CHINMAYEE PRADHAN

Classics Fantasy Inspirational

3  

CHINMAYEE PRADHAN

Classics Fantasy Inspirational

ଅଭିଶପ୍ତ ପ୍ରେମ

ଅଭିଶପ୍ତ ପ୍ରେମ

3 mins
136



ପିଜୁଳି ଗଛ ଡାଳରେ ହଳଦୀ ବସନ୍ତ ଦିଟା ପରସ୍ପରକୁ ପ୍ରେମ କରିବାରେ ବ୍ୟସ୍ତ। ଦୂରରେ ଠିଆ ହୋଇ ଅପଲକ ନୟନରେ ଚାହିଁ ରହିଥିଲା ମନୀଷା। ସତରେ କେତେ ସୁନ୍ଦର ଏମାନଙ୍କ ଭଲପାଇବା। ନା କୌଣସି ବାଧା ଅଛି ନା ପ୍ରତିବନ୍ଧକ। ସ୍ବାର୍ଥ ଓ ଲାଳସାର ବହୁ ଊର୍ଦ୍ଧ୍ବରେ ଏମାନଙ୍କ ପ୍ରେମ। ତା ପ୍ରେମରେ ବି ତ କୌଣସି ସ୍ୱାର୍ଥ ନ ଥିଲା କୌଣସି ଛଳନା ନ ଥିଲା। ହେଲେ ସେହି ପ୍ରେମ କାହିଁକି ଏମିତି ଦୁର୍ବିଶହ କରିଦେଲା ତା ଜୀବନକୁ... ।


   କେତେ ସୁନ୍ଦର ହସଖୁସିରେ ଚାଲିଥିଲା ତାଙ୍କ ପରିବାର। ମଦନପୁର ଗ୍ରାମର ସବୁଠାରୁ ବଡ ପରିବାର କଲ୍ୟାଣ ମହାପାତ୍ରଙ୍କର। ଚାରି ପୁଅ ଚାରି ବୋହୂ ନାତି ନାତୁଣୀ ଓ ଦୁଇ ଝିଅଙ୍କୁ ନେଇ ପରିବାର ଆନନ୍ଦ ଉଲ୍ଲାସ ମଧ୍ୟରେ ଚାଲୁଥାଏ।ରିମା ଓ ସୀମା ଦୁଇ ଝିଅ ସାନ ହେଇଥିବାରୁ ଭାଇଭାଉଜ ବହୁତ ସ୍ନେହ କରନ୍ତି ନିଜ ଝିଅ ପରି। ଯେତେବେଳେ ଯାହା ଚାହାଁନ୍ତି ସବୁ ମିଳେ। ରିମା ଗୋଟେ ପୁଅକୁ ଭଲପାଇ ବସିଲା। ତାଙ୍କରି ସାଂଗରେ କଲେଜରେ ପଢେ। ସେ ଜାତିରେ ଛୋଟ ହେଇଥିବାରୁ ରିମା ଘରେ କହିବାକୁ ଡରିଲା। ଦିନେ ଘରୁ ଲୁଚି ତା ସହିତ ପଳେଇଲା। ଘରେ ବହୁତ୍ ଖୋଜା ଖୋଜି କରି ବାହାର କଲେ। ଉଭୟ ଉଭୟଙ୍କୁ ଭୁଲି ଯିବାକୁ କହିଲେ କଲ୍ୟାଣ ବାବୁ। ଦି ଜଣ ଯାକ ତାଙ୍କ ପାଦ ତଳେ ପଡି ନେହୁରା ହୋଇ ବାହାଘର ପାଇଁ ଅନୁମତି ପ୍ରଦାନ କରିବାକୁ ଅନୁରୋଧ କଲେ। ହେଲେ ଉଭୟଙ୍କୁ ଦଣ୍ଡ ବିଧାନ କଲେ କଲ୍ୟାଣ ବାବୁ। ଖାଦ୍ୟପେୟ ନ ଦେଇ ଗୋଟିଏ ଘରେ ବନ୍ଦ କରି ରଖିଲେ। ତଥାପି ସେମାନେ ପରସ୍ପରକୁ ଛାଡି ରହି ପାରିବେନାହିଁ ବୋଲି କହିଲେ। ଏ ଖବର ପାଇ ସେ ପୁଅର ମାଆ ଆସି ଗୋଡ଼ ଧରି କ୍ଷମା ମାଗିଲା ଓ ଛାଡି ଦେବାକୁ ଅନୁରୋଧ କଲା। ହେଲେ କଲ୍ୟାଣବାବୁ ନିଜ ଅହଙ୍କାରରେ ଅନ୍ଧ ହୋଇ ଉଭୟଙ୍କୁ ହତ୍ଯା କରିବାକୁ ଆଦେଶ ଦେଲେ।ମାତ୍ର ଦୁଇଟି ଗୁଳି କାମ ଶେଷ। ସେ ପୁଅର ମା ଆସି ଦେଖିଲା ବେଳକୁ ପୁଅର ରକ୍ତ ଜୁଡ଼ୁବୁଡ଼ୁ ଶବ ପଡିଛି ତଳେ।କାନ୍ଦି କାନ୍ଦି ଅଭିଶାପ ଦେଲା, ତମେ ଯେମିତି ମୋର ଗୋଟିଏ ବୋଲି ପୁଅକୁ ମାରି ମୋ ବଂଶ ନିପାତ କରି ଦେଇଛ ସେମିତି ତୁମ ବଂଶରେ ବି କେହି ରହିବନି। ଯେତେ ଦିନ ବଞ୍ଚିବ ଜଳି ଜଳି ବଞ୍ଚିବ। ଏ ମା'ର ଅଭିଶାପ ତୁମ ଉପରେ ନିଶ୍ଚୟ ପଡିବ। ତୁମ ଘରେ କେହି ବି ଶାନ୍ତିରେ ରହି ପାରିବେନାହିଁ।


   କିଛି ବର୍ଷ ପରେ ସିମାର ବିବାହ ବହୁ ଆଡ଼ମ୍ବର ସହକାରେ ହେଲା। ଶାଶୁଘରକୁ ଝିଅ ବିଦା ହେଲା। ଜାନି ଯୌତୁକ କୋଉଥିରେ କିଛି ଅଭାବ ନାହିଁ। ଶାଶୁଘରେ ସମସ୍ତେ ଖୁସି। ବାସର ରାତି ଖଟଟା ବେଶ୍ ଭଲ ଭାବରେ ସଜା ହୋଇଛି। କ୍ଷୀର, ପୋଡା ନଡ଼ିଆ ଥୁଆ ହେଇଛି। ନୂଆ ଜୀବନକୁ ଆଲୋକିତ କରିବା ପାଇଁ କୁଳଦୀପ ବି ଭଲ ଭାବରେ ଜଳୁଚି। ନବ ବଧୂ ବେଶରେ ସଜ୍ଜିତ ହେଇ ବସିଛି ସିମା। ସାଗର ପ୍ରବେଶ କଲା। ସିମା ଟିକେ ଲାଜେଇ ଗଲା। ସେ ଭାବିଥିଲା ସାଗର ଆସିବ ପାଖରେ ବସିବ ଆଉ ଧିରେ ଧିରେ ତା ଓଢ଼ଣୀ ଖୋଲିବ। ହେଲେ ଇଏ କଣ ସାଗର ତ ବେଡ୍ସିଟ୍ ଟା ନେଇ ତଳେ ଶୋଇଲା। ସିମା ସହିତ ପଦେ କଥା ବି ହେଇନି ସେ। ସିମା ବିଚାରି କଣ କରିବ କିଛି ଭାବି ପାରିଲା ନାହିଁ। କିଛି ସମୟ ବସିବା ପରେ ସେ କହିଲା, ଆପଣ ଆସି ଖଟରେ ଶୁଅନ୍ତୁ ମୁଁ ତଳେ ଶୋଇଯିବି। କିଛି ନ କହି ସାଗର ଚୁପଚାପ୍ ଆସି ଖଟରେ ଶୋଇଲା ଆଉ ସିମା ତଳେ। ବାହାଘରକୁ ଗୋଟେ ମାସ ବିତି ଯାଇଥିଲେ ମଧ୍ୟ ସାଗର ତା ସହିତ ପଦେ ବି କଥା ହେଇନି। କେବେ ଭଲ କରି ସିମାର ମୁହଁ ବି ଦେଖିନି। ଏ କଥା ସିମା କାହାକୁ କହି ପାରୁଛି ନା ସହି ପାରୁଛି।


   କିଛି ଦିନ ପରେ ସାଗରର ଦୂରକୁ ବଦଳି ହୋଇ ଗଲା। ସେ ଏକା ଗଲା ଓ ସିମା ଶାଶୁଘରେ ରହିଲା। ଦୀର୍ଘ ପାଞ୍ଚ ବର୍ଷ ହେଇଗଲାଣି ନା ସାଗର କେବେ କଲ୍ କରିଛି ନା ଘରକୁ ଆସିଛି। ସ୍ଵାମୀ ପ୍ରେମ ତା ଭାଗ୍ୟରେ ନାହିଁ। ତା ଆଖି ଆଗରେ ଭାସି ଯାଉଥିଲା ସେ ଦିନର ରୋମଣ୍ଟାକୁରା ଦୃଶ୍ଯ ଓ ସେ ବୁଢୀର ଅଭିଶାପ କଥା।


 


Rate this content
Log in

Similar oriya story from Classics