puspanjali das

Classics

2  

puspanjali das

Classics

ଆତ୍ମଗ୍ଲାନି

ଆତ୍ମଗ୍ଲାନି

7 mins
167


      ଅନନ୍ୟା ସେଦିନ ବୋଉ ର ଫୋନ କଲ୍ ଟି ପାଇ ପାଗଳ ଙ୍କ ପରି ଦଉଡି ଯାଇଥିଲା ହସ୍ପିଟାଲ। ନୂଆକରି ଜଏନ କରିଥିବା ଚାକିରି କଥା କୁ ଟିକେ ବି ଭୃକ୍ଷେପ ନ କରି ଗାଡି ନେଇ ବାହାରିଯାଇଥିଲା,କାହାକୁ କିଛି ନ ଜଣାଇ,କେବଳ ଜଣେ ବାନ୍ଧବୀ ଙ୍କ ହାତରେ ,ତା 'ମ୍ୟାନେଜର କୁ ଖବର ଟା ଜଣାଇଦେଇ ଯେ ,ତା'ବାପା ଙ୍କ ର ଆକ୍ସିଡେଣ୍ଟ ହୋଇ ହସ୍ପିଟାଲ ରେ ଅଛନ୍ତି। ମୁଣ୍ଡ ଭିତର ଟା କେମିତି ଫାଙ୍କା ହୋଇଗଲା ଭଳି ଲାଗୁଥିଲା, ଭାବିବା କୁ ଯେମିତି ଶକ୍ତି କି ସାହସ କିଛି ନ ଥିଲା ତାର। କେବଳ ମନେ ପକାଇ ଅରୁପ କୁ ଫୋନ ଟିଏ କରି ଜଣାଇଦେଇ ଥିଲା ବାପା ଙ୍କ ଖବର ଓ ହସ୍ପିଟାଲର ଠିକଣା।

       ହସ୍ପିଟାଲ ଯେତେବେଳେ ପାଖେଇ ଆସିଥିଲା,ପାଖ ବସ୍ତି ର ପିଲା ମାନ ଙ୍କ ର କୋଳାହଳ ରେ ଅନନ୍ୟା ଗାଡି ର ବ୍ରେକ ମାରି ଟିକେ ନିଶ୍ୱାସ ମାରିଥିଲା,ସତେ ଯେମିତି ସେପର୍ଯ୍ୟନ୍ତ ନିଶ୍ୱାସ ନେବା କୁ ଭୁଲି ଯାଇଥିଲା! ମଝିରେ ମଝିରେ ସିଏ ତ ସେଇ ବସ୍ତି କୁ ଆସି ପୁରୁଣା ଲୁଗାପଟା ବାଣ୍ଟି ଦେଇଯାଏ,ସେଠିକାର ପିଲାମାନେ ତାକୁ ଓ ତା'ଗାଡି କୁ ଭଲ ଭାବରେ ଚିହ୍ନନ୍ତି,ତା'ଗାଡି କୁ ଦୂର ରୁ ଦେଖିଲେ ,ଦଉଡି ଆସନ୍ତି ସବୁ,ଏକ ପ୍ରକାର ଘେରି ଯାଆନ୍ତି ଆଉ କିଛି ପାଇବାର ଆଶା ଓ ଖୁସି ର ଫେଣ୍ଟାଫେଣ୍ଟି ରଙ୍ଗ ଯେମିତି ସେମାନଙ୍କ ମୁହଁରେ ବୋଳି ହୋଇଯାଇଥାଏ। ସେଦିନ ବି ସେମିତି କେତେ ଜଣ ତା' ଗାଡି କୁ ଘେରି ଯାଇଥିଲେ,ହେଲେ ଅନନ୍ୟା ର ସେଥିପ୍ରତି ଟିକିଏ ବି ଦୃଷ୍ଟି ଯାଇ ନ ଥିଲା। ତାକୁ ଗାଡି ରୁ ନ ଓହ୍ଲାଇ ବା ଦେଖି ,ପିଲା ଗୁଡିକ ନିରାଶ ହୋଇ ପଛ କୁ ଘୁଞ୍ଚି ଯାଇଥିଲେ। ଆଉ ସେଇ କେଇ ମିଟର ବାଟକୁ କେମିତି ପାର କରିଥିଲା,ସେ ନିଜେ ବି ଜାଣିପାରି ନଥିଲା! ଗାଡି ରୁ ଓହ୍ଲାଇ ଏକପ୍ରକାର ଦଉଡି ଯାଇ ଥିଲା ,ବୋଉ ର କହିବା ଅନୁଯାୟୀ ଏମରଜେନ୍ସି ୱାର୍ଡ କୁ। ବୋଉ ପାଖରେ ପହଞ୍ଚୁ ପହଞ୍ଚୁ ଡାକ୍ତର ଓ ନର୍ସ ଙ୍କ ଦଉଡା ଦଉଡି ଦେଖିଦେଇ ,ସବୁଯାକ ଶରୀର ର ବଳ ଯେମିତି ହରେଇ ବସିଥିଲା,ହେଲେ ଯେତେବେଳେ ବୁଝିଥିଲା ଯେ,ରୋଡ଼ ଆକ୍ସିଡେଣ୍ଟ ରେ ଆସିଥିବା ପେସେଣ୍ଟ ଜଣ କ ସିରିଅସ ହୋଇଯାଇଛନ୍ତି ଓ ତା'ବାପାଙ୍କ ର କେବଳ ରକ୍ତ ଯୋଗାଡ଼ କରିବାକୁ ପଡିବ,ସେମିତି ଏତେ ସିରିଏସ ହୋଇନି,ସେତେବେଳେ ସାମାନ୍ୟ ଆଶ୍ୱସ୍ତ ହୋଇ,ସବୁଯାକ ମନବଳ ଓ ଧୈର୍ଯ୍ୟ ଏକାଠ କରି ବୋଉ କୁ ବୁଝାଇ ବାକୁ ଚେଷ୍ଟା କରିଥିଲା। ବୋଉ ସେତେବେଳକୁ କିନ୍ତୁ କାହାରି କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲା, କେବଳ ଗୋଟିଏ କଥା କୁ ବାରମ୍ବାର କହି ଚାଲିଥିଲା–O ନେଗେଟିଭ୍ ରକ୍ତ କୋଉଠୁ ହେଲେ ଯୋଗାଡ କର। ସମସ୍ତ ଙ୍କ ର ତ O+,ଆଉ ବ୍ଲଡ଼ ବ୍ୟାଙ୍କ ରେ O-ମିଳୁନି। ବୋଉ କୁ ବହୁତ କଷ୍ଟ ରେ ବୁଝାଇ ଅନନ୍ୟା ତା'ର ସବୁ କଂଟାକ୍ଟ ନମ୍ବର ରେ ଫୋନ କରିବାକୁ ଲାଗିଲା, ହେଲେ,ସବୁଆଡୁ ନିରାଶ ହୋଇ,ବ୍ଲଡ଼ବ୍ୟାଙ୍କ କୁ ପୁଣି ଥରେ ଭଲକରି ବୁଝିବାକୁ ଚାଲିଗଲା। ବେଳେବେଳେ କେତେଗୁଡିଏ ଲୋକ ସ୍ୱଇଛା ରେ ରକ୍ତ ଦାନ କରିଥାନ୍ତି,ଯେଉଁ ମାନଙ୍କୁ ସେଇ ବ୍ଲଡ଼ବ୍ୟାଙ୍କ ପାଖରେ ଖୋଜି ପାଇ ହୁଏ,ସେତକ ଚେଷ୍ଟା କରିବାକୁ ସେ ବ୍ଲଡ଼ବ୍ୟାଙ୍କ ଆଖପାଖ ସବୁ ଜାଗାରେ ଯେତେ ସବୁ ଲୋକ ଥିଲେ, ଗୋଟି ଗୋଟି କରି ପଚାରି ଚାଲିଥିଲା, ହେଲେ ସବୁ ଜାଗାରୁ ନିରାଶ ହୋଇ ଫେରିଲା ବେଳକୁ ହଠାତ୍ ଦୀନବନ୍ଧୁ ମଉଷା,ଯିଏ ତାଙ୍କ ଘରେ କିଛି ବର୍ଷ ପୂର୍ବେ ଭଡା ରହୁଥିଲେ, ତାଙ୍କ ସାଙ୍ଗରେ ଦେଖା ହୋଇ ଯାଇଥିଲା। ତାକୁ ଏତେ ବ୍ୟସ୍ତ ଓ ବିବ୍ରତ ହେବାର ଦେଖି,ତାଙ୍କ ହସ ହସ ମୁହଁରୁ ବାହାରି ପଡିଥିଲା–ଆରେ ଅନୁ(ତାକୁ ସିଏ ଅନୁ ହିଁ ଡାକୁ ଥିଲେ,ତାଙ୍କ ଘରେ ରହିଲା ବେଳେ)ଏଠି କ'ଣ କରୁଛୁ? ଏତେ ବ୍ୟସ୍ତ ଦିଶୁଛୁ, ଘରେ ସମସ୍ତେ ଠିକ ଅଛନ୍ତି ତ? ଏତେଗୁଡିଏ ପ୍ରଶ୍ନ ଏକା ସାଙ୍ଗରେ ଶୁଣି,ଆଉ ମଉଷା ଙ୍କୁ ଏମିତି ଅପ୍ରତ୍ୟାଶିତ ଭାବରେ ଦେଖି ଅନନ୍ୟା ଟିକେ ସହମି ଯାଇଥିଲା। ଭାବୁଥିଲା ଏତେ ବର୍ଷ ହେବ ତାଙ୍କ ସାଙ୍ଗରେ ଥରୁଟିଏ ବି ଦେଖା ହୋଇ ନଥିଲା,ଦେଖା ନ ହେଉ ବୋଲି ମଧ୍ୟ ସିଏ ସେତେବେଳେ କେତେ ଠାକୁର ଙ୍କୁ ଡାକିଥିଲା!" ତାଙ୍କର ସେଇ ଆଖି ଛଳ ଛଳ ମୁହଁ ଟି ସେ ବହୁତ ଦିନ ହେବ ଭୁଲି ପାରି ନ ଥିଲା। ଏତେ ବି ଛୋଟ ନ ଥିଲା କି ସବୁ ଭୁଲି ଯିଵ,ଆଉ ଏତେ ବି ବଡ଼ ହୋଇନ ଥିଲା କି ବାପା ,ବୋଉ ଙ୍କୁ ତାଙ୍କ ଭୁଲ ବୁଝାଇ ପାରି ଥାନ୍ତା! କେବଳ ନିଜ ପାଖରେ ନିଜେ ଯେମିତି ଶପଥ କରିନେଇଥିଲା ଯେ ସେମାନଙ୍କୁ କେବେ ଦେଖା କରିବନି ବୋଲି!

   ଦୀନବନ୍ଧୁ ମଉଷା ଙ୍କ କଥା ର ପୁନରାବୃତ୍ତି ରେ ଅନନ୍ୟା ପ୍ରକୃତିସ୍ଥ ହୋଇଥିଲା, ଓ ସବୁ ପଛ କଥା କୁ ଭୁଲି ,ଭେଁ କରି କାନ୍ଦି ପକାଇଥିଲା, ସତେ ଯେମିତି ସେତେବେଳେ ତା କୁ ସେମିତି କେହି ଜଣକ ଙ୍କ ଆବଶ୍ୟକତା ଥିଲା! ନିଜ ଭିତରେ ଉଠୁଥିବା ସମସ୍ତ ଦୁଃଖ ଓ ନୈରାଶ୍ୟ କୁ ଯେମିତି କାହାର ଆଶ୍ୱାସନା ର ପଦୁଟିଏ କୁ ଅପେକ୍ଷା କରିଥିଲା। ତା'କାନ୍ଧରେ ହାତ ଥାପୁଡାଇ ମଉଷା କହିଉଠିଥିଲେ–ଆରେ କ'ଣହୋଇଛି କହ,ମୋ ସାଙ୍ଗ ଠିକ ଅଛିତ? ତାଙ୍କର ଆଉ ଗୋଟାଏ ପରିଚୟ ଥିଲା ଯେ ସେ ଅନନ୍ୟା ର ବାପାଙ୍କର ପିଲାବେଳର ସ୍କୁଲ ର ବନ୍ଧୁ! ଏତିକି କଥାରେ ଅନନ୍ୟା ର ଅଟକିଥିବା ଲୁହ ସବୁ ଯେମିତି ଧାର ଧାର ହୋଇ ବୋହି ଚାଲିଥିଲା! ମଉଷା ଙ୍କ ହାତଟିକୁ ଧରିପକାଇ କହିଦେଇଥିଲା–ନାହିଁ ମଉଷା,ବାପା ବାଥ୍ ରୁମ୍ ରେ ପଡିଯାଇ ମୁଣ୍ଡ ଫାଟି ,ବହୁତ ରକ୍ତ ଚା ଲି ଯିବାରୁ,ICU ରେ କାଲି ରାତିରୁ। ମୁଁ ଏବେ ଅଳ୍ପ ସମୟ ହେବ ବୋଉ ର ଫୋନ ପାଇ ଆସି ପହଞ୍ଚିଛି,ଅରୁପ କୁ ଜଣାଇ ଦେଇଛି,ସିଏ ପ୍ରଥମ ଫ୍ଲାଇଟ ରେ ମୁମ୍ବେଇ ରୁ ଆସିଯିବ। ବାପା ଙ୍କ ର କିନ୍ତୁ ବ୍ଲଡ଼ କୋଉଠି ମିଳୁନି। O- ଟା ବହୁତ ରେୟାର ଗ୍ରୁପ ,ଆମ ସମସ୍ତଙ୍କ ର O+,ବହୁତ ଚେଷ୍ଟା କରିଲିଣି,ହେଲେ ଯୋଗାଡ଼ ହୋଇ ପାରୁନି! ଆପଣଙ୍କ ର କିଏ ଚିହ୍ନା ଯଦି ଥିବେ ଟିକେ ଚେଷ୍ଟା କରିବେ?

            ହଠାତ୍ ମଉଷା ଙ୍କ ର ମୁହଁଟା ଟିକେ ଉଦାସ ଓ ଗମ୍ଭୀର ହୋଇଯାଇଥିଲା! ତା'ପାଖରେ ବସିପଡି ମୁହଁକୁ ଦୁଇ ହାତରେ ଘୋଡାଇ କିଛି ସମୟ କ'ଣ ଚିନ୍ତା କଲେ,ତା'ପରେ ଫୋନ କାଢି କି ଫୋନ ମଧ୍ୟ କରିଲେ,ହେଲେ ବୋଧ ହୁଏ ସବୁଠାରୁ ନିରାଶ ହୋଇଥିଲେ,ଯାହା ତାଙ୍କ ମୁହଁ ର ରଙ୍ଗ ରୁ ଅନନ୍ୟା ଜାଣିପାରୁଥିଲା। କିଛି ସମୟ ପରେ ଅନନ୍ୟା କୁ ନେଇ ତା'ବାପା ଙ୍କୁ ଦେଖିବା କୁ ଚାଲି ଆସିଥିଲେ। ବୋଉ କୁ କେବଳ ଲୌକିକତା ଦୃଷ୍ଟି ରୁ ନମସ୍କାର ଟିଏ ପକାଇ,ଏକୁଟିଆ ଡାକ୍ତର ଙ୍କ ପାଖକୁ ଚାଲିଯାଇଥିଲେ ବାପା ଙ୍କ ବିଷୟରେ ବୁଝିବାକୁ। କିଛି ସମୟ ପରେ,ଅନନ୍ୟା ଯେତେବେଳେ ଡାକ୍ତର ଙ୍କ ରୁମ୍ କୁ ଯାଇଥିଲା ବୁଝି ବାକୁ ,ବାହାରୁ ମଉଷା ଓ ଡାକ୍ତର ଙ୍କ ର ସାମାନ୍ୟ ଉଚ୍ଚ ସ୍ୱର ରେ ଯୁକ୍ତି ତର୍କ ଶୁଣି ଟିକେ ଅଟକି ଯାଇ ଥିଲା। ହଠାତ୍ କିଛି ବୁଝି ନ ପାରିଲେ ବି ,ତା' ବାପା ଙ୍କୁ ନେଇ ଯେ ସେଇ ଯୁକ୍ତି ତର୍କ ହେଉଥିଲା ବୋଲି  ବୁଝି ପାରିଥିଲା! କିଛି ସମୟ ପରେ ଡାକ୍ତର ଜଣକ ବାହାରକୁ ଚାଲି ଆସିଥିଲେ ,ମୁହଁରେ ତାଙ୍କର ବିରକ୍ତି ର ଚିହ୍ନ ସ୍ପଷ୍ଟ ବାରିହୋଇପଡୁଥିଲା,କିନ୍ତୁ ବ୍ଲଡ଼ ଆରେଞ୍ଜ ହୋଇଗଲା ବୋଲି ଅନନ୍ୟା କୁ ଜଣାଇଦେଇ ଥିଲେ। କେତେ ଘଣ୍ଟା ସେମାନ ଙ୍କୁ ଆଉ ଡିଷ୍ଟର୍ବ ନ କରି ବାହାରେ ଅପେକ୍ଷା କରିବାକୁ କହିଦେଇ ICU ଭିତରକୁ ଚାଲି ଯାଇଥିଲେ।

        ବ୍ଲଡ଼ ଆରେଞ୍ଜ ହୋଇଗଲା, 'ବାପା ଏବେ ବିପଦ ମୁକ୍ତ',ଏତିକି ରେ ଅନନ୍ୟା ଏତେ ଖୁସି ହୋଇ ଯାଇଥିଲା ଯେ ଦୀନ ବନ୍ଧୁ ମଉଷା ଙ୍କ କଥା ପୁରାପୁରି ଭୁଲି ଯାଇଥିଲା! ଦୀର୍ଘ ଦୁଇଘଣ୍ଟା ର ଅପରେସନ ପରେ ,ଡାକ୍ତର ଓ ନର୍ସ ଖୁସି ଖବର ନେଇ ବାହାରି ଆସିଥିଲେ ,ଅପରେସନ ସକ୍ସେସଫୁଲ ହେବାର,ଆଉ ସେନ୍ସ ଆସିଲେ ସେମାନେ ଦେଖାକରିପାରିବେ ବୋଲି ଜଣାଇଦେଇ ନିଜ ନିଜ ରୁମ୍ କୁ ଚାଲି ଯାଇଥିଲେ। ସେଦିନ ଟି ICU ରେ ରହିଲା ପରେ ,ଶଙ୍କରବାବୁଙ୍କୁ କେବିନ କୁ ପଠାଇ ଦିଆ ଯାଇଥିଲା। ଅନନ୍ୟା ବୋଉ,ଓ ଅରୁପ କୁ ସାଙ୍ଗରେ ନେଇ କେବିନ ଟିକୁ ଯଥାସାଧ୍ୟ ସଜଡ଼ା ସଜଡି କରିଦେଇଥିଲା। ଡାକ୍ତର ଙ୍କ ରାଉଣ୍ଡ ରେ ଆସିବା ସମୟ ହୋଇ ଯାଇଥିବାରୁ ,ବାପାଙ୍କର ସବୁ ଟିକିନିଖି ଛୋଟ ଛୋଟ ଅସୁବିଧା କୁ ମନରେ ଦୋହରାଉ ଥିଲା ବେଳେ ଡାକ୍ତର ଙ୍କ ସାଙ୍ଗରେ ଦୀନବନ୍ଧୁ ମଉଷା ମଧ୍ୟ ପସିଆସିଥିଲେ!

          ହଠାତ୍ ତାଙ୍କୁ ଦେଖି ପକାଇ ଅନନ୍ୟା ର ଭାବନା ଭିତରକୁ ଯେମିତି ପସିଆସିଥିଲା କେତୋଟି ପ୍ରଶ୍ନ-କୁଆଡେ ମଉଷା କାଲି ଚାଲିଯାଇଥିଲେ,କାହାକୁ ଟିକେ ଦେଖା ବିକରିନଥିଲେ!"ବୋଉ କୁ ସିନା କିଛି କହିପାରିବେନି,ହେଲେ ଅରୁପ ଓ ତାକୁ ତ ଜଣାଇ ପାରିଥାନ୍ତେ! ସେମାନଙ୍କ ପ୍ରତି ମଉଷା ଙ୍କ ର ମନ ତ କେବେ ଉଣା ହୋଇନଥିଲା! ବାପା ଏବେ ଅଳ୍ପ ଅଳ୍ପ କଥାବାର୍ତ୍ତା କରିଲେଣି, ହୁଏତ ଦୀନବନ୍ଧୁ ମଉଷା ଙ୍କୁ ଦେଖି ବିରକ୍ତ ବି ହୋଇ ପାରନ୍ତି,କ'ଣ କରିବ,କିଛି ଭାବି ପାରୁନଥିଲା । ସେତିକି ବେଳେ ଡାକ୍ତର ଜଣ କ କହିଉଠିଥିଲେ–ଆସନ୍ତୁ ସାର, ଆପଣଙ୍କ ବନ୍ଧୁ ଙ୍କୁ ଦେଖିଯାନ୍ତୁ, ଅଳ୍ପ କଥାବାର୍ତ୍ତା କିନ୍ତୁ କରିବେ। ସିଏ କେମିତି ଜାଣିଲେ ମଉଷା ବାପା ଙ୍କ ବନ୍ଧୁ ବୋଲି ଭାବୁ ଭାବୁ, ଡାକ୍ତର ଜଣ କ କହିଉଠିଥିଲେ–ଆପଣ ବହୁତ ଭାଗ୍ୟବାନ! ଏମିତିଆ ବନ୍ଧୁ ଟିଏ ପାଇଛନ୍ତି,ଆଜିକାଲି କୋଉଠୁ ଏମିତି ବନ୍ଧୁତା ଦେଖିବାକୁ ମିଳୁଛି!! ଆପଣ ଙ୍କୁ ନୂଆ ଜୀବନ ,ଆପଣଙ୍କ ବନ୍ଧୁ ହିଁ ଦେଇଛନ୍ତି। ନିଜେ ଜଣେ ରକ୍ତହୀନତା ରୋଗୀ ହୋଇ ମଧ୍ୟ, ଏକା ଜିଦ୍ କରିକି ରକ୍ତ ଦେଇ ଆପଣ ଙ୍କୁ ବଞ୍ଚାଇ ଦେଲେ। ଆମ ସାଙ୍ଗରେ ଘଣ୍ଟାଏ କାଳ ଯୁକ୍ତିତର୍କ କରି ,ଅଣ୍ଡରଟେକିଙ୍ଗ ଲେଖିକି ଦେଇଛନ୍ତି। ଆମ ହସ୍ପିଟାଲ ର ରେଗୁଲାର ପେସେଣ୍ଟ ସିଏ,ବେଶିକିଛି ସମସ୍ୟା ନ ଥିଲେ ବି ବହୁତ ଦିନ ହେଲାଣି,ଆଇରନ ଅଭାବ ରୁ ତାଙ୍କ ହିମୋଗ୍ଲୋବିନ କମିଯାଉଛି,ଚିକିତ୍ସା ରେ ଅଛନ୍ତି। ଏତକ କଥାରେ ବାପା ଓ ବୋଉ ଙ୍କ ର ମୁହଁ ର ରଙ୍ଗ ଯେମିତି ବଦଳି ଯାଇଥିଲା! ଲଜ୍ଜା ଓ ଆତ୍ମଗ୍ଲାନି ରେ ଦୁହେଁ ଯେମିତି ଛଟ୍ ପଟ୍ ହୋଇଯାଇଥିଲେ!

          ଡାକ୍ତର ଙ୍କ କଥା ଗୁଡିକ ଅନନ୍ୟା କୁ ବହୁତ ଦିନ ତଳ ର ଘଟଣା ପାଖକୁ ଯେମିତି ଟାଣି ନେଇଥିଲା। ଗୋଟାଏ ପରେ ଗୋଟାଏ ଘଟଣା ଯେମିତି ତା'ମନ ଭିତରେ ନାଚି ଉଠୁଥିଲା। ବାପାଙ୍କ ଗର୍ଜନ ଏବେ ବି ତା'କାନରେ ବାଜି ଯାଉଥିଲା! ଦୀନବନ୍ଧୁ ମଉଷା କାକୁସ୍ତ ହୋଇ ଠିଆ ହେବା ଟା ଦିଶିଯାଉଥିଲା। ବାପା ସେଦିନ ତାଙ୍କୁ ଉପର ମହଲା କୁ ଡାକି କହିଚାଲିଥିଲେ-ତୁ କ'ଣ ଜାଣିନୁ ତୋ ଭାଉଜ ର ଡାକ ନାଁ ସୁଲି ବୋଲି! କେହି ସିନା ଏଠି ଡକାନ୍ତିନି,ହେଲେ ନାଁ ଟା ତ ତାରି! କେମିତି ତୋ ଗଳ୍ପ ର ନୟିକା ର ନାଁ ଟା ସୁଲି ରଖିଦେଲୁ,ସିଏ ପୁଣି ଗୋଟାଏ ଗରୀବ ବୁଢ଼ୀ ର ଚରିତ୍ର ରେ? ସେ କେତେ ସମ୍ଭ୍ରାନ୍ତ ପରିବାର ର ତୁ କ'ଣ ଜାଣିନୁ! ତା'ଛଡା ସେଦିନ ତତେ ଏତେ ବୁଝାଇ କହିଥିଲି ,ତୋର ଏ ଭଡାଘର କୁ ତୋ'ଘର ବୋଲି କେବେ କହିବୁନି ବୋଲି,ବହୁତ ଅଲିଅଳ ରେ ପିଲାଟିବେଳୁ ଐଶ୍ୱର୍ଯ୍ୟ ରେ ବଢିଥିଲା,ଏ ଘର ଟି କରିବା ରେ ତା'ର ସ୍ୱପ୍ନ ସବୁ ପୁରା ନ ହୋଇ ପାରିଥିଲେ ମଧ୍ୟ ତା'ର ଶ୍ରଦ୍ଧା ଓ ପୋଜେସିଭନେସ୍ ରହିଥିଲା, କେହି ତା' ଘରକୁ ତାଙ୍କ ଘର ମଜାରେ ବି କହିଦେଲେ,ସେ ସହିପାରେନି!ତୁ ଅନ୍ୟ ଘର ଦେଖେ। ମାସେ ଦୁଇମାସ ଭିତରେ ଘର ଖାଲି କରିଦେ।ବୋଉ ମୁହଁ ରେ କିଛି ନ କହିଲେ ବି ,ରାଗ ଓ ବିରକ୍ତି ର ରଙ୍ଗ ମୁହଁରେ ବୋଳି ଦେଇ ଭିତରକୁ ଚାଲିଯାଇଥିଲା। ଅନନ୍ୟା କିନ୍ତୁ କିଛି ବୁଝିପାରିନଥିଲା! ଏଇ ସାମାନ୍ୟ କଥା କୁ ନେଇ ଏତେ ଶାନ୍ତ ଭଦ୍ର ମଉଷା,ଯିଏ ଜଣେ ସ୍କୁଲ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସାଙ୍ଗରେ ଜଣେ ପ୍ରତିଷ୍ଠିତ ଲେଖକ ମଧ୍ୟ ଥିଲେ,ତାଙ୍କୁ ଏମିତି ପରିସ୍ଥିତି ର ସମ୍ମୁଖୀନ ହେବାକୁ ପଡିବ,ଏକଥା ସେ ଚିନ୍ତା କରିପାରୁନଥିଲା ଯଦିଓ ତାଙ୍କର ସରଳ ଜୀବନ ଯାପନ ଶୈଳୀ ଆଜି ର ଏ ଆଧୁନିକ ସଭ୍ୟତା ର ଚଳଣିଠାରୁ ସାମାନ୍ୟ ଭିନ୍ନ ଥିଲା, ହେଲେ ତାଙ୍କ ଆଦର୍ଶ, ସମାୟାନୁବର୍ତ୍ତୀ ତା ଓ ସରଳତା ପାଇଁ ତାଙ୍କୁ ମନଭିତରେଯଥେଷ୍ଟ ସମ୍ମାନ ଦେଇ ଆସୁଥିଲା।ବାପାଙ୍କ ର କଥା କଥାକେ ସମ୍ଭ୍ରାନ୍ତ ବଂଶ ର ଉଦାହରଣ ସତ୍ତ୍ୱେ ,ମଉଷା ନିଜର ଆର୍ଥିକ ସମ୍ପର୍କ କୁ ସୁଚାରୁରୂପେ ତୁଲାଇ ପାରିଥିଲେ,ଥରୁଟିଏ ବି ବାପାଙ୍କୁ ଅଭିଯୋଗ ର ସୁଯୋଗ ଦେଇ ନ ଥିଲେ।


       ହଠାତ୍ ବାପାଙ୍କ ର କମ୍ପିତ କଣ୍ଠ ସ୍ୱର ରେ ଅନନ୍ୟା ପ୍ରକୃତିସ୍ଥ ହୋଇଥିଲା। ବାପା ହାତଠାରି ମଉଷା ଙ୍କୁ ତାଙ୍କ ପାଖକୁ ଡାକୁଥିଲେ,ଆଉ ଯେମିତି ତାଙ୍କୁ ବହୁତ କିଛି କହିବାକୁ ଚେଷ୍ଟା କରୁଥିଲେ। ମଉଷା ସଙ୍ଗେ ସଙ୍ଗେ ଯାଇ ତାଙ୍କ ହାତ କୁ ଧରିପକାଇଥିଲେ। ଖୁସି ଓ ଆତ୍ମସନ୍ତୋଷ ର ମିଶା ମିଶି ରଙ୍ଗ ଟା ଯେମିତି ମଉଷା ଙ୍କ ମୁଖ ମଣ୍ଡଳ ଟିକୁ ଆଛ୍ଛାଦିତ କରିଦେଇଥିଲା। ବାପାଙ୍କ ପାଟିରୁ ବାହାରି ଆସିଥିଲା–ତୁ ସତରେ ଦୀନବନ୍ଧୁ,ତୋ ନାଁ ଟା ର ସାର୍ଥକ କରିଛୁ। ମୋ ଠାରୁ ଦୀନ ଆଉ କେହି ନାହିଁ! ଶଙ୍କର ନାଁ ହୋଇଥିଲେ ବି ,କିଛି ବି ବିଷ ପିଇ ପାରିଲିନି ! ସବୁଯାକ ବିଷ ତୋରି ଉପରେ ଅଜାଡି ଦେଇଥିଲି! ଆଖିରୁ ତାଙ୍କର ଖୁସି ଓ ଗ୍ଲାନି ର ମିଶ୍ରିତ ଲୁହ ଯେମିତି କିଛି ବାଧା ନ ମାନି ଗଡି ଚାଲିଥିଲା। ଦୂରରେ ଥାଇ ଅନନ୍ୟା କେବଳ ଦୁଇ ବନ୍ଧୁ ଙ୍କର ଅପୂର୍ବ ମିଳନ କୁ ମନ ଭରି ଦେଖିଚାଲିଥିଲା,କୋଉ କାଳ ରୁ ମନ ଭିତରେ ରହିଥିବା ବୋଝ ଟା ସତେ ଯେମିତି ଟିକେ ହାଲୁକା ହୋଇ ଯାଇଥିଲା!


Rate this content
Log in

Similar oriya story from Classics