ଅଭିନୟ
ଅଭିନୟ
ଅଭିଷେକ ଯୁକ୍ତ ତିନି କଳା ତୃତୀୟ ବର୍ଷର ଛାତ୍ର। ପାଠ ପଢ଼ା କ୍ଷେତ୍ରରେ ଅଗ୍ରଣୀ ନଥିଲେ ମଧ୍ୟ ପଛୁଆ ବି ନୁହଁ। ରୂପରଙ୍ଗ ମଧ୍ୟ ଠିକ ଠାକ।ଚାଲି ଚଳନ ଶାନ୍ତ, ଶିଷ୍ଟ ଓ ସରଳ।କିନ୍ତୁ ତାର ଗୋଟିଏ ଖରାପ ଗୁଣ ଅଥବା ଦୁର୍ବଳତା ବି କହିପାରିବା ସେ କାହା ସେତେଟା ମିଶି ପାରେ ନାହିଁ।ସବୁବେଳେ ନିଜ ଦୁନିଆରେ ଏକା ରହିବାକୁ ଭଲପାଏ ସେ।ତଥାପି ନିଜର ଉତ୍ତମ ଚିନ୍ତାଧାରା ଓ ଚରିତ୍ର ଯୋଗୁଁ ସମସ୍ତେ ତାକୁ ଆଦର କରନ୍ତି।
ଥରକର କଥା କଲେଜରେ ସାଙ୍ଗମାନେ ସ୍ଥିର କଲେ ସବୁ ବର୍ଷ ପରି ଆଗାମୀ ବାର୍ଷିକ ଉତ୍ସବ ଦିନ ସେମାନେ ଏକ ନାଟକ କରିବେ। ସମସ୍ତଙ୍କ ସହମତିରେ ନିଷ୍ପତି ଚୂଡାନ୍ତ ହେଲା। ନାଟକ ପାଇଁ ନିର୍ଦ୍ଦେଶକ ନାଟ୍ୟକାର ବିଜୟ ଦାସ ସାର। ନିଜ ଅଦ୍ଭୂତପୂର୍ବ ନାଟକ ଲେଖା, ପ୍ରଦର୍ଶନୀ ଶୈଳୀ ,ନିର୍ଦ୍ଦେଶନା ପାରିଦର୍ଶିତା ଜିଗୁ ରାଜ୍ୟ ତଥା ଜାତୀୟ ସ୍ଥରରେ ଅନେକ ଥର ପୁରସ୍କୃତ ହୋଇସାରିଛନ୍ତି ସେ।ସାର ମଧ୍ୟ ପିଲାଙ୍କ ଆଗ୍ରହକୁ ସମ୍ମାନ ଦେଲେ। ସେ ଆଗରୁ ମଧ୍ୟ ପିଲାଙ୍କୁ ଦୁଇଟି ନାଟକରେ ସଫଳ ନିର୍ଦ୍ଦେଶନା ଦେଇସାରିଛନ୍ତି। ସାରଙ୍କ ମତରେ ସବୁଥର ପରି ନାଟକ ଗୁଡିକ ସଚେତନତା ଉପରେ ନ ରହି ଏ ଥର ତାଙ୍କ ଲିଖିତ ନାଟକ " ଦୁଇ ମନ ଗୋଟିଏ ପ୍ରାଣ" ପ୍ରଦର୍ଶନ କରିବା ଠିକ ହେବ।ପିଲା ମାନେ ମଧ୍ୟ ଆଗ୍ରହ ପ୍ରକାଶ କଲେ।
ସବୁ ପାର୍ଶ୍ୱ ଚରିତ୍ର ଘୋଷଣା କରାଗଲା।ତା ପରେ ମୁଖ୍ୟ ଚରିତ୍ର ଅର୍ଥାତ ନାୟକ ଓ ନାୟିକା ଚୟନ।ସମସ୍ତେ ଭାବୁଥିଲେ ସବୁ ଥର ପରି ଏଥର ମଧ୍ୟ ମୋହନ ହିଁ ନାୟକ ଚରିତ୍ର କରିବ।କିନ୍ତୁ ସାର ତ ଏଥର କିଛି ଭିନ୍ନ କରିବା ଅଭିପ୍ରାୟରେ ଥିଲେ। ସେ ସମସ୍ତଙ୍କୁ ନିରୀକ୍ଷଣ କରି ଶେଷରେ ଏକାକୀ ଏକ କୋଣରେ ଅନ୍ୟମନସ୍କ ଭାବେ ବସିଥିବା ଅଭିଷେକ ହିଁ ମୁଖ୍ୟ ନାୟକ ଭାବେ ମନୋନୀତ କଲେ।
ସମସ୍ତେ ଆଶ୍ଚମ୍ବିତ !
ମୋହନ - "ଆରେ ! ସାର ସେ କଣ ପାରିବ ? ପ୍ରଥମରେ ତ ସେ କାହା ସାଙ୍ଗରେ ସେତେ ଭଲ ଭାବେ କଥା ବି ହୁଏନି। ସେ କିପରି ଆମ ସାଙ୍ଗରେ ଅଭିନୟ କରିବ। ତାହା ବି ମୁଖ୍ୟ ଚରିତ୍ର ! ସାର ଆପଣ
ଥରେ ଭଲ ସେ ଚିନ୍ତା କରନ୍ତୁ।"
ସାର - "କଣ ତୁମ ମାନଙ୍କର ମୋ ଉପରେ ବିଶ୍ୱାସ ନାହିଁ।
ମୋହନ ତୁମକୁ ବି ପ୍ରଥମ ବର୍ଷ ମୁଁ ହିଁ ବାଛିଥିଲି ନା।"
"ଅଭିଷେକ ! ଅଭିଷେକ। "
ଅଭିଷେକ - ହଠାତ ଚମକି ପଡି " ଆଜ୍ଞା ! ସାର।"
ସାର - "ତୁମେ ଏଥର ଆମ ନାଟକରେ ମୁଖ୍ୟ ଭୂମିକାରେ
ଅଭିନୟ କରିବ।"
ଅଭିଷେକ - " ନା ସାର ମୁଁ କ'ଣ କରିପାରିବି ? ଆପଣଙ୍କ ଆଗ୍ରହ ପାଇଁ ଧନ୍ୟବାଦ କିନ୍ତୁ ମୁଁ ପାରିବି ନାହିଁ।
ଆପଣ ଆଉ କାହାକୁ ବାଛନ୍ତୁ।"
ସାର - "ମୁଖ୍ୟ ନାୟକ ଅଭିଷେକ ଆଉ ମୁଖ୍ୟ ନାୟିକା....."
"ହମ.....ହମ......"
"ପ୍ରିୟା! ତୁମେ।"
ପ୍ରିୟା - " ଆଜ୍ଞା ସାର।"
ନାହିଁ ନାହିଁ କରୁଥିବା ଅଭିଷେକ ଏବେ କାହିଁକି କେଜାଣି ଚୁପ ହୋଇଯାଇଥିଲା।ସମସ୍ତଙ୍କ ଅନୁସାରେ ନାୟିକା ତ ଠିକ ଅଛି କିନ୍ତୁ ନାୟକ ପାଇଁ ମୋହନ ଥାଉ ଥାଉ ସାର କାହିଁକି ଯେ ଅଭିଷେକକୁ ଠିକ କଲେ ? ଯଦି ସେ ନ ପାରିବ ସବୁ ଫସର ଫାଟିଯିବ।
ରିହାର୍ସେଲ ର ପ୍ରଥମ ଦିନ । ଗୋଟିଏ ନିର୍ଦ୍ଧିଷ୍ଟ ଭାଗର ଅଭ୍ୟାସ ବେଳେ ଗୋଟିଏ ପଟେ ଠିଆ ହୋଇଥାଏ ପ୍ରିୟା ଓ ଅନ୍ୟପଟେ ଅଭିଷେକ। ସେ ନିଜ ମୁଣ୍ଡ ଧୀରେ ଧୀରେ ଟେକି ଅନ୍ତରରୁ ଅତି ଆନନ୍ଦିତ ଓ ବିଚଳିତ ହୋଇଯାଉଥିଲା। ବିଜୟ ସାରଙ୍କ ଆଦେଶ କ୍ରମେ ପ୍ରିୟା ଅଭିଷେକ ପାଖକୁ ଆସିଲା ଓ କହିଲା;-
" କଣ କହିବି ବୋଲି କହିଥିଲ ପରା। ମୋ ପାଖରେ ସମୟ ବହୁତ କମ।ମୁଁ ଆଜି ହିଁ ମୁମ୍ବାଇ ବାହାରୁଛି। କେଜାଣି ପୁଣି କେବେ ଦେଖାହେବ।"
ଅଭିଷେକ - "#ସମୟ ! ସେଇଟା ହିଁ ତ ଚାହେଁ ମୁଁ ତୁମଠୁ।"
"ଚାହେଁ କିଛି #ସମୟ ତୁମ ପାଖରେ ବସିବାକୁ।"
"ଚାହେଁ କିଛି #ସମୟ ତୁମ କଥା ଶୁଣି ହସିବାକୁ।"
"ତୁମ ସହ କାନ୍ଦିବାକୁ, ଚାଲିବାକୁ,ଝୁଣ୍ଟିବାକ।"
"ଚାହେଁ କିଛି #ସମୟ ତୁମକୁ ଜାଣିବା ପାଇ।"
" ଚାହେଁ କିଛି #ସମୟ ମୋ ବିଷୟରେ ତୁମକୁ ଜଣାଇବାକୁ ।"
"ଚାହେଁ କିଛି #ସମୟ ପାଇଁ ତୁମ ହୃଦୟକୁ ଯାଇ ।
ମୋ ପାଇଁ ସେଠି ଜାଗାଟେ କିଣିବା ପାଇଁ।"
"ଚାହେଁ କିଛି #ସମୟ ତୁମ ହାତ ଧରି ତୁମ ସବୁ
ସମୟ କୁ ନିଜର କରିବା ପାଇଁ।"
" କଣ ପ୍ରିୟା ? କଣ ତମେ ମତେ ସେତିକି #ସମୟ ଦେଇପାରିବ। ମୋର ତ ପ୍ରତିଟି ମୁହୂର୍ତ୍ତ ମୁଁ ତୁମ ନାଆଁରେ ଲେଖି ସାରିଛି । କିନ୍ତୁ କଣ ତୁମେ ବି....। ସତରେ ପ୍ରିୟା ତୁମକୁ ଦେଖିଲା ଦିନଠୁଁ ମୁଁ ତ ତୁମକୁ ମନ ଦେଇସାରିଥିଲି। କିନ୍ତୁ ମୋର ଏକୁଟିଆ ରହିବା ଗୁଣ ଯୋଗୁଁ ମୁଁ ତୁମକୁ କିଛି କହିପାରେ ନାହିଁ।ଯେହେତୁ ଆଜି ତୁମେ ସବୁଦିନ ପାଇଁ ଚାଲି ଯାଉଛ ତେଣୁ ସାହସ ଜୁଟେଇ ଆଜି ସବୁ କହିଦେଲି। କଣ ତମେ ରାଜି।"
ପ୍ରିୟା-" ଆରେ ବୁଦ୍ଧୁ ! ମୁଁ ତା ପ୍ରଥମ ଦିନରୁ ରାଜି । ଯାହା ଏ ଦିନଟିର ଅପେକ୍ଷାରେ ଥିଲି।" ( ଉଭୟେ କୋଳଗ୍ରତ )
Back ground music : (ତୁ ଧୀରେ ଧୀରେ ଚାଲ ରେ ସମୟ )
ଏତେ ଅଦ୍ଭୁତ ପୂର୍ବ #ଅଭିନୟର ନମୁନା ଦେଖି ସମସ୍ତେ ତାଳି ଓ ହୁଇସିଲ ମାରି ପୁରା ରୁମ କମ୍ପେଇ ଦେଲେ। ସମସ୍ତେ ବିଜୟ ସାରଙ୍କ ନିଷ୍ପତି ଉପରେ ସନ୍ତୁଷ୍ଟ ହୋଇଗଲେ। ବିଜୟ ସାର ବି ଖୁସି ଥିଲେ। କିଛି ଦିନ ସମସ୍ତେ ମନ ଦେଇ ଅଭ୍ୟାସ କଲେ ଓ ଶେଷରେ ବାର୍ଷିକ ଉତ୍ସବ ଦିନ ନାଟକ ଟି ମଞ୍ଚସ୍ତ ହେଲା । ସମସ୍ତେ ନାଟକକୁ ପ୍ରଶଂସାରେ ପୋତି ପକାଇଲେ।
କିନ୍ତୁ ବିଜୟ ସାରଙ୍କ ମନରେ କିଛି ପ୍ରଶ୍ନ ଥିଲା ଯାହାର ଉତ୍ତର ବଧେ ଭବିଷ୍ୟ ଗର୍ଭରେ ଲୁଚି ରହିଛି।
"କଣ ସତରେ ପ୍ରିୟା ଓ ଅଭିଷେକ #ଅଭିନୟ କରୁଥିଲେ........?"
"କାହିଁକି ପ୍ରଥମେ ନାଁ କରୁଥିବା ଅଭିଷେକ ପ୍ରିୟା ନାଁ ଶୁଣି.........? "
"କାହିଁକି ନାଟକରେ ଚରିତ୍ରର ନାଁ ଆକାଶ ଓ ବର୍ଷା ଥିଲେ ବି ଉଭୟେ ନିଜ ନିଜ ନାଁ ରେ........?
"ମୋ ନାଟକର କଳ୍ପନା ପଛରେ ଏ ଦୁହିଁଙ୍କ ସତ୍ୟତା ଲୁଚି ନାହିଁ ତ....?"
ସେ ଯାହା ହେଉ ଭଗବାନ ଉଭୟଙ୍କ ଇଚ୍ଛା ପୁରଣ କରନ୍ତୁ ।