ଆତ୍ମନିର୍ଭର
ଆତ୍ମନିର୍ଭର
ରାଜୁବାବୁ ଜଣେ ସରଳ ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ଅଟନ୍ତି। ଏକଥା ତାଙ୍କ ପାଖ ପଡୋଶୀ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତେ ଜାଣନ୍ତି।ଏକ ପ୍ରାଇଭେଟ କମ୍ପାନୀର ଜଣେ ପଦସ୍ଥ ଅଧିକାରୀ ଭାବେ ସେ ଅବସର ଗ୍ରହଣ କରିଥିଲେ।ତେଣୁ ଧନ ସମ୍ପତ୍ତିର ଅଭାବବୋଧ ନଥିଲା।ଏକମାତ୍ର ପୁଅ ବୋହୂ ଓ ପତ୍ନୀଙ୍କୁ ନେଇ ତାଙ୍କର ସୁଖୀ ସଂସାର।ତାଙ୍କ ପତ୍ନୀ ରିତାଦେବୀ ଜଣେ ସୁଗୃହିଣୀ ଥିଲେ।ଘର ଚଳାଇବାରେ ଧୁରନ୍ଧର।ଚାକିରୀରେ ଥିବା ସମୟରେ ରାଜୁବାବୁ ଅନେକ ସମୟରେ କମ୍ପାନୀ କାମରେ ବାହାର ସହରକୁ ଯାଉଥିଲେ।ତେଣୁ ପୁଅର ଦାୟିତ୍ବ ଓ ଘରର ଯାବତୀୟ ଦାୟିତ୍ୱ ରିତାଦେବୀ ହିଁ ନିର୍ବାହ କରିଥିଲେ।ଦରମା ପାଇଲା ପରେ ତାଙ୍କୁ ଟଙ୍କା ଧରାଇ ଦିଅନ୍ତି ରାଜୁବାବୁ।ଏହାପରେ ରାଜୁବାବୁଙ୍କର କୌଣସି ଚିନ୍ତା ନଥାଏ। ଘର ଚଳିବାଠାରୁ ଆରମ୍ଭ କରି ପୁଅର ପାଠପଢ଼ା ପର୍ଯ୍ୟନ୍ତ ସବୁ କଥା ରିତାଦେବୀ ବୁଝୁଥିଲେ।ସବୁକଥା ଏତେ ସୁନ୍ଦର ଓ ସୁରୁଖୁରୁରେ ସେ କରିପାରୁଥିଲେ ଯେ ତାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରି ରାଜୁବାବୁ ନିଶ୍ଚିନ୍ତ ହୋଇଯାଉଥିଲେ।
"ସମୟ ସବୁବେଳେ ସମାନ ଯାଏନି",ଆଗରୁ ଏକଥାକୁ ରାଜୁବାବୁ ହସରେ ଉଡେଇଦେଉଥିଲେ।
ତାଙ୍କର କହିବାର ଥିଲା ରିତା ଥିବା ପର୍ଯ୍ୟନ୍ତ ତାଙ୍କ ସମୟ ଆଦୌ ବଦଳିବନି।ଭଲ ସମୟ ହିଁ ଚାଲିଥିବ।ତାଙ୍କର ଛୋଟିଆ ସଂସାର ସୁରୁଖୁରୁରେ ଚାଲିଥିଲା।ପୁଅ ଭଲ ପାଠ ପଢୁଥାଏ।କିଛିଦିନ ପରେ ଭୁବନେଶ୍ୱରରେ ଜାଗାଟିଏ କିଣି ଘର ଖଣ୍ଡିଏ ମଧ୍ୟ କଲେ। ଘର ପ୍ରତିଷ୍ଠା ଭୋଜିରେ ବନ୍ଧୁବାନ୍ଧବ ତଥା ସାହି ଭାଇଙ୍କୁ ଆପ୍ୟାୟିତ କରିବାରେ କିଛି କମ କରିନଥିଲେ।ଯେଉଁ ବନ୍ଧୁବାନ୍ଧବ ଆସିଥିଲେ ସମସ୍ତେ ତାଙ୍କ ନବନିର୍ମିତ ଘର ସାଙ୍ଗକୁ ତାଙ୍କର ପ୍ରଶଂସା ମଧ୍ୟ କରୁଥିଲେ।ରାଜୁବାବୁ ଖୁସିରେ କୁରୁଳି ଉଠିଥିଲେ।ସମୟ ଚକ୍ରରେ ପୁଅ ବଡ଼ ହେଲା। ଭଲ ପାଠ ପଢୁଥିବାରୁ ଭଲ ସରକାରୀ ଚାକିରୀ ଖଣ୍ଡିଏ ପାଇଗଲା।ରାଜୁବାବୁ ଓ ରିତାଦେବୀଙ୍କର ଆଉ କୌଣସି ଚିନ୍ତା ନଥିଲା।ପୁଅକୁ ବାହା କରିଦେଲେ ତାଙ୍କର ସବୁ କର୍ତ୍ତବ୍ୟ ଶେଷ ହୋଇଯିବ ବୋଲି ଦୁହେଁ ଚିନ୍ତା କରିଥିଲେ।ତେଣୁ ପୁଅ ପାଇଁ ଚାଲିଲା କନ୍ୟାଖୋଜା।ସୋନାଲି ଗରିବ ଘରର ଝିଅ ହେଲେ କଣ ହେଲା ଦେଖିବାକୁ ସୁନ୍ଦରୀ ଓ ଉଚ୍ଚଶିକ୍ଷିତା ହୋଇଥିବାରୁ ଘରର ଓ ସମସ୍ତଙ୍କର ପସନ୍ଦଯୋଗ୍ୟ ବୋହୂ ହୋଇପାରିବ ବୋଲି ବିଚାର କରି ନିଜର ଏକମାତ୍ର ପୁଅ ସହ ସୋନାଲିର ବିବାହ କାର୍ଯ୍ୟ ସମ୍ପନ୍ନ କରିଦେଲେ। ବୋହୂ ସୋନାଲି ଘରେ ପାଦ ଦେଉ ଦେଉ ଘରର ସମସ୍ତ ଦାୟିତ୍ୱ ନିଜେ ବହନ କଲା।କହିବାକୁ ଗଲେ ରିତାଦେବୀ ଏକରକମ ଦାୟିତ୍ୱମୁକ୍ତ ହୋଇସାରିଥିଲେ।ରାଜୁବାବୁ ଓ ରିତାଦେବୀ ଠାକୁର ମନ୍ଦିର ଆଦିରେ ସମୟ ଅତିବାହିତ କରିବାକୁ ଲାଗିଲେ।ସୋନାଲି ଉପରେ ଘରର ଦାୟିତ୍ୱ ଦେଇ ସେ ଦୁହେଁ ନିଶ୍ଚିନ୍ତ ହୋଇସାରିଥିଲେ।ବାପାମାଆଙ୍କର ଅଵଶ୍ୟକତା ବା ଥାଏ କଣ!!ଆଦର ଯତ୍ନ କରୁଥିବା ପୁଅ ବୋହୂ ହିଁ ସେମାନଙ୍କ ଅସଲ ଧନ ସମ୍ପଦ। ତେଣୁ ରାଜୁବାବୁ ସମ୍ପୂର୍ଣ୍ଣ ଦାୟିତ୍ୱମୁକ୍ତ ହେବା ଆଶାରେ ତାଙ୍କ ନାଁରେ ଥିବା ସବୁ ଟଙ୍କା ଜାଗାବାଡ଼ି ଘର ସବୁ ସମ୍ପତ୍ତି ପୁଅ ନାମରେ କରିଦେଲେ। ଏହିଠାରୁ ହିଁ ତାଙ୍କ ସମୟ ବଦଳିଗଲା।
ଯେଉଁ ପୁଅ ବୋହୂ ଏତେ ଆଦର ଯତ୍ନ କରୁଥିଲେ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ସ୍ପଷ୍ଟ ବାରି ହେଉଥିଲା।ବୋହୂ ସୋନାଲି କାହିଁକି କେଜାଣି ସ୍ବେଚ୍ଛାଛାରୀ ଭଳି ଲାଗୁଥିଲା। ଜନ୍ମିତ ପୁଆ ମଧ୍ୟ ଭଲ ମନ୍ଦ ବିଚାର ନ କରି ବୋହୂ କଥାରେ ପରିଚାଳିତ ହେଲା ଭଳି ମନେ ହେଉଥିଲା।ଯେଉଁ ବୋହୂ ନିଜେ ଘରର ସବୁ କାମ କରୁଥିଲା,ଶାଶୂ ଶ୍ୱଶୁରଙ୍କୁ କାମ କରିବାରୁ ବାରଣ କରୁଥିଲା, ଠାକୁର ସେବା କାମ ବ୍ୟତୀତ କୌଣସି କାମ କରିବାକୁ ମନା କରୁଥିଲା ସେହି ବୋହୂ ଆଜି ରିତାଦେବୀ ଙ୍କୁ ଯାବତୀୟ ଘର କାମ କରିବାକୁ କହୁଥିଲା।ରାଜୁବାବୁଙ୍କୁ ବଜାର ସଉଦା କରିବା ପାଇଁ ବରାଦ କରୁଥିଲା।ତା'ବାପା ମାଆ ଆସିଲେ ଛ ତିଅଣ ନ ଭଜା କରି ବାଢ଼ିଦେଉଥିବା ବେଳେ ନିଜ ଶାଶୂ ଶ୍ବଶୁରଙ୍କୁ ମନଜାଣି ଖାଇବା ଗଣ୍ଡେ ଦେବା ମଧ୍ୟ ବନ୍ଦ କରିଦେଇଥିଲା।ସବୁକଥାରେ ଶାଶୂ ଶ୍ୱଶୁରଙ୍କୁ ଅବହେଳା କରିବାରେ ଲାଗିଲା।ରାଜୁବାବୁଙ୍କୁ ବୁଝିବାକୁ ବାକି ରହିଲା ନାହିଁ ଯେ ସୋନାଲି କେବଳ ସମ୍ପତ୍ତି ଲୋଭରେ ଭଦ୍ରମୁଖାଟି ପିନ୍ଧିଥିଲା ସମ୍ପତ୍ତି ପାଇସାରିବା ପରେ ମୁଖାଟିକୁ ଫୋପାଡ଼ି ଦେଇ ନିଜର ଅସଲ ଚେହେରା ଦେଖାଉଥିଲା।ଅନେକ ରାତିରେ ରିତାଦେବୀ କାନ୍ଦନ୍ତି।ରାଜୁବାବୁ ଚିନ୍ତା କରନ୍ତି ଯେତେଦିନ ସେ କାହା ଉପରେ ନିର୍ଭର କରୁନଥିଲେ ସବୁ ଠିକ ଠାକ ଚାଲିଥିଲା,ଯେମିତି ସେ ସମ୍ପତ୍ତି ପୁଅ ନାଁରେ କରି ପୁଅ ଉପରେ ନିର୍ଭର କରିବାକୁ ଲାଗିଲେ ସବୁ ବଦଳିଗଲା।ଆତ୍ମନିର୍ଭରରୁ ନିର୍ଭରଶୀଳ ହେବା ପଥ ଯେତେ ସହଜ ନିର୍ଭରଶୀଳ ହୋଇ ରହିବା ତା' ଠାରୁ ଯଥେଷ୍ଟ ଅଧିକ ଯନ୍ତ୍ରଣାଦାୟକ।ଏବେ ରିତାଦେବୀ ତାଙ୍କ ସହ ଥାଇ ମଧ୍ୟ ତାଙ୍କ ସମୟ ବଦଳିସାରିଥିଲା।ସେ ଠିକ ବୁଝିପାରୁଥିଲେ ସମୟ ସବୁବେଳେ ସମାନ ଯାଏନି।ରିତାଦେବୀଙ୍କ କାନ୍ଦ ତାଙ୍କୁ ଏକ ଅପ୍ରତ୍ୟାଶିତ ଅଥଚ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିଲା।
ଏହାର କିଛିଦିନ ପରେ ଦିନେ ପ୍ରାତଃଭ୍ରମଣରୁ ଫେରି ସେ ପୁଅକୁ ନିଜ ନିଷ୍ପତ୍ତି ବିଷୟରେ ଜଣେଇଥିଲେ।ଏବଂ ତାହା ଚରିତାର୍ଥ କରିବା ପାଇଁ ସେ ସମସ୍ତ ଆୟୋଜନ କରିସାରିଥିବା କଥା କହିଥିଲେ।ତାଙ୍କର ନିଷ୍ପତ୍ତି ଥିଲା ସେ ପୁନର୍ବାର ରୋଜଗାରକ୍ଷମ ହେବେ ଓ ରିତାଦେବୀଙ୍କ ସହ ଅନ୍ୟତ୍ର ରହିବେ। ଚାକିରୀର ତାଙ୍କର ଦୀର୍ଘଦିନର ଅଭିଜ୍ଞତାକୁ ଆଧାର କରି ଏକ କମ୍ପାନୀର ମାନବସମ୍ବଳ ବିଭାଗରେ ତାଙ୍କୁ ଚାକିରୀଟିଏ ମିଳିସାରିଥିଲା।
ସପତ୍ନୀକ ଘର ଛାଡ଼ିଗଲାବେଳେ ପୁଅ ବୋହୂଙ୍କ ପାଇଁ ତାଙ୍କର ଶେଷ କଥାପଦିକ କହିବାକୁ ଯାଇ ସେ କହିଥିଲେ,"ନିର୍ଭରଶୀଳରୁ ପୁଣିଥରେ ଆତ୍ମନିର୍ଭର ହେବାକୁ ଯାଉଛି,ଈଶ୍ୱର ମୋତେ ସହାୟ ହୁଅନ୍ତୁ ଓ ତୁମକୁ ସଦବୁଦ୍ଧି ଦିଅନ୍ତୁ"।ମନେ ମନେ ରାଜୁବାବୁ ଚିନ୍ତା କରୁଥିଲେ ଅନ୍ୟ ଉପରେ ନିର୍ଭର କରି କୁକୁର ପରି ବଞ୍ଚିବା ଅପେକ୍ଷା ଆତ୍ମନିର୍ଭର ହୋଇ ସମ୍ମାନର ସହ ବଞ୍ଚିବା ଯଥେଷ୍ଟ ଭଲ। ତାଙ୍କ ମୁହଁରେ ପ୍ରସନ୍ନତା ଓ ଓଠରେ ଆତ୍ମତୃପ୍ତିର ହସ ଲାଖିରହିଥିଲା।