିଆସିଥିଲା–

 ଘରୁ ସେଦିନ ପିଲାଙ୍କୁ ପ୍ରସ୍ତୁତ କରି ଖୁବ ନିଷ୍ଠାର ସହିତ ସବୁ ସଜଡ଼ା ସଜଡି କରି ବାହାରିପଡିଥିଲେ ମା'ଶାରଳା ଙ୍କ ଦର୍ଶନ ପାଇଁ ,ନିଶିକାନ୍ତ ଓ ନିର୍ମଳା।କରୋନା ମହାମାରୀ ର କଟକଣା ଓ ଭୟାଭୟତା ଭିତରେ ଯେମିତି ଅନେକ ଦିନକାଳ ପେଷି ହୋଇ ଯାଇଥିଲେ ପୁରା ପରିବାର ଟି!ଆଉ ମନର ସନ୍ତୁଷ୍ଟି ଓ ଶାନ୍ତି ପାଇଁ ମା'ଙ୍କ ଦର୍ଶନ ହିଁ ଦୁହିଁଙ୍କ ର କାମନା ଥିଲା।ଗାଡି ଭିତରେ ପିଲା ଦୁହିଁଙ୍କ ସାଙ୍ଗରେ ବସି ଖୁବ ଖୁସି ରେ ଗପସପ କରୁ କରୁ ହଠାତ୍ ଜୋର ରେ ବ୍ରେକ ଲଗାଇ ଦେଇଥିଲେ ନିଶିକାନ୍ତ!ସମସ୍ତଙ୍କ ର ଭୟଭୀତ ଆଖି ଅଟକି ଯାଇଥିଲା ସେଇ ବୁଢ଼ୀ ଟି ଉପରେ,ଯିଏ ତାଙ୍କ ଗାଡି ଆଗରେ ଆସନ୍ନ ବିପଦ ରୁ ରକ୍ଷା ପାଇଯାଇଥିଲା!ହୁଏତ ନିଶିକାନ୍ତ ଙ୍କର ଗାଡି ଚଳାଇବା ତ୍ରୁଟି କି ବୃଦ୍ଧା ଜଣକ ଙ୍କ ର ଅନ୍ୟମନସ୍କତା ଯୋଗୁଁ ଅଘଟଣ ହେଉ ହେଉ ରହିଯାଇଥିଲା!ନିର୍ମଳା ଓ ନିଶିକାନ୍ତ, ଉଭୟେ ତରତର ହୋଇ ଓହ୍ଲାଇ ପଡି ବୃଦ୍ଧା ଙ୍କ ପାଖକୁ ଆଗେଇ ଯାଇଥିଲେ।ଭୟଭୀତ ବୃଦ୍ଧାଙ୍କ ପାଟିରୁ ଗୋଟିଏ ବି ଶବ୍ଦ ବାହାରି ନଥିଲା,କେବଳ ବଲ ବଲ କରି ଦୁହିଁଙ୍କୁ ଅନାଇ ରହିଯାଇଥିଲା!ନିର୍ମଳା ର ବାଧ୍ୟବାଧ୍ୟକତା ରେ ବୃଦ୍ଧା ଜଣକ ଗାଡ଼ିରେ ବସିଥିଲେ ଅତ୍ୟନ୍ତ ସଙ୍କୁଚିତ ହୋଇ!ଛିନ୍ନ ବସ୍ତ୍ର ଓ ଦୁର୍ବଳ ଶରୀର ବହୁତ କିଛି ଯେମିତି ସୁଚାଇଦେଉଥିଲା,ହେଲେ ନିର୍ମଳା ର ବ୍ୟାକୁଳ ମନ କୁ ଯେମିତି ବୃଦ୍ଧାଙ୍କ ର ନୀରବତା ଆହୁରି ବ୍ୟାକୁଳ କରିପକାଉଥିଲା!ଅନେକ ପଚରା ଉଚରା ପରେ କେବଳ ବୃଦ୍ଧାଙ୍କ ର ଘର ଝଙ୍କଡ଼ ବୋଲି ଜାଣିବାକୁ ପାଇଥିଲା,ହେଲେ କୌଣସି ସଠିକ ଠିକଣା ଜାଣି ନ ପାରିବାରୁ ,ବୃଦ୍ଧା ଙ୍କୁ ତାଙ୍କ କହିବା ଅନୁଯାୟୀ ବାଟ ରେ ହିଁ ଓହ୍ଲାଇ ଦେଇଥିଲେ।ନିର୍ମଳା କିନ୍ତୁ କିଛି ସାହାଯ୍ୟ କରିବାର ମନ ନେଇ ଅନେକ ପଚାରି ମଧ୍ୟ ନିରାଶ ହୋଇ ଯାଇଥିଲା।ତଥାପି,ଶେଷ ପ୍ରୟାସ କରି ମା'ଙ୍କ ପାଇଁ ଆଣିଥିବା ଶାଢ଼ୀ ଟିକୁ ,ଝିଅଠାରୁ ଭାବି ଗ୍ରହଣ କରିବାକୁ ଅନୁରୋଧ କରିପକାଇଥିଲା,ଆଉ ତାର ଆଗ୍ରହ କୁ ବୃଦ୍ଧା ଜଣକ ଏଡାଇ ପାରିନଥିଲେ।ଯଦିଓ ସେ ଜାଣିଥିଲା ଯେ ମା'ଙ୍କ ପାଇଁ ଉଦ୍ଦିଷ୍ଟ ଶାଢ଼ୀ ଟିକୁ ଦେବା ଉଚିତ ନୁହେଁ,ହେଲେ,ମନ୍ଦିର ଭିତରେ ଯେ ସେ ମା'ଙ୍କ ପାଇଁ ଅନ୍ୟ ଶାଢ଼ୀ କିଣିପାରିବ ଭାବି ମନ କୁ ବୁଝାଇ ଦେଇଥିଲା ଓ ମନେ ମନେ ମା'ଙ୍କ ପାଖରେ କ୍ଷମା ମଧ୍ୟ ମାଗିପକାଇଥିଲା।ମନ ଭିତରେ କିନ୍ତୁ ଅହରହ ଚାଲୁଥିଲା ଅନ୍ତର୍ଦ୍ବନ୍ଦ୍ବ-ସତରେ କଣ ସେ ବୃଦ୍ଧା ଙ୍କ ର ଛିନ୍ନ ବସ୍ତ୍ର ରେ ବିଚଳିତ ହେଉଥିଲା ନାଁ ନିଶିକାନ୍ତ ଙ୍କ ର ଭୁଲ ପାଇଁ ପ୍ରାଯଶ୍ଚିତ କରିବାର ଛୋଟିଆ ସୁଯୋଗ ଟିକକ ନ ଛାଡିବାକୁ ପ୍ରୟାସ କରୁଥିଲା!

     ହଠାତ୍ ମନ ଭିତରକୁ ପିଲାଦିନ ର ଛୋଟିଆ ଘଟଣା ଟି କାହିଁକି କେଜାଣି ପସିଆସିଥିଲା!ବାପା ଙ୍କ ସାଙ୍ଗରେ ସେଦିନ ମନ୍ଦିର ଯାଇଥିଲା,କୁନି କୁନି ହାତରେ ତା'ର ବାପା ଭୋଗତକ ଓ କ୍ଷୀର ଗଡୁ ଟିରେ ଧରାଇ ଦେଇ ଫୁଲ ଓ ଦୀପ ଆଣିବାକୁ ପାଖ ଦୋକାନ କୁ ଚାଲିଯାଇଥିଲେ।ଫେରିଲାବେଳ କୁ ତା'ହାତ ରେ ସେତକ ନ ଦେଖି ବ୍ୟସ୍ତ ହୋଇ ପଚାରିଦେଇଥିଲେ-ମା ରେ ,ଭୋଗ ଓ କ୍ଷୀର କଣ କରିଲୁ?କୋଉଠି ପକେଇଦେଲୁ କି?ଡରି ଡରି ସେଦିନ ନିର୍ମଳା କହିପକାଇଥିଲା-ତମେ ରାଗିବନି ତ ବାପା,ମୁଁ ପକେଇନି!ଆଉ କଣ କରିଲୁ ମା?ଉତ୍ତର ଶୁଣି ବାପା ତାର ରାଗିବା ବଦଳରେ ଭାରି ଖୁସି ହୋଇ ଯାଇଥିଲେ,ତା'ମୁଣ୍ଡ କୁ ଆଉଁସି ଦେଇ କହି ପକାଇଥିଲେ-ଆରେ ମୋ ମା'ର ଏତେ ବୁଦ୍ଧି!ଭଲ କରିଲୁ,ଭଗବାନ ତୋ ଭୋଗ ଓ କ୍ଷୀର ପାଇ ଯାଇଛନ୍ତି, ଚାଲେ ,ଏ ଦୀପ ଲଗାଇ,ଫୁଲତକ ଠାକୁରଙ୍କୁ ଦେଇ,ମୁଣ୍ଡିଆ ମାରିକି ଘରକୁ ଫେରିଯିବା।ବୋଉ କୁ କିଛି କହିବୁନି!ବାଟ ସାରା ସେଦିନ ବାପାଙ୍କ ମୁହଁ ଟି ଯେମିତି ଖୁସି ରେ ଚିକ୍ ଚିକ୍ କରୁଥିଲା!ଭୋକିଲା ବୁଢା ଟିକୁ ଭୋଗତକ ଦେଇଦେବା ଓ ଛୋଟ କାନ୍ଦୁରା ପିଲାଟିକୁ କ୍ଷୀର ତକ ଦେଇଦେବା ଯେମିତି ବହୁତ ବଡ଼ କାମଟିଏ ନିର୍ମଳା କରିଦେଲାପରି ବାପା ଅନେକ ଦିନ ଧରି ସମସ୍ତଙ୍କୁ ଶୁଣାଇ ଚାଲିଥିଲେ!ତାଙ୍କ ଆଦର୍ଶ କୁ ଅଜାଣତ ରେ ନିର୍ମଳା କେମିତି ଏତେ ଛୋଟ ବେଳୁ ଶିଖିଯାଇଥିଲା,ସେକଥାରେ ତାଙ୍କ ଆତ୍ମସନ୍ତୋଷ ହିଁ ପୁରା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା! ଅବଶ୍ୟ ବଡ଼ ହେଲାପରେ ସେ ସେଇ ଆଦର୍ଶ ନେଇ ନିଜ ଜୀବନ ର ଚଲାପଥ ରେ ଆଗେଇ ଯାଇଥିଲା, ହେଲେ ସାଂସାରିକ ଜଞ୍ଜାଳମୟ ଜୀବନରେ ଆବଶ୍ଯକ ଅନୁଯାଇ,ପରିବାର ର ମଙ୍ଗଳଚିନ୍ତା କରି ମନ୍ଦିର ରେ ଭୋଗ ଲଗାଇବା ଓ କ୍ଷୀର ଢାଳିବା ମଧ୍ୟ କରିଚାଲିଥିଲା।ହେଲେ,ଦୁଃଖୀ ଟିଏ ଦେଖିଲେ,ସବୁ ଭୁଲିଯାଇ,ଠାକୁରଙ୍କୁ କ୍ଷମା ମାଗିନେଇ,ତା କଥା ପ୍ରଥମେ ବୁଝିଦେଉଥିଲା!ଅବଶ୍ୟ,ସେଥିପାଇଁ ଅନେକ ଥର,ତାକୁ କଟୁ କଥା ଆତ୍ମୀୟ ଙ୍କ ପାଖରୁ ଶୁଣିବାକୁ ମିଳୁଥିଲା,ଅନେକ ସମାଲୋଚିତ ହେଉଥିଲା,ହେଲେ ନିଶିକାନ୍ତ ଙ୍କ ର ସହଯୋଗ ଓ ବୁଝାମଣା ଯୋଗୁଁ ସବୁକିଛି ସହଜ ହୋଇ ଯାଉଥିଲା।

      ନିଶିକାନ୍ତ ଙ୍କ ହାତ ର ସ୍ପର୍ଶରେ ନିର୍ମଳା ଭାବନାରାଜ୍ୟ ରୁ ଫେରି ଆସିଥିଲା।ଆଖି ଛଳ ଛଳ କରି ନିଶିକାନ୍ତ ଙ୍କୁ କେବଳ ଅନାଇଦେଇଥିଲା।ଆଉଥରେ ଆଖିପୁରାଇ ମା'ଙ୍କ ର ରୂପ ଦର୍ଶନ କରି ଯେମିତି ହୃଦୟ ଭିତରେ ସେ ରୂପ କୁ ସାଇତି ରଖିବାକୁ ଚେଷ୍ଟା କରୁଥିଲା!ସୀମିତ ସମୟ ରେ ଫେରିବାର ଅନୁମତି କୁ ପାଳିବାକୁ ପଡିବ ଭାବି,ପିଲାଦୁହିଙ୍କ ହାତ ଧରି ଫେରି ଆସିଥିଲା..ଆଉ ସତରେ ଯେମିତି ଅନେକ ବର୍ଷ ର ମନୋକାମାନା ତା'ର ପୂରଣ ହୋଇ ଯାଇଥିଲା।ମା'ଙ୍କ ର ରୂପ ତା'ହୃଦୟ ଓ ଆତ୍ମା ରେ ଛାପି ହୋଇ ରହିଯାଇଥିଲା!!


Rate this content
Log in

More oriya story from puspanjali das

Similar oriya story from Classics